ନିସ୍ତାର ପାଇଲେ ନାହିଁ – ନାଗେଶ୍ୱର ରାଓଙ୍କ ପରେ ଅନିଲ ଆମ୍ବାନୀ
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୨୨/୨: ବରିଷ୍ଠ ଆଇପିଏସ୍ ନାଗେଶ୍ୱର ରାଓଙ୍କ ପରେ ଶିଳ୍ପପତି ଅନିଲ ଆମ୍ବାନୀ ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟ ଦ୍ୱାରା ଦଣ୍ଡିତ ହେବା ବିଚାର ବିଭାଗ ପ୍ରତି ଜନସାଧାରଣରେ ପୁନଃ ଆସ୍ଥା ଭାବ ସୃଷ୍ଟି କରିଛି । ପ୍ରଭାବଶାଳୀ ଲୋକଙ୍କ ପାଇଁ ଦେଶର ଆଇନ ବ୍ୟବସ୍ଥା ଅନେକ ସମୟରେ ମୋଡି ହୋଇଯାଏ ବୋଲି ଧାରଣା ସୁପ୍ରିମ କୋର୍ଟ ଏହି ଦୁଇଟି ଗୁରୁତ୍ୱପୂର୍ଣର୍ ମାମଲାରେ ଦୂର କରିଛନ୍ତି ।
ଏଇ କିଛି ଦିନ ତଳେ ଆଇପିଏସ୍ ରାଓ ଅଦାଲତ ଅବମାନନା ମାମଲାରେ ସୁପ୍ରମ କୋର୍ଟରେ ଦଣ୍ଡିତ ହୋଇ କୋର୍ଟ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଅଦାଲତ ଗ୍ୟାଲେରୀରେ ବସି ରହିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସମେତ ସିବିଆଇର ସହକାରୀ ଆଇନ ପରାମର୍ଶଦାତାଙ୍କୁ ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମାନ ଦଣ୍ଡରେ ଦଣ୍ଡିତ କରିଥିଲେ । ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରାଯିବା ସହ କୋର୍ଟରେ ସନ୍ଧ୍ୟା ପର୍ଯ୍ୟନ୍ତ ବସାଇ ରଖା ଯାଇଥିଲା । ଅଭିଯୋଗ ଥିଲା, ସୁପ୍ରିମ କୋର୍ଟଙ୍କ ନିର୍ଦେଶର ଖିଲାପ କରି ରାଓ ବିହାର ମୁଜାଫରପୁର ସେଲଟରହୋମ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ ଏ.କେ.ଶର୍ମାଙ୍କୁ ବଦଳିି କରିଥିଲେ । ଶର୍ମାଙ୍କ ଆଡୁ ଅଦାଲତ ଅବମାନନା ଅଭିଯୋଗ ହୋଇଥିଲା । ଏହି ମାମଲାରେ ବରିଷ୍ଠ ଆଇପିଏସ୍ ଏମ. ନାଗେଶ୍ୱର ରାଓଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ ଥିବା ବରିଷ୍ଠ ଓକିଲ କେ.କେ. ଭେଣୁଗୋପାଳ ମୁଖ୍ୟ ବିଚାରପତି ଗୋଗୋଇଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ରାଓଙ୍କ ସପକ୍ଷରେ ଦଲିଲ ପେଶ୍ କରିଥିଲେ । ତେବେ, ରାଓ ଅଦାଲତରେ ନିଜ ଦୋଷ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରି ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ ହୋଇଥିବା ଦର୍ଶାଇ ଅଦାଲତ ରାଓ ଓ ସିବିଆଇର ସହକାରୀ ଆଇନ ପରାମର୍ଶଦାତା ଭାସୁରନ୍ ଙ୍କୁ ଅର୍ଥଦଣ୍ଡ ଓ ଅଦାଲତ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଗ୍ୟାଲେରୀର ଗୋଟିଏ କୋଣରେ ବସି ରହିବାର ଶାସ୍ତିବିଧାନ କରିସାରିଥିଲେ ।
ଏହି ମାମଲାରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ନୀରପେକ୍ଷତାର ଯେଉଁ ଉଦାହରଣ ମିଳି ଥିଲା ତାହା ହେଉଛି, ରାଓ ନିଜ ଦୋଷ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବା ପରେ ଅଦାଲତ ତରଳି ନ ଯାଇ କଠୋର ଦଣ୍ଡବିଧାନ କରିଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ମଧ୍ୟ ରାଓଙ୍କୁ ନିଜ ଆସନରୁ ଉଠି ବାହାରକୁ ଯିବାର ଅନୁମତି ମିଳି ନ ଥିଲା । ବିଚାରପତିମାନେ ମଧ୍ୟାହ୍ନ ଭୋଜନ ବିରତିରେ ଯିବା ପରେ ଜଣେ ଓକିଲ ରାଓ ଓ ଭାସୁରନଙ୍କୁ ବିସ୍କୁଟ ଦେଇ ଅନୁଗ୍ରହିତ କରିଥିବା ବେଳେ ଆଉ ଜଣେ ଓକିଲ କିଛି ସ୍ନାକ୍ସ ଯାଚି ଥିଲେ । ତେବେ, ଅଦାଲତର ନିରାପତ୍ତା ଅଧିକାରୀ ରୋକଠୋକ ଜଣାଇ ଦେଇ ଥିଲେ – ଅଦାଲତରେ ପାଣି ବୋତଲ ବ୍ୟତୀତ ଅନ୍ୟ କିଛି ପ୍ରବେଶ ନିଷିଦ୍ଧ । ସ୍ନାକ୍ସ ହଟାଇ ନେବାକୁ ସଂପୃକ୍ତ ଓକିଲଙ୍କୁ କୁହାଯାଇଥିଲା । ରାଓ ଚାହା ଟିକେ ମାଗିବାରୁ ମନା କରାଯାଇ ଅଧିକ ପାଣି ବୋତଲ ଯୋଗାଇ ଦିଆଯିବାକୁ କୁହାଯାଇଥିଲା । ତେବେ, ଅଧିକ ପାଣି ପିଇଲେ ଟୟଲଟ୍ ଯିବାକୁ ପଡିବ କହି ରାଓ ତାହା ଗ୍ରହଣ କରିବାକୁ ମନା କରି ଥିଲେ । ଅପରାହ୍ନରେ ରାଓ ନିଜ ଆସନରୁ ଉଠି ଆସି ମୁଖ୍ୟ ବିଚାରପତିଙ୍କୁ କିଛି କହିବାକୁ ଚାହିଁବାରୁ ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ବିରକ୍ତି ପ୍ରକାଶ କରି ତାଙ୍କୁ ବସିଥିବା ସ୍ଥାନକୁ ଫେରି ଯିବାକୁ ନିର୍ଦେଶ ଦେଇ ଥିଲେ । ରାଓଙ୍କ ପାଇଁ ଓକିଲାତି କରୁଥିବା ଭେଣୁଗୋପାଲଙ୍କୁ ଚେତାଇ ଦେଇଥିଲେ, ରାଓ ପୁଣି ଥରେ ଏଭଳି ଆଚରଣ ଦେଖାଇଲେ ତାଙ୍କୁ ଅଧିକ ଶାସ୍ତିବାଧାନ କରାଯିବ, ଅର୍ଥାତ ପରଦିନ ପର୍ଯ୍ୟନ୍ତ ଅଦାଲତରେ ବସାଇ ରଖାଯିବ ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଓ ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କଠୋର ମନୋଭାବ ପ୍ରକାଶ କରିବାର କାରଣ ଥିଲା, ରାଓ ସିବିଆଇର ଆନ୍ତରୀଣ ନିର୍ଦେଶକ ଥିବା ସମୟରେ ଅଦାଲତଙ୍କ ନିର୍ଦେଶକୁ ଅବମାନନା କରି ସିବିଆଇ ଅଧିକାରୀ ଶର୍ମାଙ୍କୁ ବଦଳି କରିବା ପଛରେ ଅଜ୍ଞତା ନ ଥିଲା, କୋର୍ଟ ନିର୍ଦେଶକୁ ଜାଣିଶୁଣି ଅବମାନନା କରାଯାଇଥିବା ଖଣ୍ଡପୀଠର ହୃଦବୋଧ ହୋଇଥିଲା । ଅଦାଲତର ଅଧିକାର ଓ ଗାରିମାକୁ କୌଣସି ପରିସ୍ଥିତିରେ କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ, ସେଇଥି ପାଇଁ ଅଦାଲତ ଏହି ଅଦାଲତ ଅବମାନନା ମାମଲାରେ ପ୍ରଥମ ଥର ପାଇଁ ନିଜର କ୍ଷମତାର ପୂର୍ଣ୍ଣ ପ୍ରୟୋଗ କରିଛନ୍ତି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ସ୍ପଷ୍ଟ ଭାବେ କହିଛନ୍ତି ।
ଆଇପିଏସ୍ ନାଗେଶ୍ୱର ରାଓଙ୍କ କ୍ଷେତ୍ରରେ ଅଦାଲତ ଅବମାନନା ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଭଳି କଠୋର ଆଭିମୁଖ୍ୟ କଲେ ଶିଳ୍ପପତି ଅନିଲ ଆମ୍ବନୀଙ୍କ କ୍ଷେତ୍ରରେ ମଧ୍ୟ ଅନ୍ୟ ଏକ ଅଦାଲତ ଅବମାନନା ମାମଲାରେ ଠିକ୍ ସେହି ଭଳି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି ଅଦାଲତର ଗାରିମା ଅକ୍ଷୁର୍ଣ୍ଣ ରଖିଛନ୍ତି । ପ୍ରଥମ ଥର ପାଇଁ ଅଦାଲତ ଦେଶର ଜଣେ ପ୍ରମୁଖ ଶିଳ୍ପପତିଙ୍କୁ ଚୁକ୍ତି ମୁତାବକ ବାକି ଅର୍ଥ ନିର୍ଦ୍ଧାରିତ ସମୟରେ ପରିଶୋଧ ନ କଲେ ଜେଲ୍ ଯିବାକୁ ପଡିବ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି । ଗତ ବୁଧବାର (ଫେବୃୟାରୀ ୨୦ ତାରିଖ) ଦିନ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମେନ୍ ଓ ଜଷ୍ଟିସ ଭିନିତ ସରନଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ୱିଡେନ୍୍ ଭିତ୍ତିକ ଟେଲେକମ୍ କଂପାନୀ ‘ଏରିକସନ୍’କୁ ୫୫୦ କୋଟି ଟଙ୍କା ପୈଠ କରିବାକୁ ଦେଇଥିବା ଅଣ୍ଡରଟେକିଂର ଖିଲାପ କରିଥିବା ଅଭିଯୋଗରେ ତିନିଟି ରିଲାଏନ୍ସ ଏଡ଼ିଏଜି କଂପାନୀକୁ ଦୋଷୀ ସାବ୍ୟସ୍ତ କରି ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ବଳକା ୪୫୩ କୋଟି ଟଙ୍କା ଫେରସ୍ତ କରା ନ କଲେ ତିନି କଂପାନୀର ଗୃପ୍ ଚେୟାରମ୍ୟାନ ଅନିଲ ଆମ୍ବାନୀଙ୍କୁ ତିନି ମାସ ପାଇଁ ଜେଲ୍ ଯିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ।
ମାମଲା ସଂପର୍କରେ ଅନୁଧ୍ୟନରୁ ଜଣାପଡିଛି, ସ୍ୱିଡ଼େନ କଂପାନୀ ‘ଏରିକ୍ସନ ଇଂଡ଼ିଆ’ ରିଲାଏନ୍ସ କମ୍ୟୁନିକେସନ୍ ର ନେଟୱାର୍କ ଦେଖାଶୁଣା କରୁଥିଲା । ଏବାବଦରେ ‘ଏରିକ୍ସନ୍’ ୫୫୦ କୋଟି ଟଙ୍କା ପାଇବାକୁ ଥିଲା । ଏହି ଟଙ୍କା ରିଲାଏନ୍ସ କମ୍ୟୁନିକେସନ୍ ଦେଉ ନ ଥିବାରୁ ନିଜର ପ୍ରାପ୍ୟ ପାଇବା ପାଇଁ ‘ଏରିକ୍ସନ୍’ ସୁପ୍ରିମ କୋର୍ଟରେ ମାମଲା ଦାଏର କରିଥିଲା । ଏହାର ଶୁଣାଣୀ ବେଳେ ଅନିଲ ଆମ୍ବାନୀ ପ୍ରତିଶ୍ରୁତି ଦେଇଥିଲେ ‘ଏରିକ୍ସନ’ର ସବୁ ଟଙ୍କା ପୈଠ କରି ଦେବେ ବୋଲି । ଅନିଲ ପ୍ରତିଶ୍ରୁତି ରକ୍ଷା ନ କରିବାରୁ ‘ଏରିକ୍ସନ୍’ ତାଙ୍କ ବିରୋଧରେ ଅଦାଳତ ଅବମାନନା ମାମଲା କରିଥିଲା । ବୁଧବାର ଦିନ ଖଣ୍ଡପୀଠ ଏହି ମାମଲାର ଶୁଣୀଣୀ କରି କୋର୍ଟଙ୍କ ଆଦେଶକୁ ଅନିଲ ଜାଣିଶୁଣି ଉଲଂଘନ କରିଥିବା କହିଛନ୍ତି । ଏଥିପାଇଁ ଖଣ୍ଡପୀଠ ଅନିଲଙ୍କ ସହ ରିଲାଏନ୍ସ ଟେଲିକମ୍ ର ଅଧ୍ୟକ୍ଷ ସତୀଶ ସେଠ୍ ଓ ରିଲାଏନ୍ସ ଇନଫ୍ରାଟେଲ୍ ର ଅଧ୍ୟକ୍ଷ ଛାୟା ଭରିରାନିଙ୍କୁ ଦୋଷୀ ସାବ୍ୟସ୍ତ କରି ଚାରି ସପ୍ତାହ ମଧ୍ୟରେ ‘ଏରିକ୍ସନ୍’ର ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଛନ୍ତି । ଏହି ଆଦେଶ ପାଳନ ନ ହେଲେ ତିନି ମାସ ଜେଲ୍ ଯିବାକୁ ପଡିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ଏକ କୋଟି ଟଙ୍କା ଲେଖାଏଁ କୋର୍ଟଙ୍କ ରେଜିଷ୍ଟ୍ରିରେ ଜମା କରିବାକୁ ରିଲାଏନ୍ସ ଟେଲିକମ୍ ଓ ରିଲାଏନ୍ସ ଇନ୍ଫ୍ରାଟେଲକୁ ନିର୍ଦେଶ ଦିଆଯାଇଛି । ଯଦି ଦୁଇ କଂପାନୀ ଟଙ୍କା ଜମା କରିବାରେ ବିଫଳ ହେବେ ତେବେ ଅନିଲଙ୍କୁ ଆଉ ଗୋଟିଏ ମାସ ଅଧିକ ଜେଲ୍ ରେ ରହିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଅନିଲ ଆମ୍ବାନୀଙ୍କ ରିଲାଏନ୍ସ ଗୃପ୍ ପକ୍ଷରୁ କୋର୍ଟ ରେଜିଷ୍ଟ୍ରିରେ ପୂର୍ବରୁ ଜମା କରାଯାଇଥିବା ୧୧୮ କୋଟି ଟଙ୍କା ତୁରନ୍ତ ‘ଏରିକ୍ସନ୍’କୁ ପ୍ରଦାନ କରାଯିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଅଦାଲତ ଅବମାନନା ମାମଲାରେ ରିଲାଏନ୍ସର ନିଃସର୍ତ କ୍ଷମା ପ୍ରାର୍ଥନାକୁ କୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ଫେବୃୟାରୀ ୧୨ ଓ ୧୩ ତାରିଖରେ ଏହି ମାମଲାର ଶୁଣାଣୀ ହୋଇଥିଲା ଓ ଅନିଲ ଆମ୍ବାନୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ । ୧୩ ତାରିଖ ଶୁଣାଣୀ ପରେ ମାମଲାର ରାୟ ସଂରକ୍ଷିତ ରଖା ଯାଇ ଥିଲା ।
ଆଇପିଏସ୍ ଏମ. ନାଗେଶ୍ୱର ରାଓ ଏବଂ ଶିଳ୍ପପତି ଅନିଲ ଆମ୍ବାନୀଙ୍କ ବିରୋଧରେ ସୁପ୍ରିମ କୋର୍ଟରେ ହୋଇଥିବା ଅଦାଲତ ଅବମାନନା ମଧ୍ୟରେ କୌଣସି ସଂପର୍କ ନ ଥିଲେ ମଧ୍ୟ ଏକମାତ୍ର ସାମଂଜସ୍ୟ ହେଉଛି, ଦୁଇଟି ଯାକ ହାଇପ୍ରୋଫାଇଲ୍ ମାମଲା । ଜଣେ ପୂର୍ବତନ ସିବିଆଇ ଆନ୍ତରୀଣ ମୁଖ୍ୟ ଓ ଅନ୍ୟ ଜଣକ ହେଉଛନ୍ତି ଦେଶର ପ୍ରମୁଖ ଧନୀଙ୍କ ମଧ୍ୟରେ ଗଣା ଯାଉଥିବା ଆମ୍ବାନୀ ପରିବାରର ଦାୟଦ ଅନିଲ ଆମ୍ବାନୀ । ଦୁଇ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତମ ଭାବେ ଜଣାଶୁଣା । ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ଆଇପିଏସ୍ ରାଓଙ୍କୁ ଦୁଇ ଥର ଦେଶର ପ୍ରମୁଖ ଅପରାଧ ତଦନ୍ତକାରୀ ସଂସ୍ଥା ସିବିଆଇର ଅନ୍ତରୀଣ ଓ କାର୍ଯ୍ୟକାରୀ ମୁଖ୍ୟ (ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ କାର୍ଯ୍ୟକାରୀ ମୁଖ୍ୟ ରାକେଶ ଆସ୍ଥାନାଙ୍କୁ ୭୦ ଦିନରୁ ଅଧିକ ଛୁଟିରେ ପଠାଇବା ପରେ ଏବଂ ୭୪ ଦିନ ପରେ ବର୍ମା ସୁପ୍ରିମ କୋର୍ଟଙ୍କ ଦ୍ୱାରା ପୁନଃ ଅବସ୍ଥାପିତ ହେବାର ୨୪ ଘଂଟା ମଧ୍ୟରେ ସରକାରଙ୍କ ଦ୍ୱାରା ହୋମଗାର୍ଡ ମହାନିର୍ଦେଶକ ଭାବେ ବଦଳି ହେବା ପରେ) ଭାବେ ନିଯୁକ୍ତି ଦେଇ ତାଙ୍କ ପ୍ରତି ସରକାରଙ୍କ ରହିଥିବା ଭରସା ପ୍ରତିପାଦିତ କରିଥିଲେ । ସେହିଭଳି, ରାଫେଲ୍ ଯୁଦ୍ଧ ବିମାନ ଖର୍ଦ୍ଦିକୁ ନେଇ ଚାଲି ଥିବା ବିବାଦରେ ଶିଳ୍ପପତି ଆମ୍ବାନୀ ଛନ୍ଦି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ସଂସ୍ଥା ‘ହିନ୍ଦୁସ୍ଥାନ ଏରୋନୋଟିକ୍ସ’ ବା ‘ହାଲ୍’କୁ କୋଣଠେସା କରି ଅନିଲ ଆମ୍ବାନୀଙ୍କ ଅନଭିଜ୍ଞ ସଂସ୍ଥାକୁ ରାଫେଲ ଚୁକ୍ତିରେ ସାମିଲ କରିଥିବା ନେଇ ରାଜନୈତିକ ବିବାଦ ଏଯାବତ୍ ଥମି ନାହିଁ । ଏଭଳି ପ୍ରତିପତ୍ତିଶାଳୀ ବ୍ୟକ୍ତିବିଶେଷ ଦେଶର ଆଇନ ବ୍ୟବସ୍ଥାକୁ ନିଜ ଇଚ୍ଛା ମୁତାବକ ମୋଡି ପାରନ୍ତି ବୋଲି ଦେଶବାସୀଙ୍କ ମନରେ ଯେଉଁ ଧାରଣା ଥିଲା ତାହା ଅଦାଲତ ଅବମାନନା ମାମଲାରେ ରାଓ ଓ ଆମ୍ବାନୀଙ୍କ ବିରୋଧରେ ସୁପ୍ରିମ କୋର୍ଟଙ୍କ କଡା କାର୍ଯ୍ୟାନୁଷ୍ଠାନ ପରେ ବଦଳି ଯାଇଛି । ଅଦାଲତ ସାମନାରେ ସବୁ ନାଗରିକ ସମାନ, ତାହା ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ଏହି ଦୁଇ ମାମଲାରେ ସ୍ପଷ୍ଟ କରିଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS