ମୁଖ୍ୟମନ୍ତ୍ରୀ ଖୁସି ତ ସମସ୍ତେ ଖୁସି !
– ପ୍ରସାଦ ରାଓ-
ଭୁବନେଶ୍ୱର,୦୬ ଫେବୃୟାରୀ: ମୁଖ୍ୟମନ୍ତ୍ରୀ ଖୁସି ତ ସମସ୍ତେ ଖୁସି । ନିର୍ବାଚନ ପୂର୍ବରୁ ଏଭଳି ଏକ ବାତାବରଣ ସୃଷ୍ଟି ହୋଇଛି ଓଡ଼ିଶାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଛନ୍ତି କିମ୍ବା ଶୁଭାରମ୍ଭ କରୁଛନ୍ତି । ସରକାରୀ କଳ ପୂର୍ଣ୍ଣପ୍ରାଣ ଦେଇ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଫଳ କରିବାରେ । ଦଳର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଖୁସିର ବାର୍ତା ଛାଇ କରୁଛନ୍ତି ସାମାଜିକ ଗଣମାଧ୍ୟମରେ । ପ୍ରତଟି ସଭାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଘୋଷଣା କଲା ବେଳେ ଗୋଟିଏ ପ୍ରଶ୍ନ କରୁଛନ୍ତି -‘ଆପଣମାନେ ଖୁସି ତ ?’… ‘ମୁଁ ବି ଖୁସି’ ।
ମୁଖ୍ୟମନ୍ତ୍ରୀଙ୍କ ଏଇ ପଦେ, ଦୁଇ ପଦ ଘୋଷା କଥା ଭୋଟରଙ୍କୁ ଆକର୍ଷିତ କରୁଛି । ସର୍ବଦା ‘ସିରିୟସ୍ ମୁଡ୍’ରେ ରହୁ ଥିବା ମୁଖ୍ୟମନ୍ତ୍ରୀ ଯେତେବେଳେ ‘ଖୁସି’ହେବାର ଅଭିନୟ କରି ଫଟୋ ପୋଜ୍ ଦେଉଛନ୍ତି ଏବଂ ତାହା ବିଭିନ୍ନ ସଭା ସମିତି, ଗଣମାଧ୍ୟମ ବିଜ୍ଞାପନ ଓ ରାସ୍ତା କଡରେ ଲାଗ ଥିବା ହୋଡିଂରେ ଦେଖିବାକୁ ମିଳୁଛି ତାଙ୍କ ସମର୍ଥକଙ୍କ ଖୁସିର ସୀମା ରହୁ ନାହିଁ । ‘ଏମିତି ସବୁ ଦିନେ ଭୋଟ ଚାଲୁ ଥା’ନ୍ତା କି, ମୁଖ୍ୟମନ୍ତ୍ରୀଙ୍କ ହାତଛନ୍ଦା ହସିଲା ମୁହଁ ଟିକିଏ ଦେଖିବାକୁ ମିଳୁ ଥାଆନ୍ତା’ – ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ମହଲର ମନର କଥା । ରାଜ୍ୟର ସବୁ ବର୍ଗର ଭୋଟର ଖୁସି ତ ସେ ବି ଖୁସି – ଏଭଳି ବାର୍ତର୍ା ବାଂଟୁ ଥିବା ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନକୁ ନେଇ କେତେଦୂର ନିଶ୍ଚିନ୍ତ ତାହା ଠିକ୍ ଭାବେ କେହି ଆକଳନ କରି ପାରୁ ନାହାନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଖୁସି’କୁ ନେଇ ଯେଉଁ ନୂତନ ପରୀକ୍ଷା ନରୀକ୍ଷା ଚଳାଇଛନ୍ତି ତାହା ସଭା ସମିତିରେ ଉପସ୍ଥିତ ନରନାରୀଙ୍କୁ ବେଶ୍ ଉଲ୍ଲିସିତ କରୁଛି । ଏହା ଦେଖି ଶାସକ ବିଜେଡ଼ି ତାହାକୁ ଏକ ବଡ଼ ‘ବ୍ରାଣ୍ଡ୍’ର ରୂପ ଦେଲାଣି । ‘ଖୁସି’କୁ ନେଇ ପ୍ରସ୍ତୁତ କରାଯାଇଥିବା ଅଡ଼ିଓ ଓ ଭିଡ଼ିଓ କ୍ୟାସେଟ୍ ସହରାଂଚଳ ଓ ଗ୍ରାମାଂଚଳରେ ଏକ ଫିଲ୍ ଗୁଡ୍’ର ବାତାରଣ ସୃଷ୍ଟି କରି ପାରି ଥିବା ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ରୂପ ଓ ନୂତନ ବାର୍ତର୍ା ‘କାଳିଆ’ ଯୋଜନାରେ ଅନ୍ତର୍ଭୁକ୍ତ ଚାଷି, କୃଷି ଶ୍ରମିକଙ୍କଠାରୁ ଆରମ୍ଭ କରି ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କରୁଥିବା ବେଳେ ଗଣମାଧ୍ୟମ ପ୍ରଚାର ମଧ୍ୟ ସେହି ଧାରାରେ ହେଉଛି । ରାଜ୍ୟର ବିଭିନ୍ନ ଅଂଚଳ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସଭା ସମିତିରେ ଯେଭଳି ଜନସମାଗମ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା କିଭଳି ସେମାନଙ୍କ ଦୈନନ୍ଦିନ ଜୀବନରେ ଖୁସିର ଲହରି ଆଣିଛି ତାହା ଉପରେ ଉପସ୍ଥିତ ନରନାରୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି ( ବିଶେଷକରି ସରକାରୀ ବିଜ୍ଞାପନରେ) ତାହା ବିଜେଡ଼ି ସପକ୍ଷରେ ଖୁସିର ମାହୋଲ୍ ସୃଷ୍ଟି କରୁଥିବା ବେଳେ ବିରୋଧୀ ଇର୍ଶାରେ ଜଳୁଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ସବୁ ଘୋଷଣା କରୁଛନ୍ତି ସେସବୁ କାର୍ଯ୍ୟକାରୀ କରିବା ପାଇଁ ସରକାର ବଜେଟରେ ଆବଶ୍ୟକ ବ୍ୟବସ୍ଥା କରି ନାହାନ୍ତି, କେବେଳ ସାମୟିକ ଭାବେ ଭୋଟରଙ୍କୁ ଖୁସି କରି ଭୋଟ ହାତେଇବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପି ନେତାଏ କହୁଛନ୍ତି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି କୌଣସି ବର୍ଗକୁ ହତାଦର ନ କରି ଶାସକ ବଳର ନିର୍ବାଚନ ପେଡି ଖୋଲିଛନ୍ତି । ଚାଷି, କୃଷି ଶ୍ରମିକ, ମହିଳା, ସରକାରୀ କର୍ମଚାରୀ, ବୃଦ୍ଧ ବୃଦ୍ଧା – ସମସ୍ତଙ୍କୁ ଖୁସି କରିବାର ଉଦ୍ୟମ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ଘୋଷଣା ଏବଂ କୋଟି କୋଟି ଟଙ୍କାର ଅର୍ଥବରାଦ ରାଜ୍ୟରେ ଭୋଟ ବାତାବରଣ ସୃଷ୍ଟି କରିଛି । ତେବେ, ସରକାର ରାଜ୍ୟରେ ଲଗାତର ୧୯ ବର୍ଷ କ୍ଷମତାରେ ଯାହା କରି ପାରି ନାହାନ୍ତି ପଂଚମ ଥର କ୍ଷମତାକୁ ଆସିଲେ ସେ ସବୁ କରି ଦେବେ ବୋଲି ଘୋଷଣା ବିଶ୍ୱାସଯୋଗ୍ୟ ହେଉ ନାହିଁ । ଘୋଷଣା ହେଉଥିବା ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ଦେବା ପାଇଁ ସରକାର କେଉଁଠୁ ଏତେ ଅର୍ଥ ଆଣିବେ (?) ବୋଲି ବିରୋଧୀ ପ୍ରଶ୍ନ କରିବା ସ୍ୱାଭାବିକ । ସରକାରଙ୍କ ପକ୍ଷରୁ ଘୋଷଣା ହେଉଥିବା ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେବାକୁ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ କ୍ଷମତାକୁ ଆସିବା ଜରୁରୀ । ଭୋଟରଙ୍କ ମନରେ ଏହି ଧାରଣା ବସା ବାନ୍ଧିବାରେ ସରକାରୀ ପ୍ରଚାର ବେଶ୍ ସହାୟକ ହେବ ବୋଲି ବିଜେଡ଼ି ଆଶା କରୁଛି । ୧୯ ବର୍ଷ ହେଲେ ନିଜର ଗମ୍ଭୀର ସ୍ୱାଭାବ ପାଇଁ ଅଧସ୍ତନଙ୍କ ମନରେ ଭୟ ସଂଚାର କରି ଆସି ଥିବା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏବେ ପଇଁତରା ବଦଳାଇ ‘ଖୁସି’ ବାଂଟିବା ଏବଂ କୋଟି କୋଟି ଟଙ୍କାର ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କ ମନ ଜିଣିବାକୁ ଚେଷ୍ଟା କରିବା ଏକ ‘ରାଜନୈତିକ କୌଶଳ’ ଛଡା ଅନ୍ୟ କିଛି ନୁହେଁ, ଏହା ସମସ୍ତେ ଜାଣନ୍ତି । କିନ୍ତୁ, ରାଜ୍ୟରେ ଫଳପ୍ରଦ ବିକଳ୍ପର ଅଭାବରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି ।
ରାଜନୈତିକ ବିଶ୍ଲେଷକଙ୍କ ମତରେ, ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାରେ କ୍ଷମତାସୀନ ରହିବା ପଛରେ ତାଙ୍କ ଗମ୍ଭୀର ସ୍ୱାଭାବ ମୂଳପୁଂଜି ଥିଲା । ୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁ ବିଜେପିର ଅଭ୍ୟୁଦୟ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଂଚଳରେ ତାହାର ସଫଳତା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସ୍ୱଭାବ ବଦଳାଇବାକୁ ବାଧ୍ୟ କରିଛି । ରାସ୍ତା କଡ ଗୁପଚୁପ୍ ଦୋକାନରୁ ମୁଖ୍ୟମନ୍ତ୍ରୀ ଗୁପଚୁପ୍ ଖାଇବା, ବହି ଦୋକାନରେ ପଶି ବହି ଦେଖିବା ଓ କିଣିବା ବାହାନାରେ ଉପସ୍ଥିତ ତରୁଣ, ତରୁଣୀଙ୍କ ସହ ‘ସେଲ୍ଫି’ ନେବା, ପଇଡ଼ ବିକାଳି ନିକଟରେ ଗାଡି ଅଟକାଇ ପଇଡ଼ ପିଇବା ସହ ସେଥି ପାଇଁ ୫୦୦ ଟଙ୍କା ଦେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚରିତ୍ରର ଏକ ଉଦାର ଦିଗ କୁହାଯିବ ନା ରାଜନୈତିକ ବାଧ୍ୟବଧକତା କୁହାଯିବ, ତାହା ପ୍ରଶ୍ନବାଚୀ ହୋଇଛି । ଆଜିର ଦିନରେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣଙ୍କ ସହ ‘ସେଲ୍ଫି’ ନେବା ପାଇଁ ସବୁ ଦୁଆର ମେଲାଇ ଦେବା ୨୦୧୯ର ସବୁଠାରୁ ବହ ବିସ୍ମୟ । ଯୁବ ଭୋଟରଙ୍କୁ ବିଜେଡ଼ି ପ୍ରତି ଆକୃଷ୍ଟି କରିବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ସାଧାରଣରେ ଆଲୋଚନା ହେଉଛି ।
ବିଜେଡ଼ି ମୁଖ୍ୟ ଏହି ସବୁ କୌଶଳ ଆପଣାଇବାର ପ୍ରମୁଖ କାରଣ ହେଉଛି – ‘ଆଂଟି ଇନକମ୍ବେନ୍ସି’ ଭୋଟ ଆଶଙ୍କା । ଗଲା ନଭେମ୍ବର/ଡ଼ିସେମ୍ବରରେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ହୋଇଥିବା ବିଧାନସଭା ନିର୍ବାଚନରେ ତାହା କାମ କରି ଥିଲା । ନବୀନ ବାବୁଙ୍କ ଭଳି ଲଗାତର ଦୀର୍ଘ ବର୍ଷ କ୍ଷମତାରେ ଥିବା ଏବଂ ନିଜ ନିଜ ରାଜ୍ୟରେ ବହୁ ଉନ୍ନୟନ କାର୍ଯ୍ୟ କରି ଥିବା ଶିବରାଜ ସିଂହ ଚୌହାନ (ମଧ୍ୟ ପ୍ରଦେଶ) ଓ ରମଣ ସିଂହ (ଛତିଶଗଡ଼)ଙ୍କ ଭଳି ନେତା ‘ଆଂଟି ଇନ୍କମ୍ବେନ୍ସ’ ବା ସରକାର ବିରୋଧୀ ଜନମତର ଶିକାର ହୋଇ କ୍ଷମତାଚ୍ୟୁତ ହୋଇଛନ୍ତି । ଚାଷୀଙ୍କ ଆକ୍ରୋଶ ଏହି ଦୁଇ ସରକାରର ପତନର କାରଣ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇ ଥିବା ବେଳେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ତାହାକୁ ‘ସରକାର ବିରୋଧୀ ଜନମତ’ ବୋଲି କହୁଛି । ଓଡ଼ିଶାରେ ମଧ୍ୟ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଚାଷୀ ଅଶାନ୍ତି ଲାଗି ରହିଛି । ‘ଆଂଟି ଇନକଂବେନ୍ସି’ ମଧ୍ୟ କାମ କରୁଛି । ବିରୋଧୀ ସେଥିରୁ ଫାଇଦା ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ୨୦୧୯ ନିର୍ବାଚନକୁ ନେଇ ରାଜ୍ୟ ସରକାର ଯେଭଳି ବିରୋଧୀଙ୍କ ଆକ୍ରମଣ ସମ୍ମୁଖୀନ ହେଉଛନ୍ତି ସେଭଳି ଆକ୍ରମଣ ପୂର୍ବ ସାଧାରଣ ନିର୍ବାଚନଗୁଡିକରେ ଦେଖିବାକୁ ମିଳି ନ ଥିଲା । ୨୦୧୪ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ‘ମୋଦୀ ହାୱା’ କାମ କରୁଥିବା ବେଳେ ଓଡ଼ିଶାରେ ବିଜେଡ଼ି ସରକାରଙ୍କୁ ତାହା ପ୍ରଭାବିତ କରିପାରି ନ ଥିଲା । ୨୦୧୯ରେ କିନ୍ତୁ ବିଜେପିର ଚାପ ବଢିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅସୁରକ୍ଷିତ ନ ହେଲେ ବି କିଛି ଆସନ ହରାଇବା ଆଶଙ୍କାରେ ଅଛନ୍ତି । ତେଣୁ, ତାହାର ମୁକାବିଳା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଛବିରେ ‘ଖୁସି’କୁ ଯୋଡି ଦିଆଯାଇ ସମସ୍ତଙ୍କୁ ଖୁସି କରିବାର ଉଦ୍ୟମ ଚାଲିଛି ।
ରାଜ୍ୟରେ ଚାଷି, ମହିଳା ଓ ଖୁସି – ବିଜେଡ଼ି ପ୍ରଚାରର ମୁଖ୍ୟ ଅସ୍ତ୍ର ହୋଇଛି । ରାଜଧାନୀ ସମେତ ରାଜ୍ୟବ୍ୟାପୀ ଲାଗି ଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ କଟ୍ ଆଉଟ୍ ସହ ହୋଡିଂଗୁଡିକରେ ସେହି ଏକାବାର୍ତାର ପ୍ରଚାର ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ରୂପ ଦେଖି ବିରୋଧୀ କଂଗ୍ରେସ ଓ ବିଜେପି ଛାନିଆ । ସରକାରଙ୍କ ଦାବିକୁ କାଉଂଟର କଲା ଭଳି ଏହି ଦୁଇ ଦଳର ହୋଡିଂ ପାଖାପାଖି ଲାଗି ଥିବା ରୋଚକ ପରିସ୍ଥିତି ସୃଷ୍ଟି କରିଛି । ସର୍ବସାଧାରଣଙ୍କୁ ଏସବୁ ହୋଡିଂ କେତେଦୂର ଆକର୍ଷିତ କରୁଛି ଭିନ୍ନ କଥା, କିନ୍ତୁ ଏବେ ପ୍ରସଙ୍ଗ ହୋଇଛି ଯୁବ ସମାଜ ପାଇଁ ସରକାର ବା ବିରୋଧୀଙ୍କ ଆଭିମୁଖ୍ୟ କଣ ? ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୪ ଲକ୍ଷ ୧୧ ହଜାର ନୂଆ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛନ୍ତି । ରାଜ୍ୟରେ କର୍ମନିଯୁକ୍ତିର ଅଭାବ ମୁଖ୍ୟ ସମସ୍ୟା ହୋଇ ରହିଛି । କେନ୍ଦ୍ର ଭଳି ରାଜ୍ୟ ସରକାର ଯୁବକ, ଯୁବତୀଙ୍କ ପାଇଁ ବୈଷୟିକ ତାଲିମ ବ୍ୟବସ୍ଥା କରିଥିବା କହି ଏହି ପ୍ରସଙ୍ଗକୁ ଟାଳି ଚାଲିଛନ୍ତି । ବାସ୍ତବରେ କେତେ ସଂଖ୍ୟାରେ ଯୁବକ, ଯୁବତୀ କର୍ମନିଯୁକ୍ତି ପାଇ ନିଜର ପରିବାର ପ୍ରତିପୋଷଣ କରିବାକୁ ସକ୍ଷମ ହୋଇଛନ୍ତି ସେହି ତଥ୍ୟ କାହାରି ପାଖରେ ନାହିଁ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ବେକାର ସମସ୍ୟାର ସମାଧାନ ଯୁବ ଓ ନୂତନ ଭୋଟରଙ୍କ ପ୍ରମୁଖ ଦାବି ଥିବା ବେଳେ ସରକାର ‘ନବୀନଙ୍କ ସହ ସେଲ୍ଫି’ ମାଧ୍ୟମରେ ସେମାନଙ୍କୁ କେତେଦୂର ସନ୍ତୁଷ୍ଟ କରିପାରିବେ, ତାହା ପ୍ରଶ୍ନବାଚୀ ହୋଇଛି । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ରାଜନୈତିକ ମୁଖ୍ୟମାନେ ସଭା ସମିତିରେ ଚାଷୀ, ମହିଳା ଓ ଅନ୍ୟାନ୍ୟ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଭଳି ପ୍ରତିଶ୍ରୁତିର ବନ୍ଧ ବାନ୍ଧୁଛନ୍ତି ସେଭଳି ଯୁବ ଭୋଟରଙ୍କ ପାଇଁ ମଧ୍ୟ କିଛି ଘୋଷଣା କରିବା ଉଚିତ । ତାହା ନ କରି ବିଜୁ ଯୁବ ବାହିନୀ, ଯୁବ ମୋର୍ଚ୍ଚା ଓ ସ୍କିଲ୍ ଡ଼େଭଲପମେଂଟ୍ ନାମରେ ନୂଆ ଭୋଟରଙ୍କୁ ଭଣ୍ଡାଇବା ସରକାରଙ୍କ ପାଇଁ ବୁମେରାଂଗ୍ ହେବ, ଏଥିରେ ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS