୯ବର୍ଷର ଅଦାଲତୀ ଲଢ଼େଇ ପରେ ଦେଶର ପ୍ରଥମ ଜାତି ଓ ଧର୍ମରହିତ ସାର୍ଟିଫିକେଟ ହାସଲକାରୀ ସ୍ନେହା


ବିଘ୍ନେଶ୍ୱର ସାହୁ
ଏକ ନୂଆ ସକାଳର ଅଭୁ୍ୟଦୟ ହେଲା । ତୁମେ ଭାରତବାସୀଙ୍କୁ ଏକ ପ୍ରତୀକ୍ଷିତ ବିଜୟ ଦେଇଛ । ଆମ ସହିତ ଯାହା ରହିବା ଉଚିତ ନ ଥିଲା, ତାହା ତୁମେ କରି ଦେଖାଇଛ । ଏବେ ଜାତି ବିରୁଦ୍ଧରେ ଭୋଟ ଦିଆଯିବା ଅର୍ଥାତ୍ ଜାତି ବିରୁଦ୍ଧରେ ଭୋଟ ଦେଇ ତାଙ୍କୁ ବିଦାୟ ଦେବାର ସମୟ ଆସିଛି ବୋଲି ଭାରତର ପ୍ରସିଦ୍ଧ ସିନେ ଅଭିନେତା ତଥା ନିଦେ୍ର୍ଦଶକ କମଲ ହାସନ ନିଜ ଟ୍ୱିଟର ପୃଷ୍ଠାରେ ଏମ୍.ଏ. ସ୍ନେହାଙ୍କୁ ଅଭିନନ୍ଦନ ଜଣାଇ ଏକଥା କହିଛନ୍ତି।
ଏମ୍.ଏ.ସ୍ନେହା । ନାରୀ ସଂଘର୍ଷର ଅନ୍ୟ ଏକ ଜଣାଶୁଣା ନାମ ହୋଇଗଲା ଯେଉଁ ଦିନ ତାମିଲନାଡ଼ୁ ରାଜ୍ୟ, ଭେଲୋର ଜିଲ୍ଳାର ତିରୁପାଟ୍ଟୁର ତହସିଲଦାର ଆନୁଷ୍ଠାନିକ ଭାବେ (ସରକାରୀ)ଜାତି ଓ ଧର୍ମରହିତ ସାର୍ଟିଫିକେଟ ପ୍ରଦାନ କଲେ । ତା’ ପରେ ପରେ ସମଗ୍ର ଦେଶରେ ଏକ ଅପୂର୍ବ ଆନନ୍ଦ ଖେଳି ଯାଇଛି । ସାର୍ଟିଫିକେଟ ହାସଲ ପରେ ସ୍ନେହାଙ୍କ ଫୋନ ରିଂ ଆଉ ବନ୍ଦ ହେବାର ପ୍ରଶ୍ନ ଉଠୁନି । ସାମାଜିକ ଗଣମାଧ୍ୟମରେ ପ୍ରଶଂସାର ସୁଅ ଛୁଟିଛି । ଭାରତୀୟଙ୍କ ଦୀଘ ର୍ବର୍ଷର ଅବଦମିତ ଇଚ୍ଛାଟି ପୂରଣ ହୋଇପାରିଛି ।
ସ୍ନେହାଙ୍କ ସଂଗ୍ରାମର କାହାଣୀ ଆହୁରି ରୋମାଂଚକର । ସେ ପିଲାଟି ଦିନରୁ ଅତ୍ୟନ୍ତ ସ୍ୱାଧୀନଚେତା ଥିଲେ । ଜନ୍ମ ସମୟରେ ସ୍ନେହାଙ୍କ ପିତାମାତା ଜନ୍ମ ପଂଜୀକରଣ ପତ୍ର କିମ୍ବା ସ୍କୁଲ ସାର୍ଟିଫିକେଟରେ କୌଣସି ଜାତି ବା ଧର୍ମ ସଂକ୍ରାନ୍ତରେ ଉଲ୍ଲେଖ କରି ନ ଥିଲେ । ସେମାନେ ସାର୍ଟିଫିକେଟରେ କେବଳ ଭାରତୀୟ ବୋଲି ଯାହା ଲେଖି ଥିଲେ । ‘ଭାରତୀୟ’ ଶବ୍ଦର ଅନେକ ମୂଲ୍ୟ ଥିବା ସେ ସେତେବେଳୁ ବୁଝିଥିଲେ । ବିଭିନ୍ନ ଧର୍ମାନୁସାରେ ସେ ତିନି ଭଉଣୀଙ୍କ ନାମକରଣ କରାଯାଇଥିଲା-ସ୍ନେହା, ଜେନିଫର୍, ମମ୍ତାଜ୍ ବୋଲି । ଆମେ କୌଣସି ଜାତି କିମ୍ବା ଧର୍ମର ନୋହୁଁ । ସ୍ନେହା ବିବାହ କରିଛନ୍ତି ତାମିଲ ପ୍ରଫେସର କେ.ପାର୍ଥିବ ରାଜାଙ୍କୁ ଯିଏକି ତାଙ୍କ ବିଚାର ଓ ବିଶ୍ୱାସରେ ଜଣେ ସଂଗ୍ରାମୀ ବ୍ୟକ୍ତିତ୍ୱ । ସେମାନଙ୍କ ବିବାହ କୌଣସି ପାରମ୍ପରିକ ରୀତିନୀତିରେ ହୋଇ ନାହିଁ କିମ୍ବା ଜାତି ଗୋତ୍ରର କୌଣସି ନାଁଗନ୍ଧ ରଖା ଯାଇ ନ ଥିଲା ।
ସ୍ନେହା ଓ ପାର୍ଥିବ ମଧ୍ୟ ସେମାନଙ୍କ ତିନି ଝିଅଙ୍କ ନାମକରଣ ବିଭିନ୍ନ ଧର୍ମର ନାମାନୁଯାୟୀ ଦେଇଛନ୍ତି । ସ୍ନେହାଙ୍କ ବାପା-ମା ଯେପରି ନିଜ ଝିଅମାନଙ୍କ ସ୍କୁଲ ଫର୍ମରେ ଜାତି କିମ୍ବା ଧର୍ମ ସ୍ତମ୍ଭଗୁଡ଼ିକୁ ପୂରଣ କରି ନ ଥିଲେ, ସେହିପରି ସ୍ନେହା ମଧ୍ୟ ତିନି ଝିଅଙ୍କ ସ୍କୁଲ ସାର୍ଟିଫିକେଟରେ ଧର୍ମ କିମ୍ବା ଜାତି ସମ୍ପର୍କରେ ବିଲକୁଲ ଉଲ୍ଲେଖ କରିନାହାନ୍ତି । ଏହିପରି ଭାବେ ଜାତି କିମ୍ବା ଧର୍ମରହିତ ସାର୍ଟିର୍ଫିକେଟ ଅପେକ୍ଷା ଏକ ଗୋଷ୍ଠୀ ସାର୍ଟିର୍ଫିକେଟ ବରଂ ହାସଲ କଲେ ଉଚିତ ବୋଲି ସେ ଚିନ୍ତାକଲେ ।
ଗୋଟିଏ ଗୋଷ୍ଠୀ ସାର୍ଟିଫିକେଟ ଜଣେ ବ୍ୟକ୍ତିର ନିର୍ଦ୍ଧିଷ୍ଟ ଗୋଷ୍ଠୀ ଯେପରିକି ଅନୁସୂଚିତ ଜାତି, ଜନଜାତି କିମ୍ବା ପଛୁଆବର୍ଗ ବୋଲି ଚିହ୍ନିତ ହୋଇପାରିବ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଗୋଷ୍ଠୀ ସାର୍ଟିଫିକେଟକୁ ଜାତି ସାର୍ଟିଫିକେଟ ଭାବେ ମଧ୍ୟ ବିବେଚନା କରାଯାଇପାରିବ ।
ସ୍ନେହାଙ୍କ ସଂଘର୍ଷର କାହାଣୀ ମାସେ କିମ୍ବା ବର୍ଷକର ନୁହଁ, ଏହା ଦୀର୍ଘ ୯ବର୍ଷ ଅଦାଲତୀ ଲଢ଼େଇର ଫଳ । ପ୍ରଥମରୁ ସେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଗୋଷ୍ଠୀ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ । ପ୍ରଥମେ ତହସିଲଦାର ତାକୁ ଅଣଦେଖା କରିବା ସହ ଅଗ୍ରାହ୍ୟ କରି ଦେଇଥିଲେ । ବିବିଧ ପ୍ରଚେଷ୍ଟା ପରେ ଆଇନ ମୁତାବକ ଧାରାପ୍ରକାରେ ପ୍ରଥମେ ୨୦୧୭ରେ ଗୋଷ୍ଠୀ ସାର୍ଟିଫିକେଟ ସକାଶେ ଆବେଦନ କଲେ ସ୍ନେହା । ତାହା ଅଗ୍ରାହ୍ୟ ହେଲା ପ୍ରଥମେ । ପରେ ପୁଣି କୁହାଗଲା ଯେ ଏପରି ସାର୍ଟିଫିକେଟ କ’ଣ ବ୍ୟବହାରରେ ଆସିବ? କୌଣସି ନିର୍ଦ୍ଦିଷ୍ଟ କାରଣ ବିନା ଗୋଷ୍ଠୀ ସାର୍ଟିଫିକେଟ ଦିଆଯାଇ ପାରିବ ନାହିଁ ବୋଲି ବିଭାଗୀୟ କର୍ତୃପକ୍ଷ ଚେତାବନୀ ଦେଲେ ବୋଲି କ୍ଷୋଭରେ କହିନ୍ତ ସ୍ନେହା ।
ବହୁବାର ଦୌଡ଼ାଦୌଡ଼ି କରିବା ପରେ ତହସିଲଦାର ସ୍ପଷ୍ଟୀକରଣ ଦେଲେ ଯେ ସ୍ନେହା କେଉଁ ଜାତି ବା ଧର୍ମର ଅଟନ୍ତି, ତାହା ପ୍ରଥମେ ତଦନ୍ତ କଲା ପରେ ଯାଇ ଯାହା କହି ହେବ । ଧର୍ମ ଓ ଜାତିରହିତ ସାର୍ଟିଫିକେଟ ନ ଦେବା ପାଇଁ ଅନେକ ପେଂଚପାଂଚ ଖୁନ୍ଦି କି ରଖୁଥିଲେ ସମ୍ପୃକ୍ତ ତହସିଲଦାର ।
ସମୟର ପ୍ରବାହରେ ସ୍ନେହା ଅଧିକାରୀମାନଙ୍କୁ ବୁଝାଇବାରେ ସଫଳ ହେଲେ ଯେ ସେ ସାର୍ଟିଫିକେଟ ହାସଲ କଲା ପରେ କୌଣସି ଅସତ୍ କାର୍ଯ୍ୟ କରିବେ ନାହିଁ କିମ୍ବା କାହାଠାରୁ କୌଣସି ଲାଭଜନକ ଆକାଂକ୍ଷା ରଖିବେ ନାହିଁ । ‘ଏହି ସାର୍ଟିଫିକେଟ ମୋ ଜୀବନର ପରିଚୟ ହୋଇ ରହିବ’ ବୋଲି ସ୍ନେହା କହିବା ପରେ ଲଢ଼େଇର ଅନ୍ତ ହେବାକୁ ରାସ୍ତା ମିଳିଲା । ସ୍ନେହାଙ୍କର ଏହି ସ୍ପଷ୍ଟୀକରଣ ସ୍ଥାନୀୟ ଉପଜିଲ୍ଳାପାଳ ଏବଂ ତହସିଲଦାରଙ୍କୁ ସନ୍ତୋଷଜନକ ମନେ ହୋଇ ଥିଲା ଏବଂ ଶେଷରେ ସ୍ଥାନୀୟ ଉପଜିଲ୍ଳାପାଳ ପ୍ରିୟଙ୍କା ପଙ୍କଜନଙ୍କଠାରୁ ସେ ସାର୍ଟିଫିକେଟ ଗ୍ରହଣ କଲେ ।
ଉପଜିଲ୍ଳାପାଳ ପଙ୍କଜନ୍ଙ୍କ ପ୍ରତିକି୍ରୟା ଥିଲା ବେଶ୍ ରୋଚକ । ଉପଜିଲ୍ଳାପାଳଙ୍କ ଭାଷାରେ… ସ୍ନେହା ଧର୍ମ ଓ ଜାତିରହିତ ସାର୍ଟିଫିକେଟ ହାସଲ କରିବାକୁ ଚାହିଁ ଥିଲେ । ସ୍ନେହାଙ୍କର ଅଭିଳାଷ ସମ୍ପର୍କରେ ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲୁ । ସ୍ନେହାଙ୍କର ସମସ୍ତ ସ୍କୁଲ ଓ କଲେଜ ଡକୁ୍ୟମେଂଟର ଯାଂଚ କରାଗଲା । ସବୁ ଫର୍ମରେ ଜାତି ଓ ଧର୍ମ ସମ୍ପର୍କିତ ସ୍ତମ୍ଭ ଦୁଇଟି ଆଦୌ ପୂରଣ କରାଯାଇ ନ ଥିଲା । ସମସ୍ତ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ସାର୍ଟିଫିକେଟ ପ୍ରଦାନ ସକାଶେ ସ୍ଥିର କରା ଗଲା । ସ୍ନେହା ନିଜ ବାପା ଓ ମା’ଙ୍କ ପାଇଁ ସାର୍ଟିଫିକେଟରେ ଜାତି ଓ ଧର୍ମ ସମ୍ପର୍କରେ ଉଲ୍ଲେଖ ନ କରିବାକୁ ସ୍ଥିର କରିଥିଲେ । ବାପା ଜଣେ ଖାଂଟି ସାମ୍ୟବାଦୀ ହୋଇଥିବାବେଳେ ମା ତାଙ୍କର ଜଣେ ପରମ୍ପରାବାଦୀ ପରିବାରର ଥିଲେ । ସ୍ନେହାଙ୍କ ମା ସ୍କୁଲରେ ପଢ଼ୁଥିବା ସମୟରୁ ଆମ୍ବେଦକର, କାର୍ଲମାକ୍ସ, ପେରିୟାର୍ ଏବଂ ଅନ୍ୟ ପ୍ରଗତିଶୀଳ ଚିନ୍ତାନାୟକଙ୍କ ପୁସ୍ତକ ପଢ଼ି ସାରିଥିଲେ । ଚେନ୍ନାଇ ଆଇନ କଲେଜରେ ସ୍ନେହାଙ୍କ ବାପା ଓ ମା’ ସହପାଠୀ ଥିଲେ । କଲେଜପଢ଼ା ସମୟରୁ ଉଭୟଙ୍କ ମଧ୍ୟରେ ସାକ୍ଷାତ, ପ୍ରେମ, ସମ୍ପର୍କ ଓ ପରେ ବିବାହ ହୋଇଥିଲା । ଜାତିବାଦ, ସାମ୍ପ୍ରଦାୟିକତାବାଦ ବିରୋଧରେ ସଂଗ୍ରାମ ଏବଂ ନିଷ୍ପେଷିତ ଶ୍ରେଣୀଙ୍କର ଉତ୍ଥାନ ସକାଶେ ସଂକଳ୍ପବଦ୍ଧ ରହିଆସିଛନ୍ତି । ନିଜ ସନ୍ତାନମାନଙ୍କ ନାମକରଣ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପରୁ ବାପା-ମାଙ୍କର ଚିନ୍ତାଧାରାର ପରିଚୟ ମିଳେ । ନିଜ ସ୍ୱାମୀଙ୍କୁ ମଧ୍ୟ ଶ୍ରେୟ ଦିଅନ୍ତି ସ୍ନେହା । ତାଙ୍କ ସ୍ୱାମୀ ଅତ୍ୟନ୍ତ ଉତ୍ସାହ ପ୍ରଦାନକାରୀ ଏବଂ ଦୃଢ଼ ସମର୍ଥକ । ସାମାଜିକ ବ୍ୟବସ୍ଥାର ଉନ୍ନତି ସକାଶେ ତାଙ୍କ ପରିବାର ଶପଥ ନେଇଛନ୍ତି । ସେ ସର୍ବଦା ତାଙ୍କ ପଛରେ ମେରୁଦଣ୍ଡ ହୋଇ ଛିଡ଼ା ହୋଇ ରହିଛନ୍ତି ବୋଲି ଗର୍ବରେ କହନ୍ତି ସ୍ନେହା ।
ଅନ୍ୟ କେହି ଏପ୍ରକାର ଧର୍ମ ଓ ଜାତିରହିତ ସାର୍ଟିଫିକେଟ ପାଇଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ସ୍ନେହା କହନ୍ତି, କେବଳ ମୋ ନିଜ ପାଇଁ ମୁଁ ଲଢ଼େଇ କରି ସଫଳତା ପାଇ ନାହିଁ । ଯାହାଙ୍କର ଜାତି ବା ଗୋଷ୍ଠୀଗତ ଶବ୍ଦ ଉଲ୍ଲେଖ କରିବାକୁ କିଛି ନ ଥିବ, ସେମାନେ ଏ ବ୍ୟବସ୍ଥାର ସୁଫଳ ନେଇ ପାରିବେ । ନ୍ୟାୟିକ ବ୍ୟବସ୍ଥାରେ ଗୋଷ୍ଠୀ ସାର୍ଟିଫିକେଟର ସୁଫଳ ନେଇ ହେବ । ଅଦାଲତୀ ଲଢ଼େଇର ଏହି ସୁଫଳକୁ କୌଣସି ପ୍ରଶାସନିକ ଅଧିକାରୀ ଅଟକାଇ ପାରିବେ ନାହି।
ଯେଭଳି ଭାବେ ଭବିଷ୍ୟତରେ ସମସ୍ତ ପ୍ରକୃତ ହିତାଧିକାରୀ ଜାତି ଓ ଧର୍ମରହିତ ସାର୍ଟିଫିକେଟ ପାଇ ପାରିବେ, ସେ ସମ୍ପର୍କରେ ଆଇନଜୀବୀମାନଙ୍କ ସହ ପରାମର୍ଶ କରିବେ ଏବଂ କାର୍ଯ୍ୟାନ୍ୱୟନ ସକାଶେ ପଦକ୍ଷେପ ନେବେ ବୋଲି କହିଛନ୍ତି ସ୍ନେହା ।
ସରକାରୀ ଆଦେଶ ଭାବେ ଯେଭଳି ଜାତି ଓ ଧର୍ମରହିତ ସାର୍ଟିଫିକେଟ ଉପଲବ୍ଧ ହୋଇପାରିବ, ତାହା ପରବର୍ତୀ ପଦକ୍ଷେପ ହେବ ବୋଲି ସ୍ନେହା କହିଛନ୍ତି । ଯୁଦ୍ଧ ଆଜି ବି ସରିନାହିଁ । ଆଗକୁ ଆହୁରି ଅନେକ କାମ ବାକି ରହିଛି । ଏତିକିରେ ସନ୍ତୁଷ୍ଟ ହୋଇ ବସିରହିଲେ ହେବନି । ସାଧାରଣ ଲୋକଙ୍କ ଉନ୍ନତିବିଧାନ ସକାଶେ ଲଢ଼େଇର ପରିସରକୁ ଆହୁରି ବ୍ୟାପକ କରିବାକୁ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS