‘୫-ଟି’କୁ ନେଇ ବିରୋଧୀ ଏତେ ଆତଙ୍କିତ କାହିଁକି ?
– ପ୍ରସାଦ ରାଓ –
ନଭେମ୍ବର ୦୧
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଂଚମ ପାଳି ସରକାରରେ ‘୫-ଟି’ ଅସ୍ତ୍ର ପ୍ରୟୋଗ କରି ରାଜ୍ୟବାସୀଙ୍କ ମନରେ ନୂତନ ଆଶାର ସଂଚାର କରିଥିବା ବେଳେ ବିରୋଧୀ ଅସ୍ତବ୍ୟସ୍ତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି । ଏହି ‘୫-ଟି’ ହେଉଛି – ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେସନ୍ ଓ ଟାଇମ୍ । ରାଜ୍ୟରେ ସରକାର ଓ ଶାସନ କଳକୁ ଅଧିକ ଗତିଶୀଳ କରିବା ଓ ଲୋକଙ୍କ ନିକଟରେ ସରକାରୀ କାର୍ଯ୍ୟକ୍ରମର ସୁଫଳ ପହଂଚାଇବା ଏହି ‘୫-ଟି’ର ଉଦେ୍ଦଶ୍ୟ । ଏଥି ସକାଶେ ମୁଖ୍ୟମନ୍ତ୍ରୀ ତାଙ୍କ ଅତି ବିଶ୍ୱସ୍ତ ଆଇଏଏସ୍ ଅଧିକାରୀ ଭି.କାର୍ତିକେୟ ପାଣ୍ଡିଆନଙ୍କୁ ‘୫-ଟି’ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ବରିଷ୍ଠ ଆଇପିଏସ୍ ଧୀରେନ୍ଦ୍ର କୁଟ୍ଟେଙ୍କୁ ମଧ୍ୟ ବ୍ୟକ୍ତିଗତ ସହାୟକ ଭାବେ ନିଜ ପାଖକୁ ଆଣିଛନ୍ତି ।
ଆଇଏଏସ୍ ପାଣ୍ଡିଆନ୍ ‘୫-ଟି’ ସଚିବ ହେବା ପରେ ରାଜ୍ୟର ବିଭିନ୍ନ ଅଚଂଳ ଗସ୍ତ କରି ପ୍ରଚଳିତ ସ୍ୱାସ୍ଥ୍ୟସେବାର ଅଚାନକ ଯାଂଚ କରିବା ସହ ସ୍କୁଲଗୁଡିକରେ ପିଲାଙ୍କୁ ମିଳୁଥିବା ମଧ୍ୟାହ୍ନ ଭୋଜନ ଏବଂ ‘ଆହାର’ କେନ୍ଦ୍ରକୁ ଯାଇ ଗରିବ ଲୋକଙ୍କ ପାଇଁ ମାତ୍ର ୫ ଟଙ୍କା ମୂଲ୍ୟରେ ମିଳୁଥିବା ଖାଦ୍ୟର ଗୁଣବତ୍ତା ଯାଂଚ କରିବା ପରେ ବିଭିନ୍ନ ଅଭିଯୋଗରେ କିଛି ବରିଷ୍ଠ ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରତି ମାସରେ ନିଜ ନିର୍ବାଚନମଣ୍ଡଳୀ ବା ରାଜ୍ୟର ଯେ କୌଣସି ଅଂଚଳକୁ ଗସ୍ତରେ ଯାଉଥିବା ସମୟରେ ସେଠାକାର ମିଳୁଥିବା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଯାଂଚ କରିବାକୁ, ସ୍କୁଲ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିବାକୁ ଏବଂ ‘ଆହାର’ କେନ୍ଦ୍ରରେ ମିଳୁଥିବା ଖାଦ୍ୟର ଗୁଣବତ୍ତା ତଦାରଖ କରିବାକୁ ନିର୍ଦେଶ ଦେବା କେବଳ ବିରୋଧୀଙ୍କ ପାଇଁ ନୁହେଁ, ଶାସକ ଦଳର ମନ୍ତ୍ର. ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟତିବ୍ୟସ୍ତ କରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମନ୍ତ୍ରୀ, ବଡ଼ବଡିଆ ପ୍ରଶାସନିକ ଅଧିକାରୀଙ୍କ ସରକାରୀ ଗାଡିରୁ ନାଲିବତୀ କାଢି ନେଇ ଥିଲେ । ଏବେ ସେମାନଙ୍କୁ କୁହାଯାଉଛି, ଗସ୍ତରେ ଗଲେ ଭୁରି ଭୋଜନ ନ କରି ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଅ, ‘ଆହାର’ କେନ୍ଦ୍ରକୁ ଯାଇ ମିଳୁଥିବା ଖାଦ୍ୟର ମାନ ଯାଂଚ କର । ପ୍ରତି ମାସରେ ରିପୋର୍ଟ ଦେବା ସମୟରେ ଏସଂପର୍କିତ ତଥ୍ର ମଧ୍ୟ ଉଲ୍ଲେଖ କର ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ କିଛି ମନ୍ତ୍ରୀଙ୍କୁ ରେଳରେ ନିଜ ଜିଲ୍ଲା ଗସ୍ତ କରିବାକୁ ବାଧ୍ୟ ହୋଇ ଥିବା ବେଳେ ସ୍କୁଲ କର୍ତର୍ୃପକ୍ଷ ମଧ୍ୟାହ୍ନ ଭୋଜନରେ କୁକୁଡ଼ା ମାଂସ (ଚିକେନ୍) ପରଷିବାର ବ୍ୟବସ୍ଥା କରିବାକୁ ମଧ୍ୟ ବାଧ୍ୟ ହୋଇଥିବା ନିକଟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ସମୟରେ ଦେଖିବାକୁ ମିଳିଛି । ସ୍କୁଲ ପିଲାଙ୍କ ସହ ବସି ମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଉଥିବା ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼କ୍ଟର ଅରୁଣ କୁମାର ସାହୁ ନିଜ ନୟାଗଡ଼ ଜିଲ୍ଲାକୁ ରେଳରେ ଯାଇ ସେଠାରେ ‘ଆହାର’ କେନ୍ଦ୍ରରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ଦୃଶ୍ୟ ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମନ୍ତ୍ର କିଭଳି ତାଙ୍କ ମନ୍ତ୍ରୀ, ଅଧିକାରୀଙ୍କୁ ବ୍ୟତିବ୍ୟସ୍ତ କଲାଣି ତାହା ଏଥିରୁ ଅନୁମାନ କରି ହେଉଛି ।
‘୫-ଟି’କୁ ନେଇ ଶାସକ ଦଳ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ସନ୍ତୁଷ୍ଟ ନୁହନ୍ତି, ତାହା ଜଣାଶୁଣା କଥା । ହେଲେ, କେହି ମୁହଁ ଖୋଲିବାକୁ ସାହସ କରୁ ନାହାନ୍ତି । କିଛି ସରକାରୀ ବାବୁ ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ଏବେ ତାହା ଉପରେ ମଧ୍ୟ ସରକାର କଟକଣା ଲଗାଇ ସାରିଲେଣି । ଗଣମାଧ୍ୟମ ସାମନାରେ କୌଣସି ସରକାରୀ ଅଧିକାରୀ ମୁହଁ ଖୋଲିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ବୋଲି ନିକଟରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ତେବେ, ବିରୋଧୀ ମୂଳରୁ ମୁହଁଖୋର । ସରକାର ଗତିଶୀଳ ହେଲେ ସେମାନଙ୍କ ଅସ୍ତିତ୍ୱ ବିପନ୍ନ ହେବା ଭୟ ରହିଛି । ତେଣୁ, ‘୫-ଟି’ ସମେତ ସରକାର ଏହି ପଂଚମ ପାଳିରେ କାର୍ଯ୍ୟକାରୀ କରୁଥିବା ସବୁ ଯୋଜନାକୁ ବିଧିବଦ୍ଧ ଭାବେ ବିରୋଧ କରିବା ନିତିଦିନିଆ କାର୍ଯ୍ୟ ହୋଇଛି । ନିକଟରେ ‘୫-ଟି’କୁ ନେଇ ବିଜେପିର ଆଇଏଏସ୍-ଏମ୍ ପି ଅପରାଜିତା ଷଡଙ୍ଗୀ ଓ ବିଜେଡ଼ିର ଆଇପିଏସ୍-ନେତା ଅରୂପ ପଟ୍ଟନାୟକ ମଧ୍ୟରେ ନିକଟରେ ଖଟାମିଠା ବିବୃତି ବିନିମୟ ରାଜ୍ୟରେ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଯେଉଁ ‘୫-ଟି’ ମନ୍ତ୍ର ଫୁଙ୍କିଛନ୍ତି ସେଥିରେ କିଛି ନୂତନତ୍ୱ ନାହିଁ, ‘ଆଇଏଏସ୍ ପ୍ରଶିକ୍ଷଣ ସମୟରେ ଆମକୁ ଏହି ପାଠ ପଢା ଯାଉଥିଲା’ ବୋଲି ଭୁବନେଶ୍ୱର ଏମପି ଶ୍ରୀମତୀ ଷଡଙ୍ଗୀ ନିକଟରେ ମନ୍ତବ୍ୟ ଦେବା ପରେ ପରେ ଆଇପିଏସ୍ ରୁ ବିଜେଡ଼ି ନେତା ହୋଇଥିବା ଅରୂପ ବାବୁଙ୍କ ପାଳି ପଡିଲା । ସେ ତୁରନ୍ତ ତାହାର ଖଣ୍ଡନ କରିବାକୁ ଯାଇ କହିଲେ, ସେ ଆଇପିଏସ/ ଆଇଏଏସ୍ ତାଲିମ ପ୍ରତିଷ୍ଠାନରେ ତାଲିମ ନେବା ସମୟରେ ଏଭଳି କିଛି ତାଲିମ ପାଇ ନାହାନ୍ତି । ତାଙ୍କୁ କେବଳ ଲେଫ୍ଟ୍-ରାଇଟ୍ ତାଲିମ ମିଳିଛି । ଆଇପିଏସ୍, ଆଇଏସ୍ ପ୍ରଶିକ୍ଷଣ ସମୟରେ ଲୋକଙ୍କ ସହ କିପରି ବସିବେ, କେମିତି ମିଶିବେ ଶିଖା ଯାଏ ନାହିଁ, କେବଳ ପରେଡ୍ ଶିଖାଯାଏ ବୋଲି ଅରୂପ କହିଛନ୍ତି । ଅପରାଜିତା ଓ ଅରୂପଙ୍କ ଏହି ବୟାନ-ବିନିମୟ ସଂପୂର୍ଣ୍ଣ ଭାବେ ରାଜନୈତିକ, ଏଥିରେ କିଛି ସନ୍ଦେହ ନାହିଁ । କାରଣ, ଅପରାଜିତା ‘୫-ଟି’ ଶିଖି ଆଇଏଏସ ଭାବେ ରାଜ୍ୟ ପ୍ରଶାସନରେ ନିଜର ଛାପ ଛାଡି ଥିବା ବେଳେ ଅରୂପ ବାବୁ ମହାରାଷ୍ଟ୍ର କ୍ୟାଡରରେ ଆଇପିଏସ୍ ପାଇ ମୁମ୍ବାଇ ପୁଲିସ କମିସନର ଭାବେ ତାଙ୍କ ସେଠି ତାଙ୍କ ଛାପ ଛାଡିଛନ୍ତି । ପୁଲିସ ହେବାକୁ ହେଲେ ଲେଫ୍ଟ-ରାଇଟ୍ ହିଁ ଶିଖିବାକୁ ପଡେ ।
ଛାଡନ୍ତୁ ସେକଥା । ଏବେ ଆସିବା ରାଜ୍ୟ ସରକାରଙ୍କ ‘୫-ଟି’ ମନ୍ତ୍ର ଦ୍ୱାରା ଜନତା କେତେ ପ୍ରଭାବିତ । ରାଜ୍ୟରେ ବିଗତ ୨୦ ବର୍ଷ ଧରି ବିଜେଡ଼ି ସରକାର ଥିଲା, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ସଦ୍ୟ ପଂଚମ ପାଳିରେ (୨୦୧୯ରୁ ୨୦୨୪) ରାଜ୍ୟ ଶାସନରେ ହଠାତ୍ ‘୫-ଟି’ର ଆବଶ୍ୟକତ କାହିଁକି ପଡିଲା ? ବିରୋଧୀ ଏହି ପ୍ରଶ୍ନ କରୁଛନ୍ତି । ଏହାର ଉତ୍ତର ସରଳ । ରାଜ୍ୟରେ ଦୀର୍ଘ ବର୍ଷ କାଳ କ୍ଷମତାରେ ରହିବା ପରେ କଂଗ୍ରେସ ଦଳ ୨୦୦୦ ମସିହାରୁ ଅପାଂକ୍ତେୟ ହୋଇପଡିଛି । ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରିତି, କୁଶାସନ ଭଳି ଅଭିଯୋଗ କଂଗ୍ରେସର ଚେରକୁ ୂଳରୁ ତାଡି ଦେଇଛି ଯେ ୨୦ ବର୍ଷ ହେଲା ଗଛ ଉଠୁ ନାହିଁ । ଦଳରେ ଥିବା କଂକଡାମାନେ ୨୫ ବର୍ଷ ହେଲା ଦଳକୁ ତଳିତଳାନ୍ତ କରି ରସାତଳକୁ ନେଲେଣି ବୋଲି ନିଜେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବେ ସ୍ୱୀକାର କରିଛନ୍ତି । ୨୦୨୪ ନିର୍ବାଚନ ବେଳକୁ ଦଳର ସ୍ଥିତି ସେମିତି କିଛି ବଦଳିବ ବୋଲି ଆଶା ନାହିଁ । ୨୦୧୭ରୁ ରାଜ୍ୟରେ ମୁଖ୍ୟ ବିରୋଧୀର ଭୂମିକା ନେଇ ଥିବା ବିଜେପି ୨୦୧୯ ସଧାରଣ ନିର୍ବାଚନରେ ରାଜ୍ୟର ୧୪୭ ବିଧାନସଭା ଆସନରୁ ଅନ୍ତତଃ ‘୧୨୦+’ ଦଖଲ କରି ସରକାରକୁ ଆସିବ ବୋଲି ସ୍ୱପ୍ନ ଦେଖିଥିଲା । ତେବେ, ତାହା ସାକାର ହେଲା ନାହିଁ । କିନ୍ତୁ, ଓଡ଼ିଶାରେ ଲୋକସଭା ନିର୍ବାଚନରେ ବଜେପି ଭଲ ପ୍ରଦର୍ଶନ କରିଛି ଏବଂ ମର୍ଯ୍ୟାଦାଜନକ ଭୁବନେଶ୍ୱର ଲୋକସଭା ଆସନ ବିଜେଡ଼ି ହାତରୁ ଛଡାଇ ନେଇଛି । ଆଇଏଏସ୍ ଅପରାଜିତା ବିଜେଡ଼ିର ଅରୂପଙ୍କୁ ହରାଇ ଏହି ଆସନ ଜିତିଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନରେ ଶାସକ ବିଜେଡ଼ି ରାଜ୍ୟର ୧୪୭ ବିଧାନସଭା ଆସନରୁ ୧୧୨ଟି ଅକ୍ତିଆର କରିଥିଲେ ମଧ୍ୟ ତୃଣମୂଳ ସ୍ତରରେ ସରକାର ଓ ପ୍ରଶାସନ ବିରୋଧରେ ଜନ ଅସନ୍ତୋଷ ଥିବା ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଉପଲବ୍ଧୀ କରିଥିଲେ । ତେଣୁ, ପଂଚମ ପାଳି ସରକାରରେ ସେ ନିଜର ମନ୍ତ୍ରୀ ପରିଷଦ ଓ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ଉତ୍ତରଦାୟୀ କରିବାର ପଣ ନେଇଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକମାନେ ଅହଂକାର ଛାଡି ସାଧାରଣ ଲୋକଙ୍କ ଭଳି ବ୍ୟବହାର କରିବା, ଲୋକଙ୍କ ନିକଟେ ପହଂଚିବା ଓ ସେମାନଙ୍କ ଭିତରେ ସାମିଲ ହୋଇ ଖାଇବା, ବସିବା ମାଧ୍ୟମରେ ସୁଖଦୁଃଖରେ ଭାଗିଦାର ହେବାକୁ ‘୫-ଟି’ରେ ପରାମର୍ଶ ଦିଆଯାଇଛି । ଏହାର ତଦାରଖ ପାଇଁ ‘୫-ଟି’ ସଚିବ ଓ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ମନ୍ତ୍ରୀ, ବିଧାୟକମାନଙ୍କ ପତିଆରା କମି ଯାଉଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ତେବେ, ଏହି ସମାଲୋଚନା ରାଜନୀତି ଦୃଷ୍ଟିରୁ ଠିକ୍ ହୋଇପାରେ, କିନ୍ତୁ ମାନବତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଗ୍ରହଣୀୟ ମନେ ହେଉଛି । ଗଲା ୨୦ ବର୍ଷରେ ଏହା ହେଲା ନାହିଁ, ଏବେ କାହିଁକି (?) ବୋଲି ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନଙ୍କୁ କେବଳ ନୀରାଶାବାଦୀ କୁହାଯାଇପାରେ ।
ବିରୋଧୀ ଭୟଭୀତ ହେବା କାରଣ ମଧ୍ୟ ରହିଛି । ରାଜ୍ୟ ସରକାର ଗଲା କିଛି ମାସ ହେଲା ଦୁର୍ନୀତିଗସ୍ତ ଅଧିକାରୀଙ୍କ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହି ଆସିଥିବା ଅଳସୁଆମୀକୁ ଭାଂଗିବା ଉଦ୍ୟମ କରୁଛନ୍ତି ତାହା ଜନସାଧାରଣଙ୍କୁ ପ୍ରଭାବିତ କରୁଛି । ଆଗକୁ ଅଛି ରାଜ୍ୟରେ ସହରାଂଚଳ ଓ ଗ୍ରାମାଂଚଳ ନିର୍ବାଚନ । ୨୦୨୦ରେ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ନିର୍ବାଚନ ହେବା ଆଶା ରହିଛି । ଗୋଟିଏ ବର୍ଷ ପରେ ପଂଚାୟତ ନିର୍ବାଚନ । ଶାସକ ବିଜେଡ଼ରି ‘୫-ଟି’ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାଧାରଣ ଜନତା ସହ ଶାସକ ଦଳକୁ ଯୋଡିବାରେ ଲାଗିଛି । ଏହଛଡା, ରାଜ୍ୟବ୍ୟାପୀ ବିଜେଡ଼ି ପକ୍ଷରୁ ଚାଲିଥିବା ପଦଯାତ୍ରା ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଥିବା କଂଗ୍ରେସକୁ ନ ହେଲେ ମଧ୍ୟ ବହୁ କଷ୍ଟରେ ଦ୍ୱିତୀୟ ସ୍ଥାନକୁ ଉଠି ଥିବା ବିଜେପିକୁ ଆତଙ୍କିତ କରିଛି । ରାଜ୍ୟରେ ଚାଲି ଥିବା ପାୱାର ପଲିଟିକ୍ସ ବା କ୍ଷମତା ରାଜନୀତିରେ ଅପରାଜିତା-ଅରୂପ କଥା କଟାକଟି ପ୍ରସଙ୍ଗ ନୁହେଁ, ପ୍ରସଙ୍ଗ ହେଉଛି ଆଗାମୀ ଦିନରେ କ୍ଷମତାର ଗତି କୁଆଡକୁ ଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ରେ ମଧ୍ୟ କ୍ଷମତାକୁ ଫେରବା ଆଶା ରଖିଛନ୍ତି । ତେଣୁ, ଏହି ‘୫-ଟି’ମନ୍ତ୍ର ଦ୍ୱାରା ରାଜ୍ୟବାସୀଙ୍କୁ ଦଳ ସହ ବାନ୍ଧି ରଖିବାର ସୁଚିନ୍ତିତ ଯୋଜନା କରିଛନ୍ତି । ଏହାର ସଫଳତା, ବିଫଳତା ଉପରେ ଶାସକ ବିଜେଡ଼ି ଓ ରାଜ୍ୟର ବିଭିନ୍ନ ବିରୋଧୀ ଦଳର ଭବିଷ୍ୟତ ନିର୍ଭର କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS