ଆସ୍ଥାନା ବିଦା ହେବା ପରେ ଭାବମୂର୍ତୀ ସଜାଡୁଛି କେନ୍ଦ୍ର


– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୨୦ ଜାନୁୟାରୀ: କୌଣସି ଠୋସ୍ ପ୍ରମାଣ ନ ଥାଇ କେନ୍ଦ୍ର ସରକାର ସିଭିସିଙ୍କ ପ୍ରତିକୂଳ ମନ୍ତବ୍ୟ ଆଳରେ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇବା ପରେ ଭାବମୂର୍ତୀ ସଂକଟର ସମ୍ମୁଖୀନ ହୋଇ ଏବେ ତାହା ସଜାଡିବା ଆରମ୍ଭ କରିଛନ୍ତି । ବର୍ମାଙ୍କ ବିରୋଧରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଯୋଗୁ ସରକାର ସବୁ ମହଲରୁ କଡା ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ସିବିଆଇର ଏହି ସର୍ବୋଚ୍ଚସ୍ତରରେ ବିବାଦର ମଂଜି ବୁଣି ଥିବା ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ ସିବିଆଇରୁ ହଟାଇ ଦିଆଯାଇ ତାଙ୍କ ପୂର୍ବ ବିଭାଗକୁ ଫେରାଇ ଦିଆଯାଇଛି । କେବଳ ଆସ୍ଥାନା ନୁହନ୍ତି, ସିବିଆଇ ଯୁଗ୍ମ ନିର୍ଦେଶକ ଅରୁଣ କୁମାର ଶର୍ମା, ଡ଼ିଆଇଜି ମନୀଷ କୁମାର ସିହ୍ନା ଓ ଏସପି ଜୟନ୍ତ ଜେ ନାଏକନାଭାରେଙ୍କୁ ମଧ୍ୟ ସିବିଆଇରୁ ହଟାଇ ଦିଆଯାଇଛି । ଆସ୍ଥାନାଙ୍କୁ ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ କୁ ଫେରାଇ ଦିଆଯାଇଥିବା ବେଳେ ଅରୁଣ ଶର୍ମାଙ୍କୁ ସିଆରପିଏଫ୍ ଓ ମନୀଷ ସିହ୍ନାଙ୍କୁ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଏଣ୍ଡ୍ ଡ଼େଭଲପମେଂଟ୍ କୁ ବିଦା କରାଯାଇଛି । ସିବିଆଇ କାର୍ଯ୍ୟକାରୀ ନିର୍ଦେଶକ ଥିବା ଓଡ଼ିଶା କ୍ୟାଡର ଆଇପିଏସ୍ ଏମ. ନାଗେଶ୍ୱର ରାଓଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅନୁକଂପା ରହିଛି । ତେବେ, ରାଓଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଥିବାରୁ ଓ ତାଙ୍କୁ ସିବିଆଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯିବା କଥାକୁ ନେଇ ଗୋଟିଏ ଏନଜିଓ ଦ୍ୱାରା ସୁପ୍ରିମ କୋର୍ଟରେ ଦାଏର ହୋଇଥିବା ମାମଲା ବିଚାର ପାଇଁ ଗ୍ରହଣ ହୋଇସାରି ଥିବାରୁ ରାଓଙ୍କୁ ମଧ୍ୟ ହଟାଇବାକୁ ସରକାର ବାଧ୍ୟ ହୋଇପାରନ୍ତି । ତେଣୁ, ସ୍ଥାୟୀ ସିବିଆଇ ନିର୍ଦେଶକ ନିଯୁକ୍ତି ସଂପର୍କରେ ନିଷ୍ପତ୍ତି ନେବା ସକାଶେ ଆସନ୍ତା ୨୪ ତାରିଖ ସର୍ବୋଚ୍ଚ ସ୍ତରୀୟ ଚୟନ କମିଟି ବୈଠକ ବସିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ପଦବୀରେ କାହାକୁ ନିଯୁକ୍ତି ଦିଆଯିବ ସ୍ପଷ୍ଟ ହୋଇ ନାହିଁ । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ପସନ୍ଦର କାହାରିକୁ ଏହି ପ୍ରାଇଜ୍ ପୋଷ୍ଟ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସିବିଆଇରୁ ବିଦା ହୋଇଥିବା ଆସ୍ଥାନା ହେଉଛନ୍ତି ୧୯୮୪ ବ୍ୟାଚ୍ ର ଗୁଜରାଟ ପାହ୍ୟାର ଆଇପିଏସ୍ ଅଫିସର । ସେହିଭଳି ଅରୁଣ ଶର୍ମା ମଧ୍ୟ ଗୁଜରାଟର । କେବଳ, ମନୀଷ ସିହ୍ନା ଆନ୍ଧ୍ର ପ୍ରଦେଶର ହୋଇଥିବା ବେଳେ ଜୟନ୍ତ ନାଏକନାଭାରେ ହେଉଛନ୍ତି ମହାରାଷ୍ଟ୍ର ପାହ୍ୟାର ଆଇପିଏସ୍ ଅଫିସର । ଏହି ଆଇପିଏସ୍ ଅଫିସରମାନେ ନିର୍ଦ୍ଧିଷ୍ଟ ସମୟ ପାଇଁ ସିବିଆଇରେ କାର୍ଯ୍ୟ କରିବାକୁ ଆସି ଥିଲେ । କିନ୍ତୁ, ସରକାର ସେମାନଙ୍କ ସିବିଆଇ ଡ଼େପୁଟେସନ୍ ସମୟ ହ୍ରାସ କରି ସେମାନଙ୍କୁ ବିଦା କରିଛନ୍ତି । ଗୁରୁବାର ପୂର୍ବାହ୍ନରେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍ (ସିଭିସି)ର ଜରୁରୀ ବୈଠକରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଥିଲା । ସିବିଆଇର ସର୍ବୋଚ୍ଚ ସ୍ତରରେ ବିବାଦର ବିଷ ମଂଜି ବୁଣି ଥିବା ସ୍ୱତନ୍ତ୍ର ନିର୍ଦେଶକ ଆସ୍ଥାନାଙ୍କ ବିରୋଧରେ ୩ କୋଟି ଟଙ୍କାର ଲାଂଚ କାରବାର ଅଭିଯୋଗ ରହିଛି । ତକ୍ରାଳୀନ ସବିଆଇ ନିର୍ଦେଶକ ଆଲୋକ ବର୍ମା ନିଜ ଆଡୁ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରି ତାହାର ତଦନ୍ତ ଚଳାଇବାରୁ ଆସ୍ଥାନା କ୍ଷୁବ୍ଧ ଥିଲେ । ସେ ସିବିଆଇ ନିର୍ଦେଶକ ବର୍ମାଙ୍କ ବିରୋଧରେ ପାଲଟା ଦୁର୍ନୀତି ଅଭିଯୋଗ ଆଣି ସିଭିସିଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ବିରୋଧରେ ଚାଲି ଥିବା ସିବିଆଇ ତଦନ୍ତ ବନ୍ଦ କରାଯିବା ସକାଶେ ଆସ୍ଥାନାଙ୍କ ଆଡୁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଅବେଦନ ଖାରଜ ହୋଇଯିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଛଡା କେନ୍ଦ୍ର ସରକାରଙ୍କ ନିକଟରେ ଅନ୍ୟ ବିକଳ୍ପ ନ ଥିଲା । ସିବିଆଇ ଭଳି ସଂସ୍ଥାର ଭାବମୂର୍ତର୍ୀ ଏହି ମାମଲା ସହ ଜଡିତ ଥିବା ଦର୍ଶାଇ ତଦନ୍ତ ଚାଲୁ ରହିବ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇ ଥିବା ରାୟ ଆସ୍ଥାନାଙ୍କ ଅଡୁଆ ବଢାଇଛି । କେନ୍ଦ୍ର ସରକାର ତାଙ୍କୁ ଆଉ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି । ତେଣୁ, ସରକାର ନିଜ ଭାବମୂର୍ତର୍ୀ ସଜାଡିବା ଆରମ୍ଭ କରିଛନ୍ତି ।
କେନ୍ଦ୍ର ସରକାର ସିବିଆଇ ଭଳି ଏକ ସ୍ୱୟଂ ଶାସିତ ଅପରାଧ ତଦନ୍ତ ସଂସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବା ସକାଶେ କେତେଦୂର କ୍ଷମତାର ଦୂରୁପଯୋଗ କରିପାରନ୍ତି, ତାହା ଆସ୍ଥାନାଙ୍କ ନିଯୁକ୍ତିରୁ ସ୍ପଷ୍ଟ ହେଉଛି । ଆଲୋକ ବର୍ମାଙ୍କୁ ସର୍ବୋଚ୍ଚ ମନୋନୟନ କମିଟି ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ଦେଇ ଥିବା ବେଳେ କେନ୍ଦ୍ର ସରକାର ନିଜ ଅକ୍ତିଆରରେ ସଂସ୍ଥାକୁ ରଖିବା ସକାଶେ ଗୁଜରାଟ କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ସେଠାରେ ସ୍ୱତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତି ଦେଇ ଥିଲେ । ଫଳରେ, ସିବିଆଇ ଭଳି ସଂସ୍ଥାରେ ଦୁଇଟି କ୍ଷମତା କେନ୍ଦ୍ର ସୃଷ୍ଟି ହେବା ସହ ବର୍ମା-ଆସ୍ଥାନା ବିବାଦର ସୂତ୍ରପାତ ହୋଇଥିଲା । ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଆସ୍ଥାନାଙ୍କ ବିରୋଧରେ ଖୋଦ୍ ସଂସ୍ଥାର ନିର୍ଦେଶକ ବର୍ମା ଗୁରୁତର ଦୁର୍ନୀତି ଅଭିଯୋଗ ଆଣିବା ଓ ଏତଲା ରୁଜୁ କରି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା । ଆସ୍ଥାନା ମଧ୍ୟ ସିବିଆଇ ନିର୍ଦେଶକ ବର୍ମାଙ୍କ ବିରୋଧରେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍ (ସିଭିସି)ଙ୍କ ନିକଟରେ ୮ଟି ଗୁରୁତର ଅଭିଯୋଗ ଆଣି ତାହାର ତଦନ୍ତ ପାଇଁ ଆବେଦନ କରିବାରୁ ଦୁହିଁଙ୍କ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଚାଲି ଥିଲା । ବିବାଦ ଚରମ ସୀମାରେ ପହଂଚିବା ପରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଦୁହିଁଙ୍କୁ ରାତି ଅଧିଆ ଛୁଟିରେ ପଠାଇ ଥିଲେ ।
ତେବେ, କେନ୍ଦ୍ର ସରକାର ତାଙ୍କୁ ଛୁଟିରେ ପଠାଇବା ପୂର୍ବରୁ ସିଭିସିଙ୍କ ସମ୍ମୁଖରେ ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିବା ଦର୍ଶାଇ ସିବିଆଇ ନିର୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟଙ୍କ ଆଶ୍ରୟ ନେଇ ଥିଲେ । ବର୍ମାଙ୍କ ଆବେଦନକୁ ବିଚାରକୁ ନେଇ ସୁପ୍ରିମ କୋର୍ଟ ସର୍ବୋଚ୍ଚ କ୍ଷମତାସଂପନ୍ନ ମନୋନୟନ କମିଟିର ଅନୁମୋଦନ ବିନା କେନ୍ଦ୍ର ସରକାର ବର୍ମାଙ୍କୁ ଛୁଟିରେ ପଠାଇବା ଆଇନସଙ୍ଗତ ନୁହେଁ ବୋଲି ରାୟ ଦେଇ ତାଙ୍କୁ ପୁନଃ ସିବିଆଇ ନିର୍ଦେଶକ ଭାବେ ଅବସ୍ଥାପିତ କରି ଥିଲେ । ସରକାର ନୁହେଁ, ସିବିଆଇ ନିର୍ଦେଶକ ନିଯୁକ୍ତି ଦାୟିତ୍ୱରେ ଥିବା ସର୍ବୋଚ୍ଚସ୍ତରୀୟ ଚୟନ କମିଟି ବର୍ମାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କୋର୍ଟ ସ୍ପଷ୍ଟ କରି ଦେବା ପରେ ବର୍ମା ତାଙ୍କ ପଦରେ ପୁନଃ ଅବସ୍ଥାପିତ ହୋଇ ଥିଲେ । ଠିକ୍ ଦିନକ ପରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରୁଥିବା ଉଚ୍ଚ କ୍ଷମତାସଂପନ୍ନ ମନୋୟକ କମିଟି ତାଙ୍କୁ ୨-୧ ମତରେ ସିବିଆଇ ନିର୍ଦେଶକ ପଦରୁ ହଟାଇ କମ୍ ଗୁରୁତ୍ୱ ଥିବା ସ୍ଥାନକୁ ବଦଳି କରିବାରୁ ବର୍ମା ଚାକିରୀରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ବର୍ମା ଚାକିରୀରୁ ଇସ୍ତଫା ଦେବା ପରେ ଯେଉଁ ବୟାନ ଦେଇଛନ୍ତି ତାହା ସରକାର ଓ ସିଭିସିଙ୍କ ମୁଖା ଖୋଲି ଦେଇଛି ।
ଯେଉଁ ଅଧିକାରୀ ଜଣକ (ଆସ୍ଥାନା) ତାଙ୍କ ବିରୋଧରେ ସିଭିସିଙ୍କ ନିକଟରେ ବିଭିନ୍ନ ଗୁରୁତର ଦୁର୍ନୀତି ଓ ଲାଂଚ କାରବାର ଅଭିଯୋଗ ଆଣିଛନ୍ତି ତଦନ୍ତ ସମୟରେ ସେ ଥରୁଟିଏ ମଧ୍ୟ ସିଭିସିଙ୍କ ସମ୍ମୁଖରେ ହାଜର ହୋଇ ନାହାନ୍ତି । ସିଭିସି ମଧ୍ୟ ତାଙ୍କୁ ଅଭିଯୋଗଗୁଡିକ ସଂକ୍ରାନ୍ତରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ ବୋଲି ବର୍ମା ଅଭିଯୋଗ କରିଥିବା ବେଳେ ବର୍ମାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ମଧ୍ୟ ଅଭିଯୋଗଗୁଡିକୁ ସିଦ୍ଧ କଲା ଭଳି କୌଣସି ପ୍ରମାଣ ନ ଥିବା କହି ସିଭିସିଙ୍କ ପ୍ରତିକୂଳ ମନ୍ତବ୍ୟକୁ ଭିତ୍ତି କରି ବର୍ମାଙ୍କୁ ସରକାର ସିବିଆଇ ନିର୍ଦେଶକ ପଦରୁ ହଟାଇବା କଥାକୁ ନାପସନ୍ଦ କରିଛନ୍ତି । ଜଷ୍ଟିସ୍ ପଟ୍ଟନାୟକଙ୍କ ସାକ୍ଷାତକାର ଏକ ଜାତୀୟ ଇଂରାଜୀ ଦୈନିକରେ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଓ ସିଭିସି ମୁହଁ ଲୁଚାଇବାକୁ ବାଟ ପାଉ ନାହାନ୍ତି ।
ସିିବିଆଇ ନିର୍ଦେଶକଙ୍କୁ ଚୟନ ପାଇଁ ଗଠିତ ତିନି ଜଣିଆ ସର୍ବୋଚ୍ଚସ୍ତର ମନୋନୟନ କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତା ସଦସ୍ୟ ରହିଛନ୍ତି । ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇବା ନିଷ୍ପତ୍ତି ଥିଲା କମିଟି ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର । କମିଟିର ଅନ୍ୟତମ ସଦସ୍ୟ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ହୋଇଥିବା ବେଳେ ବିଚାରପତି ଜଷ୍ଟିସ୍ ଏ.କେ.ସିକ୍ରି ତାଙ୍କୁ ପ୍ରତିନିଧିତ୍ୱ କରୁଥିଲେ । ଜଷ୍ଟିସ୍ ସିକ୍ରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିବା ବେଳେ କମିଟିର ତୃତୀୟ ସଦସ୍ୟ ଥିବା ଲୋକସଭାର ବିରୋଧୀ ଦଳ ନେତା ତାହାକୁ ସମର୍ଥନ ନ କରି ନାହାନ୍ତି । ବର୍ମାଙ୍କୁ କେନ୍ଦ୍ର ସରକାର ଜବରଦସ୍ତ ଛୁଟିରେ ପଠାଇ ଥିବାରୁ ଯେତିକି ଦିନ ବର୍ମା ଛୁଟିରେ ରହିଲେ ସେତିକି ଦିନ ଅନ୍ତତଃ ତାଙ୍କୁ ସେହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ଦିଆ ଯିବାକୁ ଲୋକସଭା ବିରୋଧୀ ଦଳ ନେତା ପ୍ରସ୍ତାବ ରଖି ଥିଲେ । କିନ୍ତୁ, ତାହାକୁ ଗୁରୁତ୍ୱ ଦିଆ ନ ଯାଇ ବର୍ମାଙ୍କୁ କ୍ଷମତାରୁ ହଟାଇ ଦିଆଯାଇ ଥିଲା । ବର୍ମାଙ୍କୁ ହଟାଇବା ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଦେଇ ଥିବା ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ସିକ୍ରି ଏବେ ଗଣମାଧ୍ୟମରେ ସମାଲୋଚନାର ଶରବ୍ୟ । ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ମତ ମଧ୍ୟ ସମସ୍ତଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଛି । କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କ ଚାପରେ ଏବେ ସିବିଆଇର ନୂତନ ନିର୍ଦେଶକଙ୍କୁ ବାଛିବା ପାଇଁ ତାରିଖ ଧାର୍ଯ୍ୟ କରିଥିବାରୁ ସମସ୍ତଙ୍କ ନଜର ଚୟନ କମିଟିର ପରବର୍ତର୍ୀ ବୈଠକ ଉପରେ ରହିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS