ଚର୍ଚ୍ଚାରେ ତିନି ମୁଖ୍ୟମନ୍ତ୍ରୀ – ମମତା, ନୀତୀଶ ଓ ନବୀନ
– ପ୍ରସାଦ ରାଓ –
ଜୁନ ୦୩ ତାରିଖ
ମମତାଙ୍କୁ ବିଜେପି ଭୟ !
ବିଜେପି ମନ ବଳାଇ ଥିଲା ୨୦୧୯ ନିର୍ବାଚନରେ ଓଡ଼ିଶା ଓ ପଶ୍ଚିମ ବଂଗରେ ଆଂଚଳିକ ଦଳର ସରକାରଙ୍କୁ ଧରାଶାୟୀ କରି ପୂର୍ବାଂଚଳରେ ନିଜର ଗେରୁଆ ବାନା ଉଡାଇବ । ଦଳର ଏହି ଆଶା ଓଡ଼ିଶାରେ ସଫଳ ହେଲା ନାହିଁ । କିନ୍ତୁ, ପଶ୍ଚିମ ବଂଗରେ କିଛି ମାତ୍ରାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଗ୍ର ସ୍ୱଭାବ ଯୋଗୁ ତାହା ସମ୍ଭବ ହେବାକୁ ଯାଉଛି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ମମତାଙ୍କ ମଧ୍ୟରେ ଯେଭଳି ଅରୁଚିକର ବାକ୍ୟ ବିନିମୟ ଚାଲିଲା ନିର୍ବାଚନ ସରିବା ପରେ ତାହା ଥମି ଯିବ ବୋଲି ସମସ୍ତେ ଆଶା କରୁଥିଲେ । କିନ୍ତୁ, ବିବାଦ ଥମିବା ବଦଳରେ ଅଧିକ ତୀବ୍ର ଓ ରୋଚକ ହୋଇଛି । ‘ଜୟ ଶ୍ରୀରାମ’ ସ୍ଲୋଗାନ ମମତାଙ୍କୁ ଏତେଦୂର ବିଚଳିତ କରୁଛି ଯେ ସେ ନିଜର ସନ୍ତୁଳନ ରକ୍ଷା କରିପାରୁ ନାହାନ୍ତି । ବିଜେପି ଏହି ରହସ୍ୟ ଜାଣିବା ପରେ ତାହାକୁ ଅସ୍ତ୍ର କରି ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ଗଡ଼ରେ ଧସେଇ ପଶିବାର ଉପକ୍ରମ ଆରମ୍ଭ କରିଛି । ମମତା ବିଜେପିର ଏହି ଚାଲ୍ କୁ ସ୍ଥିର ମସ୍ତିଷ୍କରେ ମୁକାବିଲା କରିବା ପରିବର୍ତେ ହିଂସ୍ର ହୋଇପଡିବା ଟିଏମସି ପାଇଁ ବୁମେରାଂ ହୋଇଛି ।
୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମ ବଂଗରେ ଭଲ ଫଳାଫଳ କରି ଥିବାରୁ ଉତ୍ସାହିତ । ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ତାହା ଦୋହରାଇବାକୁ ରଣନୀତି ପ୍ରସ୍ତୁତ କରିଛି । ବିଧାନସଭା ନିର୍ବାଚନ ଆସିବା ପୂର୍ବରୁ ବିଜେପି ଟିଏମସିକୁ ଚୁନା ଚୁନା କରି ନିଜ ସଂଗଠନକୁ ସୁଦୃଢ କରିବାର ଯେଉଁ କୌଶଳ ଆପଣାଇଛନ୍ତି ତାହାର ଅଂଶ ହେଉଛି ‘ଜୟ ଶ୍ରୀରାମ’ । ଏହି ସ୍ଲୋଗାନ ଟିଏମସିକୁ ଭାଂଗିବାର ଅସ୍ତ୍ର । ପଶ୍ଚିମ ବଂଗରେ ଯିଏ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତାଙ୍କ ଅଲିଖିତ ନିର୍ଦେଶ ରହି ଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମମତାଙ୍କ ଏହି ଫତୁଆକୁ ଚ୍ୟାଂଲେଜ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ଆହ୍ୱାନ ଦେଇଛନ୍ତି । ଏବେ, ନିଜ ଦଳ ନେତାମାନେ ମମତାଙ୍କ ଫତୁଆକୁ ବିରୋଧ କରି ବିଦ୍ରୋହ କଲେଣି, ଯାହାକି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ହୋଇଛି। ଟିଏମସିରେ ବିଦ୍ରୋହ ଏବଂ ମମତାଙ୍କ ପାଗଳାମୀ ବିଜେପିକୁ ଉତ୍ସାହିତ କରିବା ସ୍ୱାଭାବିକ । ବିଜେପି ମମତାଙ୍କୁ ଉସୁକାଉ ଥିବା ବେଳେ ସେ ଯୁଆଡେ ଯାଉଛନ୍ତି ତାଙ୍କ ବାଟ ଓଗାଳି ଟିଏମସି-ବିରୋଧୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉ ଥିବାରୁ ମମତା ବାଉଳା ହୋଇ ଗାଲିଗୁଲଜ କରୁଛନ୍ତି । କୁହାଯାଉଛି, ପଶ୍ଚିମ ବଂଗର ହିନ୍ଦୁ ଭୋଟର ଏବେ ‘ଜୟ ଶ୍ରୀରାମ’ ରଂଗରେ ରଂଗୀନ । ରାସ୍ତାଘାଟରେ ‘ଜୟ ଶ୍ରୀରାମ’ ଧ୍ୱନୀ ପଶ୍ଚିମ ବଂଗ ପୁଲିସକୁ ମଧ୍ୟ ଅଡୁଆରେ ପକାଇଛି । ପୁଲିସ ମହାନିର୍ଦେଶକ ରାଜ୍ୟର ସମସ୍ତ ଏସପିଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଯେତେବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି ଯେଉଁ ରାସ୍ତାରେ ଯିବେ ସେହି ରାସ୍ତାକୁ ‘ସାନିଟାଇଜ୍’ କରାଯିବାକୁ ନିର୍ଦେଶ ଦେଇଛନ୍ତି । ଏହାର ଅର୍ଥ, ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ବା ବେସରକାରୀ କାର୍ଯ୍ୟକ୍ରମରେ ଯେଉଁ ରାସ୍ତା ଦେଇ ଯିବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ସେସବୁ ରାସ୍ତାରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦିଆଯିବାର କିଛି ଯୋଜନା ଅଛି କି ନାହିଁ ତାହା ଗୁଇନ୍ଦା ଅଧିକାରୀମାନେ ଖବର ସଂଗ୍ରହ କରିବେ । ଆଗୁଆ ତଥ୍ୟ ଭିତ୍ତିରେ ମୁଖ୍ୟମନ୍ତ୍ରୀ ଯିବା ରାସ୍ତାରୁ ସ୍ଲୋଗାନ ଦେବାକୁ ଥିବା ଲୋକଙ୍କୁ ହଟାଇ ନିଆଯିବ ବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଗନ୍ତବ୍ୟପଥ ସ୍ଥିର କରାଯିବ ।
ରାଜ୍ୟର ଜଣେ ପୁଲିସ ଅଧିକାରୀଙ୍କ ମତରେ, ରାସ୍ତାରେ କେହି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବା ଧର୍ତବ୍ୟ ଅପରାଧ ନୁହେଁ । ତେବେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ତୃଣମୂଳ କଂଗ୍ରେସ ନେତାମାନେ ଏହି ସ୍ଲୋଗାନ ଶୁଣି ପ୍ରତିକ୍ରୟାଶୀଳ ହେଉଛନ୍ତି । ବିଜେପି ମଧ୍ୟ ଏହି ସ୍ଲୋଗାନକୁ ନେଇ ରାଜନୀତି କରୁଛି । ତାହା ପୁଲିସକୁ ସମସ୍ୟାରେ ପକାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହେଉ ହେଉ ବିଭିନ୍ନ ଜିଲ୍ଲାରେ ଥିବା ଗୁଇନ୍ଦା ଅଧିକାରୀମାନେ ସେମାନଙ୍କ ସୂତ୍ରରୁ, ଏପରି କି ବିଜେପି ଖବରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରି ମୁଖ୍ୟାଳୟକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ଶେଷ ମୂହୁର୍ତରେ ମୁଖ୍ୟମନ୍ତ୍ରୀ ଯିବା ରାସ୍ତା ବଦଳାଯିବ । ରାଜ୍ୟ ଗୁଇନ୍ଦା ବିଭାଗ ଆଇଜିଙ୍କଠାରୁ ଏହି ସୂଚନା ମିଳିଛି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ବାରକପୋରା ଲୋକସଭା ନିର୍ବାଚନ ମଣ୍ଡଳୀର ଭାତପରା ଠାରେ ଆୟୋଜିତ ଏକ ପ୍ରତିବାଦ ରାଲିରେ ଯୋଗଦେବାକୁ ଯାଉଥିବା ବେଳେ ବାଟରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବା ବିରୋଧୀଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ସେଠାରେ ମମତା ଯେଉଁ ଉଗ୍ର ରୂପ ଦେଖାଇଲେ ସେଥିରେ ବିଚଳିତ ହୋଇ ପଶ୍ଚିମ ବଂଗ ପୁଲିସ ଏଭଳି ନିଷ୍ପତ୍ତି ନେଇ ଥିବା ଜଣାପଡିଛି । ସ୍ଲୋଗାନ ଦେଉ ଥିବା ବ୍ୟକ୍ତିମାନେ ‘ରାଜ୍ୟ ବାହାରୁ ଆସିଛନ୍ତି’ ଏବଂ ‘ଅପରାଧୀ ଶ୍ରେଣୀର’ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀ ‘ଜେଡ୍’ କାଟାଗୋରୀ ସୁରକ୍ଷାରେ ଥିବାରୁ ପୁଲିସ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି ।
ପଶ୍ଚିମ ବଂଗରେ ମମତାଙ୍କ ଉଗ୍ର ରୂପ ବିଜେପିକୁ ଭୟଭୀତ କରିବା ପରିବର୍ତେ ଆମୋଦିତ କରୁଛି । ତାଙ୍କୁ ଅଧିକ ଚିଡାଇବା ସକାଶେ ବିଜେପି ନେତାମାନେ ଲାଗି ପଡିଛନ୍ତି । ଲୋକସଭାକୁ ନୂଆ କରି ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି, ‘ଜୟ ଶ୍ରୀରାମ’ ସ୍ଲୋଗାନ ଲେଖା ଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ତାଙ୍କ ଦଳ ମମତାଙ୍କ ନିକଟକୁ ପଠାଇବ । ଏନଡ଼ିଏର ଅଂଶୀଦାର ମହାରାଷ୍ଟ୍ରର ‘ଶିବ ସେନା’ ଦଳ ମମତାଙ୍କ ଏଭଳି ପାଗଳାମୀର ସମାଲୋଚନା କରିଛି । ଓଡ଼ିଶାରେ ମଧ୍ୟ ଗେରୁଆ ଦଳର ସମର୍ଥକ ଓ ବୁଦ୍ଧିଜୀବୀ ମହଲ ମମତାଙ୍କ ଏଭଳି ରୂପକୁ ନାପସନ୍ଦ କରୁଛନ୍ତି । ପ୍ରଭୁ ଶ୍ରୀ ରାମଚନ୍ଦ୍ର ହିନ୍ଦୁ ସମାଜ ଆଖିରେ ଜଣେ ଆଧ୍ୟାତ୍ମିକ ଓ କିମ୍ବଦନ୍ତୀ ପୁରୁଷ । ତାଙ୍କ ନାମ ହେଉଛି ପବିତ୍ର । ଏହି ନାମ ସ୍ମରଣ କରିବାରେ କିଛି ଆବିଳତା ରହିବା କଥା ନୁହଁ । କିନ୍ତୁ, ବିଜେପି ଏହି ନାମକୁ ଯେଭଳି ଭାବେ ରାଜନୀତି ସହ ଯୋଡିଛି ତାହା ଅଶାନ୍ତି ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମାତ୍ରାଧିକ ଭାବେ ସଂଖ୍ୟାଲଘୁ ତୁଷ୍ଟୀକରଣରେ ବ୍ୟସ୍ତ । ଏହି ବିରୋଧାଭାସ ପଶ୍ଚିମ ବଂଗ ରାଜନୀତିକୁ ବିଷାକ୍ତ କରିଛି । ପଶ୍ଚିମ ବଂଗରେ ମମତାଙ୍କ ଚେର ଓପାଡିବା ହେଉଛି ବିଜେପିର ଲକ୍ଷ୍ୟ । ‘ଜୟ ଶ୍ରୀରାମ’ ସ୍ଲୋଗାନ ଏବେ ଏହି ଲକ୍ଷ୍ୟ ହାସଲର ଏକ ଅମୋଘ ଅସ୍ତ୍ର ହୋଇଛି । କଂଗ୍ରେସ ଓ କମ୍ୟୁନିଷ୍ଟଙ୍କ ପରେ ତୃଣମୂଳ କଂଗ୍ରେସ ପଶ୍ଚିମ ବଂଗରେ ଯେଉଁ ରାଜୁତି ଚଳାଇଛି ତାହାକୁ ଧ୍ୱସ୍ତ କରିବା ପାଇଁ ବିଜେପି ୨୦୧୯ ନିର୍ବାଚନରେ ଯାହା ରଣକୌଶଳ ଆପଣାଇଲା ତାହା ଟିଏମସି ଗଡ଼କୁ ଦୋହଲାଇ ଦେଇଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତାହା ସଂପୂର୍ଣ୍ଣ ଭୁଶୁଡି ଯାଇ ପାରେ ବୋଲି ତଥ୍ୟାଭିଜ୍ଞ ମହଲ କହୁଛନ୍ତି ।
ନୀତୀଶ-ମୋଦୀ ବିବାଦକୁ ନେଇ ବିହାର ରାଜନୀତି ଗରମ
୨୦୧୯ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଉଭୟ ବିଜେପି ଓ ଜେଡ଼ିୟୁ ଗୋଟିଏ ଶେଜରେ ଶୋଉ ଥିଲେ, ଗୋଟିଏ ଥାଳିରେ ଖାଉ ଥିଲେ । ଭୋଟ ସରି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମୋଦୀ-୨’ ସରକାର ପ୍ରତିଷ୍ଠା ଦିନ ଠାରୁ ମୁହଁ ଫୁଲାଫୁଲି ଆରମ୍ଭ ହୋଇଛି ।
ଜେଡ଼ିୟୁ-ବିଜେପି ମଧ୍ୟରେ ମୁହଁ ଫୁଲାଫୁଲି କିଛି ନୂଆ କଥା ନୁହେଁ । ଅତୀତରେ ନୀତୀଶ ବିହାରରେ ବିଜେପି ସହ ମିଶି ସରକାର ଗଢିଛନ୍ତି । ବିଜେପି ସମର୍ଥନ ପ୍ରତ୍ୟାହାର କରି ନେବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସହ ବୁଝାମଣା କରି ସରକାର ବଂଚାଇଛନ୍ତି । ପୁନର୍ବାର ନୀତିଗତ କାରଣରୁ ଲାଲୁଙ୍କ ହାତ ଛାଡି ବିଜେପି କୋଳକୁ ଫେରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସହ ତାଙ୍କର ମୂଲଚାଲ ବିଫଳ ହେବାରୁ ସେ ବିଜେପି ହାତ ଛାଡି ବିରୋଧୀ ମହାମେଂଟକୁ ଆସିବେ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଥିଲା । ଦେଶର ପ୍ରଧାନମନ୍ତ୍ରୀ ହେବା ଭଳି ଦକ୍ଷତା, ଯୋଗ୍ୟତା ଓ ଭାବମୂର୍ତୀ ନୀତୀଶଙ୍କ ରହିଛି । ତେଣୁ, ବିରୋଧୀ ମେଂଟ ଆଶାୟୀ ଥିଲେ । କିନ୍ତୁ, ବିଜେପି ନୀତୀଶଙ୍କୁ ମନାଇ ନିର୍ବାଚନ ବୈତରଣୀ ପାର ହୋଇଗଲା । ୨୦୧୪ ନିର୍ବାଚନ ସମୟରେ ମଧ୍ୟ ନୀତୀଶ ବିରୋଧୀ ମହାମେଂଟର ନେତୃତ୍ୱ ନେବାର ସମ୍ଭାବନା ସୃଷ୍ଟି ହୋଇଥିଲା । କାରଣ, ‘ମୋଦୀ’ ବିଜେପି ପ୍ରଧାନମନ୍ତ୍ରୀ ମୁହଁ ହେବା ନୀତୀଶ ପସନ୍ଦ କରୁ ନଥିଲେ । ତାହାର କଟୁ ସମାଲୋଚନା କରି ବିହାରରେ ଏକାକୀ ନିର୍ବାଚନ ଲଢି ଥିଲେ । ନିର୍ବାଚନରେ ବିଜେପି ବିପୁଳ ଭୋଟରେ ବିଜୟ ହେବାରୁ ସେ ମୋଦୀଙ୍କୁ ସମର୍ଥନ ଦେଇ ଏନଡ଼ିଏରେ ସାମିଲ ହୋଇଥିଲେ । ରାଜନୀତିରେ ଶତୃ ଓ ମିତ୍ର ମଧ୍ୟରେ ମାତ୍ର ସୂତାଏ ଫରକ । ତାହା ନୀତୀଶ-ମୋଦୀଙ୍କ ଆଚରଣରୁ ସ୍ପଷ୍ଟ । ୨୦୧୪ ଲୋକସଭା ନିର୍ବାଚନରେ ବିହାରର ୪୦ ଲୋକସଭା ଆସନରୁ ମାତ୍ର ଦୁଇଟି ଜେଡ଼ିୟୁକୁ ମିଳି ଥିଲା । ଅପରପକ୍ଷରେ, ବିଜେପି ୨୨ ଲୋକସଭା ଆସନ ପାଇଥିଲା । ୨୦୧୯ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଜେପି ସହଯୋଗୀଙ୍କ ଆଡୁ ବିରୋଧର ସମ୍ମୁଖୀନ ହୋଇ କୌଣସି ପ୍ରକାର ବୁଝାମଣା କରୁଥିବା ବେଳେ ବିହାରରେ ନିର୍ବାଚନ ଲଢିବା ପାଇଁ ବିଜେପି ଓ ଜେଡ଼ିୟୁ ମଧ୍ୟରେ ସମାନ ଭାବେ ଆସନ ବାଂଟି ଦିଆଯିବାକୁ ନୀତୀଶ ଅଡି ବସି ଥିଲେ । ଏହାକୁ ନେଇ ଅଚଳାବସ୍ଥା ସୃଷ୍ଟି ହେବାରୁ ବିଜେପି-ବିରୋଧୀଙ୍କ ଆଶା ବଢିଥିଲା । ନୀତୀଶ ବିରୋଧୀ ମେଂଟ ଆଡକୁ ମୁହାଁଇଲେ ବିଜେପି ପାଇଁ ଅଡୁ÷ଆ ହୋଇ ପାରେ, ସେହି ଆଶଙ୍କାରେ ବିଜେପି ଜେଡ଼ୁୟୁର ସର୍ତରେ ହିଁ ଆସନ ବୁଝାମଣା କରି ଥିଲା । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିହାର ଯାଇ ନୀତୀଶଙ୍କ ସହ ଆଲୋଚନା କରିବା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା ହୋଇଥିଲା । ନୀତୀଶଙ୍କୁ ମନାଇବା ପାଇଁ ବିଜେପି ୨୦୧୪ରେ ଜିତି ଥିବା ଆସନରୁ ୫ଟି ଜେଡ଼ିୟୁକୁ ଛାଡିବାକୁ ବାଧ୍ୟ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଶବ୍ୟାପୀ ଆଶାତୀତ ସଫଳତା ପାଇବା ପରେ ଏବେ ଏନଡ଼ିଏ ସହଯୋଗୀଙ୍କୁ ଆଉ ଗୁରୁତ୍ୱ ଦେଉ ନାହିଁ ।
କେନ୍ଦ୍ର ମନ୍ତ୍ରୀ ପରିଷଦରେ ଜେଡ଼ିୟୁକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ନୀତୀଶ ଚାହୁଁ ଥିଲେ । ବିଜେପି ମଧ୍ୟ ନୀତୀଶଙ୍କ ଦଳକୁ ତିିନିଟି ମନ୍ତ୍ରୀ ପଦ ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମେ’ ୩୦ତାରିଖ ଦିନ ତାହା ରକ୍ଷା କରି ନାହାନ୍ତି । କେନ୍ଦ୍ର ସରକାରରେ ସାମିଲ ହେବା ପାଇଁ ଜେଡ଼ିୟୁର ୩ ଜଣ ବରିଷ୍ଠ ସାଂସଦ ପ୍ରସ୍ତୁତ ହୋଇ ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆଡୁ ମାତ୍ର ଜଣେ ସାଂସଦଙ୍କୁ ନିମନ୍ତ୍ରଣ ମିଳି ଥିଲା । ଅନ୍ୟ ଦୁଇ ଜେଡ଼ିୟୁ ସାଂସଦ ପ୍ରଧାନମନ୍ତ୍ରୀଙ୍କ ‘ଫୋନ୍ କଲ୍’ ଅପେକ୍ଷାରେ ରହିଲେ ସିନା ‘କଲ୍’ ଗଲା ନାହିଁ । ନୀତୀଶ ଉତକ୍ଷୀପ୍ତ ହୋଇ ତାଭ୍କ ଦଳରୁ କେହି ମନ୍ତ୍ରୀ ପରିଷଦରେ ସାମିଲ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ରୋକଠୋକ୍ ଜଣାଇ ଦେଲେ । ପ୍ରଧାନମନ୍ତ୍ରୀ ଏହାକୁ ଗୁରୁତ୍ୱ ନ ଦେବାରୁ ଜୁନ୍ ୨ ତାରିଖ ରବିବାର ଦିନ ବିହାରରେ ଏହି ବିବାଦର ପ୍ରତିଫଳନ ଦେଖିବାକୁ ମିଳିଛି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରୀ ପରିଷଦର ସଂପ୍ରସାରଣ କରିଛନ୍ତି । ସଂପ୍ରସାରିତ ମନ୍ତ୍ରୀ ପରିଷଦରେ ୮ ଜଣ ନୂଆ ମନ୍ତ୍ରୀ ନିଆ ଯାଇଥିବା ବେଳେ ଏନଡ଼ିଏର ଅଂଶୀଦାର ଥିବା ବିଜେପି ବା ଲୋକ୍ ଜନଶକ୍ତି ପାର୍ଟି (ଏଲଜେପି)ର ଜଣେ ହେଲେ ବିଧାୟକଙ୍କୁ ସ୍ଥାନ ମିଳି ନାହିଁ । ଜେଡ଼ିୟୁ ସଫେଇ ଦେଇଛି, ବିଭିନ୍ନ କାରଣରୁ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇ ଥିବା ମନ୍ତ୍ରୀଙ୍କ ସ୍ଥାନ କେବଳ ପୂରଣ କରାଯାଇଛି । ଯେହେତୁ ଜେଡ଼ିୟୁ ମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ, ଦଳ ତାହା ଜେଡ଼ିୟୁ ସଦସ୍ୟଙ୍କୁ ନେଇ ପୂରଣ କରିଛି । ତେବେ, ଏଲଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡ଼ିଏ ମୁଦ୍ରାର ଦୁଇ ପାଶ୍ୱର୍ କହି ପରିସ୍ଥିତି ସମ୍ଭାଳିବା ଉଦ୍ୟମ କରିଛନ୍ତି । ଏହି ଲୁଚକାଳି ଖେଳ କେତେଦିନ ଚାଲିବ ଜଣା ନାହିଁ । ତେବେ, ଅଧିକ ଗୋଟିଏ ମନ୍ତ୍ରୀ ପଦ ମିଳିଲେ ନୀତୀଶ ମୋଦୀଙ୍କ ନିକଟରେ ଲାଂଗୁଡ ହଲାଇବେ, ଏକଥା କାହାରିକୁ ଅଛପା ନାହିଁ ।
ପୁଣି ବିଜେପୁର..
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ବିଧାନସଭା ନିର୍ବାଚନରେ ଜିତି ଥିବା ହିଂଜିଳି ଓ ବିଜେପୁର ଆସନ ମଧ୍ୟରୁ ହିଂଜିଳିକୁ ରଖି ବିଜେପୁର ଆସନ ଛାଡିଛନ୍ତି । ରବିବାର (ଜୁନ ୨ ତାରିଖ) ଦିନ ସେ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଏହି ସୂଚନା ଦେଇଛନ୍ତି । ବିଜେପୁର ହେଉଛି ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ । ଦୀର୍ଘ ବର୍ଷ ଧରି ଏହି ଆସନ କଂଗ୍ରେସ କବଜାରେ ଥିଲା । ୨୦୧୭ରେ ତକ୍ରାଳୀନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ରେ ଏହି ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା ଏବଂ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡ଼ିରୁ ପ୍ରାର୍ଥୀ ହୋଇ ୪୦ ହଜାର ଭୋଟ ବ୍ୟବଧାନରେ ଜିତି ଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ରୀତା ବିଜେପୁରରୁ ପ୍ରାର୍ଥୀ ହେବା ଆଶା ରଖି ଥିଲେ । ତେବେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେପୁରରୁ ନିଜେ ପ୍ରାର୍ଥୀ ହେଉଥିବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ । ହିଂଜିଳିରୁ ପରାଜୟ ଭୟରେ ମୁଖ୍ୟମନ୍ତ୍ରୀ ବିଜେପୁରକୁ ଦ୍ୱିତୀୟ ଆସନ ଭାବେ ବାଛିଛନ୍ତି ବୋଲି ରାଜ୍ୟର ବିଜେପି ନେତାମାନେ ତୁମ୍ବିତୋଫାନ କରିବା ସହ ଏକ ଜାଲ୍ ଗୁଇନ୍ଦା ରିପୋର୍ଟ ଦେଖାଇ ଭୋଟରଙ୍କୁ ବିଶ୍ୱାସ ଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ, ସେଥିରେ ସଫଳତା ମିଳିଲା ନାହିଁ । ଓଲଟା ବିଜେପି ନେତାମାନେ ଜାଲ୍ ଗୁଇନ୍ଦା ରିପୋର୍ଟ ଆଧାରରେ ଏଭଳି ଅଭିଯୋଗ କରିଥିବା ରାଜ୍ୟ ପୁଲିସ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ପଷ୍ଟ କରିବାରୁ ସଂପୃକ୍ତ ବିଜେପି ନେତାଙ୍କ ବିରୋଧରେ ପୁଲିସ ଆଡୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ନିର୍ବାଚନର କୋଳାହଳରେ ଏହି ମାମଲାର ଅଗ୍ରଗତି କଣ ହେଲା କାହାରିକୁ ଜଣାନାହିଁ । ତେବେ, ଉଭୟ ହିଂଜିଳି ଓ ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କ ବିଜୟ ବିଜେପିର ଅପପ୍ରଚାରର ଠିକଣା ଜବାବ ହୋଇଛି ।ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ଦୁଇଟି ଆସନରେ ଜିତି ଥିବା ମୁଖ୍ୟମନ୍ତ୍ରୀ ଗୋଟିଏ ଆସନ ଛାଡିବା ନିଶ୍ଚିତ ଥିଲା । ସେ ହିଂଜିଳି ଛାଡିବେ କି ବିଜେପୁର ଛାଡିବେ, ସେ ନେଇ କଳ୍ପନା ଜଳ୍ପନା ଚାଲି ଥିଲା । ସେ ଯେଉଁ ଆସନ ଛାଡିବେ ସେଠୁ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ପ୍ରାର୍ଥୀ ହେଇପାରନ୍ତି ବୋଲି ମଧ୍ୟ ବିଜେଡ଼ି ଭିତରେ ଓ ବାହାରେ ଚର୍ଚ୍ଚା ଜୋର ଧରି ଥିଲା । ତେବେ, ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଉତ୍ତରାଧିକାରୀ ଭାବେ ତାଙ୍କ ପରିବାରରୁ କେହି ରାଜନୀତିକୁ ଆସୁ ନାହାନ୍ତି, ଦଳ ଭବିଷ୍ୟତରେ ତାହାର ଉତ୍ତରାଧିକାରୀ ଦଳ ଭିତରୁ ହିଁ ବାଛିବ – ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ରବିବାର ଦିନ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଛଅ ମାସ ମଧ୍ୟରେ ଉପ ନିର୍ବାଚନ ହେବା ନିଶ୍ଚିତ । ଉପ ନିର୍ବାଚନରେ ରୀତା ସାହୁ ପୁନର୍ବାର ପ୍ରାର୍ଥୀ ହେବେ କି ଅନ୍ୟ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ତର୍ଜମା ଆରମ୍ଭ ହେଲାଣି । ୨୦୧୯ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ପରାଜିତ ହୋଇ ଥିବା ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ନିର୍ବାଚନ ପୂର୍ବରୁ ବିଜେପିରୁ ଆସି ବିଜେଡ଼ିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କ ନାମ ଚର୍ଚ୍ଚାରେ ରହିଛି । ପାଟକୁରା ବିଧାନସଭା ଉପ ନିର୍ବାଚନ ସହ ବିଜେପୁର ବିଧାନସଭା ଉପ ନିର୍ବାଚନ ଏକାଠି ହେବ, ଏଥିରେ କୌଣସି ସନ୍ଦେହ ନାହିଁ । ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଗୁରୁବାର ୧୩୦୦ କୋଟି ଟଙ୍କାର ବିକାଶ ପ୍ୟାକେଜ୍ ଘୋଷଣା କଲେ । ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜ ତଦାରଖରେ ବିକାଶ କାର୍ଯ୍ୟ କରାଇବେ ବୋଲି ପ୍ରତିଶ୍ରୁତି ଦେଲେ । ତଥାପି, ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧୋକା ଦେଇଛନ୍ତି ବୋଲି ବିଜେପି ନୂଆ ଅଭିଯୋଗ ବାଢିଛି । ଉପ ନିର୍ବାଚନ ବଳକୁ ବିଜେଡ଼ିର ଏହି ଅଭିଯୋଗ କେତେଦୂର ଦାନା ବାନ୍ଧିବ ଭିନ୍ନ କଥା । ତେବେ, ଦୁଇ ଦଳ ମଧ୍ୟରେ ହୋଇଥିବା ସନ୍ଧିରେ ବିଜେପୁର ଅତିଶୀଘ୍ର ପୂର୍ଣ୍ଣଛେଦ ପକାଇବାକୁ ଯାଉଛି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS