ଯୋଦ୍ଧା ଜଗନ…
– ପ୍ରସାଦ ରାଓ –
ଜୁନ ୦୧ ତାରିଖ
ୱାଇଏସ୍ ଆର କଂଗ୍ରେସ ପାର୍ଟି ମୁଖ୍ୟ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ମେ’ ୩୦ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ଅବିଭକ୍ତ ଆନ୍ଧ୍ର ପ୍ରଦେଶର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ୱାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ପୁତ୍ର । ଏକ ବିମାନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଥିବା ରାଜଶେଖରଙ୍କ ମୃତ୍ୟୁ ଘଟିବା ପରେ ଜଗନମୋହନ ବିଭିନ୍ନ କାରଣରୁ କଂଗ୍ରେସଠାରୁ ଦୂରେଇ ଯାଇ ପିତାଙ୍କ ନାମରେ ୱାଇଏସଆର କଂଗ୍ରେସ ପାର୍ଟିର ପ୍ରତିଷ୍ଠା କରିଥିଲେ । ଦୀର୍ଘ ୧୦ ବର୍ଷର ସଂଘର୍ଷ ପରେ ସେ ବାପାଙ୍କ ନାମକୁ ଉଜ୍ୱଳ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡ଼ପି)କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ୱାଇଏସ୍ ଆର କଂଗ୍ରେସ ପାର୍ଟି ର ସରକାର ପ୍ରତିଷ୍ଠା କରିଛନ୍ତି । ରାଜ୍ୟ ବିଧାନସଭାର ୧୭୫ରୁ ୧୫୧ ଆସନରେ ଦଳର ବିଜୟ ହୋଇଛି । ସେହିଭଳି, ରାଜ୍ୟରେ ଥିବା ୨୫ ଲୋକସଭା ଆସନରୁ ତାଙ୍କ ଦଳକୁ ମିଳିଛି ୨୨ । ଦୀର୍ଘ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ଚନ୍ଦ୍ରବାବୁଙ୍କ ଟିଡ଼ିପି ପାଇଁ ଏହା ସବୁ ଠାରୁ ବଡ଼ ପରାଜୟ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବା ଜଗନମୋହନଙ୍କ ମୁଖ୍ୟ ନିର୍ବାଚନୀ ଆଜେଣ୍ଡା ଥିଲା । ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହାକୁ ପ୍ରସଙ୍ଗ କରି ନିର୍ବାଚନ ଲଢି ଥିଲେ । କାରଣ, ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏରେ ଥିବା ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ ବିଜେପି ର ଟାଳଟୁଳ ନୀତି ବିରୋଧରେ ୨୦୧୮ରେ ଏନଡ଼ିଏରୁ ଓହରି ଯାଇ ବିଜେପି ବିରୋଧରେ ଏକ ମହାମେଂଟ ଗଠନ କରିବା ପ୍ରୟାସ ଚଳାଇ ଥିଲେ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଏନଡ଼ିଏର ହାତ ଛାଡିବା ପରେ ବିଜେପି ୱାଇଏସ୍ ଆର କଂଗ୍ରେସ ପାର୍ଟି ମୁଖ୍ୟ ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ସହ ସଂପର୍କରେ ଥିଲା । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଉଭୟ ଚନ୍ଦ୍ରବାବୁ ନାଇଡୁ ଓ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ୨୦୧୯ ନିର୍ବାଚନ ଲଢି ଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶ ଜନତା ଚନ୍ଦ୍ରବାବୁଙ୍କୁ ବିଶ୍ୱାସକୁ ନ ନେଇ ଜଗନମୋହନଙ୍କୁ ଭରସା କରିଥିବା ମେ’ ୨୩ ଫଳାଫଳ ସ୍ପଷ୍ଟ କରିଛି । ଆଶାତୀତ ବହୁମତ ପାଇ ବିଧାନସଭାକୁ ଆସିଥିବା ୱାଇଏସ୍ ଆର କଂଗ୍ରେସ ପାର୍ଟି ମୁଖ୍ୟ ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଗୁରୁବାର ପୂର୍ବାହ୍ନରେ ବିଜୟୱାଡ଼ାର ଇନ୍ଦିରା ଗାନ୍ଧୀ ମୁନିସିପାଲ୍ ଷ୍ଟାଡିୟମ ଠାରେ ଆୟୋଜିତ ସମାରେହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଥିଲେ । ଏହି ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଡ଼ିଏମକେ ମୁଖ୍ୟ ଏମ.କେ.ଷ୍ଟାଲିନ, ପଣ୍ଡିଚେରୀ ମନ୍ତ୍ରୀ ଏମ. କ୍ରିଷ୍ଣା ରାଓ ପ୍ରମୁଖ ଯୋଗ ଦେଇ ଥିବା ବେଳେ ବିଦାୟୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଜେ ଯୋଗ ନ ଦେଇ ଜଣେ ଟିଡ଼ିପି ପ୍ରତିନିଧିଙ୍କୁ ପଠାଇ ଥିଲେ । ରାଜ୍ୟରେ କଂଗ୍ରେସ ଦୁଃସ୍ଥିତିରେ ଥିବା ବେଳେ ୨୦୦୩ରେ ଜଗନମୋହନଙ୍କ ପିତା ୱାଇ.ଏସ୍. ରାଜଶେଖର ରେଡି ରାଜ୍ୟର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରି କଂଗ୍ରେସକୁ ପୁନଃ କ୍ଷମତାସୀନ କରିଥିଲେ । ୨୦୧୯ରେ ଜଗନମୋହନ ପିତାଙ୍କ ପଦାଙ୍କ ଅନୁସରଣ କରି ୧୪ ମାସ ମଧ୍ୟରେ ରାଜ୍ୟରେ ୩,୪୬୦ କିମି ପଦଯାତ୍ରା କରି ୱାଇଏସଆର କଂଗ୍ରେସ ପାର୍ଯିକୁ ବିଜୟର ସ୍ୱାଦ ଚଖାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଦବଙ୍ଗତ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ରାଜଶେଖର ରେଡ୍ଡୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଜଗନମୋହନ ପିତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁ ଥିଲେ । କିନ୍ତୁ, କଂଗ୍ରେସ ତାଙ୍କୁ ସେହି ସୁଯୋଗ ଦେଇ ନ ଥିଲା । କଂଗ୍ରେସରେ ରହି ଅବହେଳିତ ଓ ଅପମାନିତ ହେବାରୁ ସେ ଦଳରୁ ବାହାରି ଆସି ୱାଇଏସ୍ଆରସିପି ଗଠନ କରି ତାହାକୁ ସୁଦୃଢ କରିଥିଲେ । ଦଳ ପ୍ରଥମେ କାଡ଼ପା ଆସନରୁ ଉପ ନିର୍ବାଚନ ଜିତି ଥିଲା । ତେବେ, ତକ୍ରାଳୀନ ୟୁପିଏ ସରକାର ତାଙ୍କୁ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ମାମଲାରେ ଫସାଇ ଥିଲା । କଂଗ୍ରେସ ପକ୍ଷରୁ ତାଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଦିଆଯିବା ସହ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଜଗନଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ । ଫଳରେ, ୨୦୧୨ ମେ’ ୨୭ରେ ସିବିଆଇ ଜଗନଙ୍କୁ ଗିରଫ କରି ଜେଲକୁ ପଠାଇଲା । ସେ ୧୬ ମାସ ଜେଲରେ ରହି ୨୦୧୩ରେ ଜେଳରୁ ମୁକୁଳି ଥିଲେ । ୨୦୧୪ ନିର୍ବାଚନରେ ଜଗନ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୧୯ରେ ସେହି ଜଗନମୋହନ ରେଡ୍ଡୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳ ଟିଡ଼ିପିକୁ ଧୁଳି ଚଟାଇ ଆଶାତୀତ ବହୁମତ ପାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS