ପ୍ରଧାନ ବିଚାରପତି ସୂଚନା ଅଧିକାର ଆଇନ ପରିସରଭୁକ୍ତ
– ପ୍ରସାଦ ରାଓ –
୧୪ ନଭେମ୍ବର
ଅଯୋଧ୍ୟା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଦିଲ୍ଲୀ ହାଇକୋର୍ଟ ୨୦୧୦ ମସିହାରେ ଦେଇଥିବା ରାୟକୁ କାଏମ ରଖି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ମଧ୍ୟ ଆରଟିଆଇ (ସୂଚନା ଅଧିକାର ଆଇନ) ପରିସରଭୁକ୍ତ ବୋଲି ଏକ ଐତିହାସିକ ରାୟ ଦେଇଛନ୍ତି । ସିଜେଆଇ ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠ ରାୟ ପ୍ରକାଶ କରି କହିଛନ୍ତି, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ବିଧାନର ନିୟମ ଆଧାରରେ ଗଠିତ ଏକ ସରକାରୀ ସଂସ୍ଥା ହୋଇ ଥିବାରୁ ସମସ୍ତ ବିଚାରପତି ସୂଚନା ଅଧିକାର ଆଇନ ପରିସରଭୁକ୍ତ ।ନ୍ୟାୟପାଳିକାର ପାରଦର୍ଶିତା ଓ ସ୍ୱଚ୍ଛତା ଦୃଷ୍ଟିରୁ ଏହା କରାଯାଇଛି । ସୁପ୍ରିମ କୋର୍ଟ ବିଚାରପତିମାନେ ଆଇନରୁ ଉଦ୍ଧ୍ୱର୍ରେ ନୁହନ୍ତି । ତେଣୁ, ସେମାନେ ମଧ୍ୟ ସୂଚନା ଅଧିକାର ଆଇନ ପରିସରରେ ଆସିବେ । ତେବେ, ସ୍ୱଚ୍ଛତା ଓ ପାରଦର୍ଶିତା ନାମରେ ନ୍ୟାୟପାଳିକାକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରାଗଲେ ତାହା ଗ୍ରହଣୀୟ ହେବ ନାହିଁ । ତେଣୁ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟର କେତେକ ଗୋପନୀୟତା ପୂର୍ବପରି କାଏମ ରହିବ ।
ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ବିଧାନର ଧାରା ୧୨୪ ଆଧାରରେ ବୁଧବାର (୧୩ ତାରିଖ) ଏହି ରାୟ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, କଲିଜିୟମ ଦ୍ୱାରା ଦିଆଯାଇଥିବା ବିଚାରପତିଙ୍କ ନାମ ମଧ୍ୟ ସାର୍ବଜନୀନ କରାଯାଇ ପାରିବ । ତେବେ, ଏହାର କାରଣ ପ୍ରକାଶ କରାଯାଇ ପାରିବ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ଦେଇଥିବା ସୁପ୍ରିମ କୋର୍ଟ ଖଣ୍ଡପୀଠର ଅନ୍ୟ ୪ ସଦସ୍ୟ ହେଉଛନ୍ତି ଜଷ୍ଟିସ ଏନ.ଭି.ରମଣ, ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଂଜୀବ ଖାନ୍ନା । କୋର୍ଟ ମାମଲାର ଶୁଣାଣି ଏପ୍ରିଲ ୪ ତାରିଖ ଶେଷ କରି ରାୟ ସଂରକ୍ଷିତ ରଖି ଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଆସନ୍ତା ୧୭ ତାରିଖ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବାକୁ ରହିଛି ସେହି ଶୃଙ୍ଖଳାରେ ଅଯୋଧ୍ୟା ରାମଲାଲା-ବାବରୀ ମସଜିଦ୍ ଜମି ବିବାଦ ଓ ପ୍ରଧାନ ବିଚାରପତି ଆରଟିଆଇ ପରିସରଭୁକ୍ତ ହେବା ଅନ୍ତର୍ଭୁକ୍ତ ଥିଲା ।
ଅଯୋଧ୍ୟା ରାମଲାଲା-ବାବରୀ ମସଜିଦ୍ ଜମି ବିବାଦ ମାମଲା ୫୦୦ ବର୍ଷ ପୁରାତନ । ନିକଟରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ ବିବାଦୀୟ ଜମି ରାମଲାଲା ମନ୍ଦିର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ପି ଦେଇଥିବା ବେଳେ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟକୁ ମସଜିଦ୍ ନିର୍ମାଣ ସକାଶେ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ପାଂଚ ଏକର ଜମି ଯୋଗାଇ ଦେବାକୁ, ମସଜିଦ୍ ନିର୍ମାଣ ପାଇଁ କେନ୍ଦ୍ର ଓ ୟୁପି ସରକାର ୟୁପିର ସୁନ୍ନି ୱାକଫ୍ ବୋର୍ଡକୁ ସବୁ ପ୍ରକାର ସହାୟତା କରିବାକୁ ଏବଂ କେନ୍ଦ୍ର ସରକାର ତିନି ମାସ ମଧ୍ୟରେ ଏକ ଟ୍ରଷ୍ଟ୍ ଗଠନ କରି ରାମଲାଲା ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ରଂଜନ ଗୋଗୋଇ ଓ ତାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଖଣ୍ଡପୀଠ ରାମଲାଲା-ବାବରୀ ମସଜିଦ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏକ ଐତିହାସିକ ରାୟ ଦେଇ ଥିବାରୁ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ଓ ଦେଶବାସୀ ତାହାକୁ ସ୍ୱାଗତ କରିଥିଲେ । ଅବଶ୍ୟ ରାୟ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ୟୁପିରେ ୨୦ ହଜାର ପୁଲିସ ଓ ନିରାପତ୍ତା ବଳଙ୍କୁ ମୁତୟନ କରାଯାଇଥିଲା । କିନ୍ତୁ, ସେଭଳି କିଛି ଘଟି ନାହିଁ । ବରଂ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ରାୟକୁ ସ୍ୱାଗତ କରି ଏହାକୁ ଐତିହାସିକ ବନାଇ ଦେଇଛନ୍ତି ।
ସୂଚନା ଅଧିକାର କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ୨୦୦୭ରେ ବିଚାରପତିମାନଙ୍କ ସଂପତ୍ତି ବିବରଣୀ ମାଗିବାରୁ ତାହା ପ୍ରତ୍ୟାଖାନ ହୋଇଥିଲା । ପରେ, ମାମଲା କେନ୍ଦ୍ରୀୟ ସୂଚନା କମିସନ୍ ରେ ପହଂଚି ଥିଲା । ଅଗ୍ରୱାଲଙ୍କୁ ତଥ୍ୟ ଦେବା ପାଇଁ ସୂଚନା କମିସନ୍ ନିର୍ଦେଶ ଦେବାରୁ ସୁପ୍ରମି କୋର୍ଟ ପକ୍ଷରୁ ତାହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ହାଇକୋର୍ଟ ଅଗ୍ରୱାଲଙ୍କ ସପକ୍ଷରେ ରାୟ ଦେବାରୁ ସୁପ୍ରିମ କୋର୍ଟରେ ତାହା ପୁନର୍ବାର ଚ୍ୟାଲେଂଜ ହୋଇଥିଲା । ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ବୁଧବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS