ଝାଡ଼ଖଣ୍ଡରେ ମଧ୍ୟ ବିଜେପି ଓ ଏନଡ଼ିଏ ସଂକଟରେ


– ପ୍ରସାଦ ରାଓ –
୧୨ ନଭେମ୍ବର
ଗଲା ଅକ୍ଟୋବର ମାସରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ଆସନ ପାଇଁ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ ବିଜେପି କ୍ଷମତାକୁ ଆସି ପାରିଲା ନାହିଁ । ନିର୍ବାଚନରେ ବିଜେପି ଓ ଶିବସେନା ମେଂଟରେ ଲଢି ଥିଲେ । ମହାରାଷ୍ଟ୍ରବାସୀ ବିଜେପିକୁ ସଂଖ୍ୟା ଗରିଷ୍ଠତା ଦେଇ ଥିଲେ ମଧ୍ୟ ଏକାକୀ ସରକାର ଗଢିଲା ଭଳି ସଂଖ୍ୟା ଦେଇ ନ ଥିଲେ । ମେଂଟକୁ ସଂଖ୍ୟା ଗରିଷ୍ଠତା ମିଳି ଥିଲା । ତେବେ, ଉଚ୍ଚାଭିଳାଷୀ ଶିବସେନା ମୁଖ୍ୟମନ୍ତ୍ରୀ ଆସନକୁ ଆଖେଇ ବିଜେପି ସହ ମେଂଟ ଭାଂଗିବାରୁ ସରକାର ଗଠନ ପାଇଁ ମେଂଟର ଆବଶ୍ୟକ ସଂଖ୍ୟା ଥାଇ ମଧ୍ୟ ବିଜେପି ଶିଶୁପାଳ ହେଲା । ଶିବସେନା ସମର୍ଥନ ଦେଉ ନ ଥିବାରୁ ଏକାକୀ ଦଳ ସରକାର ଗଠନ କରିବା ସ୍ଥିତିରେ ନାହିଁ ବୋଲି ବିଜେପି ରାଜ୍ୟପାଳଙ୍କୁ ଜଣାଇ ଦେବା ପରେ ରାଜ୍ୟପାଳ ଶିବସେନା ଓ ଏନସିପିକୁ ପର୍ଯ୍ୟାୟକ୍ରମେ ସରକାର ଗଠନ ପାଇଁ ପ୍ରସ୍ତାବ ଦେଲେ । ସେଠି କଂଗ୍ରେସର ସନ୍ଦେହଜନକ ଭୂମିକା ଶିବସେନା ବା ଏନସିପିକୁ ସରକାର ଗଠନର ସୁଯୋଗ ଦେଇ ନାହିଁ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ବିଜେପି ଚାହିଁ ଥିଲା । କଂଗ୍ରେସ ତାହାର ରାସ୍ତା ପ୍ରଶସ୍ତ କରି ଦେଇଛି। ୧୨ ତାରିଖ ପୂର୍ବାହ୍ନରେ ଏନସିପି କଂଗ୍ରେସ ଓ ଶିବସେନାର ସମର୍ଥନପତ୍ର ଯୋଗାଡ କରି ନ ପାରି ସରକାର ଗଠନ ପାଇଁ ଅଧିକ ସମୟ ମାଗି ଥିବା ବେଳେ ରାଜ୍ୟପାଳ ତାହାକୁ ଅଗ୍ରାହ୍ୟ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ତାହାକୁ ଅନୁମୋଦନ ଦେଇଛି । ମହାରାଷ୍ଟ୍ରର ରାଜନୈତିକ ବାବାବରଣ ଅନିଶ୍ଚିତତା ଦେଇ ଗତି କରୁଛି ।
ବିଜେପି ମହାରାଷ୍ଟ୍ର ଭଳି ନଭେମ୍ବର ୩୦ରୁ ପାଂଚ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡରେ ମଧ୍ୟ ନିଜର ସହଯୋଗୀଙ୍କ ଆଡୁ ବିଦ୍ରୋହର ସମ୍ମୁଖୀନ ହୋଇଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଭୋଟ ଆରମ୍ଭ ହୋଇ ଡ଼ିସେମ୍ବର ୨୦ ତାରିଖରେ ସରିବ । ୨୩ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବା କାର୍ଯ୍ୟସୂଚୀ ରହିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୭୨ଟି ବିଧାନସଭା ଆସନରେ ନିର୍ବାଚନ ଲଢି ୩୭ଟିରେ ବିଜୟୀ ହୋଇଥିଲା । ଏହାର ସହଯୋଗୀ ଏଜେଏସୟୁ ୮ଟି ଆସନରେ ଲଢି ୫ଟିରେ ବିଜୟୀ ହୋଇଥିବା ବେଳେ ଅନ୍ୟତମ ସହଯୋଗୀ ଏଲଜେପି ଓ ଜେଡିୟୁ ଗୋଟିଏ ହେଲେ ଆସନରେ ବିଜୟୀ ହୋଇ ନ ଥିଲେ । ରାଜ୍ୟରେ ୪୩ ବିଧାୟକଙ୍କ ସମର୍ଥନରେ ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସରକାର ଚାଲିଛି । ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେମନ୍ତ ସୋରେନଙ୍କ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ୧୯, ବାବୁଲାଲ ମାରାଣ୍ଡିଙ୍କ ଜେଭିଏମ (ପି) ୮ ଓ କଂଗ୍ରେସ ୬ଟି ଆସନ ପାଇଛନ୍ତି । ଝାଡ଼ଖଣ୍ଡରେ ଦଳର ସରକାର ଥିବାରୁ ବିଜେପି ୨୦୧୯ ବିଧାନସଭା ନିର୍ବାଚନକୁ ମଧ୍ୟ ସହଜରେ ପାରି ହୋଇଯିବ ବୋଲି ଆଶା ରଖି ଥିଲା । ତେବେ, ମହାରାଷ୍ଟ୍ର ଭଳି ଝାଡ଼ଖଣ୍ଡରେ ମଧ୍ୟ ଏନଡ଼ିଏ ଅଂଶୀଦାରମାନେ ବିଦ୍ରୋହ ଆରମ୍ଭ କରିଛନ୍ତି । ରାଜ୍ୟରେ ବିଜେପିର ଘନିଷ୍ଟ ସହଯୋଗୀ ଥିବା ଏଜେଏସୟୁ (ନିଖିଳ ଝାଡ଼ଖଣ୍ଡ ଛାତ୍ର ୟୁନିୟନ) ଏବଂ କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଏଲଜେପି (ଲୋକ ଜନଶକ୍ତି ପାର୍ଟି) ଆସନ ବୁଝାମଣାରେ ଅସନ୍ତୁଷ୍ଟ ହୋଇ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶ୍ୱାସ ୨୦୧୪ରେ ଏଲଜେପି ଅଧ୍ୟକ୍ଷ ଥିବା ସମୟରେ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ଗୋଟିଏ ଆସନ ଛାଡି ଥିଲା । ତେବେ, ଏଲଜେପି ସେଠୁ ହାରି ଥିଲା । ଏବେ, ଚିରାଗ ଏକାକୀ ନିର୍ବାଚନ ଲଢିବା ସଂକେତ ଦେଇ ବିଜେପିକୁ ଅଡୁଅରେ ପକାଇଛନ୍ତି । ଉଭୟ ଏଜେଏସୟୁ ଓ ଏଲଜେପିର ବିଦ୍ରୋହୀ ଭୂମିକା ବିଜେପିର ସଂକଟ ବଢାଇଛି ।
୨୦୧୪ ବିଧାନସଭା ନିର୍ବାଚନରେ ପାଶ୍ୱାନଙ୍କ ଏଲଜେପି ମାତ୍ର ଗୋଟିଏ ଆସନରୁ ନିର୍ବାଚନ ଲଢି ହାରି ଥିବା ବେଳେ ୨୦୧୯ ବିଧାନସଭା ନିର୍ବାଚନରେ ଛଅଟି ଆସନ – ଜରମୁଣ୍ଡି, ନାଲା, ହୁସେନାବାଦ, ବାରକାଗାଓଁ, ଲାଟେହାର ଓ ପାଂକିରୁ ନିର୍ବାଚନ ଲଢିବାକୁ ଚାହିଁ ଥିଲା । ତେବେ ଆସନ ବୁଝାମଣା ସମ୍ଭବ ନ ହେବାରୁ ଦଳ ରାଜ୍ୟରେ ୫୦ ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଏଲଜେପି ନେତା ଚିରାଗ ପାଶ୍ୱାନ ଘୋଷଣା କରିଛନ୍ତି । ବିଜେପିର ଅନ୍ୟ ସହଯୋଗୀ ଥିବା ଜେଡ଼ିୟୁ ଓ ଏଜେଏସୟୁ ମଧ୍ୟ ଅସନ୍ତୁଷ୍ଟ । ନିଖିଳ ଝାଡ଼ଖଣ୍ଡ ଛାତ୍ର ୟୁନିୟନ ବା ଏଜେଏସୟୁ ଆସନ ବୁଝାମଣାରେ ବିଜେପି ପାଇଁ ସର୍ବାଧିକ ମୁଣ୍ଡବ୍ୟଥା ହୋଇଥିବା ଜଣାପଡିଛି । ୨୦୧୪ ନିର୍ବାଚନରେ ଏଜେଏସୟୁ ୮ଟି ଆସନରୁ ନିର୍ବାଚନ ଲଢି ୫ଟିରେ ବିଜୟୀ ହୋଇଥିଲା । ରାଜ୍ୟବ୍ୟାପୀ ଏଜେଏସୟୁର ଦୃଢ ସମର୍ଥନ ଭିତ୍ତି ରହିଛି । ୨୦୧୯ ନିର୍ବାଚନରେ ଏଜେଏସୟୁ ୧୯ଟି ଆସନ ମାଗି ଥିବା ବେଳେ ବିଜେପି ୯ରୁ ଅଧିକ ଆସନ ଛାଡିବ ନାହିଁ ବୋଲି କହିଛି । ଫଳରେ, ଏଜେଏସୟୁ ବିଦ୍ରୋହୀ ହୋଇ ଚକ୍ରଧରପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ହେଉଥିବା ଦଳର ରାଜ୍ୟ ଶାଖା ସଭାପତି ଲକ୍ଷ୍ମଣ ଗିଲୁଆଙ୍କ ବିରୋଧରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
୨୦୧୯ ବିଧାନସଭା ନିର୍ବାଚନରେ ଏଜେଏସୟୁ ୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ସେଥିରୁ ୪ଟି ଆସନ – ଚକ୍ରଧରପୁର, ସିମାରିଆ, ସିନ୍ଦ୍ରି ଓ ମାଣ୍ଡୁରେ ବିଜେପି ମଧ୍ୟ ପ୍ରାର୍ଥୀ ଦେଇଛିି । ବିଜେପି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାହାର ପ୍ରଥମ ପ୍ରାର୍ଥୀ ତାଲିକା ରବିବାର ଦିନ ଘୋଷଣା କରିଥିଲା । ୮୧ ବିଧାନସଭା ଆସନରୁ ଦଳ ୫୨ଆସନ ପାଇଁ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏଲଜେପି ଓ ଏଜେଏସୟୁର ବିଦ୍ରୋହକୁ ଦେଖି ତାହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରୁ ନାହିଁ । ଏଜେଏସୟୁ ସହ ବୁଝାମଣା କରିବାକୁ ବିଜେପି ଯୋରଦାର ଉଦ୍ୟମ କରୁଥିବା ଅନ୍ୟତମ ଏନଡ଼ିଏ ସହଯୋଗୀ ଜେଡିୟୁ ଅଭିଯୋଗ କରିଛି ଯେ, ଝାଡଖଣ୍ଡରେ ବିଜେପି ବଡଭାଇ ଭୂମିକା ଥାଇ ଅନ୍ୟ ସହଯୋଗୀଙ୍କ ସହ ଆଲୋଚନା କରିବା ପରିବର୍ତେ ମନମୁଖୀ ଭାବେ ପ୍ରାର୍ଥୀ ଦେଉ ଥିବାରୁ ରାଜ୍ୟରେ ଏନଡ଼ିଏ ବୋଲି ଆଉ କିଛି ନାହିଁ। ବିଜେପି, ଏଲଜେପି, ଜେଡ଼ିୟୁ, ଏଜେଏସୟୁ ଅଲଗା ଅଲଗା ନିର୍ବାଚନ ଲଢିବାକୁ ଯାଉଥିବା ଯଦି ଏହା ସତ୍ୟ ହୋଇଥାଏ ତେବେ ଏନଡ଼ିଏ ଧୀରେ ଧୀରେ ସତ୍ତା ହରଉ ଥିବା ଯେ କେହି ଅନୁମାନ କରିବ ।
୨୦୧୪ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡରେ କଂଗ୍ରେସ ୬୨ ଆସନରେ ନିର୍ବାଚନ ଲଢି ମାତ୍ର ୬ଟିରେ ବିଜୟୀ ହୋଇଥିଲା । ୟୁପିଏ ସହଯୋଗୀ ଜେଏମଏମ ୧୯ଟି ଆସନ ପାଇ ଥିଲା । ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ୩୧, ଜେଏମଏମ ୪୩ ଆସନରେ ପ୍ରାର୍ଥୀ ଦେଇଛନ୍ତି । ବଳକା ଆସନ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡ଼ିକୁ ଛାଡି ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ ୟୁପିଏ ପ୍ରଚାର ଅଭିଯାନର ମଂଗ ଧରିଛନ୍ତି । ବିଜେପି ଝାଡ଼ଖଣ୍ଡରେ ଏଲଜେପି, ଏଜେଏସୟୁ ଓ ଜେଡ଼ିୟୁକୁ ମନାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ କେତେଦୂର ସକ୍ଷମ ହେବ ତାହା ସମୟ କହିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS