ଅସହାୟ କଂଗ୍ରେସ ପରିବାର..
– ପ୍ରସାଦ ରାଓ –
ଅଗଷ୍ଟ ୧୩ ତାରିଖ
କଂଗ୍ରେସ ପରିବାର କେତେ ଅସହାୟ, ତାହା ଶନିବାର ରାତିରେ ଜଣାପଡିଛି । ଦୁଇ ମାସର କସରତ ପରେ ଭାରତୀୟ ଜାତୀୟ କଂଗ୍ରେସ ପୁନର୍ବାର ଗାନ୍ଧି ପରିବାର ଶରଣକୁ ଯାଇଛି । ଏହି ପରିବାର ବିନା ଯେ କଂଗ୍ରେସରେ ସ୍ଥିରତା ନାହିଁ ତାହା ପ୍ରମାଣିତ କରିଛନ୍ତି ଦଳର ଜାତୀୟ ନେତାମାନେ । ପୁନର୍ବାର ୟୁପିଆଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଭାଗ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ମେ’୨୩ରେ ପାଇବା ପରେ ଦଳ ଏକପ୍ରକାର ନେତୃତ୍ୱଶୂନ୍ୟ ହୋଇ ଥିଲା । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ) ନିର୍ବାଚନରେ ବିପୁଳ ବିଜୟ ହାସଲ କରି କଂଗ୍ରେସକୁ ଏକ ବଡ ଝଟକା ଦେବା ପରେ ଏଆଇସିସି ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇ ଦଳକୁ ତ୍ରିଶଙ୍କୁ ଅବସ୍ଥାରେ ଛାଡି ଦେଇଥିଲେ । ମେ’ ୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀରେ ରାହୁଲଙ୍କ ଇସ୍ତଫା ଦଳରେ ହାହାକାର ସୃଷ୍ଟି କରିଥିଲା । ଯେମିତି, ଗାନ୍ଧି ପରିବାର ବିନା ସମସ୍ତେ ଅସହାୟ । ରାହୁଲ ନିର୍ବାଚନ ପରାଜୟ ପାଇଁ ନିଜକୁ ଦାୟି କରିଥିଲେ ମଧ୍ୟ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ଆଡକୁ ଆଂଗୁଠି ଉଠାଇ ଥିଲେ । ଏହି ନେତାମାନଙ୍କ ପାଇଁ ଦଳର ବିପର୍ଯ୍ୟୟ ଘଟିଲା ବୋଲି ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମଧ୍ୟ ଚେତାଇ ଦେଇଥିଲେ । ରାହୁଲଙ୍କୁ ମନାଇବା ପାଇଁ ଦଳ ଦୁଇ ମାସ ଉଦ୍ୟମ କରିବା ପରେ ପୁଅ ବଦଳରେ ମା’ଙ୍କୁ ଦଳର ମଧ୍ୟବର୍ତୀକାଳୀନ ସଭାପତି ବାଛିଚି । ଗାନ୍ଧି ପରିବାର ବାହାରେ ଦଳର ଏକକ ନେତୃତ୍ୱ ନେବା ଭଳି କେହି ସକ୍ଷମ ନେତା ନାହାନ୍ତି, ତାହା ଏହି ଦୁଇ ମାସର କସରତରୁ ଜଣାପଡିଛି ।
ପୁଅ ଅଭିମାନ କରି ଦଳର ନେତୃତ୍ୱ ଛାଡିଥିବା ବେଳେ ମା’ ଶନିବାର ରାତିରେ ଦଳର ମଧ୍ୟବର୍ତୀକାଳୀନ ସଭାପତି ହେବାରେ କିଛି ନୂତନତ୍ୱ ନାହିଁ । ପରିବାର ବାହାରୁ କାହାରିକୁ ସଭାପତି ବାଛିବାକୁ ଅଡି ବସି ଥିବା ରାହୁଲଙ୍କ ଏଥିରେ ସହମତି ରହିଛି କି ନାହିଁ ଜାଣିବାର ଅବକାଶ ନାହିଁ । ଗାନ୍ଧି-ପରିବାରରୁ କେହି ଦଳର ମୁଖ୍ୟ ହେବେ ନାହିଁ ବୋଲି ସୋନିଆ ବି କହି ଆସୁଥିଲେ । ପ୍ରିୟଙ୍କା ଭଦ୍ରା (ଗାନ୍ଧୀ)ଙ୍କୁ ଏଆଇସିସି ସଭାପତି କରିବା ସକାଶେ କଂଗ୍ରେସ ଭିତରେ ଉଠି ଥିବା ଦାବିକୁ ମା’ ଓ ପୁଅ ଦୁଇ ମାସ ଧରି ଏଡାଇ ଆସିବା ପରେ ସୋନିଆ ସଭାପତି ଦାୟିତ୍ୱ ନେବା ଦଳୀୟ ନେତାଙ୍କ ସମର୍ପଣ ଭାବକୁ ପ୍ରମାଣିତ କରିଛି । ଦଳରେ ନେତା ଥିଲେ ବି ଏକକ ନେତୃତ୍ୱ ନେଲା ଭଳି ନେତା ନାହାନ୍ତି । ତେଣୁ, ଗାନ୍ଧି ପରିବାର ହିଁ ଦଳକୁ ଏକାଠି ରଖି ପାରିବେ ଏବଂ ବିଜେପି ଆଡୁ ଦେଖା ଦେଇଥିବା ଚ୍ୟାଲେଂଜର ମୁକାବିଲା କରି ପାରିବେ, ଏଭଳି ଏକ ଧାରଣା ସୃଷ୍ଟି କରିବାରେ ସୋନିଆ ସଫଳ ହୋଇଛନ୍ତି, ଏଥିରେ କିଛି ସନ୍ଦେହ ନାହିଁ । ତେବେ, ନୂଆ ବୋତଲରେ ପୁରୁଣା ମଦ ଦଳକୁ କେତେଦୂର ଆଗକୁ ନେଇ ପାରିବ, ତାହା ହେଉଛି ଆଜିର ପ୍ରଶ୍ନ ।
ବାସ୍ତବିକତା ଦେଖିଲେ, କଂଗ୍ରେସରେ କେବେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନ ଥିଲା । ଏବେ ବି ନାହିଁ । ହାଇକମାଣ୍ଡ୍ ସର୍ବସ୍ୱ ଏହି ଦଳ ସବୁ କଥାରେ କେନ୍ଦ୍ର ନେତୃତ୍ୱର ସବୁଜ ସଂକେତକୁ ଅପେକ୍ଷା କରେ । ସୀତାରାମ କେଶରୀ ହୁଅନ୍ତୁ ବା ପିଭି ନରସିଂହ ରାଓ ଗାନ୍ଧି ପରିବାର ବାହାରୁ ସଭାପତି ଥିବା ବେଳେ କିଭଳି ହିନସ୍ତା ହୋଇଛନ୍ତି ତାହା ଦେଶବାସୀ ଜାଣନ୍ତି । ହାଇକମାଣ୍ଡଙ୍କ ନିୟନ୍ତ୍ରଣ ବାହାରକୁ ଯିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ମୃତ୍ୟୁ ପରେ ବି ସୋନିଆଙ୍କ ଆକ୍ରୋଶରୁ ମୁକ୍ତି ପାଇ ନ ଥିଲେ । ଓଡ଼ିଶାର କଂଗ୍ରେସ ରାଜନୀତି ଆମେ ଦେଖିଛେ । ପୂବର୍ତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ଦଳରେ ପ୍ରଭାବଶାଳୀ ଥିଲେ ମଧ୍ୟ ହାଇକମାଣ୍ଡଙ୍କ ନିକଟରେ ନତମସ୍ତକ ହୋଇ ରହୁଥିଲେ । ଦିଲ୍ଲୀ ଯାଇ ଦଳର ସଭାପତିଙ୍କୁ ଭେଟିବାକୁ ହେଲେ ଉପହାର ଧରି ଏକାଧିକ ଦିନ ଅପେକ୍ଷା କରିବାକୁ ପଡୁ ଥିଲା । ମାତ୍ର ୫/୧୦ ମିନିଟ ସାକ୍ଷାତ ସମୟ ପାଇଲେ ନେତା କୃତ୍ୟକୃତ୍ୟ ହୋଇ ଓଡ଼ିଶା ଭବନରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ବଢେଇ ଚଢେଇ ହାଇକମାଣ୍ଡଙ୍କ ସହ ସାକ୍ଷତକାରର ବିବରଣୀ ଦେଉଥିଲେ । ପଟ୍ଟନାୟକଙ୍କ ଭଳି ନେତା ଅନେକ ସମୟରେ ହାଇକମାଣ୍ଡଙ୍କ ଭେଟ ନ ପାଇ ଫେରିବା ନଜିର ମଧ୍ୟ ରହିଛି । ବେଳେ ବେଳେ ଦଳର ଦୁଇ ନମ୍ବର ନେତା ହାଇକମାଣ୍ଡଙ୍କୁ ସନ୍ତୁଷ୍ଟ କରି ରାଜ୍ୟ ରାଜନୀତିରେ ଭୂକଂପ ସୃଷ୍ଟି କରିଛନ୍ତି । ସନ୍ତୁଷ୍ଟ-ଅସନ୍ତୁଷ୍ଟଙ୍କ ଲଢେଇରୁ ଫାଇଦା ନିଅନ୍ତି ଦଳର ହାଇକମାଣ୍ଡ୍। ଦିଲ୍ଲୀ ଦରବାରରେ ତାଳିପକା କାମ ହୋଇ ଦଳ ଚାଲେ । ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଏହି ପରଂପରା ରହିଛି । ସୋନିଆ ଓ ରାହୁଲ ଗାନ୍ଧୀ ତାହାକୁ ବଜାୟ ରଖିଛନ୍ତି ।
ତେବେ, ୨୦୧୮ରେ ରାହୁଲ ଗାନ୍ଧୀ ଏଆଇସିସି ସଭପତି ହେବା ପରେ ଯୁବ ଶକ୍ତିର ପୁନର୍ବିନ୍ୟାସ ହୋଇ କଂଗ୍ରେସରେ ନୂତନ ଆଶାର ସଂଚାର ହୋଇଥିଲା । ଦଳ ଅନ୍ତତଃ ଋଢିବାଦୀ ପରଂପରାରୁ ଉପରକୁ ଉଠି କାର୍ଯ୍ୟ କରିବ ବୋଲି ସମସ୍ତେ ଆଶା କରିଥିଲେ । ଦଳରେ ଥିବା ଯୁବ ନେତାମାନେ ରାହୁଲଙ୍କ ନେତୃତ୍ୱରେ ଆଭ୍ୟନ୍ତରିଣ ଗଣତନ୍ତ୍ରର ସ୍ଥାପନା କରିବେ ବୋଲି ଆଶା ଥିଲା । ତେବେ, ପରବର୍ତୀ ଅବସ୍ଥାରେ ତାହା ଭୁଲ ପ୍ରମାଣିତ ହୋଇଛି । ରାହୁଲ ହାଇକମାଣ୍ଡ ସଂସ୍କୃତିକୁ ଅଧିକ ସୁଦୃଢ କରିଥିବା ବେଳେ ଏହାର ଆଢୁଆଳରେ ରହି ଦଳକୁ ନିଜ କବଜାରେ ରଖିଥିବା ନେତାମାନେ ରାଜୁତି କରି ଆସିଛନ୍ତି । ପୁରୁଖା ନେତାମାନେ ଯୁବକଙ୍କ ହାତରେ କ୍ଷମତା ଦେଖି ନିଜ କ୍ଷମତା ସଂକୁଚିତ ହେବା ଭୟରେ ଦଳରେ ଅସ୍ଥିର ସୃଷ୍ଟି କରିବାକୁ ପଛାଇ ନାହାନ୍ତି । ୨୦୧୮ ଶେଷ ଭାଗରେ ଅନୁଷ୍ଠିତ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନରେ ରାହୁଲ ନିଜ ଅନୁଗାମୀ ଯୁବ ନେତାଙ୍କୁ ନେଇ ନିର୍ବାଚନ ପରିଚାଳନା କରିଥିଲେ । କିନ୍ତୁ, ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବରିଷ୍ଠ ଓ ଯୁବ ନେତାଙ୍କ ମଧ୍ୟରେ ଲଢେଇ ଦେଶବାସୀଙ୍କ ଆକିରେ ଅଛପା ରହିଲା ନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜେଶ ପାଇଲଟଙ୍କ ଭଳି ରାହୁଲ-ଅନୁଗତ ଧୁଳି ଚାଟିଲେ । କମଳନାଥ ଓ ଅଶୋକ ଗେହେଲଟ ଥଣ୍ଡା ବାକ୍ସରୁ ବାହାରି ଆସି ମୁଖ୍ୟମନ୍ତ୍ରୀ ଆସନରେ ବସିଲେ । ରାହୁଲ ଏହା ଅନୁଭବ କଲେ ମଧ୍ୟ କୌଣସି ଅଦୃଶ୍ୟ ଶକ୍ତିର ଇଂଗିତରେ ନିଜ ଅନୁଗାମୀଙ୍କୁ ସନ୍ତୁଷ୍ଟ କରି ପାରିଲେ ନାହିଁ ।
ସେହି ଲଢେଇ ଆଜି ମଧ୍ୟ ଚାଲିଛି । ଗାନ୍ଧି ପରିବାର ବାହାରୁ କାହାରିକୁ ଜାତୀୟ କଂଗ୍ରେସ ସଭାପତି କରାଯିବାକୁ ରାହୁଲ ଅଡି ବସିବାରୁ ଦୁଇ ମାସ ହେଲା କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ ଚାପରେ ଥିଲା । ଦଳର ମଧ୍ୟବର୍ତୀକାଳୀନ ସଭାପତି ପଦ ପାଇଁ ପୁରୁଣା ଓ ନୂଆ ପିଢି ନେତାଙ୍କ ମଧ୍ୟରେ ଯେଭଳି ମୁହାଁମୁହିଁ ପରିସ୍ଥିତି ହେଲା ସେଥିରୁ ବର୍ତିବା ପାଇଁ ଜାତୀୟ କାର୍ଯ୍ୟକାରିଣୀ ଗାନ୍ଧି ପରିବାରର ଶରଣ ପଶିଲା । ସୋନିଆ ଇଚ୍ଛା ଥାଉ ବା ନ ଥାଉ ଦ୍ୱିତୀୟ ଥର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ଦାୟିତ୍ୱ ନେଇଛନ୍ତି । ଏହା ମଧ୍ୟବର୍ତୀକାଳୀନ ନିଯୁକ୍ତି ଏବଂ ଆଗାମୀ ଦିନରେ ସାଂଗଠନିକ ନିର୍ବାଚନ ହୋଇ ନୂତ ସଭାପତି ଚୟନ କରାଯିବ ବୋଲି ଯାହା କୁହା ଯାଉଛି ତାହା କେବଳ ଧୂଆଁବାଣ । ଗାନ୍ଧି ପରିବାରର ନେତୃତ୍ୱ ବିନା ଦେଶରେ କଂଗ୍ରେସ ବହୁ ଭାଗରେ ବିଭାଜିତ ହୋଇଯିବ ଏବଂ ଦଳକୁ ଆଉ ସାଉଁଟିବା ସମ୍ଭବ ହେବ ନାହିଁ ବୋଲି କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀର ମତ ଅସତ୍ୟ ନୁହେଁ । ତେବେ, ପରିବାରବାଦରୁ ହଟି ଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମିଳିଥିବା ଏକ ବଡ ସୁଯୋଗକୁ ଏଆଇସିସି ହାତଛଡା କରିଛି ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି, ରାହୁଲ ଏଆଇସିସି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସର ପୁରୁଣା ଓ ନୂଆ ପିଢି ଭିତରେ ବର୍ଷେ ହେଲା ଅନ୍ତଃକନ୍ଦଳ ରହିଛି, ତାହା ସୋନିଆ କଣ ଜାଣି ନ ଥିଲେ? ସେ ତାଙ୍କ ଅନୁଗତମାନଙ୍କୁ ଶୃଙ୍ଖଳିତ କରି ପାରି ଥା’ନ୍ତେ । କିନ୍ତୁ, ତାହା ନ କରି ବିଶୃଙ୍ଖଳାକୁ ପ୍ରୋତ୍ସାହିତ କଲେ । ଦଳର ଯୁବ ନେତାମାନେ ବିଭିନ୍ନ ନିର୍ବାଚନ ସମୟରେ ପରିଶ୍ରମ କରୁଥିବା ବେଳେ ବରିଷ୍ଠ ନେତାମାନେ ଦଳର କ୍ଷତି କଲା ଭଳି ବିବୃତିମାନ ଦେଇ ଅଡୁଆ ସୃଷ୍ଟି କରୁଥିଲେ । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଭଳି ନେତାମାନେ ଯୁବ ପିଢିକୁ ଭରସା ନ କରି ପ୍ରତିଦ୍ୱନ୍ଦ୍ୱୀ ଭଳି ଆଚରଣ କଲେ । ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଦଳର ନେତୃତ୍ୱରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଭଳି ଚତୁର ନେତାଙ୍କ ମୁକାବିଲା କରୁଥିବା ବେଳେ ବରିଷ୍ଠ ନେତାମାନେ ନିଜ ନିଜ ସ୍ୱାର୍ଥରେ ମାତି ଥିଲେ ବୋଲି ରାହୁଲ ନିଜେ ଅଭିଯୋଗ କରିଛନ୍ତି । ସାଧାରଣ ନିର୍ବାଚନ ପଳାଫଳ ପ୍ରକାଶ ପାଇବା ପରେ ମେ’୨୫ରେ ଅନୁଷ୍ଟିତ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀରେ ରାହୁଲ ମୁକ୍ତ କଂଠରେ ଏହି ଅଭିଯୋଗ କରିବା ସହ ପି. ଚିଦମ୍ବରମ୍, କମଳନାଥ, ଗେହେଲଟଙ୍କ ଭଳି ବରିଷ୍ଠ ନେତାଙ୍କୁ ଆଂଗୁଠି ଦେଖାଇ ଥିଲେ । ତଥାପି, ସୋନିଆ ନୀରବ ରହିବା ଏବଂ ଏହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ରାହୁଲଙ୍କ ମତକୁ ଗୁରୁତ୍ୱ ନ ଦେବା କାରଣ କଣ ହୋଇପାରେ ?
ଅଭିଜ୍ଞତା ଦୃଷ୍ଟିରୁ ରାହୁଲ କଂଚା । ତେଣୁ, ୨୦୧୯ ସାଧାରଣ ନିର୍ବାଚନକୁ ଠିକ୍ ବାଟରେ ପରିଚାଳନା କରି ପାରି ନ ଥିଲେ । ଏକସିଙ୍ଗା ହୋଇ ସେ ଦଳର ନିର୍ବାଚନ ପରିଚାଳନା କରୁଥିବା ବେଳେ ବରିଷ୍ଠ ନେତାମାନେ ତାଙ୍କୁ ଦିଗ୍ଦର୍ଶନ ଦେବା ବଦଳରେ ନିଜ ସ୍ୱାର୍ଥକୁ (ରାହୁଲଙ୍କ ଅଭିଯୋଗ ମୁତାବକ) ପ୍ରାଧାନ୍ୟ ଦେଇଥିଲେ । ଏହା ମଧ୍ୟ ସତ୍ୟ ଯେ, ରାହୁଲଙ୍କୁ ଦେଶବାସୀ ଭରସାକୁ ନେଇ ନ ଥିଲେ । ଅନଭିଜ୍ଞତା ଓ ଅସ୍ଥିର ଚିତ୍ତ ପାଇଁ ସେ ସମାଲୋଚିତ ହେଉଥିଲେ । ବିଶେଷକରି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗେରୁଆ ବାହିନୀର ଏକମାତ୍ର ଟାର୍ଗେଟ୍ ଥିଲେ ରାହୁଲ । ସେତେବେଳ ମା’ ସୋନିଆ ଗାନ୍ଧୀ ବା କଂଗ୍ରେସର ଅନ୍ୟ କୌଣସି ବରିଷ୍ଠ ନେତା ରାହୁଲଙ୍କ ମନୋବଳ ବଢାଇ ଥିଲେ କି ? ରାହୁଲଙ୍କ ସବୁଠାରୁ ଭଲ ପ୍ରଦର୍ଶନ ଥିଲା ଗୁଜରାଟ ବିଧାନସଭା ନିର୍ବାଚନ ପରିଚାଳନାରେ । ନିଜ ଅନୁଗତଙ୍କୁ ନେଇ ସେ ମୋଦୀ-ଶାହାଙ୍କ ମିଳିତ ଆକ୍ରମଣର ସାମନା କରୁଥିବା ବେଳେ ମଣିଶଙ୍କର ଆୟାରଙ୍କ ଭଳି ବରିଷ୍ଠ ନେତାମାନେ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ରାହୁଲଙ୍କୁ ଅଡୁଆରେ ପକାଇ ଥିଲେ । ତେବେ, ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଉତ୍ସାଜନକ ଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ଫଳାଫଳ କଲା ନାହିଁ । ତଥାପି, ପୁରୁଣା ତ୍ରୁଟୀ ସୁଧାରି ରାହୁଲ ଏକୁଟିଆ ସରକାର ଗଠନ କରିବା ପାଇଁ ସକ୍ଷମ ନ ଥିବା ଦଳକୁ ଜେଡ଼ିଏସ୍ ସହାୟତାରେ ସରକାରରେ ବସାଇ ଥିଲେ । ତେବେ, ସେଠାକାର ଅଭିଜ୍ଞ କଂଗ୍ରେସ ନେତାମାନେ ନିଜ ଭିତରେ ଲଢେଇରେ ମାତି ବର୍ଷକର ମେଂଟ ସରକାରର ପତନ ଘଟାଇଲେ ।
୨୦୧୮ ନଭେମ୍ବର/ଡ଼ିସେମ୍ବରରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଂଟାକୁ କଂଟାର ଲଢେଇ ହୋଇଥିଲା । ବିଜେପିର ଧୂରିଣ ନେତାଙ୍କୁ ପଛରେ ପକାଇ କଂଗ୍ରେସ ସେସବୁ ରାଜ୍ୟରେ କ୍ଷମତାକୁ ଫେରିଲା । ୨୦୧୯ ସାଧାରଣ ନିର୍ବାଚନର ମଧ୍ୟ ତାହାର ପୁନରାବୃତ୍ତି ଘଟି ପାରେ ବୋଲି କଂଗ୍ରସ ସମର୍ଥକମାନେ ଆଶା କରିଥିଲେ । କିନ୍ତୁ, ଭୋଟ ହେବାର ଦୁଇ ମାସ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ସଂପୂର୍ଣ୍ଣ ଚିତ୍ରକୁ ବଦଳାଇ ଦେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡା ନ କରି ‘ରାଷ୍ଟ୍ରବାଦ’ର ବ୍ରାଣ୍ଡ୍ ଆମ୍ବାସଡର୍ ହୋଇ ଗଲେ । ଭାରତୀୟ ଜନତା ମଧ୍ୟ ସେଥିରେ ପ୍ରଭାବିତ ହୋଇ ଏକମୁହାଁ ବିଜେପିକୁ ଭୋଟ ଦେଲେ । ତେବେ, କଂଗ୍ରେସ ୨୦୧୪ରେ (ସୋନିଆ ସଭାପତି ଥିବା ସମୟରେ) ଲୋକସଭାରେ ୪୪ ଆସନ ଜିତି ଥିବା ବେଳେ ୨୦୧୯ରେ ୪୬ ଆସନ ଜିତିଛି । ପୁରୁଣା ପିଢି ନେତାମାନେ ରାହୁଲଙ୍କୁ ବଧେଇ ଦେବା ବଦଳରେ ସଭାପତି ପଦ ଛାଡିବାକୁ ଏକପ୍ରକାର ବାଧ୍ୟ କରିଛନ୍ତି । କାରଣ, ସୋନିଆ ଚାହିଁ ଥିଲେ ରାହୁଲଙ୍କୁ ଏଆଇସିସି ସଭାପତି ପଦରେ ରହିବାକୁ ପ୍ରବର୍ତାଇ ପାରି ଥା’ନ୍ତେ । ତାହା ହୋଇ ନ ଥିବା ହିଁ ରହସ୍ୟ ହୋଇଛି ।
ଭାରତୀୟ ଜାତୀୟ କଂଗ୍ରେସର ଆଉ ଏକ ବାସ୍ତବିକତା ହେଉଛି, ସୋନିଆ ଗାନ୍ଧୀ ୨୦ ବର୍ଷ ଏଆଇସିସି ସଭାପତି ଥିବା ସମୟରେ ହିଁ କଂଗ୍ରେସର ଦୁର୍ଦ୍ଦଶା ଆରମ୍ଭ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଗାନ୍ଧି-ପରିବାରରୁ କେହି ପ୍ରଧାନମନ୍ତ୍ରୀ ହେବା ସୁଯୋଗ ପାଇ ନାହାନ୍ତି । ଏହି ସମୟ ଖଣ୍ଡରେ ଦେଶ ଏକ ରାଜନୈତିକ ପରିବର୍ତନ ଚାହିଁ ଥିଲା । ବିଜେପିର ପ୍ରତିଷ୍ଠାତା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୨୦୦୦ରୁ ୨୦୦୪ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା ହୋଇ ଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ‘ବିକାଶ’କୁ ପ୍ରାଧାନ୍ୟ ଦେଇ ସରକାର ସଂଚାଳନ କରିଥିଲେ । ସେହି ସମୟରେ ଦେଶ ବାସ୍ତବରେ ‘ବିକାଶ’ କଣ, ତାହା ଦେଖିଛି । କିନ୍ତୁ, ୨୦୦୪ ନିର୍ବାଚନରେ ବାଜପେୟୀଙ୍କୁ କ୍ଷମତାକୁ ଫେରିବାରେ ତାହା ସହାୟକ ହୋଇ ନ ଥିଲା । ଅପରପକ୍ଷରେ, ଦେଶବାସୀ ଏନଡ଼ିଏକୁ ହଟାଇ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ପ୍ରତିଷ୍ଠା କରିଥିଲେ । ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ସୁଯୋଗ ପାଇ ମଧ୍ୟ ‘ବିଦେଶୀନୀ’ ଭାବମୂର୍ତୀ ପାଇଁ ଦଳରେ ବିରୋଧର ସମ୍ମୁଖୀନ ହୋଇ ଡ. ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ । ସେନିଆ ପ୍ରଧାନମନ୍ତ୍ରୀ ହେବା ସୁଯୋଗକୁ ଉପେକ୍ଷା କରି ଦେଶ ସାମନାରେ ‘ଉତ୍ସର୍ଗର ମୂର୍ତୀ’ ହୋଇଥିବା ବେଳେ ୨୦୦୪ରୁ ୨୦୧୪ ୟୁପିଏ ସରକାର ବାସ୍ତବରେ ତାଙ୍କ ପ୍ରତ୍ୟକ୍ଷ ଇଂଗିତରେ ପରିଚାଳିତ ହେଉଥିଲେ । ଏହି ୧୦ ବର୍ଷରେ ଦେଶରେ ସର୍ବାଧିକ ବଡ଼ ଧରଣର ଦୁର୍ନୀତି ଓ ପ୍ରୟାପ୍ରିତି ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ସିଂହ ନାମକୁ ମାତ୍ର ଶାସନ ମୁଖ୍ୟ ଥିଲେ । ସୋନିଆ ତାଙ୍କୁ ‘ମଉନ ମୁହାଁ’ ଉପାଧି ଦିଆଇ ନିଜେ ଅନୁଗତଙ୍କୁ ଧରି ସରକାର ଚଳାଉ ଥିଲେ ।
ଲଗାମଛଡା ଦୁର୍ନୀତି ଓ ପ୍ରିୟାପ୍ରିତି ମନମୋହନ ସିଂହ ସରକାରଙ୍କୁ ତଳିତଳାନ୍ତ କରିଥିବା ବେଳେ ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏହି ଜନଅସନ୍ତୋଷକୁ ନିଜ ସପକ୍ଷରେ ଭୋଟରେ ରୂପାନ୍ତରିତ କରିବାରେ ସକ୍ଷମ ହୋଇଥିଲା । ଦେଶରେ ଗୁଜରାଟ ଢାଂଚାରେ ବିକାଶ ହେବା ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ପ୍ରତିଶ୍ରୁତିରେ ମୋଦୀ ଏନଡ଼ିଏକୁ କ୍ଷମତାକୁ ଆଣି ଥିଲେ । କିନ୍ତୁ, ମୋଦୀଙ୍କ ପ୍ରଥମ ପାଳି ସରକାର ‘ବିକାଶ’କୁ ପଛରେ ପକାଇ ଦେଶରେ ଅର୍ଥନୈତିକ ସୁଧାର ଆଣିବା ନାମରେ ଯେଭଳି ଚାଷି, ବେକାର ଯୁବକ, ଯୁବତୀ ଓ ଛୋଟ, ବଡ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଉପେକ୍ଷା କଲେ ତାହା ୨୦୧୯ ନିର୍ବାଚନ ବେଳକୁ ବିଜେପି ବିରୋଧୀ ଜନଅସନ୍ତୋଷର ରୂପ ନେଇ ସାରି ଥିଲା । ରାହୁଲ ଗାନ୍ଧୀଙ୍କ ପ୍ରତି ଜନସାଧାରଣରେ ଆସ୍ଥା କମ୍ ଥିଲେ ମଧ୍ୟ ଏକ ପରିବର୍ତନର ସମ୍ଭାବନାକୁ ନେଇ କଂଗ୍ରେସ ନିର୍ବାଚନ ପରିଚାଳନା କରିଥିଲା । ପ୍ରାରମ୍ଭରେ ରାହୁଲଙ୍କ ପ୍ରଦର୍ଶନ ଦେଶବାସୀଙ୍କୁ ଆକର୍ଷିତ କରିଥିଲା । କିନ୍ତୁ, ପରେ ସେ ବିଜେପିକୁ ଅନୁସରଣ କରିବାକୁ ଯାଇ ସମାଲୋଚନାର ଶରବ୍ୟ ହୋଇଥିଲେ । ୨୦୧୯ ଫେବୃୟାରୀ ପୁଲୱାମାରେ ନିରାପତ୍ତା ବଳ ଉପରେ ଆତଙ୍କୀ ଆକ୍ରମଣ ଏବଂ ପ୍ରଧାନମନ୍ତ୍ରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦେଶଭକ୍ତିର ଚରମସ୍ତରରେ ପହଂଚି ଜନମତକୁ ପ୍ରଭାବିତ କଲା ଏବଂ ରାହୁଲ ବିଜେପିକୁ ପରାଜିତ କରିବା ଉଦ୍ୟମରେ ବିଫଳ ହେଲେ ।
ଏସବୁ କହିବା ଉଦେ୍ଦଶ୍ୟ ହେଉଛି, ୟୁପିଏ ଅଧ୍ୟକ୍ଷା ଥିବା ଶ୍ରୀମତୀ ସୋନିଆ ଗାନ୍ଧୀ ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ଏଆଇସିସି ସଭାପତି ଥାଇ ଏବଂ ଦୀର୍ଘ ୧୦ ବର୍ଷ କାଳ ୟୁପିଏ ସରକାରର ମଙ୍ଗ ଧରି ମଧ୍ୟ କଂଗ୍ରେସକୁ ଦେଶବାସୀଙ୍କ ବିଶ୍ୱାସଭାଜନନ କରି ପାରି ନ ଥିଲେ । ରାହୁଲ ମାତ୍ର ୨୦ ମାସ ସଭାପତି ରହି ନିଜର ବିଫଳତା ପାଇଁ ସଭାପତି ପଦ ଛାଡିଛନ୍ତି । କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀ ପରିବାରବାଦର ବିକଳ୍ପ ଖୋଜିବା ସୁଯୋଗ ପାଇ ମଧ୍ୟ ୨୦ ମାସ ପରେ ପୁନର୍ବାର ସୋନିଆ ଗାନ୍ଧୀଙ୍କୁ ଦଳର ମଧ୍ୟବର୍ତୀ ସଭାପତି ଭାବେ ଗ୍ରହଣ କରିଛି । ଏହାକୁ ବିଡ଼ମ୍ବନା କୁହାଯିବ ନା ସୁଯୋଗ ? ସୋନିଆ ଅସୁସ୍ଥ, ଏକଥା ଦେଶବାସୀ ଜାଣନ୍ତି । ବିଜେପିର ଧୂରିଣ ନେତା ମୋଦୀ-ଶାହା ଯୋଡି ୨୦୨୪କୁ ଆଖିରେ ରଖି ପ୍ରସ୍ତୁତି ଆରମ୍ଭ କଲେଣି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫ ‘କ’କୁ ଉଚ୍ଛେଦ ଏହାର ଜ୍ୱଳନ୍ତ ଉଦାହରଣ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସରକାର ବ୍ୟଗ୍ର । ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ପାକିସ୍ତାନ ଠାରୁ ଛଡାଇ ଆଣି ଭାରତରେ ମିଶାଇବା ଅଭିଯାନ ଆରମ୍ଭ ହେଲାଣି । ମୋଦୀ ସରକାର ହିଁ ଏସବୁ କାର୍ଯ୍ୟ କରି ପାରିବେ ବୋଲି ଦେଶବାସୀ ବିଶ୍ୱାସ କରୁଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ପ୍ରତି ଭାରତୀୟ ଜନସାଧାରଣରେ ଆସ୍ଥା ଫେରାଇ ଆଣିବାରେ ସୋନିଆ କେତେଦୂର ସକ୍ଷମ ହେବେ, ତାହା ପ୍ରଶ୍ନବାଚୀ ହୋଇଛି । ଏସବୁ ଜାଣି ସୁଦ୍ଧା କଂଗ୍ରେସ ଗାନ୍ଧି-ପରିବାରର କାନି ଛାଡି ନ ଥିବା ମାତ୍ରାଧିକ ଆନୁଗତ୍ୟ ନୁହେଁ କି ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS