ଯୁଦ୍ଧ ସରିଲା, ଏବେ ‘ସନ୍ଧି’ରେ ଚାଲିଛି ଓଡ଼ିଶା ରାଜନୀତି
– ପ୍ରସାଦ ରାଓ –
ଜୁନ ୦୨ ତାରିଖ
୨୦୧୯ ସାଧାରଣ ନିର୍ବାଚନ ସରିଛି । ସନ୍ଧିର ସମୟ ଆରମ୍ଭ ହୋଇଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦ୍ୱିତୀୟ ପାଳି ଆରମ୍ଭ କରିଥିବା ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଂଚମ ପାଳି ଶାସନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ପଂଚମ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିଭଳି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ପରଷଦରେ ସ୍ଥାନ ପାଇ ଥିବା ଓଡ଼ିଶାର ଦୁଇ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (କ୍ୟାବିନେଟ୍) ଓ ପ୍ରତାପ ଷଡ଼ଙ୍ଗୀ (ରାଷ୍ଟ୍ର ମନ୍ତ୍ରୀ)ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇ ଥିବାରୁ ସେ ଖୁସୀ । ‘ଓଡ଼ିଶାର ବିକାଶ ପାଇଁ ଉଭୟେ ମିିଳିତ ଭାବେ କାର୍ଯ୍ୟ କାରିବା’ ବୋଲି ମନ୍ତ୍ରୀ ପ୍ରଧାନ ସକାରାତ୍ମକ ବାର୍ତା ଦେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ନିର୍ବାଚନ ସମୟରେ ଥିବା ତୀକ୍ତତାକୁ ହାଲକା କରିଛନ୍ତି । ଆଗାମୀ ଦିନରେ ଓଡ଼ିଶାର ବକାଶ ପାଇଁ ଏହି ସୌହାର୍ଦ୍ଧ୍ୟ କେତେଦିନ ବଜାୟ ରହିବ କହି ହେବ ନାହିଁ । ତଥାପି, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗର ବାତାବରଣ ରହିଲେ ଓଡ଼ିଶାର ବିକାଶ ହୋଇପାରିବ । ଉଭୟ ବିଜେପି ଓ ବିଜେଡ଼ିକୁ ରାଜ୍ୟବାସୀ ଆଶାଠାରୁ ଅଧିକ ସମର୍ଥନ ଦେଇ ଥିବାରୁ ଏଭଳି ଏକ ପରିବର୍ତୀତ ବାତାବରଣର ଆଶା ରଖିଛନ୍ତି ।
ଓଡ଼ିଶାରେ ବିଜେଡ଼ି-ବିଜେପି ଲଢେଇ କିଛି ନୂଆ କଥା ନୁହେଁ । ବିଜେଡ଼ି ଗଠନ ପୂର୍ବରୁ ଜନସଂଘୀଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବେଶ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ସଂପର୍କ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ବିଚାରଗତ ଲଢେଇ ହେଉଥିଲା । ଅବଶ୍ୟ, ଆବଶ୍ୟକତା ସମୟରେ ସେମାନେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଥିବା ତକ୍ରାଳୀନ କଂଗ୍ରେସ ସରକାର ବିରୋଧରେ ମିଳିତ ହୋଇ ଲଢେଇ କରୁଥିଲେ । ୧୯୭୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ଗଣତନ୍ତ୍ରର କଂଠରୋଧ କରିବାରୁ ଓ ବିରୋଧୀ ଦଳ ନେତା ଓ ସାମ୍ବାଦିକମାନଙ୍କୁ ଜେଲରେ ପୁରାଇ ହଟ୍ଟହଟା କରିବାରୁ ସବୁ ବିରୋଧୀ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଏକାଠି ହୋଇ ତାହାର ଦୃଢ ବିରୋଧ କରିଥିଲେ । ଦୀର୍ଘ ସମୟ ଜେଲରେ କାଟି ମୁକୁଳିବା ପରେ ସେମାନେ ଦେଶରେ କଂଗ୍ରେସ ବିରୋଧରେ ମିଳିତ ସରକାର ଗଠନର ମୂଳଦୂଆ ପକାଇଲା । ମୋରାରଜୀ ଦେଶାଇ,ଚୌଧୁରୀ ଚରଣ ସିଂହ,ଚନ୍ଦ୍ରଶେଖର, ବିଶ୍ୱନାଥ ପ୍ରତାପ ସିଂହ, ଦେବଗୌଡ଼ାଙ୍କ ଭଳି ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀମାନେ ଦେଶରେ ସ୍ଥାୟୀ ସରକାର ଦେବାରେ ବିଫଳ ହେବାରୁ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରି ଥିଲା । ତଥାପି, ଭାରତୀୟ ରାଜନୀତିରେ ସେମାନଙ୍କ ଛାପ ରହି ଯାଇଛି । ଦେଶରେ କଂଗ୍ରେସ-ବିରୋଧୀ ମେଂଟ ସରକାର ଗଠନ କ୍ରମରେ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦୁଇ ଥର ବିଫଳ ହେବା ପରେ ତୃତୀୟ ଥର ଦେଶକୁ ପାଂଚ ବର୍ଷ ଶାସନ ଦେବାରେ ସକ୍ଷମ ହୋଇଥିଲେ ।
୧୯୯୦ରେ ଓଡ଼ିଶାର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କମ୍ୟୁନିଷ୍ଟଙ୍କ ସହ ଆସନ ବୁଝାମଣା କରି ରାଜ୍ୟକୁ ୧୯୯୦ରୁ ୯୫ ପର୍ଯ୍ୟନ୍ତ ମେଂଟ ସରକାର ଦେଇଥିଲେ । ତେବେ, ୧୯୯୫ ନିର୍ବାଚନରେ ଜନତା ଦଳର ପରାଜୟ ଘଟି ରାଜ୍ୟରେ ପୁଣି ଥରେ କଂଗ୍ରେସ ସରକାର ପ୍ରତିଷ୍ଠା ହୋଇଥିଲା । ୨୦୦୦ ମସିହାରୁ ଓଡ଼ିଶାର ରାଜନୈତିକ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସହ ମେଂଟ କରି ରାଜ୍ୟରେ ନଅ ବର୍ଷ (୨୦୦୦ରୁ ୨୦୦୯) ଶାସନ କରିବା ପରେ ୨୦୦୮ କନ୍ଧମାଳ ଦଙ୍ଗାକୁ ନେଇ ବିଜେପିର ହାତ ଛାଡି ଥିଲେ । କନ୍ଧମାଳ ଜିଲ୍ଲାରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟ ଦ୍ୱାରା ଚାଲି ଆସି ଥିବା ଧର୍ମାନ୍ତରୀକରଣକୁ ବିରୋଧ କରୁଥିଲେ ଜଳସପେଟାଠାରେ ଆଶ୍ରମ ପ୍ରତିଷ୍ଠା କରିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ସେ ଧର୍ମାନ୍ତରୀତ ହୋଇଥିବା ପରିବାରଙ୍କୁ ପୁନଃ ହିନ୍ଦୁ ଧର୍ମକୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିବାରୁ ୨୦୦୮ରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଫଳରେ, ଜିଲ୍ଲାରେ ହିନ୍ଦୁ ଓ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ଦଙ୍ଗା, ନନ୍ ଙ୍କ ପ୍ରତି ଦୁଷ୍କର୍ମ ଭଳି ବହୁ ଘଟଣା ଘଟି ଗଲା । ଯେହେତୁ ବିଜେପି ‘ହିନ୍ଦୁତ୍ୱ’ ବିଚାରଧାର ସହ ସଂପୃକ୍ତ, କନ୍ଧମାଳ ଦଙ୍ଗାରେ ଦଳର ଭୂମିକାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମ ଦ୍ୱାରା କଡା ସମାଲୋଚନାର ସମ୍ମୁଖୀନ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ନିରପଦ ଦୂରରେ ରଖିବା ସକାଶେ ୨୦୦୯ରେ ବିଜେପି ସହ ସଂପର୍କ ଛିନ୍ନ କଲେ । ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ବିଜେଡ଼ି ବିଜେପି ସହ ମେଂଟରୁ ଓହରି ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରାଗଲା । ବିଜେପିର ଜାତୀୟ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଆସି ଅପମାନଜନ ସ୍ଥିତିରେ ଫେରିବାରୁ ଦୁଇ ଦଳ ମଧ୍ୟରେ ସଂପର୍କ ତୀକ୍ତ ହୋଇଥିଲା, ଯାହାକି ଆଜି ମଧ୍ୟ ରହିଛି । ବିଜେପି ସହ ମେଂଟରୁ ଓହରିବା ପରେ ବିଜେଡ଼ି ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ନିର୍ବାଚନ ଲଢିଛି ଏବଂ ୨୦୦୯, ୨୦୧୪ ଓ ୨୦୧୯ରେ ଆଶାତୀତ ଜନସମର୍ଥନ ପାଇଁ ରାଜ୍ୟରେ ଶାସନ କରୁଛି । ୨୦୧୪ର ‘ମୋଦୀ ହାୱା’ ବା ୨୦୧୯ର ‘ମୋଦୀ ଲହର’ ସତ୍ୱେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ପ୍ରତି ଜନସମର୍ଥନର ଭିତ୍ତି ଦୋହଲି ନାହିଁ ।
ଉଲ୍ଲେଖନୀୟ ଯେ, ବିଜେପି ୨୦୦୯ର ଅପମାନ ଏପର୍ଯ୍ୟନ୍ତ ଭୁଲି ନାହିଁ । ପ୍ରତିଶୋଧ ଉଦ୍ୟମରେ ମଧ୍ୟ ସଫଳ ହୋଇ ନାହିଁ । ତେବେ, ମେଂଟ ଭାଙ୍ଗିଲା ପରେ ମଧ୍ୟ ଦୁଇ ଦଳ ବିଭିନ୍ନ ନିର୍ବାଚନରେ (ପୌର ନିର୍ବାଚନ ଭଳି) ଭୋଟ ପରବର୍ତୀ ବୁଝାମଣା କରି କ୍ଷମତା ଭୋଗ କରିଛନ୍ତି । କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ଏହି ରଣନୀତିର ଅଂଶ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜନୀତିକୁ ଆସି ବଜେପିର ମଂଗ ଧରିବା ପରେ ଓଡ଼ିଶାରେ ବିଜେପି କ୍ଷମତାକ ଆସିବା ପାଇଁ ଆକ୍ରମଣାତ୍ମକ ରାଜନୀତି କରୁଛି ସିନା ଦୁଇ ଦଳ ମଧ୍ୟରେ ସଂପର୍କରେ ଖଟା, ମିଠାର ସ୍ୱାଦ ରହିଛି । କେନ୍ଦ୍ର କଂଗ୍ରେସ ସରକାରର ଅପାରଗତା ଓ ଏକାଧିକ ଗୁରୁତର ଦୁର୍ନୀତି ଅଭିଯୋଗକୁ ଉପଲକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ନିର୍ବାଚନ ଲଢିଥିଲେ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ଅସହାୟ ଅବସ୍ଥାକୁ ମଧ୍ୟ ଦଳ ପ୍ରସଙ୍ଗ କରିଥିଲା । କଂଗ୍ରେସ ପ୍ରତି ଭୋଟର ବିତୃଷ୍ଣ ଥିବାରୁ ବିଜେପି ତାହାର ଭରପୁର ଫାଇଦା ନେଇ ଥିଲା । ଦୁର୍ନୀତିରୁ ଦେଶକୁ ମୁକ୍ତି କରିବା ସହ ବିକାଶକୁ ଆଗେଇ ନେବା ପ୍ରତିଶ୍ରୁତିରେ ମୋଦୀଜୀ ଆଶାତୀତ ସଫଳତା ପାଇଥିଲେ । ତେବେ, ଓଡ଼ିଶାରେ ବିଜେଡ଼ି ସରକାର ଥିବାରୁ ତାହାର ପ୍ରଭାବ ନ ଥିଲା । ୨୦୧୪ ନିର୍ବାଚନରେ ରାଜ୍ୟ ବିଧାନସଭାର ୧୪୭ ଆସନରୁ ବିଜେପିକୁ ମିଳିଥିଲା ମାତ୍ର ୧୦ଟି ଆସନ । ୨୧ ଲୋକସଭା ଆସନରୁ ଦଳ ପାଇ ଥିଲା ଗୋଟିଏ । ଓଡ଼ିଶାରେ ‘ମୋଦୀ ହାୱା’ ପ୍ରଭାବହୀନ ଦେଖି କେନ୍ଦ୍ରର ଏନଡ଼ିଏ ସରକାର ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଲେ । ତେବେ, ବିମୁଦ୍ରୀକରଣ, ଜିଏସଟି ଭଳି ଅର୍ଥନୈତିକ ପ୍ରସଙ୍ଗ ଓ ଅନ୍ୟାନ୍ୟ ରାଜନୈତିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ନେବାକୁ ପଛାଇ ନାହାନ୍ତି । କିନ୍ତୁ, ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନରେ କାଟଛାଂଟ ହୋଇଛି । ୨୦୧୯ ନିର୍ବାଚନ ପୂର୍ବରୁ ଉଭୟ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କୁ ‘ଅପାରଗ’ ଓ ‘ପୋଡା ଟ୍ରାନ୍ସଫର୍ମର’ କହି ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର (ଡ଼ବଲ ଇଂଜିନ) ପ୍ରତିଷ୍ଠା ପାଇଁ ରାଜ୍ୟବାସୀଙ୍କୁ ଉସୁକାଇଛନ୍ତି । ଓଡ଼ିଶାକୁ ନେଇ ବିଜେପିର ସୁଚିନ୍ତିତ ରଣନୀତି ଥିଲା ଏବଂ ତାହା ଥିଲା ଉଗ୍ର ଓ ଆକ୍ରମଣାତ୍ମକ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦୁଇ ଦଳର ନେତାଙ୍କ ମଧ୍ୟରେ ଯେଉଁ ‘ତୁ..ତୁ, ମେଁ..ମେଁ’ ଚାଲି ଥିଲା ସେଥିରୁ ଏହା ଅନୁଭବ କରି ହେଉଥିଲା ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ପ୍ରଥମେ ରାଷ୍ଟ୍ର ମନ୍ତ୍ରୀ ଓ ପରେ କ୍ୟାବିନେଟ୍ ମନ୍ତ୍ରୀ (ପେଟ୍ରୋଲିୟମ ଓ ପ୍ରକୃତି ବାଷ୍ପ) ଭାବେ ସାମିଲ କରାଯାଇ ଭାରତ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲି ଥିବା ତୈଳ କଂପାନୀଙ୍କ ଅର୍ଥରେ ଓଡ଼ିଶାରେ ବିଜେପିକୁ ସୁଦୃଢ କରିବା ଦାୟିତ୍ୱ ଦିଆଯାଇଥିଲା । ଧର୍ମେନ୍ଦ୍ର ନିଜକୁ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ଭାବେ ଦେଖୁଥିଲେ ଓ ନିଜ ‘କୋଟାରୀ’କୁ ଧରି ରାଜ୍ୟରେ ସଂଗଠନକୁ ପରିଚାଳନା କରୁ ଥିଲେ । ଫଳରେ, ବହୁ ପୁରୁଖା ନେତା ଶକ୍ତିହୀନ ହୋଇ ଏହି ‘କୋଟାରୀ’ ନିକଟରେ ଆତ୍ମସମର୍ପଣ କରି ଥିଲେ ବା ଦଳଠାରୁ ନିଜକୁ ଦୂରେଇ ନେଇ ଥିଲେ । ଧର୍ମେନ୍ଦ୍ରଙ୍କ ‘କୋଟାରୀ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ଛିଦ୍ର ଖୋଜି ପ୍ରତିଦିନ ସରକାରଙ୍କୁ ଆକ୍ରମଣ କରିବା ଓ ଅରୁଚିକର ସମାଲୋଚନା କରିବା ଥିଲା ୨୦୧୪-୨୦୧୯ର ବିଶେଷତ୍ୱ । ଦଳର କିଛି ତୁଙ୍ଗ ନେତାଙ୍କ କହିବା ଅନୁଯାୟୀ, ଧର୍ମେନ୍ଦ୍ର ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ଯୋଗସୂତ୍ରର ଏକମାତ୍ର ମାଧ୍ୟମ । ‘କୋଟାରୀ’ର ଏକଛତ୍ରକୁ ନେଇ ଦଳରେ ଅସନ୍ତୋଷ ବଢିବା ସହ କିିଛି ନେତା (ସୁବାସ ଚୌହାନଙ୍କ ଭଳି) ଦଳ ଛାଡି ଥିଲେ । କିଛି ନୂଆ ନେତା ଦଳକୁ ଆସିବା ପରେ କ୍ଷମତା ରାଜନୀତି ଅଧିକ ସରଗରମ ହୋଇଥିଲା । ଏହାଦ୍ୱାରା, ଦଳ ଆଭ୍ୟନ୍ତରୀଣ ଲଢେଇରେ ଅଧିକ ସମୟ ଦେଇଥିଲା, ତୃଣମୂଳସ୍ତରରେ ଦଳର ବାର୍ତା ପହଂଚୁ ନ ଥିଲା । ତାହା ହିଁ ଦେଶବ୍ୟାପୀ ‘ମୋଦୀ ଲହର’ ଅନୁଭବ ହୋଇଥିବା ବେଳେ ଓଡ଼ିଶାରେ ପ୍ରଭାବହୀନ ରହିବାର ମୁଖ୍ୟ କାରଣ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ଦଳ ମଧ୍ୟ ଦୁର୍ବଳ ଥିଲା । ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଯେଉଁ ଗତିରେ ସଂଗଠନ ଆରମ୍ଭ କରିଥିଲା ଭୋଟ ବେଳକୁ ତାହା ନ ଥିଲା । କଂଗ୍ରସ ଭିତରେ ତୀବ୍ର ଅନ୍ତଃ କନ୍ଦଳ, ପ୍ରାର୍ଥୀ ହେବା ପାଇଁ ଆଶାୟୀ ଟିକଟ ନ ପାଇ ଦଳ ଛାଡିବା ଓ ଦଳ ବିରୋଧରେ ତୁରନ୍ତ ଗଣମାଧ୍ୟମକୁ ଯିବା, ଟିକଟ ପାଇ ଥିବା ନେତା ବିଜୟ ଆଶା ନ ଦେଖି ଟିକଟ ଫେରାଇବା, ଟିକଟ ମିଳିବା ନିଶ୍ଚିତ ଥିଲେ ମଧ୍ୟ ବିଭିନ୍ନ ପ୍ରଲୋଭନରେ ନେତା ଦଳ ଛାଡିବା (ନବ ଦାସଙ୍କ ଭଳି କିଛି ନେତା) ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଅଣଦେଖା କରିବା ରାଜ୍ୟରେ କଂଗ୍ରସର ଶୋଚନୀୟ ପରାଜୟର ମୁଖ୍ୟ କାରଣ । ତାହା ଉଭୟ ବିଜେଡ଼ି ଓ ବିଜେପିକୁ ସାହାଯ୍ୟ କରିଛି । ବିଜେପି ଏହି ସୁଯୋଗରେ କଂଗ୍ରେସକୁ ପଛକୁ ଠେଲି ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଉଠିଛି । ବିଜେପିର ଭୋଟ ହାର ବୃଦ୍ଧିରେ କଂଗ୍ରେସ ଏହି ଦୁର୍ବଳ ଅବସ୍ଥା ବହୁମାତ୍ରାରେ ସହାୟକ ହୋଇଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରୁ ତାହାର ବିଜୟ ଅଭିଯାନ ଆରମ୍ଭ କରିଥିଲା । ସାଧାରଣ ନିର୍ବାଚନରେ ବିଜେପିକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ସହ ବିଜେପୁର ବିଧାନସଭା ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ୨୦୧୯ ନିର୍ବାଚନରେ ଦୁଇଟି ଯାକ ଆସନରୁ ସେ ବିଜୟୀ ହୋଇଛନ୍ତି । କିନ୍ତୁ, ପଶ୍ଚିମ ଓଡ଼ିଶାରେ ବିଜେପିର ବିଜୟ ଯାତ୍ରାକୁ ରୋକି ପାରି ନାହାନ୍ତି । ବିଜେପିର ସଫଳତାର ଶ୍ରେୟ କଂଗ୍ରେସର ଦୁର୍ଗ ପତନକୁ ଯାଉଛି, ମୋଦୀ ଲହରକୁ ମଧ୍ୟ ଯାଉଛି । ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୧୬ (୨୦୧୪)ରୁ ୯ (୨୦୧୯)କୁ ଖସିଛି । ୨୦୧୪ରେ ଦଳ ଗୋଟିଏ ମଧ୍ୟ ଲୋକସଭା ଆସନରେ ବିଜୟୀ ହୋଇ ନଥିଲା । ଏଥର ଗୋଟିଏ ଜିତିଛି । ଅପରପକ୍ଷରେ, ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୧୦ (୨୦୧୪)ରୁ ୨୨ (୨୦୧୯)କୁ ବଢିଛି । ୨୦୧୪ରେ ବିଜେପି ଗୋଟିଏ (ସୁନ୍ଦରଗଡ଼) ଲୋକସଭା ଆସନ ମିଳି ଥିଲା । ୨୦୧୯ରେ ତାହା ୮କୁ ବୃଦ୍ଧି ପାଇଛି । ଭୁବନେଶ୍ୱର,ବାଲେଶ୍ୱର, ମୟୁରଭଂଜ ସମେତ ପଶ୍ଚିମରେ ଦଳର ଶକ୍ତିବୃଦ୍ଧି ହୋଇଛି । ତେବେ, ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲାରେ ବିଜେଡ଼ି ସାଂସଦ ବିଜୟୀ ହେବା ଅନେକଙ୍କୁ ବିସ୍ମିିତ କରିଛି ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବିଜେପି ଓଡ଼ିଶାରେ ୨୦୧୪ ତୁଳନାରେ ୨୦୧୯ରେ ଭଲ ଫଳାଫଳ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶ୍ରେୟ ନିଜେ ନ ନେଇ ଧର୍ମେନ୍ଦ୍ରଙ୍କୁ ଦେଇଛନ୍ତି । ଧର୍ମେନ୍ଦ୍ର ଏଥର ସିଧାସଳଖ କ୍ୟାବିନେଟ୍ ସହ ପେଟ୍ରୋଲିୟମ, ପା୍ରକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରଣାଳୟ ପାଇଛନ୍ତି । ବାଲେଶ୍ୱରରୁ ସାଂସଦ ହୋଇଥିବା ବିଜେପିର ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ ହେବା ସୁଯୋଗ ପାଇଛନ୍ତି । ତେବେ, ୨୦୧୪ରେ ଓଡ଼ିଶାରୁ ଦଳର ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିବା ଜୁଏଲ୍ ଓରାମ ୨୦୧୯ ନିର୍ବାଚନରେ ମଧ୍ୟ ସୁନ୍ଦରଗଡ଼ ଆସନରୁ ବିଜୟୀ ହୋଇଥିବା ସତ୍ୱେ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନାହାନ୍ତି । ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚତ ହୋଇଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଜଣେ ପୂର୍ବତନ ଆଇଏଏସ୍ । ପ୍ରଶାସନିକ ଦକ୍ଷତା ରହିଛି । ତଥାପି, କେନ୍ଦ୍ର ମନ୍ତ୍ରୀ ପରିଷଦରେ ତାଙ୍କୁ ସ୍ଥାନ ମିଳି ନାହିଁ । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ବିଜେପିର ଚାଟୁକାରମାନ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ମନ୍ତ୍ରୀ କଲେ ନାହିଁ ବୋଲି ପ୍ରଶ୍ନ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ପଇଁତରା ଅପରାଜିତାଙ୍କୁ ନିରାଶ କରିଛି । ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ପ୍ରମୁଖ ମନ୍ତ୍ରୀ ପରିଷଦରେ ସ୍ଥାନ ନ ପାଇବା ଓଡ଼ିଶାରେ ବିଜେପିର ଦ୍ୱିତୀୟ ନେତୃତ୍ୱ ମୁଣ୍ଡ ଟେକୁ ବୋଲି ଦଳ ଚାହୁଁ ନ ଥିବା ସ୍ପଷ୍ଟ କରି ଦେଇଛି । ଏସବୁ ସତ୍ୱେ ବିଜେପି ଓଡ଼ିଶା ବିଧାନସଭାରେ ୨୨ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ବିେଜେଡ଼ି-ବିଜେପି ମଧ୍ୟରେ ସଂପର୍କ ଶାନ୍ତ ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହି ଥିବା ଲକ୍ଷ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟର ଆଦାନ ପ୍ରଦାନ କେତେଦୂର ସ୍ଥାୟୀ, ତାହା ବିଧାନସଭା ଅଧିବେଶନ ଆରମ୍ଭରୁ ଜଣାପଡିବ । ତେବେ, ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହୋଇଥିବା କଂଗ୍ରେସ ଆତ୍ମଚିନ୍ତନରେ ବୁଡି ରହି ଥିବା ବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ ସନ୍ଧି ଓ ସୌହାର୍ଦ୍ଧ୍ୟର ଆଦାନ ପ୍ରଦାନ ‘ଆଉ ଏକ ଯୁଦ୍ଧର ପ୍ରସ୍ତୁତି’ କହିବା ଅତ୍ୟୁକ୍ତି ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS