ଉନ୍ନାଓ ପିଡ଼ିତାଙ୍କ ଲଢେଇ ଶେଷ ପର୍ଯ୍ୟାୟରେ
– ପ୍ରସାଦ ରାଓ –
ଅଗଷ୍ଟ ୦୫ ତାରିଖ
ଉତ୍ତର ପ୍ରଦେଶର ଉନ୍ନାଓରେ ଘଟି ଥିବା ଗଣଦୁଷ୍କର୍ମ ଘଟଣାର ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି । ପିଡ଼ିତାର ଲଢେଇ ସରି ନାହିଁ । ସୁପ୍ରିମ କୋର୍ଟର ହସ୍ତକ୍ଷେପ ପରେ ଏହି ମାମଲା ଯେଉଁ ମୋଡ ନେଇଛି ତାହା ଲଢେଇ ଶେଷ ପର୍ଯ୍ୟାୟରେ ପହଂଚି ଥିବା ସୂଚନା ଦେଉଛି । ସିବିଆଇ ମାମଲାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନେଗର ଓ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଗିରଫ କରି ଜେଲରେ ରଖି ଥିଲେ । ଜେଲରେ ଥାଇ ମଧ୍ୟ ସେନେଗର ପିଡ଼ିତା, ତାଙ୍କ ପରିବାର ଓ ପିଡ଼ିତାଙ୍କ ପାଇଁ ମାମଲା ଲଢୁ ଥିବା ଓକିଲଙ୍କୁ ଟ୍ରକ୍ ମଡାଇ ମାରି ଦେବାର ଷଡଯନ୍ତ୍ର କରି ଅସଫଳ ହୋଇଛନ୍ତି । ତେବେ, ପିଡ଼ିତାଙ୍କ ଦୁଇ ସଂପର୍କିୟ ମୃତ୍ୟୁ ବରଣ କରିଥିବା ବେଳେ ପିଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ଅବସ୍ଥାରେ ଲକ୍ଷ୍ନୌରେ ଚିକିତ୍ସାଧିନ ଅଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ପିଡ଼ିତା, ତାଙ୍କ ଓକିଲ, ପିଡ଼ିତାଙ୍କ ପରିବାର ଓ ଓକିଲଙ୍କ ପରିବାରକୁ କଡା ସୁରକ୍ଷା ଯୋଗାଇ ଦେବାକୁ ସିବିଆଇକୁ ନିର୍ଦେଶ ଦେଇଥିବା ବେଳେ ଏହି ଗଣଦୁଷ୍କର୍ମ ସହ ଯୋଡି ହୋଇ ରହିଥିବା ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରି ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ସେସବୁ ବିଚାର କରାଯିବ ବୋଲି ନିର୍ଦେଶ ଦେଇଛନ୍ତି । ୪୫ ଦିନ ମଧ୍ୟରେ ମାମଲାଗୁଡିକର ଶୁଣାଣୀ ଶେଷ କରିବା ପାଇଁ ତିସ୍ ହଜାରୀ କୋର୍ଟର ବିଚାରପତି ଜଷ୍ଟିସ୍ ଧର୍ମେଶ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ କଡା ଆଭିମୁଖ୍ୟ ଦେଖି ସିବିଆଇ ଛାନିଆ । ତଦନ୍ତ ଅଧିକ ଗତିଶୀଳ ହୋଇଛି । ବିଧାୟକ ସେନେଗରକୁ ସିବିଆଇ ୟୁପିରୁ ଦିଲ୍ଲୀ ନେଇ ଜେରା କରୁଛି । ଗଣଦୁଷ୍କର୍ମ ସମୟରେ ସେନେଗର ବିଜେପି ବିଧାୟକ ଥିଲେ । ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ବିଜେପି ସରକାର ଥିବାରୁ ବିଧାୟକ ସେନେଗାର ଜେଲରେ ଥାଇ ମଧ୍ୟ ପିଡ଼ିତାଙ୍କ ପରିବାକୁ ଧମକ ଚମକ ଦେବା ସହ ତାଙ୍କ ବାପାଙ୍କୁ ମିଥ୍ୟା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ କରାଇ ଶାରୀରିକ ନିର୍ଯ୍ୟାତନା ଦିଆଇ ଥିଲେ । ଫଳରେ, ପିଡ଼ିତାଙ୍କ ବାପାଙ୍କ ହସପିଟାଲରେ ମୃତ୍ୟୁ ଘଟି ଥିଲା । ଗଣଦୁଷ୍କର୍ମ ମାମଲାକୁ ଆଗକୁ ନେଉଥିବା ଏବଂ ମାମଲାର ମୁଖ୍ୟ ସାକ୍ଷୀ ଥିବା ପିଡ଼ିତାଙ୍କ ଦାଦାଙ୍କୁ ୧୮ ବର୍ଷ ତଳର ଏକ ଗୁଳିକାଣ୍ଡ ମାମଲାରେ ଗିରଫ କରାଇ ଜେଲକୁ ପଠାଇ ଦିଆଯାଇଥିଲା । ରାଏବରେଲି ଜେଲରେ ସେ ଅଟକ ରହିଥିଲେ । ପିଡ଼ିତା ୨୦୧୮ ଏପ୍ରିଲ ୮ ତାରିଖରେ ସେନେଗରଙ୍କ ଗିରଫ ଦାବିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବାରୁ ଏହି ଘଟଣା ସମଗ୍ର ଦେଶର ନଜରକୁ ଆସିଥିଲା । ନିର୍ଭୟା ଗଣ ଦୁଷ୍କର୍ମ ମାମଲା ଭଳି ଏହି ମାମଲାକୁ ଦେଶବ୍ୟାପୀ ହଇଚଇ ସୃଷ୍ଟି ହେବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ ।
ଏହି ଗଣଦୁଷ୍କର୍ମ ଘଟଣା ପାଇଁ ବିଜେପି ଚାପରେ ରହିବାରୁ ବିଧାୟକ ସେନେଗରଙ୍କୁ ଦଳରୁ ବହିଷ୍କାର କରିଥିବା କହିଛି । ସିବିଆଇ ସେନେଗରକୁ ଗିରଫ କରି ତଦନ୍ତକୁ ଆଗକୁ ନେଉଛି । ୧୭ ବର୍ଷ ବୟସରେ ପିଡ଼ିତା ଗଣ ଦୁଷ୍କର୍ମର ଶିକାର ହୋଇ ଥିବାରୁ ୨୦୧୭ ଜୁନ ୪ ତାରିଖରେ ଘଟିଥିବା ଏହି ଦୁଷ୍କର୍ମ ଘଟଣାରେ ସିବିଆଇ ୨୦୧୮ ଜୁଲାଇ ୧୧ ଓ ୧୩ରେ ଅଦାଲତରେ ଦୁଇଟି ଚାର୍ଜସିଟ୍ ଦାଖଲ କରିଛି । ପ୍ରଥମ ମାମଲା ଗଣ ଦୁଷ୍କର୍ମକୁ ନେଇ ହୋଇଛି ଓ ସେଥିରେ ବିଧାୟକ ସେନେଗର ଅଭିଯୁକ୍ତ ଥିବା ବେଳେ ଦ୍ୱିତୀୟ ଚାର୍ଜସିଟ୍ (ପିଡ଼ିତାଙ୍କ ବାପାଙ୍କୁ ନିର୍ଯ୍ୟାତନା ଦେଇ ମାରି ଦିଆଯିବା ଅଭିଯୋଗ)ରେ ବିଧାୟକ ସେନେଗରଙ୍କ ସହ ତାଙ୍କ ଭାଇ, ତିନି ପୁଲିସ କର୍ମଚାରୀ ଓ ଅନ୍ୟ ୫ ଜଣ ଅଭିଯୁକ୍ତ ଅଛନ୍ତି । ବିଧାୟକ ସେନେଗରଙ୍କ ବିରୋଧରେ ପୁଲିସରେ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯିବାରେ ବିଳମ୍ବ ହେବାରୁ ପିଡ଼ିତା ୨୦୧୭ ଅଗଷ୍ଟ ୧୭ ତାରିଖରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲା ଚିଠି ଲେଖି ଥିଲେ ଏବଂ ୨୦୧୮ ଏପ୍ରିଲ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସିବିଆଇ ୨୦୧୮ ଏପ୍ରିଲ ୧୩ ତାରିଖରେ ବିଧାୟକ ସେନେଗରଙ୍କୁ ପଚରାଉଚୁରା ପାଇଁ ନେଇଥିଲେ ଏବଂ ଜେରା ପରେ ସେହି ଦିନ ଆଲହାବାଦ ହାଇକୋର୍ଟଙ୍କ ନିର୍ଦେଶ ପ୍ରକାରେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଥିଲେ । ଜେଲରେ ଥିବା ଅବସ୍ଥାରେ ଏହି ବାହୁବଳୀ ବିଧାୟକଙ୍କୁ ଶାସକ ବିଜେପି ସମେତ ୟୁପିର ଅନ୍ୟ ପ୍ରମୁଖ ଦଳର ନେତାମାନେ ଭେଟି ଥିବା ଜଣା ପଡିବା ପରେ ସିବିଆଇ ତାହାର ଯାଂଚ କରୁଛି । ଧମକ ଚମକ ପରେ ମଧ୍ୟ ପିଡ଼ିତା ଓ ତାଙ୍କ ପରିବାର ପଛକୁ ଫେରୁ ନ ଥିବାରୁ ୨୦୧୯ ଜୁଲାଇ ୨୮ ତାରିଖରେ ଟ୍ରକ୍ ମଡାଇ ପିଡ଼ିତା, ତାଙ୍କ ଓକିଲ ଓ ପରିବାର ସଦସ୍ୟଙ୍କୁ ଜୀବନରେ ଶେଷ କରି ଦେବା ଉଦ୍ୟମ ହୋଇଥିଲା ।
ଏହି ହତ୍ୟା ଉଦ୍ୟମ ହେବା ପୂର୍ବରୁ ପିଡ଼ିତା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କୁ ଚିଠି ଲେଖି ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ବାରମ୍ବାର ଧମକ ଦିଆଯାଉଥିବା ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ । ସେ ଏହାର ନକଲ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇ ଥିଲେ । ତେବେ, ଦୁର୍ଭାଗ୍ୟର କଥା ଚିଠି ସିଜେଆଇଙ୍କ ନିକଟରେ ନ ପହଂଚି ବାଟରେ ଅଟକି ଯାଇଥିଲା । ପିଡ଼ିତାଙ୍କୁ ଟ୍ରକ ମଡାଇ ମାରି ଦେବା ଉଦ୍ୟମ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହି ଚିଠିକୁ ନେଇ ଚର୍ଚ୍ଚା ହେବା ପରେ ପ୍ରଥମେ ସିଜେଆଇ ଏଭଳି କିଛି ଚିଠି ପାଇ ନ ଥିବା କହିଥିଲେ । ଚିଠିଟି ସୁପ୍ରିମ କୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଂଚି ସେଠି ପଡି ରହି ଥିବା ପରେ ସିଜେଆଇ ଜାଣିବା ପରେ ବିରକ୍ତି ପ୍ରକାଶ କରି ନିଜ ଆଡୁ ତାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଗଠନ କରିବା ସହ ମାମଲାର ଶୁଣାଣି କରିଥିଲେ । ସେହି ଦିନ ସୁପ୍ରିମ କୋର୍ଟ ସିଜେଆଇ ଜଷ୍ଟିସ୍ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉନ୍ନାଓ ଗଣ ଦୁଷ୍କର୍ମ ମାମଲା ସହ ତାହା ସହ ଯୋଡି ହୋଇ ରହିଥିବା ଅନ୍ୟ ସବୁ ମାମଲା ଦିଲ୍ଲୀ ତିସ୍ ହଜାରୀ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି । ତେବେ, ପିଡ଼ିତା ଓ ତାଙ୍କ ଓକିଲଙ୍କୁ ଟ୍ରକ୍ ମଡାଇ ମାରି ଦେବା ଉଦ୍ୟମ ଓ ଷଡଯନ୍ତ୍ରର ତଦନ୍ତ ଜାରୀ ରହି ଥିବାରୁ ଏହି ମାମଲା ତୁରନ୍ତ ସ୍ଥାନାନ୍ତର ନ କରି ୧୪ ଦିନ ମଧ୍ୟରେ ତଦନ୍ତ ସାରିବାକୁ ଖଣ୍ଡପୀଠ ସିବିଆଇକୁ ନିର୍ଦେଶ ଦେଇଛନ୍ତି । ଅଗଷ୍ଟ ୨ ତାରିଖରେ ସୁପ୍ରମି କୋର୍ଟ ,ଭଳି ନିର୍ଦେଶ ଦେବା ପରେ ପିଡ଼ିତାଙ୍କ ଲଢେଇ ଶେଷ ପର୍ଯ୍ୟାୟରେ ପହଂଚିଲା ଭଳି ଲାଗୁଛି । ଦୀର୍ଘ ନୀରବତା ପରେ ୨୦୧୯ ଜୁଲାଇ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ନାଓ ଘଟଣାର ନିନ୍ଦା କରି ଏକ ବିବୃତି ଦେଇଥିଲେ । ଜୁଲାଇ ୩୦ ତାରିଖରେ ଟ୍ରକ ମଡାଇ ପିଡ଼ିତା ଓ ତାଙ୍କ ଓକିଲଙ୍କୁ ମାରି ଦେବା ଉଦ୍ୟମକୁ ନେଇ ବିରୋଧୀ ଦଳମାନେ ସଂସଦରେ ସରକାରଙ୍କୁ ଘେରି ପ୍ରବଳ ପାଟିତୁଣ୍ଡ କରିବାରୁ ଉନ୍ନାଓ ବିଧାୟକ ସେନେଗର ଗଣ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି ବୋଲି ଶାସକ ଦଳ ଆଡୁ ସଫେଇ ଦିଆଯାଇଥିଲା ।
ଉନ୍ନାଓ ଗଣ ଦୁଷ୍କର୍ମ ମାମଲା ଦେଶର କ୍ଷମତାଶାଳୀ ଓ ବାହୁବଳୀ ରାଜନେତାଙ୍କ କଳୁଷିତ ଚରିତ୍ରକୁ ଉଜାଗର କରୁଛି । ପିଡ଼ିତାଙ୍କ ଅଭିଯୋଗ ହେଉଛି, ଘଟଣା ବେଳକୁ ପିଡ଼ିତାଙ୍କ ବୟସ ଥିଲା ସତର । ସେ ଚାକିରୀଟିଏ ପାଇଁ ଉଦ୍ୟମ କରୁଥିବା ବେଳେ ଶଶି ସିଂହ ନାମକ ଜଣେ ମହିଳା, ତାଙ୍କ ପୁଅ ଶୁଭମ ସିଂହ ଓ ଝିଅ ନିଧି ସିଂହ ଚାକିରୀର ଲୋଭ ଦେଖାଇ ତାଙ୍କୁ କାନପୁର ଯିବାକୁ ପ୍ରବର୍ତାଇ ଥିଲେ । ୨୦୧୭ ଜୁନ ୧୧ ତାରିଖ ରାତିରେ ସେ ଶୁଭମ ସିଂହଙ୍କ ସହ କାନପୁର ଯିବା ବାଟରେ ଶୁଭମ ଓ ତାଙ୍କ ଗାଡି ଡ୍ରାଇଭର ଅୱଧେଶ ତିୱାରୀ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ପରେ, ଅନ୍ୟ କିଛି ଅଜଣା ବ୍ୟକ୍ତି ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଏବଂ ତାଙ୍କୁ ବ୍ରିଜେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା । ପିଡ଼ିତାଙ୍କ ପରିବାର ୨୦୧୭ ଜୁନ ୨୦ ତାରିଖରେ ଏ ସଂପର୍କରେ ୟୁପି ପୁଲିସରେ ଏକ ଏତଲା କରିବା ପରେ ପୁଲିସ ଶୁଭମ ଓ ଅୱଧେଶ ବିରୋଧରେ ଆଇପିସିର ୩୬୩ ଓ ୩୬୬ ଦଫାରେ ଏକ ମାମଲା ରୁଜୁ କରି ଆୟୁରା ନାମକ ଏକ ଗ୍ରାମରୁ ପିଡ଼ିତାଙ୍କୁ ଉଦ୍ଧାର କରିଥିଲେ । ପିଡ଼ିତା ଓ ଅଭିଯୁକ୍ତମାନଙ୍କୁ ଜୁନ ୨୨ ତାରିଖରେ ଡାକ୍ତରୀ ମାଇନା କରାଇ ପୁଲିସ ଜଣେ ମାଜିଷ୍ଟ୍ରଟଙ୍କ ସମ୍ମୁଖରେ ସିଆରପିସିର ଧାରା ୧୬୪ରେ ପିଡ଼ିତାଙ୍କ ବୟାନ ଲିପିବଦ୍ଧ କରାଇ ଥିଲେ । ବୟାନ ଲିପିବଦ୍ଧ ହେବା ପରେ ପୁଲିସ ଅପହରଣ ଓ ଗଣ ଦୁଷ୍କର୍ମ ଅଭିଯୋଗରେ ଶୁଭମ, ଅୱଧେଶ, ବ୍ରିଜେଶଙ୍କ ସମେତ ଅନ୍ୟ କେତେକଙ୍କୁ ଗିରଫ କରି ଜେଲ ପଠାଇ ଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ‘ପୋକସୋ’ (ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ଆଇନରେ ମଧ୍ୟ ଦ୍ୱିତୀୟ ମାମଲା ରୁଜୁ ହେଲା ।
ପିଡ଼ିତା ୨୦୧୭ ଅଗଷ୍ଟ ୧୭ ତାରିଖରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଖି ଥିବା ଖୋଲା ଚିଠିରେ ୨୦୧୭ ଜୁନ ୪ ତାରିଖ ସନ୍ଧ୍ୟା ୬ଟାରେ ଉନ୍ନାଓ ବିଧାୟକ ସେନେଗର ତାଙ୍କୁ ନିଜ କୋଠରୀରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ମାଜିଷ୍ଟ୍ରେଟଙ୍କ ସାମନାରେ ସେ ପୁଲିସକୁ ୧୬୪ ବୟାନରେ ଏକଥା ଜଣାଇ ଥିଲେ ମଧ୍ୟ ପୁଲିସ ସେନେଗରଙ୍କ ନାମ ନେବାକୁ ବାରଣ କରିଥିଲେ ବୋଲି ପିଡ଼ିତା ଅଭିଯୋଗ କରିଛନ୍ତି । ପିଡ଼ିତାଙ୍କ ପିତାଙ୍କୁ ୨୦୧୮ ଏପ୍ରିଲ ୫ ତାରିଖରେ ପୁଲିସ ଉଠାଇ ନେଇ ନିର୍ଯ୍ୟାତନା ଦେବା ଓ ପରେ ମାରି ଦିଆଯିବା (୯ତାରିଖ ମୃତ୍ୟୁ ଘଟିଲା), ତାଙ୍କ କକାଙ୍କ ୧୮ ବର୍ଷ ତଳର ମାମଲାରେ ଗିରଫ କରାଯାଇ ରାଏବରେଲି ଜେଲରେ ଅଟକ ରଖାଯିବା ଏବଂ ପିଡ଼ିତାଙ୍କୁ ହତ୍ୟା ଉଦ୍ୟମ କରାଯିବା ଏ ବିକୃତ ମାନସିକତାର ପରିଚୟ ଦେଉଛି । ପିଡ଼ିତାଙ୍କ ବାପାଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ବିଧାୟକଙ୍କ ଭାଇ ଅତୁଲ ସେନେଗରଙ୍କୁ ଗିରଫ କରାଯିବା ସହ ୬ ପୁଲିସ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ୧୩ ଏପ୍ରିଲ ୨୦୧୮ରେ ବିଧାୟକ ସେନେଗର ଗିରଫ ହୋଇଥିବା ବେଳେ ୧୪ ତାରିଖରେ ଶଶି ସିଂହ ଗିରଫ ହୋଇଥିଲେ । ୨୮ ଜୁଲାଇ ୨୦୧୯ରେ ପିଡ଼ିତା ନିଜର ଦୁଇ ସଂପର୍କିୟା ଓକିଲଙ୍କ ସହ ରାଏବରେଲି ଯାଉଥିବା ବେଳେ ସେମାନଙ୍କ କାର୍ କୁ ଧକ୍କା ଦେଇ ଥିବା ଟ୍ରକର ଡ୍ରାଇଭର ଓ କ୍ଲିନର ଗିରଫ ହୋଇଛନ୍ତି । ଏହି ଦୁର୍ଘଟଣାରେ ପିଡ଼ିତାଙ୍କ ଦୁଇ ସଂପର୍କିୟାଙ୍କ ମୃତ୍ୟୁ ଘଟିଛି । ବାହୁବଳୀ ବିଧାୟକ ସେନେଗର କେବଳ ବିଜେପି ନୁହେଁ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିରୁ ମଧ୍ୟ ନିର୍ବାଚିତ ହେବା ସୁଯୋଗ ପାଇଥିଲେ । ସେନେଗରଙ୍କ ପ୍ରତିପତ୍ତି ୟୁପିର ସବୁ ରାଜନୈତିକ ଦଳଙ୍କୁ ତାଙ୍କ ସହ ରହିବାକୁ ବାଧ୍ୟ କରୁଥିଲା କହିବା ଭୁଲ ହେବ ନାହିଁ ।
ଦେଶରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଆଇନରେ ବ୍ୟବସ୍ଥା କରିଛନ୍ତି । ତଥାପି ଦେଶରେ ଦୁଷ୍କର୍ମ ସଂଖ୍ୟା କମୁ ନାହିଁ । କଠୋର ଦଣ୍ଡ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ଏଭଳି ଘୃଣିତ କାର୍ଯ୍ୟ କରୁଥିବା ଅପରାଧୀଙ୍କ ମାନସିକତା ବଦଳୁ ନାହିଁ । ଦେଶରେ ପ୍ରତି ଦିନ ୬ରୁ ୭ଟି ଦୁଷ୍କର୍ମ ଘଟଣା ଘଟୁ ଥିବା ଲୋକସଭା, ବିଧାନସଭାରେ ଉପସ୍ଥାପିତ ଅପରାଧ ସଂପର୍କୀତ ସରକାରୀ ରିପୋର୍ଟରୁ ସୂଚନା ମିଳୁଛି । ‘ପୋକସୋ’ ଆଇନରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ପରେ ଏଭଳି ଅପରାଧ ଘଟାଉ ଥିବା ଅପରାଧୀମାନେ ଆଉ ପାଦେ ଆଗକୁ ଯାଇ ଦୁଷ୍କର୍ମ ପରେ ପିଡ଼ିତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ଉଦ୍ୟମ କରୁଛନ୍ତି । ତାହା ନାବାଳିକାଙ୍କ ଜୀବନକୁ ଅଧିକ ବିପଦପୂର୍ଣ୍ଣ କରିଛି । ଲୋକଲଜ୍ୟା ଭୟରେ ହେଉ ବା ପୁଲିସ ଏବଂ କୋର୍ଟ କଚେରୀରେ ଜେରା ଭୟରେ ଅନେକ ଦୁଷ୍କର୍ମ ଘଟଣା ଘର ଭିତରେ ହିଁ ଚାପି ଯାଉଛି । ନ୍ୟାୟ ବ୍ୟବସ୍ଥାରେ ଥିବା ବିଭିନ୍ନ ଅସହାୟତା ଯୋଗୁ ମାମଲାଗୁଡିକ ଲମ୍ବା ସମୟ ଚାଲୁ ଥିବାରୁ ଅନେକ କୋର୍ଟ, କଚେରୀକୁ ଯିବାକୁ ଚାହୁଁ ନାହାନ୍ତି । ତେବେ, ଉନ୍ନାଓ ପିଡ଼ିତା ଲମ୍ବା ଲଢେଇ ପାଇଁ ମାନସିକ ପ୍ରସ୍ତୁତ ନେଇ ଯେଉଁ ସାହାସ ଦେଖାଇଛନ୍ତି ତାହା ଅଭିନନ୍ଦନୀୟ । ଅଧିକ ରକ୍ତପାତ ନ ହୋଇ ଏହି ଲମ୍ବା ଲଢେଇର ଖୁବଶୀଘ୍ର ଜବନିକାପାତ ହେବ ଏବଂ ଦୁଷ୍କର୍ମକାରୀ ଓ ସେମାନଙ୍କ ସହଯୋଗୀ ଭାରତୀୟ ନ୍ୟାୟ ବ୍ୟବସ୍ଥା ଅନୁସାରେ କଠୋର ଦଣ୍ଡରେ ଦଣ୍ଡିତ ହେବେ, ତାହା ହିଁ ଆଜିର ଦିନରେ ଆଶା କରାଯାଇପାରେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS