ମହାରାଷ୍ଟ୍ର ରାଜନୀତି : ସମୟ ଗଡୁଛି, କଳି ସରୁନି
– ପ୍ରସାଦ ରାଓ –
ନଭେମ୍ବର ୦୪
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱାଧୀନ ବିଜେପି-ଶିବସେନା ମେଂଟ ସରକାରର କାର୍ଯ୍ୟକାଳ ଆସନ୍ତା ୯ ତାରିଖ ସରିବାକୁ ଯାଉଛି । ୧୦ ତାରିଖ ସୁଦ୍ଧା ରାଜ୍ୟରେ ନୂଆ ସରକାର ଶପଥ ନେବା ଆବଶ୍ୟକ ଥିବା ବେଳେ ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ, ସେ ନେଇ ଦୁଇ ଗେରୁଆ ଦଳ ମଧ୍ୟରେ କଳି ତୁଟୁ ନ ଥିବାରୁ ରାଜ୍ୟ ରାଜନୀତି ସରଗରମ ରହିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦ୍ୱତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଥିବା ପୂର୍ବରୁ ଘୋଷଣା କରି ସାରିଛନ୍ତି । ଶିବସେନା ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ୱର୍ଲି ବିଧାୟକ ଆଦିତ୍ୟ ଠାକରେଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇବା ଜିଦ୍ ରେ ଅଟଳ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦର ସମାଧାନ ଉପରେ ରାଜ୍ୟରେ ବିଜେପି-ଶବସେନା ସରକାର ଗଠନ ହେବ କି ଶିବସେନା ଅନ୍ୟ ଦଳର ସହଯୋଗରେ ସରକାର ଗଢିବ, ତାହା ନିର୍ଭର କରୁଛି । ଅପରପକ୍ଷରେ, ବିଜେପି-ଶିବସେନା କଳି ରାଜ୍ୟର ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ଏନସିପି ଓ ତାହାର ସହଯୋଗୀ ଥିବା କଂଗ୍ରେସକୁ ସର୍ବାଧିକ ଫାଇଦାରେ ରଖି ଥିବା ଦେଖିବାକୁ ମିଳୁଛି । ଏଭଳି ଏକ ପରିସ୍ଥିତିର ମୁକାବିଲାରେ ବିଫଳ ହୋଇ ମୁଖ୍ୟମନ୍ତ୍ରୀ ଫଡନାଭିସ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ (ବିଜେପି ରାଷ୍ଟ୍ରୀୟ ସଭାପତି) ଅମିତ ଶାହାଙ୍କ ସହ ୪୦ ମିନିଟ ଧରି ଆଲୋଚନା କରିଛନ୍ତି । ଏନସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି)ର ମୁଖ୍ୟ ଶରଦ ପାୱାର ମଧ୍ୟ ଏଆଇସିସି ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀରେ ଅଛନ୍ତି । ଏନସିପି ଓ କଂଗ୍ରେସ ମିଳିତ ଭାବେ ଶିବସେନାକୁ ସମର୍ଥନ ଦେଲେ ରାଜ୍ୟରେ ଶିବସେନାର ସରକାର ଗଠନ ହେବ, ଆଦିତ୍ୟ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେବେ ଏବଂ ବିଜେପିକୁ ସରକାର ଗଠନରୁ ଦୂରେଇ ରଖି ହେବ, ଏହି ରଣନୀତିକୁ ନେଇ ପାୱାର-ସୋନିଆ ସାକ୍ଷାତ ହେଉଥିବା ଅନୁମାନ କରି ହେଉଛି ।
ଗଲା ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହୋଇ ୨୪ରେ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି-ଶିବସେନା ମେଂଟରେ ନିର୍ବାଚନ ଲଢି ଥିବା ବେଳେ କଂଗ୍ରେସ ଓ ଏନସିପି ଆସନ ବୁଝାମଣା କରି ମଇଦାନରେ ଥିଲେ । ତେବେ, ମହାରାଷ୍ଟ୍ରବାସୀ ୨୮୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିକୁ ସଂଖ୍ୟାଧିକ (୧୦୫) ଆସନ ଦେଇଥିଲେ ମଧ୍ୟ ସରକାର ଗଠନ ପାଇଁ ବେଂଚ୍ ମାର୍କ ୧୪୫ ଆସନ ଦେଇ ନାହାନ୍ତି। ଫଳରେ, ଦଳ ଏକାକୀ ସରକାର ଗଠନ ଅବସ୍ଥାରେ ନାହିଁ । ବିଜେପି ସହ ମେଂଟରେ ଥିବା ଶିବସେନା ୫୬ ଆସନ ପାଇଛି । ଯେହେତୁ ଦୁଇ ଗେରୁଆ ଦଳ ମେଂଟରେ ଭୋଟ ଲଢି ମିଳିତ ଭାବେ ୧୬୧ ଆସନ ପାଇଛନ୍ତି ଉଭୟ ମିଶି ସରକାର ଗଢିବାରେ କୌଣସି ସମସ୍ୟା ନାହିଁ । ଏହି ନିର୍ବାଚନରେ କଂଗ୍ରେସ ୪୪ ଓ ଏନସିପି ୫୪ ଆସନ ପାଇ ବିରୋଧୀ ଆସନରେ ବସିବାକୁ ମନ ସ୍ଥିର କରି ସାରିଥିଲେ । ତେବେ, ଭୋଟ ସରିବା ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ଉପସ୍ଥିତିରେ ମୁମ୍ବାଇ ଠାରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ଆଧାର କରି ଶିବସେନା ଅଧା କ୍ଷମତା ଦାବି କରୁଥିବା ଏବେ ବିଜେପି ବେକରେ କଂଟା ହୋଇଛି । କ୍ଷମତାକୁ ଆସିଲେ ୫୦:୫୦ ଭାଗିଦାରୀରେ ଦୁଇ ଦଳ କ୍ଷମତା ଭୋଗ କରିବେ ବୋଲି ସେତେବେଳେ ବୁଝାମଣା ହୋଇଥିବା କୁହାଯାଉଛି । ବିଜେପି ଏବେ ସେହି ବୁଝାମଣାରୁ ଓହରି ଯାଇ ଥିବାରୁ ବିବାଦର ସୂତ୍ରପାତ ହୋଇଥିବା ଶିବସେନା ଅଭିଯୋଗ କରୁଛି । ଅନ୍ୟପକ୍ଷରେ, ଉଦ୍ଧବଙ୍କ ସହ ଶାହାଙ୍କ ସେଭଳି କିଛି ବୁଝାମଣା ହୋଇ ନ ଥିଲା କହି ମୁଖ୍ୟମନ୍ତ୍ରୀ ଫଡନାଭିସ ଓ ବିଜେପି ଶିବସେନାକୁ ‘କ୍ଷମତା ଲୋଭି’ ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଛନ୍ତି । ୫୦:୫୦ କ୍ଷମତା ବିଭାଜନ ଦାବି କରି ଶିବସେନା କେବଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରୁ ଅଧା ଚାହୁଁନି, ରାଜ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ୱ ମଧ୍ୟ ଚାହୁଁଛି । ଏଥିଯୋଗୁ ୧୧ ଦିନ ହେଲା ରାଜ୍ୟରେ ନୂଆ ସରକାର ଗଠନ ସମ୍ଭବ ହେଉ ନାହିଁ । ଉଦ୍ଧବଙ୍କ ପୁଅ ଆଦିତ୍ୟ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବା ଦାବିରେ ଶିବସେନା ଅଟଳ ରହିବା ଦୁଇ ଗେରୁଆ ଦଳ ମଧ୍ୟରେ ବିଭେଦକୁ ଅଧିକ ଗମ୍ଭୀର କରିଥିବା ବେଳେ ଶିବସେନା ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବା ସମ୍ଭାବନା ମଧ୍ୟ ବଢି ଚାଲିଛି ।
ଶିବସେନାର ଦାବି ହେଉଛି, ଅତୀତରେ ଏହି ଗେରୁଆ ଦଳ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ ଦେଇଛି । ତେଣୁ, ମେଂଟ ଧର୍ମ ବିଫଳ ହେଲେ କଂଗ୍ରେସ-ଏନସିପିକୁ ନେଇ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାରେ କିଛି ଅସୁବିଧା ନାହିଁ । ଏନସିପି ଓ କଂଗ୍ରେସ ସହ ଦଳର ବିଚାରଗତ ବୈଷମ୍ୟ ରହି ଥାଇ ପାରେ । ତେବେ, ବିଜେପି ମଧ୍ୟ ଅତୀତରେ ବିଚାରଗତ ବୈଷମ୍ୟ ଥାଇ ଜମ୍ମୁ-କଶ୍ମୀରରେ ପିଡ଼ିପି ସହ ସରକାର ଗଢି ଥିଲା । ସେହିପରି, ନୀତୀଶ କୁମାରଙ୍କ ଆରେଜେଡ଼ି ସହ ବିଜେପିର ବିହାରରେ ମେଂଟ ସରକାର ଚାଲିଛି । ‘ହିନ୍ଦୁତ୍ୱ’ ଆଜେଣ୍ଡା ଅପେକ୍ଷା ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁ ବିଶେଷ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ଅଧିକ ଗୁରୁତ୍ୱ ରଖୁ ଥିବାରୁ ଶିବସେନା ବିକଳ୍ପ ସରକାର କଥା ବିଚାର କରୁଥିବା ଯୁକ୍ତି ଦର୍ଶାଇଛି । ଦଳ ପଛରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ଏବଂ ତାହା ୧୭୫ ପର୍ଯ୍ୟନ୍ତ ପହଂଚି ଯିବ ବୋଲି ଶିସେନାର ବରିଷ୍ଠ ନେତା ସଂଜୟ ରାୱତ ସୂଚାଇଛନ୍ତି । ଶୁକ୍ରବାର ଦିନ ଶରଦ ପାୱାର-କନ୍ୟା ଏନସିପି ନେତ୍ରୀ ସୁପ୍ରିୟା ସୁଲେ ମଧ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜ୍ୟର ଚାଷୀ ଘୋର ସଂକଟରେ ଥିବା କହିଥିଲେ ଏବଂ ରାଜ୍ୟରେ ବିଜେପି ଓ ଶିବସେନା ମିଳିତ ସରକାର ଗଠନ ହୋଇ ନ ପାରିଲେ ଏନସିପି ଓ କଂଗ୍ରେସ ଚାଷୀଙ୍କ ସ୍ୱାର୍ଥକୁ ନଜରରେ ରଖି ବିକଳ୍ପ ସରକାର ଗଠନ କଥା ବିଚାର କରିପାରନ୍ତି ବୋଲି ସୂଚନା ଦେଇଥିଲେ । ଆଜି ଦିଲ୍ଲୀରେ ପାୱାର-ସୋନିଆ ଭେଟ ଏହି ସମ୍ଭାବନାରେ ମୋହର ଲଗାଉଛି । ଶିବସେନାର ବରିଷ୍ଠ ନେତା ସଂଜୟ ରାୱତ ମଧ୍ୟ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶରିଆଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି । ଅଦିନିଆ ବର୍ଷରେ ଗଭୀର ଭାବେ କ୍ଷତିଗ୍ରସ୍ତ ମହାରାଷ୍ଟ୍ର ଚାଷୀଙ୍କୁ ସମସ୍ୟା ସଂପର୍କରେ ସେ ରାଜ୍ୟପାଳଙ୍କୁ ଅବଗତ କରାଇ ଥିବା ରାୱତ କହିଛନ୍ତି । ତେବେ, ଏନସିପି-କଂଗ୍ରେସ ସହ ନୂଆ ମେଂଟ ଗଠନ ସମ୍ଭାବନା ସଂପର୍କିତ ପ୍ରଶ୍ନକୁ ସେ ଏଡାଇ ଯାଇଛନ୍ତି ।
ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରି ତାହାର ଶପଥ ଗ୍ରହଣ ଉତ୍ସବ ନଭେମ୍ବର ୫ ତାରିଖରେ ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡ଼ିୟମରେ କରିବାକୁ ବିଜେପି ପୂର୍ବରୁ ଧାର୍ଯ୍ୟ କରିଥିଲା । ନଭେମ୍ବର ୬ ତାରିଖ ସୁଦ୍ଧା ରାଜ୍ୟରେ ନୂତନ ସରକାର ଗଠନ ହେବ ବୋଲି ଏବେ ଦଳ କହୁଛି । ୭ ତାରିଖ ସୁଦ୍ଧା ନୂଆ ସରକାର ଗଠନ ହୋଇ ନ ପାରିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମହାରାଷ୍ଟ୍ର ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଧୀର ମୁଗୱନ୍ତିୱାର ନିକଟରେ ଚେତାବନୀ ଦେଇ ଥିଲେ, ଯାହାକି ଶିବସେନା ଶିବିରରେ ନିଆଁ ଲଗାଇ ଥିଲା । ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ରକ୍ଷକ, ସେ କଣ ବିଜେପି ପକେଟରେ ଅଛନ୍ତି (?) ବୋଲି ଶିବସେନା ନେତା ରାୱତ ପାଲଟା ପ୍ରଶ୍ନ କରି ମୁଗୱନ୍ତିକରଙ୍କୁ ଜବାବ ଦେଇଥିଲେ । ‘ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ଥିଲେ ସରକାର ଗଠନ କରି ଦେଖାଉ’ ବୋଲି ମଧ୍ୟ ସେ ଚ୍ୟାଲେଜ୍ ଦେଇଥିଲେ । ଦଳ ସରକାର ଗଠନ ଉଦ୍ୟମରେ ଶିଥିଳତା ପାଇଁ ମହାରାଷ୍ଟ୍ର ରାଜ୍ୟପାଳ କୋଶିଆରୀଙ୍କୁ ସମାଲୋଚନା କରିବାକୁ ପଛାଇ ନ ଥିଲା । ଅଚଳାବସ୍ଥା ଲାଗି ରହି ଥିବା ବେଳେ ବିକଳ୍ପ ସରକାର ଗଠନ ଦିଗରେ ରାଜ୍ୟପାଳ ନିରବ ରହିବା କାରଣ କଣ (?) ଶିବସେନା ପ୍ରଶ୍ନ କରିବା ପରେ ରାଜ୍ୟପାଳ ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଛି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସଭାପତି ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ବୁଝାମଣା କଣ ହୋଇଥିଲା, ତାହା ଭିନ୍ନ କଥା । ତେବେ, ବିଜେପିର ଆଜିର ଆଭିମୁଖ୍ୟ କ୍ଷମତା ପାଇଁ ଦଳ ଯେକୌଣସି ସ୍ତରକୁ ଯାଇ ପାରେ, ତାହା ସ୍ପଷ୍ଟ ହୋଇଛି । ଶିବସେନା ଏହାକୁ ‘ଧୋକାବାଜୀ’ କହିଛି । ୨୦୧୮ରେ ଆନ୍ଧ୍ର ପ୍ରଦେଶ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ବିଜେପି ଅନୁରୂପ ‘ଧୋକା’ ଦେଇଥିବା ଅଭିଯୋଗ ରହିଛି । ଆନ୍ଧ୍ର ପ୍ରଦେଶ ରାଜ୍ୟ ପୁନର୍ଗଠନ କଂଗ୍ରେସ ସମୟରେ ହୋଇ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ହୋଇଥିଲା । ସେତେବେଳେ କଂଗ୍ରେସ ସରକାର ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ୨୦୧୪ରେ କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଫେରି ନଥିଲା । ଦେଶରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସ୍ୱତନ୍ତ ପାହ୍ୟା ରାଜ୍ୟ ମାନ୍ୟତା ଦେବା ପ୍ରତିଶ୍ରୁତି ଦେଇ ଏନଡ଼ିଏ ସହ ବାନ୍ଧି ରଖି ଥିଲେ । ବିପୁଳ ସଂଖ୍ୟାରେ କ୍ଷମତାକୁ ଆସିବା ପରେ ମୋଦୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଓଙ୍କୁ ଧରାଛୁଆଁ ଦେଲେ ନାହିଁ । ଫଳରେ, ଚନ୍ଦ୍ରବାବୁ ଏନଡ଼ିଏରୁ ଓହରି ଯାଇ ୨୦୧୯ ନିର୍ବାଚନରେ ବିଜେପିର ଆକ୍ରୋଶର ଶିକାର ହେଲେ ।
ଜମ୍ମୁ-କଶ୍ମୀରରେ ପିଡ଼ିପି-ବିଜେପି ମେଂଟ ସରକାରର ପତନ କାହାଣୀ କାହାରିକୁ ଅଛପା ନାହିଁ । ସେଥିରେ ମଧ୍ୟ ବିଜେପିର ‘ଧୋକାବାଜୀ’ ଅଭିଯୋଗ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଆରଜେଡ଼ି) ରାଜ୍ୟରେ ବିଜେପି ସହ ମିଳିତ ସରକାର ଚଳାଇ ଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପରେ ଯେଉଁ ‘ଧୋକା’ପାଇଛନ୍ତି ତାହା ଆଜି ଯାଏଁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । କର୍ଣ୍ଣାଟକରେ ବି.ଏସ୍. ଯେଦୁରାପ୍ପାଙ୍କ ସରକାରର ପୁନଃ ପ୍ରତିଷ୍ଠା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଯେଉଁ ଦଳ ଭଙ୍ଗା ଖେଳ ଖେଳିଲେ ଓ ଜେଡ଼ିଏସ-କଂଗ୍ରେସ ମିଳିତ ସରକାରର ପତନ ଘଟାଇ ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀଙ୍କୁ କ୍ଷମତାଚ୍ୟୁତ କଲେ ତାହାର ଭିଡ଼ିଓ ଭାଇରାଲ ହୋଇ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଣା ପାଇଁ ପହଂଚି ସାରିଛି । ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ଭାଇରାଲ ଭିଡ଼ିଓରେ କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଦଳ ଛାଡିବାକୁ ପ୍ରବର୍ତାଇ ଥିଲେ ଏବଂ ଦୁଇ ମାସରୁ ଅଧିକ ସେମାନଙ୍କୁ ରାଜ୍ୟ ବାହାରେ ଗୃହବନ୍ଦୀ (?) ରଖିଥିଲେ ବୋଲି ସ୍ୱୀକର କରିଛନ୍ତି । ହରିଆନାରେ ମଧ୍ୟ ବିଜେପି ଜେଜେପି ନେତା ଦୁଷ୍ମନ୍ତ ଚୌତାଲାଙ୍କ ୧୧ ବିଧାୟକଙ୍କ ସହ ମିଳିତ ଭାବେ ସରକାର ଗଠନ କରିବା ପଛରେ କେବଳ ଉପ-ମୁଖ୍ୟମନ୍ତ୍ରୀ ପଦ (ଚୌତାଲାଙ୍କୁ)ର ଥୋପ ନ ଥିଲା, ଜେଲରେ ଥିବା ଦୁଷ୍ମନ୍ତଙ୍କ ପିତା ଅଜୟ ଚୌତାଲାଙ୍କୁ ପାରୋଲରେ ଛଡା ଯିବା ପ୍ରତିଶ୍ରୁତି ମଧ୍ୟ ଥିଲା ବୋଲି ଶିବସେନା ନେତା ସଂଜୟ ରାୱତ କଟାକ୍ଷ କରି ଶିବସେନାର କୌଣସି ନେତା ଜେଲରେ ନାହାନ୍ତି, ତେଣୁ ଦଳ ବିଜେପିକୁ ଡ଼ରୁ ନାହିଁ ବୋଲି ମନ୍ତବ୍ୟ ଦେବା ପରେ ଦୁଷ୍ମନ୍ତଙ୍କ ପ୍ରତିକ୍ରିୟା ଥିଲା ଅତି ମଳିନ । ‘ହିନ୍ଦୁତ୍ୱ’ ଓ ଗେରୁଆ ଦଳ ସହ ଚୌତାଲା ପରିବାରର ଦୀର୍ଘ ଦିନର ସଂପର୍କ ଥିବା କହି ସେ ରାୱତଙ୍କ ପ୍ରତିକ୍ରିୟାକୁ ଟାଳି ଦେଇଥିଲେ । ଏବେ, ଶିବସେନା ମହାରାଷ୍ଟ୍ରରେ ଏନସିପି (୫୪) ଓ କଂଗ୍ରେସ (୪୪) ସହ ମିଶି ସରକାର ଗଢିଲେ ବିଧାନସଭାରେ ସରକାର ସମର୍ଥନରେ ରହୁଥିବା ବିଧାୟକଙ୍କ ସଂଖ୍ୟା ୧୫୪ । ତେବେ, ଶିବସେନା ନେତା ରାୱତ ଶିବସେନା ପଛରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ଏବଂ ତାହା ୧୭୫ ପାଖାପାଖି ପହଂଚି ଯିବ ବୋଲି ଦାବି କରିବା ପଛରେ ସ୍ୱାଧୀନ ଓ ଅନ୍ୟାନ ବିଧାୟକ (୨୯)ଙ୍କ ମଧ୍ୟରୁ ଏକ ସିଂହଭାଗ ଶିବସେନାକୁ ସମର୍ଥନ କରୁଥିବା ପ୍ରକାରାନ୍ତରେଅନୁମାନ କରାଯାଉଛି ।
ଏସବୁ ପରେ ମଧ୍ୟ ଦିଲ୍ଲୀରେ ଆଜି ଫଡନାଭିସ-ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ଶରଦ ପାୱାର-ସୋନିଆ ଗାନ୍ଧୀ ଭେଟଘାଟ ମହାରାଷ୍ଟ୍ର ରାଜନୀତିର ମୋଡ ବଦଳିବା ସମ୍ଭାବନା ରଖୁଛି । ଶରଦ ପାୱାର ମହାରାଷ୍ଟ୍ରରେ ‘କିଙ୍ଗ୍ ମେକର୍’ ହେବେ ବୋଲି କିଛି ଦିନ ହେଲା ଜାତୀୟ ଗଣମାଧ୍ୟମରେ ବିତର୍କ ହେଉଥିଲା । ତାହା ସତ୍ୟର ନିକଟତର ହେବାକୁ ଯାଉଥିବା ବେଳେ ଆଜି ଦିଲ୍ଲୀରେ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ଭେଟ ରାଜନୀତିର ମୋଡ ବଦଳାଇବ କି (?)- ଏଭଳି ଏକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । କ୍ଷମତା ଖେଳରେ ପାୱାର ଓ ଶାହା ଉଭୟେ ଓସ୍ତଦ୍ । ତେବେ, ଯିଏ ଜିତିବ ସେ ହିଁ ହେବ ‘ସିକନ୍ଦର’ । ତେଣୁ, ମହାରାଷ୍ଟ୍ରର ନୂଆ ସରକାରକୁ ନେଇ ଅବଗଣନା ସରି ନାହିଁ କହିବା ଅତ୍ୟୁକ୍ତି ହେବ ନାହିଁ । ନଭେମ୍ବର ୧୦ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS