‘ଅବସାଦ’ ଓ ହାରାହାରି ପାଳି ପିଛା ୬୦ରନ୍ ‘ଲକ୍ଷ୍ୟ’କୁ ନେଇ କୋହଲି ଚର୍ଚ୍ଚାରେ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଦୁଇଟି କଥାକୁ ନେଇ ଚର୍ଚ୍ଚାରେ । ଗୋଟିଏ ହେଉଛି ‘ଅବସାଦ’ । ଅନ୍ୟଟି ତାଙ୍କ ‘ମାଉଂଟ୍ ୬୦’କୁ ନେଇ । ବିଶ୍ୱ କ୍ରିକେଟରେ ବିରାଟ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ସମସ୍ତ ତିନିଟି ଫର୍ମାଟ୍ (ଟେଷ୍ଟ୍, ଦିନିକିଆ ଓ ଟି-୨୦)ରେ ୫୦ରୁ ଉଦ୍ଧ୍ୱର୍ ହାରରେ ରନ୍ ସଂଗ୍ରହ କରିଛନ୍ତି । ୨୦୧୬ ଜୁନ୍ ପର୍ଯ୍ୟନ୍ତ ଗୋଟିଏ ବି ଦ୍ୱିଶତକ ହାସଲ କରି ନ ଥିବା କୋହଲି ଏବେ ସାତଟି ଦ୍ୱିଶତକର ଅଧିକାରୀ । ଟେଷ୍ଟ୍ କ୍ରିକେଟରେ ଏବେ କୋହଲିଙ୍କ ଲକ୍ଷ୍ୟ ହେଉଛି ତାଙ୍କର ହାରାହାରି ରନ୍ ରେଟ୍ କୁ ୬୦ ଅତିକ୍ରମ କରାଇବା । ବର୍ତମାନ ତାଙ୍କ ହାରାହାରି ରନ୍ ରେଟ୍ ରହିଛି ୫୪.୭୨ । ୮୨ଟି ଟେଷ୍ଟ୍ ଖେଳି କୋହଲି ଏବେ ୭୦୬୬ ରନ୍ କରିସାରିଛନ୍ତି । ସେଥିରେ ୨୬ ଶତକ ଓ ୨୨ ଅର୍ଦ୍ଧ ଶତକ ରହିଛି । କୋହଲି ବ୍ୟାଟିଂ ଅଡରର ୪ ନମ୍ବରରେ ସ୍ଥିର ପ୍ରଦର୍ଶନ ଜାରି ରଖିଥିବା ବେଳେ ୫୦ ଟେଷ୍ଟ୍ ର ନେତୃତ୍ୱ ନେଇ ଦଳ ସଂଗ୍ରହ କରିଥିବା ସ୍କୋର୍ ର ୧୮.୬୭ ପ୍ରତିଶତ ନିଜ ନାମରେ କରିଛନ୍ତି । ୫୦ ଟେଷ୍ଟ୍ ପୂରଣ କରିଥିବା ୧୭ ଅଧିନାୟକଙ୍କ ତୁଳନାରେ ଏହା ସର୍ବାଧିକ । ବିଶ୍ୱ କ୍ରିକେଟରେ ଏଭଳି ୬ ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯିଏ ପାଳି ପିଛା ୬୦ରୁ ଉଦ୍ଧ୍ୱର୍ ହାରରେ ରନ୍ ସଂଗ୍ରହ କରିଛନ୍ତି । ସେମାନେ ହେଉଛନ୍ତି – ଇଂଲଣ୍ଡର ହର୍ବର୍ଟ ସର୍ଟକ୍ଲିଫ୍ (୫୪ ଟେଷ୍ଟ୍, ହାରାହାରି ରନ୍ ରେଟ୍ ୬୦.୭୩), ୱେଷ୍ଟ୍ ଇଂଡିଜର ଜର୍ଜ ହେଡ୍ ଲେ (୨୨ ଟେଷ୍ଟ୍, ହାରାହାରି ରନ୍ ରେଟ୍ ୬୦.୮୩), ଦକ୍ଷିଣ ଆଫ୍ରିକାର ଗ୍ରେମ୍ ପୋଲକ୍ (୨୩ ଟେଷ୍ଟ୍, ହାରାହାରି ରନ୍ ରେଟ୍ ୬୦.୯୭), ଅଷ୍ଟ୍ରେଲିଆର ଆଡାମ୍ ଭୋଗ୍ସ (୨୦ଟେଷ୍ଟ୍, ହାରାହାରି ରନ୍ ରେଟ୍ ୬୧.୮୭), ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (ଏଯାବତ୍ ୬୮ଟି ଟେଷ୍ଟ୍ ରେ ହାରାହାରି ରନ୍ ରେଟ୍ ରହିଛି ୬୮) ଏବଂ ଅଷ୍ଟ୍ରେଲିଆର ଡାନ୍ ବ୍ରାଡମ୍ୟାନ୍ (୫୨ଟି ଟେଷ୍ଟ୍ ରେ ହାରାହାରି ରନ୍ ରେଟ୍ ରହିଛି ୯୯.୯୪) ।
ଏବେ, ‘ଅବସାଦ’ କଥା । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମାନସିକ ଅବସାଦର ଶିକାର ହୋଇ ଅନିର୍ଦ୍ଧିଷ୍ଟକାଳ ପାଇଁ କ୍ରିକେଟରୁ ଦୂରେଇ ଯିବା ନେଇ ଗଲା ବୁଧବାର ସାମ୍ବାଦିକ ସମ୍ମିଳନୀରେ ହୋଇଥିବା ପ୍ରଶ୍ନର ଉତ୍ତରରେ କୋହଲି କହିଛନ୍ତି, ଏଭଳି ଘଟଣା ଅନେକ ଖେଳାଳୀଙ୍କ କ୍ଷେତ୍ରରେ ଘଟିଛି । ମ୍ୟାକ୍ସୱେଲ୍ ସାଧାରଣରେ ଏହା ସ୍ୱୀକାର କରିବାର ସାହସିକତା ଦେଖାଇଛନ୍ତି । ମ୍ୟାକ୍ସୱେଲ୍ଂକ ଭଳି ଷ୍ଟିଭ୍ ହାର୍ମିସନ୍, ମାର୍କସ ଟ୍ରେସ୍କୋଥିକ ଓ ଗ୍ରେମ୍ ଫ୍ଲାୱାର ଏଭଳି ମାନସିକ ଅବସାଦର ଶିକାର ହୋଇଥିବା ଖବର ପ୍ରକାଶ ପାଇଥିଲେ ବି ସେମାନେ କେବେ ସାଧାରଣରେ ତାହା ସ୍ୱୀକାର କରି ନାହାନ୍ତି । କୋହଲି ନିଜେ ୨୦୧୪ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ମାନସିକ ଅବସାଦର ଶିକାର ହୋଇ ଭାଂଗି ପଡ଼ି ଥିଲେ । କାହାକୁ ଏକଥା କହିବେ ଭାବି ପାରି ନ ଥିଲେ ବୋଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛନ୍ତି ।ଖେଳାଳୀ ହେଉଛନ୍ତି ଗୋଟିଏ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ବିଶ୍ରାମ ମିଳିଲେ ମାନସିକ ସୁସ୍ଥ ରହି ଭଲ ପ୍ରଦର୍ଶନ କରି ପାରିବେ । ତେଣୁ, ଏସବୁ କଥା ସାଧାରଣରେ ଚର୍ଚ୍ଚା ହେବା ଉଚିତ ଓ ଖେଳାଳୀଙ୍କୁ ଏହି ବିଷୟରେ ସଚେତନ କରାଯିବା ଆବଶ୍ୟକ ବୋଲି କୋହଲି କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ବାଂଲାଦେଶ ବିପକ୍ଷରେ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଟେଷ୍ଟ୍ ଶୃଂଖଳା ପୂର୍ବରୁ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭୁଟ୍ଟାନରେ ଛୁଟି କଟାଇ ଥିଲେ । ସେଠି ନିଜ ଜନ୍ମ ଦିନ ମଧ୍ୟ ପାଳି ଥିଲେ । ସେତେବେଳେ ଚାଲି ଥିବା ଟି-୨୦ ମ୍ୟାଚ୍୍ରେ ବିରାଟଙ୍କ ବଦଳରେ ଦଳର ନେତୃତ୍ୱ ନେଇ ଥିଲେ ରୋହିତ ଶର୍ମା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS