ଶିବସେନା ମୁଖ୍ୟ ଉଦ୍ଧବ ମହାରାଷ୍ଟ୍ରର ପରବର୍ତୀ ମୁଖ୍ୟମନ୍ତ୍ରୀ
ମୋ ଅନୁଭବ.କମ୍
୨୨ ନଭେମ୍ବର
ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ଆଜି ସ୍ଥାନୀୟ ଜବାହାରଲାଲ ନେହେରୁ ସେଂଟରଠାରେ ଶିବସେନା, ଏନସିପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଏକ ବୈଠକରେ ମିଳିତ ହୋଇ ଏହି ନିଷ୍ପତ୍ତିରେ ପହଂଚିଛନ୍ତି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନୂଆ ମେଂଟ ସରକାରର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ହେବା ଏନସିପି ମୁଖ୍ୟ ଶରଦ ପାୱାର ପ୍ରସ୍ତାବ ଦେଇଥିଲେ । କଂଗ୍ରେସ ମଧ୍ୟ ତାହାକୁ ସମର୍ଥନ ଦେଇଛି । ଶିବସେନା ମୁଖ୍ୟ ଉଦ୍ଧବ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିବା ଜଣାପଡିଛି । ତିନି ଦଳର ନେତାମାନେ ମେଂଟ ସରକାର ଗଠନ ପ୍ରସ୍ତାବରେ ମୋହର ମାରି ଥିବାରୁ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ହଟି ମେଂଟ ସରକାର ପ୍ରତିଷ୍ଠା ସମ୍ଭାବନା ଦୃଢ ହୋଇଛି ।
ଉଦ୍ଧବଙ୍କ ପିତା ବାଲ୍ ଠାକରେ ଶିବସେନାର ପ୍ରତିଷ୍ଠାତା ଏବଂ ମହାରାଷ୍ଟ୍ରର ଜଷର ପ୍ରଭାବଶାଳୀ ନେତା ହୋଇଥିଲେ ମଧ୍ୟ କେବେ ଶାସନ ଗାଦିରେ ବସି ନ ଥିଲେ । କିନ୍ତୁ, ମହାରାଷ୍ଟ୍ରରେ କ୍ଷମତାକୁ ଆସୁଥିବା ନେତାମାନେ ଠାକରେ ପରିବାରର ଆଶୀର୍ବାଦ ନେଇ ହିଁ କାର୍ଯ୍ୟ କରୁଥିଲେ । ଶିବସେନାର ମୁଖ୍ୟାଳୟ ‘ମାତୋଶ୍ରୀ’ ଥିଲା ମହାରାଷ୍ଟ୍ର ରାଜନୀତିର ନାଭି କେନ୍ଦ୍ର । ତେବେ, ପ୍ରଥମ ଥର ପାଇଁ ଶିବସେନା ଏଥର ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯାଉଛି । ରାଜନୈତିକ କାର୍ଯ୍ୟ ପାଇଁ କେବେ ‘ମାତୋଶ୍ରୀ’ ବାହାରେ ପାଦ ଥାପି ନ ଥିବା ଠାକରେ ପରିବାର ଏଥର ‘ମାତୋଶ୍ରୀ’ ବାହାରେ ପାଦ ଥୋଇ ଦୁଇ ଧର୍ମନିରପେକ୍ଷ ଦଳ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିବାକୁ ଆଗେଇ ଆସିଛନ୍ତି । ଶିବସେନାକୁ ‘ମୁଖ୍ୟମନ୍ତ୍ରୀ’ ପଦ ଦିଆଯିବା ଦାବିରେ ଦଳ ମୁଖ୍ୟ ଉଦ୍ଧବ ଠାକରେ ବିଜେପି ସହ ସଂପର୍କ ତୁଟାଇ ଦୁଇ ବିରୋଧୀ ବିଚାରଧାରାର ରାଜନୈତିକ ଦଳ ଏନସିପି ଓ କଂଗ୍ରେସ ସହ ମେଂଟ କରିବାକୁ ‘ମାତୋଶ୍ରୀ’ ବାହାରେ ତାରକା ହୋଟେଲରେ ଦୁଇ ଦଳର ନେତାଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି । ତେବେ, ସେ ବିଜେପି ସହ ମୂଲଚାଲ କଲା ବେଳେ ପୁଅ ଆଦିତ୍ୟ ଠାକରେଙ୍କୁ ମୋହରା କରିଥିଲେ । କିନ୍ତୁ, ଏନସିପି ଓ କଂଗ୍ରେସ ସହ ମେଂଟ ପାଇଁ ଆଲୋଚନାରେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇ ମେଂଟକୁ ଚୂଡାନ୍ତ ରୂପ ଦେଉଛନ୍ତି । ଆଜି ତିନି ଦଳର ପ୍ରଥମ ମିଳିତ ବେଠକରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ଏବଂ ତିନି ଦଳ ମଧ୍ୟରେ କ୍ଷମତା ବଂଟନର ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ତିନି ଦଳ ମିଶି ଶନିବାର ନୂଆ ମେଂଟ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖିଛନ୍ତି । ତିନି ଦଳ ପକ୍ଷରୁ କାଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ହେବ ବୋଲି ମଧ୍ୟ ଆଜି ସୂଚନା ମିଳିଛି । ସବୁ କଥା ଠିକ୍ ବାଟରେ ଚାଲିଛି ବୋଲି ଶିବସେନା ନେତା ସଂଜୟ ରାୱତ ଆଜିର ମିଳିତ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ।
ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆଲୋଚନା ସରି ନାହିଁ, ଆଗକୁ ଅଧିକ ଆଲୋଚନା ହେବାକୁ ରହିଛି ବୋଲି ଆଜି କଂଗ୍ରେସ ଓ ଏନସିପି ନେତାମାନେ ମିଳିତ ବୈଠକ ପରେ କହୁଛନ୍ତି । ସେହିଭଳି, ଆଜିର ବୈଠକ ସକାରାତ୍ମକ ଆଲୋଚନା ହୋଇଥିଲା, ବିଭିନ୍ନ ବିଷୟରେ ଅଧିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେବାକୁ ଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ସନ୍ଧ୍ୟାରେ ଆଲୋଚନା ସାରି ଜବାହାରଲାଲ ନେହେରୁ ସେଂଟର ଛାଡିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ, ତିନି ଦଳ (ଶିବସେନା, ଏନସିପି ଓ କଂଗ୍ରେସ) ମଧ୍ୟରେ କ୍ଷମତା ବଂଟନର ମୋଟାମୋଟି ରୂପରେଖ ପ୍ରସ୍ତୁତ ହୋଇସାରି ଥିବା ଏବଂ ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ୧୬ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଉଥିବା ବେଳେ ଏନସିପି ଉପ ମୁଖ୍ୟମନ୍ତ୍ରୀ ପଦ ସହ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଏବଂ କଂଗ୍ରେସ ୧୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଉଥିବା ସୂଚନା ମିଳିଛି । ରାଜ୍ୟ ବିଧାନସଭାରେ ୪୪ ବିଧାୟକ ଥିବା କଂଗ୍ରେସ ଦଳ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦ ଚାହୁଁ ଥିଲା । ତେବେ, ରାଜ୍ୟ ବିଧାନସଭା ବାଚସ୍ପତି ପଦ ଦେଇ କଂଗ୍ରସକୁ ସନ୍ତୁଷ୍ଟ କରିବାକୁ ଶିବସେନା ଓ ଏନସିପି ଚାହିଁଛନ୍ତି । ଉପ ବାଚସ୍ପତି ପଦ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ବଂଟୁଆରା ନେଇ ଆଲାଚନା ଚାଲିଛି, ରାଜ୍ୟସ୍ତର ନେତାମାନେ ଏସଂପର୍କରେ ନିଷ୍ପତ୍ତି ନେବେ ବୋଲି ମିଳିତ ବୈଠକ ପରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । କାଲି ପୁଣି ଥରେ ତିନି ଦଳର ବୈଠକ ବସିବ । ସବୁ କଥା ସ୍ପଷ୍ଟ ହୋଇଯିବା ପରେ ନୂତନ ମନ୍ତ୍ରୀ ପରିଷଦ ଗଠନ ଦାବି ନେଇ ସେମାନେ ରାଜ୍ୟପାଳଙ୍କ ନିକଟକୁ ଯିବେ ବୋଲି ତିନି ଦଳର ନେତାମାନେ ଭିନ୍ନ ଭିନ୍ନ ଭାବେ କହିଛନ୍ତି । ଏନସିପି ନେତା ଶରଦ ପାୱାର ଏହି ନୂଆ ସରକାରର ବିନ୍ଧାଣୀ ହୋଇ ଥିବାରୁ ସରକାର ଗଠନ ପୂର୍ବରୁ ତିନି ଦଳ ସବୁ କଥାରେ ସଂପୂର୍ଣ୍ଣ ସହମତ ହେବା ଚାହୁଁଛନ୍ତି । କାରଣ, ଏହି ସରକାର ପୂର୍ଣ୍ଣ ୫ ବର୍ଷ ଶାସନରେ ରହିବାକୁ ହେଲେ ପ୍ରତିଟି କ୍ଷେତ୍ରରେ ଆଗୁଆ ସହମତି ପ୍ରକାଶ ପାଇବା ଜରୁରୀ ବୋଲି ବିଚାର କରାଯାଉଛି । ତେବେ, ଶିବସେନା ପୂର୍ଣ୍ଣ ସମୟ ପାଇଁ ସରକାରର ମଂଗ ଧରିବ ବୋଲି ପାୱାର ସ୍ପଷ୍ଟ କରି ଦେଇଥିବା ଜଣାପଡିଛି ।
ଶିବସେନା, ଏନସିପି ଓ କଂଗ୍ରେସର ରାଜନୈତିକ ବିଚାରଧାରା ପରସ୍ପର ବିରୋଧୀ । ଏହି ତିନି ଦଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ନୂଆ ମେଂଟ କରିଥିଲେ ମଧ୍ୟ ସରକାରରେ ଅଧିକ ଦିନ ତିଷ୍ଠି ପାରିବେ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଆଜିର ମନ୍ତବ୍ୟକୁ ଶିବସେନା ପ୍ରତ୍ୟାଖ୍ୟାନ କରିଛି । ଦଳର ମୁଖ୍ୟ ଉଦ୍ଧବ କହିଛନ୍ତି, ତିନି ଦଳର ରାଜନୈତିକ ବିଚାରଧାରା ଭିନ୍ନ ହୋଇଥିଲେ ମଧ୍ୟ ସେମାନେ ପ୍ରଥମ ଥର ପାଇଁ ଏକାଠି ବସି ପ୍ରତ୍ୟେକ କଥାରେ ସହମତି ଆଣିବାକୁ ଆଲୋଚନା କରୁଛନ୍ତି । ସରକାର ଗଠନ ଦାବି ନେଇ ରାଜ୍ୟପାଳଙ୍କ ନିକଟକୁ ଯିବା ପୂର୍ବରୁ ଟିକିନିଖି ସବୁ ବିଷୟ ଉପରେ ଚର୍ଚ୍ଚା ହେଉଛି ଏବଂ ସହମତି ଆଣିବାକୁ ଉଦ୍ୟମ ଚାଲିଛି । ସବୁ ଠିକ୍ ରାସ୍ତାକୁ ଆସିବା ପୂର୍ବରୁ ଏହି ରାଜନୈତିକ ମେଂଟ ଜନସାଧାରଣଙ୍କ ସାମନାକୁ ଯିବାକୁ ଚାହୁଁ ନାହିିଁ । ଆଜି ଥିଲା ତିନି ଦଳର ପ୍ରଥମ ମିଳିତ ବୈଠକ । ମେଂଟ ସରକାର ଗଠନ ପାଇଁ ଚୂଡାନ୍ତ ସହମତି ହେବା ପରେ ସେମାନେ ସରକାର ଗଠନ ଦାବି ଉପସ୍ଥାପନ କରିବେ । ଏନସିପି ଓ କଂଗ୍ରେସ ନେତାମାନେ ମଧ୍ୟ ସମାନ କଥା କହିଛନ୍ତି । ତଥାପି, ନୂତନ ମେଂଟ ସରକାର ଗଠନ ଦାବି ନେଇ ଶନିବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବା ସମ୍ଭାବନା ଉପରେ ଆଲୋଚନା ହେଉଛି ।
୨୮୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିର ୧୦୫ ବିଧାୟକ ଥିବା ବେଳେ ଶିବସେନାର ୫୬, ଏନସିପିର ୫୪ ଓ କଂଗ୍ରେସର ୪୪ ବିଧାୟକ ଅଛନ୍ତି । ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୨୯ ରହିଛି । ନିର୍ବାଚନ ସମୟରେ କଂଗ୍ରେସ ଦଳ ଯେଉଁ ଛୋଟ ଦଳଙ୍କୁ ନିଜ ମେଂଟରେ ସାମିଲ କରିଥିଲା ସେମାନଙ୍କ ସହ ଆଜି ଦଳର ନେତାମାନେ ଆଲୋଚନା କରିଥିଲେ । ଏହି ଛୋଟ ଦଳଗୁଡ଼ିକ ମହାରାଷ୍ଟ୍ରରେ ହିନ୍ଦୁବାଦୀ ଶିବସେନା କଂଗ୍ରେସ ମେଂଟରେ ସରକାର ଗଠନ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି । ତେଣୁ, କଂଗ୍ରେସ ଓ ଏନସିପି ଶିବସେନା ସହ ମିଳିତ ସରକାର ଗଠନରେ ଆଉ କିଛି ବାଧା ନ ଥିବା ଆଶା କରାଯାଉଛି । ମହରାଷ୍ଟ୍ର ଜନସାଧାରଣ ଗତ ପାଂଚ ବର୍ଷ ଧରିି ବିଜେପି ଓ ଏହାର ନେତା ଦେବେନ୍ଦ୍ର ଫଡନାଭିସଙ୍କ ଶାସନ ଦେଖିଥିଲେ । ଏହା ଥିଲା ବିଜେପି-ଶିବସେନା ହିନ୍ଦୁତ୍ୱବାଦୀ ମେଂଟର ସରକାର । ଏଥର ରାଜ୍ୟବାସୀ ଏକ ନୂତନ ଅନୁଭବ ପାଇବେ । କଠୋରବାଦୀ ହିନ୍ଦତ୍ୱ ବିଚାରଧାରାର ଦଳ ଶିବସେନା ଏହି ସରକାରର ମଂଗ ଧରିବ ଏବଂ ତଥାକଥିତ ଧର୍ମନିରପେକ୍ଷତାର ପ୍ରତିନିଧିତ୍ୱ କରୁଥିବା ଏନସିପି ଓ କଂଗ୍ରେସ ଏଥିରେ ଭାଗିଦାର ରହିବେ । ରାଜ୍ୟବାସୀଙ୍କ ପାଇଁ ଏହା ନୂଆ ଅନୁଭବ ହିଁ ହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS