ଓଡ଼ିଶାରେ ବିଜେପି ବିଫଳ ହେବା କାରଣ ଧର୍ମେନ୍ଦ୍ର ?
– ପ୍ରସାଦ ରାଓ
୨୦୦୯ରେ ବିଜେଡ଼ି ସହ ମେଂଟରୁ ଅପମାନଜନକ ସ୍ଥିତିରେ ତଡା ଖାଇ ଥିବା ଭାରତୀୟ ଜନତା ପାର୍ଟ (ବିଜେପି) ୨୦୧୪ ସାଧାରଣ ନିର୍ବାଚନରେ ‘ମୋଦୀ ହାୱା’ରେ ବିଜେଡ଼ିକୁ ପାନେ ଦେବାକୁ ଚିନ୍ତା କରି ଥଲା । କିନ୍ତୁ, ଓଡ଼ିଶାରେ ତାହାର ଦୁର୍ବଳ ସଂଗଠନ ଯୋଗୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡ଼ିର ଛାଇ ମଧ୍ୟ ମାଡି ପାରି ନ ଥିଲା । ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରୁ ବିଜେଡ଼ି ଏକାକୀ ୧୧୭ ବିଧାନସଭା ଓ ୨୦ ଲୋକସଭା ଆସନ ଦଖଲ କରି ‘ମୋଦୀ ହାୱା’କୁ ଫୁରେ ଉଠାଇ ଦେଇଥିବା ବେଳେ ବିଜେପି ମାତ୍ର ୧୦ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା।
କିନ୍ତୁ, ୨୦୧୯ ସ୍ଥିତି ଥିଲା ଭିନ୍ନ । ଓଡ଼ିଶାରେ ଏକ ସରକାର ବିରୋଧୀ ‘ଅନ୍ତଃସ୍ରୋତ’ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ବିଚଳିତ କରୁଥିଲେ । ୨୦୧୭ ପଂଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିର ଭଲ ପ୍ରଦର୍ଶନ ସରକାରଙ୍କ ପାଇଁ ଚ୍ୟାଲେଂଜ ଥିଲା । ପଂଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନଦୀ ଜଳ ବଂଟନ ବିବାଦକୁ ମୁଖ୍ୟ ପ୍ରସଂଗ ଭାବେ ଉଠାଇ ଉଭୟ କେନ୍ଦ୍ର ଓ ଛତିଶଗଡ଼ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେଡ଼ି ମନ୍ତ୍ରୀ ବିଧାୟକମାନେ ପଶ୍ଚିମ ଓଡ଼ିଶାରେ ଡ଼େରା ପକାଇ ଥିଲେ । କିନ୍ତୁ, ତାହା ବିଜେଡ଼ି ପାଇଁ ସହାୟକ ହୋଇ ନ ଥିଲା । ପଂଚାୟତ ନିର୍ବାଚନ ଫଳାଫଳ ଦେଖି ଉତ୍ସାହିତ ବିଜେପି ୨୦୧୯ ନିର୍ବାଚନରେ ଓଡ଼ିଶା ଦଖଲର ସ୍ୱପ୍ନ ଦେଖି ଥିଲା ଏବଂ ତାହାକୁ ବାସ୍ତବ ରୂପ ଦେବା ପାଇଁ କେନ୍ଦ୍ରୀୟ ନେତାମାନେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମେତ) ରଣକୌଶଳ ପ୍ରସ୍ତୁତ କରିଥିଲେ । ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରୀଣୀର ଆୟୋଜନ ପଶ୍ଚିମ ଓଡ଼ିଶାରେ ହୋଇଥିଲା । ଏହି କେନ୍ଦ୍ରୀୟ କାର୍ଯ୍ୟକାରୀଣୀରେ ଅମିତ ଶାହା ଘୋଷଣା କରିଥିଲେ ‘୧୨୦ ପ୍ଲସ୍’ ମିଶନ ।
ଲକ୍ଷ୍ୟ ହାସଲ ପାଇଁ ବିଜେପି ରାଜ୍ୟ ସାରା ଆର.ଏସ୍.ଏସ୍ କାର୍ଯ୍ୟକର୍ତାଙ୍କ ଜାଲ ବିଛାଇବା ସହ ବୁଥୱାରୀ ସଂଗଠନ ଦୃଢ କରିବା କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଶାହା ବାରମ୍ବାର ଓଡ଼ିଶା ଗସ୍ତରେ ଆସି ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବା ସହ ଦଳର କାର୍ଯ୍ୟକର୍ତାମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟପାହ୍ୟାରୁ କ୍ୟାବିନେଟ୍ ପାହ୍ୟାକୁ ଉନି୍ନତ କରାଯାଇ ଓଡ଼ିଶା ଦାୟିତ୍ୱ ଦିଆଯିବା ରଣନୀତିର ଅଂଶ ଥିଲା । ମନେ ହେଉ ଥିଲା ବିଜେପି-ବାହିନୀ ରଣକ୍ଷେତ୍ରକୁ ଯାଉଛନ୍ତି । ଗାଡି ଘୋଡା ସହ ଗାଁ ଗହଳକୁ ବ୍ୟାପି ଯାଇ ଥିଲେ ବିଏଚପି କାର୍ଯ୍ୟକର୍ତା । ଧର୍ମେନ୍ଦ୍ର ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ଜୋର୍ ଜମାଇ ଥିଲେ ରାଜ୍ୟ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ । ତାଙ୍କ (ଅ)ଦକ୍ଷ ଚେଲା ଚାମୁଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରଙ୍କୁ ତୀବ୍ର ସମାଲୋଚନା କରି ଅସ୍ତବ୍ୟସ୍ତ କରୁଥିଲେ । ‘ଏଥର ଓଡ଼ିଶାରେ ବିଜେପି..’ – ଏଭଳି ଏକ ବାର୍ତା ପହଂଚୁ ଥିଲା ରାଜ୍ୟରେ । କିଛି ଗଣମାଧ୍ୟମ ଏହାର ଦାୟିତ୍ୱ ନେଇଥିଲେ ।
ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚତୁର୍ଥ ପର୍ଯ୍ୟାୟ ଶାସନ କାଳରେ ଏକ ସରକାର ବିରୋଧୀ ହାୱା ଥିବା ଲକ୍ଷ୍ୟ କରି ତାହାର ମୁକାବିଲା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ୨୦୧୯ ନିର୍ବାଚନରେ ରାଜ୍ୟର ଯୁବ ଓ ନୂଆ ଭୋଟର ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବା ଦେଖି ବିଭିନ୍ନ ଆଳରେ ସେମାନଙ୍କୁ ଭେଟିବା ଓ ସେମାନଙ୍କ ସହ ସେଲ୍ଫି ନେବାର ସୁଯୋଗକୁ ନବୀନ ହାତଛଡା କରୁ ନ ଥିଲେ । ସେମାନଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀଙ୍କ ‘ନବୀନ ନିବାସ’ର ଦ୍ୱାରା ଖୋଲି ଦିଆଯାଇଥିଲା । ସେହିଭଳି, ମହିଳା ଭୋଟକୁ ଟାର୍ଗେଟ୍ କରାଯାଇ ରାଜ୍ୟରେ ଥିବା ସମସ୍ତ ମହିଳା ଏସ୍.ଏଚ୍.ଜିଙ୍କୁ ଜୋନ୍ସ୍ତରରେ ସମ୍ମିଳିତ କରାଯିବା ସହ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ବଂଟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍ ଥିଲା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି । ଦେଶବ୍ୟାପୀ ତାହା ଆଲୋଡ଼ନ ସୃଷ୍ଟି କରିଥିଲା । ବିରୋଧୀମାନେ ମଧ୍ୟ ମହିଳା ଭୋଟ ହାତଛଡା ହେବା ଭୟରେ ଏହାକୁ ବିରୋଧ କରି ପାରି ନ ଥିଲେ । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ତୁରନ୍ତ ଏହାକୁ ସମର୍ଥନ କରି କଂଗ୍ରେସ ଶାସିତ ରାଜ୍ୟରେ ତାହା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଦାବିକୁ ବିଜେଡ଼ି ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଦେଶବ୍ୟାପୀ ଅଭିଯାନ ଚଳାଇବା ସହ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କଲେ। ଆସିକା ଲୋକସଭା ଆସନରୁ ଜଣେ ନିହାତି ମଫସଲି ମହିଳା ତଥା ଏସ୍.ଏଚ୍.ଜି କାର୍ଯ୍ୟକର୍ତା (ଗଂଜାମ ଜିଲ୍ଲା ନଳବଂଟା ଅଂଚଳର) ପ୍ରମିଳା ବିଷୋୟୀଙ୍କୁ ବିଜେଡ଼ିରୁ ପ୍ରାର୍ଥୀ କରି ତାହା ଓଡ଼ିଶାର ସମସ୍ତ ମହିଳାଙ୍କ ପାଇଁ ଉତ୍ସର୍ଗ କରୁଥିବା ଘୋଷଣା କରିଥିଲେ । ବିରୋଧୀ ଏହାର ସମାଲୋଚନା କଲେ, ବିଜେପି ସେହି ଆସନରୁ ଜଣେ ଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କଲା । କିନ୍ତୁ, ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ବିଷୋୟୀ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି ।
ଏହାଛଡା, ଓଡ଼ିଶାର ଚାଷୀ, କୃଷି ଶ୍ରମିକ, ଭୂମିହୀନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଯୋଜନା ଆଉ ଏକ ‘ମାଷ୍ଟରଷ୍ଟ୍ରୋକ୍’ ହେଲା, ଯାହାକୁ କି କେନ୍ଦ୍ର ସରକାର ପିଏମ୍-କିଶାନ ଯୋଜନା ଭାବେ କାର୍ଯ୍ୟକାରୀ କଲେ । କିନ୍ତୁ, ସେଥିରେ ଭୂମିହୀନ ସ୍ଥାନ ପାଇଲେ ନାହିଁ । କେନ୍ଦ୍ରୀୟ ଯୋଜନା ଅପେକ୍ଷା ରାଜ୍ୟର ‘କାଳିଆ’ ଯୋଜନା ଅଧିକ ଉକ୍ରୃଷ୍ଟ ବୋଲି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସ୍ୱୀକାର କରିଛି । ମୁଖ୍ୟମନ୍ତ୍ରୀ ତାଙ୍କ ସରକାର ବିରୋଧରେ ଥିବା ଅନ୍ତଃସ୍ରୋତର ମୁକାବିଲା କରିବାକୁ ଯାଇ କିଛି ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରୁ ବିଦା କରିବା ସହ ସେମାନଙ୍କୁ ସଂଗଠନିକ କାର୍ଯ୍ୟରେ ଲଗାଇଲେ । ବିଜେଡ଼ିର ଲୋକସଭା, ବିଧାନସଭା ଟିକଟ ବଂଟନକୁ ନେଇ କିଛି ଅସନ୍ତୁଷ୍ଟ ବିଜେପି ଓ କଂଗ୍ରେସକୁ ଗଲେ । ସେହି ଦଳରୁ ଟିକଟ ନେଇ ବିଜେଡ଼ି ବିରୋଧରେ ପ୍ରାର୍ଥୀ ହେଲେ । ମୁଖ୍ୟମନ୍ତ୍ରୀ ସେଥିରେ ବିଚଳିତ ନ ହୋଇ ନିଜେ ନିର୍ବାଚନ ପ୍ରଚାରର ମଂଗ ଧରିଲେ । ଏକାକୀ ଅଭିମନ୍ୟୁ ଭଳି ନିଜର ବ୍ୟକ୍ତିଗତ ଭାବମୂର୍ତୀକୁ ଭରସା କରି ରାଜ୍ୟସାରା ସଭା ଓ ରୋଡ ସୋ’ କଲେ । ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ସେ ଏଥିରୁ ଫୁରସତ ପାଇ ନାହାନ୍ତି । ସ୍ୱାସ୍ଥ୍ୟରେ ଅବନତି ଘଟିବା ସତ୍ୱେ ନବୀନ ତାଙ୍କ ରଥକୁ ଗ୍ରାମାଂଚଳ ଓ ଅର୍ଦ୍ଧ ସହରାଂଚଳରେ ଗଡ଼ାଉ ଥିବା ଏବଂ ପ୍ରତି ସଭା ଓ ରୋଡ ସୋ’ରେ ଲକ୍ଷାଧିକ ଜନସମାଗମ ହେଉଥିବା ନବୀନଙ୍କ ଭାବମୂର୍ତୀର ସଂକେତ ଥିଲା ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶୈଳୀ ଏତେଦୂର ବଳିଷ୍ଠ ଥିଲା ଯେ ତାହାର ସୁଫଳ ସଂପୂର୍ଣ୍ଣ ଭାବେ ଦଳକୁ ମିଳିଛି । ଓଡ଼ିଶାରେ ସରକାର ବିରୋଧୀ ହାୱା ଥିବା, ୨୦୧୯ ନିର୍ବାଚନରେ ସ୍ପ୍ଲିଟ୍ ଭୋଟିଂ ହୋଇଥିବା, ଏଥର ବିଜେଡ଼ି ଏକାକୀ ସରକାର ଗଠନ ପାଇଁ ସଂଖ୍ୟା ପାଉ ନ ଥିବା ଭଳି ପ୍ରଚାର ସବୁକୁ ପ୍ରତିହତ କଲା ଭଳି ଫଳାଫଳ ପ୍ରକାଶ ପାଇଛି ମେ’୨୩ରେ । ୨୦୧୪ରେ ଦେଶବ୍ୟାପୀ ‘ମୋଦୀ’ ହାୱା ଥିବା ସମୟରେ ଓଡ଼ିଶାରେ ଶାସକ ବିଜେଡ଼ି ବିଧାନସଭାରେ ଥିବା ୧୪୭ ଆସନରୁ ୧୧୭ରେ ବିଜୟୀ ହୋଇଥିଲା । ୨୦୧୯ରେ ପାଟକୁରା ବ୍ୟତୀତ ୧୪୬ ବିଧାନସଭା ଆସନ ପାଇଁ ଭୋଟ ହୋଇଛି । ସେଥିରୁ ୧୧୨ ଆସନ ପାଇଛି ବିଜେଡ଼ି । ସେହିଭଳି, ୨୦୧୪ରେ ଦଳ ରାଜ୍ୟର ୨୧ ଲୋକସଭା ଆସନରୁ ୨୦ରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୧୨ଟିରେ ବିଜୟୀ ହୋଇଛି । ‘ମୋଦୀ’ ସୁନାମୀ ମାତ୍ର ୫ଟି ବିଧାନସଭା ଆସନ ଛଡାଇ ନେଇଛି । ଅପରପକ୍ଷରେ, ବିଜେପି ୨୦୧୪ରେ ମାତ୍ର ୧୦ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ତାହାର ସଂଖ୍ୟା ବଢାଇଛି ୨୩କୁ । କଂଗ୍ରେସ ୨୦୧୪ରେ ୧୬ ଟି ଆସନ ପାଇଥିଲା । ଏଥର (୨୦୧୯) ପାଇଛି ୯ ଆସନ । ସେଥିରୁ କିଛି ବିଜେପି ଖାତାକୁ ଯାଇଛି । ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିବା ବେଳେ ଗତ ବିଧାନସଭାରେ ବିଜପିର ବିଧାୟକ ଦଳ ନେତା ଥିବା କନକ ବର୍ଦ୍ଧନ ସିଂହଦେଓ ନିର୍ବାଚନରେ ପରାଜିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ହିଂଜିଳି ଆସନରୁ ପଂଚମ ଥର ପାଇଁ ପ୍ରାର୍ଥୀ ହେବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ହିଂଜିଳିରୁ ହାରିବା ଭୟରେ ନବୀନ ବିଜେପୁରରୁ ନିର୍ବାଚନ ଲଢୁଛନ୍ତି ବୋଲି ବିଜେପି ଗୋଟିଏ ଜାଲ୍ ଗୁଇନ୍ଦା ରିପୋର୍ଟକୁ ଆଧାର କରି ପ୍ରଚାର ଚଳାଇଲା । ତେବେ, ତାହାକୁ ଭୁଲ ପ୍ରମାଣିତ କରି ନବୀନ ଦୁଇଟି ଯାକ ଆସନରୁ ବିଜୟୀ ହୋଇଛନ୍ତି । ପଶ୍ଚିମ ଓଡ଼ିଶାରେ ବିଜେଡ଼ିର ବିପର୍ଯ୍ୟୟକୁ ରୋକିବା ନବୀନଙ୍କ ଉଦେ୍ଦଶ୍ୟ ଥିଲା । ତେବେ, ସେ ଏଥିରେ ବିଶେଷ ସଫଳ ହୋଇ ନାହାନ୍ତି । ତେଣୁ, ଏହି ପଂଚମ ପାଳିରେ ସେ ବିଜେପୁର ଆସନରୁ ବିଧାନସଭାରେ ପ୍ରତିନିଧିତ୍ୱ କରି ହିଂଜିଳିରୁ ଜଣେ ଅନୁଗତଙ୍କୁ ଛାଡି ପାରନ୍ତି ବୋଲି ଦଳରେ ଆଲୋଚନା ହେଉଛି । ଅନୁଗତ ଜଣକ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ନୁହନ୍ତି, ୨୦୧୯ ନିର୍ବାଚନରେ ଟିକଟ ଉତ୍ସର୍ଗ କରି କଂଗ୍ରେସରୁ ଆସି ଥିବା ଜଣେ ଯୁବ ନେତାଙ୍କୁ ବିଜଡ଼େି ବିଧାୟକ କରିଥିବା ଦଳର ଜଣେ ପୁରୁଖା ନେତା ବୋଲି ଦଳ ଭିତରୁ ସୂଚନା ମିଳିଛି ।
୨୦୧୯ ନିର୍ବାଚନରେ ଓଡ଼ିଶାରେ ‘୧୨୦ ପ୍ଲସ୍’ର ହୁଂକାର ଦେଉଥିବା ବିଜେପି ନେତୃତ୍ୱ ଦେଶବ୍ୟାପି ‘ମୋଦୀ ଲହର’ ସତ୍ୱେ ଲକ୍ଷ୍ୟଚ୍ୟୁତ ହେବାର କାରଣ କଣ ହୋଇପାରେ ? ଏହି ପ୍ରଶ୍ନ ଆଜି ବିଜେପି ଭିତରେ ଓ ବାହାରେ ଚର୍ଚ୍ଚାର ବିଷୟ ହୋଇଛି । ଦଳୀୟ କର୍ମୀମାନେ ଏଥିପାଇଁ ବିଜେପିର କଛି ମହତ୍ୱାକାଂକ୍ଷୀ ନେତାଙ୍କୁ ଦାୟି କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନବୀନ ସରକାରଙ୍କୁ ‘ଅପାରଗ’ ଓ ‘ପୋଡ଼ା ଟ୍ରାନ୍ସଫର୍ମର’ ବୋଲି ଗାଳି କରୁଥିଲେ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଓପାଡି ଫିଙ୍ଗ ଦେବା ପାଇଁ ମଧ୍ୟ ସେମାନେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ଦାୟିତ୍ୱ ନେଇ ଥିଲେ । କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଧର୍ମେନ୍ଦ୍ର ଥିଲେ ଦଳର କେନ୍ଦ୍ର ନେତୃତ୍ୱ ସହ ରାଜ୍ୟ ନେତାଙ୍କ ଯୋଗସୂତ୍ରର ଏକମାତ୍ର ମାଧ୍ୟମ । ଓଡ଼ିଶାରେ ‘ଉଜ୍ୱଳା’ ଯୋଜନାକୁ ନେଇ ବହୁ ପରୀକ୍ଷା ନିରୀକ୍ଷା ହେଲା । କୋଟି କୋଟି ଟଙ୍କା ବ୍ୟୟରେ ରାଜ୍ୟ ଦେଇ ଜାଳେଣୀ ଗ୍ୟାସ୍ ପାଇପ ଲାଇନ୍ ବିଛା ଚାଲିଛି । ଓଡ଼ିଶା ମାଧ୍ୟମରେ ଦେଶର ପୂର୍ବାଚଂଳ ରାଜ୍ୟମାନଙ୍କ ବିକାଶର ଭାଗ୍ୟୋଦୟ ହେବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ । ତେବେ, ମିଶନ୍ ଫେଲ୍ । ଏହି ବିଫଳତାର ଦାୟିତ୍ୱ କିଏ ମୁଣ୍ଡାଇଲା ?
ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦଳର କିଛି ବରିଷ୍ଠ ନେତା କହିଛନ୍ତି, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନାମକୁ ମାତ୍ର ଦଳକୁ ସମ୍ଭାଳୁ ଥିଲେ ସିନା ବାସ୍ତବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ‘ସୁପର୍ ସଭାପତି’ ଥିଲେ । ଧର୍ମେନ୍ଦ୍ର ନିଜକୁ ରାଜ୍ୟର ଭାବି ମୁଖ୍ୟମନ୍ତ୍ରୀ ବୋଲି ଉପସ୍ଥାପନ କରି ଏକ କୋର୍ ଟିମ୍ କୁ ନେଇ କାମ କରୁଥିଲେ । ଏହି ଟିମ୍ ର୍ପାଂଚ ବର୍ଷ ଧରି ରାଜ୍ୟ ସରକାରଙ୍କୁ ବ୍ୟତିବ୍ୟସ୍ତ କରୁଥିଲା । ରାଜ୍ୟର ଗ୍ରାମାଂଚଳରେ ତୃଣମୂଳ ସଂଗଠନ ଓ ବୁଥ୍ କମିଟି ସବୁ ସକ୍ରିୟ ଥିବା କୁହାଗଲା । ଅନ୍ୟ ଦଳ ଛାଡି ବିଜେଡ଼ିକୁ ଆସୁଥିବା ନେତାମାନଙ୍କୁ ଟିକଟ ଦିଆଯିବା ନେଇ କୌଣସି ପ୍ରତିଶ୍ରୁତି ଦିଆ ନ ଯିବାକୁ କେନ୍ଦ୍ର ମନ୍ତ୍ରୀ ତାଗିଦ କରୁଥିବା ବେଳେ ନିଜେ ଭିତିରି ପ୍ରତିଶ୍ରୁତି ଦେଉଥିଲେ । ତାହା ବିଜେପି ପାଇଁ ବୁମେରାଂଗ ହେଲା । ଧର୍ମେନ୍ଦ୍ରଙ୍କ ‘କୋଟାରୀ’ ତାହାକୁ ସମ୍ଭାଳି ପାରିଲେ ନାହିଁ । ଫଳରେ, ପ୍ରତ୍ୟେକ ବିଧାନସଭା ମଣ୍ଡଳୀରେ ଦୁଇ ଜଣ ବିଦ୍ରୋହୀ ମୁଣ୍ଡ ଟେକିଲେ। ଜଣେ ଦଳର ପୁରୁଣା ସଂଗଠକ ହୋଇଥିବା ବେଳେ ଦ୍ୱିତୀୟ ଜଣକ ବିଜେଡିÿ ବା କଂଗ୍ରେସରୁ ଟିକଟ ଆଶାରେ ଆସି ଥିବା ଦଳବଦଲୁ ନେତା । ଦଳରେ ଏହି ଅନ୍ତଦ୍ୱର୍ନ୍ଦ୍ୱ ତୃଣମୂଳସ୍ତରକୁ ପ୍ରଭାବିତ କଲା । ଦଳରେ ରହି ଦୀର୍ଘ ବର୍ଷ ଧରି ସଂଘର୍ଷ କରି ଆସିଥିବା ନେତା ଟିକଟ ପାଇଲେ ନାହିଁ । କାଲି ଅନ୍ୟ ଦଳରୁ ଆସି ଥିବା ବାବୁ ସିଂହ, ଇରାନୀ ରାୟଙ୍କ ଭଳି ବାହାର ନେତା ଟିକଟ ପାଇଲେ । ଫଳରେ, ପୁରୁଣା ନେତା ଓ କର୍ମୀମାନେ ବିତୃଷ୍ଣ ହେଲେ । ଧର୍ମେନ୍ଦ୍ର ଓ ତାଙ୍କ କୋଟାରୀର ଗର୍ଜନ ରାଜଧାନୀ ଓ ସହରାଂଚଳରେ ରହିଲା ସୀମିତ ରହିଲା ସିନା ଗ୍ରାମାଂଚଳକୁ ଭେଦି ପାରିଲା ନାହିଁ । ଫଳରେ, ବିଜେପି ନିଷ୍ପ୍ରଭ ହେଲା । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର କଡା ସମାଲୋଚନାକୁ ସତର୍କତାର ସହ ମୁକାବିଲା କଲେ । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ‘ଉଗ୍ର ପ୍ରତିକ୍ରି୍ରୟା’ ନ ରଖି ଜଣେ ଅଭିଜ୍ଞ ରାଜନେତାର ଦାୟିତ୍ୱ ତୁଲାଇଲେ । ତାହା ହିଁ ବିଜେଡ଼ିକୁ ଅପୂର୍ବ ସଫଳତା ଦେଇଛି ବୋଲି ବିଜେପିର ବହୁ ନେତା ସ୍ୱୀକାର କରିଛନ୍ତି ।
୨୦୧୯ର ‘ମୋଦୀ ସୁପର ସାଇକ୍ଲୋନ୍’ ବିଜେପିକୁ ଏକାକୀ ୩୦୩ ଲୋକସଭା ଆସନ ଦେଇଥିବା ବେଳେ ତାହାର ନେତୃତ୍ୱାଧୀନ ଏନଡ଼ିଏକୁ ମିଶାଇ ୫୪୨ଲୋକସଭା ଆସନ ବିଶଷ୍ଟ ଲୋକସଭାର ୩୪୯ ଅଂକ ଛୁଆଇଁଛି । ଓଡ଼ିଶାରୁ ଦଳ ଗତ ଥର ଅପେକ୍ଷା ଅଧିକ ୭ଟି ଲୋକସଭା ଆସନ ପାଇଛି । ବିଜେଡ଼ିକୁ ୧୨ ଓ ବାମପନ୍ଥୀଙ୍କ ଖାତାକୁ ଗୋଟିଏ ଆସନ ଯାଇଛି । ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ନିଜ ଭାବମୂର୍ତର୍ୀ ବଳରେ ମର୍ଯ୍ୟାଦାଜନକ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡିରୁ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ରୁ, ସୁରେଶ ପୁଝାରୀ ବରଗଡ଼ରୁ, ନିତେଶ ଗଂଗଦେବ ସମ୍ବଲପୁରରୁ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ୱରରୁ , ସଂଗୀତା ସିଂହଦେଓ ବଲାଙ୍ଗୀରରୁ ଓ ବିଶ୍ୱେଶ୍ୱର ଟୁଡୁ ମୟୁରଭଂଜରୁ ଲୋକସଭାକୁ ବିଜୟୀ ହୋଇଛନ୍ତି । ଢେଙ୍କାନାଳ ଆସନ ବିଜେପି ସପକ୍ଷରେ ଯିବା ଦଳ ଆଶା କରୁଥିଲା । କାରଣ, ବିଜେଡ଼ି ସାଂସଦ ଥିବା ତଥାଗତ ସତପଥୀ ୨୦୧୯ରେ ପ୍ରାର୍ଥୀ ନ ହେବାରୁ ବହୁ ବିଳମ୍ବରେ ଦଳ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କ ବିପକ୍ଷରେ ବିଜେପିରୁ ରୁଦ୍ର ନାରାୟଣ ପାଣି ପ୍ରାର୍ଥୀ ଥିଲେ । ଧର୍ମେନ୍ଦ୍ରଙ୍କ ପ୍ରଭାବ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଥିବାରୁ ଓ ତଥାଗତ ପ୍ରାର୍ଥୀ ନ ଥିବାରୁ ତାହାର ଫାଇଦା ବିଜେପିକୁ ଯିବ ବୋଲି ନିଜେ ତଥାଗତ ଆକଳନ କରି ଥିଲେ । କିନ୍ତୁ, ତାହା ବାସ୍ତବ ରୂପ ନେଲା ନାହିଁ । ଢେଙ୍କାନାଳ ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସାହୁ ପ୍ରାୟ ୩୮ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ଧୂଳି ଚାଟିଛନ୍ତି । ପୁରୀରୁ ବିଜେପି ପ୍ରାର୍ଥୀ ଥିଲେ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ମଧ୍ୟ ‘ନବୀନ ହାୱା’ରେ ଧୂଳି ଚାଟିଲେ । ତାହା ବିଜେପି ପାଇଁ ବଡ ଝଟକ ହୋଇଛି । କଟକ ଲୋକସଭା ଆସନରେ ବିଜେପି ଓଡ଼ିଶାର ପୂର୍ବତନ ପୁଲିସ ଡ଼ିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରି ବିଜେଡ଼ି ସାଂସଦ ଭର୍ତୃହରି ମହତାବଙ୍କୁ ପରାଜିତ କରିବା ଯୋଜନା କରିଥିଲା । କିନ୍ତୁ ସଫଳ ହେଲା ନାହିଁ । ଅପରାଜିତା, ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମଧ୍ୟରେ ଯେଉଁ ଛକାପଂଝା ଚାଲିଲା ତାହା ଓଡ଼ିଶାରେ ବିଜେପିର ବିପର୍ଯ୍ୟୟର ବାଟ ଖେଲିଲା ବୋଲି ଆଲୋଚନା ହେଉଛି । ଜାତୀୟସ୍ତରରେ ଯେଉଁ ସଫଳତା ମିଳିଛି ସେଥିରେ ବିଜେପି ମସଗୁଲ୍ ରହିଛି । ତେଣୁ, ଓଡ଼ିଶା କଥା ଚର୍ଚ୍ଚା କରିବାକୁ ସମୟ ପାଇନି । ପରେ ଯେତେବେଳେ ତର୍ଜମା ହେବ ବହୁ କଥା ପଦାକୁ ଆସିବ ବୋଲି ଦଳର ଜଣେ ତୁଙ୍ଗ ନେତା କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS