ନୂଆ ଧାରାରେ ମୁଖ୍ୟମନ୍ତ୍ରୀ, ମୁହଁ ନୂଆ-ଚାପ ଅଧିକ
– ପ୍ରସାଦ ରାଓ –
ଜୁନ ୦୧ ତାରିଖ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିରେ ନୂଆ ଧାରାରେ କାର୍ଯ୍ୟ ଆରମ୍ଭ କରିଛନ୍ତି । କିଛି ପୁରୁଣା ମୁହଁ ସହ ଅଧିକ ନୂଆ ମୁହଁ ତାଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ୨୯ ତାରିଖ ଶପଥ ଗ୍ରହଣ ସମାରୋହ ସରିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକ କରି ଯେଉଁ ଦିଗଦର୍ଶନ ଦେଇଛନ୍ତି ତାହା ମନ୍ତ୍ରୀ ପରିଷଦକୁ କ୍ରିୟାଶୀଳ କରିବା ସହ ଅଧିକ ଦାୟତ୍ୱସଂପନ୍ନ କରିବ ବୋଲି ଆଶା କରାଯାଉଛି । ୨୦୧୯ ନିର୍ବାଚନ ସମୟରେ ସରକାର ଯେଉଁ ସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତି ରଖି ଥିଲେ ସେସବୁର କାର୍ଯ୍ୟକାରିତା ପ୍ରତି ଗୁରୁତ୍ୱ ଦିଆଯାଇ ଏହାର ସମୀକ୍ଷା ପାଇଁ ୩୬୫ ଦିନ ଧାର୍ଯ୍ୟ କରାଯାଇଛି । ଫଳରେ, ମନ୍ତ୍ରୀ ପରିଷଦ ଚାପରେ ରହିବା ନିଶ୍ଚିତ ହୋଇଯାଇଛି ।
ନୂଆ ସରକାର ଗଠନ ହେଉ ହେଉ ନୂଆ ଓ ପୁରୁଣା ମନ୍ତ୍ରୀମାନେ ସିଧାସଳଖ କାର୍ଯ୍ୟ କ୍ଷେତ୍ରକୁ ଆସି ଥବା ରାଜ୍ୟବାସୀଙ୍କ ମନରେ ଏକ ସକାରାତ୍ମକ ଧାରଣା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟ ୨୯ ତାରିଖ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ କରି ସରକାରଙ୍କ ଏହି ସକାରାତ୍ମକ ଚିନ୍ତାଧାରାର ପରିପ୍ରକାଶ କରିଛନ୍ତି । ତାହା ନୂତନ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ଥିବା ନୂଆ ମୁହଁଙ୍କୁ ଅଭିଜ୍ଞତାର ଅଭାବ ଥିଲେ ମଧ୍ୟ ରାଜ୍ୟବାସୀଙ୍କ ନିକଟତର ହେବାର ସୁଯୋଗ ସୃଷ୍ଟ କରିବ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁର ବାସ୍ତବ ରୂପାୟନ ପାଇଁ ସମୟସୀମା ଧାର୍ଯ୍ୟ ହୋଇ ପରବର୍ତୀ ସମୀକ୍ଷା ତାରିଖ ୨୦୨୦ ମେ’୨୯ ଧାର୍ଯ୍ୟ ହୋଇ ଥିବାରୁ ମନ୍ତ୍ରୀମାନେ ଦାୟିତ୍ୱସଂପନ୍ନ ଓ ଉତ୍ତରଦାୟୀ ହେବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜେ ଏହି ‘ଡ଼େଡ୍ ଲାଇନ୍’ ବା ସମୟସୀମା ଧାର୍ଯ୍ୟ କରି ନୂଆ ସରକାର ଓ ପ୍ରଶାସନର ହୃଦକଂପ ବଢାଇଛନ୍ତି । ‘ଟିମ୍ ୱାର୍କ’, ‘ଟ୍ରାନ୍ସପରେନ୍ସି’, ‘ଟେକନୋଲୋଜି’ ସହ ଏଥର ‘ଟାଇମିଂ’କୁ ଯୋଡା ଯାଇ ନୂତନ ମନ୍ତ୍ରୀ ପରଷଦ ଦୁର୍ବଳ ନୁହେଁ, ଦାୟିତ୍ୱସଂପନ୍ନ ହେବ ବୋଲି ଏକ ବାର୍ତା ଦିଆଯାଇଛି । ତାହା ହିଁ ନୂତନ ମନ୍ତ୍ରୀ ପରିଷଦକୁ ଗତିଶୀଳ କରିବ ବୋଲି ବିଶ୍ୱାସ କରାଯାଉଛି ।
୨୦୧୯ ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଥିବା ବିଜେଡ଼ିର ଅଧିକାଂଶ ପୁରୁଖା ନେତା ନୂତନ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବେ ବୋଲି ଆଶା ରଖି ଥିଲେ । କିଛି ମାସ ତଳେ ବିଜେଡ଼ିକୁ ଆସି ନବୀନଙ୍କ ଆଶୀର୍ବାଦରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ନେତାମାନେ ମଧ୍ୟ ମନ୍ତ୍ରୀ ପରିଷଦରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିବ ବୋଲି ବିଶ୍ୱାସ ରଖି ଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଚକିତ କଲା ଭଳି ନିଜ ନୂଆ ଟିମ୍ ଚୟନ କରିଛନ୍ତି । ଚତୁର୍ଥ ପାଳିରେ ମନ୍ତ୍ରୀ ଥିବା ଦଳର ଅଧିକାଂଶ ବରିଷ୍ଠ ନେତା ପଂଚମ ପାଳିରେ ସ୍ଥାନ ପାଇ ନାହାନ୍ତି । ନିଜକୁ ଦକ୍ଷ ଓ ସକ୍ଷମ ଭାବୁଥିବା କିଛି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି । ତେଣୁ, ପଂଚମ ପାଳି ମନ୍ତ୍ରୀ ପରିଷଦ ଦୁର୍ବଳ ଓ ତାହା ତୃତୀୟ ମହଲାର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ପରିଚାଳିତ ହେବ ବୋଲି ଏକ ବାର୍ତା ବାହାରକୁ ଆସୁଛି । ତେବେ, ୨୦୧୪ରୁ ୨୦୧୯ ସରକାରରେ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଅତି ଅନୁଗତ ଥିଲେ ସେମାନେ ନୂତନ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନ ଥିଲେ ମଧ୍ୟ ସଂଗଠନ ଦାୟିତ୍ୱରେ ରହି ଦଳକୁ ଆଗକୁ ବଢାଇବେ ବୋଲି ନିଜ ଆଡୁ କହି ସାରିଲେଣି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହି ପାଳିରେ ତାଙ୍କ ମନ୍ତ୍ରୀ ପରିଷଦର ଦୁଇଟି ନୂଆ ମୁହଁକୁ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଏହି ଦୁଇ ନୂଆ ମୁହଁ ହେଉଛନ୍ତି ଟେକ୍ନୋକ୍ରାଟ୍ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା (୩୫) ପ୍ରଥମ ଥର ପାଇଁ ବିଧାନସଭାକୁ ଆସି ଥିବା ବେଳେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ (୪୪) ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତୁଷାରକାନ୍ତି ଆଇଆଇଟି ଖଡ଼ଗପୁରରୁ ବାୟୋ-ଟେକନୋଲୋଜି ଓ ବାୟୋ-କେମିକାଲ୍ ଇଂଜିନିୟରିଂରେ ଏମ.ଟେକ୍ କରିଛନ୍ତି । ତାଙ୍କୁ ଇଲୋକ୍ଟ୍ରୋନିକ୍ସ୍, ଇନଫରମେସନ ଟେକ୍ନୋଲୋଜି, କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ୱ ମିଳିଛି । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମେକାନିକାଲ୍ ଇଂଜିନିୟରିଂରେ ବି. ଟେକ୍ । ସେ ସ୍କିଲ୍ ଡ଼େଭଲପମେଂଟ୍ ଓ ବୈଷୟିକ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ନେଇଛନ୍ତି । ଏହି ଦୁଇ ମନ୍ତ୍ରଣାଳୟ ପଂଚମ ପାଳି ସରକାରରେ ବେଶ୍ ଗୁରୁତ୍ୱ ରଖୁଛି । ତୁଷାରକାନ୍ତି ହେଉଛନ୍ତି ଓଡ଼ିଶାର ପ୍ରଥମ ଆଇଆଇଟିଆନ୍ ଯିଏକି ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ୨୦୧୪ରେ କର୍ମ କ୍ଷେତ୍ରରୁ ଇସ୍ତଫା ଦେଇ ରାଜନୀତିକୁ ଆସିବା ସହ ବିଜେପିରୁ ବିଧାନସଭା ଟିକଟ ପାଇବା ଉଦ୍ୟମ କରିଥିଲେ । କିନ୍ତୁ, ବିଜେପି ତାଙ୍କୁ ଟିକଟ ଦେଇ ନ ଥିଲା । ୨୦୧୯ରେ ସେ ବିଜେପି ଟିକଟ ପାଇ ମଧ୍ୟ ତାହା ଫେରାଇ ଦେଇ ବିଜେଡ଼ି ଟିକଟରେ ନିର୍ବାଚନ ଲଢି ଥିଲେ । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ କାଲିକଟ୍ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ନିଟ୍)ରୁ ଟେକ୍ନିକାଲ ଗ୍ରାଜୁଏଟ୍ ହେବା ପରେ ଚାକିରୀରେ ଥିଲେ । ୨୦୦୯ରେ ବିଜେଡ଼ି ତାଙ୍କୁ ତେଲକୋଇରୁ ଟିକଟ ଦେଇ ବିଧାୟକ କରିଥିଲା । ତେବେ, ୨୦୧୪ରେ ତାଙ୍କୁ ଟିକଟ ନ ମିଳିବାରୁ ସେ ବିଧାନସଭା ବାହାରେ ରହି ଥିଲା । ୨୦୧୯ରେ ପୁନର୍ବାର ବିଜେଡ଼ି ଟିକଟ ପାଇ ନିର୍ବାଚିତ ହୋଇଛନ୍ତି । ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଥିଲେ ଦେଶର ପ୍ରଥମ ଆଇଆଇଟିଆନ୍ ଯିଏକି ଦକ୍ଷିଣପନ୍ଥୀ ରାଜନୀତିରେ ରହି ଗୋଆ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ।
ନବୀନଙ୍କ ପଂଚମ ପାଳି ସରକାରର ବଡ଼ ବ୍ୟତିକ୍ରମ ହୋଇଛନ୍ତି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ୧୯୯୦ରୁ ସେ ଲଗାତର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୯୯୦-୯୫ ମନ୍ତ୍ରୀ ପରିଷଦରେ ରାଜ୍ୟ ପଶୁ ସଂପଦ ବିକାଶ ବିଭାଗ ମନ୍ତ୍ରୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୦ରୁ ୨୦୧୯ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ରାଜସ୍ୱ, ଯୋଗାଣ, ସମବାୟ, ବିପର୍ଯ୍ୟୟ ପ୍ରଶମନ ଭଳି ବହୁ ଗୁରୁତ୍ୱପୁର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି । ବିଭିନ୍ନ କାରଣରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କୁ କିଛି ସମୟ ପାଇଁ ମନ୍ତ୍ରୀ ପରିଷଦରୁ ଦୂରେଇ ରଖି ଥିଲେ ମଧ୍ୟ ପରେ ଗଂଜାମ ଟାଇଗର୍ ରାମକୃଷ୍ଣ ପଟ୍ଟନାୟକଙ୍କ ବିଜେଡ଼ିରୁ ବିଦାୟ ପରେ ପୁନର୍ବାର ସୂର୍ଯ୍ୟଙ୍କୁ ଗୁରୁତ୍ୱ ଦେଇଥିଲେ । ଦଳର ସେ ଉପ ସଭାପତି ଅଛନ୍ତି । ଯୋଗାଡିଆ ମନ୍ତ୍ରୀ ଭାବେ ଜଣାଶୁଣା ସୂର୍ଯ୍ୟ ପାତ୍ର ‘୨୦୧୯ ସୁନାମୀ’ରୁ ଅଳ୍ପକେ ବର୍ତୀ ଯାଇଛନ୍ତି । ରାଜ୍ୟ ବିଧାନସଭା ବାଚସ୍ପତି ପଦରେ ସେ ସନ୍ତୁଷ୍ଟ । ‘ଆପଣମାନେ ଖୁସି ତ ?’- ମୁଖ୍ୟମନ୍ତ୍ରୀଙ୍କ ଏହି ‘ହିଟ୍’ ଡ଼ାଇଲଗ୍ ଏବେ ସୂର୍ଯ୍ୟଙ୍କ ପାଇଁ ଲାଗୁ ହୋଇଛି ।
ମୁଖ୍ୟମନ୍ତ୍ରୀ ପଂଚମ ପାଳି ସରକାରରେ ଗୃହ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଓ ଆବଂଟନ ହୋଇ ନ ଥିବା ଅନ୍ୟ ବିଭାଗ ନିଜ ହାତରେ ରଖି ଥିବା ବେଳେ ତାଙ୍କୁ ସହାୟତା କରିବା ସକାଶେ ଗୃହ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ଅନ୍ୟ ପୁରୁଖା ମନ୍ତ୍ରୀମାନେ ହେଉଛନ୍ତି – ନିରଂଜନ ପୁଜାରୀ (ଅର୍ଥ ଓ ଅବକାରୀ), ବିକ୍ରମ କେଶରୀ ଆରୁଖ (ଜଂଗଲ, ପରିବେଶ ଓ ସଂସଦୀୟ ବ୍ୟାପାର), ପ୍ରଫୁଲ୍ଲ କୁମାର ମଲ୍ଲିକ (ଇସ୍ପାତ, ଖଣି ଓ ପୂର୍ତ), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ଏବଂ ସମବାୟ ବିଭାଗ), ପଦ୍ମନାଭ ବେହେରା (ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ), ପ୍ରତାପ ଜେନା (ପଂଚାୟତରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ), ଅରୁଣ କୁମାର ସାହୁ (କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସଂପଦ ଓ ଉଚ୍ଚ ଶିକ୍ଷା ବଭାଗ), ସୁଦାମ ମାରାଣ୍ଡି ( ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା), ସୁଶାନ୍ତ ସିଂହ (ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା), ନବ କିଶୋର ଦାସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଓ ଟୁକୁନି ସାହୁ (ମହିଳା ଓ ଶିଶୁ କଲ୍ୟାଣ ଓ ମିସନ ଶକ୍ତି) । ଝାରସୁଗୁଡ଼ା ବିଧାୟକ ନବ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥାଇ ଠିକ୍ ନିର୍ବାଚନ ପୂର୍ବରୁ ଦଳ ଛାଡି ଥଲେ । ଟୁକୁନି ସାହୁ ମନ୍ତ୍ରୀ ପରିଷଦରେ ନୂଆ ମୁହଁ ହୋଇ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି ।
ଏହାଛଡା, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବେ ଜଗନ୍ନାଥ ସାରକା (ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ), ଦିବ୍ୟ ଶଂକର ମିଶ୍ର (ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ), ଅଶୋକ ଚନ୍ଦ୍ର ପଣ୍ଡା (ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ), ସମୀର ରଂଜନ ଦାସ (ବିଦ୍ୟାଳୟ ଓ ଗଣଶିକ୍ଷା), ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି), ପ୍ରେମାନନ୍ଦ ନାୟକ (ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା), ରଘୁ ନନ୍ଦନ ଦାସ (ଜଳ ସଂପଦ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ), ପଦ୍ମିନୀ ଦିଆନ (ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ), ତୁଷାରକାନ୍ତି ବେହେରା (ଇଲୋକ୍ଟୋନିକ୍ସ, ସୂଚନା ଓ ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା) ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଚତୁର୍ଥ ପାଳି ସରକାରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ।
୨୦୧୯ ନିର୍ବାଚନରେ ବିଜେଡ଼ି ରାଜ୍ୟବାସୀଙ୍କୁ ଦେଇ ଥିବା ପ୍ରତିଶ୍ରୁତି ସବୁର ବାସ୍ତବ ରୂପାୟନ ପାଇଁ ପାଂଚ ବର୍ଷ ସମୟ ଥିଲେ ମଧ୍ୟ ତାହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ୩୬୫ ଦିନ ଧାର୍ଯ୍ୟ କରାଯାଇ ଥିବାରୁ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଡୁ ରହୁଥିବା ଚାପ ସ୍ପଷ୍ଟ ହେଉଛି । ଗୋଟିଏ ବର୍ଷ ମଧ୍ୟରେ ଯେଉଁ ବିଭାଗର କାର୍ଯ୍ୟ ସନ୍ତୋଷଜନକ ରହିବ ସେହି ବିଭାଗର ମନ୍ତ୍ରୀ ଅପରିବର୍ତିତ ରହିବେ । ଅନ୍ୟମାନେ ବଦଳିବା ନିଶ୍ଚିତ, ଏହି ବାର୍ତା ତଳସ୍ତରକୁ ଯାଇଛି । ସରକାରଙ୍କ କିଛି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବା ସମୟ ସାପେକ୍ଷ । ତାହା ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ତଥାପି, ଅଗ୍ରଗତିର ସମୀକ୍ଷା ହେବ ବୋଲି କହିଛନ୍ତି । ‘ନୂଆ ଓଡ଼ିଶା’ ଗଠନ ପଂଚମ ପାଳି ସରକାରର ପ୍ରାଥମିକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନୟା ଭାରତ’ କଥା କହି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନୂଆ ଓଡ଼ିଶା’ ଗଠନ କଥା କହି ରାଜ୍ୟର ଅନୁନ୍ନତ ଅଂଚଳର ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ବୈଷୟିକ ଜ୍ଞାନ, କୌଶଳର ବିକାଶ ମାଧ୍ୟମରେ ଔଦ୍ୟୋଗିକ ବିକାଶକୁ ସରକାର ଗୁରୁତ୍ୱ ଦେଉଥିବା ଏବଂ ବେକାର ସମସ୍ୟାର ସମାଧ୍ୟମ ମାଧ୍ୟମରେ ଯୁବ ସମାଜର ବିଶ୍ୱାସଭାଜନ ହେବାକୁ ସରକାର ସଂକଳ୍ପବଦ୍ଧ ଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତିରୁ ସୂଚନା ମିଳୁଛି ।
କୃଷି ଓ କୃଷକ ଓ ଭୂମିହୀନଙ୍କୁ ବିଭିନ୍ନ ସହାୟତା ଦଆଯିବା ମାଧ୍ୟମରେ ସେମାନଙ୍କ ଅର୍ଥନୈତିକ ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ଏବଂ ବିଗତ ସରକାର ଅମଳରେ ଆରମ୍ଭ ହୋିଥିବା ‘କାଳିଆ’ ଯୋଜନାକୁ ବ୍ୟାପକ କରାଯାଇଥିବା ସରକାରଙ୍କ ଦାୟିତ୍ୱ ସଂପନ୍ନତାକୁ ସୂଚାଉଛି । ସରକାରର ଦାୟିତ୍ୱ ନେଉ ନେଉ ‘କାଳିଆ’ ଯୋଜନା ହିତାଧିକାରୀ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଅଧିକ ୩୨ ଲକ୍ଷ ୩୪ ହଜାର ହିତାଧିିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ସରକାର କହିଛନ୍ତି । ସେହିଭଳି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ୧୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛ । ଯେଉଁ ଚାଷୀ ପରିବାର ‘କାଳିଆ’ ସହାୟତା ପାଇ ନ ଥିଲେ ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ନୂଆ ସରକାର ଆସୁ ଆସୁ ସହାୟତା ଅର୍ଥ ବ୍ୟାଙ୍କ ଆକାଉଂଟକୁ ପଠାଇ ଦିଆଯାଇଛି । ୨୯ ତାରିଖ ଦିନ ୮ ଲକ୍ଷ ୪୦ ହଜାର ଚାଷୀ ପରିବାରଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯାଇଛି । ଏହା ନୂଆ ମନ୍ତ୍ରୀ ପରିଷଦର ପ୍ରତିବଦ୍ଧତାର ଆଭାସ ଦେଉଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ୨୦୧୨ ମେ’ ୨୯ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବା ସମୟରେ ତାଙ୍କୁ ଗାଦିଚ୍ୟୁତ କରିବା ସାକଶେ ଏକ କଥିତ ଷଡଯନ୍ତ୍ର ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ତକ୍ରାଳୀନ ପରାମର୍ଶଦାତା ତଥା ପୂର୍ବତନ ବରିଷ୍ଠ ଆଇଏଏସ୍ ପ୍ୟାରୀ ମୋହନ ମହାପାତ୍ର ଏହି ଷଡଯନ୍ତ୍ରର ରଚନା କରିଥିବା ଅଭିଯୋଗ ହୋଇଥିଲା । ନବୀନ ବାବୁ ଅନୁଗତ ବିଧାୟକଙ୍କ ଠାରୁ ଖବର ପାଇ ତୁରନ୍ତ ‘ଆକ୍ସନ୍ ମୋଡ୍’କୁ ଆସିଥିଲେ । ପ୍ୟାରୀଙ୍କ କଥିତ ଷଡଯନ୍ତ୍ର ବିଫଳ ହୋଇଥିଲା । ପ୍ୟାରୀଙ୍କ ପରେ ବିଜେଡ଼ିର ଚାଣକ୍ୟ ସାଜିଥିବା ଆଇଏଏସ୍ ଭି. କାର୍ତିକେୟନ ପାଣ୍ଡିଆନ ୨୦୧୯ ମେ’ ୨୯ରେ ନିଜ ଜନ୍ମଦିନ ପାଳିଛନ୍ତି । ଏହି ଦୁଇ ଆଇଏଏସ୍ ମେ’୨୯ ତାରଖ ସହ ସଂପୃକ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଂଚମ ପାଳି ସରକାରର ଶପଥ ଗ୍ରହଣ ସମାରୋହ ମେ’ ୨୯ରେ କରିବା କେବଳ ‘କାକତାଳୀୟ’ ନା ଦୁଇ ଚାଣକ୍ୟଂକ ମଧ୍ୟରୁ କାହାରି ଜଣକ ସହ ଏହି ନିଷ୍ପତ୍ତିର ସଂପର୍କ ରହିଛି ତାହା ତର୍ଜମାର ବିଷୟ ହୋଇଛି । ତଥ୍ୟାଭଜ୍ଞ ମହଲରେ ଏନେଇ ଭିିନ୍ନ ଭିନ୍ନ ମତ ରହିଛି । ପ୍ୟାରୀଙ୍କ କଥିତ ଷଡଯନ୍ତ୍ର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବାଦ୍ ଦେଇ ନିର୍ବାଚନ ପରିଚାଳନା କରିଥିଲେ । ୨୦୧୪ ନିର୍ବାଚନରେ ଦଳ ରାଜ୍ୟରେ୧୪୭ରୁ ୧୧୭ ବିଧାନସଭା ଆସନ ପାଇ ଥିବା ବେଳେ ୨୦୧୯ରେ ୧୧୨ ଆସନ ପାଇ ଲଗାତର ପଂଚମ ଥର ପାଇଁ କ୍ଷମତାକୁ ଆସିଛି । ଏହାର ସଂପୁର୍ଣ୍ଣ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ସର୍ବମାନ୍ୟତାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ‘ନୂଆ ଓଡ଼ିଶା’ ଗଠନର ବାସ୍ତବ ରୂପାୟନ ହେଲେ ଓଡ଼ିଶାବାସୀ ଷଷ୍ଠ ଥର ପାଇଁ ନବୀନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରିବେ । ଦେଶର ପ୍ରଥମ ଆଂଚଳିକ ଦଳ ଭାବେ ବିଜେଡ଼ି ଲଗାତର ଛଅ ଥର କ୍ଷମତାକୁ ଆସିବା ରେକର୍ଡ ନିଜ ନାମରେ କରିପାରିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS