ଓଡ଼ିଶାରେ ଭୋଟ ପ୍ରସ୍ତୁତି, ଚୂଡାନ୍ତ ଭୋଟର ତାଲିକାରେ ୪ ଲକ୍ଷ ୧୧ ହଜାର ନୂଆ ଭୋଟର
ଭୁବନେଶ୍ୱର, ୨୨ ଜାନୁୟାରୀ ( ମୋଅନୁଭବ.କମ୍): ୨୦୧୯ ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଛି, ଏହା ସ୍ପଷ୍ଟ ହେଲାଣି ନିର୍ବାଚନ କମିସନଙ୍କ ତତ୍ପରତାରୁ । ସେମାବାର ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସଂଶୋଧନ ପୂର୍ବରୁ ରାଜ୍ୟର ଭୋଟର ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଥିବା ବେଳେ ୨୦୧୯ ଚୂଡାନ୍ତ ଭୋଟର ତାଲିକାରେ ତାହା ୩ କୋଟି ୧୮ ଲକ୍ଷକୁ ବୃଦ୍ଧି ପାଇଛି । ପୂର୍ବ ତୁଳନାରେ ୫ ଲକ୍ଷ ୩୯ ହଜାର ୪୫୪ ଅଧିକ ଭୋଟର ଏଥର ଭୋଟ ଦେବେ । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛନ୍ତି ୪ ଲକ୍ଷ ୧୧ ହଜାର ନୂଆ ଭୋଟର । ୨୦୧୯ରେ ୩୭ ହଜାର ୬୦୬ ଭୋଟ କେନ୍ଦ୍ରରେ ମତଦାନ ହେବ । ଯେଉଁମାନେ ଭୋଟର ତାଲିକାରୁ ବାଦ ପଡିଛନ୍ତି ଅନ୍ ଲାଇନ୍ ରେ ଆବେଦନ କରି ପାରିବେ । ଅନ୍ ଲାଇନ୍ ରେ ଭୋଟର ତାଲିକା ସଂଶୋଧନ ମଧ୍ୟ ଚାଲୁ ରହିଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଓଡ଼ିଶାରେ ପୁରୁଷ ଓ ମହିଳା ଭୋଟରଙ୍କ ଅନୁପାତ ରହିଛି ପ୍ରତି ଏକ ହଜାର ପୁରୁଷ ଭୋଟରରେ ମହିଳା ଭୋଟର ୯୪୬ । ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇ ସାରି ଥିବାରୁ ମତଦାନ ସଂପର୍କିତ ଅନ୍ୟ ସମସ୍ତ ତାଲିମ କାର୍ଯ୍ୟ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ ବୋଲି ସିଇଓ ସୂଚନା ଦେଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁ ଥିବା ଦେଖି ଓଡ଼ିଶାରେ ରାଜନୀତି ମଧ୍ୟ ଚଳଚଂଚଳ ହେବାରେ ଲାଗିଛି । ଶାସକ ବିଜେଡ଼ି ‘ପିଠା’, ‘କାଳିଆ’, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଓ ଭତ୍ତା ବୃଦ୍ଧି, ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଭିନ୍ନ ରାଜ୍ୟକୁ ଦଳର ପ୍ରତିନିଧିମାନଙ୍କୁ ପଠାଇ ସେଠାକାର ସରକାରଙ୍କୁ ମନାଇବା, ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ଏବଂ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଓ ଆର୍ଥନୈତିକ ସ୍ୱାଧୀନତା ଦାବିକୁ ଅଧିକ ଜୋରଦାର କରିବା, ସହ ଦରଦାମର ଆକାଶ ଛୁଆଁ ବୃଦ୍ଧି ଭଳି ବହୁ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଓ ବିଜେପିକୁ ଘେରିବା କାର୍ଯ୍ୟ ତ୍ୱରାନ୍ୱିତ କରିଥିବା ବେଳେ ବିଜେପି ଓ କଂଗ୍ରେସ ଶାସକ ବିଜେଡ଼ିର ୧୯ ବର୍ଷର ଶାସନରେ ହୋଇଥିବା ଚିଟ୍ ଫଣ୍ଡ୍ ଦୁର୍ନୀତି, ସମବାୟ ଦୁର୍ନୀତି, ଚାରା ଘୋଟାଲା ଭଳି ବହୁ ଦୁର୍ନୀତି ଏବଂ ରାଜ୍ୟରେ ଚାଲି ଥିବା ପିସି ସଂସ୍କୃତି, ଚାଷୀଙ୍କ ପ୍ରତି ଅବହେଳା, ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରିବାରେ ସରକାରଙ୍କ ବିଫଳତା, ରାଜ୍ୟର ଦୁର୍ବଳ ସ୍ୱାସ୍ଥ୍ୟ ସେବା ପ୍ରଭୃତିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଥିବା ଲକ୍ଷ୍ୟ କରାଯାଉଛି । ଇତିମଧ୍ୟରେ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଭଳି ହିନ୍ଦିଭାଷୀ ଅଂଚଳରେ ହୋଇ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ କଂଗ୍ରେସକୁ ଉତ୍ସାହିତ କରିଛି । ତେବେ, ତିନି ରାଜ୍ୟରେ ଦୀର୍ଘ ବର୍ଷ ଧରି କ୍ଷମତା ଥିବା ବିଜେପି ସରକାରଙ୍କ ବିରୋଧରେ ଏହା ଜନାଦେଶ କହି ବିଜେପି ପରାଜୟକୁ ଟାଳୁ ଥିବା ବେଳେ ଓଡ଼ିଶାରେ ଶାସକ ବିଜେଡ଼ି ‘ଆଂଟି ଇନକଂବେନ୍ସି’ ଭୋଟ ହେବା ଆଶଙ୍କାରେ ଚିନ୍ତାରେ ପଡିଛି । ତିନି ବିଜେପି ଶାସିତ ରାଜ୍ୟରେ ବିଜେପିର ପରାଜୟର ଅନ୍ୟତମ କାରଣ ଚାଷ ଓ ଚାଷୀଙ୍କ ସମସ୍ୟା ବୋଲି ଚର୍ଚ୍ଚା ହେବାରୁ ଓଡ଼ିଶା ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ କୃଷି ଶ୍ରିମିକ ଉପକୃତ ହେବେ ବୋଲି ହେବେ ବୋଲି କୁହାଯାଉଛି ।
ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ସମସ୍ତ ଶକ୍ତି ଲଗାଇ ଥିଲେ ମଧ୍ୟ ବାହାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତର୍ୀ ଓ ବିଜେଡ଼ିକୁ ଟକ୍କର ଦେଲା ଭଳି ନେତା ଓ ସଂଗଠନ ବିଜେପିର ନାହିଁ । ଯିଏ ଯାହା କହୁନା କାହିଁକି ସ୍ୱୀକାର କରିବାକୁ ହେବ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ । ଗଂଜାମ ଜିଲ୍ଲା ଭଳି ରାଜ୍ୟର ବହୁ ଅଂଚଳ ଅଛି ଯେଉଁଠାରେ କି ତୃଣମୂଳସ୍ତରରେ ବିଜେପିର ଉପସ୍ଥିତି ନାହିଁ । ଗତ ପଂଚାୟତ ନିବର୍ନାଚନରେ କଂଗ୍ରେସର ଦୁର୍ବଳ ସ୍ଥିତିର ସୁଯୋଗ ନେଇ ବିଜେପି ରାଜ୍ୟର କିଛି ଅଂଚଳରେ ଭଳ ଫଳାଫଳ କରିଥିଲା । ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସର ପୁନଃ ଉତ୍ତରଣ ହେବା ସହ ଦଳ ତାହାର ଦ୍ୱିତୀୟ ସ୍ଥାନକୁ ଫେରିବା ଆଶା କର୍ମୀଙ୍କୁ ଉତ୍ସାହିତ କରିଛି । ଅପରପକ୍ଷରେ, କଂଗ୍ରେସ ଉତ୍ତରଣ ବିଜେପିର ‘ଓଡ଼ିଶା ଦଖଲ’ ସ୍ୱପ୍ନକୁ ଶଙ୍କା ମଧ୍ୟକୁ ଠେଲି ଦେଇଛି । ତେବେ, କଂଗ୍ରେସର ଉତ୍ତରଣରେ ଏବେ ଗ୍ରହଣ ହୋଇ ଲାଗିଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ବିଧାୟକ ନବ ଦାସ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡ଼ିକୁ ଯିବା ଘୋଷଣା କରିଥିବା ବେଳେ ବିଧାୟକ ଯୋଗେଶ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି କଂଗ୍ରେସରୁ ନିଲମ୍ବିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କୋରାପୁଟ ବିଧାୟକ ସଗରିଆ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ପୁଲିସ ତଦନ୍ତ ସନ୍ତୋଷଜନକ ନଥିବା ଦର୍ଶାଇ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇ ଥିଲେ । ଏବେ ଦଳ ବିରୋଧୀ ମନ୍ତବ୍ୟ ଦେବାରୁ ଶନିବାର ରାତିରେ ଶ୍ରୀକାନ୍ତଙ୍କ ସହ ତାଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳ ବିରୋଧୀ କାର୍ଯ୍ୟ ପାଇଁ ଶନିବାର ରାତିରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏଆଇସିସି ସଭାପତିଙ୍କ ମୁଖଶ ଖୋଇବାକୁ ଧକମ ଦେବା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ କିଭଳି ଶୋଚନୀୟ ସ୍ଥିତିରେ ରହିଛି, ତାହା ସ୍ପଷ୍ଟ କରିଛି । ‘ଖଣି ମାଫିଆ’ଙ୍କୁ ଉଭୟ କଂଗ୍ରେସ ଓ ବିଜେଡ଼ି ଘଂଟ ଘୋଡାଉଛନ୍ତି ବୋଲି ଶ୍ରୀକାନ୍ତଙ୍କ ଅଭିଯୋଗରୁ ବିଜେପି ଫଇଦା ନେବାକୁ ଉଦ୍ୟମ ଆରମ୍ଭ କରି ଥିବାରୁ ୨୦୧୯ ନିର୍ବାଚନରେ ଜନାଦେଶ କେଉଁ ଦିଗକୁ ଢଳିବ, ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଥିବା ଦେଖିବାକୁ ମିଳୁଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS