କଂଗ୍ରେସର କ୍ଷତ ଶୁଖିବ କେବେ ?


– ପ୍ରସାଦ ରାଓ –
ଜୁନ ୦୫ ତାରିଖ
କେବଳ ଓଡ଼ିଶାରେ ନୁହେଁ, ଜାତୀୟ ସ୍ତରରେ କଂଗ୍ରେସ ଦଳ ଆଜି କ୍ଷତାକ୍ତ । ୨୦୧୯ ସାଧାରଣ ନର୍ବାଚନର ଶୋଚନୀୟ ପରାଜୟ ଦଳର ନେତା ଓ କର୍ମୀଙ୍କୁ ହତବାକ୍ କରିଛି । ‘ରାଷ୍ଟ୍ରବାଦ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପୁଳ ଜନମତ ପାଇ ଦ୍ୱତୀୟ ଥର ଦେଶରେ ଜାତୀୟ ଗଣତାନ୍ତ୍ରିକ ମେଂଟ ବା ଏନଡ଼ିଏର ସରକାର ପ୍ରତିଷ୍ଠା କରିଥିବା ବେଳେ କଂଗ୍ରେସ ଦିଗହରା ହୋଇ ଏବେ କିନାରା ଖୋଜୁଛି । ‘ମୋଦୀ ହଟାଓ’ ସ୍ଲୋଗାନରେ ଦଳ ନିର୍ବାଚନ ଲଢି ଥିଲା । ଯାହାକି ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନାହିଁ । ଫଳରେ, ଦଳ ନିର୍ବାଚନ ହୋଇଥିବା ଦେଶର ୫୪୨ ଲୋକସଭା ଆସନରୁ ମାତ୍ର ୫୨ଟିରେ ସୀମିତ ରହି ଗଲା । କଂଗ୍ରେସ ଦଳର ବହୁ ତୁଙ୍ଗ ନେତା ଏହି ନିର୍ବାଚନରେ ପରାଜିତ ହୋଇଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ତାଙ୍କ ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଥି ଆସନରୁ ପରାଜିତ ହୋଇଥିବା ବେଳେ କେରଳର ୱାଇନାଡ଼ ଆସନ ତାଙ୍କ ଅସ୍ତିତ୍ୱ ରକ୍ଷା କରିଛି । ‘ମୋଦୀ ବିରୋଧୀ’ ରାଜନୈତିକ ଦଳଙ୍କୁ ନେଇ କଂଗ୍ରେସ ବିଜେପି ବିରୋଧରେ ଏକ ମହାମେଂଟ ଗଠନ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ସ୍ୱପ୍ନ ଦେଖି ଥିଲା ତାହା ମଧ୍ୟ ଧୁଳିସାତ ହୋଇଛି । ୟୁପିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି କଂଗ୍ରେସକୁ କିନାରା କରି ନିଜର ମେଂଟ କରିଥିଲେ। କଂଗ୍ରେସ ସହ ଏହି ଦୁଇ ଦଳ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ ‘ରାଷ୍ଟ୍ରବାଦ’ ସାମନାରେ ଫିକା ପଡି ଗଲେ । ୟୁପିରେ ସପା-ବସପା କେବଳ ନୁହେଁ, ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡ଼ିପି ଓ ପଶ୍ଚିମ ବଂଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ଲଜ୍ଜାଜନକ ପରାଜୟ ଦେଶରେ ବିରୋଧୀ ମହାମେଂଟ ଗଠନର ସମସ୍ତ ସ୍ୱପ୍ନକୁ ସାମୟିକ ଭାବେ ଚୁରମାର କରିଛି । ଲୋକସଭା ନିର୍ବାଚନରେ ପରାଜୟ ପରେ ସପା-ବସପା ମେଂଟର ଅବସାନ ଘଟିଛି । ଦୁଇ ଦଳର ମୁଖ୍ୟ ଅଖିଳେଶ ଯାଦବ ଓ ମାୟାବତୀ ନିର୍ବାଚନ ପରାଜୟ ପାଇଁ ପରସ୍ପରକୁ ଦୋଷୀ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ଉପ ନିର୍ବାଚନରେ ଏକାକୀ ଲଢିବାକୁ ଘୋଷଣା କରି ଶାସକ ବିଜେପିକୁ ଆମୋଦିତ କରିଛନ୍ତି । ନିର୍ବାଚନରେ ବିଜେପିକୁ ବିରୋଧ କରୁଥିବା ସବୁ ରାଜନୈତିକ ଦଳ ‘ଜୋକ ମୁହଁରେ ଲୁଣ’ ଲାଗିଲା ଭଳି ସିକୁଡ଼ି ଯାଇ ଥିବା ବେଳେ କଂଗ୍ରେସର ଅବସ୍ଥା ଅଧିକ ଦୟନୀୟ ଥିବା ମେ’ ୨୩ ପରେ ଦେଖିବାକୁ ମିଳୁଛି।
ଉଣେଇସି ନିର୍ବାଚନ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ଏଭଳି ଏକ ଳଜ୍ଜାଜନକ ମୋଡରେ ପହଂଚାଇବ ବୋଲି କେହି ଆଶା କରି ନ ଥିଲେ । ସମସ୍ତେ ଭାବି ଥିଲେ ୨୦୧୪ରୁ ୨୦୧୯ ମଧ୍ୟରେ ବିଜେପି ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବାରୁ ଭୋଟର ବିକଳ୍ପ ଭାବେ ବରୋଧୀଙ୍କ ମହାମେଂଟକୁ ଗ୍ରହଣ କରିବେ । କିନ୍ତୁ, ଭୋଟର ଅସ୍ଥିର ଓ ନୀତିହୀନ ବିରୋଧୀ ମେଂଟ ଅପେକ୍ଷା ଅସହିଷ୍ଣୁ ହେଳେ ବି ଦେଶରେ ଏକ ଏକ ସ୍ଥିର ସରକାର ଚାହିଁ ବିଜେପିକୁ ୩୦୩ ଆସନରେ ବିଜୟୀ କରିଛନ୍ତ । ଭୋଟରଙ୍କ ଏଭଳି ନିର୍ଣ୍ଣୟ ଦେଖି ବିରୋଧୀ ଉପାୟଶୂନ୍ୟ । ଦେଶବାସୀଙ୍କ ଏଭଳି ଏକ ନିଷ୍ପତ୍ତିରେ ଅଧିକ ମର୍ମାହତ ହୋଇଛନ୍ତି ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ନିଜର ହତାଶା ବ୍ୟକ୍ତ କରିବାକୁ ଯାଇ ସେ ଦଳର ଜାତୀୟ ସଭାପତି ପଦରୁ ଇସ୍ତଫା ଦେବା ସହ ଦଳ ଗାନ୍ଧୀ ପରିବାର ବାହାରୁ କାହାରିକୁ ଏଆଇସିସି ସଭାପତି କରିବାକୁ ଆହ୍ୱାନ ଦେଇଛନ୍ତି । କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣୀ କମିଟି ବୈଠକରେ ରାହୁଲ ଦେଇଥିବା ଏହି ପ୍ରସ୍ତାବ ଆଜି ସୁଦ୍ଧା (ଏହି ଲେଖା ପ୍ରସ୍ତୁତ ହେବା ସୁଦ୍ଧ) ଗୃହୀତ ହୋଇ ନାହିଁ । ରାହୁଲ ଦଳର ସଭାପତି ପଦରେ ରହି ସଂଗଠନରେ ଆବଶ୍ୟକ ପରିବର୍ତନ କରନ୍ତୁ ବୋଲି କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀ ପାଲଟା ପ୍ରସ୍ତାବ ରଖିଛି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ କାର୍ଯ୍ୟକାରୀଣୀ ମଧ୍ୟରେ ଚାଲି ଥିବା ଛକାପଂଝା ଭିତରେ ଦଳର ସାଂଗଠନିକ କାର୍ଯ୍ୟ ଏକପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି । ରାହୁଲଙ୍କ ପରବର୍ତୀ ନିଷ୍ପତ୍ତି କଣ ହେବ ଜାଣିବା ସକାଶେ ଦେଶବ୍ୟାପୀ କଂଗ୍ରେସ ନେତା ଓ କର୍ମୀମାନେ ଅପେକ୍ଷାରେ ଅଛନ୍ତିି । ଗାନ୍ଧୀ ପରିବାରର ହାତ ଛାଡି ଆଗକୁ ବଢିବା ଶିଖି ନ ଥିବା ଜାତୀୟ କଂଗ୍ରେସ ନେତାମାନେ ନିଜ ନିଜ ଅସ୍ତତ୍ୱକୁ ନେଇ ଶଙ୍କା ଭିତରେ ଥିବାରୁ ରାହୁଲଙ୍କ ନୂଆ ଚ୍ୟାଲେଂଜ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ଏବଂ ରାହୁଲଙ୍କୁ ମନାଇ ପୁଣି ଥରେ କଂଗ୍ରେସର ଗାଡି ଗଡାଇବା ଉଦ୍ୟମରେ ରହିଥିବା କଂଗ୍ରେସର ଭବିଷ୍ୟତକୁ ଅନିଶ୍ଚିତ କରି ଦେଇଛି । ଚଳିତ ବର୍ଷ ଶେଷ ଭାଗରେ ତିନିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦଳ ଭିତରେ ଚାଲିଥିବା ଏହି ନାଟକ ଦଳକୁ ଅଧିକ ଅଡୁଆରେ ପକାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ମାତ୍ର ଲୋକସଭାରେ ମାତ୍ର ୪୪ଟି ଆସନ ପାଇଥିଲେ ସୁଦ୍ଧା ଏଭଳି ବିବ୍ରତ ଓ ଶକ୍ତିହୀନ ଜଣା ପଡୁ ନ ଥିଲା । ସୋନିଆ ଗାନ୍ଧୀ ୟୁପିଏ ଅଧ୍ୟକ୍ଷା ଓ ଏଆଇସିସି ସଭାପତି ଭାବେ ଦାୟିତ୍ୱ ତୁଲାଉ ଥିଲେ । ରାହୁଲ ଗାନ୍ଧୀ ଏଆଇସିସିର ଉପ ସଭାପତି ଭାବେ ମଂଗ ଧରିବା ଶିଖୁ ଥିଲେ । ଦଳକୁ ଯୁବ ନେତୃତ୍ୱ ହାତରେ ଛାଡି କଂଗ୍ରେସକୁ ନୂଆ କରି ଗଢି ତୋଳିବା ଉଦେ୍ଦଶ୍ୟରେ ସୋନିଆ ରାହୁଲଙ୍କ ହାତରେ ଦଳକୁ ଛାଡି ନିଜେ ଦୂରେଇ ଯିବାର ଉପକ୍ରମ କରି ଥିଲେ । ରାହୁଲଙ୍କ ନେତୃତ୍ୱରେ ଦଳ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା କ୍ଷମତାକୁ ନ ଆସିଲେ ବି ଭଲ ଫଳାଫଳ କରିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ବିଜେପି ସହ ଟକ୍କର ଦେଇ ଜେଡ଼ିଏସ୍ ସହ ନିର୍ବାଚନ ପରବର୍ତୀ ବୁଝାମଣା ମାଧ୍ୟମରେ ରାଜ୍ୟରେ ସରକାର ଗଠନ କରି ଥିଲା । ସରକାର ଗଠନ ପରେ ଜେଡ଼ିଏସ୍ ର ବଡ ଭାଇ ଭୂମିକାରେ ଥିବା କଂଗ୍ରେସ ଦଳର ସ୍ଥାନୀୟ ନେତାମାନେ ସରକାରରେ ଅସ୍ଥିରତା ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀଙ୍କୁ ଯେଭଳି କନ୍ଦାଇଲେ ତାହା ଦେଶବ୍ୟାପୀ କଂଗ୍ରେସ-ବିରୋଧୀ ଜନମତ ସୃଷ୍ଟି କରିବାରେ ସହାୟକ ହେଲା । ରାହୁଲ ଏଆଇସିସି ସଭାପତି ଥାଇ ମଧ୍ୟ ନିଜ ଦଳର ନେତାଙ୍କୁ ସମ୍ଭାଳିବାରେ ସକ୍ଷମ ହୋଇ ନଥିଲେ ।
ପରେ, ରାହୁଲ ଦଳର ସଭାପତି ଥାଇ ୨୦୧୮ ଡ଼ିସେମ୍ବରରେ ଅନୁଷ୍ଠିତ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜେପିର ଦୁର୍ଗ ପତନ କରି ତିନି ରାଜ୍ୟରେ କ୍ଷମତାସୀନ ହୋଇଛି । ଏହି ସଫଳତା ଦଳକୁ ଉତ୍ସାହିତ କରିବା ସ୍ୱାଭାବିକ । କିନ୍ତୁ, ମାତ୍ରାଧିକ ଉତ୍ସାହ ବିନାଶର କାରଣ ହୋଇପାରେ, ତାହା ପ୍ରମାଣିତ କରିଛି ୨୦୧୯ ସାଧାରଣ ନିର୍ବାଚନ । ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ କରିବାରେ କଂଗ୍ରେସର ପୁରୁଖା ନେତା ଓ ଯୁବ ନେତୃତ୍ୱ ମଧ୍ୟରେ ଯେଭଳି ଅନ୍ତଦ୍ଦ୍ୱର୍ନ୍ଦ୍ୱ ଲାଗି ରହିଲା ତାହା କଂଗ୍ରେସର ଦୁର୍ବଳତାକୁ ପଦାରେ ପକାଇଲା । ତା’ ସହିତ ନିର୍ବାଚନ ପରିଚାଳନାରେ ରାହୁଲଙ୍କ ଅପରିପକ୍ୱତା ବିଜେପିର ଚତୁର ସାରଥୀଙ୍କ ପାଇଁ ଆଶୀର୍ବାଦ ସୂଚକ ଥିଲା । ବିଜେପି ରାଷ୍ଟ୍ରୀୟ ମୁଖ୍ୟ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ରାହୁଲଙ୍କୁ ଏଭଳି ଭାବେ ଘେରି ଥିଲେ ଯେ ଯେଉଁ ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ପରାଜିତ କରି ଥିଲା ସେହି ତିନି ରାଜ୍ୟର ଭୋଟର ଲୋକସଭା ନିର୍ବାଚନରେ କଂଗ୍ରେସକୁ ମାତ୍ ଦେଇ ବିଜେପିକୁ ଆଧିକ ସଂଖ୍ୟାରେ ଳୋକସଭା ଆସନ ଦେଇଛନ୍ତି । ବିଜେପି ଯେତେ ‘ଜୁମଲାବାଜ୍’ ହେଉ ନା କାହିଁକି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ରହୁ, ତାହା ଭୋଟର ଚାହିଁଛନ୍ତି । କଂଗ୍ରେସ ଓ ଅନ୍ୟ ବିରୋଧୀ ମିଶି ଦେଶରେ ଏକ ଅସ୍ଥିର ଓ ନୀତିଶୂନ୍ୟ ସରକାର ପ୍ରତିଷ୍ଠା କରିବା ଏବଂ ଦେଶକୁ ଅସ୍ଥିରତା ଓ ଅସୁରକ୍ଷା ଭିତରକୁ ଠେଲି ଦେବା ଦେଶବାସୀ ଚାହିଁ ନାହାନ୍ତି । କଂଗ୍ରେସ ପାଇଁ ୨୦୧୯ ସାଧାରଣ ନିର୍ବାଚନ ଥିଲା ଇଜ୍ଜତର ପ୍ରଶ୍ନ । ତେବେ, ଏହି ନିର୍ବାଚନ ହିଁ ଦଳକୁ କରିଛି ଅଧିକ କ୍ଷତାକ୍ତ ।
ରାହୁଲ ୨୦୧୯ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟି କରି ଇସ୍ତଫା ଦେଇ ଥିଲେ ମଧ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ଆଡକୁ ଆଂଗୁଠି ଦେଖାଇବାକୁ ଭୁଲି ନାହାନ୍ତି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଉପଲକ୍ଷ୍ୟ କରି ରାହୁଲ ଅଭିଯୋଗ କରିଛନ୍ତି, ବରିଷ୍ଠ କଂଗ୍ରେସ ନେତାଙ୍କ ପୁତ୍ର, ପରିବାର ଓ କ୍ଷମତା ମୋହ ଦଳର ବିପର୍ଯ୍ୟୟ ପାଇଁ ବହୁମାତ୍ରାରେ ଦାୟୀ । କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀରେ ରାହୁଲଙ୍କ ଏଭଳି ମନ୍ତବ୍ୟ ଦଳ ଭିତରେ ଦୁଇଟି ଶକ୍ତି ରହି ଥିବା ସ୍ପଷ୍ଟ କରିଛି । ଉଦାହରଣ ହୋଇଛି – ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୁରୁଣା ନେତା କମଲ ନାଥ ଓ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ରାଜସ୍ଥାନରେ ପୁରୁଖା ନେତା ଅଶୋକ ଗେହେଲଟ ଓ ଯୁବ ନେତା ସଚିନ ପାଇଲଟ୍ ମଧ୍ୟରେ ଲାଗ ରହି ଥିବା ଛକାପଂଝା । ରାହୁଲ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଯୁବ ନେତା ସିନ୍ଧିଆ ଓ ସଚିନଙ୍କୁ ‘ମୁଖ୍ୟମନ୍ତ୍ରୀ ମୁହଁ’ କରି ୨୦୧୮ ବିଧାନସଭା ନିର୍ବାଚନ ପରିଚାଳନା କରିଥିଲେ । କିନ୍ତୁ, ଦୁଇ ରାଜ୍ୟରେ କଂଗ୍ରେସର ବିଜୟ ପରେ କମଳନାଥ ଓ ଗେହେଲଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇ ବାହାରିଲେ। ଦଳର ବରିଷ୍ଠ ନେତାମାନେ ରାହୁଲଙ୍କୁ ଏଭଳି ଚାପରେ ରଖିଲେ ଯେ ସେ ସିନ୍ଧିଆ ଓ ସଚିନଙ୍କୁ କୋଣଠେସା କରି କମଲନାଥ ଓ ଗେହେଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଧ୍ୟ ହେଲେ । ସୋନିଆଙ୍କ ବିନା ଆଶୀର୍ବାଦରେ ଏହା ହୋଇଛି ଭାବିବା ବି ଭୁଲ ହେବ । ତେବେ, ଏହି ଦୁଇ ରାଜ୍ୟର ଭୋଟର କଂଗ୍ରେସର ଏହି ନିଷ୍ପତ୍ତିକୁ ‘ବିଶ୍ୱାସଘାତକତା’ ବୋଲି ଧରି ନେଇ ଲୋକସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଭୋଟ ଦେଲେ । ଜ୍ୟୋତିରାଦିତ୍ୟ ଓ ସଚିନ ପାଇଲଟ୍ ମଧ୍ୟ ୨୦୧୯ ସାଧାରଣ ନିର୍ବାଚରେ ଏହି ବିଶ୍ୱାସଘାତକତାର ଜବାବ ଦେଇଛନ୍ତି । କମଲନାଥ ଓ ଗେହେଲଟ ୨୦୧୯ ସାଧାରଣ ନିର୍ବାଚନରେ ନିଜ ନିଜ ପୁଅଙ୍କ ଟିକଟ ଓ ବିଜୟ ପାଇଁ ବ୍ୟସ୍ତ ଥିବା ବେଳେ ଜ୍ୟୋତିରାଦିତ୍ୟ ଓ ସଚିନ ନୀରବ ହୋି ଯିବାରୁ କଂଗ୍ରେସ ଦଳ ଦୁଇ ରାଜ୍ୟରେ ସରକାର ଥାଇ ମଧ୍ୟ ଘୋର ବିପର୍ଯ୍ୟୟ ର ସାମନା କଲା ।
ଦୁଇ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥ ଓ ଅଶୋକ ଗେହେଲଟଙ୍କ ପୁତ୍ର ମୋହ ସଂପର୍କରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଜେ ଦଳର ଜାତୀୟ କାର୍ଯ୍ୟକାରୀଣୀ ବୈଠକରେ ଅଭିଯୋଗ କରି ଇତିହାସ ସୃଷ୍ଟି କରିଛନ୍ତି । ଏବେ, କମଲନାଥ ଓ ଗେହେଲଟଙ୍କୁ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସିନ୍ଧିଆ ଓ ସଚିନଙ୍କ ସମର୍ଥକଙ୍କ ପକ୍ଷରୁ ଦଳ ଉପରେ ଯେଭଳି ଚାପ ସୃଷ୍ଟି ହେଲାଣି ତାହା କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳକୁ ପଦାକୁ ଆଣିଛି । ଦଳ ଭତରେ ପୁରୁଣା ଓ ନୂଆ ପିଢିର ପିଢିର ନେତା ମଧ୍ୟରେ ସମନ୍ୱୟ ନାହିଁ ଏବଂ କ୍ଷମତା ପାଇଁ ଦଳ ଭିତରେ ଛାୟାଯୁଦ୍ଧ ଚାଲିଛି, ତାହା ଜାଣିବା ପରେ ଦଳର ବହୁ ନେତା ନିଜର ଭବିଷ୍ୟତ ନେଇ ସନ୍ଦେହରେ । ତେଣୁ, ନିର୍ବାଚନ ପୂର୍ବରୁ ଓ ପରେ ଦଳ ଛଡାଙ୍କ ସଂଖ୍ୟା ବଢିଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ୨୦୧୯ ପରାଜୟ ପରେ ଦେଶରେ କଂଗ୍ରେସ ଅବସ୍ଥାକୁ ଦେଖି ବିବ୍ରତ । ରାହୁଲ ହେଲେ ପ୍ରିୟଂକା କଂଗ୍ରେସର ମଂଗ ଧରି ପାରିବେ ବୋଲି ତାଙ୍କ ବିଶ୍ୱାସ ଥିଲା । ନିର୍ବାଚନର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଲୋକପ୍ରିୟତାର ମୁକାବିଲା କରିବାକୁ ସେ ପ୍ରିୟଂକା ଗାନ୍ଧୀ ଭଦ୍ରାଙ୍କୁ ମଇଦାନକୁ ଛାଡି ଥିଲେ । ତବେ, ବିଜେପିର ଚତୁର ଖେଳାଳୀମାନେ ସେତେବେଳକୁ ଭୋଟରଙ୍କୁ ‘ରାଷ୍ଟ୍ରବାଦ’ରେ ମତୁଆଲା କରି ନିଜ ଆଡକୁ ଢଳାଇ ସାରି ଥିଲେ । ତେଣୁ, ପ୍ରିୟଂକା ଯାଦୁ ବିଶେଷ କାମ କଲା ନାହିଁ । ଭୋଟ ସରିବା ପରେ ସୋନିଆ ଗାନ୍ଧୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ନିର୍ବାଚିତ ହୋଇ ୨୦୨୪ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ କେତେଦୂର ଉତ୍ସାହିତ କରିବାରେ ସଫଳ ହେବ ତାହା ଆଗକୁ ଜଣାପଡିବ ।
୨୦୧୯ ନିର୍ବାଚନରେ କଂଗ୍ରେସ ବିଫଳ ହେବାର ସବୁଠାରୁ ବଡ କାରଣ ହେଲା, ରାହୁଲ ଅଭିମନ୍ୟୁଙ୍କ ଭଳି ମୋଦୀ-ଶାହାଙ୍କ ଚକ୍ରବ୍ୟୁହ ଭେଦି ଗଲେ ସିନା ସେଥିରୁ ବାହାରିବା ଜ୍ଞାନ ତାଙ୍କର ନଥିଲା । ସେଥି ସକାଶେ ତାଙ୍କୁ ଆବଶ୍ୟକ ଜ୍ଞାନ ଦେବାକୁ କୌଣସି ପୁରୁଖା ନେତା ଆଗକୁ ଆସି ନ ଥିଲେ । ‘ବିକାଶ’ର ମୁଦ୍ଦା ଅଚଳ ହୋଇଯିବା ଦେଖି ବିଜେପି ‘ରାଷ୍ଟ୍ରବାଦ’କୁ ନୂଆ ମୁଦ୍ଦା କରି ଭୋଟରଙ୍କୁ ପ୍ରଭାବିତ କରିବା ସମୟରେ କଂଗ୍ରେସ ଦେଶବାସୀଙ୍କ ସମ୍ମୁଖରେ ନିଜକୁ ବିଜେପିର ପ୍ରକୃତ ବିକଳ୍ପ ଭାବେ ଉପସ୍ଥାପନ କରି ପାରିଲା ନାହିଁ । ରାହୁଲ ‘ରାଫେଲ୍’ରେ ଅଟକି ଗଲେ । ‘ମୋଦୀ ହଟାଓ’ ବିରୋଧୀଙ୍କ ଏକମାତ୍ର ସ୍ଲୋଗାନ ରହିଲା । ଦେଶର ସୁରକ୍ଷା ପ୍ରସଙ୍ଗ ଓ ବିଦେଶ ନୀତିକୁ ନେଇ କଂଗ୍ରେସ ଆଡୁ କୌଣସି ଠୋସ୍ ପ୍ରସ୍ତାବ ନ ଥିଲା । ଅପରପକ୍ଷରେ, ବିଜେପି କଂଗ୍ରେସକୁ ବିଜେପି ପାକିସ୍ତାନ ସହ ଯୋଡି ରାହୁଲଙ୍କୁ ‘ପାକ୍-ଶୁଭେଚ୍ଛୁ’ ଭାବେ ଉପସ୍ଥାପନ କଲା । ଭାଗ୍ୟକୁ ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ଓ ତାହା ପରବର୍ତୀ ଘଟଣାବଳୀ ଜନତାଙ୍କୁ ବିଜେପି ସପକ୍ଷରେ ମୋହର ମାରିବାକୁ ଏକତରଫା ଭସାଇ ନେଲା । ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଏକମାତ୍ର ତ୍ରାଣକର୍ତା, ଏହି ଭାବନା ୨୦୧୯ରେ ଭାରତୀୟ ରାଜନୀତିର ମୋଡ ବଦଳାଇ ଦେଲା । ଏହାଦ୍ୱାରା ଦେଶର ସବୁ ବିରୋଧୀ ଦଳ କ୍ଷତିଗ୍ରସ୍ତ ହେଲେ । କିନ୍ତୁ, ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ । କଂଗ୍ରେସର କ୍ଷତ ଏତେ ଗଭୀର ଯେ ତାହା ଏତେଶୀଘ୍ର ଭରଣା ହେବା ଆଶା ନାହିଁ । ତଥାପି, ସୋନିଆ ମଂଗ ଧରିବା ଦଳ ପାଇଁ ଆଶାର କିରଣ ହେବ ବୋଲି ଅନୁମାନ କରାଯାଇପାରେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS