ନୂତନ କର୍ମ ନିଯୁକ୍ତି ନାହିଁ, ବେକାରୀ ବଢିଛି- ସରକାର ନିଦାବିଷ୍ଣୁ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୨/୨: ବର୍ଷକୁ ଦୁଇ କୋଟି କର୍ମନିଯୁକ୍ତି ସୃଷ୍ଟି କରାଯାଇ ସେଥିରେ ଦେଶର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ୨୦୧୪ ସାଧାରଣ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସି ଥିବା ବିଜେପି ତାହା ପାଳନ କରିବାରେ ବିଫଳ ହୋଇଛି । ନୂତନ ନିଯୁକ୍ତି ସଂପର୍କିତ ତଥ୍ୟ ଲୁଚାଇବାକୁ କେନ୍ଦ୍ର ସରକାର ସବୁମନ୍ତେ ପ୍ରୟାସ କରିଥିବା ସତ୍ୱେ ତାହା ପଦାକୁ ଆସି ଏବେ ରାଜନୈତିକ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ବିଗତ ଚାରି ବର୍ଷ ମଧ୍ୟରେ କେନ୍ଦ୍ର ସରକାର କେବଳ କେବଳ ଘରୋଇ କ୍ଷେତ୍ରରେ ନୁହେଁ, ସରକାରୀ କ୍ଷେତ୍ରରେ ମଧ୍ୟ ନୂତନ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ବିଭିନ୍ନ ସରକାରୀ ସଂସ୍ଥା ଓ ଉଦ୍ୟୋଗରେ କାଳି ପଡିଥିବା ସ୍ଥାନରେ ନୂତନ ନିଯୁକ୍ତିକୁ ପ୍ରୋତ୍ସାହିତ କରା ନ ଯାଇ ଘରୋଇ ସଂସ୍ଥାଙ୍କ ମାଧ୍ୟମରେ ଠିକା ଭିତ୍ତିରେ କର୍ମନିଯୁକ୍ତି ଦିଆଯିବା ଫଳରେ ଦେଶରେ ଏହି ସମୟ ମଧ୍ୟରେ ୩୮ ପ୍ରତିଶତ ନିଯୁକ୍ତି ହ୍ରାସ ପାଇ ଥିବା ଅନୁଧ୍ୟାନରୁ ଜଣାପଡିଛି । କେନ୍ଦ୍ର ସରକାରଙ୍କ ନୂତନ ନିଯୁକ୍ତିର ମାଧ୍ୟମ ୟୁପିଏସସି, ଏସଏସସି ଓ ଆରଆରବି ମାଧ୍ୟମରେ ସର୍ବାଧିକ ନିଯୁକ୍ତି ମିଳିଥାଏ । କିନ୍ତୁ, ଏହି ତିନି ସଂସ୍ଥା ମାଧ୍ୟମରେ ୨୦୧୪-୧୫ରେ ପ୍ରାୟ ୧ ଲକ୍ଷ ୧୩୩ ହଜାର ନିଯୁକ୍ତି ଦିଆଯାଇଥିବା ବେଳେ ୨୦୧୭-୧୮ରେ ତାହା ୭୦, ୮୦୫କୁ ଖସି ଥିବା ସରକାରୀ ସୂଚନା ମିଳିଛି ।
କେନ୍ଦ୍ର ସରକାରଙ୍କ ପେ’ ଏଣ୍ଡ୍ ଆଲାଉନ୍ସେସ୍ ଅଫ୍ ସିଭିଲିଆନ୍ ଏମ୍ପ୍ଳୟସ୍ ର ୨୦୧୬-୧୭ ବାର୍ଷିକ ରିପୋର୍ଟରୁ ମିଳି ଥିବା ସୂଚନା ଅନୁଯାୟୀ, ୨୦୧୬ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ୪ଲକ୍ଷ ୧୨ ହଜାର କର୍ମସଂସ୍ଥାନ ଖାଲି ରହିଛି । କେନ୍ଦ୍ର ସରକାର ଏହି ସବୁ ଖାଲି ଥିବା ସ୍ଥାନରେ ନୂଆ ନିଯୁକ୍ତି ଦେବା ବଦଳରେ ଠିକା କର୍ମଚାରୀ ନିଯୁକ୍ତି ଦେଇ କାମ ଚଳାଉ ଥିବାରୁ ସ୍ଥାୟୀ ନିଯୁକ୍ତି ଏକପ୍ରକାର ଠପ୍ ହୋଇ ଯାଇଛି । ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟ ଗଲା କିଛି ବର୍ଷ ଧରି ଖାଲି ପଡି ଥିବା ସରକାରୀ ପଦ ପଦବୀରେ ସା୍ଥୟୀ ନିଯୁକ୍ତି ଦେବା ବଦଳରେ ଠିକା କର୍ମଚାରୀ ନିଯୁକ୍ତି ଦେଇ ଖର୍ଚ୍ଚକାଟ୍ କରି ଥିବା ବେଳେ ଏହା ଦ୍ୱାରା ସଂପୃକ୍ତ ସଂସ୍ଥାଙ୍କ କାର୍ଯ୍ୟ ଦକ୍ଷତା ବଢାଇ ଥିବା ଦାବି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନୀତି ଯୋଗୁ ୟୁପିଏସସି ଓ ଏସଏସସି ମାଧ୍ୟମରେ ଦେଶରେ ବେକାର ଯୁବକ ଯୁବତୀଙ୍କ କର୍ମ ନିଯୁକ୍ତି ଆଖିଦୃଶିଆ ହ୍ରାସ ପାଇଛି । ୟୁନିୟନ ପବ୍ଲିକ ସର୍ଭିସ କମିସନ (ୟୁପୁଏସସି), ଷ୍ଟେଟ୍ ସିଲେକ୍ସନ କମିସନ (ଏସଏସସି) ଓ ରେଲୱେ ରିକ୍ରୁଟମେଂଟ ବୋର୍ଡ (ଆରଆରବି) ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟରେ ନୂତନ ନିଯୁକ୍ତି ବହୁମାତ୍ରାରେ ହ୍ରାସ ପାଇଛି ।
ଏହି ରିପୋର୍ଟ ସୂଚନା ମିଳିଛି, ୟୁପିଏସସି ମାଧ୍ୟମରେ ଦେଶରେ ବିଭିନ୍ନ ସର୍ବୋଚ୍ଚ ପଦ ପଦବୀରେ ୨୦୧୪-୧୫ରେ ୮୨୭୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୧୭-୧୮ରେ ତାହା ୬୩୧୪କୁ ଖସିଛି । କର୍ପୋରେଟ ସଂସ୍ଥା ଭଳି ସରକାରୀ ସଂସ୍ଥାଗୁଡିକ ମଧ୍ୟ ଆଜିର ଦିନରେ ବିଭିନ୍ନ ଘରୋଇ ଏଜେନ୍ସି ମାଧ୍ୟମରେ ଆଉଟସୋର୍ସିଂ କରି ଠିକାରେ କର୍ମଚାରୀ ନିଯୁକ୍ତ କରୁଛନ୍ତି । ସ୍ୱଳ୍ପ ସମୟ ପାଇଁ ଏହି ନିଯୁକ୍ତି ସବୁ ଦିଆ ଯିବା ଯୋଗୁଁ ସରକାରୀ ସଂସ୍ଥାଙ୍କ ଉପରେ ଆର୍ଥିକ ଚାପ କମ୍ ରହୁଛି । ଏଭଳି ନିଯୁକ୍ତିକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ଅନୁମୋଦନ ଦେଉ ଥିବା ସରକାରୀ ଭାବେ ସୂଚନା ମିଳିଛି । ଓଡ଼ିଶାରେ ୨୦୦୦ ମସିହାରୁ ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା କ୍ଷେତ୍ରରେ ଠିକା ଶ୍ରମିକ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯାଇ ଖାଲି ପଡି ଥିବା ସରକାରୀ ପଦପଦବୀରେ ନୂତନ ସ୍ଥାୟୀ ନିଯୁକ୍ତିର ରାସ୍ତା ବନ୍ଦ କରି ଦିଆଯାଇଥିବା ବେକାର ସମସ୍ୟା ବଢିବାର ପ୍ରମୁଖ କାରଣ ହୋଇଛି ।
ଦେଶରେ ବେକାରୀ ବୃଦ୍ଧି ଏବଂ ନୂତନ କର୍ମ ନିଯୁକ୍ତି ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ୨୦୧୯ ସାଧାରଣ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ନେଇ ପରସ୍ପର ବିରୋଧରେ କାଦୁଆ ଫିଙ୍ଗିବା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରି ଥିଲେ ଓଡିଶାରେ ,ହି ଚାରି ବର୍ଷ ମଧ୍ୟରେ ୩୭ ଲକ୍ଷ ବେକାର ଯୁବକ, ଯୁବତୀ କର୍ମ ନିଯୁକ୍ତି ପାଇଥା’ନ୍ତେ ବୋଲି ଓଡ଼ିଶା ସରକାର କହୁଛନ୍ତି । ବିରୋଧୀ ଭୂମିକାରେ ଥିବା କଂଗ୍ରେସ ଦଳ ଦେଶରେ ବେକାରୀ ବୃଦ୍ଧିକୁ ଆୟୁଧ କରି କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ବିଜେଡ଼ି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଥିବା ସମୟରେ କେନ୍ଦ୍ରରେ କଂଗ୍ରେସ କ୍ଷମତାସୀନ ହେଲେ ଏହି ସମସ୍ୟାକୁ ପ୍ରଧାନ୍ୟ ଦେବ ଏବଂ ବିଭିନ୍ନ ମାଧ୍ୟରେ ଦେଶରେ ଅଧିକରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରାଯାଇ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ ଅବସରରେ ସଭା ସମିତିରେ ଘୋଷଣା କରିଛନ୍ତି ।
ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ସରକାରଙ୍କ ପତନ ଘଟିବାର ପ୍ରମୁଖ କାରଣ ଚାଷୀଙ୍କ ଆକ୍ରୋଶ ବାଲି ଜାଣିବା ପରେ ଉଭୟ କେନ୍ଦ୍ର ସରକାର ଓ ଓଡ଼ିଶାର ବିଜେଡ଼ି ସରକାର ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଓଡ଼ିଶାର ‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଚାଷୀ, କୃଷି ଶ୍ରମିକ, ଭୂମିହୀନ ଶ୍ରମିକଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାି ଦେବାକୁ ଡ଼ିଜାଇନ୍ ହୋଇଥିବା ବେଳେ କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ‘ପିଏମ୍-କିଶାନ ଯୋଜନା’ ଘୋଷଣା କରି କ୍ଷୁଦ୍ର ଓ ମଧ୍ୟମ ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । କର୍ମ ନିଯୁକ୍ତିର ଅଭାବ ଦୋର ଅନ୍ୟତମ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ସେମାନଙ୍କ ପାଇଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କିଛି ଘୋଷଣା ନାହିଁ । କେବଳ, ଭାରତରେ ‘ସ୍କିଲ୍ ଇଂଡ଼ିଆ’ ଏବଂ ଓଡ଼ିଶାରେ ‘ସ୍କିଲ୍ ଡ଼େଭଲପମେଂଟ କାର୍ଯ୍ୟକ୍ରମ’ମଧ୍ୟମରେ ଯୁବକ, ଯୁବତୀଙ୍କୁ କୁଶଳୀ କରାଯିବା ସହ କର୍ମ ନିଯୁକ୍ତି ବ୍ୟବସ୍ଥା ହୋଇ ଥିବା ଉଭୟ ସରକାରଙ୍କ ପକ୍ଷରୁ ଦାବି ହେଉଛି । ଓଡ଼ିଶାକୁ ଆସୁଥିବା ବିଭିନ୍ନ ପ୍ରକଳ୍ପ ମାଧ୍ୟରେ କର୍ମନିଯୁକ୍ତି ସୃଷ୍ଟି କରାଯିବାର ପ୍ରତିଶ୍ରୁତି ମଧ୍ୟ ମିଳୁଛି । ତେବେ, ବାସ୍ତବତା ହେଉଛି ଭିନ୍ନ । ‘ସେଲ୍ଫି’ ଉଠାଇ ଓ ‘ପକୁଡ଼ି’ ଛାଣିବାକୁ କହି ରାଜ୍ୟ ଓ କେନ୍ଦ୍ର ସରକାର ଯୁବଶକ୍ତିକୁ ନିଜ ଆଡକୁ ଟାଣିବାକୁ ଯେଉଁ ନୂତନ କୌଶଳର ଆଶ୍ରୟ ନେଇଛନ୍ତି ତାହା ବେକାର ଯୁବକ, ଯୁବତୀଙ୍କ ବାସ୍ତବ ସମସ୍ୟାର ସମାଧାନ ନୁହେଁ । ତଥାପି, ଏହା ଯୁବ ଭୋଟରଙ୍କ ମନ କିଣିବାରେ କେତେଦୂର ସକ୍ଷମ ହେବେ, ତାହା ଆଗାମୀ ଦିନରେ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS