କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ଅସହିଷ୍ଣୁତାରେ ପଛୁଆ ନୁହେଁ !
– ପ୍ରସାଦ ରାଓ –
ଜୁନ ୧୫ ତାରିଖ
କେବଳ ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଅସହିଷ୍ଣୁତା ଛାଇ ରହିଛି । ଜୁନ ୧୩ ତାରିଖରେ ଛତିଶଗଡ଼ରେ ଘଟି ଥିବା ଘଟଣାରୁ ତାହା ସ୍ପଷ୍ଟ ହେଉଛି । ରାଜ୍ୟରେ ଘନ ଘନ ବିଦ୍ୟୁତ କାଟ୍ ଓ ବିଭ୍ରାଟକୁ ତାତ୍ସଲ୍ୟ କରି ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ କରି ଥିବା ଏକ ଭିଡ଼ିଓ ପୋଷ୍ଟିଂକୁ ରାଜ୍ୟର ବିତରକ କଂପାନୀ ହଜମ କରି ପାରିଲା ନାହିଁ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ହେବା ପରେ ଛତିଶଗଡ଼ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଗତ ଲୋକସଭା ନିର୍ବାଚନରେ ଛତିଶଗଡ଼ କଂଗ୍ରେସ ନେତାମାନେ ଦେଶରେ କଂଗ୍ରେସ ଶାସନ ପ୍ରତିଷ୍ଠା ହେଲେ ଦେଶଦ୍ରୋହ ଆଇନ ଉଚ୍ଛେଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଗୁରୁବାର ଘଟଣା କଂଗ୍ରେସ ଦଳ ଓ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି । ଚାରି ଆଡୁ ସମାଲୋଚନାର ସମ୍ମୁଖୀନ ହେବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କରାଯାଇଥିବା ଦୋଶଦ୍ରୋହ ମାମଲା ପ୍ରତ୍ୟାହାର ପାଇଁ ପୁଲିସକୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମିଳିବା ପରେ ଦେଶଦ୍ରୋହ ଦଫା ପ୍ରତ୍ୟାହାର କରି ନେଇଛି ସିନା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ୫୦୫ ଦଫା (ଆପରାଧୀକ ମାନହାନୀ)ରେ କରିଥିବା ମାମଲାକୁ ପ୍ରତ୍ୟାହାର କରି ନ ଥିବାରୁ ସେ ଜେଲରୁ ମୁକୁଳି ନାହାନ୍ତି ।
ଏହି ଘଟଣା ସଂପର୍କରେ ଶନିବାର ଏକ ଇଂରାଜୀ ଦୈନିକରେ ପ୍ରକାଶିତ ସମ୍ବାଦ ବେଶ୍ ରୋଚକ ହୋଇଛି । ଛତିଶଗଡ଼ର ରାୟପୁରରୁ ପ୍ରକାଶିତ ଏହି ସମ୍ବାଦରୁ ଜଣାପଡିଛି, ରାଜ୍ୟରେ ଲଗାଣ ବିଦ୍ୟୁତ କାଟ୍ ଓ ବିଭ୍ରାଟରେ ଅତିଷ୍ଟ ହୋଇ ରାଜନନ୍ଦନଗାଓଁର ମାଙ୍ଗିଲାଲ ଅଗ୍ରୱାଲ ନାମକ ଜନୈକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଏକ ସମାଲୋଚନାତ୍ମକ ଭିଡ଼ିଓ ପୋଷ୍ଟ୍ କରିଥିଲେ । ଛତିଶଗଡ଼ ଏକ ବିଦ୍ୟୁତ-ବଳକା ରାଜ୍ୟ ହୋଇଥିବା ବେଳେ ରାଜ୍ୟରେ ଲଗାତର ବିଦ୍ୟୁତ କାଟ୍ ଓ ବିଦ୍ୟୁତ ବିଭ୍ରାଟ ହେଉଥିବା ଜାଣିଶୁଣି ଇନଭର୍ଟର ବିକ୍ରି ବଢାଇବା ପାଇଁ ଏକ ବୁଝାମଣା (!) ବୋଲି ଅଗ୍ରୱାଲ ଭିଡ଼ିଓ ମାଧ୍ୟମରେ ଅଭିଯୋଗ କରି ରାଜ୍ୟର ବିଦ୍ୟୁତ ବିତରକ କଂପାନୀଙ୍କ ରୋଷର ଶୀକାର ହୋଇଛନ୍ତି । ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଛତିଶଗଡ଼ ପାୱାର ହୋଲଡିଂ କଂପାନୀର ଅଧ୍ୟକ୍ଷ ଶୈଳେନ୍ଦ୍ର ଶୁକ୍ଳା କଂପାନୀର ଆଇନ ପରାମର୍ଶଦାତା ଏନ.କେ.ପି.ସିଂହଙ୍କ ନିକଟକୁ ତାହା ଫରୱାଡ କରି ଦେଇଥିଲେ । ସିଂହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେବା ପରେ ଅଗ୍ରୱାଲଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା। ପୁଲିସ ଗୁରୁବାର ଦିନ ଅଗ୍ରୱାଲଙ୍କୁ ଗିରଫ କରି ତାଙ୍କ ବିରାଧରେ ଆଇପିସିର ୧୨୪ ‘କ’ (ଦେଶଦ୍ରୋହ) ଓ ୫୦୫ ଦଫାରେ ମାମଲା ରୁଜୁ କରିଛନ୍ତି । ଉଭୟ ମାମଲା ଜାମିନ-ରହିତ ହୋଇଥିବାରୁ ଆଗ୍ରୱାଲଙ୍କୁ ଜେଲ ଯିବାକୁ ପଡିଛି ।
ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏବେ ଏହା ଏକ ରାଜନୈତିକ ଇସ୍ୟୁ ହୋଇଛି । କାରଣ, ଦେଶଦ୍ରୋହ ଆଇନ ପୁରୁଣା କାଳର, କେନ୍ଦ୍ରରେ କଂଗ୍ରେସ କ୍ଷମତାସୀନ ହେଲେ ଏହି କଳା ଆଇନକୁ ଉଚ୍ଛେଦ କରାଯିବ ବୋଲି କଂଗ୍ରେସ ନେତୃତ୍ୱ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଛତିଶଗଡ଼ରେ କଂଗ୍ରେସର ସରକାର ରହିଛି । ବିଦ୍ୟୁତ କଂପାନୀଙ୍କ ମନମାନିରେ ଅତିଷ୍ଟ ହୋଇ ଜଣେ ଭାରତୀୟ ନାଗରିକ ସାମାଜିକ ଗଣମାଧ୍ୟମରେ ସମାଲୋଚନାମୂଳକ ଭିଡ଼ିଓ ପୋଷ୍ଟିଂ କରି ଦେଶଦ୍ରୋହ ଓ ଆପରାଧୀକ ମାନହାନୀ ମାମଲାର ସମ୍ମୁଖୀନ ହେବା ଏବଂ ପୁଲିସ ସିଧାସଳଖ ତାଙ୍କୁ ଜେଲ ହାଜତକୁ ପଠାଇ ଦେବା ଦେଶରେ ସମ୍ବିଧାନ ଓ ବାକ୍ ସ୍ୱାଧୀନତାର ଅଧିକାର ପ୍ରତି ସବୁଠାରୁ ବଡ ଉପହାସ ମନେ ହେଉଛି । ଏହା ମଧ୍ୟ କଂଗ୍ରେସ ଦଳର ଦୋମୁହାଁ ନୀତିର ପରିଚୟ ଦେଉଛି । ଭୋଟ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ଦୂରେ ଥାଉ, ରାଜ୍ୟ କଂଗ୍ରେସ ନେତୃତ୍ୱ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ସାଧାରଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ଓ ପୁଲିସ ଦେଶଦ୍ରୋହ ମାମଲାରେ ତାଙ୍କୁ ଗିରଫ କରି ଜେଲ ପଠାଇବା ସାଧାରଣ ଜନତାକୁ ଭୟଭୀତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ କି ? ରାଜନନ୍ଦଗାଓଁର ବିଜେପି ଏମପି ସନ୍ତୋଷ ପାଣ୍ଡେ ଏହି ପ୍ରଶ୍ନ କରିଛନ୍ତି । ଛତିଶଗଡ଼ ଜନତା କଂଗ୍ରେସ ସଭାପତି ଅମୀତ ଯୋଗୀ ଟ୍ୱିଟର ଓ ଫେସବୁକ୍ ରେ ଅଗ୍ରୱାଲଙ୍କ ଭିଡ଼ିଓକୁ ସେୟାର କରି, ‘ମୁଁ ମୋର ରାୟପୁର ବାସଭବନରେ ଅଛି, ଅଗ୍ରୱାଲଙ୍କ ଭିଡ଼ିଓ ପୋଷ୍ଟ କରିଛି, ସତ୍ ସାହସ ଥିଲେ ମୋତେ ଗିରଫ କର’ ବୋଲି ବାଘେଲା ସରକାରଙ୍କୁ ଚ୍ୟାଲେଂଜ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବାଘେଲା ବିଚଳିତ ହୋଇ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରି ବିବୃତି ଦେବା ସହ ଘଟଣାର ତୁରନ୍ତ ସମୀକ୍ଷା ଓ ପୁନଃ ତଦନ୍ତ କରିବାକୁ ଛତିଶଗଡ଼ ପୁଲିସ ମହାନିର୍ଦେଶକ ଡ଼ି.ଏମ. ଅୱସ୍ତିଙ୍କୁ ନିଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଖି ପୁଲିସ ଛାନିଆରେ ଅଗ୍ରୱାଲଙ୍କ ବିରୋଧରୁ ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରି ଥିଲେ ମଧ୍ୟ ଆଇପିସିର ୫୦୫ ଦଫା ପ୍ରତ୍ୟାହାର ହୋଇ ନାହିଁ । ଅଗ୍ରୱାଲଙ୍କୁ ଏହି ସବୁ ଦଫାରେ ଜେଲ ପଠାଯିବା ରାଜତନ୍ତ୍ର ମାନସିକତାର ପରିଚୟ ଦେଉଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ସଫେଇ ମଧ୍ୟ ହାସ୍ୟାସ୍ପଦ । ସେ କହିଛନ୍ତି – ଛତିଶଗଡ଼ରେ ପୂର୍ବରୁ ବିଜେପି ସରକାର ଅମଳରୁ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଦଫା ଲଗାଇବା ପରଂପରା ଚାଲି ଆସିଛି । କିନ୍ତୁ, କଂଗ୍ରେସ ଦଳ ସର୍ବଦା ବାକ୍-ସ୍ୱାଧୀନତାକୁ ଅଗ୍ରାଧିକାର ଦେଉଛି । ଭବିଷ୍ୟତରେ ପୁଲିସ ଏଭଳି ନ କରିବାକୁ ସେ ଚେତାଇ ଦେଇଥିବା ସୂଚନ ଦେଇଛନ୍ତି । ରାଜ୍ୟର ଜନସାଧାରଣ ପ୍ରତିକ୍ରିୟାଶୀଳ ନ ହୋଇ ଶାନ୍ତ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ଜଣାପଡିଛି । ତେବେ, ରାଜ୍ୟ ସରକାରଙ୍କ ପରିଚାଳନାଧୀନ ବିଦ୍ୟୁତ କଂପାନୀର ଅଧ୍ୟକ୍ଷ ଶୁକ୍ଳା ନଇଁବାକୁ ପ୍ରସ୍ତୁତ ନୁହନ୍ତି। ସେ ତାଙ୍କ ବିବୃତିରେ କହିଛନ୍ତି, ବିଭିନ୍ନ କାରଣରୁ ରାଜ୍ୟରେ ବିଦ୍ୟୁତ କାଟ୍ ଓ ବିଭ୍ରାଟ ହେଉଥିବା ବେଳେ ଇନଭରଟର୍ ବିକ୍ରେତାଙ୍କ ସହ ସଲାସୁତୁରାରେ ଏଭଳି ବିଦ୍ୟୁତ କାଟ୍ ଚଲିଛି ବୋଲି ହେଉଥିବା ଅଭିଯୋଗ ଭିତ୍ତିହୀନ। ଅଗ୍ରୱାଲଙ୍କ ଭିଡ଼ିଓ କଂପାନୀର ଭବମୂର୍ତୀ କ୍ଷୁର୍ଣ୍ଣ କରିଛି ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲା ଦୟାପରବଶ ହୋଇ ମାଙ୍ଗିଲାଲ ଅଗ୍ରୱାଲଙ୍କ ବିରୋଧରେ ଲଗା ଯାଇଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହାର କରାଇଛନ୍ତି ସିନା ଆଇପିସିର ୫୦୫ ଦଫାରେ ମାମଲା ବଳବତ୍ତର ରହିବା ରାଜ୍ୟ ସରକାରଙ୍କ ଅସହିଷ୍ଣୁତାର ପରିଚୟ ଦେଉଛି । ସରକାରଙ୍କ ପରିଚାଳନାଧୀନ ବିଦ୍ୟୁତ ବିତରକ କଂପାନୀ ଏହି ଜନସ୍ୱାର୍ଥ ସମ୍ବଳିତ ପୋଷ୍ଟିଂକୁ ନେଇ ପ୍ରତିକ୍ରିୟାଶୀଳ ହେବା ବଦଳରେ ସ୍ପଷ୍ଟିକରଣ ଦେବା ଉଚିତ ଥିଲା । ତାହା ନ କରି ତୁରନ୍ତ ଥାନାକୁ ଯାଇ ମାମଲା ରୁଜୁ କରିବା ଏବଂ ଛତିଶଗଡ଼ ପୁଲିସ ଅଭିଯୋଗର ମେରିଟ୍ ନ ଦେଖି ସାମନ୍ତବାଦୀ ଶାସକ ଭଳି ଅଗ୍ରୱାଲଙ୍କ ବିରୋଧରେ ଦେଶଦ୍ରୋହ, ଆପରାଧୀକ ମାନହାନୀ ମାମଲା ରୁଜୁ କରି ଜେଲକୁ ପଠାଇ ଦେବା ଦକ୍ଷିଣପନ୍ଥୀ ଚିନ୍ତାଧାରାଠାରୁ କୌଣସି ଗୁଣରେ କମ୍ ନୁହେଁ କୁହାଯାଇପାରେ । ଗତ ୮ ତାରିଖରେ ୟୁପି ପୁଲିସ ଏଭଳି ଏକ ମାମଲା କରି ସୁପ୍ରିମ କୋର୍ଟରେ ଭର୍ଛିର୍ତ ହୋଇଥିବା ବୋଧହୁଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ନଜରକୁ ଆସି ନାହିଁ । ତେଣୁ, ସେ ବାକ୍ ସ୍ୱାଧୀନତାର ହରଣ ପାଇଁ ଦେଶଦ୍ରୋହ ଆଇନ ବ୍ୟବହାର କରିଛନ୍ତି। ଲକ୍ଷ୍ନୌ ପୁଲିସ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଂପର୍କରେ ସାମାଜିକ ଗଣମାଧ୍ୟମରେ କରାଯାଇ ଥିବା ଏକ ଭିଡ଼ିଓ ପୋଷ୍ଠିଂକୁ ନେଇ ଜୁନ ୮ରେ ଦିଲ୍ଲୀ ଭିତ୍ତିକ ଜଣେ ସାମ୍ବାଦିକଙ୍କୁ ଘରୁ ଉଠାଇ ନେଇ ଜେଲରେ ଠୁଙ୍କି ଦେଇଥିଲେ । ସମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ବିରୋଧରେ ଆଇପିସିର ୫୦୫ ଦଫା ସହ ସୂଚନା ଓ ପ୍ରଯୁକ୍ତି ଆଇନରେ ମାମଲା ରୁଜୁ ହୋଇଥିଲା । କନୋଜିଆଙ୍କ ଗିରଫଦାରୀକୁ ଜାତୀୟସ୍ତରରେ ବିରୋଧ କରାଯିବା ସହ ତାଙ୍କ ପତ୍ନୀଙ୍କ ଆଡୁ ଲକ୍ଷ୍ନୌ ପୁଲିସ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ମଙ୍ଗଳବାର (ଜୁନ ୧୧ ତାରିଖ) ତାହାର ଶୁଣାଣୀ କରି କନୋଜିଆଙ୍କ ଗିରଫଦାରୀକୁ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ସମ୍ବିଧାନରେ ଥିବା ବ୍ୟକ୍ତି ସ୍ୱାଧୀନତା ଓ ଅଧିକାରକୁ କୌଣସି ପରିସ୍ଥିତିରେ ଉଲଂଘନ କରିବାକୁ ଦିଆଯିବ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମତବ୍ୟକ୍ତ କରି କନୋଜିଆଙ୍କୁ ତୁରନ୍ତ ଖଲାସ କରିବାକୁ ଯୋଗୀ ସରକାରଙ୍କୁ ନିର୍ଦେଶ ଦେଇଥିବା ବେଳେ ମାତ୍ର ଦୁଇ ଦିନ ଅନ୍ତରରେ ଛତିଶଗଡ଼ରେ ଏଭଳି ଘଟଣା ଘଟିବା ଦଳମତ ନିର୍ବିଶେଷରେ ଶାସକ ଓ ପ୍ରଶାସକଙ୍କ ଅହମିକାକୁ ଉଜାଗର କରିଛି ।
ଓଡ଼ିଶାରେ ମଧ୍ୟ ଏଭଳି ଦୃଷ୍ଟାନ୍ତ ରହିଛି । କୋଣାର୍କ ମନ୍ଦିର, ରାଜ୍ୟର ବିଧାୟକ ଓ ସାମ୍ବାଦିକଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାଜ୍ୟ ବାହାରର ଜଣେ ସାମ୍ବାଦିକ ମାମଲାର ସମ୍ମୁଖୀନ ହୋଇ ଜେଲ ଯାଇଥିଲେ । ବିଧାନସଭାରେ ତାଙ୍କୁ ସ୍ୱାଧୀକାର ଭଂଗ ଅଭିଯୋଗର ସାମନା କରିବାକୁ ପଡି ଥିଲା । କ୍ଷମା ମାଗିବା ସତ୍ୱେ ସେ ଜେଲରେ ଅଟକ ରହିବା ସହ ପରେ ଜାମିନରେ ଯାଇଛନ୍ତି । ତେବେ,‘ଫନି’ ସୁପର ସାଇକ୍ଲୋନ୍ ପରେ ଓଡ଼ିଶାର ବିଦ୍ୟୁତ ବିତରକ କଂପାନୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କଟୁ ସମାଲୋଚନା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରତିକ୍ରିୟାଶୀଳ ନ ହେବା ସରକାରଙ୍କ ସହନଶୀଳତାର ପରିଚୟ ଦେଇଛି । ‘ଫନି’ ଯୋଗୁଁ ରାଜ୍ୟର ବିସ୍ତୁତ ଅଂଚଳ, ବିଶେଷକରି ରାଜଧାନୀ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, କଟକ ଦୀର୍ଘ ୧୦ ଦିନରୁ ଅଧିକ ଅନ୍ଧାରରେ ଥିଲା । ପରିସ୍ଥିତିରେ ସୁଧାର ଆଣିବାରେ ବିଦ୍ୟୁତ ବିତରଣକାରୀ କଂପାନୀଙ୍କ କଚ୍ଛପ ଗତିକୁ ଦେଖି ଜେନେରେଟର ଓ ଇନଭରଟର ବିକ୍ରେତାଙ୍କ ବିକ୍ରି ବଢାଇବା ପାଇଁ ଏଭଳି ଶିଥିଳ ପ୍ରଦର୍ଶନ କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ସମାଲୋଚନା ହୋଇଥିଲା। ମୁଖ୍ୟସ୍ରୋତ ଗଣମାଧ୍ୟମ ମଧ୍ୟ ଏକା ଭଳି ମତ ଦେଇଥିଲେ । କିନ୍ତୁ, ରାଜ୍ୟ ସରକାର ବା ବିଦ୍ୟୁତ ବିତରକ କଂପାନୀମାନେ ପ୍ରତିକ୍ରିୟାଶୀଳ ନ ହୋଇ ବିଳମ୍ବ ହେଉଥିବା କାରଣ ଜନସାଧାରଣଙ୍କ ଦୃଷ୍ଟିକୁ ଆଣି ଥିଲେ । ରାଜ୍ୟରେ ଏକ ଆଂଚଳିକ ଦଳର ସରକାର ଥିବାରୁ ଏଭଳି ସହିଷ୍ଣୁତା ଦେଖିବାକୁ ମିଳି ଥିଲା, ଯାହାକି ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଶାସିତ ରାଜ୍ୟରେ ଦେଖିବାକୁ ମିଳୁ ନାହିଁ ବୋଲି ସମାଲୋଚକମାନ ମତ ଦେଉଛନ୍ତି । କନୋଜିଆଙ୍କ ପଛରେ ତାଙ୍କ ପତ୍ନୀ ଦୃଢତାର ସହ ଠିଆ ହେଲେ ଓ ମାମଲା ଏକାଥରେ ସୁପ୍ରିମ କୋର୍ଟକୁ ନେଇ ଗଲେ । ତେଣୁ, ୟୁପି ସରକାର ଆଂଠେଇଲେ । ମାଙ୍ଗିଲାଲ୍ ଅଗ୍ରୱାଲଙ୍କ କ୍ଷେତ୍ରରେ ତାହା ନ ହେବାରୁ ସେ ଜେଲରେ ପଡିଛନ୍ତି । ଛତିଶଗଡ଼ ସରକାର ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରି ବଦାନ୍ୟତା ଦେଖାଇ ଥିବା କହୁଥିଲେ ମଧ୍ୟ ବାସ୍ତବରେ ତାହା ଛତିଶଗଡ଼ ସରକାରଙ୍କ ରୁଗଣ ମାନସିକତାର ପରିଚୟ ଦେଉଛି । ପୁଲିସ ଆଇପିସିର ୫୦୫ ଦଫା ପ୍ରତ୍ୟାହର ନ କରି ବାଘେଲା ସରକାରଙ୍କ ସହନଶୀଳତାର ଅଭାବ ଓ ବାକ୍ ସ୍ୱାଧୀନତା ପ୍ରତି ପ୍ରତିବଦ୍ଧତା ନଥିବା ପ୍ରମାଣିତ କରିଛନ୍ତି । ୟୁପି ଓ ଛତିଶଗଡ଼ ଘଟଣା ସାମାଜିକ ଗଣମାଧ୍ୟମଙ୍କ ପାଇଁ ମଧ୍ୟ ଚେତାବନୀ ହୋଇଛି । ଶାସକ ଗୋଷ୍ଠୀ ଏବେ ମୁଖ୍ୟସ୍ରୋତ ଗଣମାଧ୍ୟମକ ନେଇ ନୁହେଁ ସାମାଜିକ ଗଣମାଧ୍ୟମକୁ ନେଇ ଭୟଭୀତ, ତାହା ଏଥିରୁ ପ୍ରମାଣିତ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS