ମହାରାଷ୍ଟ୍ର ନାଟକର ନୂଆ ଅଧ୍ୟାୟ, କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମ କୋର୍ଟଙ୍କ ନୋଟିସ୍
ପ୍ରସାଦ ରାଓ
୨୪ ନଭେମ୍ବର
ରବିବାର ହୋଇଥିବା ସତ୍ୱେ ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମହାରାଷ୍ଟ୍ର ମହାନାଟକର ଶୁଣାଣୀ କରିଛନ୍ତି । ସୁପ୍ରିମ କୋର୍ଟର ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଦାଏର କରିଥିବା ପିଟିସନ୍ ଉପରେ ଶୁଣାଣୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି । ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟା ଗଲା ବୋଲି କେନ୍ଦ୍ର ସରକାରଙ୍କ ସୂଚନା ସଂପର୍କିତ ଚିଠି ଏବଂ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳ ଦେଇ ଥିବା ଆମନ୍ତ୍ରଣପତ୍ର ସୋମବାର ସକାଳ ସାଢେ ୧୦ଟା ସୁଦ୍ଧା ସ୍ୱତନ୍ତ୍ର ଖଣ୍ଡପୀଠ ନିକଟରେ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କ ସଲିସିଟର୍ ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କାଲି ମାମଲାର ପରବର୍ତୀ ଶୁଣାଣୀ ହେବ । ବିଧାନସଭାରେ ତୁରନ୍ତ ‘ଫ୍ଲୋର୍ ଟେଷ୍ଟ୍’ ହେବା କୋର୍ଟ ଚାହିଁ ପାରନ୍ତି । କୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏନ.ଭି.ରାମଣା, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜିର ଏହି ଶୁଣାଣୀ କରିଥିଲେ । ପୂର୍ବାହ୍ନ ସାଢେ ୧୧ଟାରେ ଶୁଣାଣୀ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକ ନ କରି ଶୁକ୍ରବାର ରାତିରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇ ନେବା ଏବଂ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଅଛି କି ନାହିଁ ନ ପରିଖି ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବା ସହ ତରବରିଆ ଭାବେ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଭୋର୍ ରେ ଶପଥ ପାଠ କରାଇବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କ ଇଂଗିତରେ ରାଜ୍ୟପାଳ ଏଭଳି ତରବରିଆ ପଦକ୍ଷେପ ନେଲେ ବୋଲି ପିଟିସନକାରୀଙ୍କ ଓକିଲ କପିଲ ସିବ୍ବଲ ସୁପ୍ରିମ କୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠକୁ ଜଣାଇବା ସହ ଫଡ଼ନାଭିସ ଓ ପାୱାରଙ୍କ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରିବାକୁ ଖଣ୍ଡପୀଠରେ ଦାବି ଉପସ୍ଥାପନ କରିଥିଲେ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କାଲି ଏହା ଉପରେ ଅଧିକ ଶୁଣାଣୀ ହେବ କହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ବିଜେପି ଓ କିଛି ସ୍ୱାଧୀନ ବିଧାୟକଙ୍କ ପକ୍ଷରୁ ଓକିଲ ମୁକୁଲ ରୋହତଗି ଖଣ୍ଡପୀଠରେ ଉପସ୍ଥିତ ରହି କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ ।
ବିଜେପିର ଓକିଲ ମୁକୁଲ ରୋହିତଗି ଶିବସେନା, ଏନସିପି ଓ କଂଗ୍ରେସ ସୁପ୍ରିମ କୋର୍ଟକୁ ନ ଆସି ପ୍ରଥମେ ମୁମ୍ବାଇ ହାଇକୋର୍ଟରେ ଏହି ଆବେଦନ କରିବା ଉଚିତ ଥିଲା ବୋଲି ଯୁକ୍ତି ଉପସ୍ଥାପନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାର ଗଠନ ପାଇଁ ଏହି ତିନି ଦଳର ମୌଳିକ ଅଧିକାର ନଥିବାରୁ ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ଯୁକ୍ତି ଦର୍ଶାଇ ଥିଲେ । ଅପରପକ୍ଷରେ, ଏନସିପିର ୪୧ ଜଣ ବିଧାୟକ ଶିବସେନା ପାଇଁ ପ୍ରସ୍ତୁତ ସମର୍ଥନପତ୍ରରେ ଆଜି (ରବିବାର) ଦସ୍ତଖତ କରିଥିବା ବେଳେ ଏନସିପି ବିଧାୟକ ଦଳ ନେତା ଥିବା ଅଜିତ ପାୱାର ଶୁକ୍ରବାର ରାତିରେ ବିଜେପି ପ୍ରତି ୫୪ ଏନସିପି ବିଧାୟକଙ୍କ ସମର୍ଥନ ରହିଛି ବୋଲି ରାଜ୍ୟପାଳଙ୍କ ନିକଟରେ ସମର୍ଥନପତ୍ର ଦାଖଲ କଲେ ଏବଂ ରାଜ୍ୟପାଳ ବାସ୍ତବ ସ୍ଥିତି ଅନୁଧ୍ୟାନ ନ କରି ତରବରିଆ ଭାବେ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ଓ ଏନସିପି ନେତା ଅଜିତ ପାୱାରଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କଲେ କେମିତି ବୋଲି ଆଡ଼ଭୋକେଟ୍ ଅଭିଷେକ ମନୁ ସିଂଘଭି ପ୍ରଶ୍ନ ଉଠାଇ ଥିଲେ । ରାଜ୍ୟପାଳ ସରକାର ଗଠନ ପାଇଁ କେଉଁ ରାଜନୈତିକ ଦଳକୁ ନିମନ୍ତ୍ରଣ କରିବେ, ତାହା ତାଙ୍କ ସାମ୍ବିଧାନିକ ଅଧିକାରଭୁକ୍ତ । ଏହାର ରିଭ୍ୟୁ ହୋଇ ପାରିବ ନାହିଁ ବୋଲି ବିଜେପି ଓକିଲ ମୁକୁଲ ରୋହତଗି ମଧ୍ୟ ଯୁକ୍ତି ବାଢି ଥିଲେ । ତେବେ, ସୁପ୍ରମି କୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ବିଧାନସଭା ସରକାରଙ୍କ ଶକ୍ତି ପରୀକ୍ଷାର ପ୍ରକୃଷ୍ଟ କ୍ଷେତ୍ର ବୋଲି ଦର୍ଶାଇ ପରବର୍ତୀ ଶୁଣାଣୀ ପାଇଁ ସୋମବାର ସକାଳ ସାଢେ ୧୦ଟାକୁ ସମୟ ଧାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠାଇ ନେବା ଓ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ନିମନ୍ତ୍ରଣ କରିବାର ଚିଠି ଖଣ୍ଡପୀଠ ସମ୍ମୁଖରେ ସେହି ସମୟ ମଧ୍ୟରେ ଦାଖଲ କରିବାକୁ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମଧ୍ୟ ଖଣ୍ଡପୀଠ ନୋଟିସ ଜାରି କରିଛନ୍ତି ।
ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା,ଏନସିପି ଓ କଂଗ୍ରେସ ମିଳିତ ଭାବେ ନିଷ୍ପତ୍ତି ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୂର୍ଣ୍ଣ ସମୟ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶୁକ୍ରବାର ଘୋଷଣା କରିଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପିର ସମର୍ଥନପତ୍ର ସହ ସରକାର ଗଠନ ଦାବି ନେଇ ଶନିବାର ରାଜ୍ୟପାଳଙ୍କୁ ଭେଟିବା ଯୋଜନା ଥିଲା । ଇତିମଧ୍ୟରେ, ଶୁକ୍ରବାର ବିଳମ୍ବ ରାତ୍ରୀରୁ ଶନିବାର ଭୋର୍ ମଧ୍ୟରେ ବିଜେପି ତାହାର ଖେଳ ଖେଳି ଥିଲା । କେନ୍ଦ୍ର ସରକାର କ୍ୟାବିନେଟ୍ ବେଠକ ନ ଡ଼ାକି ମହାରାଷ୍ଟ୍ରରୁ ରାଜ୍ୟପାଳ ଶାସନ ପ୍ରତ୍ୟାହାର କରି ନେଇ ଥିଲେ । ରାଜ୍ୟପାଳଙ୍କୁ ତାହା ଜଣାଇ ଦିଆଯିବା ପରେ ରାଜ୍ୟପାଳ କୋଶିଆରି ରାତି ଅଧିଆ ସରକାର ଗଠନ ପାଇଁ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଭୋର୍ ସମୟରେ ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଦେଇଥିଲେ । ରାଜ୍ୟପାଳଙ୍କ ଏହି ପଦକ୍ଷେପ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ କେନ୍ଦ୍ର ସରକାରଙ୍କ ଇଂଗିତରେ ତାହା ହୋଇଛି ବୋଲି ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସୁପ୍ରିମ କୋର୍ଟରେ ଅଭିଯୋଗ କରି ଫଡ଼ନାଭିସ ଓ ପାୱାରଙ୍କ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରାଯିବାକୁ ଆବେଦନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ସ୍ୱତନ୍ତ୍ର ଖଣ୍ଡପୀଠ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ କରି କାଲି ପରବର୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରିଥିବାରୁ ଫଡ଼ନାଭିସ ସରକାର ଅଡୁଆରେ ପଡିଛନ୍ତି । ଇତିମଧ୍ୟରେ, ଏନସିପି ପକ୍ଷରୁ ଆଜି ରାଜ୍ୟପାଳଙ୍କୁ ପତ୍ର ଦିଆଯାଇ ଅଜିତ ପାୱାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଥିବା ଜଣାଇ ଦିଆଯାଇଛି । ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ଦଳ ବିଜେପିକୁ ସମର୍ଥନ କରୁ ନାହିଁ ବୋଲି ଗତକାଲି ସ୍ପଷ୍ଟ କରି ଦେବା ପରେ ଅଜିତ ପାୱାରଙ୍କ ସହ ଯାଇଥିବା ଏନସିପି ବିଧାୟକମାନେ ମଧ୍ୟ ପୁନର୍ବାର ଶରଦଙ୍କ ପାଖକୁ ଫେରି ଆସିଥିବା ଖବର ମିଳିଛି ।
ମହାରାଷ୍ଟ୍ରରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ଶିବସେନା ମଧ୍ୟରେ ମେଂଟ ହୋଇଥିଲା । ତେବେ, ବିଧାନସଭା ନିର୍ବାଚନ ପରେ ତାହା ଭାଂଗି ଯାଇଛି । ସରକାର ଗଠନ ପାଇଁ ଶିବସେନା ଏନସିପି ଓ କଂଗ୍ରେସ ସହ ମିଶି ନୂତନ ମେଂଟ ଗଠନ ଉଦ୍ୟମ କରୁଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ନଭେମ୍ବର ୧୨ ତାରିଖରୁ ରାଜ୍ୟରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବିଦନା କ୍ୟାବିନେଟ୍ ଅନୁମୋଦନରେ ପ୍ରତ୍ୟାହାର କରି ନେବା ଏବଂ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀ ଫଡ଼ନାଭିସଙ୍କ ସପକ୍ଷରେ ଯଦି ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ରହିଛି ତାହା ସେ ତୁରନ୍ତ ‘ଫ୍ଲୋର୍ ଟେଷ୍ଟ୍’ ମାଧ୍ୟମରେ ପ୍ରମାଣିତ କରନ୍ତୁ ବୋଲି ଆବେଦନକାରୀଙ୍କ ଓକିଲ କପିଲ ସିବ୍ବଲ ସ୍ୱତନ୍ତ୍ର ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢିଛନ୍ତି । ଖଣ୍ଡପୀଠ ଏଥି ସକାଶେ ରାଜ୍ୟପାଳଙ୍କୁ ନିଦ୍ଦେଶ ଦିଅନ୍ତୁ ବୋଲି ସିବ୍ବଲ ଆବେଦନ କରିଥିଲେ । ସୁପ୍ରମି କୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ମଧ୍ୟ ବିଧାନସଭାରେ ସରକାର ‘ଫ୍ଲୋର୍ ଟେଷ୍ଟ୍’ ଦେବା ସପକ୍ଷରେ ମତ ଦେଇ ଥିବାରୁ କାଲି ବିଧିବଦ୍ଧ ଭାବେ ଏସଂପର୍କରେ ନିର୍ଦେଶ ଦେଇ ପାରନ୍ତି ବୋଲି ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS