ସାଇବର ପୁଲିସିଂ ଭୟ, ସାମାଜିକ ଗଣମାଧ୍ୟମ ପାଇଁ ଆଚରଣ ବିଧି ସ୍ପଷ୍ଟ ହେବା ଆବଶ୍ୟକ


– ପ୍ରସାଦ ରାଓ –
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ପରେ ଭୋଟ ଯୁଦ୍ଧ ସ୍ଥାନାନ୍ତର ହୋଇଛି ସାମାଜିକ ଗଣମାଧ୍ୟମକୁ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ସମାଲୋଚନା କରୁଥିଲେ ସିନା ତାହା ସୀମିତ ଥିଲା ସଭା, ସମିତି ଓ ସାମ୍ବାଦିକ ସମ୍ମଳନୀରେ । ‘ଫେସ୍ ବୁକ୍’, ‘ହ୍ୱାଟସ୍ ଆପ୍’ରେ ଯାହା ସବୁ ପୋଷ୍ଟିଂ ଆସୁଥିଲା ସେଥିରେ ପରସ୍ପରର ଗୋଇଖୋଳା ହେଉଥିଲା । ନିର୍ବାଚନ ତାରିଖ ଘୋଷଣା ପରେ ତାହା ଯେମିତି ନିର୍ଣ୍ଣାୟକ ଯୁଦ୍ଧରେ ରୂପାନ୍ତରିତ ହୋଇଛି । ବିଜେପି ତାହାର ‘ରାଷ୍ଟ୍ରବାଦ’ ଓ ‘ହିନ୍ଦୁତ୍ୱ’ ଆଜେଣ୍ଡାକୁ ଅଧିକ ଶାଣିତ କରି ଦଳର ସମର୍ଥିକ ଓ ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ତାହା ପ୍ରସାରିତ କରୁଥିବା ବେଳେ ବିରୋଧୀ ନିଜ ଆଜେଣ୍ଡା ସହ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରିଛନ୍ତି । ଶାସକ ଓ ବିରୋଧୀଙ୍କ ସମର୍ଥକଙ୍କ ଦ୍ୱାରା ସକ୍ରିୟ ‘ଫ୍ୟାନ୍ସ୍ କ୍ଲବ୍’ ଓ ଦଳୀୟ ସମର୍ଥକ ଗୋଷ୍ଠୀ ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ ଆକ୍ଷେପ କରି ଗୃପ୍ ପୋଷ୍ଟିଂ ମାଧ୍ୟମରେ ତାହା ସହରରୁ ଗାଁ ପର୍ଯ୍ୟନ୍ତ ପ୍ରସାରିତ କରିବାରେ ଲାଗି ପଡିଛନ୍ତି । କିଛି ଦିନ ହେଲା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଫଟୋ ଓ ଦଳୀୟ ବ୍ୟାନର ଥିବା ପୋଷ୍ଟିଂ ‘ଫେସ୍ ବୁକ୍’ର ରୂପ ବଦଳାଇ ଦେଇଛି । ଏପ୍ରିଲ୍ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ଦେଶରେ ଲୋକସଭା ସହ ଓଡ଼ିଶା ସମେତ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପ୍ରଚାର ମଧ୍ୟ ‘ହାଇଟେକ୍’ ହେବାରେ ଲାଗିଛି ।
୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରଥମେ କଂଗ୍ରେସ ବିରୋଧରେ ଏହି ‘ହାଇଟେକ୍’ ପ୍ରଚାର ଆରମ୍ଭ କରି କଂଗ୍ରେସକୁ ଧରାଶାୟୀ କରିଥିଲା । ୨୦୧୪ ପୂର୍ବରୁ କେବେ ଲୋକସଭା ନିର୍ବାଚନ ଲଢି ନ ଥିବା ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ହଠାତ୍ ବିଜେପିର ପ୍ରଧାନମନ୍ତ୍ରୀ ମୁହଁ ହୋଇ ନିର୍ବାଚନ ପ୍ରଚାରର ମଙ୍ଗ ଧରି ଥିଲେ । ୧୦ ବର୍ଷର ୟୁପିଏ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ ଡ.ମନମୋହନ ସିଂହ । ୟୁପିଏ-୨ ସରକାର ସମୟରେ ହୋଇଥିବା ଭ୍ରଷ୍ଟାଚାର ଦେଶବାସୀଙ୍କୁ ଏତେଦୂର ଅତିଷ୍ଟ କରିଥିଲା ଯେ କେନ୍ଦ୍ରରେ ସରକାର ପରିବର୍ତନ ପାଇଁ ଦେଶବାସୀ ସ୍ଥିର କରି ସାରି ଥିବା ସେମାନଙ୍କ ‘ମୁଡ୍’ରୁ ଜଣାପଡୁଥିଲା । ଏହାର ସୁଯୋଗ ନେବାକୁ ମୋଦୀ ସାମାଜିକ ଗଣମାଧ୍ୟମରେ ‘ହାଇଟେକ୍’ ପ୍ରଚାର ଆରମ୍ଭ କରିଦେଇଥିଲେ । ଫଳରେ, ୟୁପି ଭଳି ସବୁ ଠାରୁ ଅଧିକ ଲୋକସଭା ଆସନ ଥିବା ରାଜ୍ୟରେ କଂଗ୍ରେସ ଡ଼ୁବି ଯିବା ସହ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳି ଥିଲା । ବିଜେପି ଲୋକସଭା ନିର୍ବାଚନରେ ବିଜେପି ଏକାକୀ ନିରଂକୁଶ ସଂଖ୍ୟାଗରିଷ୍ଠତା ପାଇବା ସହ ମିତ୍ରଦଳଙ୍କୁ ନେଇ କେନ୍ଦ୍ରରେ ଏନଡ଼ିଏ ସରକାର ପ୍ରତିଷ୍ଠା କରି ଥିଲା । ୧୯୭୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଯେଭଳି ସଫଳତା ମିଳି ଥିଲା ୨୦୧୪ରେ ମୋଦୀଙ୍କୁ ମଧ୍ୟ ସେହିଭଳି ସଫଳତା ମିଳି ଥିଲା । ତେଣୁ, ଇନ୍ଦିରାଙ୍କ ପରେ ମୋଦୀ ହେଉଛନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ (୨୦୧୪ରେ ) ଯିଏକି ନିଜର ଲୋକପ୍ରିୟତା ପ୍ରତିପାଦିତ କରି ଏକାକୀ ସରକାର ଗଠନ କରିବାର ଅଂକ ପାଇଛନ୍ତି ଏବଂ ଲୋକପ୍ରିୟତାରେ ଇନ୍ଦିରାଙ୍କ ପଛରେ ଅଛନ୍ତି ବୋଲି ଦେଶର ରାଜନୈତିକ ବିଶ୍ଲେଷକମାନେ ମଧ୍ୟ ସ୍ୱୀକାର କରିଛନ୍ତି । ତେବେ, ଦେଶର ନିସ୍ୱାର୍ଥପର ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀ ଓ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଆଜି ସୁଦ୍ଧା ଅତୁଟ ରହିଛି ।
୨୦୧୪ ସାଧାରଣ ନିର୍ବାଚନରେ ୟୁପିଏ-୨ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସହ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ଅସହାୟତା ଓ ସ୍ଥାଣୁତା ହାଇଟେକ୍ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ତାହା ଭୋଟରଙ୍କ ମନକୁ ମଧ୍ୟ ଛୁଇଁ ଥିଲା । ଏହାଛଡା, ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତିର ବର୍ଷାରେ ଦେଶବାସୀଙ୍କୁ ଭିଜାଇ ଦେଇଥିଲେ । କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେଲେ ବିଦେଶରେ ଥିବା କଳାଧନର ପୁନରୁଦ୍ଧାର କରି ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ୧୫ ଲକ୍ଷ ଟଙ୍କା ଲେଖାଏଁ ବାଂଟି ଦେବାକୁ ଏବଂ ବର୍ଷକୁ ଦୁଇ କୋଟି ଲେଖାଏଁ ୫ ବର୍ଷରେ ୧୦ କୋଟି କର୍ମନିଯୁକ୍ତି ସୃଷ୍ଟି କରି ବେକାର ସମସ୍ୟାର ମୂଳୋତ୍ପାଟନ କରିବାକୁ ମୋଦୀଙ୍କ ପ୍ରତିଶ୍ରୁତି ତାଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନକୁ ସାକାର କରି ଥିଲା । ତେବେ, ବିଜେପି ନେତୃତ୍ୱରେ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବାର ପାଖାପାଖି ବର୍ଷ ହେଲାଣି, କୌଣସି ଗୋଟିଏ ହେଲେ ପ୍ରତିଶ୍ରୁତି ବାସ୍ତବ ରୂପ ନେଇ ପାରି ନାହିଁ । ବିରୋଧୀଙ୍କ ଏହି ହାଇଟେକ୍ ପ୍ରଚାର ୨୦୧୯ ନିର୍ବାଚନରେ ମୋଦୀଜୀଙ୍କୁ ଅଡୁଆରେ ପକାଇବାକୁ ଯାଉଛି । ବିଜେପି ହାଇଟେକ କୌଶଳ ବ୍ୟବହାରରେ ଅଗ୍ରଣୀ ଥିଲେ ମଧ୍ୟ ବିରୋଧୀଙ୍କ ଆକ୍ରମଣ ତାଙ୍କୁ ବ୍ୟତିବ୍ୟସ୍ତ କରୁଛି । କେବଳ ପ୍ରତିଶ୍ରୁତି ପାଳନରେ ସରକାର ବିଫଳ ହୋଇ ନାହାନ୍ତି, ମିଥ୍ୟା ପ୍ରଚାର ମାଧ୍ୟମରେ ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି, ଦେଶରେ ମୁକ୍ତ ଓ ଅବାଧ ମତବ୍ୟକ୍ତ କରିବାର ଅଧିକାରର କଂଠରୋଧ କରିଛନ୍ତି ଏବଂ ଏହି ସରକାରରେ ଦେଶର ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥାଗୁଡିକର ସ୍ୱାଧୀନତା ବିପନ୍ନ ହୋଇଛି ବୋଲି ବିରୋଧୀ ପ୍ରଚାର କରୁ ଥିବା ବେଳେ ସରକାର ପ୍ରତିରକ୍ଷାତ୍ମକ ସ୍ଥିତିରେ ରହିଛି । କେବଳ ‘ମୋଦୀ ହଟାଓ’ ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ, ସେମାନଙ୍କ ନିକଟରେ କୌଣସି ମିଳିତ କାର୍ଯ୍ୟକ୍ରମ ବା ବିକାଶ ଯୋଜନା ନାହିଁ କହି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଆକ୍ରମଣରୁ ବର୍ତିବା ଉଦ୍ୟମ କରୁଛନ୍ତି । ଶାସକ ଓ ବିରୋଧୀ ହାଇଟେକ୍ ପ୍ରଚାର ସମୟରେ ବ୍ୟକ୍ତିଗତ କୁତ୍ସାରଟନା କରିବାକୁ ପଛାଉ ନ ଥିବାରୁ ଏଭଳି ପ୍ରଚାରରେ ଅଂକୁଶ ଲାଗିବାର ଆବଶ୍ୟକତା ଅନୁଭବ କରାଯାଉଛି ।
କେବଳ ଜାତୀୟ ସ୍ତରରେ ନୁହେଁ, ଓଡ଼ିଶାରେ ମଧ୍ୟ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ସଂପୂର୍ଣର୍ ‘ହାଇଟେକ୍’ ହୋଇଛି । ୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀ ହାଇଟେକ୍ ପ୍ରଚାର ମାଧ୍ୟମରେ ଦେଶରେ ଏକ ‘ମୋଦୀ ଲହର’ ସୃଷ୍ଟି କରିବାରେ ସକ୍ଷମ ହୋଇ ଥିଲେ ସିନା ଓଡ଼ିଶାରେ ତାହାର ପ୍ରଭାବ ପଡି ନ ଥିଲା । ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ଶାସକ ବିଜେଡ଼ି ନେଇ ଥିବା ବେଳେ ମାତ୍ର ଗୋଟିଏ ଆସନରେ ବିଜେପି ହାତକୁ ଯାଇଥିଲା । ସେହିପରି, ୧୪୭ ବିଧାନସଭା ଆସନରୁ ୧୧୭ ବିଜେଡ଼ି ହାତକୁ ଯାଇ ଥିବା ବେଳେ କଂଗ୍ରେସ ୧୬ ଓ ବିଜେପି ୧୦ ଆସନ ପାଇ ସନ୍ତୁଷ୍ଟ ଥିଲେ । ତେବେ, ଓଡ଼ିଶାରେ ୨୦୧୯ ନିର୍ବାଚନ ସଂପୂର୍ଣ୍ଣ ଭିନ୍ନ ହେବ ଏବଂ ଓଡ଼ିଶାରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ବିରୋଧରେ ଥିବା ଅସନ୍ତୋଷରୁ ବିଜେପିକୁ ଫାଇଦା ମିଳି ପାରିବ ପ୍ରଧାନମନ୍ତ୍ରୀ ମୋଦୀ ଆଶା କରୁଛନ୍ତି । ଏଥିରୁ ୨୦୧୪ର ପରାଜୟକୁ ପ୍ରଧାନମନ୍ତ୍ରୀ ଭୁଲି ନ ଥିବା ସ୍ପଷ୍ଟ ହେଉଛି । କେନ୍ଦ୍ର ସରକାରଙ୍କ ସଂକଟ ସମୟରେ ଆବଶ୍ୟକତାଠାରୁ ଅଧିକ ସାହାଯ୍ୟ କରିଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ସକାଶେ ବିଜେପି ସାଢେ ଚାରି ବର୍ଷ ହେଲା ଲଗାତର ଉଦ୍ୟମ ଜାରି ରଖିଛି । ରାଜ୍ୟକୁ ମିଳୁ ଥିବା କେନ୍ଦ୍ରୀୟ ଅନୁଦାନକୁ କାଟଛାଂଟ କରାଯାଇଛି । କେନ୍ଦ୍ରୀୟ ଅନୁଦାନରେ ରାଜ୍ୟରେ ଚାଲି ଥିବା କେତେକ ବିକାଶମୂଳକ ଯୋଜନାକୁ ମଧ୍ୟ କେନ୍ଦ୍ର ସରକାର ବନ୍ଦ କରି ବିଜେଡ଼ି ସରକାରଙ୍କ ଉପରେ ଦାଉ ସାଧୁଛନ୍ତି ।
ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ଶାସନ ଅମଳରେ ହଜାର ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତି ସମେତ ଅନ୍ୟ କେତେକ ଦୁର୍ନୀତି ହୋଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ସଂପୃକ୍ତର ପ୍ରମାଣ ନାହିଁ । କିନ୍ତୁ, ଦଳର ବହୁ ଛାମୁଆ ନେତା ସିବିଆଇ ପଂଝାରେ ପଡି ଥିବାରୁ ରାଜ୍ୟ ସରକାର କେନ୍ଦ୍ର ସହ ବହୁ କ୍ଷେତ୍ରରେ ସାଲିସ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତଥାପି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ସ୍ୱରକୁ ଶାଣିତ କରିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଲଢେଇକୁ ଜୋରଦାର କରାଯାଇଛି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଲାଭଜନକ ଦର ଦେବାରେ କେନ୍ଦ୍ର ସରକାର ଅବହେଳାକୁ ପ୍ରସଙ୍ଗ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ୱ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରାଯାଇଛି । ମହିଳା, ଚାଷୀ, କୃଷି ଶ୍ରମିକ, ଭୂମିହୀନ ଶ୍ରମିକ, ସହରାଂଚଳ ଓ ଗ୍ରାମାଂଚଳ ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ବଂଟନ, ବାସହୀନଙ୍କ ପାଇଁ ବିଜୁ ଆବାସ ଯୋଜନାରେ ବାସଗୃହ ଯୋଗାଣ,କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ଟକ୍କର ଦେବା ବିଜୁ ସ୍ୱାସ୍ଥ୍ୟ ଯୋଜନା ଏବଂ ଏହି ସବୁ ଯୋଜନା ବାବଦରେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପିଠା’ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମ ଜରିଆରେ ବହୁଳ ଭାବେ ପ୍ରସାରିତ ହୋଇଛି । ନବୀନ ନିଜର ହାଇଟେକ୍ ପ୍ରଚାର ମାଧ୍ୟମରେ ବିଜେପିର ହାଇଟେକ୍ ପ୍ରଚାର କୌଶଳକୁ ଏକପ୍ରକାର ନିଷ୍ପଭ୍ର କରି ଦେଇ ଥିବା ଲକ୍ଷ୍ୟ କରାଯାଉଛି । ଏହି ପ୍ରଚାର କୌଶଳ ଆପଣାଇବା ପାଇଁ ନବୀନ ୨୦୧୬ରୁ ଦଳର ମନ୍ତ୍ରୀ,ବିଧାୟକଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଥିଲେ । ‘ଫେସ୍ ବୁକ୍’, ‘ହ୍ୱାଟସ୍ ଆପ୍’, ‘ଟ୍ୱିଟର୍’ର ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ । ସାମାଜିକ ଗଣମାଧ୍ୟମରେ ଆକାଉଂଟ୍ ଖୋଲିବା ପାଇଁ ସମସ୍ତଙ୍କୁ କୁହାଯାଇଥିଲା । ନବୀନଙ୍କ ଚାପକୁ ଦେଖି ଦଳର ଅନଭିଜ୍ଞ ନେତାମାନେ ବାଧ୍ୟବାଧକତାରେ ସ୍ମାର୍ଟଫୋନ୍ ବ୍ୟବହାର ଶିଖି ଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେମାନେ ‘ଫେସ୍ ବୁକ୍’, ‘ଟ୍ୱିଟର୍’ ଓ ‘ହ୍ୱାଟସ୍ ଆପ୍’ରେ ସକ୍ରିୟ ହେଲେଣି । କେବଳ ବିଜେଡ଼ି ନୁହଁ, ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହି ନିର୍ବାଚନର ସମ୍ମୁଖିନ ହେବା ପାଇଁ ଆଇଟି ବିଷାରଦଙ୍କୁ ନେଇ ସାମାଜିକ ଗଣମାଧ୍ୟମ ଟିମ୍ ଗଠନ କରିଛନ୍ତି । ଦଳର ଯୁବ ଗୋଷ୍ଠୀକୁ ତାଲିମ ଦେଇ ଆଇଟି ଯୁଦ୍ଧରେ ସାମିଲ କରିଛନ୍ତି । ବିଜେପି ଆଇଟି ଯୁଦ୍ଧରେ ଆଗୁଆ ଥିଲେ ମଧ୍ୟ ଓଡ଼ିଶାରେ ବିଜେଡ଼ି କୌଣସି ଗୁଣରେ କମ୍ ନଥିବା ଦେଖିବାକୁ ମିଳୁଛି । ଦୁର୍ଦ୍ଦିନ ଦେଇ ଗତି କରୁଥିବା ଓଡ଼ିଶା କଂଗ୍ରେସ ମଧ୍ୟ ଏବେ ତା’ର ‘ଆଟି ସେଲ୍’କୁ ସକ୍ରିୟ କରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସଂପର୍କରେ ଲେଖା ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହେଲେ ତାହା ବ୍ୟାପକ ଭାବେ ପ୍ରସାର କରାଯାଉ ଥିବାରୁ ହଜାର ସଂଖ୍ୟାରେ ‘ଲାଇକ୍’ ଅସୁଥିବା ଦେଖିବାକୁ ମିଳୁଛି ।
ଆଜିର ଦିନରେ ଭୋଟ ଦେବାକୁ ଯୋଗ୍ୟ ପ୍ରତ୍ୟେକ ଯୁବକ, ଯୁବତୀ, ମହିଳା, ଶ୍ରମଜୀବୀଙ୍କ ହାତରେ ସ୍ମାର୍ଟ ଫୋନ୍ ଅଛି । ଯେଉଁମାନଙ୍କ ପାଖରେ ନାହିଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଯୋଗାଇ ଦିଆଯାଉଛି । ତେଣୁ, ସହର ଠାରୁ ପଂଚାୟତ ପର୍ଯ୍ୟନ୍ତ ରାଜନୈତିକ ଦଳମାନେ ନେଟ୍ୱାର୍କ ସକ୍ରିୟ ହୋଇଯାଇଛି । ଗୋଟିଏ ଗୋଟିଏ ଦଳର ହଜାର ହଜାର ସଂଖ୍ୟାରେ ସକ୍ରିୟ ‘ହ୍ୱାଟସ୍ ଆପ୍’ ଗୃପ୍ ରହିଛି । ଏହି ଗୃପ୍ ଗୁଡିକସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ସହରାଂଚଳ ଓ ଗ୍ରାମାଂଚଳରେ ପହଂଚାଇବା ସହ ବିରୋଧୀ ପକ୍ଷଙ୍କୁ ଟାର୍ଗେଟ୍ କରିବାରେ ତାହାକୁ ବ୍ୟବହାର କରୁଛନ୍ତି । ‘ଫେସ୍ ବୁକ୍’ ଓ ‘ଟିକ୍ ଟକ୍’ ଭଳି ଆପ୍ ଯୁବ ସମାଜରେ ବହୁଳ ଭାବେ ପ୍ରସାରିତ ଥିବାରୁ ରାଜନୈତିକ ଦଳଙ୍କ ଆଇଟି ସେଲ୍ ଏହି ଆପ୍ ଗୁଡିକରେ ରିତିମତ ପୋଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାର ୩କୋଟି ୧୮ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୩ ଲକ୍ଷରୁ ଅଧିକ ହେଉଛନ୍ତି ‘ଫେସ୍ ବୁକ୍’ ବ୍ୟବହାରକାରୀ । ସେଥିରୁ ୮୦ ପ୍ରତିଶତ ୧୮ରୁ ୪୦ ବର୍ଷ ବୟସ ସୀମାର ହୋଇ ଥିବା ବେଳେ ପ୍ରାୟ ୪୦ ଲକ୍ଷ ଭୋଟର ରାଜନୀତିରେ ରୁଚି ରଖନ୍ତି ବୋଲି ଫେସ୍ ବୁକ୍ ସର୍ଭେରୁ ସୂଚନା ମିଳିଛି । ତେଣୁ, ବିଭିନ୍ନ ରାଜନୈତିକ ଦଳ ‘ଫେସ୍ ବୁକ୍’ ପୋଷ୍ଟିଂକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି ।
ଫେସ୍ ବୁକ୍’, ‘ହ୍ୱାଟ୍ସ ଆପ୍’, ‘ଟ୍ୱିଟର୍’ ଭଳି ଆପ୍ ଛଡା ରାଜ୍ୟରେ ଗଲା ବର୍ଷେ, ଦୁଇ ବର୍ଷ ମଧ୍ୟରେ ଓଡ଼ିଆ, ଇଂରାଜୀ ‘ୱେବ୍ ପୋର୍ଟାଲ’ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସରକାର ହାତ ଗଣତି ୱେବ୍ ପୋର୍ଟାଲକୁ ସ୍ୱୀକୃତି ଦେଇଥିବା ବେଳେ ୫୦ରୁ ଅଧିକ ନ୍ୟୁଜ୍ ପୋର୍ଟାଲ ସରକାରୀ ସ୍ୱୀକୃତି ଅପେକ୍ଷାରେ ଅଛନ୍ତି । ଏସବୁ ‘ୱେବ୍ ପୋର୍ଟାଲ’ରେ ଲଗାତର ପ୍ରକାଶ ପାଉ ଥିବା ରାଜନୈତିକ ଖବର ଓ ସମୀକ୍ଷା ପାଠକଙ୍କ ଦ୍ୱାରା ଆଦୃତ । ଜନମତକୁ ସେମାନେ ପ୍ରଭାବିତ କରିବାରେ ସକ୍ଷମ । ‘ଗୁଗୁଲ’ ସମେତ ‘ଫେସ୍ ବୁକ୍, ‘ମେସେଂଜର’, ‘ହ୍ୱାଟସ୍ ଆପ୍’ ମାଧ୍ୟମରେ ନ୍ୟୁଜ୍ ପୋର୍ଟାଲ ଗୁଡିକର ଖବର ବହୁଳ ପ୍ରସାରିତ ହୋଇ ଲକ୍ଷ ଲକ୍ଷ ପାଠକଙ୍କ ନିକଟରେ ପହଂଚୁଛି । ତେଣୁ, ପ୍ରକାଶିତ ଖବରକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଆଡୁ ଉଦ୍ୟମ ହେଉଥିବା ଲକ୍ଷ୍ୟ କରାଯାଉଛି । ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ସାଇବର ପୁଲିସ ମାଧ୍ୟମରେ ‘ୱେବ୍ ପୋର୍ଟାଲ’ର ଖବର ଉପରେ ଅଂକୁଶ ଲଗାଇବା ଉଦ୍ୟମ ହେଉଥିବା ସୂଚନା ମିଳିଛି । ତେବେ, ଭାରତୀୟ ନିର୍ବାଚନ କମିସନ ଯେଉଁ ନିର୍ବାଚନ ଆଚରଣ ବିଧି ଲାଗୁ କରିଛନ୍ତି ସେଥିରେ ସାମାଜିକ ଗଣମାଧ୍ୟମ ପ୍ରତି କିଭଳି କଟକଣାମାନ ରହିଛି, ତାହା ସ୍ପଷ୍ଟ ନୁହେଁ । ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମକୁ କିଭଳି ବ୍ୟବହାର କରିବେ ଓ କଣ କରିବେ ନାହିଁ ତାହା ହିଁ କେବଳ ଆଦର୍ଶ ଆଚରଣ ବିଧିରେ ଦର୍ଶାଯାଇଛି । ସାଇବର ପୁଲିସିଂ ବ୍ୟବସ୍ଥା ମାଧ୍ୟମରେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ବ୍ୟବସ୍ଥା ହୋିଥିବା କୁହାଯାଉ ଥିବାରୁ ଏହା ଉପରେ ନିର୍ବାଚନ କମିସନ ଅଧିକ ସ୍ପଷ୍ଟ ମତ ରଖିବା ଆବଶ୍ୟକ । ଏହା ନ ହେଲେ ‘ୱେବ୍ ପୋର୍ଟାଲ୍’ ଗୁଡିକ ମୁଣ୍ଡରେ କେତେ ବେଳେ ଯେ ଖଣ୍ଡା ଖସିବ କହି ହେବ ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS