ଗୁଳି ଫୁଟୁଛି..ଶବ୍ଦ ଶୁଭୁଛି, କିନ୍ତୁ କେହି କ୍ଷତାକ୍ତ ନୁହନ୍ତି
– ପ୍ରସାଦ ରାଓ –
ଭୁବନେଶ୍ୱର, ୧୫ ଜାନୁୟାରୀ: ଗୁଳି ଫୁଟୁଛି, ଶବ୍ଦ ଶୁଭୁଛି – କିନ୍ତୁ କାହାରି ଦେହରୁ ଟୋପାଏ ରକ୍ତ ବାହାରୁନି । ଖେଳନା ବନ୍ଧୁକରେ ଏହି ଖେଳ ଚାଲିଛି । ବିଜେଡ଼ି-ବିଜେପିର ଏହି ଖେଳରେ କେବଳ ଓଡ଼ିଶାର କ୍ଷତି ହେଉଛି । ଏହା ହେଉଛି ରାଜନେତା ତଥା ସ୍ତମ୍ଭକାର ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟାର ସାରମର୍ମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିର ବଲାଙ୍ଗୀର ଗସ୍ତକୁ ନେଇ ପଣ୍ଡା ଟୁଇଟ୍ ମାଧ୍ୟମରେ ଏଭଳି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସଂପର୍କ ବଢାଇ ବିଜେଡ଼ିର ଚକ୍ଷୁଶୂଳ ହେବା ପରେ ଦଳରୁ ବିତାଡିତ ହୋଇଥିବା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା ନିଶ୍ଚିତ ଭାବେ ବିଜେପି ପ୍ରତି ତାଙ୍କର ମୋହଭଙ୍ଗ ହୋଇଥିବାର ସୂଚନା ଦେଉଛି । ବିଜେଡ଼ିରେ ରହି ଦଳ ବିରୋଧୀ ଲେଖା ଲେଖିବା, ତୃତୀୟ ମହଲା ସଂପର୍କରେ କଟୁ ମନ୍ତବ୍ୟ ଦେବା ଏବଂ ଆଇଏଏସ କାର୍ତିକେୟ ପାଂଡିୟାନଙ୍କୁ ଟାର୍ଗେଟ୍ କରିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅପଡ ହୋଇ ଚାରି ବର୍ଷ ଧରି ବୈଜୟନ୍ତ ବିଜେଡ଼ି ଭିତରେ କୋଣଠେସା ହୋଇ ରହି ଥିଲେ । ଗତ ବର୍ଷ ତାଙ୍କୁ ଦଳରୁ ବିଦା କରା ଗଲା । ସେ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଲେ । ବୈଜୟନ୍ତ ବିଜେପିକୁ ଯିବେ ନା ଅନ୍ୟ କାହା ସହ ମିଶି ରାଜ୍ୟରେ ନବୀନ-ବିରୋଧୀ ମେଂଟର ନେତୃତ୍ୱ ନେବେ, ତାହା ସ୍ପଷ୍ଟ ହୋଇନି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରି ଆସୁ ଥିଲେ । ବୈଜୟନ୍ତ ମଧ୍ୟ ସେଭଳି ଆଶା ରଖି ଥିଲେ । ତେବେ, ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଷମତା ଅଳିନ୍ଦ ଦେଇ ବିଜେପିରେ ଯୋଗ ଦେବା ସହ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ମୁହଁ ଭାବେ ଚର୍ଚ୍ଚିତ ହେବା ଉଭୟ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କୁ ବିଚଳିତ କରିଛି । ଏହାକୁ ନେଇ ଓଡ଼ିଶାରେ ବିଜେପି ଅନ୍ତଃକନ୍ଦଳ ଦେଇ ଗତି କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି ।
୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ଦୃଷ୍ଟିରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ସରକାର, ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆକମ୍ରଣକୁ ଶାଣିତ କରିବ ବୋଲି ଦଳର ରାଜ୍ୟସ୍ତର ନେତାମାନେ ଆଶା କରୁଥିଲେ । ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟର ଅନ୍ୟ ପୁରୁଖା ନେତାମାନେ ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ବିବୃତିମାନ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ମଧ୍ୟ ତାହା ଆଶା କରୁଥିଲେ । ତେବେ, ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ପଦୁଟିଏ କହିବାକୁ ଚାହୁଁ ନାହାନ୍ତି । ତାହା ହିଁ ରାଜ୍ୟ ବିଜେପି ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମୋଦୀଙ୍କ ପାଇଁ ଦଳରୁ ବିଦାୟ ହୋଇ ବାରଦୁଆର ହୋଇ ଥିବା ବୈଜୟନ୍ତଙ୍କ ପାଇଁ ମଧ୍ୟ ମୋଦୀଙ୍କ ଏହି ନୂଆ ରୂପ ଚିନ୍ତାରେ ପକାଇଛି । ଏହାଛଡା, ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ଅପରାଜିତାଙ୍କୁ ଯେଭଳି ମାତ୍ରାଧିକ ଗୁରୁତ୍ୱ ଦେଇ ଓଡ଼ିଶାରେ ଖୋଲା ଛାଡିଛନ୍ତି ତାହା ମଧ୍ୟ ଧର୍ମେନ୍ଦ୍ରଙ୍କ କ୍ୟାଂପ୍ ସହ ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଚଳିତ କରୁଛି । ସେ ବିଜେପିରେ ଯୋଗ ଦେଉଥିବା ସଂପର୍କରେ ପ୍ରଚାର କରାଇ ଥିଲେ ମଧ୍ୟ ପରେ ନିଜ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ ଥିବା ଦେଖି ପଛଘୁଂଚା ଦେଇଛନ୍ତି । ଆଜି ବଲାଙ୍ଗୀର ବିଜେପି ସ୍ୱାଭିମାନ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଓଡ଼ିଶା ବିଜେଡ଼ି ସରକାରଙ୍କୁ ଆଉଁଶିବା ଭଳି ହୋଇଥିବା ଦେଖି ବୈଜୟନ୍ତ ଟୁଟଟର୍ ମାଧ୍ୟମରେ ତାହାର ସମାଲୋଚନା କରିଥିବା ଅନୁମାନ କରାଯାଉଛି । ବିଜେପି-ବିଜେଡ଼ି ଖେଳନା ବନ୍ଧୁକ ଧରି ଗୁଳି ଫୁଟାଫୁଟି ହେଉଛନ୍ତି, ବିରାଟ ଶବ୍ଦ ଶୁଭୁଛି । କିନ୍ତୁ, ଉଭୟଙ୍କ କ୍ଷତି ହେଉନି, କ୍ଷତି ହେଉଛି ଓଡ଼ିଶାର ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ଼ିସେମ୍ବର ୨୪ ତାରିଖ ଦିନ ଉପକୂଳ ଓଡ଼ିଶା, ଜାନୁୟାରୀ ୫ ତାରିଖ ଦିନ ଉତ୍ତର ଓଡ଼ିଶା ଓ ଜାନୁୟାରୀ ୧୫ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ୱାଭିମାନ ସଭାରେ ଉଦ୍ବୋଧନ ଦେଇଥିବା ବେଳେ ବିଜେଡ଼ି ପ୍ରତି ତାଙ୍କ ସ୍ୱର ନରମ ହୋଇ ଆସୁ ଥିବା ଲକ୍ଷ୍ୟ କରାଯାଇଛି । ଡ଼ିସେମ୍ବର ୨୪ ତାରିଖ ସଭା ଥିଲା ଖୋର୍ଦ୍ଧା ନିକଟରେ । ବରୁଣେଇ ପାହାଡ଼ର ପାଦ ଦେଶରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଓଡ଼ିଶାର ପାଇକ ପୁଅଙ୍କୁ ସ୍ମରଣ କରିବା ସହ ଓଡ଼ିଶା ସରକାରଙ୍କୁ ଚିଟ୍ ଫଣ୍ଡ୍ ଚୋର, ଦୁର୍ନୀତଗ୍ରସ୍ତ ବୋଲି କଡା ସମଲୋଚନା କରିଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନ ଥିଲେ । କେନ୍ଦ୍ର ସରକାର ଚାଷିଙ୍କ ପାଇଁ ସ୍ୱାମୀନାଥନ କମିସନ ସୁପାରିଶ କାର୍ଯ୍ୟକାରୀ କରି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ୨୦୧୪ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ଅତିରିକ୍ତ ଜଳସେଚନ ସୃଷ୍ଟି ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି । ସରକାର ୧୦ ଲକ୍ଷ ହେକ୍ଟର ଜମି ପାଇଁ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇ ମାତ୍ର ୨୨ ହଜାର ହେକ୍ଟର ସେଚ ସୁବିଧା ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରି ନିଜର ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଏହାଦ୍ୱାରା ରାଜ୍ୟ ବାହାରେ ରହୁ ଥିବା ଗରୀବ ଓଡ଼ିଆ ପରିବାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ କରି ଥିଲେ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥ୍ୟ ଭିତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ଚାରି ବର୍ଷରେ ରାଜ୍ୟର ୮ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି ହୋଇଛି ଓ ବିଜୁ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ’ ଯୋଜନା ଠାରୁ ଅଧିକ ଲାଭଦାୟକ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପରବର୍ତର୍ୀ ଦଳୀୟ ସଭା ଜାନୁଆରୀ ୫ରେ ମୟୁରଭଂଜ ଜଲ୍ଲାର ବାରିପଦା ସହରରେ ହୋଇଥିଲା । ପ୍ରାୟ ୧୫୦୦ କୋଟି ଟଙ୍କାର ଉଦ୍ଘାଟନ ଓ ଶିଳାନ୍ୟାସ ପ୍ରକଳ୍ପର ଉପହାର ଧରି ପ୍ରଧାନମନ୍ତ୍ରୀ ଆସିଥିଲେ । ଏହି ସଭାରେ ମଧ୍ୟ ସେ ଚାଷି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ସ୍ୱାମୀନାଥନ କମିସନ ରିପୋର୍ଟ କାର୍ଯ୍ୟକାରୀ କରି ଦେଶରେ ୨୨ଟି ଫସଲ ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଘୋଷଣା କରିଥିବା ବେଳେ ଓଡ଼ିଶାରେ ଚାଷିଙ୍କୁ ତାହା ମିଳୁ ନାହିଁ । ରାଜ୍ୟର ଚାଷି ଧାନ ପାଇଁ କୁଇଂଟାଲ ପିଛା ୧୭୫୦ ଟଙ୍କା ଏମଏସପି ପାଉ ନାହାନ୍ତି । ସମବାୟ ବିଭାଗ ଚାଷିଙ୍କ ଠାରୁ ଧାନ କିଣୁ ନ ଥିବାରୁ ସେମାନେ ରାଜ୍ୟ ବାହାରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହି ଥିଲେ । ତେବେ, ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଥିଲା ପୁରୀ ଜିଲ୍ଲାର ପିପିଲି ଅଂଚଳରେ ସାତ ବର୍ଷ ତଳେ ଘଟିଥିବା ବେବିନା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା । ଓଡ଼ିଶାରେ ନାରୀ ଓ ଶିଶୁ ସୁରକ୍ଷିତ ନୁହନ୍ତି । ରାଜ୍ୟରେ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ଚିନ୍ତାଜନକ ଭାବେ ବଢିଛି । ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି । ବେବିନା ଘଟଣାରେ ରାଜ୍ୟ ପୁଲିସ ଓ କ୍ରାଇମ ବ୍ରାଂଚ ତଦନ୍ତ ବାଟବଣା ହେବାରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ନାହିଁ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିବା ସହ ଏହି ଜଘଣ୍ୟ ଘଟଣାର ପୁନଃ ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂକ୍ଷୀପ୍ତ ଉତ୍ତର ଥିଲା, ରାଜ୍ୟ ସରକାର ବେବିନା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡୁ ଛାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟ କୃଷି ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବାକୁ ବାଧ୍ୟ କଲେ । ମହାରଥୀଙ୍କ ଇସ୍ତଫାର ଶ୍ରେୟ ନେବାକୁ କଂଗ୍ରେସ ଓ ବିଜେପି ମଧ୍ୟରେ ଛକାପଂଝା ଚାଲିଲା । କାରଣ, ଏହି ଦୁଇ ଦଳର ନାରୀ ନେତ୍ରୀମାନେ ମହାରଥୀଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଆସି ଆନ୍ଦୋଳନ କରି ଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ପରେ ମହାରଥୀଙ୍କୁ ମନ୍ତ୍ରୀ ପରିଷଦରୁ ବିଦାୟ କରାଯାଇ ଥିବାରୁ ଏହାର ଶ୍ରେୟ ଯାଇଛି ବିଜେପିକୁ ।
ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡ଼ିଶା, ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ପରେ ପୁଣି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ସହରରେ ୧୫୪୫ କୋଟି ଟଙ୍କାର ଉଦ୍ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଧରି ପହଂଚିଲେ ମଙ୍ଗଳବାର ଦିନ । ସରକାରୀ କାର୍ଯ୍ୟକ୍ରମ ପରେ ବିଜେପି ଦ୍ୱାରା ଆୟୋଜିତ ସ୍ୱାଭିମାନ ସଭାରେ ଉଦ୍ବୋଧନ ଦେଇ ଚିରାଚରିତ ଢଙ୍ଗରେ ‘ବିକାଶ’ର ବାର୍ତର୍ା ଦେଲେ । ତେବେ, ରାଜ୍ୟ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ୱର ଅଧିକ ନରମ ରହିବା ସମସ୍ତଙ୍କୁ ଚକିତ କରିଛି । ସଂଖ୍ୟାଲଘୁ ଜାତି ଓ ଜନଜାତି ପାଇଁ ସେ ଭାଷଣ ପ୍ରସଙ୍ଗରେ ଦରଦ ଦେଖାଇଛନ୍ତି । ରାଜ୍ୟ ସରକାର ଡ଼ିଏମଏଫ (ଜିଲ୍ଲା ଖଣି ଅଂଚଳ ବିକାଶ ପାଂଠି) ଅର୍ଥ ଖର୍ଚ୍ଚ କରି ପାରୁ ନ ଥିବା ଏବଂ କେନ୍ଦ୍ର ସରକାର ଏବାବଦରେ ଦେଇଥିବା ୪ ହଜାର କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହି ଥିବା ବେଳେ ରାଜ୍ୟ ସରକାର ନିଦରେ ଶୋଇ ଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ତେବେ, ତାଙ୍କ ସ୍ୱର ବିଜେଡ଼ି ପ୍ରତି ନରମ ଓ କଂଗ୍ରେସ ପ୍ରତି ଗରମ ଥିଲା । ପୂର୍ବ ୟୁପିଏ ସରକାର ତୁଳନାରେ ତାଙ୍କ ସରକାର ରାଜ୍ୟକୁ ରେଳ ବିକାଶ ପାଇଁ ୫ ଗୁଣ ଅଧିକ ଅର୍ଥ ଦେଇଛନ୍ତି, ଓଡ଼ିଶାରେ ୨୦ ହଜାର କୋଟି ଟଙ୍କା ରେଳ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜ୍ୟ ବିଜେଡ଼ି ସରକାରଙ୍କୁ ଆକ୍ରମଣ କରିବା ପରିବର୍ତେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଆକ୍ରମଣ କରିବା ଏବଂ ଗତ ସାଢେ ଚାରି ବର୍ଷ ମଧ୍ୟରେ ତାଙ୍କ ସରକାର ଦେଶରେ ଛଅ କୋଟିରୁ ଅଧିକ ଜାଲ୍ ରେସନ କାର୍ଡ ରଦ୍ଦ କରିଥିବାରୁ ଅସାଧୁ ରାଜନେତା ଓ ବ୍ୟବସାୟୀମାନେ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଲାଗି ପଡି ଥିବା ସଂପର୍କରେ ଅଭିଯୋଗ କରିବା ରାଜ୍ୟ ବିଜେପି ନେତାଙ୍କ ହଜମ ହେଉ ନାହିଁ ।
ପ୍ରଧାନମନ୍ତ୍ରୀ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପାଣି ପବନ ତାଙ୍କୁ ଆକର୍ଷିତ କରୁଥିବା କହି ଓଡ଼ିଶାର ପ୍ରଶଂସା କରିଥିବା ବେଳେ ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କୁ ଯେଭଳି ଆକ୍ରମଣ କରିବା କଥା ତାହା ନ କରି ଗପ ଶୁଣାଇ ଚାଲି ଯିବାରୁ ବିଜେପିର ରାଜ୍ୟସ୍ତର ନେତା ଓ କର୍ମୀମାନେ ବିଚଳିତ । କିନ୍ତୁ, କେହି ମୁହଁ ଖୋଲି କଛି କହି ପାରୁ ନାହାନ୍ତି । ତେବେ, ବୈଜୟନ୍ତଙ୍କ ଟୁଇଟ୍ ସେମାନଙ୍କ ମୁଖର ଭାଷା ପଦାକୁ ଆଣିଛି । ଅନେକ ଭାବୁଛନ୍ତି, ଆଗାମୀ ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ରଣକୌଶଳ ଚୂଡାନ୍ତ ହୋଇ ନ ଥିବାରୁ ଏବଂ ସବୁ କିଛି ତରଳ ଅବସ୍ଥାରେ ଥିବାରୁ ପ୍ରଧାନମନ୍ତ୍ରୀ ଜଗି ରଖି ମୁହଁ ଖୋଲୁଛନ୍ତି । ଠିକ୍ ସମୟ ଆସିଲେ ସେ ବର୍ଷିବେ । ତେବେ, କାହା ଉପରେ ବର୍ଷିବେ, ସେ କଥା କେହି କହିପାରୁ ନାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS