ଅରୁପଙ୍କ ପରାଜୟକୁ ନେଇ ବିଜେଡ଼ିରେ ଖୋଳତାଡ଼, ସନ୍ଦେହରେ ଦଳୀୟ ନେତା !
– ପ୍ରସାଦ ରାଓ –
ମେ’ ୨୭ ତାରିଖ
ଓଡ଼ିଶାରେ ଲଗାତର ପଂଚମ ଥର ପାଇଁ ସରକାର ଗଠନରେ ବିଜେଡ଼ି ସଫଳ ହୋଇଛି । ୨୦୧୯ ବିଧାନସଭା ନିର୍ବାଚନରେ ଦଳ ରାଜ୍ୟ ବିଧାନସଭାର ୧୪୭ ଆସନରୁ ୧୧୨ଟି ହାତେଇ ତାହାର ଏକକ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି । ଅବଶ୍ୟ ୨୦୧୪ ତୁଳନାରେ ୫ଟି କମ୍ ଆସନ ପାଇଛି । ୨୦୧୯ରେ ଯେଭଳି ପ୍ରତିକୂଳ ପରିସ୍ଥିତିରେ ଦଳ ନିର୍ବାଚନର ସମ୍ମୁଖୀନ ହୋଇଥିଲା ସେଥିରେ ଦଳକୁ ମିଳି ଥିବା ସଫଳତାକୁ ନ୍ୟୁନ ଭାବେ ବିଚାର କରିବା ଠିକ୍ ନୁହେଁ । ୨୦୧୪ରେ ଦେଶବ୍ୟାପୀ ‘ମୋଦୀ ହାୱା’ ଥିଲା । ଶାସକ ବିଜେଡ଼ି ତାହାକୁ କାଟି ଓଡ଼ିଶାରେ ୧୧୭ ବିଧାନସଭା ଆସନ ହାସଲ କରିଥିଲା । କିନ୍ତୁ, ୨୦୧୯ରେ ଦେଶରେ ‘ମୋଦୀ ହାୱା’ ନୁହେଁ ‘ମୋଦୀ ଲହର’ ଦେଖିବାକୁ ମିଳି ଥିଲା । ‘ରାଷ୍ଟ୍ରବାଦ’ ନାମରେ ଏହି ଲହର ଦେଶବ୍ୟାପୀ ସବୁ ରାଜନୈତିକ ଦଳଙ୍କୁ ଧୁଳି ଚଟାଇ ଥିବା ବେଳେ ବିଜେଡ଼ିର ବିଶେଷ କ୍ଷତି କରି ପାରି ନ ଥିବା ମେ’ ୨୩ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ।
୨୦୧୯ ‘ମୋଦୀ ସୁନାମୀ’ରେ ବିଜେଡ଼ିର ୨୦୧୪ ତୁୁଳନାରେ ମାତ୍ର ୫ଟି ବିଧାନସଭା ଓ ୮ଟି ଲୋକସଭା ଆସନ କମିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହେବା ବଦଳରେ ଦୁଃଖୀ ହେବାର କାରଣ ହେଉଛି, ଓଡ଼ିଶାର ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନ ଏଥର ବିଜେଡ଼ି ହାତରୁ ଖସି ଯାଇଛି । ତାହା ମଧ୍ୟ ହାତେଇଛନ୍ତି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଦୀର୍ଘ ବର୍ଷ କାମ କରିଥିବା ଜଣେ ଅମାନିଆ ଆଇଏଏସ୍ । ରାଜ୍ୟରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ପରେ ଏହି ପ୍ରଶାସିକା ଜଣକ କେନ୍ଦ୍ର ସରକାରଙ୍କ ଅଧିନକୁ ଡ଼େପୁଟେସନ୍ ଯାଇଥିଲେ । ଡ଼େପୁଟେସନରେ ଥିବା ଅବସ୍ଥାରେ ସେ ଆଇଏଏସ୍ ଚାକିରୀ ଛାଡି ନିକଟରେ ବିଜେପିରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ଘୋଷଣା କରିବା ସହ ଭୁବନେଶ୍ୱର ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହୋଇ ୨୦୧୯ ନିର୍ବାଚନରେ ବିଜୟୀ ହୋଇଛନ୍ତି । ପୂର୍ବତନ ଆଇଏଏସ୍ ଅପରାଜିତା ଷଡଙ୍ଗୀଙ୍କ ଏହି ବିଜୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅସହ୍ୟ ହୋଇଛି ଏବଂ ସେ ବିଜେଡ଼ିର ପରାଜୟର କାରଣ ଖୋଜୁଛନ୍ତି ବୋଲି ଦଳୀୟ ସୂତ୍ରରୁ ମିଳିଛି ।
ଭୁବନେଶ୍ୱର ଲୋକସଭା ଆସନ ଦୀର୍ଘ ବର୍ଷ ଧରି ବିଜେଡ଼ିର ଗଡ଼ ରହି ଆସିଛି । ବିଜେଡ଼ିର ଅଭିଜ୍ଞ ନେତା ଡ଼କ୍ଟର ପ୍ରସନ୍ନ ପାଟ୍ଟଶାଣୀ ଏହି ଆସନରୁ ଲୋକସଭାରେ ପ୍ରତିନିଧିତ୍ୱ କରୁଥିଲେ । ଖୋର୍ଦ୍ଧା ଜିଲ୍ଲାର ଏହି ନେତା ତାଙ୍କ ୪୦ ବର୍ଷର ରାଜନୈତିକ ଜୀବନରେ ତିନି ଜଣ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ଅଧିନରେ ନଅ ଥର ବିଧାୟକ ଓ ଏମ୍ ପି ଭାବେ କାର୍ଯ୍ୟ କରିଛନ୍ତି । ଜଣେ ବିପ୍ଲବୀ କବି ଭାବେ ତାଙ୍କ ପରିଚୟ ରହିଛି । ହାତରେ କୁହୁକ ବାଡି ଧରି ରାଜନୀତି ସହ ଆଧ୍ୟାତ୍ମିକତାକୁ ଗୁରୁତ୍ୱ ଦେଉଥିବା ଏବଂ ରାଜନୈତିକ କରିଡର୍ ରେ ବେଶ୍ ପ୍ରଭାବଶାଳୀ ଭାବେ ବିଚାର କରାଯାଉଥିବା ପାଟ୍ଟଶାଣୀ ୨୦୧୯ ନିର୍ବାଚନରେ ବଳି ପଡି ଗଲେ ଅବସରପ୍ରାପ୍ତ ଆଇପିଏସ୍ (ମହାରାଷ୍ଟ୍ର କ୍ୟାଡରର) ଅରୁପ ପଟ୍ଟନାୟକଙ୍କ ପାଇଁ । ପଟ୍ଟନାୟକ ଅବସର ଗ୍ରହଣ କରିବା ପରେ ନିଜ ଭିଟାମାଟି ଓଡ଼ିଶାକୁ ଫେରି ବିଜେଡ଼ି ଯୁବ ବାହିନୀର ମଂଗ ଧରି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁପଙ୍କୁ ଦଳର ଯୁବ ବାହିନୀ ଦାୟିତ୍ୱ ଦେବା ସହ ନିର୍ବାଚନ ରାଜନୀତି ପାଇଁ ପ୍ରସ୍ତୁତ କରିଥିଲେ । ଭୁବନେଶ୍ୱର ଆସନରେ ବିଜେପି ପୂର୍ବତନ ଆଇଏଏସ୍ ଅପରାଜିତାଙ୍କୁ ପ୍ରାର୍ଥୀ କରିବା ଦେଖି ବିଜେଡ଼ି ପୂର୍ବ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା । ଭୁବନେଶ୍ୱର ସାଂସଦ ଥିବା ଡ଼କ୍ଟର ପାଟ୍ଟଶାଣୀ ଟିକଟ ନ ପାଇ ଅସନ୍ତୁଷ୍ଟ ହେଲେ । କିନ୍ତୁ, ତାଙ୍କୁ ରାଜ୍ୟସଭାକୁ ପଠାଯିବା ପ୍ରତିଶ୍ରୁତି ଦିଆଯାଇ ଅସନ୍ତୋଷ ଚାପିବା ଉଦ୍ୟମ ହେଲା । ବିଜେଡ଼ି ବିଳମ୍ବରେ ଅରୁପ ପଟ୍ଟନାୟକଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବାରୁ ସେ ନିର୍ବାଚନମଣ୍ଡଳୀରେ ବୁଲିବା ପାଇଁ ଯଥେଷ୍ଟ ସମୟ ପାଇ ନ ଥିଲେ । ଅପରପକ୍ଷରେ, ବିଜେପି ପ୍ରାର୍ଥୀ ଅପରାଜିତା ବହୁ ଆଗରୁ ପ୍ରାର୍ଥୀ ହେବା ଜାଣି ପ୍ରଚାର ଆରମ୍ଭ କରି ସାରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପାଇଁ ଶେଷ ରୋଡ଼ ସୋ’ ଥିଲା ଭୁବନେଶ୍ୱରରେ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟ ରୋଡ ସୋ’ କରି ଭୁବନେଶ୍ୱରରେ ପ୍ରଚାର ଜୋରଦାର କରିଥିଲେ । କିନ୍ତୁ, ଅରୁପ ଜିତିଲେ ନାହିଁ । ୨୩, ୮୩୯ ଭୋଟ ବ୍ୟବଧାନରେ ସେ ଅପରାଜିତାଙ୍କ ନିକଟରୁ ପରାଜିତ ହୋଇଛନ୍ତି ।
ବିଜେଡ଼ି ସଭାପତି ପଟ୍ଟନାୟକ କ୍ଷୁବ୍ଧ ହେବାର କାରଣ ହେଉଛି, ଭୁବନେଶ୍ୱରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, କେନ୍ଦ୍ର ଓ ଉତ୍ତରରେ ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କୁ ମିଳି ଥିବା ଭୋଟ ପରିମାଣ ଉତ୍ସାହଜନକ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ସେହି ଅନୁଯାୟୀ ଭୋଟ ମିଳିନି । ବିଶେଷକରି, ଭୁବନେଶ୍ୱର ଏକାମ୍ର ଓ କେନ୍ଦ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କୁ ମିଳି ଥିବା ଭୋଟ ଠାରୁ ଲୋକସଭା ପ୍ରାର୍ଥୀଙ୍କୁ ମିଳି ଥିବା ଭୋଟ ଯଥେଷ୍ଟ କମି ଯାଇ ଥିବାରୁ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ଅରୁପ ଆଶଙ୍କା ପ୍ରକାଶ କରିଛନ୍ତି ଏବଂ ଦଳର ମୁଖ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ନିକଟରେ ତାହା ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସେ ୭୫,୦୨୦ ଭୋଟ ପାଇ ଥିବା ବେଳେ ସେହି ନିର୍ବାଚନ ମଣ୍ଡଳୀରେ ଦଳର ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ମିଳିଛି ୫୬,୭୪୭ ଭୋଟ । ଅରୁପ ୧୯,୦୦୦ କମ୍ ଭୋଟ ପାଇଛନ୍ତି । ଭୁବନେଶ୍ୱର କେନ୍ଦ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଥିଲେ ପୂର୍ବତନ ବି.ଏମ୍.ସି ମେୟର ଅନନ୍ତ ନାରାୟଣ ଜେନା । ଜେନା ୫୪,୦୨୨ ଭୋଟ ପାଇ ଥିବା ବେଳେ ଲୋକସଭା ପ୍ରାର୍ଥୀ ଅରୁପ ସେହି ନିର୍ବାଚନ ମଣ୍ଡଳୀରୁ ପାଇଛନ୍ତି ୪୩,୨୨୫ ଭୋଟ । ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଦ୍ୱୟଙ୍କୁ ମିଳି ଥିବା ଭୋଟ ଲୋକସଭା ପ୍ରାର୍ଥୀ ଅରୁପଙ୍କୁ ମଧ୍ୟ ମିଳି ଥିଲେ ତାଙ୍କ ଖାତାକୁ ଅଧିକ ୩୦ ହଜାର ଭୋଟ ଆସିଥା’ନ୍ତା । ବିଜେପିକୁ ବିଜୟୀ ହେବାର ସୁଯୋଗ ମିଳି ନ ଥାନ୍ତା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଂଚମ ଥର ପାଇଁ ବିଜେଡ଼ି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ୨୯ ତାରିଖ ଦିନ ନୂଆ ସରକାର ଶପଥ ନେବେ । ୩ ନମ୍ବର ୟୁନିଟ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ ଚାଲିଛି । ବିଭିନ୍ନ ଜିଲ୍ଲାର ବିଜୟୀ ବିଜେଡ଼ି ବିଧାୟକମାନେ ନୂତନ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବା ସକାଶେ ଲବି ଚଳାଇ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାକୁ କଳ୍ପନାଜଳ୍ପନା ଲାଗି ରହିଛି । ଅରୁପଙ୍କ ପରାଜୟକୁ ନେଇ ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କ ଉପରେ କ୍ଷୁବ୍ଧ ଥିବାରୁ ଓ ଏଥିରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇ ଥିବା ମୁଖ୍ୟମନ୍ତ୍ରୀ ସନ୍ଦେହ କରୁଥିବାରୁ ନୂତନ ମନ୍ତ୍ରୀ ପରିଷଦରେ ଖୋର୍ଦ୍ଧା ଜିଲ୍ଲାରୁ କେହି ସ୍ଥାନ ପାଇବେ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଉଛି । ତଦନ୍ତ ହେବ ବୋଲି ସୂଚନା ମିଳିଛି । ଶପଥ ଗ୍ରହଣ ଉତ୍ସବ ସରିବା ପରେ ଅରୁପଙ୍କ ପରାଜୟର କାରଣ କଣ, ତାହାର ଏକ ଅନ୍ତରୀଣ ତଦନ୍ତ ହୋଇପାରେ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି । ଡ଼କ୍ଟର ପାଟ୍ଟଶାଣୀଙ୍କୁ ଅସନ୍ତୋଷ ଅରୁପଙ୍କ ପରାଜୟର ଅନ୍ୟତମ କାରଣ ହୋଇଥାଇ ପାରେ ବୋଲି କିଛି ବିଜେଡି ନେତା ବିଶ୍ୱାସ କରୁଥିବା ବେଳେ ରାଜଧାନୀରେ ହୋଇଥିବା ସ୍ପ୍ଲିଟ୍ ଭୋଟିଂ ମଧ୍ୟ ଏହାର କାରଣ ହୋଇଥିବା ଆଉ କିଛି ଅନୁମାନ କରୁଛନ୍ତି । ଅରୁପଙ୍କ ପରାଜୟକୁ ନେଇ ଚାଲି ଥିବା ଏହି ଖୋଳତାଡ଼ ବିଜେଡ଼ିର ବିଜୟ ଆନନ୍ଦକୁ ପାଣିଚିଆ କରି ଥିବା ସମସ୍ତେ ସ୍ୱୀକାର କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS