ପେଶାଦାର ନିରାଶାବାଦ !


– ପ୍ରସାଦ ରାଓ –
ଜୁଲାଇ ୧୦ ତାରିଖ
- ପେଶାଦାର ନିରାଶାବାଦ.. । ଏହାର ଅର୍ଥ ହେଉଛି – ଅଭିଜ୍ଞ, କିନ୍ତୁ ନିରାଶାବାଦୀ । ୨୦୨୪ ଶେଷ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟିର ଅର୍ଥନୀତିରେ ପହଂଚାଇବା ସ୍ୱପ୍ନକୁ ଯେଉଁମାନେ ଅସମ୍ଭବ କହୁଛନ୍ତି ସେମାନଙ୍କ ଉଦେ୍ଦଶ୍ୟରେ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଦେଶର ଅର୍ଥନୀତିକୁ ୨ ଲକ୍ଷ କୋଟିରୁ ପାଂଚ ଲକ୍ଷ କୋଟିରେ ପହଂଚାଇବା ସ୍ୱପ୍ନ ଦେଖିବାରେ କିଛି ଅସୁବିଧା ନାହିଁ । କାରଣ, କୌଣସି ଲକ୍ଷ୍ୟ ନ ଥାଇ ଦେଶକୁ ଆଗକୁ ନେବା ନିରାଶାବାଦ । ତେବେ, ପାଂଚ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଅର୍ଥନୀତିର ସ୍ୱପ୍ନ ଦେଖିବା ପାଇଁ ଯେଭଳି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ତାହା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ କରିବାରେ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଫଳ ହୋଇ ନ ଥିବାରୁ ଅମର୍ତ୍ୟ ସେନଙ୍କ ଭଳି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ‘ଅବାସ୍ତବ’ କହିଛନ୍ତି । ମୋଦୀ ସରକାର ସମାଲୋଚନାକୁ ସର୍ବଦା ନକାରାତ୍ମକ ଦୃଷ୍ଟିରେ ଦେଖିଥାନ୍ତି । ତେଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପାଂଚ ଲକ୍ଷ କୋଟିର ଅର୍ଥନୀତି ସ୍ୱପ୍ନକୁ ସମାଳୋଚନା କରୁଥିବା ବିଶେଷଜ୍ଞମାନଙ୍କୁ ‘ପେଶାଦାର ନିରାଶାବାଦୀ’ କହି ପାଲଟା ସମାଲୋଚନା କରିବାରେ କିଛି ନୂତନତ୍ୱ ନାହିଁ ।
ମୋଦୀ-୧ ସରକାର ସମୟରେ ମଧ୍ୟ ଦେଶର ବହୁ ବୁଦ୍ଧିଜୀବୀ ସରକାରଙ୍କ ଅସହିଷ୍ଣୁତାକୁ ସମାଲୋଚନା କରି ସରକାରଙ୍କ କଟୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ମୋଦୀ-ସମାଲୋଚକ ବୁଦ୍ଧିଜୀବୀ ଓ ମୋଦୀ-ସପକ୍ଷବାଦୀ ବୁଦ୍ଧିଜୀବୀଙ୍କ ମଧ୍ୟରେ ସରକାରଙ୍କ ‘ଅସହିଷ୍ଣୁତା’କୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ, ତାହା ନିର୍ବାଚନକୁ କୌଣସି ପ୍ରକାର ପ୍ରଭାବିତ କରି ପାରି ନ ଥିଲା । ସାଧାରଣ ନିର୍ବାଚନରେ ‘ରାଷ୍ଟ୍ରବାଦ’ ପ୍ରସଙ୍ଗ ଦେଶବାସୀଙ୍କୁ ଏତେମାତ୍ରାରେ ପ୍ରଭାବିତ କରି ଥିଲା ଯେ ସେଠି ସରକାରୀ ଅସହିଷ୍ଣୁତା ଭଳି ବହୁ ପ୍ରସଙ୍ଗ ଧୋଇଯାଇ ଏକପାଖିଆ ଜନମତ ସରାକରଙ୍କୁ ଅଧିକ ଶକ୍ତି ଯୋଗାଇ ଦେଲା । ମୋଦୀ-୨ ସରକାର ଏବେ ସଂସଦରେ ଏକପାଖିଆ ନିଷ୍ପତ୍ତି ନେଲା ଭଳି ପୂର୍ଣର୍ ବହୁମତରେ ଅଛନ୍ତି । ତେଣୁ, ସରକାରଙ୍କ ଅର୍ଥନୀତିକୁ ସମାଲୋଚନା କରୁଥିବା ବିଶେଷଜ୍ଞମାନଙ୍କୁ ‘ନିରାଶାବାଦୀ’ କହି ଫୁ’ରେ ଉଡାଇ ଦେବାରେ କୌଣସି ସମସ୍ୟା ନାହିଁ । ୨୦୧୯ ସାଧାରଣ ନିର୍ବାଚନ ପରେ ଜାତୀୟ ରାଜନୀତିରେ ଯେଭଳି ଆନାକାଂକ୍ଷିତ ପରିବର୍ତନ ଆସିଛି ତାହା ସରକାରଙ୍କୁ ସ୍ୱପ୍ନ ବିକିବାକୁ ମଜଭୂତ ଲାଇସେନ୍ସ ଦେଇ ସାରିଥିବା ଯେ କେହି ସ୍ୱୀକାର କରିବ ।
ଜୁଲାଇ ୫ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଂଗ ବଜେଟ ଉପସ୍ଥାପନ କରିବା ପରେ ଏହି ‘ପେଶାଦାର ନିରାଶାବାଦ’ ଅଭିଯୋଗ ରୂପ ନେଇଛି । କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ବିଗତ ୭୦ ବର୍ଷରେ ଦେଶର ଅର୍ଥନୀତି ଏକ ଲକ୍ଷ କୋଟିରେ ପହଂଚି ଥିବା ବେଳେ ୨୦୧୪ରୁ ୨୦୧୯ ମଧ୍ୟରେ ମୋଦୀ-୧ ସରକାର ତାହାକୁ ୨ ଲକ୍ଷ କୋଟିରେ ପହଂଚାଇଛନ୍ତି । ମୋଦୀ-୨ ସରକାର ଆସନ୍ତା ପାଂଚ ବର୍ଷରେ ସେଥିରେ ଆଉ ୩ ଲକ୍ଷ କୋଟି ଟଙ୍କାର ଅର୍ଥନୀତି ଯୋଡି ଦେଶକୁ ପାଂଚ ଲକ୍ଷ କୋଟିର ଅର୍ଥନୀତିରେ ପହଂଚାଇବାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏହା ଏକ ପ୍ରଗତିଶୀଳ ଅଭିମୁଖ୍ୟ । ଏହି ଲକ୍ଷ୍ୟ ହାସଲ ଦିଗରେ ସରକାର କାମ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ କହିଥିବା ବେଳେ ଏଥି ପାଇଁ ଉପସ୍ଥାପିତ ପ୍ରଥମ ଆର୍ଥିକ ବର୍ଷର ବଜେଟରେ ଆବଶ୍ୟକ କାର୍ଯ୍ୟସୂଚୀ ଦେଖିବାକୁ ମିଳି ନାହିଁ ବୋଲି ବହୁ ଅର୍ଥନୀତି ବିଶାରଦ ଯୁକ୍ତି ଦର୍ଶାଇଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ପାଂଚ ଲକ୍ଷ କୋଟିର ଅର୍ଥନୀତି ସ୍ୱପ୍ନକୁ ସହଜରେ ଗ୍ରହଣ କରି ପାରୁ ନଥିବା ଗଲା କିଛି ଦିନ ହେଲା ଚାଲିଥିବା ଆଲୋଚନା, ସମାଲୋଚନାରୁ ସ୍ପଷ୍ଟ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତି ହେଉଛି, ୨୦୨୪ ଶେଷ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟିରେ ପହଂଚାଇବାକୁ ତାଙ୍କ ସରକାର ଦେଖୁଥିବା ସ୍ୱପ୍ନ ବାସ୍ତବ ରୂପ ନେବା କଠିନ ହୋଇ ପାରେ, କିନ୍ତୁ ‘ଅବାସ୍ତବ’ ନୁହେଁ । ଯେଉଁମାନେ ଏହାକୁ ‘ଅବାସ୍ତବ’ କହୁଛନ୍ତି ସେମାନେ ହେଉଛନ୍ତି ‘ନିରାଶାବାଦୀ’ । ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ସେମାନେ ଆଲୋଚନା, ସମାଲୋଚନା କରିଥା’ନ୍ତି । । ଏହି ‘ପେଶାଦାର ନିରାଶାବାଦୀ’ମାନେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ । ସାଧାରଣ ଲୋକମାନେ ସମସ୍ୟାର ସମାଧାନ ପାଇଁ ଅନ୍ୟକୁ ସହାୟତା କରନ୍ତି । କିନ୍ତୁ, ‘ପେଶାଦାର ନିରାଶାବାଦୀ’ ସମସ୍ୟାର ସମାଧାନ ପାଇଁ ପରାମର୍ଶ ନେବାକୁ ଗଲେ ତାହାକୁ ଅଧିକ ଜଟିଳ କରିଥା’ନ୍ତି । ଲକ୍ଷ୍ୟ ସାଧନର ବାଟ ଯେତେ ଜଟିଳ ହୋଇଥାଉ ନା କାହିଁକି ତାହା ହାସଲ କରିବା ପାଇଁ ବାଟ ବାହାର ନ କରି ତାହାକୁ ‘ଅସମ୍ଭବ’ କହିବା ଏକ ନକାରାତ୍ମକ ବିଚାରଧାରା । ତେଣୁ, ଏହି ଲକ୍ଷ୍ୟ ହାସଲ ହେବା ‘ଅସମ୍ଭବ’ ବୋଲି ଯେଉଁମାନେ କହୁଛନ୍ତି ସେମାନେ ଇଂରାଜୀ କହୁଥିବା ଶିକ୍ଷିତ ଓ ଆର୍ମଚେୟାର ପଣ୍ଡିତ । ସରକାର ଏହି ‘ଖାନ୍ ମାର୍କେଟ୍ ଗ୍ୟାଙ୍ଗ୍’ର ପରାମର୍ଶ ନେବା ଆବଶ୍ୟକ ମନେ କରୁ ନାହାନ୍ତି । ଦଳର କର୍ମୀମାନେ ଲୋକଙ୍କ ନିକଟରେ ପହଂଚି ସରକାରଙ୍କ ଦୃଢ ମାନସିକାତା ସଂପର୍କରେ ସଚେତନତା ସୃଷ୍ଟି କରନ୍ତୁ ବୋଲି ନିକଟରେ ବାରାଣସୀଠାରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ମୋଦୀ-୨ ସରକାର ସଂସଦରେ ଉପସ୍ଥାପନ କରି ଥିବା ପ୍ରଥମ ବଜେଟରେ ନୂଆ କିଛି ନାହିଁ । ବିକାଶର ଚିଠା ବଦଳରେ ଗରିବ, ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ବଢିଛି । ଆୟକର ଛାଡ ସୀମା ଅପରିବର୍ତିତ ଥିଲେ ମଧ୍ୟ ପେଟ୍ରୋଲ, ଡ଼ିଜେଲ ଉପରେ ବିଭିନ୍ନ ଶୁଳ୍କ ବଢାଇ ସରକାର ଦରବୃଦ୍ଧିର ବାଟ ଖୋଲିଛନ୍ତି । ସୀଥାରମଣଙ୍କ ବଜେଟ ଆୟ, ବ୍ୟୟର ହିସାବ ନ ହୋଇ ‘ନିତିଗତ ଦସ୍ତିବଜ’ ହୋଇଯାଇଛି ବୋଲି ବିଶେଷଜ୍ଞମାନେ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଂଚ ବର୍ଷରେ ଦେଶକୁ ୫ ଟ୍ରିଲିୟନ ଡ଼ଲାର ବା ୫ ଲକ୍ଷ କୋଟି ଟଙ୍କାର ଅର୍ଥନୀତିରେ ପରିଣତ କରିବାର ଅଭିଳାଷକୁ ଗ୍ରହଣ କରି ପାରୁ ନ ଥିବାରୁ ସେମାନଙ୍କ ମୁହଁ ବନ୍ଦ କରିବା ସକାଶେ ‘ନିରାଶାବାଦ’ର ଥିଓରୀ ଆରମ୍ଭ କରିଥିବା ଅନୁମାନ କରାଯାଉଛି । ମୋଦୀ-୧ ସରକାରରେ ଅର୍ଥ ମନ୍ତ୍ରୀ ଥିବା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ନିଜେ ତାଙ୍କ ଫେସ୍ ବୁକ୍ ପୋଷ୍ଟରେ ସୀଥାରମଣଙ୍କ ପ୍ରଥମ ବଜେଟକୁ ‘ନୀତିଗତ ଦସ୍ତବିଜ୍’ କହି ପରୋକ୍ଷ ସମାଲୋଚନା କରିଥିବା ନିକଟରେ ସମ୍ବାଦପତ୍ରରେ ପ୍ରକାଶ ପାଇଛି ।
ସୀଥାରମଣଙ୍କ ବଜେଟ ଚାଷି, ଯୁବକ, ମହିଳା ଓ ଗରିବଙ୍କ ପାଇଁ ଉତ୍ସର୍ଗୀତ ଏବଂ ଏହା ସରକାରଙ୍କ ‘ନୂଆ ଭାରତ’ ସ୍ୱପ୍ନର ମୂଳଦୂଆ ପକାଇବ ବୋଲି ଶାସକ ବିଜେପି ଦାବି କରିବା ସହ ‘ଗାଁ, ଗରିବ ଓ ଚାଷି’ଙ୍କ ପାଇଁ ଏହା ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି କହିଛି । ତେବେ, ବଜେଟରେ ବିଭିନ୍ନ ବିଭାଗ ପାଇଁ ହୋଇ ଥିବା ଅର୍ଥ ବ୍ୟବସ୍ଥାରେ ତାହା ପ୍ରତିଫଳିତ ହେଉ ନାହିଁ ବୋଲି ବିଶେଜେ୍ଞମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ, ଜୁଳାଇ ୫ରେ ସଂସଦରେ ଉପସ୍ଥାପନ ହୋଇ ଥିବା କେନ୍ଦ୍ରୀୟ ବଜେଟ କେବଳ ପ୍ରତିଶ୍ରୁତିର ଏକ ପାହାଡ ହୋଇଛି ସିନା ସେଥିରେ ‘ବିକାଶ’ର ସ୍ପଷ୍ଟ ରୋଡ୍ ମ୍ୟାପ୍ ନାହିଁ । ସରକାର ଭିନ୍ନମତକୁ ‘ନିରାଶାବାଦୀ’ କହି ସମାଲୋଚନା କରିବା ସହ ବାସ୍ତବତାକୁ ମୁହଁ ମୋଡୁଛନ୍ତି । ସରକାର ଯେଉଁ ସୁନେଲି ସ୍ୱପ୍ନ ବିକୁଛନ୍ତି ସେଥିପାଇଁ ପ୍ରସ୍ତୁତି ଥିବା ଭଳି ମନେ ହେଉ ନାହିଁ । ସରକାର ଅନ୍ୟମାନଙ୍କୁ ‘ନିରାଶାବାଦୀ’ କହୁଛନ୍ତି ସିନା ଦେଶର ଆର୍ଥିକ ସ୍ଥିତିକୁ ନେଇ ନିଜେ ନୈରାଶ୍ୟ ଭିତରେ ରହିଛନ୍ତି ବୋଲି ବିରୋଧୀ ପାଲଟା ସମାଲୋଚନା କରୁଛନ୍ତି । ୨୦୧୯-୨୦ ବଜେଟ ‘ପ୍ରଗତି ଶୀଳ’ ଏବଂ ଦେଶର ଭବିଷ୍ୟତ ବିକାଶକୁ ନେଇ ଏଥିରେ ଅନେକ ବଡ ପଦକ୍ଷେପମାନ ରହିଛି ବୋଲି ଶାସକ ଦଳର ପ୍ରଚାର କେବଳ ‘ବନ୍ଦ କୋଠରୀରେ ହାତୀ’ ସଦୃଶ ବୋଲି ଜଣେ ଅର୍ଥନୀତି ବିଶେଷଜ୍ଞ ତଥା ସ୍ତମ୍ଭକାର ସମାଲୋଚନା କରି ଧାନ ଜମିରେ ହାତୀ ପଶିଲେ ଖାଇବା ଅପେକ୍ଷା ବହୁଗୁଣ ଅଧିକ ଫସଲ ନଷ୍ଟ କରିଥାଏ ବୋଲି ସେ ତାଙ୍କ ଲେଖାରେ ଦର୍ଶାଇଛନ୍ତି ।
ଅପରପକ୍ଷରେ, କେନ୍ଦ୍ର ବଜେଟକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆଲୋଚନାର ଆବଶ୍ୟକତା ରଖୁଛି । ଏହି ବଜେଟ କେନ୍ଦ୍ର ସରକାରଙ୍କ ମଧ୍ୟମ ଓ ଦୀର୍ଘକାଳୀନ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି, ଯାହା କି ଦେଶ ପାଇଁ ଭଲ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଅର୍ଥବରାଦ ମଧ୍ୟ ଜରୁରୀ କହି କଟାକ୍ଷ କରିଛନ୍ତି । ସେହିଭଳି, ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, କୌଶଳ ବିକାଶ, ପାନୀୟ ଜଳ, ଜୀବିକା ମିଶନ ଏବଂ ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ଅଧିକ ଅର୍ଥବରାଦ ହୋଇଥିବା ବେଳେ ମ-ନରେଗା ସମେତ ଅନ୍ୟ କେତେକ କ୍ଷେତ୍ରରେ ବ୍ୟୟବରାଦ କମି ଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି । ରେଳବାଇ ପ୍ରକଳ୍ପଗୁଡିକ ପାଇଁ ବଜେଟରେ ଅଧିକ ଅର୍ଥ ବରାଦ ହୋଇ ଥିବାରୁ ଓଡ଼ିଶାକୁ ଲାଭ ମିଳିବ । ତେବେ, ବଜେଟରେ ଜାତୀୟ ରାଜପଥ ବିସ୍ତାର ପାଇଁ ବ୍ୟୟବରାଦ କମି ଥିବାରୁ ଆନ୍ତଃ-ରାଜ୍ୟ ସଡ଼କ ସଂଯୋଗୀକରଣ ଉପରେ ପ୍ରତିକୂଳ ପ୍ରଭାବ ରହିବ ବୋଲି ସେ ଚେତାଇ ଦେଇଛନ୍ତି । ପିଏମଜିଏସୱାଇରେ ଗ୍ରାମାଂଚଳ ରାସ୍ତା ସଂଯୋଗ, ପିଏମଏୱାଇରେ ଗୃହ ନିର୍ମାଣ ଏବଂ ସ୍ୱଚ୍ଛ ଭାରତ ମିଶନକୁ କେନ୍ଦ୍ର ବଜେଟରେ ପ୍ରାଧାନ୍ୟ ଦିଆଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ବେଳେ ଏଥି ସକାଶେ ମଧ୍ୟ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ବରାଦ କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାର ‘କାଳିଆ’ ଯୋଜନାର ଉକ୍ରର୍ଷତା ପ୍ରତିପାଦନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାରେ ରାଜ୍ୟର ଚାଷିଙ୍କୁ ଯେଭଳି ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ହୋଇଛି ପିଏମ୍-କିଷାନ ଯୋଜନାରେ ମଧ୍ୟ ସମାନ ବ୍ୟବସ୍ଥା କରିବା ସକାଶେ ବଜେଟରେ ଅଧିକ ଅର୍ଥ ବରାଦ କରିବାକୁ ଏବଂ କେନ୍ଦ୍ରୀୟ ଯୋଜନାରେ ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷିଙ୍କୁ ମଧ୍ୟ ସାମିଲ କରାଯିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଲାଗୁ କରି ନିଜର ଆୟ ବଢାଇବାର ବ୍ୟବସ୍ଥା କରିଥିବା ବେଳେ ଟିକସ ବାବଦରେ ମିଳିବାକୁ ଥିବା ଅର୍ଥରୁ ରାଜ୍ୟଙ୍କୁ ଭାଗ ଦେବାରେ କାର୍ପଣ୍ୟ ଦେଖାଇ ଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପ୍ରତିକ୍ରିୟା କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ବୋଲି ସମାଲୋଚନା ହେଉ ଥିଲେ ମଧ୍ୟ ବାସ୍ତବରେ ସେଥିରେ ତାଙ୍କ ରାଜନୈତିକ ପରିପକ୍ୱତା ପ୍ରତିଫଳିତ ହୋଇଛି । ସେଥିରେ ପ୍ରଶଂସା ଓ ସମାଲୋଚନାରେ ଭାରସାମ୍ୟ ରକ୍ଷା କରାଯାଇଛି । କେନ୍ଦ୍ର ସହ ଓଡ଼ିଶା ସରକାରଙ୍କ ପରିବର୍ତିତ ରାଜନୈତିକ ସଂପର୍କ ଏଥିରେ ପ୍ରତିଫଳିତ ହୋଇଛି । ମୋଦୀ-୧ ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଓ ଜିଏସଟି ଲାଗୁ ବ୍ୟବସ୍ଥାକୁ ସମର୍ଥନ କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ନକାରାତ୍ମକ ନୀତି ଏବଂ ପେଟ୍ରୋଲ, ଡ଼ିଜେଲର ମୂଲ୍ୟବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ନୀରବତା ଓଡ଼ିଶାବାସୀଙ୍କୁ ବିସ୍ମିତ କରିଛି । ତେବେ, ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇ ବିଜେଡ଼ି ମୁଖ୍ୟ ଆଗରୁ ବିଜେପି ସହ ପରିବର୍ତିତ ସଂପର୍କକୁ ଖୁଲାସା କରିସାରି ଥିବାରୁ ରାଜ୍ୟ ସରକାରଙ୍କ ନୀରବତା ଆଉ ରହସ୍ୟ ନୁହେଁ । ଅପରପକ୍ଷରେ, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବଜେଟ ପ୍ରତିକ୍ରିୟାରେ ଆନ୍ଧ୍ରବାସୀଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରିଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ପୁନର୍ଗଠନ ସମୟରେ କେନ୍ଦ୍ର ସରକାର ଆନ୍ଧ୍ରବାସୀଙ୍କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ପ୍ରତିଶ୍ରୁତି ଦେଇଥିଳେ । କିନ୍ତୁ, ସୀତାରମଣଙ୍କ ବଜେଟରେ ତାହାର ଝଲକ ନାହିଁ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀ ଓ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଜେଟକୁ ‘ନାରାଶାଜନକ’ କହି ପେଟ୍ରୋଲ, ଡ଼ିଜେଲ ଉପରେ ସରକାର ଲାଗୁ କରିଥିବା ସେସ୍ ଓ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଅପରିଣାଦର୍ଶୀ ବୋଲି କହିଛନ୍ତି । ସଂସଦରେ ବଜେଟ ଉପସ୍ଥାପନ ହେବା ପରେ ପେଟ୍ରୋଲର ଲିଟର ପିଛା ଦର ୨ ଟଙ୍କା ୫୦ ପଇସାରୁ ୩ ଟଙ୍କା ପର୍ଯ୍ୟନ୍ତ ଓ ଡ଼ିଜେଲର ଲିଟର ପିଛା ଦର ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ଏନଡ଼ିଏ ଅଂଶୀଦାର ଜେଡ଼ିୟୁ ମୁଖ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରେଳ ବ୍ୟୟବରାଦକୁ ନେଇ କଟାକ୍ଷ କରିଥିବା ବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥ (ଏମପି), ଅମରିନ୍ଦର ସିଂହ (ପଂଜାବ), ଅଶୋକ ଗେହେଲଟ୍ (ରାଜସ୍ଥାନ), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (ଟିଆରଏସ୍), କେରଳ ମୁଖ୍ୟମନ୍ତ୍ରୀ ପିନରାୟା ବିଜୟନ (ସିପିଆଇ) ପ୍ରମୁଖ ଏହି ବଜେଟ ସାଧାରଣ ଜନତା ଉପରେ ବୋଝ ହେବାକୁ ଯାଉଛି ବୋଲି ଚେତାଇ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକସ ବାବଦରେ ଆଦାୟ ହେବାକୁ ଥିବା ଅର୍ଥରୁ ରାଜ୍ୟକୁ ମିଳୁ ଥିବା ଭାଗ କମିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଏଭଳି କିଛି କହିବା ରାଜ୍ୟବାସୀ ଆଶା କରୁଥିଲେ ।
ଶଙ୍କର ଆୟାରଙ୍କ ଭଳି ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ୨୦୧୯-୨୦ ବଜେଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଦୈନିକ ୫, ୭୦୫ କୋଟି ଟଙ୍କା ଆୟ କରୁଥିବା ବେଳେ ବ୍ୟୟ ହିସାବ ୭, ୬୩୩ କୋଟି ଟଙ୍କା ରହିଛି । ଆୟ-ବ୍ୟୟ ମଧ୍ୟରେ ୧,୯୨୮ କୋଟି ଟଙ୍କା ପାର୍ଥକ୍ୟ, ଯାହାକି ଋଣରୁ ଭରଣା ହେବ । ସରକାରଙ୍କ ବ୍ୟୟ ସୂଚୀର ସର୍ବାଗ୍ରେ ଋଣ ବାବଦ ସୁଧ ପ୍ରଦାନ ରହି ଥିବାରୁ କେନ୍ଦ୍ର ସରକାର ଯାହା ଆୟ କରିବେ ତାହାର ପାଖାପାଖି ଏକ ତୃତୀୟାଂଶ ଋଣ ପରିଶୋଧରେ ଚାଲି ଯିବ । ତେଣୁ, ଦେଶର ଅର୍ଥନୈତିକ ଅଭିବୃଦ୍ଧ ହେବ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିଥିବା ୨୭ ଲକ୍ଷ ୮୬ ହଜାର କୋଟି ଟଙ୍କାର ବଜେଟ ଚାଷି, ମହିଳା, ଯୁବକ ଓ ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କୁହାଯାଉଥିବା ବେଳେ ପେଟ୍ରୋଲ, ଡ଼ିଜେଲ ଉପରେ ସଡ଼କ ଏବଂ ଭିତ୍ତିଭୂମି ସେସ୍ ସହ ଅତିରିକ୍ତ ଉତ୍ପାଦନ ଶୁଳ୍କ ଲାଗୁ କରି କାହାର ସେବା କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ସୀମା ଶୁଳ୍କ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବୃଦ୍ଧି କରାଯିବା ଏବଂ ବଜେଟରେ ଗୃହ ନିର୍ମାଣକୁ ପ୍ରୋତ୍ସାହନ ଦିଆଯାଇଥିବା କୁହାଯାଉଥିବା ବେଳେ ସରକାର ନିର୍ମାଣ ସାମଗ୍ରୀର ମୂଲ୍ୟବୃଦ୍ଧି କରି ସାଧାରଣ ଲୋକଙ୍କୁ କିପରି ସହାୟତା କରିଛନ୍ତି ବୋଲି ମଧ୍ୟ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି ।
ଆଜିର ଦିନରେ ପେଟ୍ରୋଲ, ଡ଼ିଜେଲ ଉପରେ ସମସ୍ତେ ନିର୍ଭରଶୀଳ । ଧନୀ, ଗରିବ ନିର୍ବିଶେଷରେ ସୁନା ଭାରତୀୟ ସମାଜର ଏକ ବଡ ଦୁର୍ବଳତା ହୋଇ ରହିଛି । କାଣିଚାଏ ସୁନା ବିନା ଆର୍ଥିକ ଅସ୍ୱଚ୍ଛଳ ପରିବାରରେ ବି ଝିଅ, ପୁଅ ବାହାଘର ହେଉ ନାହିଁ । ପେଟ୍ରୋଲ, ଡ଼ିଜେଲ, ସୁନାର ଦର ଆନ୍ତର୍ଜାତିକ ବଜାର ଦ୍ୱାରା ନିୟନ୍ତ୍ରିତ, ଏଥିରେ କାହାରି ଦ୍ୱିମତ ନାହିଁ । କିନ୍ତୁ, କେନ୍ଦ୍ର ସରକାର ବୋଝ ଉପରେ ନଳିତା ସଦୃଶ ସୀମା ଶୁଳ୍କ ବଢାଇ ଗରିବ ଲୋକଙ୍କ ପାଇଁ ତାହା ଅପହଂଚ ରଖିବା କି ପ୍ରକାର ମାନସିକତା ! ସେହିଭଳି, ଉଦ୍ୟୋଗ କ୍ଷେତ୍ରରେ ବିଦେଶୀ ପୁଂଜିଲଗାଣକୁ ପ୍ରୋତ୍ସାହନର ବ୍ୟବସ୍ଥା ହୋଇଛି ସିନା ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ରୋଡ୍ ମ୍ୟାପ୍ ନାହିଁ । ମହିଳାଙ୍କ ସହଭାଗିତା ବିନା ବଜେଟ ଅଧୁରା ବୋଲି ଅର୍ଥ ମନ୍ତ୍ରୀ ସୀଥାରମଣ କହି ଥିବା ବେଳେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବଜେଟରେ ସେଭଳି କିଛି ଆଖିଦୃଶିଆ ପ୍ରାବଧାନ ନାହିଁ । ଚାଷିଙ୍କ ଆୟ ଦୁଇ ଗୁଣ ବଢାଇବାକୁ ମୋଦୀ ସରକାର ବାରମ୍ବାର ଘୋଷଣା କରୁଥିବା ବେଳେ ବଜେଟରେ ଆୟ ବଢିବାର କିଛି ଯୋଜନା ନାହିଁ । ଅପରପକ୍ଷରେ, ଚାଷିଙ୍କୁ କିଛିଟା ଆର୍ଥିକ ପ୍ରୋତ୍ସାହନ ଦେଇ କାମ ଚଳାଇ ନେବାକୁ ବଜେଟରେ ଅର୍ଥ ବରାଦ ହୋଇଛି । ଏମଏସପି ବା ଚାଷିଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପାଇଁ ଚାଷି ସଂଗଠନ ଓ ବିଭିନ୍ନ ରାଜ୍ୟର ସରକାର ଦାବି କରୁଥିବା ବେଳେ କେନ୍ଦ୍ର ସରକାର ସେଥି ପ୍ରତି ଧ୍ୟାନ ନ ଦେଇ କୁଇଂଟାଲ ପିଛା ଏମଏସପି ଯାହା ବଢାଇଛନ୍ତି (ସାଧାରଣ ଧାନର ସହାୟକ ମୂଲ୍ୟ ମାତ୍ର ୬୫ ଟଙ୍କା ବୃଦ୍ଧି କରାଯାଇଛି) ତାହା ଚାଷି ପରିବାରର ପେଟ ପୁରିବାରେ ସହାୟକ ନୁହେଁ । ଏଭଳି ପରିସ୍ଥିତିରେ ବଜେଟକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେବା ‘ପେଶାଦାର ନିରାଶାବାଦ’ ବୋଲି ପ୍ରଧାନମନ୍ତ୍ରୀ ପାଲଟା ଆକ୍ରମଣ କରିବା ମାତ୍ରାଧିକ ଜନସମର୍ଥନର ଆତ୍ମବଡ଼ିମା ହିଁ କୁହାଯିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS