କଶ୍ମୀର: ବିରୁଡ଼ି ବସାରେ ହାତ ମାରିଲା କେନ୍ଦ୍ର
– ପ୍ରସାଦ ରାଓ –
ଅଗଷ୍ଟ ୦୬ ତାରିଖ
ଜମ୍ମୁ-କଶ୍ମୀର ହେଉଛି ବିରୁଡ଼ି ବସା । ଦେଶର ସ୍ୱାଧୀନତା ପରଠାରୁ କୌଣସି ସରକାର ଏହି ବିରୁଡ଼ି ବସାରେ ହାତ ମାରିବାକୁ ସାହାସ କରି ନ ଥିଲେ । କଶ୍ମୀରୀ ନେତାଙ୍କ ଚାପ ନିକଟରେ ସମସ୍ତେ ମୁଣ୍ଡ ନୁଆଇଁ ଆସି ଥିଲେ । ଏହି ପରଂପରା ଭଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ବିଜେପି ସରକାର । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଟିମ୍ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ପରେ ଆଜି ଗୃହ ମନ୍ତ୍ରୀ ଶାହା ରାଜ୍ୟସଭାରେ ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀରରେ ସମ୍ବିଧାନର ୩୭୦ ଧାରା ଓ ୩୫ ‘ଏ’ ଅନୁଚ୍ଛେଦ ଉଚ୍ଛେଦ କରାଗଲା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ୱେ ୧୨୫-୬୧ ଭୋଟରେ ଏହି ବିଲ୍ ପାରିତ ହୋଇଯାଇଛି । ଅପରପକ୍ଷରେ, ଜମ୍ମୁ-କଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପିଡ଼ିପି ନେତ୍ରୀ ମେହେବୁବା ମୁଫତିଙ୍କୁ ଆଜି ସନ୍ଧ୍ୟାରେ ତାଙ୍କ ଘରୁ ଗିରଫ କରାଯାଇ ଶ୍ରୀନଗର ସ୍ଥିତି ଅତିଥି ଭବନରେ ଅଟକ ରଖା ଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ସମେତ ବହୁ କଶ୍ମୀରୀ ନେତା ରବିବାରରୁ ନଜରବନ୍ଦୀ ରହିଥିବା ବେଳେ ସୋମାବର ଦିନ ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ସହଯୋଗୀ ସାଜିଦ ଲୋନେଙ୍କୁ ମଧ୍ୟ ଗିରଫ କରାଯାଇଥିବା ଖବର ମିଳିଛି । ଏସବୁ ଘଟଣା ପରେ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି ହୋଇଛି । ମେହେବୁବା ମୁଫତି ମଧ୍ୟ ରବିବାର ଠାରୁ ନିଜ ଘରେ ନଜରବନ୍ଦୀ ରହିଥିଲେ ।
ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବା ପରେ ରାଜ୍ୟର ପରିସ୍ଥିତି ଗମ୍ଭୀର ହୋଇଛି । ବିଚ୍ଛନ୍ନତାବାଦୀମାନେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାରେ କେନ୍ଦ୍ର ସରକାର ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ପଂଜାବ, ହିମାଚଳ ପ୍ରଦେଶରେ ସେଠାକାର ରାଜ୍ୟ ସରକାରମାନେ ହାଇ ଆଲର୍ଟ ଜାରି କରିଛନ୍ତି । କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କରିବା ପରେ ଜମ୍ମୁ-କଶ୍ମୀରର ସ୍ଥିତି ଭାରତର ଯେ କୌଣସି ରାଜ୍ୟ ସହ ସମତୁଲ ହୋଇଛି । ସମ୍ବିଧାନର ୩୭୦ (୩) ଧାରା ଓ ୩୫ ‘କ’ ଅନୁଚ୍ଛେଦ ବଳରେ ରାଜ୍ୟ ବିଶେଷ କ୍ଷମତାର ଅଧିକାରୀ ଥିଲା । ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଭାରତୀୟ ଆଇନ ବ୍ୟବସ୍ଥା ଏହି ରାଜ୍ୟରେ ଲାଗୁ ନ ଥିଲା । ରାଜ୍ୟର ଭିନ୍ନ ପତାକା ଓ ଜାତୀୟ ସଂଗୀତ ଥିଲା । ଜମ୍ମୁ-କଶ୍ମୀର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ରାଜ୍ୟର ନାଗରିକବାଚ୍ୟ ନ ଥିଲେ । ଅନ୍ୟ ରାଜ୍ୟର କେହି ଜମ୍ମୁ-କଶ୍ମୀରରେ ସଂପତ୍ତି କିଣିବାକୁ ବା ସ୍ଥାୟୀ ବାସିନ୍ଦା ହେବାକୁ ଅଧିକାରୀ ନ ଥିଲେ । ଏପରିକି, ଜମ୍ମୁ-କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବାହା ହେଲେ ସଂପତ୍ତି ଉପରେ ଅଧିକାରରୁ ବଂଚିତ ହେଉଥିଲା । ସେମାନଙ୍କ ସନ୍ତାନ ମଧ୍ୟ ଏହି ଅଧିକାରରୁ ବଂଚିତ ଥିଲେ । କେନ୍ଦ୍ର ସରକାର ୩୭୦ ଧାରା ଓ ୩୫ ‘କ’ ଅନୁଚ୍ଛେଦ ଉଚ୍ଛେଦ କରିବା ପରେ ଅନ୍ୟ ରାଜ୍ୟର ବାସିନ୍ଦା ଜମ୍ମୁ-କଶ୍ମୀରରେ ବ୍ୟବସାୟ କରି ପାରିବେ, ସଂପତ୍ତିର ଅଧିକାରୀ ହୋଇ ପାରିବେ । ଦେଶର ସଂଘୀୟ ବ୍ୟବସ୍ଥାରେ ଅନ୍ୟ ରାଜ୍ୟମାନଙ୍କରେ ଯେଉଁ ଆଇନର ବ୍ୟବସ୍ଥା ରହିଛି ଜମ୍ମୁ-କଶ୍ମୀରରେ ମଧ୍ୟ ତାହା ଲାଗୁ ହୋଇଯାଇଛି ।
ସୋମବାର ଦିନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବିଭାଜନ କରି ଲଦାଖକୁ ଜମ୍ମୁ- କଶ୍ମୀରରୁ ଅଲଗା କରି ଦେଇଛନ୍ତି । ଏବେ ଜମ୍ମୁ-କଶ୍ମୀର ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହୋଇଛି । ଜମ୍ମୁ-କଶ୍ମୀର ବିଧାନସଭା ଥାଇ କେନ୍ଦ୍ର ଶାସିତ ଅଂଚଳ ଘୋଷିତ ହୋଇଥିବା ବେଳେ ଲଦାଖକୁ ଜମ୍ମୁ-କଶ୍ମୀରରୁ ଅଲଗା କରି ଦିଆଯାଇ ଆଉ ଏକ କେନ୍ଦ୍ର ଶାସିତ ଅଂଚଳ ରୂପେ ଘୋଷଣା କରାଯାଇଛି । ତେବେ, ଲଦାଖରେ ବିଧାନସଭା ବ୍ୟବସ୍ଥା ରହିବ ନାହିଁ । ଜମ୍ମୁ-କଶ୍ମୀର ବିଧାନସଭା ଲଦାଖ ବଦଳରେ ଶ୍ରୀନଗରରେ ରହିବା ନିଷ୍ପତ୍ତି ହୋଇଛି । ବିଧାନସଭାର କାର୍ଯ୍ୟକାଳ ଛଅ ବର୍ଷ ପରିବର୍ତେ ୫ ବର୍ଷ ରହିବ । ଦେଶର ଅନ୍ୟ ସମସ୍ତ ରାଜ୍ୟ ଭଳି ଜମ୍ମୁ-କଶ୍ମୀର ମଧ୍ୟ ଭାରତର ଅନ୍ୟତମ ରାଜ୍ୟ ହୋଇଛି । ଅନ୍ୟ ରାଜ୍ୟ ଭଳି ଏହି ରାଜ୍ୟର ଅଧିବାସୀ ଭାରତୀୟ ସମ୍ବିଧାନ ଦ୍ୱାରା ପରିଚାଳିତ ହେବେ । ରାଜ୍ୟକୁ ମିଳି ଆସୁ ଥିବା ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ଆଉ ମିଳିବ ନାହିଁ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ରାଜ୍ୟ ପୁନର୍ଗଠନ ବିଲ୍ କୁ ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ସେମାବାର ଦିନ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ମଧ୍ୟରେ ରାଜ୍ୟସଭାରେ ଏହା ଘୋଷଣା କରିଛନ୍ତି । ୬ ତାରିଖ ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା ହେବ ଏବଂ ୭ ତାରିଖ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗ ଉପରେ ଦେଶବାସୀଙ୍କୁ ଉଦବୋଧନ ଦେବେ । ଓଡ଼ିଶାର କ୍ଷମତାସୀନ ବିଜେଡ଼ି, ଦିଲ୍ଲୀରେ କ୍ଷମତାସୀନ ଦଳ ଆମ ଆଦମୀ ପାର୍ଟି, ଏଆଇଡ଼ିଏମକେ, ଆନ୍ଧ୍ରର ବିରୋଧୀ ତେଲୁଗୁ ଦେଶମ ପାର୍ଟି ଓ କ୍ଷମତାସୀନ ୱାଇଏସଆର କଂଗ୍ରେସ ପାର୍ଟି, ୟୁପିର ବହୁଜନ ସମାଜ ପାର୍ଟି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ ଦେଇଥିବା ବେଳେ କଂଗ୍ରେସ, ଡ଼ିଏମକେ, ପିଡ଼ିପି, ଏନସି, ଜେଡ଼ିୟୁ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରିଛନ୍ତି । ତେବେ, ପୁରୀ ଶଙ୍କରାଚାର୍ଯ୍ୟ ଓ ଆରଏସଏସ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ ଜଣାଇଛନ୍ତି ।
କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବିପୁଳ ସଂଖ୍ୟାରେ ସୁରକ୍ଷା ବାହିନୀ ମୁତୟନ କରିବା ସହ ଅମରନାଥ ଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ ରାଜ୍ୟ ଛାଡି ଚାଲି ଯିବାକୁ ନିର୍ଦେଶ ଦେବା ଘଟଣାରୁ ରାଜ୍ୟରେ କିଛି ବଡ଼ ଧରଣର ପରିବର୍ତନ ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଉଥିବାର ଆଭାସ ମିଳି ଥିଲା । କଶ୍ମୀରୀ ନେତାମାନେ ଏହି ଆଶଙ୍କାରେ ସରକାରଙ୍କୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଥିଲେ । ସମ୍ବିଧାନର ୩୭୦ ଧାରା ଓ ୩୫ ‘କ’ ଅନୁଚ୍ଛେଦ ଉଚ୍ଛେଦ ହେବା ଦିଗରେ ସରକାରୀ ପ୍ରସ୍ତୁତି ଚାଲିଛି ବୋଲି କଶ୍ମୀରୀ ନେତାମାନେ ଅନୁମାନ କରି ଲଗାଇବା ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା (ନ୍ୟାସନାଲ କନ୍ଫରେନ୍ସ) ରାଜ୍ୟରେ ଏକ ସର୍ବଦଳୟ ବୈଠକ ଡାକି ଏହାର ବିରୋଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି (ପିଡ଼ିପି), ପିପୁଲ୍ସ କନଫରୋନ୍ସ ଅଧ୍ୟକ୍ଷ ସାଜିଦ ଲୋନେ ପ୍ରମୁଖ ଦବଂଗ କଶ୍ମୀରୀ ନେତାମାନେ ଏହି ବୈଠକର ଯୋଗ ଦେଇ କେନ୍ଦ୍ର ପକ୍ଷରୁ ଏଭଳି କିଛି ଉଦ୍ୟମ ହେଲେ ରାଜ୍ୟବ୍ୟାପୀ ତାହାର ଦୃଢ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନେଇ ଥିଲେ । ତେବେ, ରାଜ୍ୟପାଳ ସତପାଲ ମଲ୍ଲିକ ଉପତ୍ୟକାରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ମୁତୟନ ହେବା ଏବଂ ପର୍ଯ୍ୟଟକ ଓ ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ରାଜ୍ୟ ଛାଡି ଚାଲି ଯିବାକୁ ନିର୍ଦେଶ ଦେବା ପଛରେ ୩୭୦ ଧାରା ଉଚ୍ଛେଦର ଅଭିସନ୍ଧି ନାହିଁ କହି ଟାଳି ଦେଇଥିଲେ । ରଜ୍ୟପାଳ ଏଭଳି ସଫେଇ ଦେବା ପରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ମେହେବୁବା ମୁଫତିଙ୍କ ସହ ସାଜିଦ ଲୋନେଙ୍କୁ ରବିବାର ନଜରବନ୍ଦୀ ରଖାଯିବା ସୂଚନା ଦିଆଯାଇଥିଲା । ହିଂସା ଆଶଙ୍କାରେ ରାଜ୍ୟର ଜମ୍ମୁ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆ ଯାଇଛି । ରାଜ୍ୟ ବାହାରର ସମସ୍ତ ଛାତ୍ରଛାତ୍ରୀ ତୁରନ୍ତ ରାଜ୍ୟ ଛାଡି ଚାଲି ଯିବାକୁ ନିର୍ଦେଶ ଦିଆଯିବା ସହ ରାଜ୍ୟରେ ମୋବାଇଲ୍ ଓ ଇଂଟରନେଟ୍ ସେବା ଅଚଳ କରି ଦିଆଯାଇଛି । ଉପତ୍ୟକାରେ ୧୪୪ ଧାରା ଜାରି କରାଯିବା, ଜନସାଧାରଣଙ୍କୁ ଘରୁ ବାହାରିବାକୁ ବାରଣ କରାଯିବା, ପ୍ରଶାସନର ଅନୁମତି ବିନା କାହାରିକୁ ପେଟ୍ରୋଲ, ଡ଼ିଜେଲ ବିକ୍ରି କରା ନ ଯିବା ପାଇଁ ତାଗିଦ ଭଳି ପଦକ୍ଷେପ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କୁ ଆତଙ୍କିତ କରିଛି । ଏଭଳି ଅସ୍ୱାଭାବିକ ପରିସ୍ଥିତିକୁ ଦେଖି ରାଜ୍ୟବାସୀ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରି ମହଜୁଦ ରଖିବା ପାଇଁ ବଜାରରେ ଲମ୍ବା ଧାଡିରେ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି ।
‘ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍-୨୦୧୯’ ସୋମବାର ସନ୍ଧ୍ୟାରେ ରାଜ୍ୟସଭାରେ ଗୃହୀତ ହେବା ଦ୍ୱାରା ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ସ୍ୱାଧୀନତାର ୭୨ ବର୍ଷ ପରେ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିଲା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ‘ଏହା ଆଉ ଏକ କଳା ଆଇନ’ ବୋଲି ବହୁ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି । କଂଗ୍ରେସ ଏହାକୁ ଅଗଣତାନ୍ତ୍ରିକ ଓ ଏକଛତ୍ରବାଦର ପରିଚାୟକ ବୋଲି କହିଛି । ଅନେକ ଏହି ବିଲ୍ କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ମସିହାରେ ଦେଶରେ ଜାରି କରିଥିବା ଜରୁରୀ ପରିସ୍ଥିତି ସହ ତୁଳନା କରିଛନ୍ତି ।ଅନ୍ୟପକ୍ଷରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଓ ଅର୍ଥ ମନ୍ତ୍ରୀ ଶାହା ମହମ୍ମଦ କୁରେଶୀ ପ୍ରତିକ୍ରିୟା ବ୍ୟକ୍ତ କରି ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ସଂପୁର୍ଣ୍ଣ ଏକପାଖିଆ ବୋଲି ଦର୍ଶାଇଛନ୍ତି । ଏହା ବିରୋଧରେ ପାକିସ୍ତାନ ଜାତିସଂଘ ଓ ଆନ୍ତର୍ଜାତିକ ଫୋରମ୍ ଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ତେବେ, ଲଦାଖବାସୀ ସ୍ୱତନ୍ତ୍ର ରାଜ୍ୟ ଘୋଷଣା ପରେ ଖୁସି । କାରଣ, ଏହା ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ଥିଲା । କେନ୍ଦ୍ର ଶାସିତ ଅଂଚଳ ଭାବେ ରାଜ୍ୟ ସମସ୍ତ ସହାୟତା ପାଇବ ବୋଲି ଲଦାଖବାସୀ ଆଶା ରଖିଛନ୍ତି । ବିଶେଷଜ୍ଞ ମତରେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବହୁ ଆଗରୁ ହେବାର ଥିଲା । ଅତୀତରେ, କଂଗ୍ରେସ ସରକାର ଅମଳରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସର୍ବଦା ସାଲିସ ରାଜନୀତି ହୋଇ ଆସିଛି । ୧୯୪୭ରେ ଶେଖ ଅବଦୁଲ୍ଲା ଜମ୍ମୁ-କଶ୍ମୀର ମହାରାଜା ହରି ସିଂହଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇତିବା ବେଳେ ପଣ୍ଡିତ ଜବାହରଲାଲ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ସେହି ସମୟରେ ଭାରତୀୟ ସମ୍ବିଧାନରେ ଏହି ୩୭୦ ଧାରା ଲେଖା ଯାଇଥିଲା । ସମ୍ବିଧାନ ପ୍ରଣେତା ଆମ୍ବେଦକର ଏହାକୁ ବିରୋଧ କରିଥିଲେ ମଧ୍ୟ ଅସ୍ଥାୟୀ ଭାବେ ରାଜ୍ୟକୁ ଏହି ସ୍ୱତନ୍ତ୍ର ଅଧିକାର ଦିଆଯିବ କହି ତାହା ଗୃହୀତ କରାଇ ନିଆ ଯାଇଥିଲା । ପରେ, ଏହି ଧାରାକୁ ଉଚ୍ଛେଦ କରିବାକୁ କେହି ସାହାସ କରି ନଥିଲେ । କେବଳ ହିନ୍ଦୁବାଦୀ ବିଜେପି ନିର୍ବାଚନ ସମୟରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ଦାବି ଉଠାଇ ହିନ୍ଦୁ ଭୋଟ ବ୍ୟାଙ୍କ ରାଜନୀତି କରୁଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରାଷ୍ଟ୍ରବାଦ’ର ଦ୍ୱାହି ଦେଇ ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ବିପୁଳ ଜନସମର୍ଥନ ପାଇ ଥିବାରୁ ପ୍ରଥମ ପଦକ୍ଷେପ ସ୍ୱରୂପ ଜମ୍ମୁ-କଶ୍ମୀରକୁ ଭାଂଗି ଦୁଇଟି ରାଜ୍ୟ କରିବା ସହ ୩୭୦ ଧାରା ଓ ୩୫ ‘କ’ ଅନୁଚ୍ଛେଦ ଉଚ୍ଛେଦ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବ ଭିତ୍ତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘କନଷ୍ଟିଚ୍ୟୁସନ୍ (ଆପ୍ଲିକେସନ୍ ଟୁ ଜମ୍ମୁ-କଶ୍ମୀର ) ଅଡର-୨୦୧୯’କୁ ଅନୁମୋଦନ ଦେଇ ତୁରନ୍ତ ଏହା ଆିନରେ ପରିଣତ କରିଛନ୍ତି ।
୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯିବା ପରେ ରାଜ୍ୟରେ ପାକିସ୍ତାନ ପ୍ରୟୋଜିତ ଆତଙ୍କରାଜ କମିବ ବୋଲି ଆଶା କରାଯାଉଥିବା ବେଳେ ପାକିସ୍ତାନର ପ୍ରତିକ୍ରିୟା ହିଂସା ବଢିବାର ଆଶଙ୍କା ସୃଷ୍ଟି କରିଛି । ତେଣୁ, କେନ୍ଦ୍ର ସରକାର ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ମୁତୟନ କରି ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଜାରି ରଖିବା ସକାଶେ ଉଦ୍ୟମ କରୁଛନ୍ତି । ସେହିଭଳି, ଲଦାଖ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ସେଠାରେ ବାରମ୍ବାର ଚୀନର ଅନୁପ୍ରବେଶ ଓ ଅସ୍ଥିରତା ସୃ୍େଟି ଉଦ୍ୟମକୁ ଫଳପ୍ରଦ ଭାବେ ରେକା ଯାଇ ପାରିବ ବୋଲି ଆଶା କରାଯାଉଛି । ପରିସ୍ଥିତି କେଉଁ ଦିଗରେ ଯିବ ତାହା ପରେ ଜଣାପଡିବ । ତେବେ, କଶ୍ମୀର ଉପତ୍ୟକାର ରାଜନେତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଓ ଜମ୍ମୁ-କଶ୍ମୀରରେ ଜରୁରୀ ପରିସ୍ଥିତି ଭଳି ପରିସ୍ଥିତି ସୃଷ୍ଟି କରାଯିବା ‘ବିରୁଡ଼ି ବସାରେ ମୁହଁ ମାରିଲା’ ଭଳି ହୋଇଛି ବୋଲି ତଥ୍ୟାଭଜ୍ଞ ମହଲରେ ଆଲୋଚନା ହେଉଛି । ଏହି ଖେଳରେ ସରକାରଙ୍କୁ ବିରୁଡ଼ି ଘାଇଲା କରିବେ କି ବିରୁଡ଼ିଙ୍କୁ ସରକାର – ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS