ମହାରାଷ୍ଟ୍ର : ସରକାର ଗଠନ ପଛ, ଆଗ ଚାଷୀଙ୍କୁ କ୍ଷତିପୂରଣ ମିଳୁ – ଶିବସେନା
– ପ୍ରସାଦ ରାଓ –
ନଭେମ୍ବର ୦୧
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି-ଶିବସେନା ବିବାଦ ତୁଟୁ ନ ଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ‘ସରକାର ଗଠନ ପଛ, ଆଗ ଚାଷୀଙ୍କ କଥା ବୁଝ’ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ପରାମର୍ଶ ଦେଇ ରାଜନୀତିର ମୋଡ ବଦଳାଇଛନ୍ତି । ନିକଟରେ ରାଜ୍ୟରେ ହୋଇଥିବା ଭୀଷଣ ଓ ଲଗାଣ ବର୍ଷାରେ ରାଜ୍ୟର ଚାଷୀକୂଳ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ସପକ୍ଷରେ ସମର୍ଥନ ଗୋଟାଇବାରେ ନ ମାତି ବିନା ବାଛବିଚାରରେ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କାମଚଳା ସରକାରଙ୍କ ପ୍ରାଥମିକତା ହେବାକୁ ଉଦ୍ଧବ ଆଜି ମୁମ୍ବାଇଠାରେ ପରାମର୍ଶ ଦେଇଛନ୍ତି ।
ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ ପରିଷଦରେ ଶିବସେନାକୁ ୫୦ ପ୍ରତିଶତ ଭାଗ ମିଳିବା ଦାବିରେ ଶିବସେନା ଅଡି ବସି ବିଜେପିକୁ ସରକାର ଗଠନରୁ ନିବୃତ୍ତ ରଖି ଥିବା ବେଳେ ବିଜେପି ଶିବସେନା ଉପରେ ଚାପ ବଢାଇବା ପାଇଁ କିଛି ସ୍ୱାଧୀନ ଓ ଅନ୍ୟ ଦଳ ବିଧାୟକଙ୍କ ସମର୍ଥନ ଗୋଟାଇବାରେ ନିଜକୁ ବ୍ୟସ୍ତ ରଖିଛି। ଗୁରୁବାର ଦିନ ଅନ୍ୟୁନ ୧୦ ଜଣ ସ୍ୱାଧୀନ ଓ ଅନ୍ୟ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ଦେବେନେ୍ଦ୍ର ଫଡନାଭିସଙ୍କୁ ଭେଟି ସରକାର ଗଠନରେ ବିଜେପିକୁ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଚିତ୍ର ଆଜି ବାହାରକୁ ଆସିଛି । ଅପରପକ୍ଷରେ, ଶିବସେନା ବିଜେପି ଉପରେ ଚାପ ବଢାଇବା ସକାଶେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଦଳ ଆଲୋଚନା କରିଥିବାର ‘ଥୋପ’ ଗିଳାଇଛି । ଶିବସେନାର ବରିଷ୍ଠ ନେତା ସଂଜୟ ରାୱତ ଗତକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ବାସଭବନରେ ଭେଟି ଆଲୋଚନା କରିବା ପରେ ରାଜ୍ୟରେ ଦଳ ଏନସିପି ଓ ତାହାର ସହଯୋଗୀ କଂଗ୍ରେସ ସହ ମିଶି ପରବର୍ତୀ ସରକାର ଗଠନ କରିବ ବୋଲି ପରୋକ୍ଷ ଆଭାସ ଦେଇଛନ୍ତି । ତେବେ, ପାୱାରଙ୍କ ସହ ଆଲୋଚନା ରାଜ୍ୟରେ ଭୀଷଣ ଓ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କିଭଳି ତୁରନ୍ତ ସରକାରୀ ସହାୟତା ମିଳିବ ସେହି ପ୍ରସଙ୍ଗରେ ସୀମିତ ଥିଲା ବୋଲି ରାୱତ ଗଣମାଧ୍ୟମକୁ କହିଥିଲେ । ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପରାମର୍ଶ ଦେବା ଛଳରେ ‘ନୂତନ ସରକାର ଗଠନ ପାଇଁ ସଂଖ୍ୟା ଗୋଟାଇବାକୁ ପ୍ରାଥମିକତା ନ ଦେଇ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ସଂକଟ ଦୂର କରିବାକୁ ପ୍ରାଧାନ୍ୟ ଦେବାକୁ’ ପରାମର୍ଶ ଦେଇ ରାଜ୍ୟ ରାଜନୀତିର ମୋଡ ବଦଳଇବାକୁ ଉଦ୍ୟମ କରିଛନ୍ତି ।
ଗତ ଅକ୍ଟୋବର ୨୧ରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମିଳିତ ଭାବେ ନିର୍ବାଚନ ଲଢି ୨୮୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୬୧ ସଂଖ୍ୟା ପାଇବାକୁ ସକ୍ଷମ ହୋଇଥିଲେ । ବିଜେପି ଏକାକୀ ୧୦୫ଟି ଆସନ ପାଇଥିବା ବେଳେ ଶିବସେନାକୁ ମିଳିଛି ୫୬ ଆସନ । ରାଜ୍ୟରେ ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଥିବା ଆବଶ୍ୟକ । ବିଜେପି-ଶିବସେନା ମିଳିତ ସରକାର ଗଠନ କରିବାରେ ସଂଖ୍ୟା ପ୍ରତିବନ୍ଧକ ହୋଇ ରହି ନାହିଁ । ତେବେ, ଶିବସେନାର ଉଚ୍ଚାଭିଳାଷ ଓ ବିଜେପିର ପ୍ରତାରଣା ପ୍ରତିବନ୍ଧକ ହୋଇଛି । ୨୦୧୯ ଭୋଟରେ ଶରଦ ପାୱାରଙ୍କ ଏନସିପି ୫୪ ଓ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇ ବିରୋଧୀ ଭୂମିକା ତୁଲାଇବାକୁ ମନ ସ୍ଥିର କରି ସାରି ଥିଲେ । ତେବେ, ଶିବସେନା କଂଗ୍ରେସ ଓ ଏନସିପି ମନରେ ନୂଆ ଆଶାର ସଂଚାର କରିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ରର ୱର୍ଲି ଆସନରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ବିଜେପି-ଶିବସେନା ସଂପର୍କ ବଦଳିଛି । ଶିବସେନା ଆଦିତ୍ୟଙ୍କୁ ପୂର୍ଣ୍ଣ ସମୟ ନ ହେଲେ ମଧ୍ୟ ଅଢେଇ ବର୍ଷ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରା ଯିବାକୁ ଅଡି ବସିବା ଯୋଗୁ ଫଳାଫଳ ପ୍ରକାଶ ପାଇବାର ଏକ ସପ୍ତାହ ବିତି ଥିଲେ ସୁଦ୍ଧା ରାଜ୍ୟରେ ନୂଆ ମନ୍ତ୍ରୀ ପରିଷଦ ଗଠନ ହୋଇ ପାରି ନାହିଁ । ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ୟ ଅଂଶିଦାରଙ୍କ ଭଳି ଏନଡ଼ିଏ ଅଂଶୀଦାରଙ୍କ ଭଳି ଶିବସେନା ମଧ୍ୟ ବିଜେପିକୁ ମୁହଁ ମୋଡି ଥିଲା । ଶିବସେନାକୁ ମନାଇବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା (ଆଜିର କେନ୍ଦ୍ର ଗୃହ ମନ୍ତ୍ରୀ)ଙ୍କୁ ମୁମ୍ବାଇ ଯିବାକୁ ପଡି ଥିଲା । ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ଉପସ୍ଥିତିରେ ଶିବସେନା ମୁଖ୍ୟ ଉଦ୍ଧବଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । କ୍ଷମତାକୁ ଆସିଲେ ଦୁଇ ଦଳ ମଧ୍ୟରେ ସରକାରରେ ୫୦:୫୦ ଭାଗିଦାରୀ ରହିବ ବୋଲି ଆଲୋଚନା ପରେ ଉଭୟ ଦଳ ଘୋଷଣା କରିଥିଲେ ।ଏବେ, ସେହି ଅଂକ ଛିଡୁ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଶିବସେନା ସହ ସେଭଳି କିଛି ଚୁକ୍ତି ହୋଇ ନାହିଁ କହି ବିଜେପି ଶିବସେନାର ୫୦ ପ୍ରତିଶତ ଭାଗିଦାର ଦାବିକୁ ଟାଳି ଚାଲିଛି ।
ଉଦ୍ଧବଙ୍କ କହିବା ଅନୁସାରେ, ବିଜେପି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇ ସରକାର ଗଠନ ପାଇଁ ଶିବସେନାର ୪୫ ବିଧାୟକ ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ଫଡନାଭିସ କହିବା ବିଶ୍ୱାସଘାତକତା କୁହାଯାଇପାରେ । ପରୋକ୍ଷରେ ଏହା ଶିବସେନା ବିଧାୟକ ଦଳରେ ବିଭାଜନ ପାଇଁ ଏକ ଧମକ । ଏହି ପରିସ୍ଥିତିରେ ଶିବସେନା ବିଜେପିକୁ କେମିତି ବିଶ୍ୱାସକୁ ନେବ? ସେ ଗୋଟିଏ ରାଜନୈତିକ ଦଳର ମୁଖ୍ୟ ଅଛନ୍ତି । ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ହେବା ସେ ଚାହିଁବାରେ ଅସଙ୍ଗତି ରହିଲା କେଉଁଠି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି । ତେବେ, ଗୁରୁବାର ଅନୁଷ୍ଠିତ ଶିବସେନା ବିଧାୟକ ଦଳ ବୈଠକରେ ଯୁବରାଜ ଆଦିତ୍ୟଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରା ନ ଯାଇ ରାଜ୍ୟରେ ବରିଷ୍ଠ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନେ୍ଧଙ୍କୁ ବିଧାୟକ ଦଳ ନେତା କରାଯିବା ବିଜେପି ସହ ବୁଝାମଣାର ବାଟ ସଂପୂର୍ଣ୍ଣ ବନ୍ଦ ହୋଇ ନ ଥିବା ସୂଚନା ଦେଉଛି । ଶିବସେନାର ଏହି ଗୋଟିଚାଳନାକୁ ଦେଖି ପୁରୁଖା ରାଜନେତା (ଏନସିପି ମୁଖ୍ୟ) ଶରଦ ପାୱାର ମଧ୍ୟ ନିଜର ପଇଁତରା ବଦଳାଇଛନ୍ତି । ରାଜ୍ୟ ବିଧାନସଭାରେ ସର୍ବାଧିକ ବିଧାୟକ ଥିବା ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନକଟରେ ଦାବି ଉପସ୍ଥାପନ କରୁ । ଗୃହରେ ବିଜେପି ସରକାର ଆସ୍ଥା ଭୋଟରେ ପରାଜିତ ହେଲେ ଯାଇ ଏନସିପି ଓ ତାହାର ସହଯୋଗୀ କଂଗ୍ରେସ ସହ ମିଶି ବିକଳ୍ପ ସରକାର ଗଠନ କଥା ଚିନ୍ତା କରିବ ବୋଲି ପାୱାର ଶୁକ୍ରବାର କହିଛନ୍ତି । ପାୱାରଙ୍କ କୂଟନୀତି ଶିବସେନାକୁ ଫ୍ଲୋର୍ ଟେଷ୍ଟ୍ ପର୍ଯ୍ୟନ୍ତ ଟାଣି ନେଇ ବିଶ୍ୱସନିୟତା ପରୀକ୍ଷା କରିବାର ଏକ ଉଦ୍ୟମ କୁହାଯାଇପାରେ । ଶିବସେନା ଏହି ଥୋପ ଗିଳିବ ନା ‘ଯାହା ମିଳିବ ଅଂଟିରେ ବାନ୍ଧିବା’ ନ୍ୟାୟରେ ବିଜେପି ସହ ବୁଝାମଣା କରି ନେବ, ତାହା ଅତିଶୀଘ୍ର ସାମନାକୁ ଆସିବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS