ଭାରତୀୟ ଜାତୀୟ କଂଗ୍ରେସ ଦେଶକୁ କି ବାର୍ତା ଦେବାକୁ ଚାହୁଁଛି ?


– ପ୍ରସାଦ ରାଓ –
ଜୁନ ୧୬ ତାରିଖ
୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭାରତୀ ଜାତୀୟ କଂଗ୍ରେସରେ ଯେଉଁ ନିରାଶା ଭାବ ଦେଖା ଦେଇଛି ତାହା ଏପର୍ଯ୍ୟନ୍ତ ଦୂର ହେଉ ନାହିଁ । ଶୋକର ଛାୟା ଯେମିତି ଦଳକୁ ଘାରି ରଖିଛି । ଏହି ପରାଜୟ ପାଇଁ ନିଜକୁ ଦାୟୀ କରି ଦଳର ସଭାପତି ପଦରୁ ରାହୁଲ ଗାନ୍ଧୀ ମେ’ ୨୫ରେ ଇସ୍ତଫା ଦେବା ପରେ ମୌନ ବ୍ରତରେ ଅଛନ୍ତି । ତାଙ୍କ ପରିବାରର ପାରଂପରିକ ଆସନ ୟୁପିର ଆମେଥିରୁ ପରାଜୟ ତାଙ୍କୁ ଅଧିକ ଦୁଃଖ ଦେଇଛି । ଅବଶ୍ୟ,କେରଳର ୱାଇନାଡ ଲୋକସଭା ଆସନରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଗାନ୍ଧୀ ପରିବାରର ଅସ୍ତିତ୍ୱ ବଜାୟ ରଖିଛନ୍ତି । ମା’ ସୋନିଆ ଗାନ୍ଧୀ ୟୁପିର ରାୟବରେଲି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଦଳୀୟ କର୍ମୀଙ୍କ ସହଯୋଗ ମିଳି ନ ଥିବା ଅଭିଯୋଗ କରିଥିବା ବେଳେ ଭଉଣୀ ପ୍ରୟଙ୍କା ଗାନ୍ଧୀ ଭଦ୍ରା ୟୁପି କଂଗ୍ରେସର ନେତୃତ୍ୱ ନିଅନ୍ତୁ ବୋଲି କର୍ମୀଙ୍କ ଆଡୁ ଦାବି ଜୋର ଧରିଛି । କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦେଶର ନିର୍ବାଚନ ପରିଚାଳନା ବ୍ୟବସ୍ଥା ଏବଂ ଶାସକ ଦଳର ମିଥ୍ୟା ପ୍ରଚାରକୁ ସୋନିଆ ଦାୟୀ କରିବା ସହ କଂଗ୍ରେସ ନୌକାକୁ ସମ୍ଭାଳିବାକୁ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ତେବେ, ଜାତୀୟସ୍ତରରେ ଦଳ ପାଇଁ ବଡ ସମସ୍ୟା ହୋଇଛି ନୌକାବାହାକକୁ ନେଇ ।
ରାହୁଲ ଏଆଇସିସି ସଭାପତି ଥିଲେ, ଅଛନ୍ତି ଓ ରହିବେ ବୋଲି ଦଳର ତୁଙ୍ଗ ନେତା ରଣଦୀପ ସିଂହ ସୁରଜୱାଲ ଗତ ବୁଧବାର ଦିନ କଂଗ୍ରେସ କୋର୍ କମିଟି ବୈଠକ ପରେ ଗଣମାଧ୍ୟମକୁ କହିଥିଲେ ମଧ୍ୟ ଏହି ବୈଠକରେ ରାହୁଲ ନିଜେ ଉପସ୍ଥିତ ନ ଥିବା ନୌକାବାହକ ହେବାର ସମ୍ଭାବନାକୁ କ୍ଷୀଣ କରିଛି । ୟୁପିଏ ଅଧ୍ୟକ୍ଷା ଥିବା ମା’ ସୋନିଆ ଗାନ୍ଧୀ ତାଙ୍କ ନିର୍ବାଚନ ମଣ୍ଡଳୀ ରାୟବରେଲି ଗସ୍ତରେ ଥିବାରୁ ସେ ମଧ୍ୟ ବୁଧବାର ବୈଠକରେ ଯୋଗ ଦେଇ ନ ଥିଲେ । ନିର୍ବାଚନ ସମୟରେ ଗଠନ କରାଯାଇଥିବା ଦଳର କୋର୍ କମିଟି ଓ ଅନ୍ୟାନ୍ୟ କମିଟିଗୁଡିକ ନିର୍ବାଚନ ପରେ ଆପେ ଆପେ ଭାଙ୍ଗି ଯାଇ ଥିବା କୁହାଯାଉଛି । ରାହୁଲ ଦଳର ସଭାପତି ଅଛନ୍ତି ଓ ରହିବେ ବୋଲି ସୁରଜୱାଲ କହୁଥିଲେ ମଧ୍ୟ ବାସ୍ତବରେ ଦଳରେ ରାହୁଲଙ୍କ ବିକଳ୍ପ ଖୋଜା ଚାଲି ଥିବା ଏବେ ସୂଚନା ଆସୁଛି । କିଛି ତୁଙ୍ଗ ନେତାଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ହାଇକମାଣ୍ଡଙ୍କ ପରାମର୍ଶରେ ଦଳକୁ ଚଳାଇବା ଯୋଜନା ଚାଲି ଥିବା ବେଳେ ଏବେ ଦଳର କୌଣସି ବରିଷ୍ଠ ନେତା କଂଗ୍ରେସର ମଂଗ ଧରିବାକୁ ରାଜି ହେଉ ନ ଥିବା ମୁଖ୍ୟ ସମସ୍ୟା ହୋଇଛି । ଦଳର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏ.କେ.ଆଂଟୋନୀଂକୁ ଜାତୀୟ କଂଗ୍ରେସ ସଭାପତି ଦାୟିତ୍ୱ ଦିଆଯିବାକୁ ଦଳ ଉଦ୍ୟମ କରୁଥିଲା । କିନ୍ତୁ, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଦାୟିତ୍ୱ ନେବାକୁ ଅମଙ୍ଗ । ସେହିଭଳି, ଏଆଇସିସି ସାଧାରଣ ସଂପାଦକ କେ.ସି.ବେଣୁଗୋପାଳ ଦଳକୁ ସୁଦୃଢ କରିବା ଦାୟିତ୍ୱର ବାହାନା କରି ନେତୃତ୍ୱ ନେବାକୁ ଅମଙ୍ଗ ଅଛନ୍ତି । ଏବେ, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଉପରେ ଦଳର ଦୃଷ୍ଟି ରହି ଥିବା ଜାତୀୟ ସମ୍ବାଦପତ୍ରରେ ଚର୍ଚ୍ଚ ହେଉଛି ।
ଚଳିତ ବର୍ଷ ଶେଷ ଆଡକୁ ଝାରଖଣ୍ଡ, ମହାରାଷ୍ଟ୍ର, ହରିଆଣା ଓ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ଏହା ସହ ଓଡ଼ିଶାର ପାଟକୁରା, ବିଜେପୁର ଭଳି ଦେଶର କିଛି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଅଛି । ଏଭଳି ସମୟରେ ବେଳେ ଜାତୀୟ ସ୍ତରରେ କଂଗ୍ରେସର ମଂଗ ଧରିବାକୁ କେହି ରାଜି ନ ହେବା ନେତୃତ୍ୱ ସଂକଟକୁ ଅଧିକ ଘନୀଭୂତ କରିଛି । ଉପରୁ ତଳସ୍ତର ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ନିରୁତ୍ସାହିତ । ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୨୫ ତାରିଖ କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇ ଥିଲା । ଏଆଇସିସି ସଭାପତି ଭାବେ ରାହୁଲ ଏଥିରେ ଯୋଗଦେଇ ୨୦୧୯ ନିର୍ବାଚନ ପରାଜୟ ପାଇଁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ପରି ତୁଙ୍ଗ ନେତାଙ୍କ ପୁତ୍ରମୋହକୁ ଦାୟୀ କରିବା ସହ ନିଜେ ପରାଜୟର ଦାୟିତ୍ୱ ମୁଣ୍ଡାଇ ଜାତୀୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସର ଜାତୀୟ କାର୍ଯ୍ୟକରୀଣୀ ତାଙ୍କ ଇସ୍ତଫାକୁ ଗ୍ରହଣ କରି ନ ଥିଲେ ମଧ୍ୟ ରାହୁଲ ନିଜ ଜିଦ୍ ରେ ଅଟଳ । ତାଙ୍କୁ ମନାଇବା ଉଦ୍ୟମ ଜାରି ରହି ଥିଲେ ମଧ୍ୟ ସେ କାହାରିକୁ ଭେଟିବାକୁ ସମୟ ଦେଉ ନ ଥିବାରୁ ଦଳର ତୁଙ୍ଗ ନେତାମାନେ ଚିନ୍ତାରେ । ଗାନ୍ଧୀ ପରିବାର ବାହାରୁ କାହାରିକୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି କରିବାକୁ ରାହୁଲ ଦେଇଥିବା ପ୍ରସ୍ତାବ ଗ୍ରହଣୀୟ ନ ହେବା କାରଣ ହେଉଛି ଦଳର ତୁଙ୍ଗ ନେତାମାନେ ଗାନ୍ଧୀ ପରିବାରର କାନି ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ରାହୁଲ ପୁନର୍ବାର ଦଳର ସଭାପତି ଦାୟିତ୍ୱ ନେବା ସେମାନେ ଚାହୁଁଛନ୍ତି । ତେବେ, ରାହୁଲଙ୍କୁ ମନାଇବା ସମ୍ଭବ ହେଉ ନ ଥିବାରୁ ବିକଳ୍ପ ବ୍ୟବସ୍ଥା କଥା ମଧ୍ୟ ଚିନ୍ତା କରାଯାଉଛି । ଦଳର ମଧ୍ୟବର୍ତୀକାଳୀନ ସଭାପତି ଚୟନ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ରାହୁଲଙ୍କ ଜିଦ୍ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି ।
୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନିର୍ବାଚନ ହୋଇଥିବା ୫୪୨ ଲୋକସଭା ଆସନରୁ ମାତ୍ର ୫୨ଟି ପାଇଛି । ୨୦୧୪ରେ ଦଳ ତାହା ଠାରୁ କମ୍ ଆସନ ପାଇ ଥିଲା । ରାହୁଲଙ୍କୁ ମନାଇ ନ ପାରିଲେ ଏକ କଲେଜିଅମ୍ ଗଠନ କରି ଜଣେ ମଧ୍ୟବର୍ତୀକାଳୀନ ସଭାପତିଙ୍କ ମାଧ୍ୟମରେ ଦଳକୁ ପରିଚାଳନା କରିବାକୁ ଦଳର ପୁରୁଖା ନେତାମାନେ ଯେଉଁ ଉଦ୍ୟମ କରୁଛନ୍ତି ତାହା ବାସ୍ତବ ରୂପ ନେବା ନେଇ ସନ୍ଦେହ । ଏବେ, ସୋନିଆ ହେଉଛନ୍ତି ଦଳ ପାଇଁ ଏକମାତ୍ର ଭରସା । ଜାତୀୟ ସ୍ତରରେ ଦଳର ଏଭଳି ଅବସ୍ଥା ଦେଖି ଓଡ଼ିଶା ଭଳି ରାଜ୍ୟରେ କଂଗ୍ରେସ ସଂଗଠନ ଭୁଶୁଡିବା ଉପରେ । ପୁରୁଖା ନେତାମାନେ ନିଜ ଭିତରେ ଗୋଇ ଖୋଳାଖୋଳି ହୋଇ ଥିବା ସଂଗଠନକୁ ବୁଡାଉ ଥିବା ସମୟରେ ରାହୁଲଙ୍କ ମୌନବ୍ରତ ଦେଶକୁ କି ବାର୍ତା ଦେବାକୁ ଚାହୁଁଛି (?) ବୋଲି ଏବେ ରାଜନୈତିକ ବିଶ୍ଲେଷକ ମହଲରେ ପ୍ରଶ୍ନ ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS