ଏମସିଏଲ୍ ସଂକଟ ଟଳିବ କେବେ ?
– ପ୍ରସାଦ ରାଓ –
ଅଗଷ୍ଟ ୦୩ ତାରିଖ
ଓଡ଼ିଶା: ଅନୁଗୁଳ ଜିଲ୍ଳା ତାଳଚେରରେ ଥିବା ଭରତପୁର କୋଇଲା ଖଣିରେ ଜୁଲାଇ ୨୪ ତାରିଖ ରାତିରେ ମାଟି ଧସି ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏବେ ବି ମାଟି ତଳେ ଆଉ କିଛି ଶବ ଦବି ରହି ଥିବା ଅଂଚଳବାସୀ ସନେ୍ଦହ କରୁଛନ୍ତି । କାରଣ, ଦୁର୍ଘଟଣା ଘଟିଥିବା ଖାଦାନ ଅଂଚଳକୁ ସଂପୂର୍ଣ୍ଣ ସଫା କରାଯାଇ ନାହିଁ । ବିଜେପି ପରେ ଏବେ କଂଗ୍ରେସ ଏମସିଏଲ୍ ଘଟଣାରେ ମୁଣ୍ଡ ପୁରାଇ ଥିବାରୁ ଖଣି ଅଂଚଳ ରାଜନୀତି ଜୋର ଧରିବା ଆଶଙ୍କା ସୃଷ୍ଟି ହୋଇଛି । ତଥାପି, ଅନୁଗୁଳ ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ ଏମସିଏଲର ଅଧିକାରୀ ଓ ସବୁ ପକ୍ଷଙ୍କ ସହ ବସି ଆଲୋଚନା କରିଛନ୍ତି । ତାଳଚେର ଖଣି ଅଂଚଳରେ ଶ୍ରମିକ ଧର୍ମଘଟ ଯୋଗୁ ୧୦ ଦିନ ହେଲା ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ତାହାର ସମାଧାନ ଅଗଷ୍ଟ ୮ ତାରିଖ ସୁଦ୍ଧା ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ରାଜ୍ୟର କିଛି ବଡ ବିଜେପି ନେତା କାଲି ଘୋଷଣା କରିଛନ୍ତି । ୟୁନିୟନ ନେତାମାନେ ମୃତାହତଙ୍କ କ୍ଷତିପୂରଣ ବାବଦକୁ ‘କୋଟି’ରେ ଟଙ୍କା ମାଗୁ ଥିବା ବେଳେ ପ୍ରଶାସନ ଓ ଏମସିଏଲ୍ କର୍ତୃପକ୍ଷ ସେହି ଦାବିକୁ କୋଣକୁ ଠେଲି ଦେଇ କାର୍ଯ୍ୟ ସମୟରେ ଶ୍ରମିକଙ୍କ ପାଇଁ ଥିବା ସୁରକ୍ଷା ବ୍ୟବସ୍ଥାର ଯାଂଚ, ଅସୁରକ୍ଷିତ ଅଂଚଳକୁ ଶ୍ରମିକଙ୍କୁ ନ ପଠାଇବା ପ୍ରଭୃତି ଦାବି ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜୁଲାଇ ୨୪ ତାରିଖ ଦୁର୍ଘଟଣାରେ ମୃତ ଓ ଆହତ କର୍ମଚାରୀଙ୍କ ପରିବାରଙ୍କୁ ମୋଟା ଅଂକର କ୍ଷତିପୂରଣ ଦିଆଯିବା ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ଥିବାରୁ ଏମସିଏଲ୍ ସଂକଟ ଏତେଶୀଘ୍ର ଟଳିବା ଆଶା କ୍ଷୀଣ । ସ୍ଥାନୀୟ ଅଂଚଳବାସୀ ତାଳଚେର କୋଇଲା ଖଣି ଆନ୍ଦୋଳନକୁ ବିଜେପି ହାତରୁ ଏକପ୍ରକାର ଛଡାଇ ନେଇଛନ୍ତି । ବିଜେପି ନେତାମାନେ ଶୁକ୍ରବାର ଆଲୋଚନାରେ ସକ୍ରୀୟ ଥିଲେ ଏବଂ ପ୍ରଶାସନ ଓ ଏମସିଏଲ୍ ର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । କିନ୍ତୁ, ମୋଟା ଅଂକର କ୍ଷତିପୂରଣ ଓ ମୃତାହତଙ୍କ ପରିବାରରୁ ଜଣକୁ ଲେଖାଏଁ ନିଯୁକ୍ତି ଦାବି କରୁଥିବା ଗ୍ରାମବାସୀ କେବଳ ସୁରକ୍ଷା ଯାଂଚ ପ୍ରତିଶ୍ରୁତିରେ କେତେଦୂର ସନ୍ତୁଷ୍ଟ ରହିବେ, ତାହା ଆଜିର ପ୍ରଶ୍ନ ।
ଜୁଲାଇ ୨୪ ତାରିଖ ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ଦୀର୍ଘ ୧୦ ଦିନ କାଳ ତାଳଚେର କୋଲଫିଲ୍ଡରୁ କୋଇଲା ଉତ୍ପାଦନ, ଉତ୍ତୋଳନ ଏବଂ ରେଳ ଓ ସଡ଼କ ପଥରେ ବିଭିନ୍ନ ଅଂଚଳକୁ ପଠାଯିବା କାର୍ଯ୍ୟ ସଂପୂର୍ଣ୍ଣ ବ୍ୟାହତ ହୋଇଛି । ଫଳରେ, ରାଜ୍ୟରେ ଓ ପଡୋଶୀ ଦକ୍ଷିଣୀ ରାଜ୍ୟରେ ବିଦ୍ୟୁତ ଉତ୍ପାଦନକୁ ନେଇ ଘୋର ସଂକଟ ସୃଷ୍ଟି ହୋଇଛି । କୋଇଲା ଓ ବିଦ୍ୟୁତ ଅଭାବରୁ ଶିଳ୍ପ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଭରତପୁର କୋଇଲା ଖାଦାନରେ ଦୁର୍ଘଟଣା ପରେ ତିନି ଦଫା ଦାବି ଉପସ୍ଥାପନ କରି ବିଜେପି ମହାନଦୀ କୋଲଫିଲ୍ଡସ୍ ଲିମିଟେଡ଼ (ଏମସିଏଲ)ର ତାଳଚେର କୋଇଲା ଖାଦାନ ଅଂଚଳରେ ସାତ ଦିନ କାଳ ଅଚଳାବସ୍ଥା ସୃଷ୍ଟି କରିଥିଲା । କୌଣସି କାରଣରୁ ବିଜେପି ବୁଧବାର ଦିନ ଆନ୍ଦୋଳନରୁ ଓହରି ଯିବା ପରେ ଅଂଚଳବାସୀ ଏହି ଆନ୍ଦୋଳନ ହାତକୁ ନେଇ ଶୁକ୍ରବାର ପର୍ଯ୍ୟନ୍ତ ଟାଣିଛନ୍ତି । ପ୍ରଶାସନ ଓ ଏମସିଏଲ ଅଧିକାରୀଙ୍କ ସହ ଶୁକ୍ରବାରର ଆଲୋଚନା ପରେ ପରିସ୍ଥିତି ସୁଧୁରିବ ବୋଲି ବିଜେପି ନେତାମାନେ ଆଶା କରୁଥିବା ବେଳେ କ୍ଷତିପୂରଣକୁ ନେଇ ଥିବା ‘କେଁ’ ତୁଟିି ନ ଥିବାରୁ ଅନିଶ୍ଚିତତା ଲାଗି ରହିଛି ।
ଦଶ ଦିନ ହେଲା ତାଳଚେର କୋଲଫିଲ୍ଡସ୍ ରୁ କୋଇଲା ଉତ୍ପାଦନ, ଉତ୍ତୋଳନ ଓ ବିଭିନ୍ନ ଅଂଚଳକୁ ପଠା ଯିବା କାର୍ଯ୍ୟ ଠପ୍ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡିକ ଘୋର ସଂକଟ ଦେଇ ଗତି କରୁଛନ୍ତି । ଓଡ଼ିଶା ସମେତ ୧୦ଟି ରାଜ୍ୟ କୋଇଲା ଅଭାବରୁ ବିଦ୍ୟୁତ ଉତ୍ପାଦନ ନେଇ ସଂକଟରେ ଥିବା ଜଣାପଡିଛି । ଏହି ଅଚଳାବସ୍ଥା ସୃଷ୍ଟି ହେବାର ନଅ ଦିନ ପରେ ସବୁ କିଛି ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାର ରହସ୍ୟ କଣ ଜଣାପଡୁନାହିଁ । ଅନୁଗୁଳ ଜିଲ୍ଲା ପ୍ରଶାସନ ଏମସିଏଲ୍ ସହ ଆଲୋଚନା କରି ଏକ ସମାଧାନ ପନ୍ଥା ବାହାର କରିବାକୁ ଆନ୍ଦୋଳନରେ ଥିବା ଶ୍ରମିକ ସଂଗଠନ ଓ ଗ୍ରାମବାସୀ ଦାବି କରିଆସୁଥିଲେ । କେନ୍ଦ୍ରରେ ବିଜେପି ସରକାର ଥାଇ ରାଜ୍ୟର ବିଜେପି ନେତାମାନେ ଏମସିଏଲ୍ ର କୋଇଲା ଉତ୍ପାଦନରେ ସାତ ଦିନ କାଳ ଅଚଳାବସ୍ଥା ସୃଷ୍ଟି କରିଥିଲେ । ରାଜ୍ୟ ବିଜେଡ଼ି ସରକାର ‘କେଉଁ ପାଣି କୁଆଡକୁ ଯାଉଛି ଦେଖିବା’ ନ୍ୟାୟରେ ନୀରବ ରହି ସଂକଟ ବଢାଇ ଥିଲେ । ଏବେ ବି ସଂକଟ ତୁଟି ନାହିଁ । କେବଳ ଅଚଳାବସ୍ଥାରୁ ଏମସିଏଲ୍ କୁ ମୁକୁଳାଇବା ପାଇଁ ଅନୁଗୁଳ ପ୍ରଶାସନ ପକ୍ଷରୁ ଏକ ‘ତାଳିପକା’ କାମ ହୋଇଛି । ଥରେ ଆନ୍ଦୋଳନ ଭାଂଗି ଗଲେ ସବୁ କିଛି ଗଡାଇ ନେଇ ହେବ, ଏଭଳି ଏକ ବିଚାରଧାରା ଶୁକ୍ରବାର ବୈଠକ ପରେ ପରିଲକ୍ଷିତ ହୋଇ ଥିବା ଜିଲ୍ଲା ପ୍ରଶାସନ, ଏମସିଏଲ୍ କର୍ତୃପକ୍ଷ ଓ ଟ୍ରେଡ୍ ୟୁନିୟନ ନେତାଙ୍କ ବିବୃତି ଓ ହାବଭାବରୁ ଜଣାପଡୁଛି ।
ବର୍ଷା ଋତୁରେ ଏମସିଏଲ୍ ତାଳଚେରର କୋଇଲା ଖାଦାନରୁ ଦୈନିକ ହାରାହାରି ୨.୧ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥାଏ । ୧୦ ଦିନର ଶ୍ରମିକ ଧର୍ମଘଟ ଓ ଅଚଳାବସ୍ଥା ଯୋଗୁ କୋଇଲା ଉତ୍ପାଦନ ଓ ଚାଲାଣ କାର୍ଯ୍ୟ ଠପ୍ ହୋଇ ବିଦ୍ୟୁତ ଉତ୍ପାଦନକାରୀ କଂପାନୀଙ୍କୁ କୋଇଲା ଯୋଗାଣ ବାବଦରେ ଦୈନିକ ୨.୪ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଏବଂ ରାଜ୍ୟ ଓ କେନ୍ଦ୍ର ସରକାର ଏବାବଦରେ ୧୩.୮ କୋଟି ଟଙ୍କା ରାଜସ୍ୱ ହରାଇ ଥିବା ସୂଚନା ମିଳିଛି । ଖଣି ଦୁର୍ଘଟଣା ଓ ଶ୍ରମିକ ଆନ୍ଦୋଳନ ଫଳରେ ଗତ ଗୁରୁବାର ସୁଦ୍ଧା କୋଇଲା କଂପାନୀର ଉତ୍ପାଦନ କ୍ଷତି ୧.୩୨ କୋଟି ଟଙ୍କା ହୋଇଥିବା ବେଳେ ୩୩୩.୨୭ ନିୟୁତ ୟୁନିଟ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତାଳଚେର କୋଇଲା ଖାଦାନରୁ ଗୁରୁବାର ସୁଦ୍ଧା ୧୬.୮୪ ଲକ୍ଷ ଟନ୍ କୋଇଲା ଉତ୍ପାଦନ ହୋଇ ନ ପାରି ୧୭୦.୯୬ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ୧୧୦.୬୬ କୋଟି ଟଙ୍କା ରାଜସ୍ୱ ହରାଇ ଥିବା ମଧ୍ୟ ହିସାବ କରାଯାଇଛି । ୧୦ ଦିନ ଧରି କୋଇଲା ଖାଦାନରେ ଅଚଳାବସ୍ଥା ଲାଗି ରହିବାରୁ କୋଇଲା ଉତ୍ପାଦନ ଓ ଉତ୍ତୋଳନ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ସବୁ ଅଚଳ ରହିଛି । ଏମସିଏଲ୍ ର ତାଳଚେର କୋଲଫିଲ୍ଡରେ କାର୍ଯ୍ୟରତ ୧୩,୪୪୭ ସ୍ଥାୟୀ କର୍ମଚାରୀ ନିଜର ଭବିଷ୍ୟତକୁ ନେଇ ଶଂକାରେ ଥିବା ବେଳେ ଖାଦାନରେ କାମ କରୁଥିବା ୭୫୯୧ ଠିକା ଶ୍ରମିକ ଦୈନିକ ମଜୁରୀରୁ ବଂଚିତ ହୋଇ ଆବଶ୍ୟକତା ମେଂଟାଇବାକୁ ସଂଘର୍ଷ କରୁଛନ୍ତି । ଏମସିଏଲର ପାଂଚଟି ଯାକ ଟ୍ରେଡ ୟୁନିୟନ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ମାରକପତ୍ର ଦେଇ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ସରକାର ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଶୁକ୍ରବାର ଜିଲ୍ଳାପାଳ ଏମସିଏଲ୍ କର୍ତୃପକ୍ଷ, ଆନ୍ଦୋଳନକାରୀ ଶ୍ରମିକ ଓ ବିଜେପି ନେତାଙ୍କୁ ଡାକି ଆଲୋଚନା କରି ଅଗଷ୍ଟ ୮ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବିଡମ୍ବନାର ବିଷୟ ହେଉଛି, ବିଜେପି ନେତୃତ୍ୱାଧୀନ ଟ୍ରେଡ଼ ୟୁନିୟନ ମୃତାହତ ଶ୍ରମିକ ପରିବାର ପାଇଁ କ୍ଷତିପୂରଣ ଦାବି ‘କୋଟି’ରେ ରଖି ଥିବା ବେଳେ କଂଗ୍ରେସ ନେତାମାନେ ପ୍ରତ୍ୟେକ ମୃତ ଶ୍ରମିକର ପରିବାରକୁ ୮୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବା ଦାବି କରିଛି । ଏହାଛଡା, ଖଣି ଖାଦାନରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ଯାଂଚ ଦାବିକୁ କଂଗ୍ରେସ ଗୁରୁତ୍ୱ ଦେଇଛି । ତେବେ, ଜୁଲାଇ ୨୪ ଦୁର୍ଘଟଣାରେ କେତେ ମରିଛନ୍ତି ବା ମାଟି ତଳେ ଦବି ରହିଛନ୍ତି ତାହା ଜଣାପଡିନାହିଁ ଦର୍ଶାଇ ଦୁର୍ଘଟଣା ସ୍ଥଳରେ ଜମି ରହିଥିବା ମାଟି ଗଦାରୁ ଅଧିକ ଶବ ଖୋଜା ଯିବାକୁ ଦଳ ଦାବି କରିଛି । ଶୁକ୍ରବାର ଅପରାହ୍ନରେ କଂଗ୍ରେସର ଜଣେ କାର୍ଯ୍ୟକର୍ତା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବିଜେପି ଓ ଶାସକ ବିଜେଡ଼ିର ମଧୁଚନ୍ଦ୍ରିକା ଚାଲି ଥିବାରୁ ୧୦ ଦିନ ହେଲା ରାଜ୍ୟ ସରକାର ଏମସିଏଲ୍ ସମସ୍ୟାର ସମାଧାନ କରୁ ନାହାନ୍ତି ବୋଲି କଂଗ୍ରେସ କହିଛି । ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ତାଳଚେର କୋଲଫିଲ୍ଡସ୍ ରେ ଚାଲି ଥିବା ଶ୍ରମିକ ଆନ୍ଦୋଳନରେ ମୁଣ୍ଡ ପୁରାଇ ଥିବାରୁ ଉଭୟ ବିଜେପି ଓ ବିଜେଡ଼ି ଅଡୁଆରେ ପଡିବା ଆଶଙ୍କା ସୃଷ୍ଟି ହୋଇଛି ।
ତାଳଚେର କୋଇଲା ଖାଦାନରେ ୧୦ ଦିନ ବ୍ୟାପୀ ଶ୍ରମିକ ଆନ୍ଦୋଳନ ଯୋଗୁ ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପ ସଂସ୍ଥାରେ କିଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ତାହା ଅନୁଧ୍ୟାନର ବିଷୟ । ଗତ ଜୁନ ଓ ଜୁଲାଇ ମାସରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ଯୋଗୁ ଜଳଭଣ୍ଡାରଗୁଡିକରେ ଜଳସ୍ତର ହ୍ରାସ ପାଇଛି । ଫଳରେ ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍ ଚାଲିଛି । ଏବେ, ତାଳଚେର କୋଇଲା ଖାଦାନରେ ଯେଉଁ ବିଜେପି ପ୍ରୟୋଜିତ ଶ୍ରମିକ ଆନ୍ଦୋଳନ ଚାଲିଲା ତାହା ତାପଜ ବିଦ୍ୟୁତ ଉତ୍ପାଦନକୁ ପ୍ରଭାବିତ କରିଛି । କୋଇଲା ଅଭାବ ଯୋଗୁ ତାଳଚେରର କଣିହା ସ୍ଥିତ ଏନଟିପିସିର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ଜିଏମଆର ପାୱାର ପ୍ଲାଂଟ, ଜିନ୍ଦଲ ଇଂଡ଼ିଆ ଥର୍ମାଲ ପାୱାର ପ୍ଲାଂଟ (ଜେଆଇଟିପିଏଲ)ସମେତ ଜେଏସପିଏଲ ଓ ‘ନାଲକୋ’ର ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରଭୃତି ପ୍ରଭାବିତ ହୋଇଛନ୍ତି । କୋଇଲା ଉପରେ ନିର୍ଭର କରୁଥିବା ସବୁ ଶିଳ୍ପ ସଂସ୍ଥାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଅଧିକ ଦିନ ଆନ୍ଦୋଳନ ଚାଲିଲେ ବିଦ୍ୟୁତ ଉତ୍ପାଦନକୁ ନେଇ ସଂକଟ ସାଂଘାତିକ ହେବ ଏବଂ ଛୋଟ, ବଡ ଶିଳ୍ପ ସଂସ୍ଥାରେ ଉତ୍ପାଦନ ଠପ୍ ହୋଇଯିବ ବୋଲି ଆଶଙ୍କା ଥିଲା ।
ଏନଟିପିସିର ଦୈନିକ ବିଦ୍ୟୁତ ଉତ୍ପାଦନ କ୍ଷମତା ହେଉଛି ୩୦୦୦ ମେଗାୱାଟ । ଏହି ସଂସ୍ଥା ଓଡ଼ିଶା ସମେତ ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଏ । କୋଇଲା ସଂକଟରୁ ଏନଟିପିସି ତାହାର ଦୈନିକ ୫୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନକ୍ଷମ ୬ଟି ୟୁନିଟରୁ ୩ଟି ବନ୍ଦ ରଖିଛି । ପରିସ୍ଥିତି ନ ସୁଧୁରିଲେ ଆଉ ଗୋଟିଏ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି । ଇବ୍ ଉପତ୍ୟକା, ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ଼, ସିଂଗାରେନି କୋଲ୍ଫିଲ୍ଡରୁ କୋଇଲା ଆଣି ସଂସ୍ଥା ଆଂଶିକ ଭାବେ ଆବଶ୍ୟକତା ମେଂଟାଉଛି । ଏନଟିପିସିର ତିନିଟି ୟୁନିଟକୁ ଚାଲୁ ଅବସ୍ଥାରେ ରଖିବାକୁ ଦିନକୁ ୨୮,୦୦୦ ଟନ୍ କୋଇଲା ଆବଶ୍ୟକ ବୋଲି ଜଣାପଡିଛି । ଦୈନିକ ୩୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ରଖି ଥିବା ଦେଶର ଏହି ଦ୍ୱିତୀୟ ସର୍ବବୃହତ୍ ପାୱାର ପ୍ଲାଂଟର ଉତ୍ପାଦନ ୧୧୦୦ ମେଗାୱାଟକୁ ଖସି ଆସିଛି । ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ର କ୍ଷମତା ହେଉଛି ୪୬୦ ମେଗାୱାଟ । ଜିଏମଆର ପାୱାର ପ୍ଲାଂଟର ଉତ୍ପାଦନ କ୍ଷମତା ୧୦୫୦ ମଗୋୱାଟ । ସେହିଭଳି, ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ପ୍ଲାଂଟ୍ ର ଦୈନିକ ବିଦ୍ୟୁତ ଉତ୍ପାଦନ କ୍ଷମତା ୧୨୦୦ ମେଗାୱାଟ । ଜେଏସପିଏଲ ଓ ‘ନାଲକୋ’ର ନିଜସ୍ୱ କ୍ୟାପଟିଭ୍ ପାୱାର ପ୍ଲାଂଟରୁ ବିଦ୍ୟୁତ ଉତ୍ପାଦନ କରି ନିଜର ଆବଶ୍ୟକତା ମେଂଟାଇବା ସହ ବଳକା ବିଦ୍ୟୁତ ବିକ୍ରି କରିଥା’ନ୍ତି । କୋଇଲା ସଂକଟ ଯୋଗୁ ଜିଏମଆର ପାୱାର ପ୍ଲାଂଟ ତାହାର ୩୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରି ଦେଇଛି ଓ ଅନ୍ୟ ପ୍ଲାଂଟରେ ଲୋଡ୍ କମାଇଛି । ସଂସ୍ଥା ନିକଟରେ ମୋଟେ କୋଇଲା ଷ୍ଟକ୍ ନ ଥିବାରୁ ପ୍ଲାଂଟ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଥିବା ଜଣାପଡିଛି । ଜେଆଇଟିପିଏଲ ଓ ଟିଟିପିଏସ୍ ଅବସ୍ଥା ମଧ୍ୟ ଏକା ଭଳି । ଯାହା କିଛି ପୁରୁଣା ଷ୍ଟକ୍ ଥିଲା ସେଥିରେ କାମ ଚାଲିଛି । ଦିନେ ଦୁଇ ଦିନ ମଧ୍ୟରେ ପରିସ୍ଥିତି ସୁଧୁରିଲେ ବିଦ୍ୟୁତ ଉତ୍ପାଦନକୁ ନେଇ ସଂକଟ ଟଳିବା ଆଶା କରାଯାଉଛି । ତାଳଚେର କୋଇଲା ଉପରେ ନିର୍ଭର କରୁଥିବା ଦକ୍ଷିଣ ଭାରତର ସମସ୍ତ ବିଦ୍ୟୁତ ଉତ୍ପାଦନକାରୀ କୋଇଲା ସଂକଟରୁ ଆଂଠେଇବା ଅବସ୍ଥାରେ । କାରଣ, ତାଳଚେର କୋଲଫିଲ୍ଡରୁ ବିଭିନ୍ନ ଅଂଚଳକୁ ରେଳ ଓ ସଡ଼କ ପଥରେ କୋଇଲା ଚାଲାଣ ମଧ୍ୟ ବନ୍ଦ ଥିିଲା । ପରିସ୍ଥିତି ଏଭଳି ଉଦ୍ବେଗଜନକ ହୋଇଥିଲେ ମଧ୍ୟ ଏମସିଏଲ କର୍ତୃପକ୍ଷ ତାହାକୁ ୯ ଦିନ ଗଡାଇବା ଏବଂ ରାଜ୍ୟ ସରକାର ସେଥିରେ ମୁଣ୍ଡ ନ ପୁରାଇବା ବିଜେଡ଼ି-ବିଜେପି ସଲାସୁତୁରାର ଆଉ ଏକ ନିଦର୍ଶନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ହୋଇ ଅଘୋଷିତ ‘ବିଦ୍ୟୁତ କାଟ୍’ ନିତିଦିନିଆ କଥା । ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ ବିଭାଗ ଦିନର ବିଭିନ୍ନ ସମୟରେ ‘ବିଦ୍ୟୁତ କାଟ୍’ କରିଥା’ନ୍ତି । ଏବେ, କୋଇଲା ସଂକଟ ବିଭାଗ ପାଇଁ ନୂଆ ବାହାନା ହୋଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS