ବିରୋଧୀଙ୍କ ଟାର୍ଗେଟ୍ ରେ କିଏ ? ମୁଖ୍ୟମନ୍ତ୍ରୀ ନା ତୃତୀୟ ମହଲା ??
– ପ୍ରସାଦ ରାଓ –
ଅକ୍ଟୋବର ୨୩
ଗଲା ଏକ ସପ୍ତାହ ହେଲା ରାଜ୍ୟର ବିରୋଧୀ ଶିବିର ଓ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପଂଚାୟତର ପିଇଓ (ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) ସ୍ୱର୍ଗତା ସ୍ମିତାରାଣୀ ବିଶ୍ୱାଳ । ୧୬ ତାରିଖ (ବୁଧବାର) ପୂର୍ବାହ୍ନରେ ପଂଚାୟତର ଚାରିବାଟିଆ ଓ ସୁଭଦ୍ରାପୁରରେ ଭତ୍ତା ବାଂଟିବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ଅପରାହ୍ନରେ ପଂଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ଅତିଥି ଭବନରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହି ଅତିଥି ଭବନଟି ହେଉଛି ଶାସକ ଦଳର ଜଣେ ମହିଳା ସରପଂଚଙ୍କ ସ୍ୱାମୀଂକର । ‘ରଂଗଶାଳା’ ଭାବେ ଗଣମାଧ୍ୟମରେ କୁଖ୍ୟାତି ଅର୍ଜନ କରି ସାରିଥିବା ଏହି ଅତିଥି ଭବନର ଉପର ମହଲାରେ ଥିବା ଗୋଟିଏ କୋଠରୀରୁ ଝୁଲନ୍ତା ଅବସ୍ଥାରେ ସ୍ମିତାରାଣୀଙ୍କ ମରଶରୀର ଉଦ୍ଧାର ହୋଇଥିଲା ଏବଂ ଧର୍ମଶାଳା ଡାକ୍ତରଖାନାରେ ବିଧିବଦ୍ଧ ଭାବେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସ୍ମିତାରାଣୀ ଭତ୍ତା ବାଂଟିବା କାମ ସାରିବା ପରେ ରଂଗଶାଳାକୁ ଯାଇଥିଲେ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ପ୍ରରୋଚନାରେ । ତେଣୁ, ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ହୋଇଥାଉ ବା ଏକ ସୁପରିକଳ୍ପିତ ହତ୍ୟା ହୋଇଥାଉ, ଘଟଣାର ମୁଖ୍ୟ ସନ୍ଦିଗ୍ଧ ରୂପେଶ ହେବା ସ୍ୱାଭାବିକ ।
ଘଟଣାଟି କେବଳ ଆତ୍ମହତ୍ୟା ବା ହତ୍ୟାରେ ସୀମିତ ଥିଲେ ବୋଧହୁଏ ବିରୋଧୀ ବା ଗଣମାଧ୍ୟମ ଏତେ ହୋ’ହାଲ୍ଲା କରି ନ ଥା’ନ୍ତେ । ଦିନେ ଦୁଇ ଦିନ ହୋ’ହାଲ୍ଲା କରି ନିରବ ରହିଥା’ନ୍ତେ । ତେବେ, ଘଟଣାଟି ଶାସକ ଦଳର ଜଣେ ମହିଳା ସରପଂଚଙ୍କ ପ୍ରଭାବଶାଳୀ ସ୍ୱାମୀଙ୍କ ଅୟାସୀକୁ ନେଇ ହୋଇଥିବାରୁ ଏବଂ ପୁଲିସ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ‘ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା’ ଭଳି ଏକ ଦଫାରେ ଗିରଫ କରି ଗିରଫ କରି ଜେଲକୁ ପଠାଇବା ସହ ମାମଲା ରଫାଦଫା କରି ଦେବାକୁ ଉଦ୍ୟମ କରୁଥିବାରୁ ବିରୋଧୀ ଓ ଗଣମାଧ୍ୟମ ଏକାଠି ହୋଇ ସରକାରଙ୍କୁ ଘେରିବା ଉପକ୍ରମ କରିଛନ୍ତି । ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ଏକ ଅସ୍ୱାଭାବିକ ବୟାନ ମଧ୍ୟ ନିଆଁରେ ଘିଅ ଢାଳିଛି । ସ୍ୱିତାରାଣୀଙ୍କ ସହ ରୂପେଶଙ୍କ ଘନିଷ୍ଟ ସଂପର୍କ ଥିଲା ବୋଲି ପୁଲିସ ଏସପି ମୀନା ଆରମ୍ଭରୁ ଗଣମାଧ୍ୟମରେ ବିବୃତି ଦେଇ ବିବଦମାନ ହୋଇପଡିଥିବା ବେଳେ ଘଟଣା ସଂପର୍କରେ ସରକାର ନିରବ ରହିବା ଘଟଣାକୁ ଅଧିକ ରହସ୍ୟମୟ କରିଛି । ଏସପି ମୀନା ରୂପେଶଙ୍କୁ ବଂଚାଇବାକୁ ଯାଇ ଏଭଳି ବିବୃତି ଦେଇଛନ୍ତି ନା ତୃତୀୟ ମହଲାର ଇଂଗିତରେ ଏଭଳି ଏକ ତରବରିଆ ବିବୃତି ଦେଇ ଘଟଣାକୁ ଅଧିକ ରହସ୍ୟମୟ କରିଛନ୍ତି, ତାହା ଏବେ ତର୍ଜମାର ବିଷୟ ହୋଇଛି ।
ରାଜ୍ୟ ସରକାରଙ୍କ ତୃତୀୟ ମହଲା କହିଲେ ସାଧାରଣତଃ ବୁଝାଇ ଥାଏ ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଘନିଷ୍ଟ ସହଯୋଗୀମାନଙ୍କ କାର୍ଯ୍ୟାଳୟକୁ । ଉଭୟ ସରକାରୀ ବାବୁ ଓ ଶାସକ ଦଳର ପ୍ରଭାବୀ ନେତା ଏହି ତୃତୀୟ ମହଲାର ଅଂଶ । ମୁଖ୍ୟମନ୍ତ୍ରୀଙ୍କ ୫ଟି ଠାରୁ ଆରମ୍ଭ କରି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ସେହିଠାରୁ ନିୟନ୍ତ୍ରିତ ହୋଇଥାଏ । ତୃତୀୟ ମହଲା ବା ଥାର୍ଡ ଫ୍ଲୋର୍ ରେ ଯାଜପୁର ଜିଲ୍ଲାର ଦବ୍ଦବା କାହାକୁ ବା ଅଛପା ! ଘଟଣାଟି ଯାଜପୁର ବିଧାୟକ ବବି ଦାସ ଓ ବଡ଼ଚଣା (ଧର୍ମଶାଳା) ବିଧାୟକ ଅମର ଶତପଥୀଙ୍କ ଅଂଚଳର ହୋଇ ଥିବାରୁ ରାଜ୍ୟ ପୁଲିସ ପ୍ରଶାସନ ତୃତୀୟ ମହଲାର ଆଖିଠାରକୁ ଅପେକ୍ଷା କରିବା ସ୍ୱାଭାବିକ । ଯାଜପୁର ଏସପି ମୀନାଙ୍କ ତରବରିଆ ବିବୃତିରୁ ଏହି ଆଭାସ ମିଳୁଛି । ଭଦ୍ର କୁଜି ନେତା ହୋଇଥିଲେ ମଧ୍ୟ ବଡବଡିଆଙ୍କ ସହ ତାଙ୍କର ସଂପର୍କ ରହିଛି । ଚା’ବେପାରୀରୁ କଂଟ୍ରାକ୍ଟର ଓ କୋଟିପତି ହେବା ସହ ସରକାରୀ ଜମି ମାଡି ବସି ସେଠାରେ ବେଆଇନ ଭାବେ ନିଜର ରଂଗଶାଳା ନିର୍ମାଣ କରିବା ଏବଂ ବଡବଡିଆଙ୍କୁ ସେଠାରେ ଆପ୍ୟାୟିତ କରିବାର ଯେଉଁ ପରଂପରା ରୂପେଶ ଭଦ୍ରା ଚଳାଇ ଆସିଥିଲେ ତାହା ଏବେ ସ୍ମିତାରାଣୀ ଆତ୍ମହତ୍ୟା (ହତ୍ୟା?) ଘଟଣା ପରେ ପଦାକୁ ଆସିଛି । ବିରୋଧୀ ରୂପେଶ ଭଦ୍ରାକୁ ଟାର୍ଗେଟ କରିବା ବାହାନାରେ ତୃତୀୟ ମହଲାକୁ ଟର୍ଗେଟ୍ କରିଛନ୍ତି । ତେବେ, ସେମାନଙ୍କ ଟାର୍ଗେଟ୍ ମୁଖ୍ୟମନ୍ତ୍ରୀଙ୍କୁ ନା ଯାଜପୁର ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ପୂର୍ବତନ ମନ୍ତ୍ରୀ ବବି ଦାସ (ପ୍ରଣବ ପ୍ରକାଶ ଦାସ) ଓ ଅମର ଶତପଥୀଙ୍କୁ ? ଏହି ପ୍ରଶ୍ନ ଏବେ ନିୟୁତ ଡ଼ଲାରର ହୋଇଛି ।
ବିରୋଧୀ ବା ଗଣମାଧ୍ୟମ ସିଧାସଳଖ ପ୍ରଣବ ପ୍ରକାଶଙ୍କୁ ଟାର୍ଗେଟ୍ କରୁ ନ ଥିଲେ ମଧ୍ୟ ସପ୍ତାହେ ହେଲା ଯାଜପୁର ଜିଲ୍ଲାରେ ଚଳାଇ ଥିବା ଅଭିଯାନ ନାଣ୍ଡୁ ପ୍ରତି ନୁହେଁ, କୌଣସି ଏକ ବଡ ମୁଣ୍ଡ ପ୍ରତି ଉଦ୍ଦିଷ୍ଟ, ତାହା ସ୍ପଷ୍ଟ ହେଉଛି । ଶାସକ ଦଳର ମୁଖପାତ୍ରମାନେ ସରକାରଙ୍କୁ ସୁରକ୍ଷା ଦେବା ସକାଶେ ସ୍ମିତାରାଣୀ ସନ୍ଦେହଜନକ ମୃତ୍ୟୁ ଘଟଣାର ରାଜନୀତିକରଣ କରା ନ ଯିବାକୁ ଯେତେଯାହା ଅନୁରୋଧ କରି ବିବୃତି ଦେଲେ ବି ତାହା ପ୍ରଭାବହୀନ ହୋଇଛି । ଅପରପକ୍ଷରେ, ସ୍ମିତାଙ୍କ ପରିବାର ସରକାରଙ୍କୁ ଘେରିବା ପାଇଁ ଯେଭଳି ସାହାସ ଦେଖାଇଛନ୍ତି ତାହା ବିରୋଧୀ ଏବଂ ଗଣମାଧ୍ୟମ ପାଇଁ ମାମଲା ଆଗକୁ ନେବାର ସାମର୍ଥ୍ୟ ଯୋଗାଇଛି । କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ମଧ୍ୟ ବିରୋଧୀ ଓ ଗଣମାଧ୍ୟମ ଅନୂରୁପ ସହାସ ଦେଖାଇଥିଲେ । ତେବେ, ସ୍ମିତାରାଣୀ ମାମଲା କୁନ୍ଦୁଲିକୁ ବଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଂଚମ ପଳାଳି ଶାସନରେ ସ୍ୱଚ୍ଛତା ଓ ସାଧୁତାକୁ ଗୁରୁତ୍ୱ ଦେଇଛନ୍ତି । ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱଚ୍ଛତା ଓ ସାଧୁତାର ଖେଳ କେତେଦୂର କାର୍ଯ୍ୟ କରିବ, ତାହା ପରୀକ୍ଷା କରିବା ସମୟ ଆସିଛି । ବିରୋଧୀ ଓ ଗଣମାଧ୍ୟମଙ୍କ ମୁହଁ ବନ୍ଦ କରିବା ସରକାରଙ୍କ ଏକ ବଡ ଆବଶ୍ୟକତା ହୋଇଥିବାରୁ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ ଘୋଷଣା ହେବା ଆବଶ୍ୟକ । ଯାଜପୁର ଏସପି ମୀନ ଓଡ଼ିଶା ପୁଲିସର ନିରପେକ୍ଷତା ପ୍ରତି ସନ୍ଦେହର ଚିହ୍ନ ଲଗାଇ ସାରି ଥିବାରୁ ରାଜ୍ୟ ସରକାର ସିବିଆଇ ନତୁବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ ମାଧ୍ୟମରେ ଘଟଣାର ନିରପେକ୍ଷ ତଦନ୍ତ କରାଇବେ ବୋଲି ଆଶା କରୁଛୁ । ନ ହେଲେ, ସରକାର ଯେତେଯାହା ମହିଳା ସଶକ୍ତୀକରଣ କଥା କୁହନ୍ତୁ ନା କାହିଁକି ସ୍ମିତାରାଣୀ ଏକ କଳଙ୍କିତ ଅଧ୍ୟାୟ ହୋଇ ରହି ଯିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS