ଅନୁକଂପା ଆଶାରେ ବିଜୟ ଓ ସାବିତ୍ରୀ, ୨୫ରେ ଜଣାପଡିବ ପାଟକୁରାବାସୀଙ୍କ ଅନ୍ତର କଥା
– ପ୍ରସାଦ ରାଓ –
ଜୁଲାଇ ୧୧ ତାରିଖ
ବହୁ ପ୍ରତିକ୍ଷୀତ ପାଟକୁରା ବିଧାନସଭା ଉପ ନିର୍ବାଚନ ଜୁଲାଇ ୨୦ରେ ହେବାକୁ ଯାଉଛି । ୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାରଙ୍କ ସହ ରାଜ୍ୟ ସରକାରଙ୍କ ସଂପର୍କ ବନ୍ଧୁତ୍ୱପୂର୍ଣ୍ଣ ହୋଇଥିବା ସତ୍ୱେ ପାଟକୁରା ଉପ ନିର୍ବାଚନ ବିଜେଡ଼ି-ବିଜେପି ମଧ୍ୟରେ ଲଢେଇର ମଇଦାନ ହେବାକୁ ଯାଉଥିବା ଦୁଇ ଦଳର ପ୍ରସ୍ତୁତିରୁ ସୂଚନା ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ବିଜେଡ଼ିର ବିଜୟ ପାଇଁ ଦଳର ବଛାବଛା ଯୁବ ନେତା ଓ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇ ଘନ ଘନ ସମୀକ୍ଷା ବୈଠକ କରୁଥିବା ବେଳେ ବିଜେପି ପୁଣି ଥରେ ଗଣମାଧ୍ୟମରେ ନବୀନ-ବିରୋଧୀ ସମାଲୋଚନାକୁ ଶାଣିତ କରିଛି । ୨୦ ବର୍ଷ ହେଲା କ୍ଷମତାସୀନ ଥିବା ନବୀନ ସରକାର ଯଦି ରାଜ୍ୟ ପାଇଁ ବାସ୍ତବରେ କିଛି ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ପାଟକୁରା ଉପ ନିର୍ବାଚନକୁ ନେଇ ଏତେ ଛାନିଆ କାହିଁକି (?) ବୋଲି ରାଜ୍ୟ ବିଜେପି ନେତାମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ଅପରପକ୍ଷରେ, ଏହି ଉପ ନିର୍ବାଚନରେ ବିଜେଡ଼ିର ବିଜୟ ନିଶ୍ଚିତ ବୋଲି ବିଜେଡ଼ିର ଟାଣୁଆ ନେତାମାନେ ବାହାସ୍ପୋଟ ମାରିବାକୁ ପଛାଉ ନାହାନ୍ତି । ତେବେ, ବିଜେଡ଼ିର ପ୍ରମୁଖ ମୁଖପାତ୍ର ସସ୍ମିତ ପାତ୍ର ଇତିମଧ୍ୟରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଦିଲ୍ଲୀ ଚାଲି ଯାଇ ଥିବାରୁ ଦୁଇ ଦଳର ମୁଖପାତ୍ରଙ୍କ ଲଢେଇରେ ତାଙ୍କ ଅନୁପସ୍ଥିତି ବାରି ହୋଇଯାଉଛି ।
ଏହି ଉପ ନିର୍ବାଚନରେ ବିଜେଡ଼ି ଦଳର ଦିବଙ୍ଗତ ନେତା ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରି ଥିବା ବେଳେ ବିଜେପିରୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ୧୯ ବର୍ଷର ଶତ୍ରୁ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର । ୨୦୦୦ ନିର୍ବାଚନରେ ବିଜୟଙ୍କୁ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ କରି ନବୀନ ଶେଷ ମୂହୁର୍ତରେ ଟିକଟ ଛଡାଇ ନେଇଥିଲେ । ପରବର୍ତୀ ୧୯ ବର୍ଷ ହେଲା ସେ ବିଜୟଙ୍କୁ ବିଧାନସଭା ବାହାରେ ହିଁ ରଖିଛନ୍ତି । ଏଥର ମଧ୍ୟ ବିଜୟ ପରାଜିତ ହେବା ମୁଖ୍ୟମନ୍ତ୍ରୀ ଚାହାନ୍ତି । ତେଣୁ, ଦଳର ୩୦ରୁ ଅଧିକ ବଛାବଛା ନେତାଙ୍କୁ ପାଟକୁରାରେ ଠୁଳ କରି ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିଜୟ ଆଶା କ୍ଷୀଣ କରିବା ବ୍ୟବସ୍ଥା କରିଛନ୍ତି । ଏହାପରେ ମଧ୍ୟ ସେ ନିଜେ ୧୭ ତାରିଖ ଦିନିକିଆ ପାଟକୁରା ଗସ୍ତରେ ଯାଇ ସାବିତ୍ରୀ ପାଇଁ ଭୋଟ ମାଗିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ସାରି ଥିବା ସୂଚନା ମିଳିଛି । ପାଟକୁରା ଉପ ନିର୍ବାଚନ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ଯୁବ ନେତାଙ୍କ ପାଇଁ ପରୀକ୍ଷାର ସମୟ । ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ସମସ୍ତେ ବାଆ, ବର୍ଷାକୁ ଖାତିରି ନ କରି ପ୍ରଚାରରେ ମାତି ଥିବା ଖବର ଆସୁଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ପଛରେ ନାହାନ୍ତି । ‘ପାଟକୁରାର ପୁଅ’ ବୋଲି ନିଜର ପରିଚୟକୁ ଉଜାଗର କରି ସେ ପ୍ରଚାର ଅଭିଯାନକୁ ସକ୍ରିୟ କରିଛନ୍ତି । ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରୁଥିବା ସୂଚନା ମିଳିଛି । ଭୁବନେଶ୍ୱର ସାଂସଦ (ବିଜେପି) ପୂର୍ବତନ ଆଇଏସ ଅପରାଜିତା ଷଡଙ୍ଗୀ ତାରିଖ ଘୋଷଣା ପୂର୍ବରୁ ବିଜୟଙ୍କ ପ୍ରଚାରର ମୁଣ୍ଡି ମାରିଛନ୍ତି ।
ପାଟକୁରାରେ ବିଜେଡ଼ି-ବିଜେପିର ଏହି ହାଇ-ପ୍ରୋଫାଇଲ୍ ଲଢେଇରେ କଂଗ୍ରେସ ଅବସ୍ଥା କଣ ହେବ ତାହା ସମସ୍ତେ ଜାଣନ୍ତି । ତେବେ, କଂଗ୍ରେସ ନେତାଏ ମାହୋଲକୁ ହାଲକା କରିବା ପାଇଁ ବିଜେଡ଼ି-ବିଜେପି ‘ମ୍ୟାଚ୍ ଫିକ୍ସିଂ’ରେ ଏହି ଲଢେଇ ଲଢୁଥିବା କହି ନିଜର ଦୁର୍ବଳତା ଲୁଚାଇବା ଉଦ୍ୟମ କରୁଛନ୍ତି । ମ୍ୟାଚ୍ ଫିକ୍ସିଂରୁ କଂଗ୍ରେସ ଫାଇଦା ପାଇବ ବୋଲି ସୁର-ତାରାଙ୍କ ଭଳି କଂଗ୍ରେସ ନେତମାନେ ଦାବି କରୁଥିବା ବେଳେ ରାଜ୍ୟରେ କଂଗ୍ରେସର ଯାହା ସ୍ଥିତି ସେଥିରେ ଉପ ନିର୍ବାଚନରେ ଦଳର ବିଜୟକୁ ନେଇ କଳନା କରିବା ଦିବାସ୍ୱପ୍ନ ମନେ ହେଉଛି । ତଥାପି, ପିସିସି ସଭାପତି ପଦରୁ ଇସ୍ତଫା ଦେଇ ସାରି ଥିବା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାରରେ ବାହାରି ଥିବା ଜଣାପଡିଛି । ପିସିସିର ଅନ୍ୟ କେହି କର୍ମକର୍ତା ଏଥିରେ ସାମିଲ ହେବେ କି ନାହିଁ ସେ ନେଇ ପଟ୍ଟନାୟକ ନିର୍ଦ୍ଧିଷ୍ଟ ଭାବେ କିଛି କହି ନାହାନ୍ତି । ଏଆଇସିସି ତାଙ୍କ ଇସ୍ତଫା ଗ୍ରହଣ କରି ନ ଥିବାରୁ ଓ ପାଟକୁରାରେ ପ୍ରଚାର ପାଇଁ ନିର୍ଦେଶ ଆସିଥିବାରୁ ସେ ପ୍ରଚାରର ମଂଗ ଧରିବେ ବୋଲି ବୁଧବାର ଦିନ ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି । ନିର୍ବାଚନ ମଇଦାନରେ ତିନି ଦଳର ସକ୍ରିୟତା ଦେଖିଲେ ତ୍ରିମୁଖୀ ଲଢେଇର ସୂଚନା ମିଳୁଛି । ତେବେ, କଂଗ୍ରେସକୁ କେହି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ନ ନେଇ ଦଳର ଦୁର୍ବଳ ସ୍ଥିତିରୁ କିଏ ଫାଇଦା ପାଇବ, ତାହା ଆକଳନ କରୁଛନ୍ତି ।
୨୦୧୯ ଏପ୍ରିଲରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡ଼ି ରାଜ୍ୟ ବିଧାନସଭାର ୧୪୭ ଆସନରୁ ୧୧୨ ଆସନ ପାଇ ନିଜର ଗାରିବା ବଜାୟ ରଖି ଥିବା ବେଳେ ବିଜେପି ୧୦ (୨୦୧୪)ରୁ ୨୩ (୨୦୧୯)କୁ ଉନ୍ନିତ ହୋଇ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ରହିଛି । ଅପରପକ୍ଷରେ, ବିଦାନସଭାରେ କଂଗ୍ରେସର ବିଧାୟକ ସଂଖ୍ୟା ୧୬ (୨୦୧୪)ରୁ ୯ (୨୦୧୯)କୁ ଖସିଛି । ରାଜ୍ୟରେ କଂଗ୍ରେସର ସ୍ଥିତି କଣ ଏଥିରୁ ଅନୁମାନ କରି ହେଉଛି । ସେହିଭଳି, ବିଜେପିରେ ବିଜୟ-ବିରୋଧୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଉପନିର୍ବାଚନରେ ସେମାନେ ବିଜେପି ପାଇଁ ପ୍ରଚାର କରୁଥିବା କହୁଥିଲେ ମଧ୍ୟ ଭିତିରି କାହାକୁ ସାହାଯ୍ୟ କରିବେ ସେ ନେଇ ସମସ୍ତେ ଆଶା ଓ ଆଶଂକାରେ । ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟି ଏହି ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ତାଙ୍କ ବିଧବା ପତ୍ନୀଙ୍କୁ ବିଜେଡ଼ି ପ୍ରାର୍ଥୀ କରି ଅନୁକଂପା ସାଉଁଟିବାକୁ ପ୍ରୟାସ କରୁଥିବା ବେଳେ ୧୯ ବର୍ଷ ଧରି ହନ୍ତସନ୍ତ ହେଉଥିବା ବିଜୟ ମହାପାତ୍ର ବିଜେପ ପ୍ରାର୍ଥୀ ଭାବେ ପାଟକୁରା ମଇଦାନରେ ଅଛନ୍ତି । ସେ ମଧ୍ୟ ପାଟକୁରାବାସୀଙ୍କ ଅନୁକଂପା ପାଇବା ଆଶା ରଖିଛନ୍ତି । ଦୁଇ ଆଶାୟୀଙ୍କ ମଧ୍ୟରୁ କାହା ପ୍ରତି ପାଟକୁରାବାସୀଙ୍କ ଅନୁକଂପା ରହିଛି ତାହା ଏହି ଉପ ନିର୍ବାଚନ କହିବ । ୨୫ ତାରିଖ ଭୋଟ ଫଳାଫଳ ଯଦି ବିଜୟଙ୍କ ସପକ୍ଷରେ ଯିବ ବିଜେଡ଼ିର ପ୍ରଚାର ଦାୟିତ୍ୱରେ ଥିବା ମନ୍ତ୍ରୀ ଓ ନେତାଙ୍କ ଅବସ୍ଥା କଣ ହେବ, ତାହା ଅନୁମାନ କରିବା କଷ୍ଟକର ନୁହେଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS