ଏସପିଜି ସୁରକ୍ଷାରୁ ବାଦ ପଡିଲେ ଗାନ୍ଧୀ ପରିବାର, କଂଗ୍ରେସ କହିଲା ‘ଶାସକ ଦଳର ଏହା ଷଡଯନ୍ତ୍ର’
– ପ୍ରସାଦ ରାଓ –
ନଭେମ୍ବର ୧୨
ଏଆଇସିସିର କାମଚଳା ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ତାଙ୍କ ପୁଅ ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ଏଆଇସିସି ସାଧାରଣ ସଂପାଦିକା ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ୍ ଗାର୍ଡ) ସୁରକ୍ଷାରୁ ବାଦ୍ ପଡିଛନ୍ତି । କେନ୍ଦ୍ର ସରକାର ସେମାନଙ୍କୁ ମିଳୁ ଥିବା ଏସପିଜି ସୁରକ୍ଷା ହଟାଇ ସିଆରପିଏଫ୍ ର ‘ଜେଡ୍ ପ୍ଲସ୍’ ସୁରକ୍ଷା ଯୋଗାଇ ଦେଇଛନ୍ତି, ଯାହା କି ଏବେ ଲାଗୁ କରାଯାଇଛି । ତେବେ, ଏହି କଥା କଂଗ୍ରେସ ନେତୃ ମହଲ ସହଜରେ ଗ୍ର୍ରହଣ କରି ପାରୁ ନାହାନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଗତ ଶୁକ୍ରବାର ଦିନ ଏକ ବିବୃତି ଦେଇ, ଏହା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ନକ୍ସଲବାଦୀ, ଉଗ୍ରପନ୍ଥୀ ଓ ଚରମପନ୍ଥୀଙ୍କ ଆଡୁ ବିପଦ ରହିଥିବା ଏସପିଜି ସତର୍କ କରାଇ ଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଭିଭିଆଇପିଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ନା’ରେ ଗାନ୍ଧୀ ପରିବାରର ଏହି ତିନି ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିବା ନିନ୍ଦନୀୟ ବୋଲି ଗେହେଲଟ୍ କହିଛନ୍ତି । ରାହୁଲଙ୍କ ପିତା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧୯୯୧ ମେ’ ୨୧ ତାରିଖରେ ତାମିଲନାଡୁର ପେରେମପଦ୍ଦୁରଠାରେ ଶ୍ରୀଲଙ୍କାର ଏଲଟିଟିଇ ଉଗ୍ରପନ୍ଥୀମାନେ ମାନବ ବୋମା ବିସ୍ଫୋରଣ ଘଟାଇ ହତ୍ୟା କରିଥିଲେ । ତାହା ପରଠାରୁ ଗାନ୍ଧୀ ପରିବାର ଏସପିଜି ସୁରକ୍ଷା ବଳୟରେ ଥିଲେ । ରାହୁଲଙ୍କ ଜେଜେମା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ତାଙ୍କରି ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ (ପ୍ରଧାନମନ୍ତ୍ରୀ ଥିବା ସମୟରେ)ଖାଲିସ୍ଥାନୀ ଉଗତ୍ନ୍ୀମାନେ ଗୁଳି କରି ହତ୍ୟା କରିଥିଲେ । ପଂଜାବରେ ଶିଖ୍ ଚରମପନ୍ଥୀଙ୍କ ବିରୋଧରେ ସେନାର ‘ବ୍ଲୁ-ଷ୍ଟାର୍’ ଅପରେସନ୍ ଶ୍ରୀମତୀ ଗାନ୍ଧୀଙ୍କୁ ହତ୍ୟା କରାଯିବାର କାରଣ ଥିଲା । ଗୋଟିଏ ପରିବାରର ଦୁଇ ଦୁଇ ଜଣ ସଦସ୍ୟ ଦେଶ ପାଇଁ ନିଜ ଜୀବନର ଆତ୍ମବଳୀ ଦେଇ ଥିବା ବେଳେ ସେହି ପରିବାର ତିନି ଜଣ (ଯେଉଁମାନେ କି ଉଗ୍ରବାଦୀ, ଚରମପନ୍ଥୀ ଓ ନକ୍ସଲଙ୍କ ହିଟ୍ ଲିଷ୍ଟ୍ରେ ଥିବା କୁହାଯାଉଛି) ସଦସ୍ୟଙ୍କ ଏସପିଜି ସୁରକ୍ଷା ବଳୟ ହଟାଇ ଦିଆଯାଇ ସିଆରପିଏଫ୍ ର ‘ଜେଡ୍ ପ୍ଲସ୍’ ସୁରକ୍ଷା ଅନ୍ତର୍ଭୁକ୍ତ କରାଯିବା ରାଜନୈତିକ ଆକ୍ରୋଶ ବ୍ୟତୀତ କଣ ହୋଇପାରେ (?) ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି । ରାହୁଲ ଏବେ କେରଳର ୱେନଡ୍ ଲୋକସଭା ଆସନରୁ ସାଂସଦ ଅଛନ୍ତି । କେରଳ ଓ ଛତିଶଗଡ଼ ନକ୍ସଲ ଉପଦ୍ରୁତ ହୋଇଥିବା ଦୃଷ୍ଟିରୁ ଏବଂ ଛତିଶଗଡ଼ରେ ପାଂଚ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ସୁରକ୍ଷା ଏବେ କଂଗ୍ରେସ ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS