ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳଙ୍କ ସୁପାରିଶ, ଶିବସେନା ଗଲା ସୁପ୍ରମି କୋର୍ଟ


– ପ୍ରସାଦ ରାଓ –
୧୨ ନଭେମ୍ବର
ଭୋଟ ଫଳାଫଳ ପ୍ରକାଶ ପାଇବାର ତିନି ସପ୍ତାହରୁ ଅଧିକ ସମୟ ହେଲା ମହାରାଷ୍ଟ୍ରରେ ନୂଆ ସରକାର ପ୍ରତିଷ୍ଠା ହୋଇ ପାରୁ ନ ଥିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । ସମ୍ବିଧାନର ୩୫୬ ଧାରା ଅନୁଯାୟୀ ରାଜ୍ୟପାଳ ଏହି ସୁପାରିଶ କରିଥିବା ବେଳେ ଶିବସେନା ଏହାର ଦୃଢ ବିରୋଧ କରିଛି । ରାଜ୍ୟପାଳ କୋଶିଆରୀ ତରବରିଆ ଭାବେ ଏଭଳି ଏକ ପଦକ୍ଷେପ ନେଇ ସେ ବିଜେପି ଇଙ୍ଗିତରେ କାମ କରୁଥିବା ପ୍ରତିପାଦିତ କରିଛନ୍ତି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସୁପାରିଶ ବିରୋଧରେ ଶିବସେନା ତୁରନ୍ତ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଜି ଏହାର ଜରୁରୀ ଶୁଣାଣୀ ପାଇଁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିବେଦନ କରିଛି । ଶିବସେନାର ଅଭିଯୋଗ ହେଉଛି, ରାଜ୍ୟପାଳ କୋଶିଆରୀ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରି ୪୮ ଘଂଟାର ସମୟସୀମା ଦେଇଥିବା ବେଳେ ଶିବସେନାକୁ ମାତ୍ର ୨୪ ଘଂଟା ସମୟ ଦେଇଥିଲେ, ଯାହାକି ନ୍ୟାୟ ସଂଗତ ନୁହେଁ । ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ଅକ୍ଷମତା ପ୍ରକାଶ କରି ଗତ ରବିବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଜଣାଇ ଦେବା ପରେ ସେ ଶିବସେନାକୁ ଆମନ୍ତ୍ରଣ କରି ମାତ୍ର ୨୪ ଘଂଟାର ସମୟସୀମା ଦେଇ ଥିଲେ । ଶିବସେନା ଏଥିସକାଶେ ତିନି ଦିନ ସମୟସୀମା ମାଗିବାରୁ ତାହା ରାଜ୍ୟପାଳଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା । ରାଜ୍ୟପାଳ ଏହି ସମୟ ସୀମା ସରିବା ପରେ ତୃତୀୟ ସଂଖ୍ୟାଧିକ ଦଳ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରି ୨୪ ଘଂଟା ସମୟ ଦେଲେ । ଶିବସେନା ଭଳି ଏନସିପି ମଧ୍ୟ ମାତ୍ର ୪୪ ବିଧାୟକ ଥିବା କଂଗ୍ରେସ ଦଳର ସମର୍ଥନପତ୍ର ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରି ପାରି ନାହିଁ । ଏନସିପି ନେତା ଶରଦ ପାୱାର ଆଜି ପୂର୍ବାହ୍ନ ସାଢେ ୧୧ଟାରେ ମୁମ୍ବାଇଠାରେ ରାଜ୍ୟପାଳଙ୍କୁ ଭେଟି ଦୁଇ ଦିନ ସମୟ ମାଗି ଥିଲେ ମଧ୍ୟ ରାଜ୍ୟପାଳ ତାହାକୁ ଅଗ୍ରାହ୍ୟ କରି ମହାରାଷ୍ଟ୍ରରେ ୧୮ ଦିନରୁ ଅଧିକ ହେଲା ରାଜନୈତିକ ଅସ୍ଥିରତା ଲାଗି ରହି ଥିବାରୁ ଓ କୌଣସି ଦଳ ସରକାର ଗଢିବାକୁ ସକ୍ଷମ ହୋଇ ନ ଥିବାରୁ ରାଜ୍ୟରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରାଯାଉ ବୋଲି ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟର ଏକ ଜରୁରୀ ବୈଠକ ରଖି ଥିଲେ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଜ୍ୟପାଳ ଅପରାହ୍ନରେ ସୁପାରିଶ କରିବା ପରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ତାହା ଅନୁମୋଦନ ଲାଭ କରିଥିିବା ଜଣାପଡିଛି । ମହାରାଷ୍ଟରେ ନୂଆ ସରକାର ପ୍ରତିଷ୍ଠାରେ କଂଗ୍ରେସ ‘କିଙ୍ଗ୍ ମେକର୍’ ଭୂମିକାରେ ରହିବା ଆଜି ସକାଳ ଯାଏଁ ଆଶା କରାଯାଉଥିଲା । ଏବେ, କଂଗ୍ରେସ ଉଭୟ ଶିବସେନା ଓ ଏନସିପି ପାଇଁ ଖଳନାୟକ ହୋଇଛି । ଶିବସେନାର ଆବେଦନ ଉପରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ଆଭିମୁଖ୍ୟ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS