‘ଫାଲକନ୍’ ଗ୍ୟାସ୍ ଲିକ୍ ଘଟଣାରେ ୭ ଗିରଫ
ରିପୋର୍ଟ : ମୋଅନୁଭବ.କମ୍
ବାଲେଶ୍ୱର, ନଭେମ୍ବର ୧୪: ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ତାରା ରଂଜନ ପଟ୍ଟନାୟକଙ୍କ ‘ଫାଲକନ୍’ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଂଟରେ ବୁଧବାର ରାତି ପ୍ରାୟ ୯ଟାରେ ଗ୍ୟାସ୍ ଲିକ୍ ହୋଇ ଶତାଧିକ ମହିଳା କର୍ମଚାରୀ ଗୁରୁତର ଅସୁସ୍ଥ ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଏହା ଆମୋନିଆ ଗ୍ୟାସ୍ ବୋଲି ସନ୍ଦେହ କରାଯାଉଥିଲା । ପରେ, ଏହା କ୍ଲୋରିନ୍ ଗ୍ୟାସ୍ କୁହାଯାଉଛି। ପ୍ଲାଂଟରେ କାମ କରୁଥିବା ମହିଳାମାନେ ଗ୍ୟାସ୍ ଲିକ୍ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ୭୦ରୁ ଅଧିକ ଅସୁସ୍ଥ ମହିଳା ଶ୍ରମିକ ବାଲେଶ୍ୱର ସ୍ଥାନାନ୍ତର ହୋଇଥିବା ବେଳେ ଖନ୍ତାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦ ଜଣ ଚିକିତ୍ସାଧୀନ ଅଛନ୍ତି । ଏହି କ୍ଷତିକାରକ ଗ୍ୟାସ୍ ଲିକ୍ ଘଟଣାରେ ପୁଲିସ ଖନ୍ତାପଡ଼ା ଥାନାରେ ଏକ ମାମଲା ରୁଜୁ କରିଥିବା ଓ ୭ ଜଣ କାରଖାନା ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରାଜ୍ୟ ପୁଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା ଗଣମାଧ୍ୟମକୁ କହିଛନ୍ତି । ତଦନ୍ତରେ ସହାୟତା କରିବା ପାଇଁ ଏକ ୬ ଜଣିଆ ସ୍ୱତନ୍ତ୍ର ଫୋରେନ୍ସିକ୍ ଟିମ୍ କୁ ପଣପଣାସ୍ଥିତ ଏହି ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାକୁ ପଠା ଯାଇଥିବା ଡ଼ିଜି ସୂଚନା ଦେଇଛନ୍ତି । ଗୁରୁତର ଅସୁସ୍ଥ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ଏବଂ କିଛି ଅସୁସ୍ଥ ମହିଳା ଠିକ୍ ହେବା ପରେ ନିଜ ନିଜ ଘରକୁ ଫେରିଛନ୍ତି ବୋଲି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଓ ଏସପି ବି.ଯୁଗଳ କିଶୋର ପ୍ଲାଂଟ୍ ଓ ଡାକ୍ତରଖାନା ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ କହିଛନ୍ତି । ପୂର୍ବାଂଚଳ ପୁଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ କହିଛନ୍ତି, ‘ଫାଲକନ୍’ର ଏହି ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାକୁ ସିଲ୍ କରାଯାଇଛି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତଦନ୍ତ କରାଯାଉଛି । ତେବେ, ପ୍ଲାଂଟ୍ ର ମାଲିକ ତାରା ପଟ୍ଟନାୟକ କହିଛନ୍ତି, ଏହା ଗ୍ୟାସ୍ ଲିକ୍ ନୁହେଁ, କାରଖାନା ଚିଙ୍ଗୁଡ଼ି ପ୍ରୋସେସିଂରେ ବ୍ୟବହୃତ ବ୍ଲିଚିଂ ଦ୍ରବଣକୁ ନେଇ ସମସ୍ୟା ଉପୁଜିଛି । ତଥାପି, ଘଟଣାଟି ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ‘ଫାଲକନ୍’ ର ଏହି ପ୍ରୋସେସିଂ ପ୍ଲାଂଟରେ ବିଭିନ୍ନ ଘେରିରୁ ସଂଗ୍ରହ କରାଯାଉଥିବା ଚିଙ୍ଗୁଡ଼ିକୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ କରିବା ପରେ ବାହାରକୁ ରପ୍ତାନି କରାଯାଇଥାଏ । ପ୍ରୋସେସିଂ ଓ ପ୍ୟାକେଜିଂ କାମରେ ପ୍ରାୟତଃ ମହିଳାମାନେ ନିୟୋଜିତ ଅଛନ୍ତି । ବିଭିନ୍ନ ଘେରିରୁ ଧରା ଯାଇଥିବା ଚିଙ୍ଗୁଡ଼ିକୁ ଫ୍ରେସ୍ ରଖିବା ସକାଶେ ପ୍ରୋସେସିଂ ହଲ୍ କୁ ବାତାନୁକୂଳ କରାଯାଇଛି । ବିଭିନ୍ନ ଗ୍ୟାସ୍ ଓ ବ୍ଲିଚ୍ ପ୍ରୋସେସିଂ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ହଠାତ୍ ଗ୍ୟାସ୍ ଲିକ୍ ଯୋଗୁଁ କାମ କରୁଥିବା ମହିଳାମାନେ ବାହାରକୁ ବାହାରି ନ ପାରି ଶ୍ୱାସରୁଦ୍ଧ ହୋଇଥିଲେ ବୋଲି କୁହାଯାଉଥିବା ବେଳେ ତଦନ୍ତ ପରେ ହିଁ ସଠିକ୍ କଥା କହି ହେବ ବୋଲି ପୁଲିସ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS