ପୁଲୱାମାକୁ ନେଇ ଦୁବିଧାରେ ପ୍ରଧାନମନ୍ତ୍ରୀ !
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୧୭/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବେ ଦୁବିଧାରେ । ଗୋଟିଏ ପଟେ ପୁଲୱାମା ଘଟଣାକୁ ନେଇ ଦେଶବ୍ୟାପୀ ଜନ ଆକ୍ରୋଶ ଓ ଅନ୍ୟ ପଟେ ଅଳ୍ପ ଦିନ ମଧ୍ୟରେ ହେବାକୁ ଥିବା ଜାତୀୟ ନିର୍ବାଚନ । ସରକାର ୨୦୧୯ ନିର୍ବାଚନକୁ ନେଇ ପୁରା ଦମ୍ରେ ପ୍ରଚାର କାର୍ଯ୍ୟ ଆଗେଇ ନେଉ ଥିବା ବେଳେ ଫେବୃୟାରୀ ୧୪ରେ ଘଟିଲା ସମଗ୍ର ଦେଶକୁ ଦୋହଲାଇ ଦେଲା ଭଳି ପୁଲୱାମା ମାନବ ବୋମା ବିସ୍ଫୋରଣ ଘଟଣା । ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏହି ମାନବ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟି କରିଛି, ଯେଉଁଥିରେ କି ୪୪ ଜଣ ନିରୀହ ସିଆରପିଏଫ୍ ଯବାନଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଓଡ଼ିଶାର ଦୁଇ ଜଣ ଯବାନ ଏଥିରେ ଅନ୍ତର୍ଭୁକ୍ତ । ଯବାନମାନେ ଭିନ୍ନ ଭିନ୍ନ ରାଜ୍ୟର । ନିଜ ନିଜ ଘରକୁ ଯାଇ ଛୁଟି କଟାଇ କାର୍ଯ୍ୟ କ୍ଷେତ୍ରକୁ ଫେରୁ ଫେରୁ ଆତଙ୍କୀ ଆକ୍ରମଣରେ ସେମାନଙ୍କ ଜୀବନ ଦୀପ ଲିଭି ଯାଇଛି । ସାରା ଦେଶରେ ଆଜି ପ୍ରତିଶୋଧର ନିଆଁ ଜଳୁଛି । ପାକିସ୍ତାନକୁ କଡ଼ା ଜବାବ ଦେବା ଦାବିରେ ଜନଆକ୍ରୋଶ ବଢୁଛି । ନିର୍ବାଚନ ମୁଡ୍ରେ ଥିବା ସରକାର ହଠାତ୍ ଏହି ନୂତନ ଘଟଣା ପ୍ରବାହକୁ ନେଇ କିଂକର୍ତର୍ବ୍ୟବିମୂଢ । ଜନ ଆକ୍ରେଶକୁ କେମିତି ପ୍ରସମିତ କରିବେ ସେ ନେଇ ଚିନ୍ତାରେ । ପାକିସ୍ତାନ ବିରୋଧରେ ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଜନତା ଚାହୁଁ ଥିବା ବେଳେ ସରକାର ସେନା ଉପରେ ନିଷ୍ପତ୍ତି ନେବାର ଦାୟିତ୍ୱ ଛାଡି ଦେଇ ଜନ ଆକ୍ରେଶରୁ ବର୍ତିବା ଉଦ୍ୟମରେ ଅଛନ୍ତି । ତଥାପି, ଜନସାଧାରଣ ସରକାରଙ୍କ ପ୍ରତିଟି ପଦକ୍ଷେପକୁ ସତର୍କତାର ସହ ଲକ୍ଷ୍ୟ କରୁଛନ୍ତି ।
ଫେବୃୟାରୀ ୧୪ ତାରିଖ ସମଗ୍ର ଦେଶ ‘ପ୍ରେମ ଦିବସ’ପାଳନରେ ମସଗୁଲ ଥିବା ସମୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏହି ରକ୍ତନଦୀ ବୁହାଇଛନ୍ତି । ଛୁଟି କାଟି କର୍ମ କ୍ଷେତ୍ରକୁ ଫେରୁଥିବା ସିଆରପିଏଫ ଯବାନଙ୍କ କନଭୟରେ ଥିବା ଗୋଟିଏ ବସ୍ କୁ ଟାର୍ଗେଟ କରାଯାଇ ମାନବ ବୋମା ବିସ୍ଫୋରଣରେ ଉଡାଇ ଦିଆଯାଇଛି । ପ୍ରାୟ ୭୦ରୁ ୮୦ କିଲୋ ଆରଡ଼ିଏକ୍ସରେ ଭରା ଏସୟୁଭି ଗାଡିଟିଏ ହଠାତ୍ ରାସ୍ତା କଡରୁ ମାଡ଼ି ଆସି ସିଆରପିଏଫ ଯବାନଙ୍କ ବସ୍ କୁ ଟକ୍କର ମାରି ଥିଲା ଏବଂ ଭୟଂକର ବିସ୍ଫୋରଣରେ ବସ୍ ରେ ଥିବା ଯବାନମାନେ ଛିନ୍ନଛତ୍ର ହୋଇ ଯାଇଥିଲେ । ସାମାଜିକ ଓ ମୁଖ୍ୟସ୍ରୋତ ଗଣମାଧ୍ୟମରେ ପଅସାରିତ ହେଉଥିବା ଭିଡ଼ିଓ ସେହି ଭୟଂକର ଦୃଶ୍ୟର ବୟାନ କରୁଛି । ଆକ୍ରମଣକାରୀ ଯେମିତି ସଜବାଜ ହୋଇ କନ୍ଭୟକୁ ଅପେକ୍ଷା କରିଥିଲା ଏବଂ ସିଆରପିଏଫ ଯବାନଙ୍କ କନଭୟ୍ ସେହି ରାସ୍ତାରେ ଯିବା ସମୟରେ ସେ ଗୋଟିଏ ନିର୍ଦ୍ଦିଷ୍ଟ ବସ୍ କୁ ହିଁ ଟାର୍ଗେଟ୍ କରିଥିଲା । ଯେଉଁ ଗାଡିଟି ବିସ୍ଫୋରଣରେ ଚୁରମାର ହୋଇଛି ସେଥିରେ କେବଳ ଏଏସଆଇ, କନେଷ୍ଟବଳ, ହେଡ୍ କନୋଷ୍ଟବଳ ର୍ୟାଂକ୍ ର ଯବାନ ହିଁ ଥିଲେ ଯବାନ ହିଁ ଥିଲେ । କୌଣସି ବଡ଼ ଅଧିକାରୀ ନ ଥିଲେ। ଯାହାକି ରକ୍ଷା ବିଶେଷଜ୍ଞଙ୍କୁ ଆଚମ୍ବିତ କରିଛି ।
ରକ୍ଷା ବିଶେଷଜ୍ଞଙ୍କ କହିବା ମୁତାବକ, ସେନା ହେଉ ବା ଅର୍ଦ୍ଧ ସାମରିକ ବାହିନୀ, ତାହାର ଯବାନମାନେ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହେବା ସମୟରେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ କମାଂଣ୍ଡିଙ୍ଗ୍ ଅଫିସର ରହିବା କଥା । ଯେଉଁ ରୁଟ୍ ଦେଇ ଏହି ଗାଡି ଗୁଡିକ ଯିବ ସେହି ରୁଟ୍ କୁ ତନ୍ନତନ୍ନ ଭାବେ ଯାଂଚ କରାଯାଇ ଯବାନଙ୍କ ନିରାପତ୍ତାକୁ ପ୍ରାଥମିକତା ଦିଆ ଯିବା କଥା । କିନ୍ତୁ,୧୪ ଫେବୃୟାରୀରେ ତାହା ହୋଇ ନ ଥିବା ଗୋଟିଏ ଜାତୀୟ ଗଣମାଧ୍ୟମ ଏନଆଇଏ ସୂତ୍ରକୁ ଆଧାର କରି ପ୍ରସାର କରିଛି । ଏହି ରିପୋର୍ଟରେ ଅଭିଯୋଗ ହୋଇଛି ଯେ, ମାନବ ବୋମା ଆକ୍ରମଣର ଶିକାର ହୋଇଥିବା ବସ୍ଟି ଅତି ସାଧାରଣ ଧରଣର । ବିସ୍ଫୋରଣ ତ ଦୂର କଥା, ବାହାରୁ ଗୁଳି ଚାଲିଲେ ସହଜରେ ତାହା ଭେଦି ଯିବ । ଘାତକ ବିସ୍ଫୋରକ ଭରା ଗାଡ଼ି ଜମ୍ମୁ-କଶ୍ମୀର ରାଜପଥରେ ସିଆରପିଏଫ୍ ଯବାନଙ୍କୁ ନେଇ ଆସୁ ଥିବା କନଭୟ୍କୁ ଅପେକ୍ଷା କରି ରହି ଥିବା କିପରି କାହାରି ସନ୍ଦେହ ହେଲାନି ଏବଂ ଦେଶର ପ୍ରମୁଖ ଗୁଇନ୍ଦା ସଂସ୍ଥା କଣ କରୁଥିଲେ (?) ବୋଲି ପ୍ରଶ୍ନର ଉତ୍ତର ସରକାରଙ୍କ ନିକଟରେ ନାହିଁ । ଏହି ଘଟଣା ଜମ୍ମୁ-କଶ୍ମୀରର ଗୁଇନ୍ଦା ସଂସ୍ଥା ସମେତ ‘ର’, ଆଇବି ଭଳି ରାଷ୍ଟ୍ରୀୟ ଗୁଇନ୍ଦା ସଂସ୍ଥାଙ୍କ ବିଫଳତାର ବୟାନ କରୁଛି । ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଗୁଇନ୍ଦା ବିପଳତାକୁ ସ୍ୱୀକାର କରିଛନ୍ତି । ଏକ ୧୨ ଜଣିଆ ଏନଆଇଏ ଟିମ୍ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ବେଳେ ଆହୁରି ଅନେକ ଦୋଷତୃଟୀ ଓ ଅବହେଳା ପଦାକୁ ଆସୁଛି ।
୧୪ ତାରିଖ ଘଟଣା ପରେ ଦେଶର ରାଜନୀତି ମଧ୍ୟ ବିପରିତ ମୋଡ ନେଇଛି । ଏପ୍ରିଲ ବା ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ କମିସନ ଚଳିତ ମାସ ଶେଷ ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ବିଜ୍ଞପ୍ତି ଜାରି କରିବା ନିଶ୍ଚିତ । ଏହି ନିର୍ବାଚନ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ଥିବାରୁ ସମସ୍ତେ ପ୍ରଚାର ମୁଡ୍ରେ । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଏକପ୍ରକାର ଚରମ ସୀମାରେ ପହଂଚି ସାରିଛି । ଏଭଳି ସ୍ଥିତିରେ ପୁଲୱାମା ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କ ପାଇଁ ଆଶୀର୍ବାଦ ହେବ କି ଅଭିଷାପ, ସେ ନେଇ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ଚର୍ଚ୍ଚାର କାରଣ, ମୋଦୀ ଏବେ ୨୦୧୪ ଭଳି ସୁବିଧାନଜକ ସ୍ଥିତିରେ ନାହାନ୍ତି । ଚାଷୀ ସମସ୍ୟା, ବେକାରୀ ଓ ଅନିୟନ୍ତ୍ରିତ ଦରଦାମ, ବିଭିନ୍ନ ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଫଳତା, ରାଫେଲ୍ ଯୁଦ୍ଧ ବିମାନ କିଣା ଚୁକ୍ତିକୁ ନେଇ ବିରୋଧୀଙ୍କ ଆଡୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆକ୍ରମଣ, କଳାଧନ ଓ ଆର୍ଥିକ ଦୁର୍ନୀତି ରୋକିବାରେ ବିମୁଦ୍ରାୟନ ଓ ଜିଏସଟି ନୀତିର ବିଫଳତା, ନୀରବ ମୋଦୀଙ୍କ ଭଳି କିଛି ବ୍ୟବସାୟୀ ଜାତୀୟକରଣ ବ୍ୟାଙ୍କଗୁଡିକରୁ ହଜାର ହଜାର କୋଟି ଟଙ୍କା ଲୁଟି ନେଇ ଦେଶ ଛାଡି ପଳାଇ ଥିବା ବେଳେ ସେମାନଙ୍କୁ ବାନ୍ଧି ଆଣିବାରେ ସରକାରୀ ବିଫଳତା ଏବଂ ଚନ୍ଦା କୋଚରଙ୍କ ଭଳି ଉଚ୍ଚସ୍ତରର ବ୍ୟାଙ୍କ୍ ଅଧିକାରୀମାନଙ୍କ ଜାଲିଆତି ଭଳି ଘଟଣା ମୋଦୀ ସରକାରଙ୍କୁ ନିନ୍ଦିତ କରି ରଖିଛି ।
- ପରିସ୍ଥିତି ପ୍ରତିକୂଳ ଦେଖି ବିଜେପି ନେତୃତ୍ୱାଧୀନ ଏନଡ଼ିଏର ସହଯୋଗୀମାନେ ବିଜେପିର ହାତ ଛାଡୁ ଥିବା ବେଳେ ଦେଶରେ କଂଗ୍ରେସର ସ୍ଥିତି ପୂର୍ବପେକ୍ଷା ଦୃଢ ହୋଇଛି । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଗୁଜରାଟ ବିଧାନସଭା ନିର୍ବାଚନରୁ ଆରମ୍ଭ କରି ନିକଟରେ ସରିଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସବୁଠି ବିଜେପିକୁ କଡା ଟକ୍କର ଦେଇଛି । କର୍ଣ୍ଣାଟକରେ ସଂଖ୍ୟାଗରିଷ୍ଠ ନ ଥାଇ ବିଜେପିକୁ ମାତ୍ ଦେଇ ଜେଡ଼ିଏସ୍ ସହ ମିଳିତ ସରକାର ଗଠନ କରିଛି । ଏହି ସରକାରକୁ ଭାଙ୍ଗିବା ପାଇଁ ମୋଦୀ-ଶାହା-ୟେଦୁରାପ୍ପା ମେଂଟ ବିଫଳ ହୋଇଛନ୍ତି । ହିନ୍ଦି ହାର୍ଟଲ୍ୟାଂଡର ତିନି ପ୍ରମୁଖ ରାଜ୍ୟ ଏମପି, ଛତିଶଗଡ ଓ ରାଜସ୍ଥାନକୁ କଂଗ୍ରେସ ବିଜେପି ହାତରୁ ଛଡାଇ ନେଇ ଥିବା ବେଳେ ଗାନ୍ଧୀ ପରିବାରର ସବୁଠାରୁ ପ୍ରଭାବଶାଳୀ ସଦସ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏଆଇସିସି ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇଁ ୟୁପିରେ ରାହୁଲଙ୍କ ମୋର୍ଚ୍ଚା ସମ୍ଭାଳିଲେଣି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମୀତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିଛବି ଏବଂ ଦଳର ସବୁ ବର୍ଗର ନେତାଙ୍କ ମଧ୍ୟରେ ଗ୍ରହଣୀୟ । ଇତିମଧ୍ୟରେ ବିଭିନ୍ନ ସଂସ୍ଥାର ପ୍ରାକ୍-ନିର୍ବାଚନୀ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ସେସବୁ ରିପୋର୍ଟରେ, ଦେଶର ବିଜେପିର ଗ୍ରହଣୀୟତା କମି ଥିବା ଏବଂ କଂଗ୍ରେସର ଗ୍ରହଣୀୟତା ବଢି ଥିବା କୁହାଯାଇଛି । ଅପରପକ୍ଷରେ, ବିଜେପି ବିରୋଧରେ ଅନ୍ୟ ବିରୋଧୀଙ୍କ ମହାମେଂଟ ପାକଳ ହେବାରେ ଲାଗିଛି । ଏସବୁ ପ୍ରତିକୂଳ ସ୍ଥିତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିନ୍ତାରେ ପକାଇଛି । ଏଭଳି ସ୍ଥିତିରେ, ତାଙ୍କ ନେତୃତ୍ୱରେ ବିଜେପି ଦ୍ୱିତୀୟ ଥର ପାଇଁ ଦେଶରେ କ୍ଷମତାସୀ ହେବା ପ୍ରଧାନମନ୍ତ୍ରୀ ଚାହୁଥିବା ବେଳେ ପୁଲୱାମା ଘଟଣା ସରକାରଙ୍କୁ ଲାଇନଚ୍ୟୁତ କଲା ଭଳି ମନେ ହେଉଛି ।
ପୁଲୱାମାରେ ଏକାସମୟରେ ୪୪ ଜଣ ନିରୀହ ଯବାନଙ୍କ ମୃତ୍ୟୁକୁ ନିରାପତ୍ତା ବାହିନୀ ଉପରେ ‘ଆଉ ଏକ ଆକ୍ରମଣ’ ବୋଲି ଦେଶବାସୀ ଗ୍ରହଣ ନ କରି ଏହା ଦେଶର ‘ଆତ୍ମା’ ଉପରେ ଆକ୍ରମଣ ବୋଲି ଧରି ନେଇଛନ୍ତି । ତେଣୁ, ସବୁ ଶ୍ରେଣୀ ଓ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଶୋଧର ନିଆଁ ଜଳୁଥିବା ଦେଖିବାକୁ ମିଳୁଛି । ଦେଶବ୍ୟାପୀ ମୃତ ଯବାନଙ୍କ ପାଇଁ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇ ପାକିସ୍ତାନ ସମର୍ଥିତ ଆତଙ୍କବାଦର ମୂଳୋତ୍ପାଟନ ଦାବିକୁ ହାୱା ମିଳିଛି । ସରକାର ନିର୍ବାଚନକୁ ପଛରେ ରଖି ଆଗ ପାକିସ୍ତାନକୁ ଉଚିତ ଜବାବ ଦିଅନ୍ତୁ ଏବଂ ୪୪ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯାଉ ବୋଲି ଦେଶବାସୀଙ୍କ ଆଡୁ ଉଠୁଥିବା ପ୍ରବଳ ଜନମତ ସରକାରଙ୍କୁ ଅଡୁଆରେ ପକାଇଛି । ତିନି ଦିନ ହେଲା କେନ୍ଦ୍ର ସରକାର ନିଜ ଭିତରେ ବିରୋଧୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି ସିନା ଠୋସ୍ କିଛି ପଦକ୍ଷେପ ଘୋଷଣା କରାଯାଇନାହିଁ । ଶନିବାର ଦେଶର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ବାସ ଭବନରେ ସର୍ବଦଳୀୟ ବୈଠକ ହୋଇଥିଲା । ଆତଙ୍କବାଦ ବିରୋଧରେ ଯେ କୌଣସି କାର୍ଯ୍ୟାନୁଷ୍ଠାନକୁ ଦେଶର ସମସ୍ତ ବିରୋଧୀ ଦଳ ସରକାରଙ୍କ ସହ ଠିଆ ହେବେ ବୋଲି କାଲିର ବୈଠକରେ ସ୍ପଷ୍ଟ କରିଛନ୍ତି । ତଥାପି, ସରକାର କୌଣସି ଠୋସ୍ ନିଷ୍ପତ୍ ତିରେ ପହଂଚି ପାରି ନାହାନ୍ତି । କେବଳ, ପାକିସ୍ତାନକୁ ଦିଆ ଯାଇଥିବା ‘ମୋଷ୍ଟ୍ ଫେଭରଡ୍ କଂଟ୍ରି’ ମାନ୍ୟତା ପ୍ରତ୍ୟାହାର କରା ଯାଇଛି ଏବଂ ପାକିସ୍ତାନୀ ଜିନିଷ ଉପରେ ୨୦୦ ପ୍ରତିଶତ ଟିକସ ଲାଗୁ କରାଯାଇ ବାଣିଜି୍ୟକ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି । ପରଂପରା ମୁତାବକ ସରକାର ପାକିସ୍ତାନ ହାଇକମିସନରଙ୍କୁ ଡ଼କାଇ ଭାରତର ଅସଂତୋଷ ଜଣାଇଛନ୍ତି । ଏସବୁ ସତ୍ୱେ ଶନିବାର ପାକ୍ ସୀମାନ୍ତରେ ବିସ୍ଫୋରଣରେ ଜଣେ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିବା ପାକିସ୍ତାନର ଖାମଖିଆଲି ଭାବକୁ ପ୍ରତିଫଳିତ କରିଛି । ପାକିସ୍ତାନ ତାହାର ଭାରତ-ବିରୋଧୀ କାର୍ଯ୍ୟ ଜାରି ରଖି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣରେ ଦେଶବାସୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି କହି ସରକାର ମୁଣ୍ଡରୁ ଅଠା ଛଡାଉଛନ୍ତି ।
କଂଗ୍ରେସ ସମେତ ସବୁ ବିରୋଧୀ ଦଳ ୧୪ ତାରିଖ ଆକ୍ରମଣ ଘଟଣାର ଦୃଢ ନିନ୍ଦା କରି ସରକାର ଯାହା କାର୍ଯ୍ୟାନୁଷ୍ଠାନ କରିବେ ସେଥିରେ ବିରୋଧୀ ଦଳଙ୍କ ସମର୍ଥନ ରହିବ ବୋଲି ସ୍ପଷ୍ଟ କରିଥିବା ବେଳେ ସରକାର କାର୍ଯ୍ୟାନୁଷ୍ଠାନ ବଦଳରେ ଭାଷଣବାଜି କରିବା କେତେଦୂର ଯୁକ୍ତିଯୁକ୍ତ କହି ହେଉ ନାହିଁ । ତେବେ, ସରକାରଙ୍କୁ ବିରୋଧୀଙ୍କ ଏପ୍ରକାର ବ୍ଲାଂକେଟ୍ ସମର୍ଥନ ଅଧିକ ସମୟ ପାଇଁ ନୁହେଁ, ୪୮ ଘଂଟା ମଧ୍ୟରେ ସବୁ କିଛି ଥଣ୍ଡା ପଡି ଗଲେ ପୁଣି ଥରେ ଶାସକ-ବିରୋଧୀ ‘ତୁ..ତୁ ମେଁ..ମେଁ’ ଆରମ୍ଭ କରି ଦେବେ ବୋଲି ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ମତ ଦେଇଛନ୍ତି । ତାଙ୍କ ମତରେ, ପୁଲୱାମା ଘଟଣାରେ ଭାରତ ସରକାର ଚାପରେ ଥିବାରୁ ଭାରତ ଆଡୁ ସର୍ଜିକାଲ ହେଉ ବା ଯେ କୌଣସି ଧରଣର ଆକ୍ରମଣ ହୋଇ ପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି ଏବଂ ତାହାର ମୁକାବିଲା ପାଇଁ ସଜାଗ ରହିଛି । ଯେଉଁ ବିଦେଶୀ ରାଷ୍ଟ୍ରମାନେ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି ସେମାନେ ମଧ୍ୟ ଅଧିକ ଦିନ ଏହି ସ୍ଥିତିରେ ଅଟଳ ରହିବେ ନାହିଁ, ସମୟ ଗଡିବା ସହ ମତ ବଦଳାଇ ନେବେ । ଭାରତ ଆଡୁ ଯେ କୌଣସି ଧରଣର ଆକ୍ରମଣ ହେଲେ ଚୀନ ତାହାର ଅନ୍ତରଂଗ ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ ଦେବା ନିଶ୍ଚିତ । ଏଭଳି ସ୍ଥିତିରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନକୁ ନେଇ ଦୁବିଦାରେ ପଡିବା ସ୍ୱାଭାବିକ ବୋଲି ସେ କହିଛନ୍ତି ।
ଗୋଟିଏ ପଟେ କୂଟନୀତିର ଆବଶ୍ୟକତା ଏବଂ ଅନ୍ୟପଟେ ପାକିସ୍ତାନ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ସପକ୍ଷରେ ଜନତାର ଦାବି ମୋଦୀ ସରକାରଙ୍କ ରକ୍ତଚାପ ବଢାଇ ଦେଇଛି । ବିଶ୍ୱ ସମୁଦାୟ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମର୍ତନ ଦେଉଥିବା ବେଳେ ଭାରତ ସରକାର କାହାକୁ ଅପେକ୍ଷା କରିଛନ୍ତି ବୋଲି ଦେଶବାସୀ ପ୍ରଶ୍ନ କରୁଛନ୍ତି । କାରଣ, ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଦେଶର ଯବାନଙ୍କ ଉପରେ ପାକିସ୍ତାନ ପ୍ରୟୋଜିତ ଆତଙ୍କୀ ଆକ୍ରମଣ ହୋଇଥିବା ବେଳେ କେନ୍ଦ୍ର ସରକାର ମାମଲା ଥଣ୍ଡା ହେବାକୁ ଅପେକ୍ଷା କରି ପରେ ତାହାକୁ ଥଣ୍ଡା ବାକ୍ସରେ ପକାଇ ଦେଇଛନ୍ତି । ଫଳରେ, ମାସୁଦ ଅଜହରଙ୍କ ଭଳି ଆତଙ୍କବାଦୀମାନେ ଭାରତକୁ ସେମାନଙ୍କ କ୍ରୀଡାଭୂମୀ କରିଛନ୍ତି । ଜମ୍ମୁ-କଶ୍ମୀରର ଉରୀ ସ୍ଥିତ ସେନା ଶିବିର ଉପରେ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାର ସର୍ଜିକାଲ୍ ଷ୍ଟ୍ରାଇକ୍ କରି ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର)ରେ ଥିବା ଆତଙ୍କବାଦୀ ତାଲିମ ଶିବିର ଗୁଡିକୁ ୱଂସ କରିଥିବା ଦାବି କରୁଥିବା ବେଳେ ବିରୋଧୀ ଦଳମାନେ ତାହାକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଏହାକୁ ନେଇ ବାଦ ବିବାଦ ସରିନି । ୨୦୧୯ ନିର୍ବାଚନରେ ମଧ୍ୟ ‘ସର୍ଜିକାଲ୍ ଷ୍ଟା୍ରଇକ୍’ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ପୁଲୱାମା ଘଟଣା ସରକାରଙ୍କ ପାଇଁ ଆହ୍ୱାନ ହୋଇଛି । ସରକାର ତୁରନ୍ତ କିଛି ନ କଲେ ଭୋଟରଙ୍କ କ୍ରୋଧ ବଢିବ ଏବଂ ତାହା ଭୋଟ୍ ରେ ରୂପାନ୍ତରିତ ହେବ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ତାହା ‘ସର୍ଜିକାଲ’ ଧରଣର ହେବ ନା ଏକ ପୂର୍ଣ୍ଣାଂଗ ଯୁଦ୍ଧ ହେବ, ସେ ନିର୍ଣ୍ଣୟ ସେନା ଉପରେ ସରକାର ଛାଡିଛନ୍ତି ସିନା ଭୋଟ ହାତଛଡା ହେବା ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ନେଇ ଦୁବିଧାରେ ଥିବା କୁହାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS