‘ବିମୁଦ୍ରାକରଣ’ରୁ ‘ହିନ୍ଦୁ ରାଷ୍ଟ୍ରବାଦ’..


– ପ୍ରସାଦ ରାଓ –
ଭୁବନେଶ୍ୱର/ମାର୍ଚ୍ଚ ୧୪: ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଭୟ ଶୂନ୍ୟ ହୋଇଛନ୍ତି ମୋଦୀ ସମାଲୋଚକ । ସରକାରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ପାକିସ୍ତାନର ବାଲକୋଟ୍ ଅଂଚଳରେ ଭାରତୀୟ ବାହୁ ସେନାର କାର୍ଯ୍ୟାନୁଷ୍ଠାନ ପରେ ‘ରାଷ୍ଟ୍ରବାଦ’ର ହଲପ୍ ଦେଇ ବିଜେପି ଭାରତୀୟ ଭୋଟରଙ୍କୁ ବିଭ୍ରାନ୍ତ କରୁଥିବା ବେଳେ ବିରୋଧୀଙ୍କ ସ୍ଲୋଗାନ ହୋଇଛି ମୋଦୀ ସରକାର ‘ମିଥ୍ୟାଚାରୀ’ା ୨୦୧୬ ନଭେମ୍ବର ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଚକିତ କଲା ଭଳି ଟେଲିଭିଜନ ମାଧ୍ୟମରେ ଯେଉଁ ‘ଡ଼ିମନିଟାଇଜେସନ୍’ ବା ‘ବିମୁଦ୍ରାକରଣ’ର ଘୋଷଣା କଲେ ସେଥିରେ ଆରବିଆଇ ପରିଚାଳନା ବୋର୍ଡର ସହମତି ନ ଥିଲା ବୋଲି ଏବେ ପ୍ରକାଶିତ ତଥ୍ୟ ଦେଶବାସୀଙ୍କୁ ଚକିତ କରିଛି । ସୂଚନା ଅଧିକାର କର୍ମୀ ଭେଙ୍କଟେଶ ନାୟକ ସୂଚନା ଅଧିକାର ଅସ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଆରବିଆଇକୁ ଧରାଶାୟୀ କରିଛନ୍ତି । ତାଙ୍କ ୱେବ ସାଇଟ୍ରେ ପ୍ରକାଶିତ ତଥ୍ୟ ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦର ମୁଖା ଖୋଲିଛି ।
ଭେଙ୍କଟେଶଙ୍କ ତଥ୍ୟ ଭିତ୍ତିରେ ବିଭିନ୍ନ ଗଣମାଧ୍ୟମରେ ଉପସ୍ଥାପିତ ତଥ୍ୟରୁ ସୂଚନା ମିଳିଛି ଯେ, ଆରବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) ପରିଚାଳନା ପରିଷଦ ସହମତି ନ ଥାଇ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ନଭେମ୍ବର ୮ ତାରିଖ ବିଳମ୍ବିତ ସନ୍ଧ୍ୟାରେ ‘ବିମୁଦ୍ରାକରଣ’ ଘୋଷଣା କରି ସେତେବେଳେ ଦେଶରେ ପ୍ରଚଳିତ ଥିବା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ କୁ ହଠାତ୍ ଅଚଳ କରିଥିଲେ । ସରକାରଙ୍କ ଯୁକ୍ତି ଥିଲା, ଦେଶର ଅର୍ଥନୀତିରେ ୫୦୦ ଟଙ୍କିଆ ନୋଟ୍ ର ପ୍ରଚଳନ ୭୬ ପ୍ରତିଶତ ଥିବା ବେଳେ ୧୦୦୦ ଟଙ୍କିଆ ନୋଟ୍ ର ପ୍ରଚଳନ ପ୍ରାୟ ୧୦୯ ପ୍ରତିଶତ ବଢି ଯାଇଛି । ଦେଶରେ କଳାଧନକୁ ରୋକିବାକୁ ହେଲେ ଉଚ୍ଚ ମୂଲ୍ୟର ମୁଦ୍ରା ପ୍ରଚଳନକୁ ରୋକିବାକୁ ପଡିବ । କେନ୍ଦ୍ର ସରକାରଙ୍କ ଏହି ଯୁକ୍ତି ବିମୁଦ୍ରାକରଣ ସୁପାରିଶ ପାଇଁ ଯଥେଷ୍ଟ ନୁହେଁ ବୋଲି ଆରବିଆଇ ପରିଚାଳନା ବୋର୍ଡ ମତ ଦେବା ସତ୍ୱେ ପ୍ରଧାନମନ୍ତ୍ରୀ ରାତି ଅଧିଆ ବିମୁଦ୍ରାକରଣ ନିଷ୍ପତ୍ତି କାର୍ଯ୍ୟକାରୀ କରିଥିଲେ । ଏହା ତୁରନ୍ତ ଟେଲିଭିଜନ ମାଧ୍ୟମରେ ଘୋଷଣା ହୋଇଥିଲା । ‘ସାଧାରଣ ଲୋକ’ଙ୍କ ସ୍ୱାର୍ଥ କଥା କହି ପ୍ରଧାନମନ୍ତ୍ରୀ ଆରବିଆଇ ବୋର୍ଡକୁ ମନାଇବାକୁ ଉଦ୍ୟମ କରିଥିଲେ । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆରବିଆଇ ବୋର୍ଡ ଆନୁଷ୍ଠାନିକ ଭାବେ ବିମୁଦ୍ରାକରଣ ପ୍ରସ୍ତାବକୁ ମଂଜୁରୀ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାହା ଘୋଷଣା କରି ଥିଲେ ଏବଂ ୨୦୧୬ ନଭେମ୍ବର ୮ରେ ସେ ଏହା ଘୋଷଣା କରି ତୁରନ୍ତ କାର୍ଯ୍ୟକାରୀ କରି ଥିବା ବେଳେ ପାଂଚ ସପ୍ତାହ ପରେ ୨୦୧୬ ଡ଼ିସେମ୍ବର ୧୫ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସେଥିରେ ଦସ୍ତଖତ କରିଥିଲେ ।
ଭେଙ୍କଟେଶଙ୍କ ତଥ୍ୟ ମୁତାବକ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ବିମୁଦ୍ରାକରଣ ଘୋଷଣା କରିବାର ଅଢେଇ ଘଂଟା ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଆରବିଆଇ ପରିଚାଳନା ବୋର୍ଡ ବୈଠକରେ ତାହାର ବିରୋଧ କରାଯାଇଥିଲା । ଆରବିଆଇର ତକ୍ରାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ, ତକ୍ରାଳୀନ ଅର୍ଥନୈତିକ ବ୍ୟାପାର ସଚିବ ତଥା ବର୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଆର୍ଥିକ ସେବା ସଚିବ ଏ.ସି.ଦୁଗ୍ଗଲ, ଆରବିଆଇର ଡ଼େପୁଟୀ ଗଭର୍ଣ୍ଣର ଆର.ଗାନ୍ଧୀ, ଏସ୍ ଏସ୍ ମୁନ୍ଦ୍ରା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ବିମୁଦ୍ରାକରଣ ଏକ ପ୍ରଶଂସନୀୟ ପଦକ୍ଷେପ ହେଲେ ମଧ୍ୟ ସେହି ବର୍ଷ ପାଇଁ ଜିଡ଼ିପି ଉପରେ ଏହାର ସ୍ୱଳ୍ପ ମିଆଦୀ ପ୍ରତିକୂଳ ପ୍ରଭାବ ପଡିବ ବୋଲି ବୋର୍ଡ ବୈଠକରେ ସରକାରଙ୍କୁ କୁହାଯାଇଥିଲା । ଆରବିଆଇର ୫୬୧ତମ ବୈଠକରେ ମଧ୍ୟ ତାହା ଦୋହରା ଯାଇଥିଲା । ଦେଶରେ ଅଧିକାଂଶ ଭାଗ କଳାଧନ ନଗଦରେ ନାହିଁ, ସୁନା ଓ ରିଏଲ ଇଷ୍ଟେଟ୍ ଭଳି କ୍ଷେତ୍ରରେ ନିବେଶ ହୋଇଛି । ତେଣୁ, ବିମୁଦ୍ରାକରଣର ସେଭଳି କିଛି ପ୍ରଭାବ ସୁନା ଓ ରିଏଲ ଇଷ୍ଟେଟରେ ଥିବା କଳାଧନ ଉପରେ ପଡିବ ନାହିଁ ବୋଲି ଆରବିଆଇ ପରିଚାଳନା ପରିଷଦ ସୂଚାଇ ଥିଲେ । ତଥାପି, କେନ୍ଦ୍ର ସରକାର ତାହାକୁ ଅଣଦେଖା କରି ବିମୁଦ୍ରାକରଣ ନିଷ୍ପତ୍ତି କାର୍ଯ୍ୟକାରୀ କଲେ ଓ ଦେଶର ସାଧାରଣ ଜନତା ଏହାର ପରିଣତି ଭୋଗିଲା ।
ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାକରଣ ଘୋଷଣା ଦେଶରେ ଭୟର ବାତାବରଣ ସୃଷ୍ଟି କଲା । ପକେଟରେ ଥିବା ଏକମାତ୍ର ୫୦୦ ବା ୧୦୦୦ଟଙ୍କା ନୋଟକୁ ନେଇ ସଉଦା କଣିବାକୁ ଯାଇ ଥିବା ସ୍ୱଚ୍ଛଳ ଓ ଅସ୍ୱଚ୍ଛଳ ପରିବାର ସଦସ୍ୟ ହଠାତ୍ ଏଭଳି ଏକ ଘୋଷଣାରେ ହତବାକ୍ ହେବା ଛଡା ଅନ୍ୟ କିଛି ଉପାୟ ନଥିଲା । ରାତି ପାହିଲେ ଦେଶରେ ପ୍ରଚଳିତ ଏହି ଦୁଇ ବଡ ନୋଟ୍ ଅଚଳ ହୋଇଯିବ,ଏହି ଚିନ୍ତା ସାଧାରଣ ପରିବାରକୁ ଘାରି ଥିଲା । ସରକାର ଉଚ୍ଚ ମୂଲ୍ୟର ମୁଦ୍ର ପ୍ରଚଳନକୁ ରୋକିବା କଥା କହି ତା’ଠାରୁ ଅଧିକ ଉଚ୍ଚ ମୂଲ୍ୟର (୨୦୦୦ ଟଙ୍କିଆ) ନୋଟ ଛାପିବା ଜନସାଧାରଣଙ୍କୁ ବିସ୍ମିତ କରିଥିଲା । ତେବେ, ପୁରୁଣା ନୋଟ୍ ବଦଳାଇବା ଚିନ୍ତାରେ ଜନତା ଏତେଦୂର ବ୍ୟସ୍ତ ଥିଲେ ଯେ ସରକାରଙ୍କୁ ପ୍ରଶ୍ନ କରିବାକୁ କାହାରି ସମୟ ନ ଥିଲା । ସରକାର ବିମୁଦ୍ରାକରଣ କରି ଦେଲେ ସିନା ପର୍ଯ୍ୟାପ୍ତ ପରିମାଣର ନୂଆ ୨୦୦୦ ଓ ୫୦୦ଟଙ୍କିଆ ନୋଟ୍ ଛାପି ବଜାରକୁ ଦେଇପାରି ନ ଥିଲେ । ‘କାଲିବରେସନ୍’ କରାଯିବା ନାମରେ ମାସ ମାସ ଧରି ଦେଶର ଅଧିକାଂଶ ଏଟିଏମ୍ କୁ ଅଚଳ କରି ଦିଆଗଲା । ଯେଉଁ କେତୋଟି କାର୍ଯ୍ୟକ୍ଷମ ଥିଲା ସେଥିରୁ ଜଣେ ବ୍ୟକ୍ତି ଦିନକୁ ମାତ୍ର ୨ ହଜାର ଟଙ୍କା ଉଠାଇବା ବ୍ୟବସ୍ଥା ଥିଲା । ଏହା ଦେଶରେ ଦଳାଚକଟା ପରିସ୍ଥିତି ସୃଷ୍ଟି କରିଥିଲା । ମାତ୍ର ୨ ହଜାର ଟଙ୍କିଆ ନୋଟ୍ ଟିଏ ପାଇବା ପାଇଁ ଓ ଅଚଳ ହୋଇ ପଡିଥିବା ବଡ ନୋଟ୍ ଦୁଇଟି ବଦଳାଇବା ସକାଶେ ବ୍ୟାଙ୍କଗୁଡ଼ିକ ସାମନାରେ ମାଇଲ ମାଇଲ୍ ଲମ୍ବାର ଧାଡି ସହ ଆବଶ୍ୟକ ସଂଖ୍ୟାରେ ନୂଆ ନୋଟ୍ ଅଭାବ ପରିସ୍ଥିତିକୁ ସଂଗୀନ କରିଥିଲା ।
ଗ୍ରାହକ ଗୋଟିଏ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ଖାତାରୁ ଉଠାଇବା ପାଇଁ ଦିନ ତମାମ ବ୍ୟାଙ୍କ ସାମନାରେ ଧାଡ଼ିରେ ରହୁ ଥିଲେ । ଧାଡିରେ ଥିବା ସମୟରେ ଯଦି ଟଙ୍କା ସରି ଗଲା ପୁରି ଥରେ ପର ଦିନ ଧାଡି ବାନ୍ଧିବାକୁ ପଡୁ ଥିଲା । ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ପେଟ୍ରୋଲ ପଂପ୍ ଏବଂ ଔଷଧ ଦୋକାନରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରାଯିବ ବୋଲି ସରକାର ଓ ଆରବିଆଇ ଘୋଷଣା କରିବା ପରେ ପେଟ୍ରୋଲ ପଂପ୍ ଓ ଔଷଧ ଦୋକାନରେ ଅସମ୍ଭାଳ ଭିଡ ଜମି ଥିଲା । ତାହା ଦେଖି ପେଟ୍ରୋଲ ପଂପ୍ କର୍ମଚାରୀ ଓ ଔଷଧ ଦୋକାନୀ ଖୁଚୁରା ନାହିଁ କହି ଅଚଳ ନୋଟ୍ ନେବାକୁ ମନା କରୁ ଥିଲେ ବା ଗ୍ରାହକଙ୍କୁ ପୁରା ଟଙ୍କାର ପେଟ୍ରୋଲ, ଡ଼ିଜେଲ ବା ଔଷଧ ନେବାକୁ ବାଧ୍ୟ କରୁଥିଲେ ।
ଏହା ହେଉଛି ବିମୁଦ୍ରାକରଣର ଅଙ୍ଗେ ନିଭା କଥା । ଆକାଉଂଟରେ ଥାଇ ବି ଭିକାରୀ ହୋଇଯାଇ ଥିଲେ ଆକାଉଂଟଧାରୀ । ସରକାର କହୁଥିଲେ, କଳାଧନ ନିୟନ୍ତ୍ରଣକୁ ଆସିଲାଣି । ଦେଶବ୍ୟାପୀ ଚଢାଉ ହେଲା, ହଜାର ହଜାର କୋଟି ଟଙ୍କାର ହିସାବ ବହିର୍ଭୁତ ଅର୍ଥ ଜବତ ହେଲା । ଏହା ବିମୁଦ୍ରାକରଣର କମାଲ ଭାବି ଦେଶବାସୀ ନିଜ ଦୁର୍ଦ୍ଦଶା ଭୁଲି ସରକାରଙ୍କୁ ପ୍ରଶଂସା କଲେ । ମୋଦୀ ସରକାର ଭୋଟ ରାଜନୀତିରେ ସଫଳ ହେଲେ । ସରକାରଙ୍କ ବାହୁଛାୟା ତଳେ ଥିବା ପ୍ରଭାବଶାଳୀ ରାଜନେତା ଓ ବ୍ୟବସାୟୀ ଗଳା ବାଟରେ ହଜାର ହଜାର କୋଟି ଟଙ୍କାର କଳାଧନ (ଅଚଳ ୧୦୦୦ ଓ ୫୦୦ଟଙ୍କିଆ ନୋଟ୍) ବଦଳାଇ ନୂଆ ନୋଟ୍ ନେଇ ଗଲେ । ଦଲାଲ ଓ ବ୍ୟାଙ୍କ ଅଧିକାରୀ ମାଲାମାଲ୍ ହେଲେ । ସାଧାରଣ ଲୋକଟିଏ ନିଜ ଜମା ଟଙ୍କାରୁ ମାତ୍ର ଗୋଟିଏ ୨ ହଜାର ଟଙ୍କିଆ ନୋଟ୍ ଉଠାଇବା ପାଇଁ ୨୪ରୁ ୪୮ ଘଂଟା ଧାଡିରେ ରହିବାକୁ ବାଧ୍ୟ ହେଉ ଥିବା ବେଳେ ନୂଆ ୨୦୦୦ଟଙ୍କିଆ ନୋଟ୍ ଭର୍ତି ବହୁ ସଂଖ୍ୟକ ଗାଡି ପୁଲିସ ଜବତ କରିବା ଘଟଣା ସରକାରଙ୍କୁ ସନ୍ଦେହ ଘେରକୁ ଟାଣି ଥିଲା ସିନା କେହି ପ୍ରଶ୍ନ କରିବାକୁ ସାହସ କରି ନ ଥିଲେ । ବିମୁଦ୍ରାକରଣ ଯନ୍ତ୍ରଣା ସାବ୍ୟସ୍ତ ହୋଇଥିଲା ସାଧାରଣ ମଧ୍ୟବିତ୍ତ ପରିବାର, ବ୍ୟାଙ୍କ ଆକାଉଂଟ ନ ଥିବା ଗରୀବଗୁରୁବା ଏବଂ ଛୋଟ ବଡ ବ୍ୟବସାୟ ସଂସ୍ଥା ବା ପ୍ରତିଷ୍ଠାନ ପାଇଁ । ଅଚଳ ନୋଟ୍ ବଦଳାଇବା ପାଇଁ ୧୦ରୁ ୫୦ ପ୍ରତିଶତ ଯାଏଁ ଦଲାଲି ଚାଲି ଥିଲା ଏବଂ ହାତରେ ନଗଦ ନ ଥିବା ଜନତାଙ୍କୁ ସରକାର ବାଧ୍ୟ କରି ‘କ୍ୟାସ୍ ଲେସ୍’ ସେବା ଚଳାଇ ଥିଲେ । ଦେଶର କିଛି ଜଣାଶୁଣା ବ୍ୟବସାୟୀ ଆରମ୍ଭ କରି ଥିଲେ କମିଶନ ଭିତ୍ତିକ କ୍ୟାସଲେସ୍ ବ୍ୟବସାୟ । ‘ପେଟିଏମ୍’,‘ଭୀମ୍’ ଭଳି ‘ଆପ୍’ର ଡାଉନଲୋଡ୍ ବଢିଥିଲା । ଏଥିରେ ଦେଶର ବଡ ଧନୀକଙ୍କ ହାତ ଥିବା ଦେଖିବାକୁ ମିଳି ଥିଲା । ବିମୁଦ୍ରାକରଣର ତିନି ବର୍ଷ ମଧ୍ୟରେ ସ୍ୱାଭାବିକ ଅବସ୍ଥା ଫେରି ଆସିଛି । ‘କ୍ୟାସ୍ ଲେସ୍’ ସେବାର ବ୍ୟବହାର ବହୁମାତ୍ରାରେ କମିଛି । ପୁଣି ଥରେ ନଗଦରେ କାରବାର ପୂର୍ବ ସ୍ଥିତିକୁ ଫେରିଛି । କେବଳ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସେବା କ୍ଷେତ୍ରରେ ଯେଉଁ ଆର୍ଥିକ ରିହାତି ଦେଉଛନ୍ତି ତାହା ବ୍ୟାଙ୍କ ଜରିଆରେ ମିଳୁଛି । ଜନସାଧାରଣ ବିମୁଦ୍ରାକରଣ ଦୁଃଖକୁ ପାସୋରି ନୂଆ ନୋଟ୍ ସହ ଅଭ୍ୟସ୍ତ ହୋଇଛନ୍ତି । ବିମୁଦ୍ରାକରଣର ମୂଳ ଉଦେ୍ଦଶ୍ୟ କଳାଧନର ପୁନରୁଦ୍ଧାର କୁହାଯାଇଥିଲା । କିନ୍ତୁ, ବାସ୍ତବରେ ସେଭଳି କିଛି ହୋଇ ନ ଥିବା ଅର୍ଥନୀତିଜ୍ଞମାନେ କହୁଛନ୍ତି।
ସେମାନଙ୍କ ମତରେ, ୨୦୧୬ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ପ୍ରଚଳନରେ ଥିବା ୮୬ ପ୍ରତିଶତ ନଗଦ ଟଙ୍କା ଅର୍ଥନୀତିରୁ କାଢି ନେଇ ଥିଲେ । ତାହାର ମୂଲ୍ୟ ଥିଲା ୧୫ ଲକ୍ଷ ୪୧ ହଜାର କୋଟି । ଭାରତୀୟ ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଅଚଳ ନୋଟ୍ ଜମା କରିବା ସକାଶେ ସରକାର ଯେତିକି ସମୟ ଦେଇଥିଲେ ସେହି ସମୟ ମଧ୍ୟରେ ବ୍ୟାଙ୍କଗୁଡିକୁ ଫେରିଛି ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କା। ୯୯.୯ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରି ଥିବା ବେଳେ ମାତ୍ର ୧୦,୭୨୦ କୋଟି ଟଙ୍କା ଫେରି ନାହିଁ । ତେଣୁ, ବିମୁଦ୍ରାକରଣର କୌଣସି ବଡ ପ୍ରଭାବ କଳାଧନ ଉପରେ ପଡି ନ ଥିବା ସ୍ପଷ୍ଟ । ବିଶେଷଜ୍ଞମାନେ ସେତେବେଳେ ଯେଉଁ ଯୁକ୍ତି ବାଢି ଥିଲେ ତାହା ହିଁ ଥିଲା ବାସ୍ତବତା । ଏବେ ତାହା ପ୍ରମାଣିତ ହୋଇଛି । ଏଭଳି ପରିସ୍ଥିତିରେ ସରକାର ବିମୁଦ୍ରାକରଣ ଓ ଜିଏସ୍ଟି ଭଳି ଅର୍ଥନୈତିକ ପ୍ରସଙ୍ଗରୁ ଦୂରେଇ ଯାଇ ‘ହିନ୍ଦୁତ୍ୱ’ ଓ ‘ରାଷ୍ଟ୍ରବାଦ’କୁ ପ୍ରସଙ୍ଗ କରିଛନ୍ତି । ପାକିସ୍ତାନ ମାଟିରେ ଫେବୃୟାରୀ ୨୬ ତାରିଖ ଭୋର ସମୟରେ ହୋଇ ଥିବା ଭାରତୀୟ ବାୟୁ ସେନାର ବିମାନ ଆକ୍ରମଣକୁ ‘ରଷ୍ଟ୍ରବାଦ’ ସହ ଯୋଡି ବିଜେପି ୨୦୧୯ ନିର୍ବାଚନରେ ଫାଇଦା ନେବାକୁ ଉଦ୍ୟମ କରୁଛି । ଯେଉଁ ଦେଶର ୮୫ ପ୍ରତିଶତ ନାଗରିକ ହିନ୍ଦୁ ଏବଂ ରାଷ୍ଟ୍ରୀୟ ପ୍ରସଙ୍ଗରେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ୍ ନିଜ ନିଜ ଧର୍ମ ଭାବନାରୁ ଉଦ୍ଧ୍ୱର୍କୁ ଉଠି ଦେଶର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥା’ନ୍ତି ସେଠି ‘ହିନ୍ଦୁତ୍ୱ’ ଓ ‘ରାଷ୍ଟ୍ରବାଦ’ କଥା କହି ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବା ମୂଲ୍ୟହୀନ । କେବଳ ରାଜନୀତି ପାଇଁ ଏହି ସବୁ ଶବ୍ଦର ଅପବ୍ୟବହାର ହେଉଛି ବେଲି ଓଡ଼ିଶାର ଜଣେ ବରିଷ୍ଠ ମାର୍କସବାଦୀ ନେତା ମତବ୍ୟକ୍ତ କରିଛନ୍ତି । ନିର୍ବାଚନ କମିସନ ମଧ୍ୟ ରାଜନୈତିକ ଦଳଙ୍କୁ ବାରଣ କରିଛନ୍ତି ସେନା ପୋଷାକ ବା ପୋଷ୍ଟର ବ୍ୟବହାର କରିବାକୁ । ଦେଶର ସୀମାରେ ପ୍ରତି ଦିନ ଛୋଟ ବଡ ଗୁଳି ଗୋଳା ବିନିମୟ ହେଉଛି । ତାହାକୁ ବଡ କରି ପ୍ରଚାର କରି କେହି ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ପାରିବ ନାହିଁ ବୋଲି ବିରୋଧୀ ଆଶା କରୁଛନ୍ତି । ମେ’୨୩ରେ ହିଁ ଏହାର ସଠିକ ଉତ୍ତର ମିଳିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS