ରାଜ୍ୟରେ ପୁଲିସର ଚେହେରା ବଦଲିଲାଣି, ‘ମୋ ସରକାର’ କହୁଛି


ପ୍ରସାଦ ରାଓ
୨୦ ନଭେମ୍ବର
ଭୁବନେଶ୍ୱର: ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ‘ମୋ ସରକାର’ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଉଭୟ ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ପ୍ରଶାସନକୁ ଅଧିକ କାର୍ଯ୍ୟକ୍ଷମ ଏବଂ ଉତ୍ତରଦାୟୀ କରିବା ଦିଗରେ ଏହି ନୂଆ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । ପୁଲିସ ଓ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରାଯାଇ ‘୫-ଟି’ ଟିମ୍ ଦ୍ୱାରା ଘଂଟାଚକଟା କରାଯାଉଛି । ନଭେମ୍ବର ୧୯ରୁ ଅଗ୍ନିଶମ ବିଭାଗ ଏଥିରେ ଅନ୍ତଭୁକ୍ତ ହୋଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ, ‘ମୋ ସରକାର’ କାର୍ଯ୍ୟକ୍ରମ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ଉପରେ ଯେତିକି ଚାପ ସୃଷ୍ଟି କରିଛି ପୁଲିସ ବିଭାଗ ଉପରେ ସେତିକି ଚାପ ସୃଷ୍ଟି କରିପାରିନାହିଁ । ଦୁଇ ମାସ ହେଲା କୌଣସି ଥାନାଧିକାରୀ ବା ଥାନା ବିରୋଧରେ ନକାରାତ୍ମକ ରିପୋର୍ଟ ସରକାରଙ୍କ ହାତରେ ଲାଗି ନ ଥିବାରୁ ଉଚ୍ଚ ପୁଲିସ ଅଧିକାରୀମାନେ ଏହାର ଶ୍ରେୟ ସେମାନଙ୍କ ସୁଶାସନକୁ ଦେବା ଆରମ୍ଭ କରିଛନ୍ତି।
ଥାନାକୁ ଗଲେ, ସେ ଅଭିଯୁକ୍ତ ହେଉ ବା ଅଭଯୋଗକାରୀ, ପୁଲିସ କର୍ମଚାରୀଙ୍କ ଠାରୁ ଉପଯୁକ୍ତ ବ୍ୟବହାର ପାଇବା ଆଶା କରି ନଥାଏ । କୌଣସି ଅସୁବିଧା ହେଲେ ସାଧାରଣ ଲୋକମାନେ ପୁଲିସ ପିଣ୍ଡାକୁ ଯିବା ଅପେକ୍ଷା କୋର୍ଟ କଚେରୀକୁ ଯାଇ ଅଭିଯୋଗ କରିବାକୁ ଅଧିକ ନିରାପଦ ମନେ କରି ଥା’ନ୍ତି । ଦୁଷ୍କର୍ମ ଭଳି ଗୁରୁତର ଅପରାଧର ଶିକାର ହେଉଥିବା ନାବାଳିକା ବା ସାବାଳିକାଙ୍କ ପରିବାର ମଧ୍ୟ ଥାନାକୁ ଯାଇ ଅଭିଯୋଗ କରିବାକୁ ପ୍ରଥମେ ପଛାଇ ଥା’ନ୍ତି । କାରଣ, ଥାନାକୁ ଗଲେ ସୁଫଳ ମିଳିବା ଆଶା କମ୍, ହାରାଶ ହେବା ଆଶଙ୍କା ଅଧିକ ଥାଏ । ତେଣୁ, ପୁଲିସରେ ଅଭିଯୋଗ କରି ବଦନାମ୍ ମୁଣ୍ଡାଇବା ଅପେକ୍ଷା ନିରବ ରହିବା ଉଚିତ ହେବ ବୋଲି ସେମାନେ ଭାବନ୍ତି । ଛୋଟ ଛୋଟ ଚୋରୀ, ଛିନତାଇ କଥା ଛାଡନ୍ତୁ । ଥାନାକୁ ଯାଇ ଏତାଲା ଦେଲେ ହାରାଶ ହେବା ସହ ତଣ୍ଡ ଗଣିବାକୁ ପଡେ ବୋଲି ଲୋକଙ୍କ ଧାରଣା ରହିଛି । ଖାକି ପୋଷାକର ରୋବ୍ ସର୍ବଦା ଲୋକଙ୍କ ମନରେ ଭୟ ଓ ଘୃଣା ଭାବ ସୃଷ୍ଟି କରି ଆସିଛି । ଏହିି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନାଗୁଡିକ ଅନ୍ତର୍ଭୁକ୍ତ ହେବା ଓ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ କିଭଳି ବ୍ୟବହାର ମିଳୁଛି ଯାଂଚ କରିବା ଜନସାଧାରଣରେ ନୂତନ ଆଶାର ସଂଚାର କରିଛି ।
ତେବେ, ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଏଯାବତ୍ ଗୋଟିଏ ହେଲେ ଥାନା ବିରୋଧରେ ନକାରାତ୍ମକ ରିପୋର୍ଟ ନ ଆସିବା ଏବଂ କୌଣସି ଥାନା ଅଧିକାରୀ ବା ପୁଲିସ କର୍ମଚାରୀ ମୁଖ୍ୟମନ୍ତ୍ରୀ ବା ତାଙ୍କ ଦ୍ୱାରା ନିୟୋଜିତ ଅଧିକାରୀଙ୍କ ଜାଲରେ ନ ପଡିବା ସମସ୍ତଙ୍କୁ ଚକିତ କରିଛି । ଅକ୍ଟୋବର ୨ରୁ ମୁଖ୍ୟମନ୍ତ୍ରୀ ନିଜେ ଓ ତାଙ୍କ ଦ୍ୱାରା ନିୟୋଜିତ ବିଶ୍ୱସ୍ତ ପ୍ରଶାସନିକ ଅଧିକାରୀମାନେ କୌଣସି ପୂର୍ବ ସୂଚନା ନ ଦେଇ ରାଣ୍ଡମ୍ ବିଭିନ୍ନ ଥାନାରେ ଏତଲା ଦେଇଥିବା ଏତଲାକାରୀଙ୍କୁ ଫୋନ୍ କରି ‘ଥାନାରେ କିଭଳି ବ୍ୟବହାର ମିଳିଲା’, ‘କିଏ ପଇସା ମାଗିଲେ କି ନାହିଁ’ ଜାଣିବାକୁ ଉଦ୍ୟମ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ, ଦୁଇ ମାସ ଭିତରେ ସରକାର କୌଣସି ଥାନା ଅଂଚଳରୁ ଏସବୁ ପ୍ରଶ୍ନ ଉପରେ ନକାରାତ୍ମକ ରିପୋର୍ଟ ପାଇ ନାହାନ୍ତି । ରାଜ୍ୟ ପୁଲିସ ପ୍ରଶାସନ ହଠାତ୍ କେମିତି ସଚ୍ଚୋଟ ଓ ଜନତାର ବନ୍ଧୁ ପାଲଟି ଗଲା (!), ସେ ନେଇ ତଥ୍ୟାଭିଜ୍ଞ ମହଲ ଆଚମ୍ବିତ ହେବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଶ୍ୱସ୍ତ ଅଧିକାରୀମାନେ ଫୋନ୍ କଲେ ଥାନାରେ ଏତଲା ଦେଇଥିବା ଲୋକଙ୍କ ଠାରୁ ପୁଲିସର ବ୍ୟବହାର ସଂପର୍କରେ କେବଳ ସକାରାତ୍ମକ ରିପୋର୍ଟ ଆସିବା ପଛରେ କିଭଳି ସେଟିଂ ରହିଛି (?), ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । କୌଣସି ଥାନା ବା ଥାନା ଅଧିକାରୀ ବିରୋଧରେ ନକାରାତ୍ମକ ରିପୋର୍ଟ ଆସି ନ ଥିବାରୁ ରାଜ୍ୟ ଉଚ୍ଚ ପୁଲିସ ଅଧିକାରୀମାନେ ଏହାର ଶ୍ରେୟ ସେମାନଙ୍କ ‘କ୍ଲିନ୍ ପୁଲିସିଂ’ବ୍ୟବସ୍ଥାକୁ ଦେବାକୁ ପଛାଉ ନାହାନ୍ତି ।
ଗତ ମଙ୍ଗଳବାର (ନଭେମ୍ବର ୧୯ ତାରିଖ) ଅପରାହ୍ନରେ ଭୁବନେଶ୍ୱର-କଟକ ଦ୍ୱୈତ ମହାନଗରୀ ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡଙ୍ଗୀଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ଏହି ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଥିଲା । ଅନୌପଚାରିକ ଆଲୋଚନା ବେଳେ ଷଡଙ୍ଗୀ କହିଥିଲେ, ଅଢେଇ ବର୍ଷ ହେଲା ରାଜ୍ୟ ପୁଲିସ ପକ୍ଷରୁ ‘କ୍ଲିନ୍ ପୁଲିସିଂ’ କାର୍ଯ୍ୟ ଚାଲିଛି । ପୁଲିସ ବିଭାଗ ନିଜସ୍ୱ ‘କଲ୍ ସେଂଟର୍’ ପ୍ରତିଷ୍ଠା କରି ଥାନା ଓ ଥାନା କର୍ମଚାରୀଙ୍କୁ ସଚେତନ ଓ ସତର୍କ କରାଇବା ସହ ବିଭିନ୍ନ ଥାନା ସଂପର୍କରେ ତଥ୍ୟ ସଂଗ୍ରହ କରୁଛି । ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଅକ୍ଟୋବର ୨ ତାରିଖରୁ ଯେଉଁ ତଥ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ରାଜ୍ୟ ପୁଲିସ ପ୍ରଶାସନ ବହୁ ପୂର୍ବରୁ ଆରମ୍ଭ କରିସାରିଛି । ତାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ରାଜ୍ୟ ପୁଲିସ ପ୍ରଶାସନ ‘କଲ୍ ସେଂଟର୍’ ମାଧ୍ୟମରେ ଗ୍ରାମାଂଚଳରୁ ଆରମ୍ଭ କରି ମହାନଗର ପର୍ଯ୍ୟନ୍ତ ସବୁ ଥାନାର ମନିଟରିଂ କରୁଛି । ପ୍ରତି ଦିନ ରାଜ୍ୟର ବିଭିନ୍ନ ଥାନାକୁ ଅଭିଯୋଗ ନେଇ ଆସୁଥିବା ଅଭିଯୋଗକାରୀଙ୍କୁ କିଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରାଯିବ ସେ ସଂପର୍କରେ ରିତିମତ ତାଲିମ ଦିଆଯାଉଛି । ଅଭିଯୁକ୍ତଙ୍କ ପ୍ରତି ମଧ୍ୟ ଥାନାରେ ଜୁଲମ କରାଯାଉନି । ପୂର୍ବରୁ ଥାନାଗୁଡିକ ନିଜର ଦୈନନ୍ଦିନ ଷ୍ଟେସିନାରୀ ଖର୍ଚ୍ଚ ତୁଲାଇବା ପାଇଁ ଅଭିଯୋଗକାରୀଙ୍କ ଠାରୁ କାଗଜ, କାଳି ଖର୍ଚ୍ଚ ଆଦାୟ କରୁଥିଲେ । ଏବେ, ତାହା ମଧ୍ୟ ବନ୍ଦ କରିଦିଆ ଯାଇଛି । ଅସାଧୁ ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ପୁଲିସ କଂଟ୍ରୋଲ୍ ରୁମ୍ ରୁ ମନିଟରିଂ ହେଉଛି । ଅଢେଇ ବର୍ଷ ହେଲା ସବୁ କାମର ‘ଅନ୍ ଲାଇନ୍’ ମନିଟରିଂ ହେବା ଯୋଗୁ ମୁଖ୍ୟମନ୍ତ୍ରୀ ବା ତାଙ୍କ ବିଶ୍ୱସ୍ତ ଅଧିକାରମାନେ ଏବେ ଥାନାଗୁଡିକ ସଂପର୍କରେ ଫିଡ୍ ବ୍ୟାକ୍ ନେବା ବେଳେ କୌଣସି ଅଭିଯୋଗ ନ ଥିବା, ସବୁ କିଛି ଠିକଠାକ୍ ଚାଲି ଥିବା ଉତ୍ତର ପାଉଛନ୍ତି । ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ଛୋଟ, ବଡ଼ ସମସ୍ତ ଥାନା ପାଇଁ ମାସିକ ଥାନା ଖର୍ଚ୍ଚର ବ୍ୟବସ୍ଥା କରି ଥିବାରୁ ଆଉ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ନିକଟରେ ବା ଅନ୍ୟ କାହା ପାଖରେ ଥାନା କର୍ମଚାରୀଙ୍କୁ ହାତ ପତାଇବାକୁ ପଡୁ ନାହିଁ ।
ମୁଖ୍ୟମନ୍ତ୍ରୀ ଗ୍ରାମାଂଚଳ ଥାନା ପାଇଁ ୨୫ ହଜାର ଟଙ୍କା, ସହରାଂଚଳ ଥାନା ପାଇଁ ୩୦ ହଜାର ଟଙ୍କା ଓ ମହାନଗରରେ ଥିବା ଥାନାଗୁଡ଼ିକ ପାଇଁ ୪୦ ହଜାର ଟଙ୍କା ଲେଖାଏଁ ଥାନା ଖର୍ଚ୍ଚ ଦିଆଯିବ ବୋଲି ଘୋଷଣା କରି ଥିବାରୁ ପୁଲିସ ପ୍ରଶାସନ ଆଶ୍ୱସ୍ତ । ଏହାଦ୍ୱାରା ଥାନାସ୍ତରରେ ଯେଉଁ ‘ଭିକ ମଗା’ ଚାଲି ଥିଲା ତାହା ବନ୍ଦ ହୋଇଯିବ । ଥାନା ଅଧିକାରୀମାନେ ମଧ୍ୟ ଛୋଟ, ବଡ଼ କାମ ପାଇଁ ଅନ୍ୟ ଆଗରେ ହାତ ନ ପତାଇ ମିଳିବାକୁ ଥିବା ଥାନାଖର୍ଚ୍ଚରୁ ତାହା ତୁଲାଇ ପାରିବେ । ରାଜ୍ୟ ସରକାର ଏବାବଦରେ ୧୮ କୋଟି ଟଙ୍କା ଦେଇଥିବା ଡକ୍ଟର ଷଡଙ୍ଗୀ କହିଛନ୍ତି । ଟଙ୍କା ଏଯାବତ୍ ମିଳି ନାହିଁ, ତେବେ ସରକାର ଦେଇଥିବା ପ୍ରତିଶ୍ରୁତିରୁ ଥାନା ଅଧିକାରୀମାନେ ଆଶ୍ୱସ୍ତ ବୋଲି ସେ କହିଛନ୍ତି ।
ପୁଲିସ କମିସନର ଷଡଙ୍ଗୀ ପୁଲିସ ପ୍ରତି ଦେଶର ଜନସାଧାରଣରେ ଥିବା ନକାରାତ୍ମକ ମନୋଭାବ ପାଇଁ ଗଣମାଧ୍ୟମ ଓ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଦାୟି କରିଛନ୍ତି । ପୁଲିସ ଦୁର୍ନୀତିଖୋର୍, ଅତ୍ୟାଚାରୀ ଓ ସାଧାରଣ ଜନତାର ଶତ୍ରୁ ବୋଲି ବ୍ରିଟିଶ ଶାସନ ସମୟରୁ ଜନସାଧାରଣରେ ରହି ଆସି ଥିବା ଧାରଣା ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ବଦଳି ନାହିଁ । ଗଣମାଧ୍ୟମ ଓ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରୀ ଲେଖା ଓ ଚଳଚ୍ଚିତ୍ର ମାଧ୍ୟମରେ ପୁଲିସ ପ୍ରତି ଜନସାଧାରଣରେ ବିଦ୍ୱେଷ ଭାବ ବଢାଉଛନ୍ତି, ଯାହାକି ପୁଲିସ ବାହିନୀର ମନୋବଳକୁ କ୍ଷୁର୍ଣ୍ଣ କରୁଛି । ତେଣୁ, ସେମାନେ କିଛି ଲେଖିବା ବେଳେ ବା ଫିଲ୍ମ ତିଆରି କଲା ବେଳେ ଅଧିକ ଦାୟିତ୍ୱସଂପନ୍ନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଷଡଙ୍ଗୀ କହିଛନ୍ତି, ପୁଲିସ ପ୍ରଶାସନ ସୀମିତ ସମ୍ଭଳ ଓ ଲୋକବଳକୁ ନେଇ ଦୈନନ୍ଦିନ କାର୍ଯ୍ୟ ସଂପାଦନ କରି ଆସୁଛି । ପୁଲିସ ମଧ୍ୟ ସାଧାରଣ ଳୋକଙ୍କ ଭଳି । ଜନସାଧାରଣ ସବୁ କଥାରେ (ସେ ସିଭିଲ୍ ମାମଲା ହୋଇ ଥାଉ ପଛେ) ପୁଲିସ ଉପରେ ନିର୍ଭରଶୀଳ । କୋର୍ଟ କଚେରୀକୁ ଗଲେ ମାମଲା ଫଇସଲା ହେବାକୁ ବର୍ଷ ବର୍ଷ ଲାଗି ଯାଉଛି । ତେଣୁ, ତୁରନ୍ତ ଫାଇଦା ପାଇଁ ଲୋକମାନେ ପ୍ରତି କଥାରେ ଥାନାରେ ପହଂଚୁଛନ୍ତି। ଯେଉଁମାନଙ୍କ ସମସ୍ୟା ଥାନା ମାଧ୍ୟମରେ ସମାଧାନ ହୋଇଯାଉଛି ସେମାନେ ଖୁସି । ଯିଏ ସୁଫଳ ପାଉ ନାହାନ୍ତି ପୁଲିସ ବିରୋଧରେ ବିଷୋଦ୍ଗାର କରୁଛନ୍ତି । ତେବେ, ପାଶ୍ଚାତ୍ୟ ରାଷ୍ଟ୍ରରେ ପୁଲିସ ଆଇନର ଗଣ୍ଡି ବାହାରେ କୌଣସି କାର୍ଯ୍ୟ କରେ ନାହିଁ । ଅଭିଯୋଗକାରୀ ଏତଲା ଧରି ପହଂଚିଲେ ତାହା ରଖି ଇ-ମେଲ୍ ରେ ପ୍ରାପ୍ତିସ୍ୱୀକାରପତ୍ର ପଠାଇ ଦେଇ ନିରବ ରହି ଯାଏ । କିନ୍ତୁ, ଭାରତରେ ଉଭୟ କ୍ରିମିନାଲ ଓ ସିଭିଲ୍ ମାମଲା ଥାନାକୁ ଆସୁଛି ଏବଂ ପୁଲିସି ସେଥିରେ ମୁଣ୍ଡ ପୁରାଇବାକୁ ବାଧ୍ୟ ହେଉଛି । ସିଭିଲ୍ ମାମଲାର ତଦନ୍ତ ପାଇଁ ସରକାର ଏକ ସିଭିଲ୍ ଥାନା ପ୍ରତିଷ୍ଠା କରିବା ଉଚିତ ବୋଲି ସେ କହିଛନ୍ତି । ଭାରତରେ ଯେଉଁମାନେ ଆଇନ ପ୍ରଣୟନକାରୀ ସେହିମାନେ ହିଁ ବେଶି ଆଇନ ଭଂଗ କରୁଥା’ନ୍ତି ଏବଂ ସ୍ୱାର୍ଥରେ ଆଂଚ ଆସିଲେ ପୁଲିସକୁ ନିନ୍ଦିତ କରିବାକୁ ପଛାଇ ନ ଥା’ନ୍ତି ବୋଲି ସେ କହିଛନ୍ତି ।
ରାଜ୍ୟରେ ପୁଲିସ ବିଭାଗକୁ ‘ପେପର୍ ଲେସ୍’ କରିବା ସହ ସବୁ କାର୍ଯ୍ୟ ‘ଅନ୍ ଲାଇନ୍’ରେ ସଂପାଦନ କରିବା ସକାଶେ ଅଢେଇ ବର୍ଷ ହେଲା ଯେଉଁ କାର୍ଯ୍ୟ ଚାଲିଛି ସେଥିରେ ୬୦ କୋଟି ଟଙ୍କା ବ୍ୟୟ ସରିଲାଣି । କଲ୍ ସେଂଟର ପ୍ରତିଷ୍ଠା, ସେଠାରେ କଂପ୍ୟୁଟର, ଇଂଟରନେଟ୍, ସର୍ଭର୍ ବ୍ୟବସ୍ଥା, ରାଜ୍ୟର ସବୁ ଅଂଚଳରୁ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ଆଣି ତାଲିମ ଦେବା ବାବଦରେ ଅର୍ଥ ବ୍ୟୟ ହୋଇଛି । ଆଉ ୧୦୦ କୋଟି ଟଙ୍କା ଏବାବଦରେ ଖର୍ଚ୍ଚ ହେବାକୁ ଅଛି । ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ, ପୁଲିସ କର୍ମଚାରୀଙ୍କୁ ସେହି ତାଲିମ ଦିଆଯାଉଛି । ଏତାଲା ଦେବାକୁ ଆସୁ ଥିବା ଲୋକଙ୍କୁ ପଇସାପତ୍ର ନ ମାଗିବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଉଛି । ତେଣୁ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଶ୍ୱସ୍ତ ଅଧିକାରୀମାନେ ରାଣ୍ଡମ୍ ଫୋନ୍ କଲେ ମଧ୍ୟ କେଉଁଠୁ ହେଲେ ନକାରାତ୍ମକ ରିପୋର୍ଟ ପାଉ ନାହାନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାର ବହୁ ପୂର୍ବରୁ ରାଜ୍ୟ ପୁଲିସ ପ୍ରଶାସନ ତଳସ୍ତରରୁ ଫିଡବ୍ୟାକ୍ ନେବା ଆରମ୍ଭ କରିଛି । ରାଜ୍ୟର ବିଭିନ୍ନ ଅଂଚଳରେ ଥାନାସ୍ତରରେ ସର୍ଭେ କରାଯାଇ ୨୨ ହଜାରରୁ ଅଧିକ ସ୍ୟାଂପୁଲ୍ ସଂଗ୍ରହ କରାଯାଇଛି । ସେଥିରୁ ୯୦ ପ୍ରତିଶତରୁ ଅଧିକ ସକାରାତ୍ମକ ଥିବା ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଶ୍ୱସ୍ତ ଅଧିକାରୀମାନେ ଖୋଳତାଡ କଲେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଧରାପଡି ଦଂଡିତ ହେବେ ବୋଲି ଯେଉଁମାନେ ଆଶା କରୁଥିଲେ ସେମାନେ ଏବେ ନିରାଶ ହୋଇଛନ୍ତି ବୋଲି ଡକ୍ଟର ଷଡଙ୍ଗୀ କହିଛନ୍ତି । ବର୍ଷେ, ଦୁଇ ବର୍ଷ ମଧ୍ୟରେ ସ୍ଥିତି ଅଧିକ ସକାରାତ୍ମକ ହେବ ଏବଂ ତଳିଆ ପୁଲିସ କର୍ମଚାରୀ ଓ ଥାନାକୁ ନେଇ ଜନସାଧାରଣରେ ଥିବା ଅବିଶ୍ୱାସ ଦୂର ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଷଡଙ୍ଗୀଙ୍କ ସହ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ‘ମୋ ସରକାର’ କାର୍ଯ୍ୟକ୍ରମ ୨୦୧୯ର ହୋଇଥିବା ବେଳେ ରାଜ୍ୟ ପୁଲିସ ପ୍ରଶାସନ ବହୁ ଆଗରୁ ନିଜ ଅଧସ୍ତନମାନଙ୍କୁ ସୁଧାରିବା କାର୍ଯ୍ୟ ଆରମ୍ଭ କରି ଦେଇଥିଲା । ତେଣୁ, ଦୁଇ ମାସର ରାଣ୍ଡମ୍ ଫୋନ୍ କଲ୍ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ବା ତାହା ସହଯୋଗୀ କୌଣିସି ଥାନା ଅଧିକାରୀଙ୍କୁ ଦଣ୍ଡିତ କରିପାରି ନାହାନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ଆଗୁଆ ସେତିକି ସଚେତନ ହୋଇଥିଲେ ବୋଧହୁଏ କୌଣସି ହସପିଟାଲ୍ ବା ବିଭାଗୀୟ ସିଡ଼ିଏମଓଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡି ନ ଥା’ନ୍ତା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS