ତଥାଗତଙ୍କ ସନ୍ୟାସ ନିଷ୍ପତ୍ତି ଓ ଗଣମାଧ୍ୟମ ରାଜନୀତି


– ପ୍ରସାଦ ରାଓ –
ଭୁବନେଶ୍ୱର, ମାର୍ଚ୍ଚ ୦୭: ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ରାଜନୀତି ଛାଡି ସାମ୍ବାଦିକତାରେ ମନଧ୍ୟାନ ଦେବେ । ଏହି ଖବର ସାମ୍ବାଦିକ ମହଲରେ ତର୍ଜମାର ବିଷୟ ହୋଇଛି । ପ୍ରଥମେ କଂଗ୍ରେସ ଓ ପରେ ନବେ ଦଶକରୁ ସେ ଅଣ-କଂଗ୍ରେସ ରାଜନୀତିରେ ଅଛନ୍ତି । ରାଜନୀତିରେ ଥାଇ ସାମ୍ବାଦିକତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଉଥିବା ତାଙ୍କ ସଂପାଦନାରେ ପରିଚାଳିତ ଓଡ଼ିଆ ଦୈନିକ ‘ଧରିତ୍ରୀ’ରେ ପଅକାଶିତ ଦୈନନ୍ଦିନ ଖବର ଓ ସଂପାଦକୀୟରୁ ପ୍ରତିଫଳିତ ହୁଏ । ଏହି ଖବରକାଗଜ ଓଡ଼ିଶାର ପୂରାତନ ଏବଂ ପାଠକଙ୍କ ଦ୍ୱାରା ଆଦୃତ । ବିଜେଡ଼ିରେ ଥାଇ ମଧ୍ୟ ତଥାଗତ ଅଧିକାଂଶ କ୍ଷେତ୍ରରେ ନିଜର ଭିନ୍ନ ମତ ବା ନିର୍ଭିକ ମତ ପ୍ରକାଶ କରି ଶାସକ ଦଳରେ କଂପନ ସୃଷ୍ଟି କରିଛନ୍ତି । ପରବର୍ତୀ ସମୟରେ କିଛି କ୍ଷେତ୍ରରେ ସେ ନିଜ କଥାରେ ଅଡି ରହି ଥିବା ବେଳେ ଅନ୍ୟ କିଛି କଥାରେ ନିଜର ମତରେ ସଂଶୋଧନ ମଧ୍ୟ କରିଛନ୍ତି । ସଂସଦରେ ସେ ବିଜେଡ଼ିର ଜଣେ ପ୍ରଭାବଶାଳୀ ପ୍ରତିନିଧି ଭାବେ ପରିଚିତ । ଓଡ଼ିଶା ପ୍ରେସ୍ କ୍ଲବର ସଭାପତି ଭାବେ ମଧ୍ୟ ସେ ସାମ୍ବାଦିକ ଓ ସାମ୍ବାଦିକତା ପ୍ରତି ତାଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି । ଏଭଳି ସ୍ଥିତିରେ ନିର୍ଭିକ ସାମ୍ବାଦିକତା ନାମରେ ତାଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ପଡିଲା କାହିଁକି (?), ତାହା ମୁଖ୍ୟ ପ୍ରଶ୍ନ ହୋଇଛି । ଏହି ନିଷ୍ପତ୍ତି ପଛରେ ଅନ୍ୟ କିଛି ରାଜନୈତିକ କାରଣ ଥିବା ଜଳଜଳ ଦିଶୁଥିବା ବେଳେ ତଥାଗତ ବାବୁ ପୁଅର ଚାପରେ ରାଜନୀତିରୁ ସନ୍ୟାସ ନେଉ ଥିବାର ଯେଉଁ ବାହାନା ଦେଖାଉଛନ୍ତି ତାହା ଅନେକଙ୍କ ପାଇଁ ଗ୍ରହଣୀୟ ହୋଇ ପାରୁ ନାହିଁ ।
ତଥାଗତଙ୍କ ଏଭଳି ଏକ ନିଷ୍ପତ୍ତି ପାଇଁ ୨୦୧୮ ଏପ୍ରିଲ-ମେ’ରୁ ବିଜେଡ଼ିରେ ଘଟି ଥିବା କିଛି ବ୍ୟତିକ୍ରମକୁ ଦାୟୀ କରାଯାଇପାରେ । ପ୍ରଥମ ବ୍ୟତିକ୍ରମ ହେଉଛି, ‘ସମ୍ବାଦ’ ସଂପାଦକ ତଥା ଇଷ୍ଟର୍ଣ୍ଣ ମିଡ଼ିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଯେଉଁ ଭଳି ଭାବେ ବିଜେଡ଼ିରେ ନିଆ ଯାଇ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସୌମ୍ୟ କଂଗ୍ରେସ ପରିବାରର ସଦସ୍ୟ ଭାବେ ଅଶି ଦଶକରୁ ଉଭୟ ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରକୁ ଆବୋରି ବସି ନିଜର ପ୍ରଭାବ ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି । ତେବେ, ସେ ନିଜକୁ ଜଣେ ସଫଳ ରାଜନେତା ଭାବେ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇ ନ ଥିଲେ ମଧ୍ୟ ଜଣେ ସଫଳ ଗଣମାଧ୍ୟମ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ‘ସମ୍ବାଦ’, କନକ ଟିଭି, ରେଡିଓ ଚକଲେଟ୍, ଇଷ୍ଟର୍ଣ୍ଣ ମିଡ଼ିଆ ଅପେରା ପ୍ରଭୃତି ତାଙ୍କ ପରିଚୟ ଏବଂ ସୌମ୍ୟଙ୍କ ୩୫ ବର୍ଷର ବ୍ୟବସାୟିକ ଜୀବନକୁ ସମୃଦ୍ଧ କରିଛି । ସାହିତ୍ୟ, ସମାଜସେବା ମଧ୍ୟ ଏହି ଗଣମାଧ୍ୟମ ସଂସ୍ଥା ମାଧ୍ୟମରେ ହେଉଛି । କଂପାନୀର ସିଏସଆର୍ କାର୍ଯ୍ୟ ପାଇଁ ‘ଆମ ଓଡ଼ିଶା’କୁ ଏକ ଏନଜିଓ ଭାବେ ଆରମ୍ଭ କରାଯାଇଥିଲା । ପରବର୍ତୀ ସମୟରେ ତାହାକୁ ଏନଜିଓ ସହ ରାଜନୈତିକ ଦଳ ଭାବେ ମଧ୍ୟ ବ୍ୟବହାର କରାଯାଇ କିଛି ମାସ ରାଜନୀତି କରାଯାଇଛି । ଶେଷରେ, ସୌମ୍ୟ ବାବୁଙ୍କ ସହ ‘ଆମ ଓଡ଼ିଶା’ ମଧ୍ୟ ଏକପ୍ରକାର ବିଜେଡ଼ିରେ ବିଲିନ ହୋଇ ଥିବା ଲକ୍ଷ୍ୟ କରାଯାଉଛି ।
ସୌମ୍ୟରଂଜନ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜ୍ୱାଇଁ । ୧୯୮୦ରୁ ୧୯୯୦ କଂଗ୍ରେସ ସରକାର ଅମଳରେ ତାଙ୍କୁ ଗଣମାଧ୍ୟମ ବ୍ୟବସାୟକୁ ଅଣା ଯାଇ ସରକାରୀ ସ୍ତରରେ ଅଧିକ ପ୍ରାଧାନ୍ୟ ଦିଆ ଯିବା ଅନେକଙ୍କ ପାଇଁ ଅଶ୍ୱସ୍ତିକର ଥିଲା । ସୌମ୍ୟ ଗଣମାଧ୍ୟମ ସହ କଂଗ୍ରେସରେ ରହି ନବେ ଦଶକ ଶେଷ ଭାଗରେ କିଛି ମାସ ପାଇଁ ସାଂସଦ ହେବାର ସୁଯୋଗ ପାଇଥିଲେ । ତେବେ, ପରବର୍ତୀ ସମୟରେ ହୋଇ ଥିବା ଭୁବନେଶ୍ୱର ସଂସଦୀୟ ଆସନ ଓ ଖଣ୍ଡପଡା ବିଧାନସଭା କ୍ଷେତ୍ରରୁ ବାରମ୍ବାର ପରାଜିତ ହୋଇ ୨୦୧୮ରେ ତାଙ୍କ ରାଜ୍ୟସଭା ଯିବା ସ୍ୱପ୍ନ ସାକାର କରିଛନ୍ତି । ଏଥିସକାଶେ ସେ ତାଙ୍କ ବିଚାରଧାରା ବଦଳାଇବାକୁ ପଛାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡ଼ିକୁ ନେଇ ତୁରନ୍ତ ରାଜ୍ୟସଭାକୁ ପଠାଇବା ତଥାଗତଙ୍କ ଭଳି ପୁରୁଖା ବିଜେଡ଼ି ନେତାଙ୍କୁ ଅସନ୍ତୁଷ୍ଟ କରିଛି । ସୌମ୍ୟ କଂଗ୍ରେସରୁ ବିଜେପି, ଏନସିପି ଦେଇ ପୁନର୍ବାର କଂଗ୍ରେସ ଏବଂ କଂଗ୍ରେସରୁ ବିଦା ହେବା ପରେ ‘ଆମ ଓଡ଼ିଶା’କୁ ରାଜନୈତିକ ଦଳରେ ପରିଣତ କରିବା ବିରୋଧୀଙ୍କୁ ବିଚଳିତ କରି ନ ଥିଲା । କିନ୍ତୁ, ରାଜନୈତିକ ଓ ସାମ୍ବାଦିକତା ଜୀବନରେ ବିଜୁ ବାବୁ, ଜନତା ଦ. ନବୀନ ଓ ବିଜେଡ଼ିକୁ କଟୁ ସମାଲୋଚନା କରି ଆସି ଥିବା ସୌମ୍ୟଙ୍କୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରୂପା ଫରୁଆରେ ବସାଇ ବିଜେଡ଼ିରେ ଗ୍ରହଣ କରାଯିବା ଏବଂ ତୁରନ୍ତ ଖାଲି ଥିବା ରାଜ୍ୟସଭା ପାଇଁ ମନୋନୀତ କରାଯିବା ନବୀନ ଅନୁଗତଙ୍କୁ ଆଘାତ ଦେବା ସ୍ୱାଭାବିକ । ଏହାଛଡା, ରାଜନୀତି ଓ ବ୍ୟବସାୟକୁ ନେଇ ସୌମ୍ୟ-ତଥାଗତଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ତୀକ୍ତତା ଥିବା ଜଣାଶୁଣା । ତେଣୁ, ସୌମ୍ୟଙ୍କ ବିଜେଡ଼ି ପ୍ରବେଶ ପରେ ତଥାଗତଙ୍କ ସଂପାଦୀତ ‘ଧରିତ୍ରୀ’ର ସ୍ୱର ବଦଳିଛି ଏବଂ ନବୀନ ସରକାରଙ୍କ ବିରୋଧରେ ଶାଣିତ ହୋଇଥିବା ଲକ୍ଷ୍ୟ କରାଯାଉଛି ।
ସୌମ୍ୟଙ୍କ ବିଜେଡ଼ି ପ୍ରବେଶ ପୂର୍ବରୁ ତଥାଗତଙ୍କ ଭଳି ବିରିଷ୍ଠ ଗଣମାଧ୍ୟମ ସମ୍ପାଦକମାନେ ଦଳରେ ବେଶ୍ ପ୍ରଭାବଶାଳୀ ଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ମତକୁ ଗୁରୁତ୍ୱ ଦେଉ ଥିଲେ । ଏବେ ସେମାନେ ନବୀନ-ଦରବାରରେ କୋଣଠେସା ହୋଇଥିବା ଅନୁଭବ କରୁଛନ୍ତି । ତଥାଗତ ରାଜନୀତିରୁ ‘ସନ୍ୟାସ’ ନେବାକୁ ନିଷ୍ପତ୍ତି ନେବା ପଛରେ ଏଭଳି କିଛି କାରଣ ଥିବା ପୁରୁଖା ସାମ୍ବାଦିକମାନେ ଅନୁମାନ କରୁଛନ୍ତି । ନାବାଳକ ପୁଅ ଆରିଲଙ୍କ ଚାପରେ ସେ ରାଜନୀତିରୁ ସନ୍ୟାସ ନେଇ ନିର୍ଭିକ ସାମ୍ବାଦିକତାକୁ ଫେରୁ ଥିବା ସଂପର୍କରେ ତଥାଗତ ଯାହା କହୁଛନ୍ତି ସତ ହୋଇ ପାରେ, କିନ୍ତୁ ବିଜେଡ଼ିରେ ସୌମ୍ୟଙ୍କ ପ୍ରଭାବ ବୃଦ୍ଧି ଅନ୍ୟତମ କାରଣ ଭାବେ ବିଚାର କରାଯାଉଛି । ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡା ଓ ତାଙ୍କ ପରିବାରର ମାଲିକାନାରେ ଥିବା ବୈଦ୍ୟୁତିକ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ, ବିଜେଡ଼ି ଓ ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନ)ଙ୍କୁ ଲଗାତର ଟାର୍ଗେଟ୍ କରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୌମ୍ୟ-କାର୍ଡ’ ଖେଳିଛନ୍ତି । ପଣ୍ଡାଙ୍କୁ ବିଜେଡ଼ିରୁ ବହିଷ୍କୃତ ହୋଇ ସାଂସଦ ପଦରୁ ଇସ୍ତାଫା ଦେଇଛନ୍ତି । ନିକଟରେ ପଣ୍ଡା ବିଜେପିରେ ଯୋଗ ଦେଇ ପଦ୍ମ ରାଜନୀତି ଆରମ୍ଭ କରିଛନ୍ତି ।
ତଥାଗତ-ସୌମ୍ୟ ସଂପର୍କ ଭଳି ଗଣମାଧ୍ୟମ ଜଗତରେ ବୈଜୟନ୍ତ-ସୌମ୍ୟ ସଂପର୍କ ମଧ୍ୟ ତୀକ୍ତ, ଏହା ଜଣାଶୁଣା କଥା । ତେଣୁ, ବୈଜୟନ୍ତ ଓ ତାଙ୍କ ବୈଦ୍ୟୁତିକ ଗଣମାଧ୍ୟମ ବିଜେଡ଼ିକୁ ଟାର୍ଗେଟ୍ କରିବାରୁ ମୁଖ୍ୟମନ୍ତ୍ରୀ ହକି ବିଶ୍ୱ କପ୍ ସମୟରେ ସୌମ୍ୟଙ୍କୁ ଚାରା ଖୁଆଇ ଥିଲେ । ନୂଆଦିଲ୍ଲୀରେ ହକି ବିଶ୍ୱ କପ୍ ଜିର୍ସି ଉନ୍ମୋଚନ ବାହାନାରେ ସେଠାରେ ସୌମ୍ୟ-ପାଣ୍ଡିଆନ ଆଲୋଚନା ହୋଇଥିଲା ଏବଂ ସୌମ୍ୟ ତାଙ୍କ ବହୁଳ ପ୍ରସାରିତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସ୍ୱର ବଦଳାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଦୃଷ୍ଟିକୁ ଆସି ଥିଲେ । ବିଜେଡ଼ି ବୈଜୟନ୍ତଙ୍କ କ୍ଷତି ଭରଣା କରିଥିଲା । ସର୍ତର୍ (!) ମୁତାବକ ସୌମ୍ୟରଂଜନ ରାଜ୍ୟସଭାକୁ ଗଲେ । ଏହାଛଡା, ନବୀନ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିକଟ ବଂଟନ ବେଳେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଘୋଷଣା କରି ଥିବାରୁ ବିଜେଡ଼ି ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଯୋଗ୍ୟ ମହିଳା ପ୍ରାର୍ଥୀ ଖୋଜୁଛି । ସେହି ଆଧାରରେ ସୌମ୍ୟ ତାଙ୍କ ପୁରୁଣା ଖଣ୍ଡପଡା ବିଧାନସଭା ଆସନରୁ ତାଙ୍କ ପରିବାର କେହି ମହିଳା ସଦସ୍ୟଙ୍କୁ ପ୍ରାର୍ଥୀ କରିବା ପ୍ରତିଶ୍ରୁତି ପାଇଥିବା ମଧ୍ୟ କୁହାଯାଉଛି । ସୌମ୍ୟଂଙ୍କ ପ୍ରତି ବିଜେଡ଼ିରେ ନେତା ଅହେତୁକ ଅନୁକଂପା ତଥାଗତଙ୍କ ଭଳି ନବୀନ ଅନୁଗତଙ୍କୁ କ୍ଷୁବ୍ଧ କରିଛି । ତେଣୁ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ଦିନେ ଦୁଇ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ବେଳେ ତଥାଗତଙ୍କ ରାଜନୈତିକ ସନ୍ୟାସ ନିଷ୍ପତ୍ତି ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇ ଥିବା ଅଶାନ୍ତିକୁ ପ୍ରତିଫଳିତ କରୁଛି ।
କେବଳ ସୌମ୍ୟ ନୁହନ୍ତି, ‘କିଟ୍’ ପ୍ରତିଷ୍ଠାତା ଓ ‘କଳିଙ୍ଗ ଟିଭି’ ମାଲିକ ଡ଼.ଅଚ୍ୟୁତ ସାମନ୍ତ ମଧ୍ୟ ସକ୍ରୀୟ ରାଜନୀତିରେ ନ ଥାଇ ନବୀନଙ୍କ ଅନୁକଂପା ଯୋଗୁ ସୌମ୍ୟଙ୍କ ସହ ରାଜ୍ୟସଭାକୁ ଯାଇଛନ୍ତି । ତାହା ମଧ୍ୟ ବିଜେଡ଼ିରେ ଅସନ୍ତୋଷର କାରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ପଂଚମ ଥର ପାଇଁ ବିଜେଡ଼ିକୁ କ୍ଷମତାକୁ ଆଣିବାକୁ ଉଦ୍ୟମ କରୁଥିବାରୁ ବିଜେଡ଼ି ବାହାରର କିଛି ଗଣମାଧ୍ୟମ ମାଲିକଙ୍କୁ ଦଳକୁ ଆଣି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦ ପଦବୀରେ ଅବସ୍ଥାପିତ କରିଛନ୍ତି । ତାହା ବର୍ଷ ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରି ଆସି ଥିବା ଗଣମାଧ୍ୟମ ମାଲିକମାନଙ୍କୁ ଅସନ୍ତୁଷ୍ଟ କରିବା ସ୍ୱାଭାବିକ । ତଥାଗତଙ୍କ ଭଳି ସ୍ୱାଭିମାନୀ ଗଣମାଧ୍ୟମ ମାଲିକ ନିଜର ଅସନ୍ତୋଷ ଜାହିର କରିବାକୁ ଯାହା କୁହନ୍ତୁ ନା କାହିଁକି ‘ରାଜନୀତିରୁ ସନ୍ୟାସ’ର ବାଟ ବାଛିଛନ୍ତି । ତଥାଗତ କେବଳ ନୁହନ୍ତି, ଲୋକସଭାରେ ବିଜେଡ଼ି ସଂସଦୀୟ ଦଳର ଅଧ୍ୟକ୍ଷ ଥିବା ଭର୍ତୃହରି ମହତାବ ମଧ୍ୟ ନିଜ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ସଂପାଦକୀୟ ମାଧ୍ୟମରେ ଭିନ୍ନମତ ପ୍ରକାଶ କରି ବିବଦ ଘେରକୁ ଆସି ଥିଲେ । ତେବେ, ପରେ ସେ ଦଳ ସହ ସଂପର୍କ ସୁଧାରି ନେଇ ଥିଲେ । କିନ୍ତୁ, ତଥାଗତ ତାହା କରି ନ ପାରି ରାଜନୀତି ଛାଡି ନିର୍ଭିକ ସାମ୍ବାଦିକତାକୁ ଫେରୁ ଥିବା କହୁଛନ୍ତି । ୬୦ ବର୍ଷ ଅତିକ୍ରମ କଲେ ଜଣେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇ ଯୁବ ବର୍ଗଙ୍କୁ ବାଟ ଛାଡିବା ଆବଶ୍ୟକ ବୋଲି ତଥାଗତଙ୍କ ମନ୍ତବ୍ୟ କାହା ଉଦେ୍ଦଶ୍ୟରେ(?), ଏବେ ତାହା ମଧ୍ୟ ତର୍ଜମାର ବିଷୟ ହୋଇଛି ।
ତଥାଗତ ସତପଥୀ ମହିଳାଙ୍କ ପାଇଁ ଟିକଟ ସଂରକ୍ଷଣର ଶିକାର ହୋଇଥିବା ମଧ୍ୟ ଅନେକ ଆଲୋଚନା କରୁଛନ୍ତି । ତେବେ, ତାଙ୍କ ପତ୍ନୀ ଅଦ୍ୟାଶା ସତପଥୀ ରାଜନୀତିକୁ ଆସୁ ନ ଥିବା ତଥାଗତ ସ୍ପଷ୍ଟ କରିସାରିଛନ୍ତି । ସୌମ୍ୟଙ୍କ ଭଳି ତଥାଗତ ମଧ୍ୟ ଓଡ଼ିଶାର ଏକ ପ୍ରତିଷ୍ଠିତ ସାମ୍ବାଦିକ-ରାଜନୈତିକ ପରିବାରର ଦାୟଦ । ତାଙ୍କ ପିତା ଦେବେନ୍ଦ୍ର ଶତପଥୀ ‘ଧରିତ୍ରୀ’ର ସଂପାଦନା କରୁଥିଲେ । ମା’ ସ୍ୱର୍ଗତ ନନ୍ଦିନୀ ଶତପଥୀ ବାମପନ୍ଥୀ ରାଜନୀତିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରି ସତୁରୀ ଦଶକରେ ତକ୍ରାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ । ପରେ, ଇନ୍ଦିରାଙ୍କ ନିର୍ଦେଶକ୍ରମ ଓଡ଼ିଶାରେ କଂଗ୍ରେସ ସରକାରଙ୍କ ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହି ସମୟରେ ମା’ଙ୍କ ଠାରୁ ତଥାଗତ ରାଜନୈତିକ ଜ୍ଞାନ ପାଇଛନ୍ତି । ନବେ ଦଶକରେ ସେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଜନତା ଦଳରେ ଯୋଗ ଦେଇ ୧୯୯୦ରେ ଢେଙ୍କାନାଳ ଆସନରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରେ ଜନତା ଦଳ ଏବଂ ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡ଼ି ଟିକଟରେ ସେ ଢେଙ୍କାନାଳ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ଷୋଡଶ ଲୋକସଭାରେ ସେ ବିଜେଡ଼ି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ମା’ଙ୍କ ଢେଙ୍କାନାଳ ଆସନକୁ ଆଜି ପର୍ଯ୍ୟନ୍ତ ହେପାଜତ କରି ଅସି ଥିବା ତଥାଗତ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରି ଥିବାରୁ ଆଗାମୀ ଦିନରେ ଏହି ଲୋକସଭା ଓ ବିଧାନସଭା ଆସନ କାହା ହାତକୁ ଯିବ, ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଓଡ଼ିଶାରେ ଗଣମାଧ୍ୟମ ସର୍ବଦା ରାଜନୀତି ସହ ରହିଛି । ଯେଉଁ ଦଳ ସରକାର ଗଢୁ ନା କାହିଁକି ଗଣମାଧ୍ୟମ ମାଲିକଙ୍କୁ ପ୍ରାଧାନ୍ୟ ଦେଇଥାଏ । ବେଳେ ବେଳେ ତଥାଗତଙ୍କ ଭଳି ନେତା ବିତୃଷ୍ଣ ହୋଇ ନିର୍ଭିକ ସାମ୍ବାଦିକତା କରିବା ନାମରେ ପଛକୁ ଫେରିଥା’ନ୍ତି । ଏଥିରେ ସେଭଳି କିଛି ନୂତନତ୍ୱ ନାହିଁ । କିନ୍ତୁ, ଯେଉଁ ସମୟରେ ତଥାଗତ ତାଙ୍କ ନିଷ୍ପତ୍ତିର ପରିପ୍ରକାଶ କଲେ ତାହା ଏଭଳି ଏକ ଆଲୋଚନାର ଅବକାଶ ସୃଷ୍ଟି କରିଛି । ଓଡ଼ିଶା ଗଣମାଧ୍ୟମରେ ଏକ ନିରପେକ୍ଷ ସ୍ୱରର ଆବଶ୍ୟକ ଥିବା ସମୟରେ ତଥାଗତଙ୍କ ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS