ପଚାଶ ବର୍ଷର ରାଜନୀତିରେ ପ୍ରଥମ ନିର୍ବାଚନ ଲଢିବେ ବରିଷ୍ଠ ସିପିଏମ୍ ନେତା ଜନାର୍ଦ୍ଧନ ପତି


୫୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଓଡ଼ିଶାର ବରିଷ୍ଠ ସିପିଏମ ନେତା ଜନାର୍ଦ୍ଧନ ପତି । ତାହା ମଧ୍ୟ ଭୁବନେଶ୍ୱର ଲୋକସଭା ଆସନ ଭଳି ଏକ ମର୍ଯ୍ୟାଦା ସଂପନ୍ନ ଆସନରୁ । ଅତୀତରେ, ସିପିଏମ୍ ର ବରିଷ୍ଠ ନେତା ଶିବାଜୀ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ କମ୍ୟୁନିଷ୍ଟଙ୍କ ଆସନ ବୁଝାମଣା ହୋଇଛି ଏବଂ କଂଗ୍ରେସ ଭୁବନେଶ୍ୱର ଲୋକସଭା ଆସନରୁ ସିପିଏମ୍ ନେତା ପତିଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଶାସକ ବିଜେଡ଼ି ଏହି ଆସନରୁ ପୂର୍ବତନ ଆଇପିଏସ୍ (ମହାରାଷ୍ଟ୍ର କ୍ୟାଡର୍ ର) ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରି ପାରେ ବୋଲି କୁହାଯାଉଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍ ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କୁ ପ୍ରାର୍ଥୀ କରିବା ସକାଶେ ପୂର୍ବ ପ୍ରସ୍ତୁତି କରି ସାରିଛି । ଏଭଳି ସ୍ଥିତିରେ ନବୀନ, ମୋଦୀ ଚାରିସ୍ମା ସହ ଏହି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପ୍ରାର୍ଥୀତ୍ୱର ସେ କିଭଳି ମୁକାବିଲା କରିପାରିବେ ବୋଲି ପତିଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, କଂଗ୍ରେସ ସମର୍ଥନରେ ସେ କମ୍ୟୁନିଷ୍ଟ ପ୍ରାର୍ଥୀ ଥିବାରୁ ଦୁଇ ଦଳର ଭୋଟ ତାଙ୍କ ପାଖକୁ ଆସିବ । ଏହାଛଡା, ବିଜେଡ଼ିର ଅରୁପ ବାବୁ ଓ ବିଜେପିର ଅପରାଜିତା ଷଢଙ୍ଗୀ ପୁଲିସ ଓ ପ୍ରଶାସନିକ ସେବାରେ ଦକ୍ଷତା ରଖି ଥାଇ ପାରନ୍ତି, କିନ୍ତୁ ତୃଣମୂଳ ରାଜନୀତି ସହ ସେମାନଙ୍କର କେବେ କିଛିି ସଂପର୍କ ନାହିଁ । ଅନ୍ୟପକ୍ଷରେ, ସେ ନିଜେ ୧୯୬୪ ମସିହା ଛାତ୍ର ଅନ୍ଦୋଳନର ନେତୃତ୍ୱ ନେଇ ଜେଲ୍ ଯାଇ ଥିଲେ । ତାଙ୍କ ବାମପନ୍ଥୀ ରାଜନୀତି ସେହିଠାରୁ ଆରମ୍ଭ ହୋଇଛି । ଚାଷୀ, ମୂଲିଆ, ଦଳିତ, ଆଦିବାସୀ ଓ ଗରିବ ଗୁରୁବାଙ୍କ ହକ୍ ପାଇଁ ସେ ଜଣେ ସିପିଆଇ (ଏମ୍) କାର୍ଯ୍ୟକର୍ତା ଭାବେ ସାମିଲ ହୋଇ ଆସିଛନ୍ତି । ରାଜନୀତିରେ ତାଙ୍କର ଯେଥେଷ୍ଟ ଅଭିଜ୍ଞତା ରହିଛି, ଯାହାକି ଏହି ନିର୍ବାଚନରେ ପ୍ରତିଫଳିତ ହେବ । ସେ ୫୦ ବର୍ଷ ଧରି ବାମ ଦଳ (ସିପିଏମ)ରେ ସକ୍ରୀୟ ରାଜନୀତିରେ ରହି ଥରେ ହେଲେ ନିର୍ବାଚନ ଲଢି ନାହାନ୍ତି କେମିତି (?) ବୋଲି ପ୍ରଶ୍ନ ହେବାରୁ ଜନାର୍ଦ୍ଧନ ବାବୁ କହିଛନ୍ତି, ସେ ୨୫ ବର୍ଷ ଧରି ଓଡ଼ିଶାରେ ସିପିଏମ୍ ରାଜ୍ୟ ସାଧାରଣ ସଂପାଦକ ଥିଲେ । ଦଳର ସମ୍ବିଧାନ ଅନୁସାରେ ସାଂଗଠନିକ ପଦପଦବୀରେ ଥିବା କେହି ସିଧାସଳଖ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରିବେ ନାହିଁ । ତେଣୁ, ସେ ଭୋଟ ଲଢିବାର ସୁଯୋଗ ପାଇ ନ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଏହି ସୁଯୋଗ ଦେଇଛି । ସରକାର କେବଳ ଖଣି ଉପରେ ଗୁରୁତ୍ୱ ନ ଦେଇ କୃଷିର ଆଧୁନିକୀକରଣ କଲେ ଓ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଉତ୍ପାଦନର ସଦୁପଯୋଗ କଲେ ଓଡ଼ିଶା ସମୃଦ୍ଧ ହୋଇ ପାରିବ ବୋଲି ପତି ମତବ୍ୟକ୍ତ କରିଛନ୍ତି । ସାକ୍ଷାତକାରର ଅଧିକ ବିବରଣୀ ପରେ ପ୍ରକାଶ ପାଇବ – ପ୍ରସାଦ ରାଓ, ମୁଖ୍ୟ ସଂପାଦକ
Watch Video Conversation @

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS