ବିଜେପି ପାଇଁ ସଂଜୀବନୀ ହୋଇଛନ୍ତି ଶ୍ରୀକାନ୍ତ !
– ପ୍ରସାଦ ରାଓ –
ଭୁବନେଶ୍ୱର,୨୧ ଜାନୁୟାରୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହେବା ପରେ ରାଜ୍ୟ କଂଗ୍ରେସ ନେତୃତ୍ୱକୁ ବିଜେପିର ସମାଲୋଚନା ଏବଂ ଶ୍ରାକାନ୍ତଙ୍କୁ ସୁରକ୍ଷା ଦେବାର ପ୍ରୟାସ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଆଲୋଚନାର ଅବକାଶ ସୃଷ୍ଟି କରିଛି । ଶନିବାର ଅର୍ଥାତ ଜାନୁୟାରୀ ୧୯ ତାରିଖ ରାତିରେ ଚରମ ବିଶୃଙ୍ଖଳା ଅଭିଯୋଗରେ ଏଆଇସିସି ହାଇକମାଣ୍ଡ ଶ୍ରୀକାନ୍ତଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ରବିବାର ଶ୍ରୀକାନ୍ତ ଏଆଇସିସି ହାଇକମାଣ୍ଡଙ୍କୁ ସମାଲୋଚନା କରି ଓଡ଼ିଶାରେ ପଟ୍ଟନାୟକ ପରିବାରର ଶାସନ ଚାଲୁ ରହିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚାହୁଁ ଥିବାରୁ ଏହି ପରିବାର ପ୍ରତି ସମାଲୋଚନାକୁ ଚରମ ବିଶୃଙ୍ଖଳା କହି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସୋମବାର ବିଜେପି ରାଜ୍ୟ ଖାଖା ମଧ୍ୟ ସମାନ ଢଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛି । ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ, ପଟ୍ଟନାୟକ ପରିବାର ଏବେ ଉଭୟ ଶ୍ରୀକାନ୍ତ ଓ ବିଜେପିର ଟାର୍ଗେଟ୍ । ତେଣୁ, ବିଜେପି ଶ୍ରୀକାନ୍ତଙ୍କୁ ଢାଲ କରି ଆଗାମୀ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେଡ଼ିର ମୁକାବିଲା କରିବାକୁ ଯାଉଛି।
ଜେନା ରବିବାର ତାଙ୍କ ଭୁବନେଶ୍ୱର ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଥିଲେ ମଧ୍ୟ ନିଜର ରାଜନୈତିକ ଭବିଷ୍ୟତ ସଂପର୍କରେ କୌଣସି ସୂଚନା ଦେଇ ନ ଥିଲେ । କେବଳ ପଟ୍ଟନାୟକ ପରିବାରକୁ ସମାଲୋଚନାରେ ତାଙ୍କ ସାମ୍ବାଦିକ ସମ୍ମିଳନୀ ସୀମିତ ଥିଲା । ବିଜେଡ଼ି ବା ବିଜେପି ପାଇଁ ସେ ଗ୍ରହଣୀୟ ହେବା ସମ୍ଭାବନା ନ ଥିବାରୁ ଶ୍ରୀକାନ୍ତ ‘ଆମ ଆଦମୀ ପାର୍ଟି’କୁ ଯାଇ ପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରି ଥିଲା। କିନ୍ତୁ, ସୋମବାର ସକାଳେ ଏହି ଧାରଣା କିଛିି ମାତ୍ରାରେ ବଦଳି ଯାଇଛି । ବିଜେପି ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀକାନ୍ତଙ୍କ ସପକ୍ଷରେ ଯେଭଳି ଯୁକ୍ତି ବାଢିଲେ ଓ ଯେଭଳି ଭାଷାରେ ପଟ୍ଟନାୟକ ପରିବାରକୁ ସମାଲୋଚନା କଲେ ତାହା ଶ୍ରୀକାନ୍ତଙ୍କ ବହିଷ୍କାର ପରେ ବିଜେପି ସହ ଶ୍ରୀକାନ୍ତଙ୍କ ନୂଆ ଭାବପ୍ରୀତିର ଅଭାସ ଦେଉଛି । ବିଜେପି ବିଜେଡ଼ି ଓ କଂଗ୍ରେସକୁ ଗୋଟିଏ ଗୁଳିରେ ଶୀକାର କରିବା ପାଇଁ ଶ୍ରୀକାନ୍ତଙ୍କ ‘ଖଣି ମାଫିଆ’ ଥିଓରୀକୁ ହାୱା ଦେବାକୁ ଯାଉ ଥିବା ଏହି ସାମ୍ବାଦିକ ସମ୍ମିଳନୀ ସ୍ପଷ୍ଟ କରିଛି ।
ଶ୍ରୀକାନ୍ତଙ୍କ ‘ଖଣି ମାଫିଆ’ ଆକ୍ଷେପ ସିଧା ଟାର୍ଗେଟ୍ କରୁଛି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ସରକାର ଅମଳରେ ପଟ୍ଟନାୟକ ପରିବାର ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ । ଖଣି ଖାଦାନରୁ ଏହି ପରିବାର ହଜାର ହଜାର କୋଟି ଆୟ କରିଛନ୍ତି । ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ରୁ ଓଡ଼ିଶାରେ ବିଜେଡ଼ି କ୍ଷମତାରେ ଅଛି । ବିଜେଡ଼ି ଶାସନରେ ମଧ୍ୟ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରୀ ହୋଇଥିବା ପଦାକୁ ଆସିଛି । ଅନ୍ୟ ଖଣି ମାଫିଆଙ୍କ ସହ ପଟ୍ଟନାୟକ ପରିବାର ମଧ୍ୟ ସେଥିରୁ ବେଶ୍ ଉପକୃତ ହୋଇଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ମାମଲା ହେବା ପରେ ବେଆଇନ ଖଣି ଖନନ ପଦାରେ ପଡିଲା । କୋର୍ଟ ମାମଲାର ବିଚାର କରି ଖଣି ଚୋରଙ୍କ ଠାରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯେତିକି ପରିମାଣର ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ତାହା ଆଦାୟ କରା ନ ଯାଇ ରିଭ୍ୟୁ ପିଟିସନ ପଡିଲା । ସେଥିରେ ମଧ୍ୟ ଖଣି ମାଫିଆଙ୍କୁ ରିଲିଫ ନ ମିଳିବାରୁ ସରକାର ବିଭିନ୍ନ କାରଣ ଦର୍ଶାଇ ଜରିମାନା ପରିମାଣ ୧୭,୫୦୦ କୋଟି ଟଙ୍କାକୁ ଖସାାଇ ଦେଲେ । ତାହା ମଧ୍ୟ ଆଦାୟ ହୋଇପାରୁ ନାହିଁ । ଖଣି ମାଫିଆଙ୍କ ସହ ବିଜେଡ଼ିର ନିବିଡ ସଂପର୍କ ଥିବା ଯୋଗୁ ୧୯ ବର୍ଷ ହେଲା ରାଜ୍ୟରେ ଖଣି ଚୋରୀ ନିର୍ବିଘ୍ନରେ ଚାଲିଛି । ସରକାର ସବୁ ଜାଣି ଆଖି ବୁଜି ବସିଛନ୍ତି ।
ଏଭଳି ଅଭିଯୋଗ ଆଣି ଥିବା ଶ୍ରୀକାନ୍ତ ଜେନା ତାଙ୍କ ରାଜନୈତିକ ଜୀବନ କଂଗ୍ରେସ ବିରୋଧରେ ଆରମ୍ଭ କରିଥିଲେ । ଅଶି ଦଶକରେ ସେ ଜନତା ପାର୍ଟି ବିଧାୟକ ଭାବେ ସମୟରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୃଢ ବିରୋଧୀ ଥିଲେ । ନବେ ଦଶକରେ ସେ ବିରୋଧୀ ରାଜନୀତିରେ ଥାଇ ତାଙ୍କ ଗୁରୁ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ଲୋକସଭାକୁ ନିର୍ବାଚିତ ହୋଇ ଥିଲେ ମଧ୍ୟ ଠିକ୍ ସମୟରେ ଗୁରୁଙ୍କୁ କେନ୍ଦ୍ର ମନ୍ତ୍ରୀ ହେବାରୁ ବଂଚିତ କରି ନିଜେ କେନ୍ଦ୍ରରେ ମନ୍ତ୍ରୀ ହୋଇ ଥିଲେ । ଏହା ତାଙ୍କ ଖଳନାୟକ ଚରିତ୍ରକୁ ପଦାରେ ପକାଇ ଥିଲା । ୨୦୧୪ ସାଧାରଣ ନିର୍ବାଚନ ସମୟରେ ସେ କଂଗ୍ରେସରେ । ୟୁପିଏ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟରେ ପିସିସି ସଭାପତି ପରିବର୍ତର୍ନ ହେଲା । ପିସିସି ସଭାପତି ଥିବା ନିରଂଜନ ପଟ୍ଟନାୟକଙ୍କୁ ହଟାଇ ପୂର୍ବ ପିସିସି ସଭାପତି ଜୟଦେବ ଜେନାଙ୍କୁ ପୁନର୍ବାର ପିସିସି ସଭାପତି କରା ଗଲା । ଜୟଦେବଙ୍କ ନେତୃତ୍ୱରେ ରାଜ୍ୟରେ ୨୦୧୪ ନିର୍ବାଚନ ପାଇଁ କଂଗ୍ରେସ ଟିକଟ ବଂଟନ କରା ଗଲା ଏବଂ ନିର୍ବାଚନ ପରିଚାଳନା ଓ ପ୍ରଚାରର ମଙ୍ଗ ଧରିଲେ ଶ୍ରୀକାନ୍ତ । ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେଲା । ଦଳ ଆଜି ଯେଉଁ ଦୁର୍ବଳ ସ୍ଥିତିରେ ରହିଛି ସେଥିରେ ଶ୍ରୀକାନ୍ତଙ୍କ ଭୂମିକା ମଧ୍ୟ ରହିଛି । ପରେ, ପିସିସି ସଭାପତି ଭାବେ ଦାୟିତ୍ୱ ନେଇ ଥିବା ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ସକାଶେ ଯେଉଁ ଅଭିଯାନ ଚାଲିଲା ସେଥିରେ ନିରଂଜନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତେବେ, ଶ୍ରୀକାନ୍ତ ଭୂମିକା ମଧ୍ୟ କିଛି କମ୍ ନୁହେଁ । ଓଡିଶାର ୧୬ ଜଣ କଂଗ୍ରେସ ବିଧାୟକଙ୍କ ଚାପରେ ୨୦୧୭ ଏପ୍ରିଲରେ ନିରଂଜନ ପିସିସି ସଭାପତି ହେଲେ । ଏଆଇସିସି ଶ୍ରୀକାନ୍ତଙ୍କୁ ଦଳର ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ଥଇଥାନ କଲା । ତେବେ, ଶ୍ରୀକାନ୍ତ ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ହେଉ ହେଉ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଜରେ ସଂଖ୍ୟାଲଘୁ ଜାତି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବ ଦେଇ ଦଳରେ ପୁଣି ବିଭେଦର ମଂଜି ବୁଣିବାକୁ ଉଦ୍ୟମ କଲେ । ଦଳର ଅଧିକାଂଶ ନେତା ଏହାକୁ ବିରୋଧ କରିବାରୁ ତାଙ୍କୁ ଦଳରେ କୋଣଠେସା କରି ରଖା ଗଲା ।
ସେତିକି ନୁହେଁ, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଭାଇ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ନେଇ ଶ୍ରୀକାନ୍ତଙ୍କ ମନ୍ତବ୍ୟ କଂଗ୍ରେସ ଓ ବିଜେଡ଼ିରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସୌମ୍ୟ ତାଙ୍କ ଦ୍ୱାରା ଗଠିତ ‘ଆମ ଓଡ଼ିଶା ପାର୍ଟି’କୁ ଜଳାଂଜଳୀ ଦେଇ ବିଜେଡ଼ିରେ ଯୋଗ ଦେବା ସହ ରାଜ୍ୟସଭାକୁ ମନୋନୀତ ହେବା ଶ୍ରୀକାନ୍ତଙ୍କ ଗାତ୍ରଦାହର କାରଣ ହୋଇଛି । ସୌମ୍ୟ ରଂଜନଙ୍କୁ ବିଜେଡ଼ି ଦଳରେ ଗ୍ରହଣ କରି ତୁରନ୍ତ ରାଜ୍ୟସଭାକୁ ପଠାଇବା ଖଣି ମାଫିଆ ପରିବାରକୁ ପ୍ରୋତ୍ସାହିତ କରିଛି ବୋଲି ଶ୍ରୀକାନ୍ତ ଅଭିଯୋଗ କରୁଛନ୍ତି । ନିରଂଜନ ଏହାର ଉତ୍ତରରେ କହିଛନ୍ତି, ସୌମ୍ୟ ବିଜେଡ଼ିକୁ ଯିବା ସମୟରେ ସେ ପିସିସି ସଭାପତି ନ ଥିଲେ । କଂଗ୍ରେସ ଯଦି ଖଣି ଚୋରଙ୍କ ଦଳ ଶ୍ରୀକାନ୍ତ ଏହି ଦଳରେ କେମିତି ଏତେଦିନ ଥିଲେ ବୋଲି ନିଂଜନ ପାଲଟା ପ୍ରଶ୍ନ କରିଛନ୍ତି ।
ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ ୨୫ରେ ଓଡ଼ିଶା ଆସିବାକୁ ଥିବାରୁ ରାଜ୍ୟ ରାଜନୀତି ଅଧିକ ଜଟିଳ ହୋଇଛି । ଝାରସୁଗୁଡ଼ା ବିଧାୟକ ନବ ଦାଶ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ୨୪ ତାରିଖ ସେ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରୁଥିବା ବେଳେ ଏହି ସଭାରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ମଧ୍ୟ ବିଶୃଙ୍ଖଳ ଆଚରଣ ପାଇଁ କଂଗ୍ରେସରୁ ନିଲମ୍ବିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ରାତିରେ ଶ୍ରାକାନ୍ତଙ୍କ ସହ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କାର କରାଯାଇଛି । ନିରଂଜନଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ଛିଡି ଛିଡି ଯାଉଥିବା ଦେଖି ବିଜେପି ଖୁସି । କାରଣ, ୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟ କଂଗ୍ରେସ ତୀବ୍ର ଅନ୍ତର୍ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ଖରାପ ଫଳାଫଳ କରିଥିବା ବେଳେ ବିଜେପି ଏହି ଫାଇଦା ନେଇ ରାଜ୍ୟରେ ଶାସକ ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇ ଥିଲା । ବିଜେପିର କେନ୍ଦ୍ରୀୟ ନେତାମାନେ ଏଥିରେ ଉତ୍ସାହିତ ହୋଇ ୨୦୧୯ରେ ‘ଓଡ଼ିଶା ଦଖଲ’ର ସ୍ୱପ୍ନ ଦେଖୁଥିଲେ । ନିରଂଜନଙ୍କ ନେତୃତ୍ୱରେ ପୁନର୍ବାର କଂଗ୍ରେସରେ ଉତ୍ତରଣ ସେମାନଙ୍କୁ ଶଂକାରେ ପକାଇ ଥିଲା । ଏବେ ଶ୍ରୀକାନ୍ତଙ୍କ ଭଳି ବିଦ୍ରୋହୀମାନେ କଂଗ୍ରେସ ପ୍ରତି ବିପଦ ସୃଷ୍ଟି କରିଥିବା ଦେଖି ବିଜେପି ନେତାମାନେ ପୁଣି ଥରେ ନିଜକୁ ବିଜେଡ଼ିର ବିକଳ୍ପ ଭାବେ ଦେଖିଲେଣି । ଜାନୁୟାରୀ ୨୫ ତାରିଖ ରାହୁଲ ଓଡ଼ିଶା ଆସିଲେ ସେ ତାଙ୍କ (ରାହୁଲଙ୍କ) ସଂପର୍କରେ ଏକ ବଡ ରହସ୍ୟର ଉନ୍ମୋଚନ କରିବେ, ଯାହାକି ରାହୁଲଙ୍କୁ ଅଡୁଆରେ ପକାଇବ ବୋଲି ଶ୍ରୀକାନ୍ତ ଦେଇ ଥିବା ଚେତାବନୀ ବିଜେପି ପାଇଁ ସଂଜୀବନୀ ସଦୃଶ ହୋଇଛି । ଶ୍ରୀକାନ୍ତଙ୍କ ରାଜନୈତିକ ଚରିତ୍ର ସଂପର୍କରେ ପୂର୍ଣ୍ଣ ଅବଗତ ଏଥିରୁ ଫାଇଦା ନେବାକୁ ପ୍ରସ୍ତୁତି ଚଳାଇ ଥିବା ବିଜେପି ମୁଖପାତ୍ର ମହାନ୍ତିଙ୍କ ସୋମବାର ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହେଉଛି । ଶ୍ରୀକାନ୍ତ ରବିବାର ଦିନର ସାମ୍ବାଦିକ ସମ୍ମଳନୀରେ ନିଜେ ରାଜନୈତିକ ଭବିଷ୍ୟତର ଖୁଲାସା କରି ନାହାନ୍ତି ସତ, କିନ୍ତୁ ସେମାବାର ବିଜେପିର ସମ୍ବାଦିକ ସମ୍ମିଳନୀରୁ ଅନେକ କିଛି ସୂଚନା ମିଳୁଛି । କେବଳ ତାହା ଆନୁଷ୍ଠାନିକ ରୂପ କେବେ ନେଉଛି ଦେଖିବାକୁ ରାଜନୈତିକ ବିଶ୍ଲେଷକମାନେ ଆପେକ୍ଷା କରିଛନ୍ତ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS