ସେନାକୁ ନେଇ ରାଜନୀତି !
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୦୮ ମାର୍ଚ୍ଚ: ପାକିସ୍ତାନର ବାଲାକୋଟ୍ରେ ଜୈଶ୍ ଆତଙ୍କବାଦୀ ଶିବିର ଉପରେ ଫେବୃୟାରୀ ୨୬ ତାରିଖ ମୁହଁଅନ୍ଧାର ସମୟରେ ହୋଇଥିବା ଭାରତୀୟ ବାୟୁ ସେନାର ବିମାନ ଆକ୍ରମଣକୁ ନେଇ ଦେଶର ରାଜନୀତି ଏତେ ନିମ୍ନସ୍ତରକୁ ଗଲାଣି ଯେ ପାକିସ୍ତାନ ସରକାର ଏଥିରେ ଅମୋଦିତ ହେଉଥିବା ଅସ୍ୱୀକାର କରି ହେବ ନାହିଁ । ବିମାନ ଆକମ୍ରଣକୁ ପାକିସ୍ତାନ ଅସ୍ୱୀକାର କରିବା ସ୍ୱାଭାବିକ । କିନ୍ତୁ, ପାକିସ୍ତାନ ତାହା କରି ନାହିଁ। ଓଲଟା, ଭାରତୀୟ ଯୁଦ୍ଧ ବିମାନ ଆତଙ୍କବାଦୀଙ୍କ ଶିବିର ନୁହଁ, ଖୋଲା ପଡିଆରେ ବୋମା ମାଡ କରିଛି ବୋଲି ପାକିସ୍ତାନ ଗାଲୁ ମାରି ଭାରତର ଏହି ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ସ୍ୱୀକାର କରିଛି । ତଥାପି, ଭାରତୀୟ ନେତାମାନେ ଏହି ବିମାନ ଆକ୍ରମଣକୁ ନେଇ ସନ୍ଦେହ ପ୍ରକାଶ କରି ନିର୍ବାଚନ ରାଜନୀତିରେ ମାତି ଥିବା ତଥ୍ୟାଭିଜ୍ଞ ମହଲକୁ ଆଚମ୍ବିତ କରିଛି ।
ଏବେ, ଉଭୟ ଶାସକ ଓ ବିରୋଧୀ ସେନାକୁ ନେଇ ରାଜନୀତି କରୁଛନ୍ତି । ଫେବୃୟାରୀ ୧୪ ପୁଲୱାମା ଘଟଣା ପରେ ଦେଶବ୍ୟାପୀ ପାକ୍ ବିରୋଧୀ ଆକ୍ରୋଶକୁ ପ୍ରସମିତ କରିବା ପାଇଁ କେନ୍ଦ୍ର ସରକାର ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେନାକୁ ଯେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ । ବିରୋଧୀ ଦଳମାନେ ଏଥିରେ ସହମତ ହୋଇଥିଲେ । ଦେଶର ସମସ୍ତ ବିରୋଧୀ ଦଳ ସରକାରଙ୍କ ପଛରେ ଥିବା ସଂପର୍କରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଘୋଷଣା ଏକ ସକାରାତ୍ମକ ବାର୍ତା ଦେଇ ଥିଲା । ସମସ୍ତଙ୍କ ଲକ୍ଷ୍ୟ ବା ଉଦେ୍ଦଶ୍ୟ ଥିଲା ପୁଲୱାମାର ପ୍ରତିଶୋଧ। ଭାରତୀୟ ବାୟୁ ସେନା ସଫଳ ଭାବେ ପାକ୍ ମାଟିରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ୍ ଓ ପାକ୍ ସମର୍ଥିତ ଆତଙ୍କବାଦୀଙ୍କୁ ଚକିତ କରି ଥିବା ବେଳେ ଭାରତୀୟ ରାଜନେତାମାନେ ଏବେ ତାହାର ପ୍ରମାଣ ମାଗି ସରକାରଙ୍କୁ ଅଡୁଆରେ ପକାଇବା ସହ ସେନାକୁ ରାଜନୀତିକୁ ଟାଣି ଆଣିଛନ୍ତି ।
ସେନାକୁ ନେଇ ପ୍ରଥମେ ରାଜନୀତି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ବିମାନ ବାହିନୀର ମିରେଜ୍ ଯୁଦ୍ଧ ବିମାନଗୁଡିକ ପାକିସ୍ତାନର ବାଲାକୋଟ୍ ଠାରେ ବୋମା ମାଡ କରି ଜୈଶ୍ ଅତଙ୍କବାଦୀଙ୍କ ଶିବିରଗୁଡିକୁ ଧ୍ୱଂସ କରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୁରନ୍ତ ପ୍ରତିକ୍ରିୟା ଥିଲା, ‘ମୁଁ ଆପଣମାନଙ୍କୁ ନିଶ୍ଚତ କରୁଛି, ଦେଶ ଏବେ ଏକ ସୁରକ୍ଷିତ ହାତରେ’ । ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତି ଜନସଭାରେ ହର୍ଷୋଲ୍ଳାସ ସୃଷ୍ଟି କରିଥିଲା ସତ, କିନ୍ତୁ ବିରୋଧୀଙ୍କୁ ଚେ ଚେଂକିବା ଭଳି ଥିଲା । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସେନାର ବିଜୟବାର୍ତା ଦେବାରେ କିଛି ଅସ୍ୱାଭାବିକତା ନାହିଁ । ମାସକ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉ ଥିବା ବେଳେ ବିରୋଧୀ ପ୍ରଦାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସହଜରେ ଗ୍ର୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ବିଜେପି ଏହି ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରୁଛି ବୋଲି ବିରୋଧୀ ଅନୁଭବ କରିବା ପରେ ବାୟୁ ସେନା କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ଦାବିର ପ୍ରାମାଣିକତାକୁ ନେଇ ପ୍ରଶ୍ନ ଉଠାଇ ପାଲଟା ରାଜନୀତିିର ଆଶ୍ରୟ ନେଇଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ବରିଷ୍ଠ କଂଗ୍ରେସ ନେତା ଦିଗ୍ ବିଜୟ ସିଂହ ପ୍ରମୁଖ ପ୍ରମାଣ ମାଗି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ବାୟୁ ସେନା ପକ୍ଷରୁ ବିମାନ ଆକ୍ରମଣରେ ଜୈଶ୍ ତାଲିମ ଶିବିରଗୁଡିକ ଧ୍ୱଂସ ହେବା ପ୍ରମାଣ କେନ୍ଦ୍ର ସରକାରଙ୍କୁ ଦେଇତିବା କହୁଛି । ତେବେ, କେତେ ଆତଙ୍କବାଦୀ ମଲେ ତାହା ଗଣିବା ଓ ହିସାବ ଦେବା ସରକାରଙ୍କ କାମ, ସେନାର କାମ ନୁହେଁ ବୋଲି ଭାରତୀୟ ବାୟୁ ସେନା ମୁଖ୍ୟ କହିଛନ୍ତି ।
ଭାରତୀୟ ମିରେଜ୍ ଯୁଦ୍ଧ ବିମାନ ପାକିସ୍ତାନର ବାଲାକୋଟ୍ ରେ ବୋମା ମାଡ କରିଛନ୍ତି ସତ, କିନ୍ତୁ ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଆନ୍ତର୍ଜତିକ ଗଣମାଧ୍ୟମରେ ପ୍ରସାରିତ ଖବର ବିରୋଧୀଙ୍କୁ ବାୟୁ ସେନା ଆକ୍ରମଣର ସଫଳତାକୁ ନେଇ ପ୍ରଶ୍ନ ଉଠାଇବାକୁ ସୁଯୋଗ ଦେଇଛି । କେନ୍ଦ୍ର ସରକାର ବିରୋଧୀଙ୍କ ପ୍ରଶ୍ନ ଦେଶ-ବିରୋଧୀ କହି ଏହା ସେନାର ମନୋବଳ କ୍ଷୁର୍ଣ୍ଣ କରୁଛି ବୋଲି ପାଲଟା ଅଭିଯୋଗ କରିଛନ୍ତି । ତେବେ, ବିମାନ ଆକ୍ରମଣରେ କେତେ ସଂଖ୍ୟାରେ ଜୈଶ୍ ଆତଙ୍କବାଦୀ ମରିଛନ୍ତି ତାହାର ସଠିକ ଚିତ୍ର ଦେବାରେ ସରକାର ସକ୍ଷମ ହୋଇ ନାହାନ୍ତି । ଶାସକ ଦଳର କିଛି ନେତା ମୃତୁ ସଂଖ୍ୟା ୪୦ରୁ ୪୫ ଭିତରେ ହେବ ବୋଲି କହୁଥିବା ବେଳେ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହା ସୋମବାର ଦିନ ଦିଲ୍ଲୀରେ କହିଛନ୍ତି ୨୫୦ ଆତଙ୍କବାଦୀ ମରିଛନ୍ତି । ସଂଖ୍ୟାକୁ ନେଇ ସୃଷ୍ଟି ହୋଇ ଥିବା କୁହେଳି ସରକାରଙ୍କୁ ପ୍ରତିରକ୍ଷାତ୍ମକ ସ୍ଥିତିରେ ପକାଇଛି । ବିବାଦ ବଢିବାରୁ ସେନା ଅଧିକାରୀ ଓ ପୂର୍ବତନ ଅଧିକାରୀମାନେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ଦେଶର ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ବିଏସ୍ ଧନୋଆ କହିଛନ୍ତି – ‘ବାୟୁ ସେନାର କାର୍ଯ୍ୟ ଟାର୍ଗେଟ୍ କୁ ଧ୍ୱଂସ କରିବା, କେତେ ମରିଛନ୍ତି ତାହା ଗଣିବା କାମ ସରକାରଙ୍କର’ା
ବାଲାକୋଟ୍ କାର୍ଯ୍ୟାନୁଷ୍ଠାନ ରାତିରେ ପାଗ ଖରାପ ଥିବାରୁ ସାଟେଲାଇଟ୍ ବାୟୁ ସେନା କାର୍ଯ୍ୟାନୁଷ୍ଠାନକୁ ଠିକ୍ ଭାବେ ରେକର୍ଡ କରି ପାରି ନାହିଁ ବୋଲି କୁହାଯାଉଛି । ତେବେ, ମିଶନରେ ଯାଇଥିବା ମିରେଜ୍ ଯୁଦ୍ଧ ବିମାନରେ ଖଂଜା ଯାଇଥିବା ଅତ୍ୟାଧୁନିକ କ୍ୟାମେରା ତାହା ରେକର୍ଡ କରି ଥିବା ବାୟୁ ସେନା ଦାବି କରୁଛି । ଏହି କାର୍ଯ୍ୟାନୁଷ୍ଠାନର ପ୍ରମାଣ ରହିଛି ଏବଂ ଆବଶ୍ୟକ ସମୟରେ ତାହା ଉପସ୍ଥାପନ କରାଯିବ ବୋଲି ବାୟୁ ସେନା ମୁଖ୍ୟ କହି ଥିଲେ । ଏବେ, ସେହି ପ୍ରମାଣ କେନ୍ଦ୍ର ସରକାରଙ୍କୁ ଦିଆ ଯାଇଥିବା ସେନା କହିଛି । ବାଲାକୋଟ୍ରେ ବାୟୁ ସେନା କାର୍ଯ୍ୟାନୁଷ୍ଠାନରେ କେତେ ଟାର୍ଗେଟ୍ ନଷ୍ଟ ହୋଇଛି ଏବଂ କେତେ ଲୋକ ପ୍ରାଣ ହରାଇଛନ୍ତି ତାହାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଜାତୀୟ ବୈଷୟିକ ଗବେଷଣା ସଂଗଠନ (ଏନ୍.ଟି.ଆର୍.ଓ) ମୃତ ଆତଙ୍କବାଦୀଙ୍କ ସଂଖ୍ୟା ୩୦୦ରୁ ଅଧିକ ହୋଇ ପାରେ ବୋଲି ରିପୋର୍ଟ ଦେଇଛି । ଭାରତୀୟ ବାୟୁ ସେନାର ବିମାନ ଆକ୍ରମଣ ସମୟରେ ବାଲାକୋଟ୍ ଅତଙ୍କୀ ଶିବିରରେ ୩୦୦ ମୋବାଇଲ୍ ସକ୍ରିୟ ଥିବା ଗୁଇନ୍ଦା ତଥ୍ୟରୁ ସୂଚନା ମିଳି ଥିଲା । ସେହି ଆଧାରରେ ଏହି ରିପୋର୍ଟ ଦିଆଯାଇଥିବା ପ୍ରକାଶ । ସରକାର ଆଗାମୀ ଦିନରେ ଏହି ରିପୋର୍ଟ ଆଧାରରେ ବିରୋଧୀଙ୍କ ଆକ୍ରମଣରୁ ନିସ୍ତାର ପାଇବେ ବୋଲି ଆଶା କରାଯାଉଛି ।
ଭାରତୀୟ ବାୟୁ ସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଭର୍ତମାନଙ୍କୁ ପାକିସ୍ତାନ ଖଲାସ କରି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଥିଲା, ‘ବାଲାକୋଟ୍ ବିମାନ ଆକ୍ରମଣ ଥିଲା ଏକ ପାଇଲଟ୍ ପ୍ରେଜେକ୍ଟ, ଅସଲି ପ୍ରୋଜେକ୍ଟ ଏବେ କାର୍ଯ୍ୟକାରୀ ହେବ’ । ମୋଦୀଙ୍କ ବାହାସ୍ପୋଟ ଆସନ୍ତା ନିର୍ବାଚନରେ ଫାଇଦା ଉଠାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ କହୁଛନ୍ତି । ସେମାନଙ୍କ ମତରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନଙ୍କ ଆଡୁ କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଡ.ମନମୋହନ ସିଂହ ମଧ୍ୟ ଦେଶର ସୁରକ୍ଷା ସଂପର୍କିତ ବିପଦର ସମ୍ମୁଖୀନ ହୋଇଥିଲେ । ତେବେ, ବାଜପେୟୀ ଓ ସିଂହ ଉତ୍ତେଜନା ହ୍ରାସ ହେଲା ଭଳି ନିଷ୍ପତ୍ତିମାନ ନେଇଥିବା ବେଳେ ମୋଦୀଙ୍କ ମନ୍ତବ୍ୟ ଉତ୍ତେଜନା ସୃଷ୍ଟିକାରୀ ।
ଜମ୍ମୁ-କଶ୍ମୀରର ‘ଉରୀ’ଠାରେ ବାୟୁ ସେନା କ୍ୟାଂପ୍ ଉପରେ ପାକ୍-ସମର୍ଥିତ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଆଡୁ ପାକିସ୍ତାନ ଅଧିକୃତ କଶ୍ମୀରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ସେତେବେଳେ ମଧ୍ୟ ସରକାର ବାହାସ୍ପୋଟ ମାରିଥିବା ବେଳେ ବିରୋଧୀ ତାହାର ପ୍ରମାଣ ମାଗି ବିବାଦ ସୃଷ୍ଟି କରିଥିଲେ । ‘ଉରୀ’ ପରବର୍ତୀ ସର୍ଜିକାଲ ଷ୍ଟ୍ରାଇକ୍ କୁ ନେଇ ନିର୍ମାଣ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର ସୁପରହିଟ୍ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ଏବେ ଚଳଚ୍ଚିତ୍ର ନିର୍ମାଣ ଚାଲି ଥିବା ସୂଚନା ମିଳିଛି । ତଥାପି, ‘ଉରୀ’ ପର ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ବିରୋଧୀଙ୍କ ପ୍ରଶ୍ନ ଥମି ନାହିଁ । ବାଲାକୋଟ୍ରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ସେହି ଭଳି ବିବଦମାନ ହୋଇଛି । ଗଲା ସାଢେ ୪ ବର୍ଷ ହେଲା ଦେଶରେ ଯେତେସବୁ ନିର୍ବାଚନ ଓ ଉପ ନିର୍ବାଚନ ହୋଇଛି ଶାସକ ଦଳ ବିରୋଧୀ କଂଗ୍ରେସକୁ ଆକ୍ରମଣ କରିବା ପାଇଁ ପାକିସ୍ତାନ ନାମକୁ ବ୍ୟବହାର କରି ଆସିଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନରୁ ଆରମ୍ଭ କରି ଆଜି ସୁଦ୍ଧା କୌଣସି ନିର୍ବାଚନରେ ପାକିସ୍ତାନ ନାମ ବାଦ ପଡି ନାହିଁ । ତାଙ୍କୁ (ମୋଦୀଙ୍କୁ) କ୍ଷମତାଚ୍ୟୁତ କରିବା ପାଇଁ ପାକିସ୍ତାନ ପ୍ରୟୋଜିତ ଷଡଯନ୍ତ୍ର ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନିର୍ବାଚନ ସଭାଗୁଡିକରେ ବାରମ୍ବାର ଅଭିଯୋଗ କରିବା ଦେହଘଷା ହେଲାଣି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୁନର୍ବାର ପାକିସ୍ତାନ ଆଳାପ ଜୋର୍ ଧରିଛି । ପୁଲୱାମା ଘଟଣା ପରେ ବିଜେପି ସୁବିଧାଜନକ ସ୍ଥିତିକୁ ଫେରିି ଥିବାରୁ ବିଦେଶୀ ଗଣମାଧ୍ୟମ ଓ ଦେଶରେ ବିରୋଧୀ ଦଳଙ୍କ ସମାଲୋଚନା ମୋଦୀଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ କେତେଦୂର ରୋକି ପାରିବ, ତାହା ସମୟ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS