ଅସମାଧିତ ପ୍ରଶ୍ନକୁ ନେଇ ଅଡୁଆରେ ନାୟକ
– ପ୍ରସାଦ ରାଓ –
ଭୁବନେଶ୍ୱର, ୦୮ ମାର୍ଚ୍ଚ: ଦେଶରେ ନାୟକଙ୍କ ଅଭାବ ନାହିଁ । ରାଜନାୟକ, ଚଳଚ୍ଚିତ୍ର ନାୟକ, ସେନା ନାୟକ, କ୍ରୀଡା କ୍ଷେତ୍ରରେ ଅଧିନାୟକ ଭଳି ଅନେକ ଅନେକ । ଏବେ, ଦେଶର ନୂଆ ନାୟକ ଭାବେ ଉଭା ହୋଇଛନ୍ତି ଅଭିନନ୍ଦନ ଭର୍ତମାନ । ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନା ଏହି ଦକ୍ଷିଣ ଭାରତୀୟ ଯୁବ ସେନା ଅଧିକାର ଜଣକ ୨୦୧୯ ଫେବୃୟାରୀ ୨୭ ପର୍ଯ୍ୟନ୍ତ ଦେଶ ସମ୍ମୁଖରେ ଅପରିଚିତ ଥିଲେ । ପୁଲୱାମାରେ ଫେବୃୟାରୀ ୧୪ ତାରିଖରେ ଘଟି ଥିବା ଆତଙ୍କବାଦୀ ଆକ୍ରମଣ ଓ ତାହା ପରବର୍ତୀ ଫେବୃୟାରୀ ୨୬/୨୭ ତାରିଖ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଏହି ନୂଆ ନାୟକଙ୍କୁ ଦେଶ ସାମନାକୁ ଆଣିଛି । ୨୭ ତାରିଖ ପାକିସ୍ତାନୀ ଯୁଦ୍ଧ ବିମାନର ଭାରତୀୟ ବାୟୁ ସୀମା ଉଲଂଘନ ଉଦ୍ୟମ ଏବଂ ଶତୃ ପକ୍ଷ ବିମାନକୁ ଘଉଡ଼ାଇବା ପାଇଁ ଭାରତୀୟ ବିମାନ ବାହିନୀର କାର୍ଯ୍ୟାନୁଷ୍ଠାନରେ ଭର୍ତମାନଙ୍କ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ସେ ନିଖୋଜ ହୋଇ ଯାଇଥିଲେ । ପାକିସ୍ତାନ ତାଙ୍କୁ ଯୁନ୍ଧବନ୍ଦୀ କରି ରଖି ୩୦ ଘଂଟା ନିଜ କବଜାରେ ରଖି ନିର୍ଯ୍ୟାତନା ଦେବା ପରେ ବିଶ୍ୱ ନେତାଙ୍କ ଚାପରେ ମୁକ୍ତି ଦେଇଥିଲା ।
ଆଜିର ଦିନରେ ସେ ପ୍ରତ୍ୟେକ ଭାରତୀୟଙ୍କ ଆଖିରେ ବାସ୍ତବ ‘ହୀରୋ’ ବା ନାୟକ । ଦେଶରେ ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମ କେବଳ ନୁହଁ, ସାମାଜିକ ଗଣମାଧ୍ୟମଗୁଡିକରେ ମଧ୍ୟ ଭର୍ତମାନଙ୍କୁ ନେଇ ଖବର ପ୍ରମୁଖ ସ୍ଥାନ ଅଧିକାର କରିଛି । ଫେବୃୟାରୀ ୨୭ ତାରିଖ ପୂର୍ବାହ୍ନରୁ ନିଖୋଜ ଥିବା ଏହି ଯୁବ ବାୟୁସେନା ଅଧିକାରୀଙ୍କୁ ମୁକ୍ତି ଦେବାକୁ ପାକିସ୍ତାନର ନିଷ୍ପତ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୨୮ ତାରିଖ ସନ୍ଧ୍ୟାରେ ସେଠାକାର ସଂସଦରେ ଘୋଷଣା କରିବା ପରେ ଭର୍ତମାନ ଭାରତ ଫେରିବା ଅପେକ୍ଷାରେ ମାର୍ଚ୍ଚ ୧ ତାରିଖ ସକାଳୁ ରାତି ପର୍ଯ୍ୟନ୍ତ ୱାଘା-ଅଟାରୀ ସୀମାନ୍ତ ଚେକ୍ ପୋଷ୍ଟ୍ ନିକଟରେ ଯେଭଳି ଭିଡ ଜମି ଥିଲା ତାହା ତାଙ୍କୁ ନେଇ ଭାରତବାସୀଙ୍କ ଆବେଗକୁ ପ୍ରତିଫଳିତ କରିଛି । ଦେଶର ବିଭିନ୍ନ ଅଂଚଳରୁ ଆସି ଥିବା ଲୋକମାନେ ଡ଼େରି ରାତି ପର୍ଯ୍ୟନ୍ତ ଅପେକ୍ଷା ଫେରି ଥିଲେ । ଭିଡ ପତଳା ହୋଇ ଆସିବା ବେଳକୁ ସେଦିନ ପରେ ରାତି ପ୍ରାୟ ୯ଟା ୨୦ ମିନିଟରେ ପାକ୍ ସେନା ଭାରତୀୟ ୱିଙ୍ଗ୍ କମାଣ୍ଡର ଭର୍ତମାନଙ୍କୁ ଭାରତକୁ ସମର୍ପି ଦେବା ପରେ ସେ ବୀରଦର୍ପରେ ୱାଘା-ଅଟାରୀ ସୀମାନ୍ତ ଚେକପୋଷ୍ଟ୍ ପାରି ହୋଇ ଭାରତ ମାଟିରେ ପାଦ ଥାପିଲେ । ସେହି ସମୟରେ ଦେଶର ପ୍ରତ୍ୟେକ ଭାରତୀୟ ପରିବାରରେ ହର୍ସୋଲ୍ଲାସ ଭାରତୀୟ ବୀରଙ୍କ ପ୍ରତି ଦେଶବାସୀଙ୍କ ମନରେ ରହି ଥିବା ସମ୍ମାନ ଓ ଶ୍ରଦ୍ଧାକୁ ପ୍ରତିଫଳିତ କରିଛି ।
ୱଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଭର୍ତମାନଙ୍କ ପ୍ରତି ଦେଶବାସୀଙ୍କ ମନରେ ଏଭଳି ଶ୍ରଦ୍ଧା ଥିବା ଦେଖି ବଲିଉଡ୍ର ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କ ବାୟୋପିକ୍ ନିର୍ମାଣ ଯୋଜନାରେ ଥିବା ସୂଚନା ମିଳିଛି । ବର୍ତମାନ ତାଙ୍କ ନୂଆ ଫିଲ୍ମ ‘୮୩’ର ସୁଟିଂ ନେଇ ବ୍ୟସ୍ତ ଥିବା ପ୍ରଖ୍ୟାତ ଅଭିନେତା ରଣବୀର ସିଂହ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ଚରିତ୍ରରେ ଅଭିନୟ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ, ଅଭିନନ୍ଦନ କେଉଁ ପରିସ୍ଥିତିରେ ଭାରତୀୟ ବାୟୁ ସୀମା ଡ଼େଇଁ ପାକିସ୍ତାନ ବାୟୁ ସୀମାକୁ ପ୍ରବେଶ କଲେ ଏବଂ ପାକିସ୍ତାନ ବାୟୁ ସୀମାରେ ଶତୃ ପକ୍ଷର ଏଫ୍-୧୬ ଯୁଦ୍ଧ ବିମାନକୁ ମିଜାଇଲ୍ ମାଡ କରି ତଳକୁ ଖସାଇଲେ, ତାହା ଭାରତୀୟ ବାୟୁ ସେନା ଅଧିକାରୀମାନେ ଯାଂଚ କରୁଛନ୍ତି । ସାଧାରଣ ପରିସ୍ଥିତିରେ କୌଣସି ବୈମାନିକ ଏଭଳି ଦୁଃସାହସ କରି ନ ଥାଏ । ଦ୍ୱିତୀୟ କଥା ହେଉଛି, ଅଭିନନ୍ଦନ ଯେଉଁ ଯୁଦ୍ଧ ବିମାନ ମିଗ୍-୨୧କୁ ଉଡାଇ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଟକ୍କର ଦେଇଥିଲେ ତାହା ପୁରୁଣା କାଳିଆ ହୋଇଥିବା ବେଳେ ଆମେରିକା ନିର୍ମିତ ଏଫ୍-୧୬ ହେଉଛି ଅତ୍ୟାଧୁନିକ ଯୁଦ୍ଧ ବିମାନ । ମିଗ୍-୨୧ରୁ ମିଜାଇଲ୍ ଆକ୍ରମଣ କରି ଏଫ-୧୬କୁ ଧରାଶାୟୀ କରିବା ଜଣେ ବୈମାନିକଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଛି ।
ତେବେ, ଅଭିନନ୍ଦନଙ୍କ ଦୁଃସାହସକୁ ନେଇ ଭାରତୀୟ ବାୟୁ ସେନା ଉଚ୍ଚାଧିକାରୀ ଏବଂ ସାମରିକ ଗୁଇନ୍ଦା ବିଭାଗ ଅଧିକାରୀଙ୍କ ମାନରେ ରହି ଥିବା କିଛି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳି ନ ଥିବାରୁ ତାଙ୍କୁ ପଚରାଉଚୁରା ଅବ୍ୟାହତ ରହିଛି । ସାମରିକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅଭିନନ୍ଦନ ଡ଼ି-ବ୍ରିଫିଙ୍ଗ୍ ସମୟରେ ସେନା ଅଧିକାରୀଙ୍କ ବିଭିନ୍ନ ସନ୍ଦେହମୋଚନ କରୁଛନ୍ତି । ଡ଼ି-ବ୍ରିଫିଙ୍ଗ ବେଳେ ଅଭିନନ୍ଦନଙ୍କ ଠାରୁ ମିଳି ଥିବା ସୂଚନାକୁ ଆଧାର କରି ବାହାରକୁ ଆସି ଥିବା ଖବରରୁ ଜଣାପଡିଛି, ଫେବୃୟାରୀ ୨୭ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟ ସମୟରେ ପାକିସ୍ତାନର ବିଭିନ୍ନ ବିମାନ ବନ୍ଦରରୁ ୧୦ଟି ଏଫ-୧୬ ଯୁଦ୍ଧ ବିମାନ ଭାରତୀୟ ବାୟୁ ସୀମାକୁ ମାଡି ଆସୁଥିବା ଭାରତୀୟ ରାଡରରେ ନଜରକୁ ଆସିବା ପରେ ଭାରତୀୟ ବାୟୁ ସେନା ଏହାର ମୁକାବିଲା ପାଇଁ ଦୁଇଟି ମିଗ୍-୨୧ ଓ ତିନିଟି ସୁଖୋଇ-୩୦ ବିମାନକୁ ପଠାଇ ଥିଲା ।
ପାକିସ୍ତାନର ତିନିଟି ଏଫ-୧୬ ବିମାନ ଭାରତୀୟ ବାୟୁ ସୀମାକୁ ପଶି ଆସିବାରୁ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍ ଅଭନନ୍ଦନ ଗୋଟିଏ ମିଗ୍-୨୧ ଯୁଦ୍ଧ ବିମାନରେ ଗୋଟିକର ପିଛା କରି ଆର-୭୩ କ୍ଷେପଣାସ୍ତ୍ର ମାଡ କରିଥିଲେ । କ୍ଷେପଣାସ୍ତ୍ର ମାଡରେ ଏଫ-୧୬ ଲଢୁଆ ବିମାନଟି ପାକ୍ ସୀମାରେ ଖସି ପଡୁ ଥିବା ସେ ଦେଖିଛନ୍ତି ବୋଲି ଅଭିନନ୍ଦନ ଡ଼ି-ବ୍ରିଫିଙ୍ଗ୍ ସମୟରେ କହିଛନ୍ତି । ଅପରପକ୍ଷରେ, ଭାରତ-ପାକ୍ ଆକାଶ ସୀମାରେ ସେଦିନ ଦୁଇ ପକ୍ଷର ଯୁଦ୍ଧ ବିମାନ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା ଏବଂ ଅଭିନନ୍ଦନ ଗୋଟିଏ ଏଫ୍-୧୬ ଲଢୁଆ ବିମାନକୁ ପିଛା କରି ପାକ୍ ଆକାଶ ସୀମାରେ ପ୍ରବେଶ କରିବା ସହ ବିମାନଟିକୁ କ୍ଷେପଣାସ୍ତ୍ର ମାଡ କରିବା ପରେ ଶତୃପକ୍ଷର ଲଂଗ୍ ରଂଜ୍ ଏଏମଆରଏଏଏମ କ୍ଷେପଣାସ୍ତ୍ର ମାଡରେ ତାଙ୍କ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମିଗ୍-୨୧ରେ ଥିବା ଇଜେକ୍ଟ୍ ସୁବିଧା ଉପଯୋଗ କରି ସେ ପାରୁସଟ୍ ସହାୟତାରେ ଅବତରଣ କରିବା ସମୟରେ ପାକିସ୍ତାନ ସୀମାରେ ଖସି ପଡି ଥିଲେ । ତେବେ, ଭାରତୀୟ ବାୟୁ ସୀମାରେ ଲଢେଇ ବେଳେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ମିଗ୍-୨୧ ବିମାନ ପଛରେ ସୁଖୋଇ-୩୦ ଏମକେଆଇ ଓ ମିରେଜ୍-୨୦୦୦ ବିମାନ ମଧ୍ୟ ରହି ଥିଲା । ଅଭିନନ୍ଦନ ନିଜ ମିଗ୍ -୨୧ ଲଢୁଆ ବିମାନରେ ଥିବା ଲଂଗ୍ ରେଂଜ ମିଜାଇଲ୍ ବା କ୍ଷେପଣାସ୍ତ୍ରକୁ ପ୍ରୟୋଗ ନ କରି ପାକ୍ ବାୟୁ ସୀମାରେ ପ୍ରବେଶ କଲେ କାହିଁକି (?), ସେ ପ୍ରଶ୍ନର ଉତ୍ତର ମିଳି ନ ଥିବାରୁ ତାଙ୍କୁ ଉପରିସ୍ଥ ଅଧିକାରୀମାନେ ପଚରାଉଚୁରା ଜାରି ରଖିଛନ୍ତି ବୋଲି ସୂଚନା ଆସୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS