ନବୀନ ଓ ପାୱାରଙ୍କୁ ମୋଦୀଙ୍କ ପ୍ରଶଂସା ଶିବସେନା ପାଇଁ ସତର୍କ ଘଂଟି !
ପ୍ରସାଦ ରାଓ
୧୮ ନଭେମ୍ବର
ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) ଓ ମହାରାଷ୍ଟ୍ରର ଜାତୀୟତାବାଦୀ କଂଗ୍ରେସ ଦଳ (ଏନସିପି)କୁ ପ୍ରଶଂସା କରି ସମସ୍ତଙ୍କୁ ଚକିତ କରିଛନ୍ତି । ସାଂପ୍ରତିକ ରାଜନୀତିରେ ଏହି ଦୁଇ ରାଜନୈତିକ ଦଳର ବେଶ୍ ଗୁରୁତ୍ୱ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାଂସା ବେଶ୍ ଅର୍ଥକାରୀ ହୋଇଛି । ବିଜେଡ଼ି ଓ ଏନସିପି ସଦସ୍ୟମାନେ ବେଶ୍ ଶୃଙ୍ଖଳିତ । ସେମାନେ କୌଣସି ପରିସ୍ଥିତିରେ ଗୃହର ମଧ୍ୟ ଭାଗକୁ ଯାଇ ହଟ୍ଟଗୋଳ କରବାର ନଜିର ନାହିଁ ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ମନ୍ତବ୍ୟ ଦେବା ସହ ଏହି ଦୁଇ ଦଳର ସଦସ୍ୟଙ୍କ ଠାରୁ ତାଙ୍କ ଦଳ (ବିଜେପି)ର ସଦସ୍ୟମାନେ ଏହା ଶିଖିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ବିଜେଡ଼ିକୁ ପ୍ରଶଂସା କରିବାରେ ସେମିତି କିଛି ରାଜନୈତିକ ଅଭିସନ୍ଧି ଥିବା ମନେ ହେଉ ନାହିଁ । ତେବେ, ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନାକୁ ନେଇ ମିଳିତ ସରକାର ପ୍ରତିଷ୍ଠା ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ତାଙ୍କ ଦଳକୁ ପ୍ରଧାନମନ୍ତ୍ରୀ ଏଭଳି ପ୍ରଶଂସା ବିରୋଧୀଙ୍କ ହଜମ ହେଉ ନାହିଁ । ଏହା ପଛରେ ରାଜନୈତିକ ଅଭିସନ୍ଧି ଥିବା ସେମାନେ ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜିର ଅଧିବେଶନରେ ପ୍ରାରମ୍ଭିକ ଭାଷଣ ଦେଇ ବିଭିନ୍ନ ଦଳର ସାଂସଦମାନେ କଥା କଥାରେ ସଂସଦର ମଧ୍ୟ ଭାଗକୁ ମାଡି ଆସି ହଟ୍ଟଗୋଳ କରୁଥିବା ସଂପର୍କରେ ଚର୍ଚ୍ଚା କଲା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ ଶରଦ ପାୱାରଙ୍କ ଏନସିପି ଏକ୍ଷେତ୍ରରେ ପ୍ରଶଂସାର ପାତ୍ର ବୋଲି କହିଥିଲେ ।
ମହାରାଷ୍ଟ୍ରରେ ପାଳିରେ ମୁଖ୍ୟମନ୍ତ୍ରୀ ପଦ ଏବଂ ସରକାରରେ ୫୦:୫୦ କ୍ଷମତା ବଂଟନ ଦାବି କରି ଶିବସେନା ବିଜେପି ସହ ମେଂଟ ଭାଂଗି ଏନଡ଼ିଏରୁ ଓହରି ଯିବା ସହ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ ପାଇଁ ଉଦ୍ୟମ କରୁଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଥିବା ବେଳେ ଉଭୟ ବିଜେପି ଓ ଶିବସେନା ମଧ୍ୟରେ କଳି ଚରମ ସ୍ତରରେ ପହଂଚିଛି । ମୋଦୀ ସରକାରରେ ଥିବା ଶିବସେନାର ଏକମାତ୍ର କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି । ଏନଡ଼ିଏରୁ ଓହରି ଯିବା ପରେ ଶିବସେନା ସାଂସଦମାନେ ଆଜି ବିରୋଧୀ ପକ୍ଷରେ ବସି ଥିଲେ । ଗୋଟିଏ ପଟେ ଶିବସେନା ରାଜ୍ୟରେ ଏନସିପି ଓ କଂଗ୍ରେସ ସହ ବୁଝାମଣାରେ ସରକାର କରିବ ଏବଂ ମୁଖ୍ୟମନ୍ତ୍ରୀ ଆସନ ଶିବସେନା ହାତରେ ରହିବ ବୋଲି ଶିବସେନା ନେତାମାନେ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଠନ ପାଇଁ ନିଜ ଯୋଗାଡରେ ବ୍ୟସ୍ତ । ଶିବସେନାକ ପ୍ରଲୁବ୍ଧ କଲାଭଳି ବୟାନ ବିଜେପିର କିଛି ନେତାଙ୍କ ଆଡୁ ଆସିଲାଣି । ତଥାପି, ଶିବସେନାର ଅଡିଆଳ ପଣରେ ଅତିଷ୍ଟ ବିଜେପି ଏନସିପି ମୁଖ୍ୟ ପାୱାରଙ୍କୁ ନିଜ ଆଡକୁ ଟାଣିବା କିଛି ଅସମ୍ଭବ ନୁହେଁ । ଏହି ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପାୱାରଙ୍କ ଏନସିପିକୁ ପ୍ରଶଂସାରେ ପୋତି ପକାଇଲେ ବୋଲି ଚର୍ଚ୍ଚା ହେଉଛି ।
ମହାରାଷ୍ଟ୍ରର ୨୮୮ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବର୍ତମାନ ବିଜେପିର ସର୍ବାଧିକ ୧୦୫ ବିଧାୟକ ଥିବା ସମୟରେ ଶିବସେନାର ୫୬, କଂଗ୍ରେସର ୪୪ ଓ ଏନସିପିର ୫୪ ବିଧାୟକ ଅଛନ୍ତି । ବିଜେପି-ଶିବସେନା ମେଂଟ ମିଳିତ ଭାବେ ୧୬୧ ଆସନ ପାଇ ସରକାର ଗଠନ ସ୍ଥିତିରେ ଥିଲେ । କିନ୍ତୁ, କ୍ଷମତା ବଂଟନକୁ ନେଇ ବିବାଦ ଯୋଗୁ ମେଂଟ ଭାଂଗିଛି ଏବଂ ବିକଳ୍ପ ସରକାର ଗଠନ ପାଇଁ ଶିବସେନା ଉଦ୍ୟମ ଚଳାଇଛି । ଏନସିପି ଓ କଂଗ୍ରେସ ଶିବସେନାର ଭରସା ହୋଇଥିବା ବେଳେ ଏନସିପିକୁ ଏଥିରୁ ଦୂରେଇ ରଖିବାକୁ ବିଜେପି ଆଡୁ ଚାପ ବଢୁ ଥିବା ଆଲୋଚନା ହେଉଛି । ଦଳର ଦୁଇ ଜଣ ତୁଙ୍ଗ ନେତା ଅଜିତ ପାୱାର ଓ ପ୍ରଫୁଲ୍ଲ ପଟେଲ ଇଡ଼ିର ସ୍କାନରେ ଥିବାରୁ ଏନସିପି ମୁଖ୍ୟ ଶରଦ ପାୱାର ଚାପରେ । ତଥାପି, ଆଜି ନୂଆଦିଲ୍ଲୀରେ ସେ ଏଆଇସିସି ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ତାଙ୍କ ବାସଭବନରେ ୪୫ ମିନିଟ ଆଲୋଚନା କରିଥିଲେ । ଆଲୋଚନା ପରେ ପାୱାର କହିଛନ୍ତି, ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଠନ ନେଇ ଆହୁରି କିଛି ଆଲୋଚନା ବାକି ରହିଛି । ଏନସିପି ଓ କଂଗ୍ରେସ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଂଚି ନାହାନ୍ତି ।
ଏଭଳି ଏକ ଘଡ଼ିସନ୍ଧି ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ନେତା ଏଚ.ଡ଼ି.କୁମାରସ୍ୱାମୀଙ୍କ କଟାକ୍ଷ ବେଶ୍ ଆଲୋଚନାର ଗୁରୁତ୍ୱ ରଖୁଛି । ମହାରାଷ୍ଟ୍ରରେ କଂଗ୍ରେସ ଦଳ ଶିବସେନା ସହ ମିଶି ସରକାର କରିବା ଅପେକ୍ଷା ବିଜେପି ସହ ମିଶି ସରକାର କରିବା ଅଧିକ ଉଚିତ ହେବ ବୋଲି ସେ କଟାକ୍ଷ କରିଛନ୍ତି । କୁମାରସ୍ୱାମୀଙ୍କ ମନ୍ତବ୍ୟ ଅନୁଯାୟୀ, ବିଜେପି ‘ହିନ୍ଦୁତ୍ୱବାଦୀ’ ହୋଇଥିବା ବେଳେ ଶିବସେନା ହେଉଛି ‘କଟ୍ଟର-ହିନ୍ଦୁତ୍ୱବାଦୀ’ । ତେଣୁ, ଶିବସେନା ଅପେକ୍ଷା ବିଜେପି କଂଗ୍ରେସ ପାଇଁ ଅଧିକ ଗ୍ରହଣୀୟ ହୋଇ ପାରିବ । ଏଠାରେ ଉଲ୍ଲେଖନୀୟ ଯେ, କର୍ଣ୍ଣାଟକରେ ଗତ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ସଂଖ୍ୟକ ବିଧାୟକ ପାଇଥିଲେ ମଧ୍ୟ ସରକାର ଗଠନ ପାଇଁ ମେଜିକ ମାର୍କରେ ପହଂଚି ନ ପାରି ସରକାର ଗଠନ କରି ପାରି ନ ଥିଲା । କଂଗ୍ରେସ ଦଳ ଦ୍ୱତୀୟ ସ୍ଥାନରେ ଥିଲେ ମଧ୍ୟ ତୃତୀୟ ସ୍ଥାନରେ ଥିବା ଜେଡ଼ିଏସ୍ ସହ ମେଂଟ କରି ଏଚ.ଡ଼ି.କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ରାଜ୍ୟରେ ସରକାର ପ୍ରତିଷ୍ଠା କରିଥିଲା । ତେବେ, ରାଜ୍ୟରେ ଜେଡ଼ିଏସ-କଂଗ୍ରେସ ମିଳିତ ସରକାରର ପତନର କାରଣ ଥିଲେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ । କଂଗ୍ରେସ ଓ ଜେଡ଼ିଏସ୍ ର ୧୩ ଜଣ ବିଧାୟକ ସେମାନଙ୍କ ଦଳରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନର ହାତ ବଢାଇବାରୁ ମାତ୍ର ବର୍ଷକରୁ କିଛି ଅଧିକ ଦିନ ଏହି ସରକାର ଚାଲିବା ପରେ ଭୁଷୁଡ଼ି ଗଲା । ବିଜେପି ନେତା ବିଏସ୍ ୟେଦୁରାପ୍ପା ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠାରେ ସକ୍ଷମ ହେଲେ । ରାଜ୍ୟ ବିଧାନସଭାର ତକ୍ରାଳୀନ ବାଚସ୍ପତି ଜେଡ଼ିଏସ ଓ କଂଗ୍ରେସର ଏହି ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଥିବା ବେଳେ ଏବେ ସେମାନେ ବିଜେପିରେ ଯୋଗ ଦେଇ ସୁପ୍ରିମ କୋର୍ଟର ଏକ ରାୟ ବଳରେ ଉପ ନିର୍ବାଚନ ଲଢିବାକୁ ସକ୍ଷମ ହୋଇଛନ୍ତି । ମହାରାଷ୍ଟ୍ରରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି ଜେଡ଼ିଏସ୍ ଆଶଂକା କରି ଏଭଳି କଟାକ୍ଷ କରିଥିବା ଅନୁମାନ କରାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS