ଆମେ କାହା ପିଠି ଥାପୁଡାଇବା, କାହାକୁ ଦୋଷ ଦେବା !
– ପ୍ରସାଦ ରାଓ –
ଭୁବନେଶ୍ୱର : ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଆବଶ୍ୟକତାରୁ ଅଧିକ ଜନମତ ପାଇ କ୍ଷମତାକୁ ଆସିବା ଦେଖି ଯେଉଁମାନେ ଖୁସି ହୋଇ ଥିଲେ ଚାରି ବର୍ଷ ପରେ ସେମାନଙ୍କ ମୋହଭଙ୍ଗ ଘଟିଛି । ଦୁର୍ନୀତିରେ ବୁଡ଼ି ରହି ଥିବା କଂଗ୍ରେସ ସରକାରଙ୍କ ଠାରୁ ମୁକ୍ତି ମିଳିଲା ବୋଲି ଚାରି ବର୍ଷ ତଳେ ଦେଶବାସୀଙ୍କ ପ୍ରତିକ୍ରିୟା ଥିଲା । ଏଭଳି ଧାରଣା ସୃଷ୍ଟି ହେବାର କାରଣ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତିର ସୁନ୍ଦର ଝୁଡ଼ି । ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ହେବ, ପ୍ରତି ବର୍ଷ ଦୁଇ କୋଟି ବେକାର ଯୁବକ, ଯୁବତୀଙ୍କୁ ପାଇଁ କର୍ମ ନିଯୁକ୍ତି ମିଳିବ, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବ, ବିଦେଶରେ ଗଚ୍ଛିତ ଥିବା କଳାଧନ ଦେଶକୁ ଫେରି ଅସିଲେ ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ୍ ଖାତାକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆସି ଯିବ – ଏଭଳି ଏକ ଲୋଭନୀୟ ପ୍ରତିଶ୍ରୁତିର ବଟୁଆ ଭାରତୀୟ ଭୋଟରଙ୍କୁ ଅନ୍ଧ ଭାବେ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରି ଥିଲା । ଆଜିର ଦିନରେ ସେସବୁ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ବିଜେପି ସରକାର ବିଫଳ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ବିଜେପି ସରକାରର ଭାବମୂର୍ତର୍ୀ ନିମ୍ନମୁଖୀ ଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି । ଏହି ଚାରି ବର୍ଷ ମଧ୍ୟରେ ଦେଶରେ କେବଳ ଜାତି, ଧର୍ମ, ଭାଷା, ସଂପ୍ରଦାୟକୁ ନେଇ ରାଜନୀତି ଉଗ୍ର ରୂପ ନେଇ ନାହିଁ, ବିଭିନ୍ନ ସାମ୍ବିଧାନିକ ସଂସ୍ଥାରେ ସଂକଟ ସୃଷ୍ଟି ହୋଇ ‘ଭବିଷ୍ୟତ ଭାରତ’କୁ ନେଇ ଦେଶବାସୀଙ୍କୁ ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ଆଜିର ଦିନରେ ଦେଶର ସାମ୍ବିଧାନିକ ସଂସ୍ଥାଗୁଡିକ କିଭଳି ନିଜର ସ୍ୱୟଂକ୍ରିୟତା ହରାଇଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି କିଛି ମାସ ହେଲା ସିବିଆଇରେ ଲାଗି ରହିଥିବା ସଂକଟ ଓ ରବିବାର ଦିନ ପଶ୍ଚିମ ବଂଗରେ ଘଟି ଥିବା ଘଟଣାବଳୀ ।
ସିବିଆଇକୁ ନେଇ ରାଜନୈତିକ ବିବାଦ କିଛି ନୂଆ କଥା ନୁହେଁ । ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ସିବିଆଇ ବିବାଦ ପାଇଁ ଚର୍ଚ୍ଚାରେ ରହିଛି । ଦେଶର ଏହି ପ୍ରମୁଖ ଅପରାଧ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ଆଲୋକ ବର୍ମାଙ୍କୁ ଦୁର୍ନୀତି ଅଭିଯୋଗରେ ଅପମାନଜନକ ସ୍ଥିତିରେ କ୍ଷମତାରୁ ହଟାଇ ଦେଲେ କେନ୍ଦ୍ର ସରକାର । ସିବିଆଇ ମୁଖ୍ୟରୁ ହୋମଗାର୍ଡ ମହାନିର୍ଦେଶକ! ସରକାରଙ୍କ ଏହି ଆକ୍ରୋଶମୂଳକ ନିଷ୍ପତ୍ତିର ପ୍ରତିବାଦରେ ବର୍ମା ଚାକିରୀରୁ ଇସ୍ତଫା ଦେଇ କେନ୍ଦ୍ର ସରକାର ଓ କେନ୍ଦ୍ର ଭିଜିଲାନ୍ସ କମିସନ (ସିଭିସି)ଙ୍କ ମୁଖା ଖୋଲି ଦେଲେ । କେନ୍ଦ୍ର ସରକାରଙ୍କ ଭିତିରି ସମର୍ଥନରେ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇ ଥିବା ରାକେଶ ଆସ୍ଥାନା ମଧ୍ୟ ଦୁର୍ନୀତି ଅଭିଯୋଗରୁ ମୁକୁଳି ପାରି ନାହାନ୍ତି । କେନ୍ଦ୍ର ସରକାର ବାଧ୍ୟ ହୋଇ ତାଭ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ପଦରୁ କେବଳ ନୁହେଁ, ସିବିଆଇରୁ ମଧ୍ୟ ହଟାଇଛନ୍ତି । ଆସ୍ଥାନାଙ୍କ ପରେ ସିବିଆଇର ଅନ୍ତରୀଣ ନିର୍ଦେଶକ ଥିବା ଏମ.ନାଗେଶ୍ୱର ରାଓ ଏବେ ଦୁର୍ନୀତି ଅଭିଯୋଗରେ ବିଚାରର ସମ୍ମୁଖୀନ । ସୁପ୍ରିମ କୋର୍ଟରେ ତାଙ୍କ ନିଯୁକ୍ତି ବିରୋଧରେ ଜନସ୍ୱାର୍ଥ ମାମଲା ଚାଲିଛି । ଏଭଳି ସମୟରେ କେନ୍ଦ୍ର ସରକାର ସିବିଆଇ ନିର୍ଦେଶକ ଭାବେ ଯାହାକୁ ନିଯୁକ୍ତି ଦେଇଛନ୍ତି ସେ ମଧ୍ୟ ସର୍ବସମ୍ମତ ନୁହନ୍ତି । ସିବିଆଇ ନିର୍ଦେଶକ ଚୟନ ଓ ନିଯୁକ୍ତି ପାଇଁ ଥିବା ତିନି ଜଣିଆ ଉଚ୍ଚ କ୍ଷମତା ସଂପନ୍ନ କମିଟିର ଦୁଇ ଜଣ ସଦସ୍ୟ (ପ୍ରଧାନମନ୍ତ୍ରୀ ଓ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି) ଏହି ନିଯୁକ୍ତିକୁ ମଂଜୁରୀ ଦେଇ ଥିବା ବେଳେ ତୃତୀୟ ସଦସ୍ୟ (ଲୋକସଭାର ବିରୋଧୀ ଦଳ ନେତା) ଏହି ନିଯୁକ୍ତିକୁ ବିରୋଧ କରିଛନ୍ତି । ତଥାପି, ବହୁମତ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦିତ ପ୍ରାର୍ଥୀ ସିିବିଆଇ ମୁଖ୍ୟ ହୋଇଛନ୍ତି ।
ଏସବୁ ହେଲା ହାଇ-ପ୍ରୋଫାଇଲ୍ ବିବାଦ । ଗତ ରବିବାର ଦିନ ପଶ୍ଚିମ ବଂଗରେ ସିବିଆଇକୁ ନେଇ ଯେଉଁ ନାଟକୀୟ ପରିସ୍ଥିତି ସୃଷ୍ଟି ହେଲା ତାହା ଅତ୍ୟନ୍ତ ନିମ୍ନରୂଚୀର । ଦୁଇଟି ଚିଟ୍ ଫଣ୍ଡ୍ ସଂସ୍ଥାର ମହାଠକେଇ ସଂପର୍କରେ ତଦନ୍ତ କରିଥିବା ତକ୍ରାଳୀନ ଏସଆଇଟି ମୁଖ୍ୟ ଓ ବର୍ତର୍ମାନର କଲିକତା ପୁଲିସ କମିସନ ରାଜୀବ କୁମାରଙ୍କୁ ଜେରା କରିବାକୁ କଲିକତା ଯାଇ ଥିବା ସିବିଆଇ ଟିମ୍ କୁ କଲାକତା ପୁଲିସ ଦୁର୍ବ୍ୟବହାର କରିବା ସହ କିଛି ଘଂଟା ଅଟକ ରଖିଲେ । କୁମାରଙ୍କ ବିରୋଧରେ ସିବଆଇର ଅଭିଯୋଗ ହେଉଛି, ସେ ଏହି ମାମଲାର ତଦନ୍ତରେ ଘୋଟାଲା କରିଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ପ୍ରମାଣ ନଷ୍ଟ କରି ଦେଇଛନ୍ତି । ପୁଲିସ କମିସନରଙ୍କୁ ଜେରା କରିବାକୁ ଯାଇଥିବା ସିବିଆଇ ଟିମ୍ କୁ କଲିକତା ପୁଲିସ କେବଳ ଅଟକ ରଖି ଦୁର୍ବ୍ୟବହାର କରିନାହିଁ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କୁମାରଙ୍କ ସମର୍ଥନରେ ବୁଧବାର ଯାଏଁ ଧାରଣାରେ ବସିଲେ । ଜଣେ ମୁଖ୍ୟମନ୍ତ୍ରୀ ଜାଲିଆତି ଅଭିଯୋଗର ସମ୍ମୁଖୀନ ଜଣେ ପୁଲିସ କମିସନରଙ୍କ ବାସଭବନକୁ ଯାଇ ସିବିଆଇ ତଦନ୍ତ ବିରୋଧରେ ଧାରଣା ଦେବା ବୋଧହୁଏ ଭାରତୀୟ ଇତିହାସରେ ଏକ ବିରଳ ଘଟଣା ।
ପଶ୍ଚିମ ବଂଗ ପୁଲିସ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ଆଚରଣ ବିରୋଧରେ ସିବିଆଇ ସୋମବାର ଦିନ ସୁପ୍ରିମ କୋର୍ଟକୁ ଯିବାରୁ ମଙ୍ଗଳବାର ଦିନ କୋର୍ଟ ଏହାର ବିଚାର କରି ପଶ୍ଚିମ ବଂଗ ପୁଲିସର ଡ଼ିଜି ଓ କଲିକତା ପୁଲିସ କମିସନରଙ୍କୁ ୨୦ ତାରିଖରେ ଅଦାଲତରେ ହାଜିର ହେବାକୁ ନିର୍ଦେଶ ଦେଇଛନ୍ତି । ଏହାଛଡା, ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପୁଲିସ କମିସନରଙ୍କୁ ନିର୍ଦେଶ ଦିଆଯାଇଛି । ମେଘାଳୟର ସିଲଂ ଠାରେ ସିବିଆଇ କଲିକତା ପୁଲିସ କମିସନରଙ୍କୁ ଜେରା କରିବାକୁ ସୁପ୍ରିମ କୋର୍ଟ କହିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କୋର୍ଟ ଏଭଳି ନିର୍ଦେଶ ଦେଇଥିବା ବୁଝି ହେଉଛି । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜେରା ପାଇଁ ଯିବାକୁ ଥିବା କଲିକତା ପୁଲିସ କମିସନର କୁମାରଙ୍କୁ ଗିରଫ ନ କରିବାକୁ ଦେଶର ସର୍ବୋଚ୍ଚ ଅଦାଲତ ସିବିଆଇକୁ ଆଦେଶ ଦେଇଛନ୍ତି । ଏହାକୁ ନେଇ ନୂଆ ବିବାଦର ସୂତ୍ରପାତ ହୋଇଛି ।
ସୁପ୍ରିମ କୋର୍ଟରେ ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ‘ସାରଦା’ ଓ ‘ରୋଜ୍ ଭାଲ୍ଲି’ ଚିଟ୍ ଫଣ୍ଡ୍ ସଂସ୍ଥା ସାଧାରଣ ଲୋକଙ୍କୁ କମ୍ ଦିନରେ ଜମା ଅର୍ଥ ଦୁଇ ଗୁଣ କରି ଦେବା ପ୍ରଲୋଭନ ଦେଖାଇ ହଜାର ହଜାର କୋଟି ଟଙ୍କାର ଜମା ସଂଗ୍ରହ କରିବା ପରେ ପ୍ରତିଶ୍ରୁତି ମୁତାବକ ଲୋକଙ୍କୁ ଜମା ଅର୍ଥ ଫେରାଇ ନାହାନ୍ତି । ଏସଂପର୍କରେ ହୋଇଥିବା ମାମଲାର ତଦନ୍ତ କରିଥିଲା କଲିକତାର ଏସଆଇଟି, ଯାହାର ନେତୃତ୍ୱ ନେଇଥିଲେ ବର୍ତମାନର ପୁଲିସ କମିସନର କୁମାର । ତଦନ୍ତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ କିଛି ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯାଇ ଥିବା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ପ୍ରମାଣ ନଷ୍ଟ କରି ଦିଆଯାଇ ଥିବା ସିବିଆଇର ହୃଦବୋଧ ହୋଇଛି । ତେଣୁ, ସିବିଆଇ ତାଙ୍କୁ ଜେରା କରିବାକୁ ଚାହୁଁଛି । ବାରମ୍ବାର ନୋଟିସ ସତ୍ୱେ କୁମାର ସିବିଆଇ ସମ୍ମୁଖରେ ହାଜର ହେଉ ନ ଥିବାରୁ ରବିବାର ଦିନ ସିବିଆଇର ଏକ ତଦନ୍ତକାରୀ ଦଳ ତାଙ୍କୁ ଜେରା କରିବା ପାଇଁ ତାଙ୍କ କଲିକତାସ୍ଥିତ ବାସଭବନକୁ ଯାଇଥିଲେ । ସେଠାରେ ଆଗରୁ ଉପସ୍ଥିତ ଥିବା କଲିକତା ପୁଲିସର ଅଧିକାରୀମାନେ ସିବିଆଇ ଟିମ୍ କୁ କାର୍ଯ୍ୟ ସଂପାଦନରେ ବାଧା ଦେବା ସହ ଜବରଦସ୍ତ ବସ୍ ରେ ଅନ୍ୟତ୍ର ସ୍ଥାନାନ୍ତର କରି କିଛି ଘଂଟା ଅଟକ ରଖି ଥିଲେ । ସିବିଆଇକୁ ମିଳିଥିବା ଏସଆଇଟି ତଦନ୍ତ ରିପୋର୍ଟ ଅସଂପୂର୍ଣ୍ଣ ଓ କପୋଳକଳ୍ପିତ ବୋଲି ଅଦାଲତରେ ସିବିଆଇ ଦର୍ଶାଇବା ସହ ରିପୋର୍ଟରେ ‘ଅଭିଯୁକ୍ତ କଂପାନୀ’ଙ୍କୁ ଘଂଟ ଘୋଡାଇବା ଉଦ୍ୟମ ହୋଇଥିବା, ତଦନ୍ତ କାର୍ଯ୍ୟରେ ‘ଶିଥିଳତା’ ପ୍ରଦର୍ଶନ କରାଯାଇ ଥିବା, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଗିରଫ କରାଯାଇ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ ପ୍ରତି ଅନୁକଂପା ଭାବ ପ୍ରଦର୍ଶନ ହୋଇଥିବା, ଏବଂ ମୋଟାମୋଟି ଭାବେ ଏସଆଇଟି ତଦନ୍ତରେ ପୁଲିସ ଓ ଅଭିଯୁକ୍ତ କଂପାନୀଙ୍କ ମଧ୍ୟରେ ଏକ ଅସାଧୁ ସଂପର୍କର ଗନ୍ଧ ରହି ଥିବା ସିବିଆଇ ସୁପ୍ରିମ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଦର୍ଶାଇଛି । କେନ୍ଦ୍ର ସରକାରଙ୍କ ଆଡୁ ମଧ୍ୟ ପଶ୍ଚିମ ବଂଗ ସରକାର ଓ କଲିକତା ପୁଲିସ ବିରୋଧରେ ଅନୁରୂପ ଅଭିଯୋଗ ହୋଇଛି ।
କଲିକତା ପୁଲିସ କମିସନରଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆସି ଥିବା ବେଳେ କଲିକତାରେ ସିବିଆଇ ଟିମ୍ କୁ ଦୁର୍ବ୍ୟବହାର କରିବାରେ ପଶ୍ଚିମ ବଂଗ ସରକାରଙ୍କ ପ୍ରୋତ୍ସାହନ ରହିବା ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କମିସନରଙ୍କ ବାସଭବନକୁ ଯାଇ ତାଙ୍କ ସମର୍ଥନରେ ଧାରଣାରେ ବସିବା ଭାରତୀୟ ରାଜନୀତିର ଅଧୋଗତିକୁ ସୂଚିତ କରୁଛି । କେନ୍ଦ୍ର ସରକାର ନିର୍ବାଚନକୁ ଆଖିରେ ରଖି ଅଣ-ବିଜେପି ଶାସିତ ରାଜ୍ୟ ସରକାରଙ୍କୁ ସିବିଆଇ ମାଧ୍ୟମରେ ହାରାଶ କରୁଛନ୍ତି ବୋଲି ମମତାଙ୍କ ଅଭିଯୋଗରେ କିଛିମାତ୍ରାରେ ସତ୍ୟତା ରହିଛି, କିନ୍ତୁ କଲିକତା ପୁଲିସ କମିସନରଙ୍କୁ ସୁରକ୍ଷା ଦେବା ସକାଶେ ଏହି କାରଣ କେତେଦୂର ଗ୍ରହଣୀୟ, ତାହା ଏବେ ପ୍ରଶ୍ନବାଚୀ ହୋଇଛି । ମମତାଙ୍କ ସମର୍ଥନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ଜାତୀୟସ୍ତର ନେତା ଆଗକୁ ଆସିବା ଏବଂ ସିବିଆଇର ଆବେଦନ ଉପରେ ମଙ୍ଗଳବାର ସୁପ୍ରିମ କୋର୍ଟ ଦେଇ ଥିବା ରାୟ ‘ଗଣତନ୍ତ୍ରର ବିଜୟ’ କହି ମମତା ବିଳମ୍ବିତ ସନ୍ଧ୍ୟାରେ ଧାରଣା ପ୍ରତ୍ୟାହାର କରିବା ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଚାଲିଥିବା ମେଂଟ ଉଦ୍ୟମର ଅଂଶ ହୋଇ ପାରେ, କିନ୍ତୁ କେତେଦୂର ସେଥିରେ ନୈତିକତା ରହିଛି, ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
କାରଣ, ‘ସାରଦା’ ଓ ‘ରୋଜ୍ ଭାଲ୍ଲି’ ଚିଟ୍ ଫଣ୍ଡ୍ ମହାଠକମାନେ କେବଳ ପଶ୍ଚିମ ବଂଗରେ ସୀମିତ ନ ଥିଲେ, ଓଡ଼ିଶା ସମେତ ଅନ୍ୟ ବହୁ ରାଜ୍ୟରୁ ସେମାନେ ଲୁଟିଛନ୍ତି । ଓଡ଼ିଶାରେ ମଧ୍ୟ ଶହ ଶହ ସଂଖ୍ୟାରେ ସଂସ୍ଥା ଏଭଳି ଳୁଟି କରିଥିବା ବେଳେ ୨୦୧୩ରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ସିବିଆଇ ୪୬ ରୁ ଅଧିକ ସଂସ୍ଥା ବିରୋଧରେ ତଦନ୍ତ ଚଳାଇଛି । ଏହି ଠକେଇ ଦ୍ୱାରା ରାଜ୍ୟର ଲକ୍ଷାଧିକ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ସର୍ବସ୍ୱାନ୍ତ ପରିବାରଙ୍କୁ ନ୍ୟାୟ ଦେବା ବାହାନାରେ କିଛି ଲୋକ ନେତା ବନି ଯାଇଥିବା ବେଳେ ଓଡ଼ିଶାର ନିର୍ବାଚନ ରାଜନୀତି ସରଗରମ ରହିଛି । ସିବିଆଇ ଗଲା ଛଅ ବର୍ଷ ମଧ୍ୟରେ ଶାସକ ଓ ବିରୋଧୀ ଦଳର ବହୁ ନେତା, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ଦଲାଲ, ଗଣମାଧ୍ୟମ ସଂସ୍ଥା ମାଲିକ, ଫିଲ୍ମ ନିର୍ମାତା-ନିର୍ଦେଶକ, ଟିଭି ଧାରାବାହିକ ନିର୍ମାତାଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି । ଶାସକ ଦଳର କିଛି ନେତାଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲି ରହିଛି । ନିକଟରେ ସିବିଆଇ ଶାସକ ଦଳର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ବର୍ତମାନର ତୁଙ୍ଗ ବିଧାୟକଙ୍କୁ ନୋଟିସ ଜାରୀ କରି ଓଡ଼ିଶା ରାଜନୀତିରେ ନିଆଁ ଲଗାଇଛନ୍ତି । ଓଡ଼ିଶାରେ ମଧ୍ୟ ସିବିଆଇ କେନ୍ଦ୍ର ବିଜେପି ସରକାରଙ୍କ ଇଂଗିତରେ ନିର୍ବାଚନ ସମୟରେ ଶାସକ ଦଳକୁ ସିବିଆଇର ନାଲି ଆଖି ଦେଖାଉ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶାସକ ବିଜେଡ଼ିର ତୁଙ୍ଗ ନେତାମାନେ ଅଭିଯୋଗ କରୁଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ, କେନ୍ଦ୍ର ସରକାର ଅଣ-ବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ ଡ଼ରାଇବା ସିବିଆଇକୁ ବ୍ୟବହାର କରୁଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଟ୍ ଫଣ୍ଡ୍ ଠକେଇ ଓ ସିବିଆଇ ତଦନ୍ତ ଚାପରେ ରହିଛନ୍ତି । ତେଣୁ, ବିରୋଧୀ ମେଂଟ ଠାରୁ ନିଜକୁ ଦୂରେଇ ରଖି ଥିବା ନବୀନ ରବିବାର ଘଟଣାରେ ମମତାଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଆଲୋଚନା ହେଉଛି ।
ନବୀନ କହିଛନ୍ତି, କେନ୍ଦ୍ର ସରକାର ସିବିଆଇକୁ ରାଜନୀତି ପାଇଁ ବିରୋଧୀଙ୍କ ବିରୋଧରେ ପ୍ରୟୋଗ କରୁଛନ୍ତି । ସିବିଆଇ ନିଜ ସୀମାରେ ରହିବା ଆବଶ୍ୟକ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନେ ନିଜସ୍ୱ ତଦନ୍ତକାରୀ ସଂସ୍ଥାଙ୍କ ମାଧ୍ୟମରେ ଚିଟ୍ ଫଣ୍ଡ୍ ମହାଠକୋଇର ତଦନ୍ତ କରି ଲୋକଙ୍କୁ ନ୍ୟାୟ ଦେଇ ନ ପାରିବାରୁ ୨୦୧୩ରେ ସୁପ୍ରିମ କୋର୍ଟ ଏଥିରେ ହସ୍ତକ୍ଷେପ କରି ସିବିଆଇକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଏବେ ସିବିଆଇ ତଦନ୍ତ ଏକପାଖିଆ ହେଉଥିବା ରାଜ୍ୟମାନେ ଅଭିଯୋଗ କରି କେନ୍ଦ୍ର ବିରୋଧରେ ମେଳି ବାନ୍ଧିଲେଣି । କେନ୍ଦ୍ର ସରକାର ମଧ୍ୟ ନିଜ ବ୍ୟବହାରରେ ରାଜ୍ୟମାନଙ୍କ ଅଭିଯୋଗର ସତ୍ୟତା ପ୍ରତିପାଦିନ କରି ଆସିଛନ୍ତି । କେବଳ ବିଜେପି ନୁହେଁ, କେନ୍ଦ୍ରରେ କ୍ଷମତାରେ ରହୁ ଥିବା ସବୁ ସରକାର ନିଜ ରାଜନୈତିକ ଉଦେ୍ଦଶ୍ୟ ଚରିତାର୍ଥ କରିବା ସକାଶେ ସିବିଆଇକୁ ବ୍ୟବହାର କରୁଥିବା ଜଣାଶୁଣା କଥା । ଏଭଳି ପରିସ୍ଥିତିରେ ଆମେ କାହାର ପିଠି ଥାପୁଡାଇବା ଓ କାହାକୁ ଦୋଷ ଦେବା – ତାହା ଆମେ ହିଁ ନିଷ୍ପତ୍ତି ନେବା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS