ମହାରାଷ୍ଟ୍ର ରାଜନୀତି: ଯୁବରାଜଙ୍କ ଅଭିଷେକ ହେବ ନା ଶିବସେନା ଶିଶୁପାଳ ହୋଇ ରହିଯିବ ?
– ପ୍ରସାଦ ରାଓ –
ଅକ୍ଟୋବର ୩୦
ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ମନ ସ୍ଥିର କରି ସାରିଛି । ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଫଡ଼ନାଭିସଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇ ଦଳ ପକ୍ଷରୁ ରାଜ୍ୟବାସୀ ଓ ବିରୋଧୀଙ୍କୁ ଏହି ସଂକେତ ଦିଆଯାଇଛି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଥିବା ବିଜେପିର ସହଯୋଗୀ ଶିବସେନା ଗୁରୁବାର ମୁମ୍ବାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ରଖିଛି । ଏହି ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସବୁ ପକ୍ଷ ବିଚାର କରୁଛନ୍ତି ।
୨୦୧୯ ଅକ୍ଟୋବର ୨୧ରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୧୦୫ଟିରେ ବିଜୟୀ ହୋଇଥିବା ବେଳେ ଶିବସେନାକୁ ମିଳିଛି ୫୬ ଆସନ । କଂଗ୍ରେସ ୪୪ଟି ଆସନ ପାଇ ଥିବା ବେଳେ ଶରଦ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ୫୪ଟି ଆସନ ପାଇଛି। ୨୯ ଆସନ ଅନ୍ୟାନ୍ୟଙ୍କ ହାତକୁ ଯାଇଛି । ଉଭୟ ବିଜେପି ଓ ଶିବସେନା ମେଂଟରେ ଏହି ନିର୍ବାଚନ ଲଢି ଥିଲେ । କଂଗ୍ରେସ ଓ ଏନସିପି ମଧ୍ୟ ବୁଝାମଣା ଭିତ୍ତିରେ ନିର୍ବାଚନ ମଇଦାନରେ ଥିଲେ । ଭୋଟରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳି ନଥିଲେ ମଧ୍ୟ ସର୍ବାଧିକ ସଂଖ୍ୟାରେ ଆସନ ମିଳିଛି । ତଥାପି, ମେଜିକ ସଂଖ୍ୟା ୧୪୫ ନଥିବାରୁ ଦଳ ଏକାକୀ ସରକାର ଗଢିବାକୁ ସକ୍ଷମ ନୁହେଁ । ଅପରପକ୍ଷରେ, ବିଜେପି-ଶିବସେନା ନିର୍ବାଚନ ପୂର୍ବ ବୁଝାମଣା କରି ଭୋଟ ଲଢିବା ସହ ମୋଟ ୧୬୧ଟି ଆସନରେ ବିଜୟୀ ହୋଇ ଥିବାରୁ ମେଂଟରେ ସରକାର ଗଢିବାରେ କୌଣସି ଅସୁବିଧା ନାହିଁ । ତେବେ, ମେଂଟ ସରକାର ହେଲେ ମୁଖ୍ୟମନ୍ତ୍ରୀ ପଦ ସମେତ ସମସ୍ତ କ୍ଷେତ୍ରରେ ୫୦ ପ୍ରତିଶତ ଭାଗିଦାରୀ ଦାବି କରି ଶିବସେନା ସେଥିରେ ଅଡି ରହିବାରୁ ୨୪ ତାରିଖ ଫଳାଫଳ ଘୋଷଣା ହୋଇଥିଲେ ସୁଦ୍ଧା ରାଜ୍ୟରେ ମେଂଟ ସରକାର ଗଠନ ସମ୍ଭବ ହୋଇ ନାହିଁ ।
ମହାରାଷ୍ଟ୍ରରେ ‘ହିନ୍ଦୁତ୍ୱବାଦୀ’ ଶିବସେନା ଓ ବିଜେପି ମଧ୍ୟରେ ସଂପର୍କ ସର୍ବଦା ତୀକ୍ତ ଓ ମଧୁର ରହି ଆସିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ କାରଣରୁ ଏନଡ଼ିଏ ସହଯୋଗୀମାନେ ବିଜେପିର ହାତ ଛାଡୁ ଥିବା ବେଳେ ଶିବସେନା ହାତ ନ ଛାଡି ସହଯୋଗୀ ଭାବେ ନିର୍ବାଚନ ଲଢି ଥିଲା । ତେବେ, ବିଜେପିର ବଡ ଭାଇ ପଣିଆ ଶିବସେନାକୁ କ୍ଷୁବ୍ଧ କରିଥିଲା । ତଥାପି, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦକ୍ଷିଣପପନ୍ଥୀ ଚିନ୍ତାଧାରା ଓ ‘ହିନ୍ଦୁତ୍ୱ’ ଆଜେଣ୍ଡାକୁ ସମ୍ମାନ ଦେବ ଆଳରେ ବିଜେପି ସହ ମେଂଟକୁ ବଜାୟ ରଖି କାର୍ଯ୍ୟ କରୁଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଆଶାତୀତ ବିଜୟ ବିଜେପିକୁ ଅଧିକ ଅହଂକାରୀ କରିଛି ଏବଂ ଦଳ ନିଜର ସହଯୋଗୀଙ୍କୁ ଅଣଦେଖା କରୁଥିବା ଲକ୍ଷ୍ୟ କରାଯାଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ଜ୍ୱଳନ୍ତ ଉଦାହରଣ । ଶିବସେନା ମଧ୍ୟ ଏହି ଉତ୍ତାପକୁ ଅନୁଭବ କରି ଏନଡ଼ିଏରୁ ଓହରିବା ଲକ୍ଷ୍ୟରେ ଥିଲା । ତେବେ, ଠିକ୍ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଚାଣକ୍ୟ ତଥା ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ତୁରନ୍ତ ମୁମ୍ବାଇ ଯାଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବାକୁ ପଛାଇ ନ ଥିଲେ । ଦୁଇ ଦକ୍ଷିଣପନ୍ଥୀ ଦଳ ମଧ୍ୟରେ ସାମାନ୍ୟ ଟଣାଓଟରା ପରେ ବୁଝାମଣା ହୋଇଥିଲା । ବିଜେପି ଶିବସେନା ସହ ୫୦:୫୦ ଭାଗିଦାରୀ ଭିତ୍ତିରେ ମେଂଟରେ ରହି ନିର୍ବାଚନ ଲଢିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାଭିସଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ । ଏବେ ବିଜେପି ପାଇଁ ତାହା କଂଟା ହୋଇଛି । ଦୁଇ ଦଳ ପୂର୍ବ ବୁଝାମଣା ଭିତ୍ତିରେ ଏକାଠି ନିର୍ବାଚନ ଲଢି ଥିବାରୁ ବର୍ତମାନ ସରକାର ଗଠନରେ ତାହା କାର୍ଯ୍ୟକାରୀ କରିବାକୁ ଶିବସେନା ଦାବି କରିଛି ।
ଶିବସେନା ଏଭଳି କଠୋର ହେବାର ଆଉ ଏକ କାରଣ ହେଉଛି – ଠାକରେ ପରିବାରରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢି ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିବା ଉଦ୍ଧବ ଠାକରେଙ୍କ ପୁଅ ଯୁବରାଜ ଆଦିତ୍ୟ ଠାକରେଙ୍କ ଆରମ୍ଭରୁ ରାଜ୍ୟର ମୁଖ୍ୟ ପଦରେ ଅଭିଷିକ୍ତ କରିବାକୁ ଶିବସେନାର ନେତା ଓ କର୍ମୀମାନେ ଚାହିଁଛନ୍ତି । ରାଜ୍ୟରେ ବିଜେପି-ଶିବସେନାର ମିଳିତ ସରକାର ପ୍ରତିଷ୍ଠା ହେଲେ ଆଦିତ୍ୟ ଅନ୍ତତଃ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବା ଦଳ ଚାହୁଁ ଥିବାରୁ ଅଢେଇ ବର୍ଷ ଫଡ଼ନାଭିସଙ୍କୁ ଓ ବାକି ଅଢେଇ ବର୍ଷ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଶିବସେନା ଅଡି ବସିଛି । ତେବେ, ବିଜେପି ଏଥି ପାଇଁ ପ୍ରସ୍ତୁତ ନୁହେଁ । କେବଳ ମୁଖ୍ୟମନ୍ତ୍ରୀ ନୁହଁ, ସରକାରରେ ମଧ୍ୟ ଶିବସେନା ୫୦ ପ୍ରତିଶତ ଭାଗିଦାରୀ ଚାହୁଁ ଥିବା ବିଜେପିକୁ ଅଡୁଆରେ ପକାଇଛି । ଆଦିତ୍ୟ ଠାକରେ ବିଧାନସଭାକୁ ନିର୍ବାଚିତ ହେଉ ହେଉ ଶିବସେନା କର୍ମୀ ଓ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ପୋଷ୍ଟର ମାରି ଆଦିତ୍ୟଙ୍କୁ ଭାବି ମୁଖ୍ୟମନ୍ତ୍ରୀ କରିସାରିଛନ୍ତି । ତେଣୁ, ଶିବସେନା ପାଇଁ ଏହା ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । ଥରେ ମୁଖ୍ୟମନ୍ତ୍ରୀ ପଦ ହାତଛଡା କଲେ ଭବିଷ୍ୟତରେ ଶିବସେନାକୁ ଏଭଳି ଏକ ସୁଯୋଗ ଆଉ ମିଳି ନ ପାରେ । ତେଣୁ, ଦଳ ମୌକା ହାତଛଡା କରିବାକୁ ପ୍ରସ୍ତୁତ ନୁହେଁ। ଶିବସେନା ମୁଖ୍ୟ ତଥା ଆଦିତ୍ୟଙ୍କ ପିତା ଉଦ୍ଧବ ଠାକରେ ପରଦା ଆଢୁଆଳରେ ରହି ଦଳର ମୁଖପାତ୍ର ସଂଜୟ ରାୱତ ଓ ମୁଖପତ୍ର ‘ସାମନା’ ମାଧ୍ୟମରେ ଏହି ଗୋଟି ଚାଳନା କରୁଛନ୍ତି । ବିଜେପି ଏଥିରେ ରାଜି ନ ହେଲେ କଂଗ୍ରେସ ଓ ଏନସିପିକୁ ନେଇ ସରକାର ଗଢିବାର ବିକଳ୍ପ ଶିବସେନା ନିକଟରେ ରହି ଥିବା ଦଳର ମୁଖପାତ୍ର ସଂଜୟ ରାୱତ ବାରମ୍ବାର ଦୋହରାବା ବିଜେପିକୁ ଆତଙ୍କିତ କରିଛି । ତେବେ, ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ରହୁ, ନ ହେଲେ ଦଳର (ଶିବସେନାର) ୪୫ ବିଧାୟକଙ୍କୁ ନିଜ ଆଡକୁ ଟାଣି ଫଡ଼ନାଭିସଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବ ବୋଲି କିଛି ବିଜେପି ନେତା ଚେତାବନୀ ଦେଲେଣି । ଫଡ଼ନାଭିସ ମଧ୍ୟ ତାଙ୍କୁ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମହାରାଷ୍ଟ୍ରବାସୀ ବିଜେପିକୁ ସର୍ବାଧିକ ସଂଖ୍ୟା ଦେଇଛନ୍ତି ବୋଲି ଦାବି କରି ସେ ହିଁ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହେବେ ବୋଲି ବାହାସ୍ପୋଟ ମାରିଛନ୍ତି । ଏହା ବିଜେପି ରଣନୀତିକୁ ସ୍ପଷ୍ଟ କରୁଛି ।
କ୍ଷମତା ପାଇଁ ବିଭାଜନ ରାଜନୀତି ବିଜେପି ପାଇଁ କିଛି ନୂଆ ନୁହେଁ । ୨୦୧୪ ପରଠାରୁ ବାରମ୍ବାର ଏହା ପ୍ରମାଣିତ ହୋଇ ଆସିଛି । ଶିବସେନାର ୪୫ ବିଧାୟକଙ୍କୁ ପ୍ରଲୋଭିତ କରି ବିଜେପି ନିଜ ଆଡକୁ ଟାଣି ନେବା କିଛି ଅସମ୍ଭବ ନୁହେଁ । ତେଣୁ, ମୁଖ୍ୟମନ୍ତ୍ରୀ ଫଡ଼ନାଭିସଙ୍କ ଦୃଢୋକ୍ତିକୁ ନକାରି ହେବ ନାହିଁ । ଅପରପକ୍ଷରେ, ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ସହ ଆଜି ହେବାକୁ ଥିବା ଆଲୋଚନାକୁ ଶିବସେନା ବାତିଲ କରି ୩୧ ତାରିଖ ମୁମ୍ବାଇ ସ୍ଥିତ ଦଳର ମୁଖ୍ୟାଳୟରେ ଦଳର ବିଧାୟକମାନଙ୍କ ବୈଠକ ଡ଼ାକିଛି । ଫଳରେ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ତାଙ୍କ ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ । କେବଳ ସେତିକି ନୁହେଁ, ବିଜେପି-ଶିବସେନା ମଧ୍ୟରେ ୫୦:୫୦ ଭାଗିଦାରୀର କୌଣସି ପୂର୍ବ ବୁଝାମଣା ହୋଇ ନାହିଁ କହି ଦଳର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଉଦ୍ଧବଙ୍କ ଦାବିକୁ ନକାରି ଦେଇଛନ୍ତି । କ୍ଷମତା ଖେଳରେ ପ୍ରତିଶ୍ରୁତିର କିଛି ଅର୍ଥ ନ ଥାଏ, ତାହା ଆଜିର ଦିନରେ ପ୍ରମାଣ କରିଛି ବିଜେପି-ଶିବସେନାର ଏହି କ୍ଷମତା ଖେଳ ।
ସରକାର ଗଠନ ନେଇ ବିଜେପି-ଶିବସେନା ଏଭଳି ଏକ ଛକାପଂଝା ସ୍ଥିତିରେ ରହି ଥିବା ବେଳେ ମହାରାଷ୍ଟ୍ରରେ କ୍ଷମତାକୁ ଫେରିବା ସ୍ୱପ୍ନ ଦେଖୁଛି କଂଗ୍ରସ-ଏନସିପି । ରାଜନୀତିରେ କେହି ଚିର ଶତୃ ବା ମିତ୍ର ନୁହନ୍ତି, ସରକାର ଗଠନ ପାଇଁ ଶିବସେନା ନିକଟରେ ବହୁ ବିକଳ୍ପ ରହିଛି ବୋଲି ଶିବସେନା ଘୋଷଣା କରିବା ପରେ ପରେ କଂଗ୍ରେସ ଓ ଏନସିପି ସେମାନଙ୍କ ଦ୍ୱାର ଉନ୍ମୁକ୍ତ ରଖି ଥିବା ସୂଚନା ଦେଇ ଥିଲେ । ତେବେ, ଶିବସେନା ଭୟରେ ହେଉ ବା ଭକ୍ତିରେ ହେଉ, ତାହାର ଦକ୍ଷିଣପନ୍ଥୀ ଆଭିମୁଖ୍ୟକୁ ଜଳାଂଜଳୀ ଦେବାକୁ ଚାହୁଁ ନାହିଁ ବୋଲି ସୂଚାଇବାରୁ ଆଜି କଂଗ୍ରେସ ଓ ଏନସିପିର ପଇଁତରା ବଦଳିଛି । ‘ଆମେ ବିରୋଧୀ ଆସନରେ ବସିବାକୁ ଜନାଦେଶ ପାଇଛୁ, ବିରୋଧୀ ଆସନରେ ବସିବୁ’ – ଏଭଳି ଏକ ବାର୍ତା ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ନେତୃବର୍ଗ ।
ଶିବସେନା ମଧ୍ୟ ତାହାର ଦକ୍ଷିଣପନ୍ଥୀ ଭାଇ ତଥା ‘ହିନ୍ଦୁତ୍ୱ’ର ଏକଛତ୍ର ନାୟକ ବିଜେପିକୁ ପ୍ରାଥମିକତା ଦେଉଥିବା ସୂଚନା ଦେଇ କଂଗ୍ରେସ ଓ ଏନସିପିକୁ ଦୂରରେ ରଖି ଥିବାରୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ପରିସ୍ଥିତି ଅଧିକ ଅସ୍ପଷ୍ଟ ହୋଇଛି । ୩୧ ତାରିଖ ମୁମ୍ବାଇରେ ହେବାକୁ ଥିବା ଶିବସେନା ବିଧାୟକ ଦଳ ବୈଠକରେ କେବଳ ନେତା ନିର୍ବାଚନ ନୁହେଁ, ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାକୁ ଯାଉଛି । ତେଣୁ, ସମସ୍ତଙ୍କ ଅପେକ୍ଷା ଉଦ୍ଧବଙ୍କ ଚୂଡାନ୍ତ ଗୋଟି ଚାଳନକୁ । ଶିବସେନା ବିଧାୟକ ଦଳରେ ବିଭାଜନର ଆଶଙ୍କା କରି ଉଦ୍ଧବ ଆଦିତ୍ୟଙ୍କ ପାଇଁ ‘ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ’ ପଦ ଦାବିରୁ ଓହରି ଯାଇ ରାଜ୍ୟ ମନ୍ତ୍ରୀ ପରିଷଦରେ ୫୦ ପ୍ରତିଶତ ଦାବିଦାରୀରେ ସୀମିତ ରହି ଯିବେ କି ଅଧିକ ଦୃଢତା ଦେଖାଇ ବିକଳ୍ପ ସରକାର ଗଠନର ଦ୍ୱାର ଉନ୍ମୁକ୍ତ କରିବେ ? ତାହା ଦେଖିବା ପାଇଁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଉତ୍ସୁକ । ତେବେ, ଶିବସେନାର ଦ୍ୱିତୀୟ ପ୍ରସ୍ତାବକୁ ମଧ୍ୟ ବିଜେପି ସହଜରେ ଗ୍ରହଣ କଲା ଭଳି ଲାଗୁ ନହିଁ । ଶିବସେନା ମେଂଟ ସରକାର ପ୍ରତିଷ୍ଠା ପାଇଁ ରାଜି ହେଲେ ଦୁଇ ଦଳର ବିଧାୟକଙ୍କ ସଂଖ୍ୟା ଅନୁପାତରେ ମନ୍ତ୍ରୀ ସଂଖ୍ୟା ଭାଗବଂଟା ହେବ ବୋଲି ବିଜେପି ନେତାମାନେ ଆଭାସ ଦେଲେଣି । ଏଭଳି ପରିସ୍ଥିତିରେ ଠାକରେ ପରିବାରର ଯୁବରାଜଙ୍କୁ ଅଭିଷିକ୍ତ କରିବାରେ ଶିବସେନା ସଫଳ ହେଉଛି ନା ଶିଶୁପାଳ ହୋଇ ଦକ୍ଷିଣପନ୍ଥୀ ଭାଇର ହାତ ଧରି ଚାଲିବାକୁ ବାଧ୍ୟ ହେଉଛି, ତାହା ନଭେମ୍ବର ୧ ତାରିଖ ବେଳକୁ ସ୍ପଷ୍ଟ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS