ମହାରାଷ୍ଟ୍ରରେ ଏନସିପି, ଶିବସେନା ଓ କଂଗ୍ରେସର ମିଳିତ ସରକାର ପାଇଁ ସିଡ଼ବ୍ଲୁସିର ସବୁଜ ସଂକେତ, ଶୁକ୍ରବାର ସ୍ଥିତି ସ୍ପଷ୍ଟ ହେବ


ମୋ ଅନୁଭବ.କମ୍
୨୧ ନଭେମ୍ବର
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏନସିପି ଓ ଶିବସେନା ସହ ମିଶି ସରକାର କରିବାକୁ କଂଗ୍ରେସ ରାଜି ଥିବା ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ସଂକେତ ମିଳିଛି । ଏଆଇସିସି ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ସିଡ଼ବ୍ଲୁସି ବୈଠକ ପରେ ଏଭଳି ସଂକେତ ଦେଇଛନ୍ତି । ବୁଧବାର ଏଠାରେ କଂଗ୍ରେସ ଓ ଏନସିପି ମଧ୍ୟରେ ସରକାର ଗଠନକୁ ନେଇ ମାରାଥନ୍ ଆଲୋଚନା ଚାଲି ଥିଲା । ଆଜି ବିଧିବଦ୍ଧ ଭାବେ ଏଆଇସିସି କାର୍ଯ୍ୟକାରୀ କମିଟି ବୈଠକ ଡାକି କଂଗ୍ରେସ ନେତୃତ୍ୱ ମହାରାଷ୍ଟ୍ରରେ ଏକ ନୂଆ ମେଂଟ ସରକାର ଗଠନ ଦିଗରେ ଆଉ ପାଦେ ବଢିଛନ୍ତି । ସିଡ଼ବ୍ଲୁସି ବୈଠକରେ ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ପରେ କଂଗ୍ରେସ ଏକ ସକାରାତ୍ମକ ନିଷ୍ପତ୍ତିରେ ପହଂଚି ଥିବା ସୂଚନା ମିଳିଛି ।
ଆଜିର ସିଡ଼ବ୍ଲୁସି (କଂଗ୍ରେସ କାର୍ଯ୍ୟକାରୀ କମିଟି) ବୈଠକରେ କଂଗ୍ରେସ ଓ ଏନସିପି ନେତାଙ୍କ ମଧ୍ୟରେ ବୁଧବାର ଦିନ ହୋଇଥିବା ମାରାଥନ ଆଲୋଚନାର ବିବରଣୀ ଉପସ୍ଥାପନ କରାଯାଇଥିଲା ଏବଂ ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ସହ ମିଶି କଂଗ୍ରେସ ଏକ ମିଳିତ ସରକାର ପ୍ରତିଷ୍ଠା କରିବା ସଂପର୍କରେ ଚର୍ଚ୍ଚା କରାଯାଇଥିଲା । ସିଡ଼ବ୍ଲୁସି ଏସଂପର୍କରେ ଏକ ସକାରାତ୍ମକ ସଂକେତ ଦେଇଥିବା ବେଳେ ଏନସିପି ନେତାଙ୍କ ସହ ଆଉ କଂଗ୍ରେସ ଆଜି ରାତିରେ ଆଉ ଏକ ପର୍ଯ୍ୟାୟ ଆଲୋଚନା କାର୍ଯ୍ୟକ୍ରମ ରଖି ଥିବା ଜଣାପଡିଛି । ଶୁକ୍ରବାର ଦିନ ମୁମ୍ବାଇ ଠାରେ ଶିବସେନା ନେତାଙ୍କୁ ଭେଟି କଂଗ୍ରେସ ଆଲୋଚନା କାର୍ଯ୍ୟକ୍ରମ ରଖି ଥିବାରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି ।
ଶିବସେନା ଏକ ‘କଟ୍ଟରପନ୍ଥୀ’ ହିନ୍ଦୁତ୍ୱ ଦଳ ହୋଇ ଥିବାରୁ କଂଗ୍ରେସ ଏହି ହିନ୍ଦୁତ୍ୱବାଦୀ ଦଳ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ କୁଣ୍ଠିତ ଥିଲା । ଏବେ ମଧ୍ୟ ଦଳର କିଛି ତୁଙ୍ଗ ନେତା ଏହା ଚାହୁଁ ନାହାନ୍ତି । ସଂଜୟ ନିରୁପମଙ୍କ ଭଳି ନେତାମାନେ କଂଗ୍ରେସ ନେତୃତ୍ୱକୁ ଶିବସେନାଠାରୁ ଦୂରେଇ ରହିବାକୁ ଚେତାଇ ଦେଇଛନ୍ତି । ନିରୁପମ ଟ୍ୱିଟ୍ କରି, ଅତୀତରେ କଂଗ୍ରେସ ୟୁପିରେ ବିଏସପି ସହ ମେଂଟ କରି ଯେଉଁ ଭୁଲ କରିଥିଲା ମହାରାଷ୍ଟ୍ରରେ ତାହାର ପୁନରାବୃତ୍ତି ନ କରୁ ବୋଲି ପରାମର୍ଶ ଦେଇଛନ୍ତି । ତେବେ, ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତି କଂଗ୍ରେସକୁ ଏନସିପି ଓ ଶିବସେନା ସହ ମେଂଟରେ ସରକାର ଗଠନ କରିବାକୁ ବାଧ୍ୟ କରୁଛି । କଂଗ୍ରେସ ପାଇଁ ସରକାରରେ ସାମିଲ ହେବା ଏକ ‘ରାଜନୈତିକ ଆବଶ୍ୟକତା’ କୁହାଯାଉଛି । କଂଗ୍ରେସ ଜାଣିଛି, ମହାରାଷ୍ଟ୍ରରେ ଏନସିପି-ଶିବସେନା ସହ ମିଶି ଦଳ ସରକାର ଗଠନ କରିବା କାର୍ଯ୍ୟକୁ ଅଧିକ ସମୟ ଲଟକାଇ ରଖିଲେ ସେଥିରୁ ବିଜେପିର ହିଁ ଫାଇଦା ହେବ । ଦିନକ ତଳେ ଏନସିପି ମୁଖ୍ୟ ଶରଦ ପାୱାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଦୀର୍ଘ ସମୟ ଆଲୋଚନା କରିବା ଘଟଣା କଂଗ୍ରେସକୁ ବିଚଳିତ କରିଥିଲା । ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟସଭାରେ ଦଳଗତ ଶୃଙ୍ଖଳା ପାଇଁ ପାୱାରଙ୍କ ଏନସିପି ଓ ଓଡ଼ିଶାର ବିଜୁ ଜନତା ଦଳକୁ ପ୍ରଶଂସା କରିଥିଲେ । ମହାରାଷ୍ଟ୍ରରେ ଉଭୟ ଶିବସେନା ଓ କଂଗ୍ରେସ ଠାରୁ ଏନସିପିକୁ ଦୂରେଇ ରଖିବା ଏହି ପ୍ରଶଂସାର ଉଦେ୍ଦଶ୍ୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏନସିପି ନେତା ପାୱାରଙ୍କୁ ଦେଶର ରାଷ୍ଟ୍ରପତି କରିବା ଲୋଭ ଦେଖାଇ ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ ନୂଆ ମେଂଟ ହେବା ସମ୍ଭାବନାକୁ ଧକ୍କା ପହଂଚାଇବାକୁ ଉଦ୍ୟମ କରିଥିବା ମଧ୍ୟ ଆଲୋଚନା ହେଉଛି । ଏଭଳି ଏକ ଅନିଶ୍ଚିତ ରାଜନୈତିକ ପରିସ୍ଥିତି ଦେଖି ବିଜେପି ସହ ମେଂଟ ଭାଂଗି ଥିବା ଶିବସେନା ପୁଣି ଥରେ ବିଜେପି ସହ ବୁଝାମଣା କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏଭଳି ଏକ ପରିସ୍ଥିତି ପାଇଁ କଂଗ୍ରେସ ନେତୃତ୍ୱର ଅସ୍ଥିର ମାନସିକତାକୁ ଦାୟି କରାଯାଉଛି । କଂଗ୍ରେସ ବିଳମ୍ବରେ ହେଲେ ମଧ୍ୟ ତାହା ବୁଝିଲାଣି । ତେଣୁ, ଦୁଇ ଦିନ ହେଲା ଦଳ ମହାରାଷ୍ଟ୍ରରେ ସରକାର ଗଠନ ଉଦ୍ୟମକୁ ତ୍ୱରାନ୍ୱିତ କରିଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇ ୨୪ରେ ଫଳାଫଳ ପ୍ରକାଶ ପାଇଥିଲା । ରାଜ୍ୟବାସୀ ସରକାର ଗଢିବାକୁ ବିଜେପି-ଶିବସେନା ମେଂଟକୁ ଜନାଦେଶ ଦେଇଥିଲେ । ତେବେ, ବିଧାନସଭାରେ ୫୬ ବିଧାୟକ ଥିବା ଶିବସେନା ୧୦୫ ବିଧାୟକ ଥିବା ବିଜେପିକୁ ‘ମୁଖ୍ୟମନ୍ତ୍ରୀ’ ପଦ ମାଗି ନୂଆ ସରକାର ଗଠନରେ ପ୍ରତିବନ୍ଧକ ସୃଷ୍ଟି କରିବାରୁ ଆବଶ୍ୟକ ସମର୍ଥନ (୧୪୫ ସଂଖ୍ୟା) ନ ଥିବା ଦର୍ଶାଇ ବିଜେପି ସରକାର ଗଠନରୁ ଓହରି ଗଲା । ଶିବସେନା ଓ ଏନସିପି କଂଗ୍ରେସକୁ ନେଇ ସରକାର ଗଠନ କରିବା ଉଦ୍ୟମ କରିଥିଲେ ମଧ୍ୟ କଂଗ୍ରେସ ଦଳ (୪୪ ବିଧାୟକ) ଶିବସେନା ବା ଏନସିପି (୫୪ ବିଧାୟକ)କୁ ସମର୍ଥନପତ୍ର ନ ଦେଇ ଝୁଲାଇ ରଖିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଜ୍ୟପାଳ ସୁପାରିଶ କଲେ, ଯାହାକି ତୁରନ୍ତ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଗଲା । ଏବେ ବିଜେପି ରାଷ୍ଟ୍ରପତି ଶାସନ ଆଢୁଆଳରେ କଂଗ୍ରେସ, ଏନସିପି ଓ ଶିବସେନା ବିଧାୟକଙ୍କ ମଧ୍ୟରେ ଫାଟ କରି ୧୪୫ ସଂଖ୍ୟା ଜୁଟାଇବାକୁ ଉଦ୍ୟମ ଚଳାଇଛି । ଶିବସେନା ନିଜର ସମସ୍ତ ବିଧାୟକଙ୍କୁ ଏକାଠି ରଖିବା ତିନି ଦିନ ପାଇଁ ଏହାର ମୁଖ୍ୟାଳୟ ‘ମତେଶ୍ରୀ’କୁ ଅତିଥି ଭବନ କରି ଦେଇଛି । ଶିବସେନା ବିଧାୟକମାନେ ସେଠାରେ ନଜରବନ୍ଦୀ ରହିବେ ।
ଏନସିପି ନେତା ପାୱାରଙ୍କ ଅସ୍ଥିର ଚିତ୍ତ ମଧ୍ୟ ଉଭୟ କଂଗ୍ରେସ ଓ ଶିବସେନାକୁ ଚିନ୍ତାରେ ପକାଇଛି । ଦୁଇ ଦଳ ପାୱାରଙ୍କୁ ପୂର୍ବ ଭଳି ଭରସା କରିପାରୁନାହାନ୍ତି । ତେଣୁ, ତୁରନ୍ତ କିଛି ନିଷ୍ପତ୍ତି ନିଆଯିବା କଂଗ୍ରେସ ଏବେ ଚାହିଁଲାଣି । ବୁଧବାର ଏନସିପି ନେତୃତ୍ୱ ସହ କଂଗ୍ରେସ ନେତାଙ୍କ ମାରାଥନ ଆଲୋଚନା, ଆଜିର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ଏବଂ ରାଜ୍ୟରେ ଏନସିପି – ଶିବସେନା ସହ ମେଂଟରେ ସରକାର ଗଠନ କରିବା ପାଇଁ ସିଡ଼ବ୍ଲୁସିର ସକାରାତ୍ମକ ସଂକେତ କଂଗ୍ରେସର ବ୍ୟଗ୍ରତାକୁ ସୂଚାଉଛି । ଆଜି ରାତିରେ ଏନସିପି ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ କଂଗ୍ରେସ ନେତୃତ୍ୱ କାଲି ମୁମ୍ବାଇ ଠାରେ ଶିବସେନା ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରଖି ଥିବାରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ନୂଆ ମେଂଟ ସରକାରକୁ ନେଇ ଚିତ୍ର ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି । ଡ଼ିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର ଗଠନ ନିଶ୍ଚିତ ବୋଲି ଶିବସେନାର ପ୍ରମୁଖ ନେତା ସଂଜୟ ରାୱତ ମଧ୍ୟ ଆଜି ପୂର୍ବାହ୍ନରେ ଏନସିପି ନେତା ଶରଦ ପାୱାରଙ୍କ ସହ ଆଲୋଚନା କରିବା ପରେ ସଂକେତ ଦେଇଛନ୍ତି ।
ମହାରାଷ୍ଟ୍ର ହେଉଛି କୃଷି ଓ ଶିଳ୍ପ ସମୃଦ୍ଧ ରାଜ୍ୟ । ମୁମ୍ବାଇ ନଗରୀ ହେଉଛି ଦେଶର ଆର୍ଥିକ ରାଜଧାନୀ । ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ବା ଏନସିପି ରାଜ୍ୟରେ ସରକାର ଗଠନ ପାଇଁ ଜନାଦେଶ ପାଇ ନାହାନ୍ତି । ଦୁଇ ଦଳ ବିରୋଧୀ ଆସନରେ ବସିବାକୁ ମନ ସ୍ଥିର କରି ନେଇ ଥିବା ବେଳେ ଶିବସେନାର କ୍ଷମତା ଲୋଭ ସୁନା ଥାଳି ହୋଇ ଦୁଇ ଦଳ ନିକଟରେ ପହଂଚିଛି । ଶିବସେନା ‘କଟ୍ଟର ହିନ୍ଦୁତ୍ୱବାଦୀ’ ଦଳ ହୋଇପାରେ। ତେବେ, କ୍ଷମତା ରାଜନୀତିରେ ‘କ୍ଷମତା’ ହିଁ ସବୁ କିଛି । ମହାରାଷ୍ଟ୍ରରେ ‘କ୍ଷମତା’ ଭୋଗ କରିବା ସୁଯୋଗକୁ କିଏ କେମିତି ବା ହାତଛଡା କରିବ ? ସେ ପାୱାର ହୁଅନ୍ତୁ ବା ସୋନିଆ ଗାନ୍ଧୀ । ତେଣୁ, ପାଖାପାଖି ଏକ ମାସର ମାନସମଂଥନ ପରେ ସେମାନେ ଏକ ସମାଧାନର ନିକଟତର ହୋଇଛନ୍ତି । ଏନସିପି ଓ ଶିବସେନା କଂଗ୍ରେସର ପରିବର୍ତିତ ରୂପକୁ ନେଇ ଆଶ୍ୱସ୍ତ । ତଥାପି, ସରକାର ଗଠନ ଓ କ୍ଷମତା ଭାଗବଂଟା ପର୍ଯ୍ୟନ୍ତ ନାଟକର ଅବସାନ ଘଟିବା ଆଶା ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS