ନିରଂଜନ ନିଜେ ବସି ଥିବା କଂଗ୍ରେସ ଗଛ କଟି କଟି ଗଲାଣି !
ଭୁବନେଶ୍ୱର, ୨୦ ଜାନୁୟାରୀ (ମୋଅନୁଭବ.କମ୍): ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯେଉଁ କଂଗ୍ରେସ ଗଛରେ ବସିଛନ୍ତି ତାହା କଟି କଟି ଯାଉଛି । ଏବେ ଦୁଇଟି ମୁଖ୍ୟ ଡ଼ାଳ କଟିଲାଣି । ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଗଛଟି ସଂପୂର୍ଣ୍ଣ ଲଣ୍ଡା ହୋଇଯାଇ ପାରେ । ରାଜ୍ୟର ରାଜନୈତିକ ପଣ୍ଡିତମାନେ ଏଭଳି ଆଶଙ୍କା କଲେଣି । ଦେଶର ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କଂଗ୍ରେସ ଗଛ କାଟୁ ଥିବା ବେଳେ ଓଡ଼ିଶାରେ ବିଜେଡ଼ି ଏହି ଦାୟିତ୍ୱ ନେଇଛି ବୋଲି ପଣ୍ଡିତଙ୍କ ମତ । ଅପରପକ୍ଷରେ, ନିରଂଜନ ନିଜେ ବସି ଥିବା ଗଛର ଡ଼ାଳ ସବୁ କାଟି ଚାଲିଛନ୍ତି ବୋଲି ତାଙ୍କର ଦୀର୍ଘ ବର୍ଷର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ମନ୍ତ୍ରୀ ବଦ୍ରି ନରାୟଣ ପାତ୍ର ଦେଇଥିବା ମନ୍ତବ୍ୟ ବିବାଦର ସୂତ୍ରପାତ କରିଛି । ବର୍ଷେ ତଳେ ଯେଉଁମାନେ ନିରଂଜନଙ୍କ ବିନା ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ନାହିଁ ବୋଲି ନିଖିଳ ଭାରତ କଂଗ୍ରେସ କମିଟି ନିକଟରେ ଗୁହାରୀ କରି ନିରଂଜନଙ୍କୁ ପିସିସି ସଭାପତି ଆସନରେ ବସାଇ ଥିଲେ ସେମାନେ ଆଜି ତାଙ୍କ ପ୍ରତି ବିତସ୍ପୃହ ହୋଇ ଦଳ ଛାଡିବା ବଦ୍ରିଙ୍କ ଅଭିଯୋଗକୁ ସତ ସାବ୍ୟସ୍ତ କରୁଛି ।
ମନ୍ତ୍ରୀ ବଦ୍ରି ପାତ୍ରଙ୍କ ମତରେ, ନିରଂଜନ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ଥିଲେ । ଠିକ୍ ନିର୍ବାଚନ ସମୟରେ ତାଙ୍କୁ ଏହି ପଦବୀରୁ ଅବ୍ୟାହତି ଦେଇଥିଲା ଏଆଇସିସି । ତେଣୁ, ଏଆଇସିସି ପ୍ରତି ନିରଂଜନଙ୍କ ମନରେ କ୍ରୋଧ ରହିଛି । ଏବେ ସେ ପିସିସି ସଭାପତି ଭାବରେ ଦଳର ପକ୍ଷ ଛେଦନ କରି ଓଡ଼ିଶାରୁ କଂଗ୍ରେସକୁ ନିର୍ମର୍ୂଳ କରୁଛନ୍ତି । ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ଆମେ ଜାଣି ନାହୁଁ । ତେବେ, ଏହା ଯଦି ସତ୍ୟ ହୋଇଥାଏ, ତେବେ ସାଂଘାତିକ ବୋଲି ରାଜେନୈତିକ ମହଲରେ ଚର୍ଚ୍ଚା ହେଉଛି । ନିରଂଜନ ଗଣମାଧ୍ୟମରେ ବଦ୍ରିଙ୍କ ଅଭିଯୋଗକୁ ଖଣ୍ଡନ କରି ଏଭଳି ଶସ୍ତା ଅଭିଯୋଗର ଉତ୍ତର ଦେବାକୁ ସେ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ନିର୍ଦ୍ଦିଷ୍ଟ ଆଦର୍ଶରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ଗୋଟିଏ ଦଳରେ ଏକାଠି ହୋଇଥା’ନ୍ତି । ସେହି ଆଦର୍ଶରୁ ଯେଉଁମାନେ ଦୂରେଇ ଗଲେଣି ସେମାନେ ଦଳ ଛାଡିଲେ କ୍ଷତି କଣ (?) ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ତେବେ, ନିରଂଜନଙ୍କ ପ୍ରଶ୍ନ ବିରୋଧୀଙ୍କୁ ଅଧିକ ଆମୋଦିତ କରିଛି । କାରଣ, ଏବେ କଂଗ୍ରେସ ଛାଡି ବିଜେଡ଼ି ମୁହାଁ ହୋଇ ଥିବା ଦଳର ଦୁଇ ବିଧାୟକ ଅତୀତରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଂଜନଙ୍କୁ ସଭାପତି କରିବାରେ ସେମାନଙ୍କ ଭୂମିକା ଥିଲା ଗୁରୁତ୍ୱପୁର୍ଣ୍ଣ । ନିରଂଜନଙ୍କୁ ପିସିସି ସଭାପତି ଦାୟିତ୍ୱ ଦିଆ ନ ଗଲେ ଓଡ଼ିଶାର ସବୁ (୧୫) କଂଗ୍ରେସ ବିଧାୟକ ଏକାଠି ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଇ ଥିଲେ । ଏଆଇସିସି ଚାପରେ ପଡି ପିସିସି ସଭାପତି ବଦଳାଇ ଥିଲା । ଆଜି ସେହି ଅନୁଗତ ବିଧାୟକମାନେ କଂଗ୍ରସ ଛାଡି ଶାସକ ବିଜେଡ଼ି ଆଡକୁ ମୁହାଁଇବା ନିରଂଜନଙ୍କୁ ଅଡୁଆରେ ପକାଇଛି । ଏହା ବିଜେଡ଼ିର ‘ପୋଚିଂ’ ନା ଓଡ଼ିଶା କଂଂଗ୍ରେସର ‘ଆତ୍ମଘାତୀ’ ଅଭିଯାନ (!) ବୋଲି ପ୍ରଶ୍ନ ହେଉଛି ।
ଜାନୁୟାରୀ ୨୫ ତାରିଖ ଦିନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାକୁ ଥିବା ବେଳେ ଓଡ଼ିଶା କଂଗ୍ରେସରେ ଇସ୍ତଫାର ଖେଳ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ କଂଗ୍ରେସର ଛୋଟକାଟିଆ ନେତ ନୁହନ୍ତି, ଦଳର ରାଜ୍ୟ କାର୍ଯ୍ୟକରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇ ୨୪ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ବିଜେଡ଼ିରେ ଯୋଗ ଦେଉଥିବା ଘୋଷଣା କରିଛନ୍ତି । ସେହିଭଳି, କଂଗ୍ରେସ ବିଧାୟକ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କୁ ପ୍ରଶଂସା କରିଥିବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଦଳରୁ ନିଲମ୍ବନ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସିଂହ କହିଛନ୍ତି, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ଦଳ ବିରୋଧୀ କାର୍ଯ୍ୟ ନୁହେଁ । ସେ ବିଜେଡ଼ିକୁ ଯିବା ସଂପର୍କରେ କିଛି କହି ନାହାନ୍ତି । ଭବିଷ୍ୟତରେ କଣ ହେବ ସେ କହି ପାରିବେ ନାହିଁ । ଦଳରୁ ତାଙ୍କୁ ନିଲମ୍ବନ କରାଯାଇ ଥିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଲେ । ଆଉ ଜଣେ ବିଧାୟକ ବିବୃତି ଦେଇ ସେ ଦଳ ଛାଡୁ ନ ଥିବା ସଫେଇ ଦେଇଛନ୍ତି । ନବ ଦାସ ଓ ଯୋଗେଶଙ୍କ ପରେ ଆଉ କିଛି କଂଗ୍ରେସ ବିଧାୟକ ଶାସକ ଦଳର ସବୁଜ ସଂକେତ ଅପେକ୍ଷାରେ ଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି, ଦଳର କୁହାଳିଆ ନେତା ରାଜ୍ୟ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।
୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାର ୧୪୭ ବିଧାନସଭା ଆସନରୁ ଶାସକ ବିଜେଡ଼ି ୧୧୭ ଅକ୍ତିଆର କରିଥିଲା । କଂଗ୍ରେସ ଖାତାକୁ ଯାଇ ଥିଲା ୧୬ । ବିଜେପି ପାଇ ଥିଲା ୧୦ ଆସନ । କଂଗ୍ରେସ ହାତରେ ଥିବା ବିଜେପୁର ଆସନରେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ଘଟିବାରୁ ଉପନିର୍ବାଚନ ହେଲା । ସୁବଳଙ୍କ ବିଧବା ପତ୍ନୀ ରୀତା ସାହୁ ନିର୍ବାଚନ ଲଢିଲେ ବିଜେଡ଼ିରୁ । ସେ ବିଜୟୀ ହେବାରୁ ବିଧାନସଭାରେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ରହିଛି ୧୧୮ । କଂଗ୍ରେସ ୧୫କୁ ଖସି ଥିଲା । ଏବେ, ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ଇସ୍ତଫା ପରେ ତାହା ୧୩ରେ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ବେଳକୁ ଆଉ କେତେ ବିଧାୟକ କଂଗ୍ରେସ ଛାଡିବେ, ବିଧାନସଭାରେ ଦଳର ସ୍ଥିତି କଣ ହେବ (?), ତାହା ଆଉ ପ୍ରଶ୍ନବାଚୀ ନୁହଁ । ପ୍ରଶ୍ନ ହେଉଛି, ରାଜ୍ୟରେ ବିରୋଧୀ ଦଳରେ ଥାଇ ୨୦୧୭ ପଂଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଥିବା କଂଗ୍ରେସ ଆଉ ଉଧେଇ ପାରିବ ତ ? ନିରଂଜନ ପିସିସି ସଭାପତି ହେବା ପରେ ସଂଜିବନୀ ପାଇଥିବା କଂଗ୍ରେସ ଦଳ ରାଜ୍ୟରେ ବିଜେଡ଼ିର ବିକଳ୍ପ ନ ହେଲେ ବି ଦ୍ୱିତୀୟ ସ୍ଥାନକୁ ଫେରିବ ବୋଲି ରାଜ୍ୟର କଂଗ୍ରେସ କର୍ମୀମାନେ ଆଶା ରଖି ଥିଲେ । ବହୁ ପୁରୁଖା କଂଗ୍ରେସ ନେତା ଦଳ ଛାଡି ଶାସକ ବିଜେଡ଼ିକୁ ଯାଇଥିଲେ ସୁଦ୍ଧା ଗ୍ରାମାଂଚଳରେ ଦଳକୁ ପୁନଃଜୀବିତ କରିବା ଦିଗରେ କର୍ମୀମାନେ ଉତ୍ସାହର ସହ ଲାଗି ପଡି ଥିଲେ । ନିର୍ବାଚନରେ ଶକ୍ତି ପରୀକ୍ଷା ପାଇଁ ସେମାନେ ଅଂଟା ଭିଡୁ ଥିବା ବେଳେ ଦଳର କିଛି ତୁଙ୍ଗ ନେତା ଲାଙ୍ଗୁଡ ଜାକି ଶାସକ ଦଳ ଆଡକୁ ଧାଇଁବା କର୍ମୀମାନଙ୍କୁ ନିରୁତ୍ସାହିତ କରିଛି । ପିସିସି ସଭାପତି ନିରଂଜନ ବାବୁ ସେମାନଙ୍କୁ ଏକାଠି ରଖି ଦଳକୁ ନିର୍ବାଚନ ମୁହାଁ କରିବାରେ କେତେଦୂର ସଫଳ ହେବେ, ତାହା ୨୫ ତାରିଖ ରାହୁଲଙ୍କ ଗସ୍ତ ପରେ ହିଁ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS