ପୁଲୱାମାର ପୃଷ୍ଠଭୂମୀ…


– ପ୍ରସାଦ ରାଓ –
ନୂଆଦିଲ୍ଲୀ: ୨୦୧୯ ଫେବୃୟାରୀ ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲୱାମା ଜାତୀୟ ରାଜପଥରେ ଜଣେ ଜୈଶ୍ ଆତଙ୍କବାଦୀ କାର୍-ଭର୍ତି ଆରଡ଼ିଏକ୍ସ ବିସ୍ଫୋରଣ ଘଟାଇ ନିର୍ମମ ଭାବେ ସଂହାର କରି ଥିଲେ ଦେଶର ୪୦ ଜଣ ସିଆରପିଏଫ ଯବାନଙ୍କୁ । ଏହି ସଂହାର-ପରବର୍ତୀ ଦୃଶ୍ୟ ଥିଲା ହୃଦୟ ବିଦାରକ । ଏସବୁ ଦୃଶ୍ୟ ଭାରତୀୟ ଗଣମାଧ୍ୟମରେ ଅବିରତ ପ୍ରସାରିତ ହେବା ଦ୍ୱାରା ଜନତାରେ ଆକ୍ରୋଶ ବଢି ଥିଲା ଏବଂ ପରିସ୍ଥିତି ଅସମ୍ଭାଳ ହେଉ ଥିବା ଦେଖି ଭାରତ ସରକାର ପାକିସ୍ତାନରେ ବସା ବାନ୍ଧି ଥିବା ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଶିବିରଗୁଡିକୁ ଧ୍ୱଂସ କରିବା ପାଇଁ ଫେବୃୟାରୀ ୨୬ ତାରିଖ ଭୋରରେ କାର୍ଯ୍ୟକାରୀ କରିଥିଲେ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ । ଭାରତର ୧୨ଟି ମିରେଜ୍-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସମେତ ପାକିସ୍ତାନର ବାଲାକୋଟ୍ ପର୍ଯ୍ୟନ୍ତ ଉଡାଣ କରି ଧ୍ୱସ୍ତ କରି ଥିଲେ ପାକ୍ ସମର୍ଥିତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ତାଲିମ ଶିବିରଗୁଡିକୁ । ଆତଙ୍କୀ ତାଲିମ ଶିବିର ଧ୍ୱଂସ ହେବା ସହ ୩୫୦ରୁ ଅଧିକ ଆତଙ୍କୀ ମରି ଥିବା ଭାରତ ଦାବି କରିଛି । ଏହାର ଭିଡ଼ିଓ ସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆ ସରିଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଉଛି । ଭାରତର ଏହା ସୀମିତ ସେନା କାର୍ଯ୍ୟାନୁଷ୍ଠାନ ହୋଇଥିବା ଏବଂ ପାକିସ୍ତାନ ମାଟିରେ ଅଶ୍ରୟ ନେଇ ଭାରତରେ ଆତଙ୍କବାଦୀ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ ଏହା ଉଦ୍ଦିଷ୍ଟ ବୋଲି ଭାରତ ପକ୍ଷରୁ କୁହାଯାଉଥିବା ବେଳେ ପାକିସ୍ତାନ ଏହାକୁ ପାକ୍ ମାଟିରେ ଭାରତର ସାମରିକ ଆକ୍ରମଣ କହି ସୀମାନ୍ତରେ ଯୁଦ୍ଧର ବାତାବରଣ ସୃଷ୍ଟି କରିଛି ।
ଜୈଶ୍ ଆତଙ୍କବାଦୀଙ୍କ ବିରୋଧରେ ଭାରତର ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ଦେହକୁ ନେଇ ଥିବା ପାକିସ୍ତାନ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଫେବୃୟାରୀ ୨୭ ତାରିଖ ସକାଳେ ପଠାଇ ତିଲା ୧୦ଟି ଆମେରିକା ନିର୍ମିତ ଏଫ୍-୧୬ ଲଢୁଆ ଯୁଦ୍ଧ ବିମାନକୁ । ତେବେ, ଭାରତୀୟ ବାୟୁ ସେନା ଏସବୁ ବିମାନକୁ ଘଉଡାଇ ଦେି ଥିଲେ । ଦୁଇ ପକ୍ଷ ମୁହାଁମୁହିଁ ହେବା ସମୟରେ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଭର୍ତମାନ ଗୋଟିଏ ମିଗ୍-୨୧ ଯୁଦ୍ଧ ବିମାନକୁ ନେଇ ପାକିସ୍ତାନର ଗୋଟିଏ ଏଫ-୧୬ ବିମାନକୁ ପିଛା କରିଥିଲେ । ସେ ପାକ୍ ବିମାନକୁ ଧ୍ୱଂସ କରିଥିବା ବେଳେ ତାଙ୍କ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନିଜ ଜୀବନ ବଂଚାଇକୁ ଯାଇ ସେ ପାରାଚୁଟ୍ ସହାୟତାରେ ତଳକୁ ଖସିବା ବେଳେ ପାକିସ୍ତାନ ମାଟିରେ ଖସି ପଡି ଥିଲେ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସୀମାନ୍ତ ଗ୍ରାମବାସୀ ନିସ୍ତୁକ ମାଡ ମାରି ଗୁରୁତର ଆହତ କରିବା ସହ ତାଙ୍କୁ ପାକ୍ ରେଂଜରକୁ ହସ୍ତାନ୍ତର କରି ଥିଲେ । ପାକ୍ ସେନା ଅଭିନନ୍ଦନଙ୍କୁ ଗିରଫ କରି ଯୁଦ୍ଧବନ୍ଦୀ ରଖିବା ସହ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଇଥିବା ସେ ଦେଶକୁ ଫେରିବା ପରେ ଅଭିଯୋଗ କରିଛନ୍ତି । ବିଶ୍ୱ ନେତାଙ୍କ ଚାପରେ ପାକିସ୍ତାନ ତାଙ୍କୁ ମାର୍ଚ୍ଚ ୧ ତାରିଖରେ ମୁକ୍ତି ଦେଇଛି ସିନା ମାନସିକ ନିର୍ଯ୍ୟାତନା ଦେବା ମାଧ୍ୟମରେ ସେ ତାହାର ବର୍ବର ଚରିତ୍ରର ଛାପ ଛାଡିଛି । ପାକିସ୍ତାନର ବର୍ବର ଆଚରଣର ଜବାବ ଭାରତ କିଭଳି ଭାବେ ଦେବ ତାହା ସ୍ପଷ୍ଟ ହୋଇନି । ତଥାପି, ଭାରତ ଫେବୃୟାରୀ ୨୬ କାର୍ଯ୍ୟାନୁଷ୍ଠାନର ପୁନରାବୃତ୍ତି କରି ପାରେ ଦେଶବାସୀ ଆଶା କରୁଛନ୍ତି।
ପାକିସ୍ତାନ ଭାରତୀୟ ବାୟୁ ସେନା ୱିଙ୍ଗ୍ କମାଣ୍ଡର୍ ଭର୍ତମାନଙ୍କୁ ମୁକ୍ତି ଦେବାରେ ଯେଭଳି ଉଦାରତା ପ୍ରଦର୍ଶନ କରିଛି ତାହା ସେଠାକାର ସରକାର ଚରିତ୍ର ମୁତାବକ ସ୍ୱାଭାବିକ ନ ଥିଲା, ଏହା ସମସ୍ତ ଭାରତୀୟ ଜାଣନ୍ତି । ଗୋଟିଏ ପଟେ ଉଦାରତା ଓ ଅନ୍ୟ ପଟେ ସୀମାନ୍ତରେ ଭାରତୀୟ ଅଂଚଳକୁ ଗୁଳିଗୋଳା ମାଡ ଏବଂ ବଡ ଧରଣର ଯୁଦ୍ଧ ପାଇଁ ପାକିସ୍ତାନର ପ୍ରସ୍ତୁତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଦୋଗଲା ଚରିତ୍ରକୁ ପଦାରେ ପାକାଇଛି । ଭାରତ ସରକାର ତାହାର ଉପଯୁକ୍ତ ଜବାବ ଦେଇଛନ୍ତି । ତେବେ, ପାକ୍ ପ୍ରୟୋଜିତ ଆତଙ୍କୀ ଆକ୍ରମଣରେ ଭାରତ ୪୦ରୁ ଅଧିକ ଅର୍ଦ୍ଧ ସାମରିକ ଯବାନଙ୍କୁ ହରାଇଥିବା ବେଳେ ପାକିସ୍ତାନରେ ଭାରତର ବିମାନ ଆକ୍ରମଣରେ ଜଣେ ହେଲେ ସେନା ଯବାନ ମରି ନାହାନ୍ତି । କେତେ ଜୈଶ ଆତଙ୍କବାଦୀ ମରିଛନ୍ତି ତାହାର ମଧ୍ୟ କୌଣସି ହିସାବ ବା ପ୍ରମାଣିକ ତଥ୍ୟ ନାହିଁ । ଦେଶ ନିକଟରେ ଏକ ସାଧାରଣ ନିର୍ବାଚନର ସାମନା କରିବାକୁ ଯାଉ ଥିବାରୁ କେନ୍ଦ୍ରରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।
ବିରୋଧୀଙ୍କ ମତରେ, ୨୦୦୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇ ଥିବା ପ୍ରତିଶ୍ରୁତି ରକ୍ଷା କରି ନାହିଁ । ଦେଶରେ ବେକାର ସମସ୍ୟା ବହୁ ଗୁଣରେ ବଢିଛି । ଗତ ସାଢେ ୪ ବର୍ଷ ମଧ୍ୟରେ ଏନଡ଼ିଏ ସରକାର ନେଇ ଥିବା ବିଭିନ୍ନ ଅର୍ଥନୈତିକ ନିଷ୍ପତ୍ତି (ତାହା ବିମୁଦ୍ରାକରଣ ହେଉ ବା ଜିଏସଟି ହେଉ) ଦେଶର ଅର୍ଥନୀତିକୁ ସୁଧାରିବା ଅପେକ୍ଷା ଅଧିକ ବିପର୍ଯ୍ୟସ୍ତ କରିଛି । ଭାରତୀୟ ରିଜର୍ଭ ବ୍ୟାଂକ ସହ ମୋଦୀ ସରକାରଙ୍କ ମତାନ୍ତର ଯୋଗୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ୍ ପଟେଲ ନିଜ ପଦରୁ ଇସ୍ତଫା, ରାଜନ୍ ଓ ଅରବିନ୍ଦ ସୁବ୍ରମଣ୍ୟମ୍ଂକ ଭଳି ଅର୍ଥନୀତିଜ୍ଞମାନେ ମଝି ରାସ୍ତାରେ ସରକାରଙ୍କ ହାତ ଛାଡିବା, ସିବିଆଇ ଭଳି ଦେଶର ପ୍ରମୁଖ ଅପରାଧ ତଦନ୍ତକାରୀ ସଂସ୍ଥା ବିବଦମାନ ହୋଇ ପଡିବା ପ୍ରଭୃତି ଘଟଣା ମୋଦୀ ସରକାରଙ୍କୁ ନିନ୍ଦିତ କରିଥିଲା । ୨୦୧୮ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିକୁ ନେଇ ଏନଡ଼ିଏ ହାତ ଛାଡିବା ପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ଏକ ବିଜେପି-ବିରୋଧୀ ବିକଳ୍ପ ମେଂଟ ଗଠନ ଉଦ୍ୟମ କରୁଥିବା, ଦେଶର ୨୨ ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ଏକାଠି ହେଉଥିବା ପ୍ରଭୃତି ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ।
ଅପରପକ୍ଷରେ, ଉତ୍ତର ପ୍ରଦେଶରେ କଂଗ୍ରେସ ସହ ଏସପି, ବିଏସପି ମେଂଟର ବୁଝାମଣା ହୋଇ ନ ପାରିବା ଏବଂ ମହାରାଷ୍ଟ୍ରରେ ବିଜେପିକୁ ନାଲି ଆଖି ଦେଖାଉ ଥିବା ଶିବସେନା ପରେ ନିଜ ସର୍ତରେ ବିଜେପି ସହ ଆସନ ବୁଝାମଣା କରିଥିବା ବିଜେପିକୁ ନୂଆ ଜୀବନ ଦେଇଛି । ତାମିଲନାଡୁରେ ବିଜେପି ଏଆଇଡ଼ିଏମକେ ବିଜେପି ବୁଝାମଣା କରିଥିବା ବେଳେ ଓଡ଼ିଶା ସ୍ଥିତି ଅସ୍ପଷ୍ଟ । ସମଦୂରତାର ଦ୍ୱାହି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରସ ଓ ବିଜେପିକୁ ଝୁଲାଇ ରଖିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରରେ ତେଲୁଗୁ ଦେଶମ ପାର୍ଟିର ଦୃଢ ବିରୋଧୀ ଭାବେ ଜଣାଶୁଣା ୱାଇ. ଜଗନ ମୋହନ ରେଡ୍ଡୀଙ୍କ ଦଳ ବିଜେପିକୁ ସମର୍ଥନ ଦେବା ଆଶା ଉଜ୍ୱଳ ଥିବାରୁ ବିଜେପି ଆଶ୍ୱସ୍ତ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ରାଜନୈତିକ ସମୀକରଣ ଏପ୍ରକାର ହୋଇ ଥିବା ବେଳେ ବିଭିନ୍ନ ସଂସ୍ଥାର ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟ ଦେଶରେ ବିଜେପିର ଜନସମର୍ଥନ ଭିତ୍ତିଭୂମୀ ଉଜୁଡା ଥିବା କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଏନଡ଼ିଏ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବାର ସମସ୍ତ ସମ୍ଭାବନା ଥିଲେ ମଧ୍ୟ ୨୦୧୪ ଭଳି ନିରଂକୁଶ ସଂଖ୍ୟା ମିଳିବ ନାହିଁ ବୋଲି ଏସବୁ ରିପୋର୍ଟରେ ଦର୍ଶାଯାଇଛି । ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଦଳର ବିପର୍ଯ୍ୟୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଏହି ସବୁ ରାଜ୍ୟରେ ଦଳ ଯେତିକି ଲୋକସଭା ଆସନ ହରାଇବ ସେଥିରୁ କିଛି ଓଡ଼ିଶା, ଆସାମ ଓ ପଶ୍ଚିମ ବଂଗ ଭଳି ପୂର୍ବାଂଚଳ ରାଜ୍ୟରୁ ଭରଣା କରିବାକୁ ଉଦ୍ୟମ କରୁଛି । ଏଭଳି ସଂକଟ ସମୟରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଫେବୃୟାରୀରେ ଘଟି ଥିବା ଘଟଣା ସବୁ ବିଜେପି ପାଇଁ ‘ଟର୍ଣ୍ଣିଂ ପଏଂଟ୍’ ହୋଇଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS