କହିଲେ, କରି ଦେଖାଇଲେ


– ପ୍ରସାଦ ରାଓ –
୧୩ ନଭେମ୍ବର
ମହାରାଷ୍ଟ୍ରରେ ସରକାର ଗଠନ କରି ନ ପାରିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଇବ ବୋଲି ଶିବସେନାକୁ ଚେତାବନୀ ଦେଇଥିଲା ବିଜେପି । କାଲି ତାହା କରି ଦେଖାଇଛି । ରାଜ୍ୟପାଳ ବିଜେପିର ଏବଂ ସେ ଜଣେ କଟ୍ଟର ଆରଏସଏସ୍ ଭାବେ ଜଣାଶୁଣା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ବିଜେପି ଓ ଆରଏସଏସ୍ ଭିତ୍ତିଭୂମୀରୁ ରାଷ୍ଟ୍ରମୁଖ୍ୟ ପଦକୁ ଉନ୍ନିତ ହୋଇଛନ୍ତି । କେନ୍ଦ୍ରରେ ବିଜେପି ସରକାର ରହିଛି । ତେଣୁ, ‘ରାଷ୍ଟ୍ରପତି ବିଜେପିର ପକେଟରେ କି’ ବୋଲି ବିଜେପିର ଧମକ ପରେ ଶିବସେନା ଯେଉଁ ପ୍ରଶ୍ନ କରିଥିଲା ତାହାର ଉତ୍ତର ଏବେ ଶିବସେନାକୁ ମିଳି ଯାଇଛି ।
ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ କୌଣସି ରାଜନୈତିକ ଦଳ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ପାଇ ନାହାନ୍ତି । ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ସର୍ବାଧିକ ୧୦୫ ଆସନ ପାଇ ଥିବା ବେଳେ ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ ଆସନ ପାଇଛି । ସ୍ୱାଧୀନ ଓ ଅନ୍ୟାନ୍ୟ ମିଶି ୨୯ ବିଧାୟକ ନିର୍ବାଚିତ ହୋଇଛନ୍ତି । ବିଜେପି-ଶିବସେନା ମେଂଟରେ ନିର୍ବାଚନ ଲଢି ଥିଲେ ଓ ମିଳିତ ଭାବେ ୧୬୧ ଆସନ ପାଇ ସରକାର ଗଢିବାରେ ସମର୍ଥ ଥିଲେ । କିନ୍ତୁ, କ୍ଷମତା ବଂଟନରେ ପରସ୍ପର ବିରୋଧରେ ବିଶ୍ୱାସଘାତକତାର ଅଭିଯୋଗ ଆଣି ସେମାନେ ମେଂଟ ଭାଂଗିଛନ୍ତି । ‘ମୁଖ୍ୟମନ୍ତ୍ରୀ’ ପଦର ଲାଳସା ଓ ସରକାରରେ ୫୦:୫୦ ଭାଗିଦାରୀକୁ ନେଇ ବୁଝାମଣା ହୋଇ ନ ପାରି ଏହି ମେଂଟ ଭାଂଗିଛି । ଶିବସେନା ଆଶା କରିଥିଲା ଏନସିପି ଓ କଂଗ୍ରେସ ରାଜ୍ୟରେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ‘ସେନା’ର ହାତ ଧରିବେ । ଏହି ତିନି ଦଳ ଏକାଠି ହୋଇଥିଲେ ରାଜ୍ୟରେ ନୂଆ ସରକାର ଗଠନରେ କିଛି ଅସୁବିଧା ନ ଥିଲା । କାରଣ, ସରକାର ଗଠନ ପାଇଁ ମେଜିକ ସଂଖ୍ୟା ୧୪୫ ଥିବା ବେଳେ ଶିବସେନା, ଏନସିପି, କଂଗ୍ରେସର ମିଳିତ ବିଧାୟକ ସଂଖ୍ୟା ରହିଛି ୧୫୪ । ତେବେ, ଶିବସେନା ଭଳି ଏନସିପି ମଧ୍ୟ ଉଚ୍ଚାଭିଳାଷୀ । ଏହାଛଡା କଂଗ୍ରେସର ‘ମୁହଁଲୁଚା ନୀତି’ ପୁନର୍ବାର ବିଜେପି ପାଇଁ କ୍ଷମତା ଦଖଲର ସୁଯୋଗ ସୃଷ୍ଟି କରିଛି । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଗଲା ରବିବାରରୁ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ଆଲୋଚନାରେ ରହିଲେ । କିନ୍ତୁ, କୌଣସି ବୁଝାମଣାରେ ପହଂଚି ପାରିଲେ ନାହିଁ । ପ୍ରଥମେ ଶିବସେନାକୁ ଓ ପରେ ଏନସିପିକୁ ସମର୍ଥନପତ୍ର ଦେବାରେ କଂଗ୍ରେସ ଟାଳଟୁଳ ନୀତି ଧରିଲା । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଏହାର ସୁଯୋଗ ନେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ । ରାଜ୍ୟ ରାଜନୀତିରେ ଏଭଳି ଏକ ପରିସ୍ଥିତି ହେବାକୁ ଯାଉଥିବା ବିଜେପି ସୁଂଘି ସାରି ଥିଲା । ତେଣୁ, ପରିସ୍ଥିତିରୁ ଫାଇଦା ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟର ଏକ ଜରୁରୀ ବୈଠକ ଡାକି ସୁଯୋଗକୁ ଚାହିଁ ବସି ଥିଲେ । ରାଜ୍ୟପାଳଙ୍କ ସୁପାରିଶ କେନ୍ଦ୍ର ନିକଟରେ ପହଂଚୁ ପହଂଚୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ତାହାକୁ ଅନୁମୋଦନ କରି ଦିଆ ଯାଇ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଶିବସେନା ରାଜ୍ୟପାଳଙ୍କ ଏଭଳି ତରବରିଆ ସୁପାରିଶ ବିରୋଧରେ ସୁପ୍ରିମ କୋର୍ଟକୁ ଯାଇ ତୁରନ୍ତ ଏହାର ଶୁଣାଣୀ ପାଇଁ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନର କରି ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାଳବିଳମ୍ବ ନ କରି ରାଜ୍ୟପାଳଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ୧୨ ତାରିଖ ସନ୍ଧ୍ୟାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରି ଦେଲେ ।
ଏବେ, ସରକାର ଗଠନରେ ବିଫଳତା ପାଇଁ କଂଗ୍ରେସ ଏନସିପିକୁ ଓ ଏନସିପି କଂଗ୍ରେସକୁ ଦୋଷ ଦେଉଛନ୍ତି । ପରସ୍ପର ବିରୋଧରେ ବିଶ୍ୱାସଘାତକତା ଅଭିଯୋଗ ଆଣୁଛନ୍ତି । ତେବେ, ବାସ୍ତବରେ ବିଶ୍ୱାସଘାତକ କିଏ (?), ତାହା ତର୍ଜମାର ବିଷୟ ହୋଇଛି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଭୂମିକା ମଧ୍ୟ ବିଶେଷଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିବସେନା ଯେତେବେଳେ କ୍ଷମତାରେ ୫୦:୫୦ ଭାଗିଦାରୀ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ବିଜେପି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରି ମେଂଟରୁ ଓହରିଲା ସେତେବେଳେ ଏନସିପି ଓ କଂଗ୍ରେସ ଶିବସେନା ସହ ମିଶି ସରକାର ଗଠନର ସମସ୍ତ ସମ୍ଭାବନା ସୃଷ୍ଟି କରିଥିଲେ । କିନ୍ତୁ, କୌଣସି ନା କୌଣସି କାରଣରୁ ଉଭୟେ ଶିବସେନାକୁ ସମର୍ଥନପତ୍ର ଦେଲେ ନାହିଁ । ଏନସିପି ନେତା ଶରଦ ପାୱାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରୁଥିବା ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଉଭୟ ପାୱାର ଓ କଂଗ୍ରେସ ନେତୃତ୍ୱ ସହ କଥାବାର୍ତା ଚଳାଇ ଥିବା କହି ସମୟ ଗଡାଇ ନିଆ ଗଲା । ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ୪୮ ଘଂଟାରୁ ଅଧିକ ସମୟ ଦେଇଥିବା ବେଳେ ଶିବସେନା ଓ ଏନସିପିକୁ ୨୪ ଘଂଟା ଲେଖାଏଁ ସମୟ ଦେଇ ରାଜ୍ୟକୁ ରାଷ୍ଟ୍ରପତି ଶାସନ ଆଡକୁ ଟାଣି ନେଲେ । ଶିବସେନା ୨୪ ଘଂଟା ସମୟ ସୀମା ମଧ୍ୟରେ ଏନସିପି ଓ କଂଗ୍ରେସର ସମର୍ଥନପତ୍ର ଯୋଗାଡ କରି ପାରି ନ ଥିଲା । ସେହିପରି, ଏନସିପି ରାଜ୍ୟପାଳଙ୍କ ଠାରୁ ସରକାର ଗଠନ ପାଇଁ ନିମନ୍ତ୍ରଣ ପାଇବା ପରେ ୨୪ ଘଂଟା ମଧ୍ୟରେ କଂଗ୍ରେସର ସମର୍ଥନପତ୍ର ଯୋଗାଡ କରି ପାରିଲା ନାହିଁ । ରାଜ୍ୟ ବିଧାନସଭାରେ ୪୪ ବିଧାୟକ ଥିବା କଂଗ୍ରେସ ଆଶା କରି ଥିଲା ଉଭୟ ଶିବସେନା ଓ ଏନସିପି ରାଜ୍ୟରେ ସରକାର ଗଠନରେ ବିଫଳ ହେବା ପରେ ରାଜ୍ୟପାଳ କଂଗ୍ରେସକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ । ତେବେ, ତାହା ମଧ୍ୟ ହେଲା ନାହିଁ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବ ପରେ ଆଜି କଂଗ୍ରସ ତାହାର ୪୪ ବିଧାୟକଙ୍କୁ (ରଜସ୍ଥାନରେ ନଜରବନ୍ଦୀ ରଖି ଥିଲା) ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଫେରାଇ ଆଣିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଯିବା ପରେ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ଅନ୍ୟମାନଙ୍କ ସହ ମୁମ୍ବାଇ ଆସି ଶରଦ ପାୱାରଙ୍କ ସହ ଆଲୋଚନା କରିବା ଏବଂ ବୁଧବାର ସନ୍ଧ୍ୟା ସୁଦ୍ଧା ସର୍ବନିମ୍ନ ସହଯୋଗକୁ କାର୍ଯ୍ୟକ୍ରମ (କମନ୍ ମିନିମ୍ ପ୍ରୋଗ୍ରାମ୍)କୁ ନେଇ ଆଲୋଚନା ଅଟକି ଥିବା କଂଗ୍ରେସ ଓ ଏନସିପିର ମନୋଭାବକୁ ସ୍ପଷ୍ଟ କରୁଛି ।
ଏବେ ଚର୍ଚ୍ଚାର ବିଷୟ ହୋଇଛି ମୁମ୍ବାଇର ତାରକା ହୋଟେଲ ‘ଟ୍ରାଇଡେଂଟ୍’ରେ କଂଗ୍ରେସ,ଏନସିପି ଓ ଶିବସେନା ନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନା । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେ ଅନ୍ୟ ରାଜନୈତିକ ଦଳର ନେତାଙ୍କୁ ଭେଟିବାକୁ ହେଲେ ‘ମାତୋଶ୍ରୀ’ (ଦଳର ହେଡକ୍ୱାଟର୍)ରେ ଆଲୋଚନା କରୁଥିଲେ । କେବେ, ‘ମାତୋଶ୍ରୀ’ବାହାରକୁ ଆସି ନ ଥିଲେ । ଅନ୍ୟ ଦଳର ନେତାମାନେ ଠାକରେଙ୍କୁ ଭେଟିବାକୁ ହେଲେ ‘ମାତୋଶ୍ରୀ’କୁ ଯିବା ପରଂପରା ରହିଛି । ତେବେ, ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ଏହି ପରଂପରା ଭାଂଗି କଂଗ୍ରେସ, ଏନସିପି ନେତାଙ୍କ ସହ ଆଲୋଚନା ପାଇଁ ‘ଟାଇଡେଂଟ’ରେ ପହଂଚିଛନ୍ତି । ଏହା ଉଦ୍ଧବଙ୍କ ଉଦାରବାଦର ପରିଚୟ ବୋଲି ଆଲୋଚନା ହେଲାଣି । ଉଦ୍ଧବ ହୋଟେଲ ‘ଟାଇଡେଂଟ’ରେ କଂଗ୍ରେସ ଓ ଏନସିପି ନେତାଙ୍କ ସହ ବସି ନୂଆ ମଂଟେ ସରକାର ପାଇଁ ସର୍ବନିମ୍ନ ସହଯୋଗ କାର୍ଯ୍ୟକ୍ରମ (କମନ୍ ମିନିମ୍ ପ୍ରୋଗ୍ରାମ୍) ପ୍ରସ୍ତୁତରେ ଲାଗିଛନ୍ତି । ତେବେ, ଉଦ୍ଧବ ପରଂପରା ଭାଂଗିବା ଉଦାରବାଦ ନୁହେଁ, ପୁଅ ଆଦିତ୍ୟକୁ ମୁଖ୍ୟମନ୍ତ୍ରୀ ଅସନରେ ଦେଖିବାର ଅଭିଳାଷ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ଉଲ୍ଲେଖନୀୟ ଘଟଣା ହେଉଛି, ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପରେ ବିଜେପି ନେତାମାନେ ଦେଉ ଥିବା ବିବୃତି । ରାଷ୍ଟ୍ରପତି ଶାସନର ଅବଧି ଛଅ ମାସ । ସେହି ସମୟ ଭିତରେ ଯିଏ ୧୪୫ ବିଧାୟକଙ୍କ ସମର୍ଥନପତ୍ର ଯୋଗାଡ କରି ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରି ପାରିବ, ସେହି ଦଳ ରାଜ୍ୟରେ ସରକାର ଗଠନର ସୁଯୋଗ ପାଇବ । ‘ଆମେ ୧୪୫ ବିଧାୟକଙ୍କ ସମର୍ଥନ ଯୋଗାଡ କରି ମହାରାଷ୍ଟ୍ରରେ ସରକାର ଗଠନ କରିବୁ’ ବୋଲି ୧୦୫ ବିଧାୟକ ଥିବା ବିଜେପି ଏବେ ଦୃଢୋକ୍ତି ପ୍ରକାଶ କରିବା ପଛରେ ‘ଘୋଡ଼ା ବେପାର’ର ସମ୍ଭାବନା ଦେଖିବାକୁ ମିଳୁଛି । ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଠନ ପାଇଁ ‘ସର୍ବନିମ୍ନ ବୁଝାମଣା’ର କସରତକୁ ଯୋର୍ ଦେଇଥିବା ବେଳେ ବିଜେପି ନିଜ ସମର୍ଥକ ବିଧାୟକଙ୍କ ସଂଖ୍ୟା ୧୪୫ରେ ପହଂଚାଇବାକୁ ଉଦ୍ୟମ କରିବାରେ କିଛି ଅସୁବିଦା ନାହିଁ । ତେବେ, ବିଜେପି ଆଉ ୪୦ ବିଧାୟକ କେଉଁଠୁ ଆଣିବ, ତାହା ହିଁ ପ୍ରଶ୍ନ । ନିଜର ସଂଖ୍ୟା ନ ଥିବା ଦର୍ଶାଇ ଗତ ରବିବାର ସରକାର ଗଠନ ଦାବିରୁ ଓହରି ଯାଇଥିବା ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପରେ ୧୪୫ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦେଇ ସରକାର ଗଢିବ ବୋଲି ଆସ୍ଫାଳନ କରିବା ରହସ୍ୟମୟ ନୁହେଁ କି ? ଏଥିରୁ ମହାରାଷ୍ଟ୍ରରେ କର୍ଣ୍ଣାଟକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ଅନୁମାନ କରି ହେବ । କେନ୍ଦ୍ରରେ ଦଳର ସରକାର ରହିଛି । ଆର୍ଥିକ ଓ ପ୍ରଭାବ ଦୃଷ୍ଟିରୁ ମଧ୍ୟ ବିଜେପି ଅନ୍ୟ ଦଳମାନଙ୍କ ତୁଳନାରେ ଆଗୁଆ । ମହାରାଷ୍ଟ୍ର ଭଳି ଏକ ମର୍ଯ୍ୟାଦା ସଂପନ୍ନ ରାଜ୍ୟକୁ ହାତଛଡା କରିବାକୁ ବିଜେପି ଚାହୁଁନି । ତେଣୁ, ଦଳ ଯେକୌଣସି ସ୍ତରକୁ ଯାଇ ପାରେ ବୋଲି ଆଲୋଚନା ହେଉଛି ।
ବିଜେପିର ଏଭଳି ମାନସିକତାକୁ ନେଇ ଶରଦ ପାୱାରଙ୍କ ଭଳି ଜଣେ ଅନୁଭବି ରାଜନେତା ଅଜ୍ଞକୁ ? ଦେଶରେ କଂଗ୍ରେସର ସ୍ଥିତି ମୂମୂର୍ଷୁ ଅବସ୍ଥାରେ ଥିବା ମୂଷଟିଏ ଭଳି । ତଥାପି, ଏହାର ଅନ୍ତଃରୀଣ ଅଧ୍ୟକ୍ଷ ଶ୍ରୀମତୀ ସୋନିଆ ଗାନ୍ଧୀ ବିଜେପିର ଶକ୍ତି ସଂପର୍କରେ ଅଜ୍ଞ ନୁହନ୍ତି । ସବୁ ଜାଣି ସୁଦ୍ଧା କଂଗ୍ରେସ ଓ ଏନସିପି ଶିବସେନାକୁ ସରକାର ଗଠନରେ ସହଯୋଗ କରିବାର ଆଶ୍ୱାସନା ଦେଇ ବିଜେପି ଠାରୁ ଦୂରାଇ ଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଝୁଲାଇ ରଖିଲେ । ଶରଦ ପାୱାର ସରକାର ଗଢିବାକୁ ରାଜ୍ୟପାଳଙ୍କ ନିମନ୍ତ୍ରଣ ପାଇ ଯେତେବେଳ କଂଗ୍ରେସର ସମର୍ଥନପତ୍ରକୁ ଚାହିଁ ରହିଲେ କଂଗ୍ରେସ ତାଙ୍କୁ ଝୁଲାଇ ରଖିଲା । ଶରଦ-ସୋନିଆ ଓ ଉଦ୍ଧବଙ୍କ ମଧ୍ୟରେ ଘଂଟା ଘଂଟା ଆଲୋଚନା ଚାଲିଲା ସିନା କୌଣସି ନିଷ୍କର୍ଷ ବାହାରିଲା ନାହିଁ । ଦୁଇ ଦଳ ରାଜ୍ୟରେ ରାଷ୍ଟ୍ରପତି ଶସନ ଜାରି ସଂପର୍କରେ ସୁପାରିଶ ପାଇଁ ରାଜ୍ୟପାଳଙ୍କୁ ଦେଲେ ଏବଂ ରାଜ୍ୟପାଳ ତାହାର ସଦୁପଯୋଗ କଲେ । ଏବେ କୁହାଯାଉଛି, ଦୁଇ ଧର୍ମନିରପେକ୍ଷ ଦଳ ହିନ୍ଦୁତ୍ୱବାଦୀ ଶିବସେନାକୁ ବିଶ୍ୱାସକୁ ନେଲେ ନାହିଁ । ସେହିଭଳି, ଦୁଇ ଧର୍ମନିରପେକ୍ଷ ଦଳ ମଧ୍ୟ ପରସ୍ପରକୁ ବିଶ୍ୱାସକୁ ନେଉ ନ ଥିବା ବର୍ତମାନ ଚାଲିଥିବା କସରତରୁ ସ୍ପଷ୍ଟ ହେଉଛି । ଏଭଳି ଏକ ଅବିଶ୍ୱାସର ଭିତ୍ତି ଉପରେ ‘କମନ୍ ମିନିମମ୍ ପ୍ରୋଗ୍ରାମ୍’କୁ ନେଇ ସେମାନେ ରାଜ୍ୟକୁ କିଭଳି ଏକ ସ୍ଥିର ସରକାର ଦେବେ (?) ତାହା ମଧ୍ୟ ପ୍ରଶ୍ନବାଚୀ ହେଲାଣି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS